Sangram Moharana

Classics Thriller Others


4.4  

Sangram Moharana

Classics Thriller Others


କାଠଗଡା ରେ ନିଷ୍ପତ୍ତି

କାଠଗଡା ରେ ନିଷ୍ପତ୍ତି

5 mins 130 5 mins 130

ବେଡ ରୁମର ଝରକାଟା ଖୋଲି ୱିନଡୋଜ ସ୍କ୍ରିନଟା ଆଡେଇ ଦେଇ ହ୍ୱିଲ୍ ଚେୟାରଟା ଉପରେ ଧିରେ ବସି ପଡିଲା ଅନନ୍ୟା। ସନ୍ଧ୍ଯା ସରି ରାତିର ସେ ପ୍ରଥମ ପ୍ରହର ଆରମ୍ଭ ହେବାକୁ ବାକି ଥାଏ ଆଉ ଆକାଶରେ ଜହ୍ନ ତାରା ମାନଙ୍କ ମେଳ ଥିଲେ ବି ଦୂରରୁ ବିଜୁଳି ଟିକେ ଚକ ଚକ କରିବାର ଦେଖାଯାଉ ଥିଲା ଆଉ ନିଶାସକ୍ତ ରୂପରେ ମତୁଆଲା ପବନର ହାଲ୍କା ସ୍ୱର ସ୍ପଷ୍ଟ ବାରି ହେଇ ପଡୁଥିଲା । ଯେତେବେଳେ ଦିଗହରା ବାଦଲ ସବୁ କଳା ମେଘ ସାଜି ଅନ୍ଧକାର ଭିତରେ ମାଡି ଆସୁଥିଲେ ସେତେବେଳେ ଗୋଟେ ପରେ ଗୋଟେ ତାରା ସବୁ ଆସ୍ତେ ଆସ୍ତେ ଲୁଚିବାକୁ ଆରମ୍ଭ କରୁଥିଲେ । ଏସବୁର ଅସ୍ତବ୍ୟସ୍ତ ଭିତରେ ନିଜକୁ ସମୟ ଠୁ ଟିକେ ଅଲଗା କରିବା ପାଇଁ ସେ ବି ଚେଷ୍ଟା କରୁଥିଲା ହେଲେ ଅବିବେକୀ ମଣିଷ ଗୁଡା ଭୁଲ୍ ର ସଂସୋଧନରେ କୌଣସି ମନ ନ ଦେଇ ଅକ୍ଷତ ଅବସ୍ଥାରେ ଥିବା ଜାଗାରେ ଆଉ ମୁଠାଏ ଲୁଣ ଛିଞ୍ଚି ଦେଲେ। 

  ଅନନ୍ୟା। ଆଡଭକେଟ୍ ଅନନ୍ୟା ମାନସିଂ ନାଁରେ ଗୋଟେ ବଡ ବୋର୍ଡଟି ଘର ବାହାରେ ଥିବା ଗେଟ୍ ରେ ଲାଗିଛି । ସହରର ସବୁଠୁ ବଡ ଆଉ ଜଣାଶୁଣା ଆଡଭକେଟ୍। ବ୍ୟକ୍ତିଗତ ଜୀବନ ଆଉ ନିଜର ଖ୍ୟାତିରେ ବେସ୍ ପରିଚିତ ଥିଲା ସେ। ସମାଜର ସବୁ ବାସ୍ତବ ଆଉ ଅବାସ୍ତବକୁ ଉପସ୍ଥାପନା କରି ଆଗକୁ ପାହାଚ ପରେ ପାହାଚ ଚଢି ଚାଲିଥିଲା ସେ। କୋର୍ଟର କାଠ ଗଡା ରେ ଦୋଷୀକୁ ଯେରା କରିବାରେ ହଉ କି ନାରୀଜାତି ପ୍ରତି ଅସମ୍ମାନର କେସ୍ ହେଉ, କେହି ଦୋଷୀ ତାଙ୍କ ସାମ୍ନାରେ ବାଦ ପଡି ନାହାଁନ୍ତି। ସେଥିପାଇଁ ଟିକେ ଅଧିକା ଫିଜ୍ ଲାଗେ ତା ପାଖରେ। ସେ ଯାହା ବି ହଉ ସବୁ କିଛି ସମୟର ତାରତମ୍ୟ ଭିତରେ ଚାଲିଥିବା ବେଳେ ଆଜି କାହିଁକି ସେ ଟିକେ ନିଜକୁ ଦୁର୍ବଳ ଅନୁଭବ କରୁଥିଲା। ବହୁତ ଦିନରୁ ପଡିଥିବା ସେ ଡିଭର୍ସ କେସ୍ ଟା ଆଜି କୋର୍ଟରେ ଫାଇନାଲ ହେଇଥିଲା। ଅପରପକ୍ଷର ବନ୍ଧୁ ଆଡଭକେଟ୍ ଙ୍କ ମୁହଁ ବନ୍ଦ କରିଦେଇଥିଲା ସେ। ଆଉ କେସ୍ କୁ ନିଜ ପକ୍ଷକୁ ଆଣି ଜିତିଥିଲେ। ହଁ ଏ କେସ୍ ପାଇଁ ଫିଜ୍ ଟିକେ ଅଧିକା ଥିଲା। ହେଲେ ସେ ତ ଏମିତି ଅନେକ କେସ୍ ଆଗରୁ ଲଢିଛି। ତା ହେଲେ ଆଜି ଏମିତି ଦୁର୍ବଳତା ମନଭାବ କାହିଁକି । ଅତୀତରେ ହଜି ଯାଇଥିବା କିଛି କେସ୍ ଫାଇଲ୍ ସମାଧାନର ରାସ୍ତା ନ ପାଇ ହଜିଯାଇଛି ନା ଜାଣିଶୁଣି ନିଜ ହାତରେ ହଜେଇ ଦେଇଛି। ବେଳାଭୂମିର କୋଳାହଳ ଭିତରେ ସମୁଦ୍ର ଲହଡିର କୂଳରେ ବୁଲୁ ବୁଲୁ ହାତ ଛଡା ହେଇଛି ନା ନିଜେ ଆଡେଇ ହେଇ ଆସିଛି । ଏ ସବୁର ପ୍ରଶ୍ନ ବାରମ୍ବାର ନିଜ ମନ ଭିତରେ ଏମିତି ଆନ୍ଦୋଳିତ କରୁଛି ସତେ ଯେମିତି ବିଚାରପତିଙ୍କ ସାମ୍ନାରେ କାଠ ଗଡାରେ ସେ ଜଣେ ଅଭିଯୁକ୍ତ। ହେଲେ ସେଠି ଲଢିବା ପାଇଁ ତାଙ୍କର କେହି ନାହିଁ । ମନେ ପଡିଯାଉଛି ସେ ବିଗତ ଦିନର ଛୋଟ ଛୋଟ ରାଗ ଆଉ ଅଭିମାନ ଆଉ ପୁଣି ଚୁକ୍ତି କରିଥିବା ସେ ହସ ଆଉ ଲୁହରେ ତିଆରି ହେଇଥିବା ସଂସାର କାହାଣୀ। କଲେଜ ସମୟର ପ୍ରେମ କାହାଣୀ ଯେ କେତେବେଳେ ନିଜ ଠୁ ଅତି ନିଜର ହେଇ ଏକରୁ ଏକାଠି ହେଇ ସାରିଥିଲେ ସେ ସବୁ ଭାବିଲେ ଗୋଟେ ସ୍ୱପ୍ନ ପରି ଲାଗୁଥିଲା। କିନ୍ତୁ ଆଇନ ମହାବିଦ୍ୟାଳୟରେ ପଢା ସମୟରେ ହିଁ ନିଜର ପ୍ରେମକୁ ଅଧିକାର ସାବ୍ଯସ୍ତ କରିବାକୁ ଯାଇ ପ୍ରେମ ବିବାହ କରିଥିଲା ନିଶାନ୍ତଙ୍କୁ। ନିଶାନ୍ତ ଥିଲେ ଜଣେ ବହୁତ ଥଣ୍ଡା ମିଜାଜର ମଣିଷ। ସବୁ କିଛି ଆରମ୍ଭ କରିବା ପୂର୍ବରୁ ସେ କିଛି ପାଦ ଆଗକୁ ଦେଖୁଥିଲେ ଆଉ ତା ପରେ ଚତୁର୍ଦ୍ଦିଗ ଆଖି ବୁଲେଇ ନିଷ୍ପତ୍ତି ନେଉଥିଲେ। ସେ ଥିଲେ ପେଷାରେ ଜଣେ ଚିତ୍ରକର। ବୋଧେ ସେଦିନ କଲେଜର କ୍ରାଫ୍ଟ ମେଳାରେ ବିନା ବଂଶୀରେ ସ୍ୱରର ଚିତ୍ର ଦେଖି ଅନନ୍ୟା ପସନ୍ଦ କରିଥିଲା ତାଙ୍କୁ। ଆଉ ଏମିତି କିଛି ଦିନ ଭିତରେ ସଂପର୍କର ମୁଳଦୁଆ ଟିକେ ବଢି ବଢି ଚାଲିଥିଲା। ଆଉ ତା ପରେ ବିବାହର ପ୍ରସ୍ତାବରେ ଜିଦ୍ ଧରିବାରୁ ନିଶାନ୍ତ ଆଗ ପଛ କିଛି ଭାବିବାକୁ ସମୟ ପାଇ ନ ଥିଲେ। ଆଉ ତା ପରେ ଦୁହେଁ ବାନ୍ଧି ହେଇ ଯାଇଥିଲେ ଏକ ନୂଆ ସଂପର୍କରେ। ଅନେକ ଥର ଜିଦିଖୋର ମଣିଷର ଯୁକ୍ତିକୁ ସେ ବହୁତ ସହଜ ଆଉ ସରଳ ଭାଷାରେ ବୁଝେଇଛନ୍ତି ଅନନ୍ୟାକୁ। ସେ ମଧ୍ଯ ସୁନା ପିଲାଟି ପରି ବୁଝି ଯାଏ।


ବିବାହର କିଛି ବର୍ଷ ବିତି ଯାଇଥିଲେ ସୁଦ୍ଧା ପିଲାଟିଏ ପାଇଁ ଜମା ରାଜି ନଥିଲା ଅନନ୍ୟା। ଶେଷରେ ସେଇୟା ହେଲା। ଓକିଲାତିର ପେଷା ଆରମ୍ଭ କରିବା ପୂର୍ବରୁ ପିଲାଟିଏ ପାଇଁ ରାଜି ହେଲା ଆଉ କିଛି ବର୍ଷ ଭିତରେ ଝିଅଟିଏ କୋଳକୁ ଆସିଲା ଆଉ ମାଆ ହବାର ସୌଭାଗ୍ଯ ମଧ୍ଯ ଅର୍ଜନ କଲା। ହେଲେ ସେତେବେଳକୁ ଜିଦିଖୋର ଅନନ୍ୟା ସାଜି ସାରିଥିଲା ସହରର ବଡ ବଡ ଓକିଲଙ୍କୁ ପାଣି ପେଉଥିବା ଆଡଭକେଟ୍ ଅନନ୍ୟା ମାନସିଂ। ଘର, ସଂସାର,ପରିବାର, ସ୍ୱାମୀ ଆଉ ଝିଅକୁ ଧ୍ଯାନ ନ ଦେଇ କେସ ପରେ କେସ ଲଢି ଚାଲିଥିଲା। କେବଳ କୋର୍ଟ, ଅଫିସ୍, କେସ୍ ଛଡା ଆଉ କିଛି ବୁଝୁ ନ ଥିଲା ସେ। ଆଉ ସେ ଦିନ ସବୁ ସୀମା ଟପି ଯେତେବେଳେ ଅଧ ରାତି ବେଳକୁ ମଦ୍ଯପାନ କରି ଘରକୁ ଫେରିଲା ସବୁ ଧର୍ଯ୍ୟର ହାର ମାନିଲେ ନିଶାନ୍ତ। ମୁହଁ ଖୋଲି କିଛି କହିବା ଆଗରୁ ଝିଅର ଶୁଖିଲା ମୁହଁ ଦେଖି ଚୁପ୍ ରହିଲେ। ପରଦିନ ସକାଳ ହେବା ପରେ ଯେତେବେଳେ ଆଲୋଚନା ପାଇଁ ପ୍ରସ୍ତାବ ଦେଲେ ସେତେବେଳେ ଅନନ୍ୟା ମୁହଁରୁ ଉତ୍ତର ଆସିଲା, "ଆଜି କାଲି ସୋସାଇଟିରେ ରହିବାକୁ ହେଲେ ଏ ସବୁ ମେଣ୍ଟେନ କରିବାକୁ ହୁଏ "। ହେଲେ କିଛି ଦିନ ପର୍ଯ୍ୟନ୍ତ ଏ ଯୁକ୍ତି ଲାଗି ରହିଲା ଆଉ ପ୍ରତିଦିନର ଅଭ୍ୟାସରେ ପରିଣତ ହେଇଗଲା। ସେପଟେ ଅନନ୍ୟା ନିଜକୁ ସହରରେ ପ୍ରତିଷ୍ଠିତ କରିବାରେ ଏତେ ବ୍ୟସ୍ତ ଥିଲା ଯେ ନିଜକୁ ଭୁଲି ସାରିଥିଲା। କଥା କଥାରେ ନିଶାନ୍ତଙ୍କ ବ୍ୟକ୍ତିଗତ ରୋଜଗାରର ପ୍ରଶ୍ନ ମଧ୍ଯ କରୁଥିଲା। ଏତେ ସବୁ ଭିତରେ କିଛି ଓକିଲ ବନ୍ଧୁମାନେ ଡିଭର୍ସର ପରାମର୍ଶ ଦେଇଦେଲେ। ଜିଦିଆ ମଣିଷଟା ଆହୁରି ଜିଦିଖୋର ପାଲଟିଗଲା ଆଉ ଶେଷ ନିଷ୍ପତ୍ତି ଶୁଣେଇ ଦେଲା ନିଶାନ୍ତଙ୍କ ସାମ୍ନାରେ। ସ୍ତମ୍ଭ ପାଲଟି ଯାଇଥିଲେ ନିଶାନ୍ତ। ଅନେକ ବୁଝେଇବା ପରେ ବି ଚେଷ୍ଟା କରି ବିଫଳ ହେଲେ। ଶେଷରେ କେସ୍ ଫାଇଲ ହେଇ କୋର୍ଟରେ ପହଞ୍ଚିଲା। ଆଉ ଯେହେତୁ ନିଜେ ଜଣେ ଓକିଲ। କେସଟା ନିଜ ଆଡୁ କରି ଯିତିଗଲା ଅନନ୍ୟା। ଡିଭର୍ସ ହେଇଗଲା। ଝିଅକୁ ୧୮ ବର୍ଷ ନ ହବା ଯାଏଁ ସେ ବୋର୍ଡିଂ ସ୍କୁଲରେ ରହିବ ଆଉ ତା ପରେ ସେ ନିଜେ ନିଷ୍ପତ୍ତି ନେବ। ସେବେଠୁ ନିଶାନ୍ତଙ୍କ ସହ ଆଉ ଦେଖା ହେଇନି କି ଝିଅ କେବେ ବି ମାଆ ବେଲି ଡାକିନି। ପରିଣତ ବୟସରେ ଆଜି ଯେତେବେଳେ ନିଜକୁ ଦୁର୍ବଳ ବୋଲି ମନେ କରୁଛି ସେତେବେଳେ ନିଶାନ୍ତ କଥା ବହୁତ ମନେ ପଡୁଛି। ଏତେ ସବୁ ଆଜି ଭାବିବାର କାରଣ ହେଉଛି ଗୋଟେ କୁନି ଝିଅ। ଆଜି କୋର୍ଟରେ ଡିଭର୍ସ କେସଟା ସେ ଜିତିଲା ପରେ ଝିଅଟେ ଦଉଡି ଆସି କହିଲା , "ମାଡାମ ମତେ ଦୁଇ ଫାଳ କରିଦିଅନ୍ତୁ, ଫାଳେ ମାଆକୁ ଆଉ ଫାଳେ ବାପାଙ୍କୁ ଦେଇ ଦିଅନ୍ତୁ"। ହଠାତ୍ କେମିତି ଗୋଟେ ଆଶ୍ଚର୍ୟ୍ଯ ଭରା ଆଖିରେ ତାକୁ ଅନେଇ ସେଠୁ ପଳେଇ ଆସିଲା ନିଜ ଘରକୁ ଆଉ ବ୍ଲେଜର ଫୋପାଡି ଦେଇ ଝରକା ପାଖରେ ଠିଆ ହେଇ ଏତେ ସବୁ ଭାବିବା ଭିତରେ ହଠାତ୍ କାହାର ଶବ୍ଦ ଶୁଭିଲା।, " ପ୍ୟାକ୍ ରେଡି ମ୍ୟାମ୍, କ୍ୟାନ୍ ଆଇ ସର୍ଭ ଇଟ୍ ନାଓ ? " ଓଃ, ଏସ୍ ବୋଲି କହି ଚୁପ୍ ହେଇଗଲା। ଆଉ ସେତିକିବେଳେ ଗ୍ଲାସ୍ ରେ ଢଳା ହେଉଥିବା ସେ ମଦର ଶବ୍ଦ ଆଉ ବାହାରେ ହେଉଥିବା ବାଦଲ ଫଟା ବର୍ଷା ଠାରୁ ନିଜ ଆଖିରୁ ବାହାରୁଥିବା ଲୁହର ଶବ୍ଦ ଗୁଡା ବେଶି କଷ୍ଟ ଦଉ ଥିଲା। ବିନା ବଂଶୀର ସ୍ୱରରୁ ଆରମ୍ଭ ହେଇଥିବା କାହାଣୀ ଯେ କେତେବେଳେ ବିନା ଶବ୍ଦର ଲୁହରେ ସରିଯାଇଥିଲା । ଆଉ ସେ ସବୁ ପାଇଁ ଆଜି ସେ ଏକୁଟିଆ କାଠ ଗଡାରେ ଠିଆ ହେଇଥିଲା ଏ ସବୁ ସ୍ପଷ୍ଟ ଦେଖୁଥିଲା ଆଉ ସିଗାରେଟର ଧୂଆଁରେ ନିଜକୁ ଜାଳୁଥିଲା । ଜିତିବା ନିଶା ଏତେ ବଢି ଯାଇଥିଲା ଯେ ଜୀବନ ଲଢେଇରେ ସେ କିନ୍ତୁ ସର୍ବସ୍ବ ହରେଇ ନିଜେ ଗୋଟେ ହାରି ମଣିଷ ପାଲଟି ସାରିଥିଲା। ଝରକା ସେପଟେ ହେଉଥିବା ବାଦଲ ଫଟା ବର୍ଷା ଆଉ ଚଷମା ଭିତରେ ଝରୁଥିବା ଆଖିରୁ ଲୁହ ଭିତରେ କୌଣସି ତଫାତ୍ ନ ଥିଲା। ସତେ ଯେମିତି ନିଜ ଭୁଲ କୁ ସ୍ୱୀକାର କରି ନିଜେ ଅଭିଯୁକ୍ତ ସାଜି କାଠଗଡାରେ ଠିଆ ହେଇ ଫାସି ଶୁଣାଣିକୁ ଅପେକ୍ଷା କରିଥିଲା ସେ...।


Rate this content
Log in

More oriya story from Sangram Moharana

Similar oriya story from Classics