The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

TapaswiniDash Sarangi

Abstract Tragedy Others

3  

TapaswiniDash Sarangi

Abstract Tragedy Others

କାଠ କଣ୍ଢେଇ

କାଠ କଣ୍ଢେଇ

4 mins
73


ନୀରବରେ ଜୁଇର ଶେଯରେ ପରମ ଶାନ୍ତିର ନିଦରେ ଶୋଇ ରହିଥିଲା ମୁଗ୍ଧା।ହୁଏତ ଚାରି ପାଞ୍ଚ ବର୍ଷ ହେଲା ଯେମିତି ତା'ଆଖିର ପଲକ ଟୋପେ ପଡ଼ିନଥିଲା।ମଶାଣୀର ଭୂଇଁରେ ମୁଣ୍ଡ ପିଟି କାନ୍ଦୁଥିଲେ ବାପା ତା'ର।ତା'ବାପା ଗରୀବ ହେଲେ କଣ ହେଲା ଝିଅକୁ ଭଲ ଶିକ୍ଷା ସଂସ୍କାର ଦେଇ ବଡ଼ କରିଥିଲେ।ସବୁ ବାପାଙ୍କ ପରି ତା ବାପାଙ୍କର ବି ସ୍ଵପ୍ନ ଥିଲା ଝିଅକୁ ବଡ଼ ଘର ଭଲ ଘର ଦେଇ ବାହା କରିବେ।ସେଥିପାଇଁ ତ ନିଜ ଅନ୍ତରଙ୍ଗ ବନ୍ଧୁ ଆଣିଥିବା ପ୍ରସ୍ତାବ ବିନା ଦ୍ଵିଧାରେ ହଁ ଭରି ରାଜି ହୋଇଗଲେ।ଏତେ ବଡ଼ ଘର ,ପୁଅ ବଡ଼ ବ୍ୟବସାୟ କରିଛି ପାଠ ବି ଭଲ ପଢିଛି,ଘରେ କୌଣସି କଥାର ଅଭାବ ନାହିଁ।ଯୌଥ ପରିବାର ଭିତରେ ତାଙ୍କ ଝିଅ କେବେ ଏକଲା ଅନୁଭବ କରିବନି।ଗୋଟିଏ ବୋଲି ଝିଅର ବାହାଘର ନିଜ ସମ୍ବଳ ଅନୁସାରେ ଆଡ଼ମ୍ବର ସହକାରେ କରିଥିଲେ।ଝିଅ ବି ସର୍ବଗୁଣ ସମ୍ପନ୍ନା,ହସକୁରି ଆଉ ସ୍ନେହମୟୀ।ବାପା ଭାବିଥିଲେ ଏତେ ବଡ଼ ପରିବାରରେ ତାଙ୍କ ଝିଅ ଆରାମରେ ଚଳିଯିବ।ପରକୁ ଆପଣାର କରିବା କଳା ହୁଏତ ମୁଗ୍ଧା ଠାରୁ ଆଉ କେ ଜାଣେ।ହୁଏତ ଏତେ ସବୁ ଭାବନାରେ ପାଣି ପଡି ଧୋଇ ହୋଇ ଯାଇଥିଲା ବାହାଘରର ଚତୁର୍ଥୀ ବାସି ଠାରୁ। ଭାରି ଅଲିଅଳୀ ଆଉ ଗେହ୍ଲାରେ ବଡ଼ କରିଥିଲେ ଝିଅକୁ। ବି.ଏ ପାସ୍ କରିଥିଲା ମୁଗ୍ଧା ଇଚ୍ଛା ଥିଲା ଆହୁରି ପଢିବ ,ଶାଶୁ ଘର ଲୋକଙ୍କ ପ୍ରତିଶୃତିରେ ଖୁସି ହୋଇ ମାତ୍ର ଏକୋଇଶି ବର୍ଷରେ ବାହା ହୋଇଗଲା। ଭାବିଥିଲା ଏତେ ବଡ଼ ଲୋକ ଘରେ ବି ଚାକର ଚାକରାଣୀ ଅଛନ୍ତି ଜଞ୍ଜାଳ କମ୍ ଥିବ,ପାଠ ପାଇଁ କିଛି ଅସୁବିଧା ହେବନି। ପ୍ରତିଯୋଗୀତା ମୂଳକ ପରୀକ୍ଷା ଦେଇ ସେ କିଛି ନା କିଛି ରୋଜଗାର କରିବ ,ତା' ବାପା ଓ ବୋଉଙ୍କୁ ଟିକେ ସାହାଯ୍ୟ କରିବ।ହେଲେ ମୁଗ୍ଧା ଜାଣି ନଥିଲା ସେ ଦେଖିଥିବା ସ୍ଵପ୍ନ ମାନ ସ୍ଵପ୍ନରେ ରହିଯିବ ବାସ୍ତବତାର ରୂପ ନେବ ନାହିଁ।


ସେ ଶାଶୁ ଘରେ ବୋହୂ ହୋଇ ନୁହେଁ ବରଂ କାମବାଲି ହୋଇ ରହିଥିବାର ଅନୁଭବ କଲା। ନା ମିଳୁଥିଲା ସମ୍ମାନ ନା ସ୍ନେହ ନା ସ୍ଵାମୀଙ୍କ ଭଲ ପାଇବା। ବଡ଼ ଲୋକିଆ ଢଙ୍ଗରେ ତା ସ୍ଵାମୀ ସତିଶ୍ ମଦ ବିନା ବୋଧେ ବଞ୍ଚି ପାରନ୍ତିନି। ମଦ ଆଉ ସାଙ୍ଗସାଥୀ ଗହଣରେ ସେ ପୁରା ନିଜ ସ୍ତ୍ରୀକୁ ଭୂଲି ଯାଆନ୍ତି। ଶାଶୁଙ୍କ କଥା ନ' କହିଲେ ଭଲ ସେ ବୋହୂକୁ ଦେଖିଲେ ତାଙ୍କ ଦେହ ଖରାପ ହୋଇଯାଏ,କାମରେ ସାହାଯ୍ୟ କରନ୍ତିନି ସିନା କାମ ଲଗେଇବାରେ ଆଗଭର ଆଉ ଶ୍ଵଶୁରଙ୍କର ଖାଇବାର ବରାଦ ଏତେ ଯେ ସେ ରୋଷେଇ ଘରୁ ଫୁରୁସତ୍ ପାଏନି।ଧୈର୍ଯ୍ୟ କଣ ବୋଧେ ମୁଗ୍ଧା ବହୁତ ଭଲ ଭାବେ ବୁଝିଥିଲା।

 ସମୟ ସମୟରେ ବୁଲେଇ ବଙ୍କେଇ ଶୁଣେ ତା' ବାପା ବିନା ଯୌତୁକରେ ପଠେଇଛନ୍ତି ବାହା ଦେଇ।ଆଉ ତାର ପରିଶୋଧ କରୁଛି ମୁଗ୍ଧା।ବାପା ବୋଉଙ୍କୁ କେବେ ହେଲେ କହିନି ତା' ଦୁଃଖ କଥା।ବାପା ତା'ର ପାଠ ପଢା କଥା ପଚାରିଲେ କିଛି ବାହାନା କରି ଏଡେଇ ଦିଏ କଥାକୁ।କାହାକୁ ବା କହିବ ନିଜର ଦୁଃଖ ବାହା ପେଡିରେ ଆଣିଥିବା କାଠ କଣ୍ଢେଇକୁ ସେ ନିଜ ଗୁହାରୀ କରେ। ତା'କୁ ଧରି କୁଣ୍ଢେଇ କାନ୍ଦେ ,ମନ କଥା କହେ। ଦେହ ଖରାପ ହେଲେ ବି ଆହାଃ ପଦ ଟୋପେ ମିଳେନି। ସେ ଯେମିତି ସେ ଘରେ ଚାବି ଦିଆ କଣ୍ଢେଇ ପାଲଟି ଯାଇଥିଲା।କଣ ଖାଇବ? କଣ ପିନ୍ଧିବ? କେହି ବି ପଚାରି ବୁଝନ୍ତିନି। ଧାନ ଉସୁଆଁ ଠାରୁ ଆରମ୍ଭ କରି ଘରର ସବୁ ପାଇଟି କରେ ଘରର ଚାକର ଚାକରାଣୀଙ୍କ ସହ ମିଶି।

  ବାହା ଘରର ଚାରି ବର୍ଷ ପରେ ସେ ମା' ହେବାକୁ ଯାଉଛି ଜାଣି ମନରେ ଖୁସିର ତରଙ୍ଗିଣୀ ନାଚି ଉଠିଲା। ଗୋଟିଏ ନାରୀର ପୂର୍ଣ୍ଣତା ଆସିଥାଏ ମାତୃତ୍ଵରେ। କେଉଁ ନାରୀ ବା ଏ ଦିବ୍ୟ ଅନୁଭୂତିକୁ ଅନୁଭବ କରିବାକୁ ଚାହେଁନି। ପୁଣି ସ୍ଵପ୍ନ ଦେଖିବାକୁ ଲାଗିଲା ସେ ନିଜ ଆଗନ୍ତୁକ ସନ୍ତାନକୁ ନେଇ। ହେଲେ ସେ ଭୂଲି ଯାଇଥିଲା ବୋଧେ ସେ ଗୋଟେ କାଠ କଣ୍ଢେଇ । କଣ୍ଢେଇ କଣ ସ୍ଵପ୍ନ ଦେଖେ? ତା' ହସ କାନ୍ଦ ଆଉ କାହା ହାତରେ ବନ୍ଧା। ଯିଏ ଯେମିତି ଚାବି ମୋଡିବ ସେ ଅନୁସାରେ ସେ ଚାଲିବ।

  ତା ସ୍ଵାମୀ ସତିଶ୍ ବି ଖୁସି ଥିଲା ପରି ତା'କୁ ମନେ ହେଉଥିଲା। ଶାଶୁ ଶ୍ଵଶୁରଙ୍କୁ ବି ମନେ ମନେ ଖୁସି ହେଉଥିବାର ସେ ଦେଖି ଭାବୁଥିଲା ବୋଧେ ଏ ଛୁଆ ତା'ଜୀବନରେ ସୁଖର ସୂର୍ଯ୍ୟୋଦୟ ନେଇ ଆସିବ। ହେଲେ ଏ କଣ ସତିଶ୍ ଡାକ୍ତରଙ୍କୁ କିଛି ଟଙ୍କାର ମୋହ ଦେଖାଇ ଗର୍ଭରେ ଥିବା ସନ୍ତାନର ଲିଙ୍ଗ ନିରୂପଣ କରି ଝିଅଟିଏ ବଢୁଛି ବୋଲି ଗର୍ଭରେ ଜାଣିଗଲେ। ସେବେ ଠାରୁ ସ୍ଵାମୀ କି ଶାଶୁ ଶ୍ଵଶୁର କେହି ବି ତା' ଶରୀରର ଧ୍ୟାନ ନେଲେନି ଯେତିକି ଯତ୍ନ ନେବା କଥା ଗର୍ଭାବସ୍ଥାରେ କାଣିଚାଏ ବି ମିଳିଲାନି। ମୁଗ୍ଧା ଶୁଣିଥିଲା ଗର୍ଭାବସ୍ଥାରେ କୁଆଡେ ସ୍ଵାମୀ ମାନେ ବହୁତ ଯତ୍ନବାନ ଆଉ ଦାୟିତ୍ଵବାନ ହୁଅନ୍ତି ନିଜ ସ୍ତ୍ରୀ ମାନଙ୍କ ପ୍ରତି। କିନ୍ତୁ ମୁଗ୍ଧା କ୍ଷେତ୍ରରେ ସମ୍ପୂର୍ଣ୍ଣ ଓଲଟା। ତା' ସ୍ଵାମୀଙ୍କୁ ଦରକାର ଥିଲା ପୁଅଟିଏ ଆଉ ତା ଶାଶୁ ଶ୍ଵଶୁରଙ୍କୁ ଦରକାର ଥିଲା ତାଙ୍କ କୂଳକୁ ଆଗେଇ ନେବାକୁ ନାତିଟିଏ। ସେଥିପାଇଁ ତ ମୁଗ୍ଧା ଅବହେଳିତା ହୋଇ ପଡିଥିଲା।

ପ୍ରସବର ସମୟର ପ୍ରାୟ ପାଖାପାଖି ମୁଗ୍ଧା ନଅ ମାସର ଗର୍ଭବତୀ।

ଆଉ କିଛି ଦିନ ଗଲେ ସେ ମାତୃତ୍ଵର ସ୍ଵାଦ ଚାଖିବ। ହୁଏତ ତା'ସନ୍ତାନକୁ କାହାର ସ୍ନେହ ମିଳିବନି। ଏମିତି ଅନେକ ଚିନ୍ତା ଭିତରେ ସିଡି ପାହଚରୁ ଗୋଡ଼ ଖସିଗଲା ମୁଗ୍ଧାର। ପ୍ରବଳ ଯନ୍ତ୍ରଣାରେ ଛଟପଟ ହେଉଥିଲା ସେ। ବିକଳ ହୋଇ ଡାକ ଛାଡିଲା ସିନା କେହି ଶୁଣିଲେନି। କାଳେ ତା ଶାଶୁ ବୁଝି ପାରିବେ ତା' ଯନ୍ତ୍ରଣାକୁ ପାଖକୁ ଧାଇଁ ଆସିବେ। କେହି ବି ଆସିଲେନି ତା ପାଖକୁ କାହିଁକିନା ସେ ଗୋଟେ କନ୍ୟା ସନ୍ତାନକୁ ଜନ୍ମ ଦେବାକୁ ଯାଉଥିଲା।

ମୁଗ୍ଧାର ଯନ୍ତ୍ରଣାରେ ଚିତ୍କାର କରୁଥିବା ଶୁଣି ସେ ଘରର ଚାକରାଣୀ ରାଧା ଧାଇଁ ଆସି ପାଖରେ ପହଞ୍ଚିଲା। ସେ ବି ଭାବୁଥିଲା ସତରେ କଣ ମଣିଷ ମାନେ ଏତେ ନୃଶଂସ ହୋଇପାରନ୍ତି। ରାଧା ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୁଗ୍ଧାକୁ ନେଇଗଲା ଡାକ୍ତରଖାନାକୁ। ମୁଗ୍ଧାର ଅନୁରୋଧରେ ରାଧା ଫୋନ୍ କରି ଡାକିଲା ତା'ବାପା ବୋଉଙ୍କୁ। ସେମାନେ ଆସି ପହଞ୍ଚିଲେ ଆଉ ଝିଅର ଏଇ ଅବସ୍ଥା ଦେଖି କାନ୍ଦି ପକାଉଥିଲେ। ରାଧା ମୁହଁରୁ ସବୁ କଥା ଶୁଣି ବହୁତ ଦୁଃଖୀ ହେଉଥିଲେ ମନେ ମନେ ଭାବୁଥିଲେ ଝିଅ ତାଙ୍କୁ କେବେ ବି କିଛି ତା' ଦୁଃଖ ର କଥା କହିନି। କଅଁଳା ଛୁଆର କାନ୍ଦ ଶବ୍ଦ ଶୁଣି ତା' ବୋଉ ଯାଇ ଲେବର୍ ରୁମ୍ ଭିତରେ ପହଞ୍ଚିଲେ ମୁଗ୍ଧା ତାଙ୍କ ହାତକୁ କୁନି ଝିଅଟି ଟେକି ଦେଇ କହିଲା।


ଦେଖେ ବୋଉ ମୋ ଜୀବନ ଯେମିତି ହେଲା ,ମୋ ଝିଅର ଜୀବନ ସେମିତି ହେବାକୁ ଦେବୁନି। ତାକୁ କାହା ହାତର କାଠ କଣ୍ଢେଇ ହୋଇ ରହିବାକୁ ଦେବୁନି। ଏତିକି କହି ମୁଗ୍ଧା ଆଖି ମୁଜି ଦେଲା। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତା'ର ମୃତ୍ୟୁ ହୋଇଛି ବୋଲି ଡାକ୍ତର କହିଲେ।

 ଏବେ ମୁଗ୍ଧା ଶୋଇ ରହିଛି ଚିର ନିଦ୍ରାରେ ତା'ସାଙ୍ଗରେ ଶୋଇଯାଇଛି ତା'ର ଯନ୍ତ୍ରଣାମୟ ଜୀବନ।


Rate this content
Log in

More oriya story from TapaswiniDash Sarangi

Similar oriya story from Abstract