Sambit Srikumar

Abstract Tragedy Crime

4.3  

Sambit Srikumar

Abstract Tragedy Crime

କାବୁଲ୍ ପୋଷ୍ଟ୍

କାବୁଲ୍ ପୋଷ୍ଟ୍

8 mins
133



୧୫ ଅଗଷ୍ଟ ୨୦୨୧, ନୂଆଦିଲ୍ଲୀ। ସମୟ ଅପରାହ୍ନ ପ୍ରାୟ ଦୁଇଟା। ମଧ୍ୟାହ୍ନ ଭୋଜନ ସମାପ୍ତି ପରେ ଭାରତୀୟ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଏକ ଆଲେଖ୍ୟ ପ୍ରସ୍ତୁତିରେ ବ୍ଯସ୍ତ ସର୍ବାଧିକ ଲୋକପ୍ରିୟ ଇଂରାଜୀ ଦୈନିକର ସହସମ୍ପାଦକ ରଞ୍ଜିତ୍ ସାଗର। ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସ ଠାରୁ ଆରମ୍ଭ କରି ଦୀର୍ଘ ସପ୍ତ ଦଶନ୍ଧି ଧରି ସ୍ବାଧୀନୋତ୍ତର ଭାରତବର୍ଷର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତିକୁ ନେଇ ପୁଙ୍ଖାନୁପୁଙ୍ଖ ଅନୁଶୀଳନ କରିବାରେ ଲାଗିଥାନ୍ତି ସେ। କେଡ଼େ ମହାନ୍ ଏଇ ଭାରତବର୍ଷ! କେତେ ମହାର୍ଘ ଏହାର ସଭ୍ୟତା, ସଂସ୍କୃତି ଏବଂ ଐତିହ୍ୟ! ଯେତେ ଯେତେ ଚିନ୍ତା କରୁଥାନ୍ତି ସେତେ ସେତେ ଅଭିଭୂତ ହୋଇପଡ଼ୁଥାନ୍ତି ସିଏ। 

ଅଚାନକ ତାଙ୍କୁ ଏକ ଅଶ୍ବସ୍ତିକର ତଥା ହୃଦୟ ବିଦାରକ ଖବର ମିଳିଲା। "ଆଫଗାନିସ୍ତାନ ରାଜଧାନୀ କାବୁଲ୍.ର ପତନ ଘଟିଛି।" ଆତଙ୍କବାଦୀ ସଂଗଠନ ତାଲିବାନ ଦ୍ବାରା ପୁ୍ନଶ୍ଚ ଅଧିକୃତ ହୋଇ ଯାଇଛି ବିନା ରକ୍ତପାତରେ, ଦେଶର ବିଶାଳ ସେନାର ବିନା ପ୍ରତିରୋଧରେ। ସାର୍ବଭୌମ ଦେଶର ସର୍ବୋଚ୍ଚ ନେତା ଧନସମ୍ପତ୍ତି ଲୁଟି ନେଇ କରିଛନ୍ତି ବିଦେଶକୁ ପଳାୟନ। କାବୁଲ୍ ସହରର ଚାରିଆଡ଼େ ଭୟର ବାତାବରଣ। ଅନାଗତ ଭବିଷ୍ଯତକୁ ନେଇ ସଭିଏଁ ଚିନ୍ତିତ। ଯେଉଁମାନେ ଅତୀତରେ ତାଲିବାନୀ ରାଜ୍ ଦେଖିଛନ୍ତି ସେମାନେ ସଭିଏଁ ଆଜି ନିଜ ଜନ୍ମଭୂମିରୁ ଶିଘ୍ରାତିଶିଘ୍ର ପଳାୟନ କରିବାକୁ ବ୍ଯଗ୍ର। ଚତୁର୍ଦ୍ଦିଗରୁ ପାହାଡ଼ ପର୍ବତ ଘେରା ଏଇ ଦେଶରୁ ଜୀବନ ଧରି ପଳାୟନ କରିବା କାଠିକର ପାଠ। ଏଇଟାକୁ ସିଏ ନିଜେ ଅଙ୍ଗେ ଲିଭେଇ ସାରିଛନ୍ତି। ଏହି ଖବରଟିକୁ ସହଜରେ ଗ୍ରହଣ କରିବାକୁ ଆଦୌ ପ୍ରସ୍ତୁତ ନଥିଲେ ସେ। ବିଳପି ଉଠିଲେ ରଞ୍ଜିତ୍ ବାବୁ, ଦୁଇ ଚକ୍ଷୁରୁ ବହିଗଲା ଅବାରିତ ଲୁହର ଧାର। କିଂକର୍ତ୍ତବ୍ଯବିମୁଢ ହୋଇ ବସିପଡ଼ିଲେ ନିଜ ଚୌକିରେ। 

ହେଲେ ଏଇ ଆଫଗାନିସ୍ତାନର ପରିସ୍ଥିତି ପାଇଁ ସେ ଏତେ ଚିନ୍ତିତ କଣ ପାଇଁ? ଭାରତୀୟ ଭାବରେ ମିତ୍ର ରାଷ୍ଟ୍ର ପାଇଁ ବ୍ଯଥିତ ହେବା ସ୍ବାଭାବିକ କଥା, ମାତ୍ର ଭୋ ଭୋ କାନ୍ଦିବା କଣ ଶୋଭା ପାଏ ସମର୍ଥ ପୁରୁଷଟିଏ ପାଇଁ? କଣ ବା ଅଛି ସେଠି ତାଙ୍କର? କଣ ପାଇଁ ସେ ବ୍ଯସ୍ତ ବିବ୍ରତ, ବ୍ଯଥିତ? ଇଏ ତ ଜଣେ ସାମ୍ବାଦିକ ମାତ୍ର। ସମ୍ବାଦ ପ୍ରସ୍ତୁତି, ସ୍ତମ୍ଭ ଲେଖିବା, ସମ୍ପାଦନା କରିବା ସହିତ ଚାଞ୍ଚଲ୍ୟକର ଖବର ପରିବେଷଣ କରି ନିଜର ପାଠକ ସଂଖ୍ୟା ବୃଦ୍ଧି କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ। ଏଥିରେ ତାଙ୍କର ପରିବାର ପ୍ରତିପୋଷଣ ହୁଏ। ଆଫଗାନିସ୍ତାନ ପରିସ୍ଥିତି ପରି ଖବର ତ ବେଶ୍ କିଛି ଦିନ ସରଗରମ ରହିବ ବିଶ୍ବ ଖବର ବଜାରରେ। ବିନା ଅନୁସନ୍ଧାନ ଅବା ପରିଶ୍ରମରେ ଢେର୍ ତଥ୍ୟ ମିଳିଯିବ ଛାଏଁ ଛାଏଁ ଘରେ ବସି। କଣ ପାଇଁ ଏମିତି ଭାଙ୍ଗିପଡୁଛନ୍ତି ସେ? ଏଇଟା ତ ତାଙ୍କ ପାଇଁ ଏକ ସୁଯୋଗ ଦିନକୁ ଦିନ ଭଳିକିଭଳି ରୋଚକ, ରୋମାଞ୍ଚକର ତଥା ନୂତନ ସମ୍ବାଦ ପରିବେଷଣ କରି ନିଜର ପାଠକୀୟ ଆଦୃତି ବୃଦ୍ଧି କରିବା ପାଇଁ। 

ରଞ୍ଜିତ୍ ସାଗର ବାସ୍ତବରେ ଜଣେ ଦେଶାନ୍ତରୀ ଆଫଗାନ୍ ନାଗରିକ। ଦୀର୍ଘ ପଚିଶି ବର୍ଷ ତଳେ ଯେବେ ଏଇ ଆତଙ୍କବାଦୀ ସଂଗଠନ ତାଲିବାନ କାବୁଲ୍ ଅକ୍ତିଆର କରିଥିଲା ତାହାଙ୍କ ଅତ୍ଯାଚାରରୁ ବର୍ତ୍ତିବାକୁ ନିଜର ପିତାମାତାଙ୍କ ସହିତ ଜୀବନ ବଞ୍ଚାଇ ଚାଲିଆସିଥିଲେ ହୃଦୟବାନଙ୍କ ସହର ଦିଲ୍ଲୀ, ପାବନ ଭାରତଭୂଇଁ। କିଛିଦିନ ଏଠି ଶରଣାର୍ଥୀ ଭାବେ ବିତାଇଥିଲେ କ୍ଯାମ୍ପରେ। ପରେ ସମସ୍ତ ନ୍ଯାୟିକ ପ୍ରକ୍ରିୟା ଅବଲମ୍ବନ କରି ଏବେ ପୂର୍ଣ୍ଣତଃ ଭାରତୀୟ ନାଗରିକ। ତନ ମନ ପ୍ରାଣରେ ବିଶୁଦ୍ଧ ଭାରତୀୟ। ସାଥିରେ ଆସିଥିବା ବୃଦ୍ଧ ମାତାପିତା କେବେଠୁଁ ଏଇ ମାଟିର କୋଳରେ ଶେଷ ଆଶ୍ରୟ ଗ୍ରହଣ କରି ମାଟି ସହିତ ଏକାକାର ହୋଇ ଗଲେଣି। ସବୁକିଛି ପରେ ମଧ୍ୟ ସିଏ ନିଜର ଜନ୍ମମାଟିକୁ ଭୁଲିପାରି ନାହାଁନ୍ତି ଆଜି ଯାଏଁ। ସତରେ କଣ ଜନ୍ମମାଟିକୁ କିଏ ଭୁଲିପାରେ ସହଜରେ? 

ଶରଣାର୍ଥୀର ଜୀବନ ଯେ କେତେ ଯନ୍ତ୍ରଣାଦାୟକ ସେକଥା ନିଜେ ଭୁକ୍ତଭୋଗୀ ରଞ୍ଜିତ୍ ବାବୁ। ଜୀବନରେ ଏମିତି ଦୁର୍ଦ୍ଦିନ ଆସେ ଯେତେବେଳେ ମଣିଷ ନିଜର ସବୁକିଛି ପଛରେ ପକାଇ ଜୀବନ ରକ୍ଷା କରିବା ପାଇଁ ଅନ୍ୟତ୍ର ପଳାୟନ କରେ। କ୍ଷଣିକରେ ରାଜାରୁ ଦାଣ୍ଡର ଭିକାରି ପାଲଟିଯାଏ। କିନ୍ତୁ ଜୀବନସାରା ନିଜର ଜନ୍ମମାଟିକୁ ଫେରିବାକୁ ବିକଳ ହୋଇ ଚାହିଁ ରହିଥାଏ। ଠିକ୍ ସେମିତି ଅବସ୍ଥା ରଞ୍ଜିତ୍ ବାବୁଙ୍କର। ଦୀର୍ଘ ପଚିଶି ବର୍ଷରେ ଅନେକ ବାର ଚାହିଁଛନ୍ତି ସ୍ବଦେଶ ଫେରିଯିବାକୁ କିନ୍ତୁ କୌଣସି ନା କୌଣସି କାରଣବଶତଃ ତାହା ସମ୍ଭବପର ହୋଇପାରିନାହିଁ। ଅଗତ୍ୟା ଆମୃତ୍ୟୁ ଭାରତୀୟର ପରିଚୟ ନେଇ ଜୀଇଁବାକୁ ସେ ବଦ୍ଧପରିକର। ଏକ ଶୃଙ୍ଖଳିତ ଏବଂ ଦେଶଭକ୍ତ ଭାରତୀୟ ଭାବେ ସେ ନିଜକୁ ଗୌରବାନ୍ୱିତ ମନେକରନ୍ତି। ଭାରତରେ ସିନା ତାଙ୍କର ଜନ୍ମ ହୋଇନାହିଁ କିନ୍ତୁ ଇଏତ ତାଙ୍କର କର୍ମଭୂମି, ଆଶ୍ରୟସ୍ଥଳୀ। 

ଭାରତରେ ଶରଣ ନେଇ ନାଗରିକତ୍ବ ହାସଲ କରିବା ପରେ ମଧ୍ୟ ସେ ସଦାସର୍ବଦା ଚିନ୍ତିତ କାବୁଲ୍.ରେ ରହିଯାଇଥିବା ନିଜର ବଡ଼ ଭଉଣୀ ସୁମନ୍ ପରାଶରଙ୍କ ପାଇଁ। ଅବଶ୍ୟ ଏଇ ପଚିଶି ବର୍ଷ ମଧ୍ୟରେ ଅନେକ ଥର ପରସ୍ପରକୁ ଭେଟିଛନ୍ତି କାବୁଲ୍ ଓ ଦିଲ୍ଲୀରେ। କିନ୍ତୁ ଭଉଣୀ ଭିଣୋଇ କାବୁଲ୍ ଛାଡ଼ି ଭାରତ ଆସିବାକୁ ମୂଳରୁ ହିଁ ନାରାଜ୍। ଭିଣୋଇ ଶଶାଙ୍କ ପରାଶର ସେଠାକାର ସର୍ବପୁରାତନ କୃଷ୍ଣ ମନ୍ଦିରରେ ପୂଜକ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଉପରେ ତାଙ୍କର ପ୍ରଗାଢ଼ ନିଷ୍ଠା ଏବଂ ଦୃଢ଼ ଭରସା। ପ୍ରଭୁଙ୍କ ସେବାପୂଜାରେ ସର୍ବୋତ ଭାବେ ସମର୍ପିତ। ଏମିତି କେଉଁ ଦିନ ନଥିବ ଯେ ସିଏ ପ୍ରଭୁଙ୍କ ସେବାପୂଜା, ନୀତିକାନ୍ତି, ଯାନିଯାତ୍ରା ପାଳନରେ ଅବହେଳା କରିଥିବେ। ରାଜନୈତିକ ପରିସ୍ଥିତି ଯାହା ବି ହୋଇଥାଉନା କାହିଁକି ସଦାସର୍ବଦା ସେ ଶ୍ରୀକୃଷ୍ଣଙ୍କ ସେବାରେ ନିଜକୁ ନିୟୋଜିତ କରିଥାନ୍ତି। ଖାସ୍ କେବଳ ଏଇଥିପାଇଁ ଜୀବନରେ କେବେ ବି କାବୁଲ୍ ସହର ବାହାରକୁ କେଉଁଠି ବି ଯାଇନାହାଁନ୍ତି ସେ। 

ଦୀର୍ଘ ଦିନ ପରେ ଆଜି ସେ କାନ୍ଦୁଛନ୍ତି ନିଜର ପୂର୍ବଜଙ୍କ କୃତକର୍ମ ପାଇଁ। ଜାତିସ୍ମର ହିନ୍ଦୁ ଆତ୍ମାଟି ଆଜି ବିଳାପ କରୁଛି ଇତିହାସର ବକ୍ଷରେ ସଂଘଟିତ ନାନାଦି ଦୁଷ୍କୃତି ନିମନ୍ତେ। ଯେଉଁ ମହାନ୍ ଭାରତବର୍ଷକୁ ଏବଂ ଭରତବଂଶୀମାନଙ୍କୁ ସମୂଳେ ଧ୍ବଂସ କରିବା ପାଇଁ ତାଙ୍କର ପୂର୍ବଜ ଶକୁନୀ ଷଡଯନ୍ତ୍ର ରଚିଥିଲେ ସେଇ ପୂର୍ବଜଙ୍କ ପାପକର୍ମର ପରିଣାମ ସ୍ୱରୂପ ଆଜି ଏଇ ଦଶା ତାଙ୍କ ଜନ୍ମମାଟିର। ଆଉ କେତେକ ପୂର୍ବଜ ମତାନ୍ତରିତ ହୋଇ ମହାଦେବ ଶିବଙ୍କ ପାବନ ଭୂମିରେ ଯବନ ଧର୍ମାନ୍ଧ ଜହ୍ଲାଦ ଜେହାଦୀ ସାଜିଛନ୍ତି। ସୀମା ସରହଦ ଲଂଘି ବାରମ୍ବାର ଲୁଣ୍ଠନ କରିଛନ୍ତି ଭାରତର ପବିତ୍ର ମନ୍ଦିରମାନଙ୍କୁ ଧନରତ୍ନର ଲୋଭରେ। ସୋମନାଥ ମନ୍ଦିରର ଜ୍ଯୋତିର୍ଲିଙ୍ଗକୁ ଭାଙ୍ଗିକରି ନେଇଯାଇ ନିଜ ସିଂହାସନର ପାବଚ୍ଛ କରିଛନ୍ତି। ଅକାରଣରେ ଅଗଣିତ ଲୋକଙ୍କ ଜୀବନ ନେଇଛନ୍ତି। ନିଃସହାୟ ହିନ୍ଦୁ ତରୁଣୀ - ରମଣୀମାନଙ୍କୁ ହରଣ କରି ଅତ୍ଯାଚାର କରିଛନ୍ତି। କ୍ରୀତଦାସ ସଜାଇ ପୋଷ୍ଯ ଜୀବ ପରି ବିକ୍ରି କରି ଦେଇଛନ୍ତି ମଧ୍ୟପ୍ରାଚ୍ୟର ଭରା ବଜାରରେ। 

ଏଇ ମୌଳବାଦୀ ବିଦ୍ବେଷୀ ଜେହାଦୀ ନରପିଶାଚ ସନ୍ତ୍ରାସବାଦୀ ଗୁଡ଼ାକ କାହିଁ କେଉଁ କାଳରୁ ପ୍ରସ୍ତର ଗାତ୍ରରେ ଖୋଦିତ ସତ୍ଯ ଅହିଂସାର ମୂର୍ତ୍ତିମନ୍ତ ପ୍ରତୀକ ଏସିଆର ଆଲୋକ ଗୌତମବୁଦ୍ଧଙ୍କର କମନୀୟ ପ୍ରତିମାକୁ ଧ୍ବଂସ ବିଧ୍ବଂସ କରିଦେଇଛନ୍ତି ଧର୍ମୀୟ ବିଦ୍ବେଷର ବଶୀଭୂତ ହୋଇ। ଲୁଟାଇ ଦେଇଛନ୍ତି ଆଫଗାନ୍ ମାଟିର ଗାରିମା, ଐତିହ୍ୟ ଏବଂ ଯୁଗ ଯୁଗର ସଞ୍ଚିତ ବୌଦ୍ଧିକ ସମ୍ପଦ। କିନ୍ତୁ ଆଜି ଦେଖ କେଉଁଠି ଭାରତବର୍ଷ ଆଉ କେଉଁଠି ବର୍ବର ଅସଭ୍ୟ ଲୁଣ୍ଠନକାରୀଙ୍କ ଭବିଷ୍ୟତ ପୀଢ଼ି। ବର୍ଷ ବର୍ଷ ଧରି ଗୃହଯୁଦ୍ଧରେ ଲିପ୍ତ ରହି ଧ୍ବଂସସ୍ତୁପରେ ପରିଣତ ହୋଇଛି ତାହାଙ୍କ ଦେଶ। ଐତିହାସିକ ଭୁଲ୍ ପାଇଁ ଭବିଷ୍ୟତରେ କ୍ଷମା ନାହିଁ! ଗୋଟିଏ ପୀଢ଼ିର ଭୁଲ୍ ପାଇଁ ପରବର୍ତ୍ତୀ ପୀଢ଼ି ଶାସ୍ତି ଭୋଗିବାକୁ ବାଧ୍ଯ। ଏହା ହିଁ ଉତ୍ତର ପୀଢ଼ିର ପ୍ରାୟଶ୍ଚିତ ଆପଣାର ପୂର୍ବଜଙ୍କ ଗର୍ହିତ ଅପରାଧ ଓ ପାପ ନିମନ୍ତେ। ଏହା ଯୁଗେ ଯୁଗେ ପରୀକ୍ଷିତ ସତ୍ଯ। ଏଥିରୁ ବା କେମିତି ବାଦ୍ ପଡିବେ ସିଏ ଅବା ତାଙ୍କ ପରି ଅଗଣିତ ଆଫଗାନ୍ ନାଗରିକ? 

ଯେଉଁ ସୁବର୍ଣ୍ଣ ଭାରତବର୍ଷକୁ ବାରମ୍ବାର ଲୁଣ୍ଠନ କରିଥିଲେ, କ୍ରୁର ଷଡଯନ୍ତ୍ରରେ ଲହୁଲୁହାଣ କରିଥିଲେ, ଭାରତୀୟ ନାଗରିକଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଥିଲେ ତାଙ୍କର ବର୍ବର ପୂର୍ବପୁରୁଷମାନେ, ଆଜି ସେଇ ଭାରତବର୍ଷ ସହାସ୍ଯ ବଦନରେ କୋଳେଇ ନେଇଛି ତାଙ୍କ ପରି ଅଗଣିତ ନିରିହ ଆଫଗାନ୍ ଶରଣାର୍ଥୀଙ୍କୁ। "ଅତିଥି ଦେବୋ ଭବଃ" ନ୍ଯାୟରେ କେବଳ ଆଫଗାନିସ୍ତାନ କାହିଁକି କାଳେ କାଳେ ଭାରତବର୍ଷ ନିଜର ପ୍ରତିବେଶୀ ଭୂଖଣ୍ଡ ଯଥା ପାରସ୍ୟ, ବର୍ମା, ସିଂହଳ, ତିବ୍ବତ, ନେପାଳ, ବଙ୍ଗଳା ଦେଶର କୋଟି କୋଟି ନିରପରାଧି ଶରଣାର୍ଥୀଙ୍କୁ ଜାତି ଧର୍ମ ବର୍ଣ୍ଣର ପ୍ରଭେଦ ନକରି ଆଶ୍ରୟ ଦେଇଛି ନିଜର ପ୍ରଶସ୍ତ କୋଳରେ। ପର ଆପଣା ଭେଦଭାବ ନାହିଁ ଏଠି। ସଭିଏଁ ଭାରତମାତାର ସନ୍ତାନ। 

କୌଣସି ବି କେଉଁ ଦିନ ଭେଦଭାବ କି ପକ୍ଷପାତ କରିନି ଆଗନ୍ତୁକ ଶରଣାଗତଙ୍କ ପ୍ରତି। ସାଂସ୍କୃତିକ ସାମଞ୍ଜସ୍ୟ ଓ ଭାଇଚାରାର ଦ୍ବାହି ଦେଇ ଦିନେ ବି କେବେ ଅବିଚାର କରିନାହିଁ ସେମାନଙ୍କ ପ୍ରତି ବରଂ ସଭିଙ୍କୁ ବିବିଧତାରେ ଏକତାର ରଜ୍ଜୁରେ ବାନ୍ଧି ରଖିଛି ଏଇ ମହାନ ସଂସ୍କୃତିର ଭୂଖଣ୍ଡ। କଳା, ସାହିତ୍ୟ, ସ୍ଥାପତ୍ୟ, ରାଜନୀତି, ବାଣିଜ୍ଯ ବ୍ୟବସାୟ ଚାକିରି ସବୁଥିରେ ଏଠି ଯୋଗ୍ୟତା ହିଁ ସାଫଲ୍ୟର ମାପକାଠି। ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ପ୍ରତିପତ୍ତିର ନିର୍ବିଶେଷରେ ସଭିଏଁ ଭାରତୀୟ। ସଭିଙ୍କର ସମାନ ଅଧିକାରର ଅଧିକାରୀ। ସଭିଏଁ ସମାନ ମହାନ୍ ସମ୍ବିଧାନର ପ୍ରସ୍ତାବନା ମୁତାବକ। ସଂଖ୍ୟାଗରିଷ୍ଠ ଉଦାରବାଦୀ ସହୃଦୟୀ ହିନ୍ଦୁଙ୍କ ମେଳରେ ଦୁନିଆ ଯାକର ତମାମ ଧର୍ମୀୟ ସଂଖ୍ୟାଲଘୁଙ୍କ ପାଇଁ ସବୁଠାରୁ ସୁରକ୍ଷିତ ଦେଶ ଇଏ। କେତେ ଜାତି କେତେ ସମ୍ପ୍ରଦାୟର ସମନ୍ଵୟ ଘଟିଛି ଏଇଠି ମାନବଧର୍ମୀ ସନାତନ ଆଦି ଧର୍ମର ମହାସିନ୍ଧୁରେ। ବହୁଭାଷୀ, ବହୁଧର୍ମୀ, ବହୁଜାତିର ସମାବେଶ ଏଇ ଭାରତବର୍ଷ। ଏଇ ଦେଶର ମହାନ୍ ସନାତନ ସଂସ୍କୃତି ହିଁ ତ ଗାଇଛି "ବସୁଧୈବ କୁଟୁମ୍ବକମ୍"ର ମହାମନ୍ତ୍ର। ବିଶ୍ବକୁ ଦେଇଛି "ସର୍ବେ ଭାବନ୍ତୁ ସୁଖିନଃ"ର ଗୁରୁମନ୍ତ୍ର। ଏମିତି ଦେଶ ଆଉ ଦୁନିଆରେ କାହିଁ? 

ଅବଶ୍ୟ ଏଇ ଆଶ୍ରିତମାନେ ଆଶ୍ରୟସ୍ଥଳୀ ପ୍ରତି କେତେ ମାତ୍ରାରେ ସମର୍ପିତ ଏବଂ ଭାରତବର୍ଷକୁ ପ୍ରତିଦାନରେ କଣ ଦେଇଛନ୍ତି ଏବଂ କେତେ ମାତ୍ରାରେ ଶୁଦ୍ଧାନ୍ତକରଣରେ, କାୟମନୋବାକ୍ଯରେ ଭାରତୀୟ ତାହା ଯଦିଓ ବିତର୍କର ବିଷୟ ତେବେବି ଏଥିପ୍ରତି ଏଠି କାହାର ବି ନିଘା ନାହିଁ। ସଭିଏଁ ଭାଇଚାରାର ମନ୍ତ୍ରରେ ଦୀକ୍ଷିତ। କେବେ କେବେ କତିପୟ ଦାୟିତ୍ୱହୀନ ଧର୍ମାନ୍ଧ ନିଜର ନ୍ଯସ୍ତ ସ୍ବାର୍ଥ ପୂର୍ତ୍ତି ନିମନ୍ତେ ବିଭ୍ରାନ୍ତି ସୃଷ୍ଟି କରିଥାନ୍ତି ମାତ୍ର ତାହା ସାମୟିକ ଏବଂ ପାଣିଫୋଟକା ପରି ଏକତାର ମହାସାଗରରେ ତଲ୍ଲୀନ ହୋଇଯାଏ। ଏଠି ଅନେକ ମତବାଦ, ଅସଂଖ୍ୟ ପନ୍ଥ, ଅଗଣିତ ବିଚାରଧାରା, ଅସୁମାରି ଭାବଧାରା ତଥାପି ସଭିଙ୍କର ଜାତୀୟତା ଭାରତୀୟ। ଏହା ହିଁ ମହାଭାରତୀୟ ଜୀବନଧାରା। 

ରଞ୍ଜିତ୍.ଙ୍କର ନିରବଛିନ୍ନ ଭାବନା ଓ ଅନୁଶୋଚନାରେ ବାଧା ସୃଷ୍ଟି କଲା ମୋବାଇଲ୍ ଫୋନ୍.ର ରିଙ୍ଗ୍ ଟୋନ୍। ଫୋନ୍ ଆସିଥିଲା କାବୁଲ୍.ରୁ। ନିଜର ପ୍ରିୟ ଜନ୍ମମାଟିରୁ, ବଡ଼ ଭଉଣୀ ସୁମନ୍ ପରାଶରଙ୍କ ଠାରୁ। ତୁରନ୍ତ ଫୋନ୍ ଉଠାଇଲେ ରଞ୍ଜିତ୍ ବାବୁ। କିନ୍ତୁ ଫୋନ୍ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା କିଛି ବି କଥାଭାଷା ହେବା ପୂର୍ବରୁ। ପୁନର୍ବାର ଯୋଗାଯୋଗ କରିବାର ଚେଷ୍ଟା ନିଷ୍ଫଳ ହେଲା ଦୂର ସଞ୍ଚାର ବିଭ୍ରାଟ ହେତୁ। ବେଳକୁ ବେଳ ଉଦ୍ୱେଳନ ବଢ଼ୁଥାଏ ରଞ୍ଜିତ୍ ବାବୁଙ୍କର। ଟିଭି ଚ୍ୟାନେଲ୍ ପରଦାରେ କାବୁଲ୍ ମହାନଗରୀର ବିଭତ୍ସ ଚିତ୍ର ତୁହାକୁତୁହା ପ୍ରସାରିତ ହେଉଥାଏ। ସେସବୁ ଦେଖିବା ମାତ୍ରେ ତାଙ୍କ ଅନ୍ତରରୁ କୋହ ଉକୁଟି ଆସୁଥାଏ। ଧୈର୍ଯ୍ୟର ବନ୍ଧ ତୁଟିବାରେ ଲାଗିଥିଲା। ସବୁକିଛି ଯେ, ଏକବାରକେ ଏତେ ସହଳ ଘଟିଯିବ କିଏ ଅବା ଜାଣିଥିଲା? ସୈତାନ୍ ଗୁଡ଼ାକ କବର ତଳୁ ଜୀଇଁ ଉଠିବେ ବୋଲି କିଏ ବା ଚିନ୍ତା କରିଥିଲା? ନୀରିହ ଜନତାଙ୍କ ଜୀବନ ସହିତ ଖେଳ ଖେଳିବାକୁ ଯେ, ଆନ୍ତର୍ଜାତୀୟ ମହାଶକ୍ତିଙ୍କର ଷଡଯନ୍ତ୍ର ଏତେ ଭୟଙ୍କର ହୋଇପାରେ ତାହା ଥିଲା ତାଙ୍କ ଚିନ୍ତାର ବାହାରେ। କିଛିଟା ଦିନରେ ସଂପୂର୍ଣ୍ଣ ଭାବେ ବଦଳିଗଲା ଭୌଗୋଳିକ ଓ ରାଜନୈତିକ ବାତାବରଣ। 

ଏଇ ଘଟଣାର କିଛିଦିନ ଅତିକ୍ରାନ୍ତ ହେବା ପରେ ରଞ୍ଜିତ୍ ବାବୁଙ୍କ ନାମରେ ଲଫାପାଟିଏ ଆସିଲା। ବିଦେଶୀ ଡାକଟିକଟ ଲାଗିଥିଲା ତାହା ଉପରେ। ଆସିଥିଲା ସୂଦୂର କାବୁଲ୍.ରୁ ଜନ୍ମଭୂମିର ସୁଗନ୍ଧ ଧରି। ଅତି ଆଦରର ବଡ଼ ଭଉଣୀ ସୁମନ୍ ପରାଶରଙ୍କ ଠାରୁ ଆସିଥିଲା ରାକ୍ଷୀ, ତା' ସହିତ ହାତ ଲେଖା ଚିଠିଟିଏ। ଦୀର୍ଘ ପଚିଶି ବର୍ଷ ଧରି ରକ୍ଷାବନ୍ଧନର ଯଥେଷ୍ଟ ପୂର୍ବରୁ ଦିଦିଙ୍କ ଠାରୁ ଏଇ ଡାକରେ ହିଁ ତାଙ୍କ ହାତ ତିଆରି ରାକ୍ଷୀ ଆସେ। କିନ୍ତୁ ଏବର୍ଷର କଥା ତ ଢେର୍ ଅଲଗା।ଜୀବନ ଯେଉଁଠି ଅଠାକାଠିରେ ଝୁଲୁଛି, ସେଠି ରାକ୍ଷୀ କଥା ବା କାହାର ମନେ ଥିବ? ଉତ୍କଣ୍ଠାର ସହିତ ଖୋଲିଥିଲେ ଲଫାପାଟିକୁ ସେ। ଚିଠି ତ ନୁହେଁ ବରଂ ନିଜ ଭଉଣୀଙ୍କର ପ୍ରତ୍ୟକ୍ଷ ଉପସ୍ଥିତିକୁ ଅନୁଭବ କରିପାରୁଥିଲେ। ପିଲାଦିନେ ହାତରେ ରାକ୍ଷୀ ବାନ୍ଧିବା ପରେ ଭଉଣୀଙ୍କର ସ୍ନେହଭରା ଆଲିଙ୍ଗନ ମନରେ ଭାସିଉଠିଲା। କାଳ ବିଳମ୍ବ ନ କରି ତତ୍କ୍ଷଣାତ୍ ଚିଠିଟିକୁ ପଢିବାରେ ଲାଗିଲେ ସେ... 

*******

ଶ୍ରଦ୍ଧେୟ ରଞ୍ଜିତ୍! 

ମୋର ସ୍ନେହ ନେବୁ। ତୋ ପାଇଁ ଢେର୍ ସାରା ଭଲପାଇବା। ଆଶା କରେ ପ୍ରଭୁ ଶ୍ରୀକ୍ରିଷ୍ଣାଙ୍କ କୃପାରୁ ତୁମ୍ଭେମାନେ ସେଠାରେ ଭଲରେ ଥିବ। ଏଇ ଚିଠି ତୁ ପାଇବା ସମୟକୁ ମୁଁ କି ତୋର ଜିଜୁ ଏଠାରେ ଯେ, ଜୀବିତ ଥିବୁ ଦୃଢ଼ତାର ସହ କହିବା ମୁସ୍କିଲ୍। ହୋଇପାରେ ଏଇଟା ହୁଏତଃ ତୋ ପାଖକୁ ମୋର ଶେଷ ଚିଠି ଆଉ ରାକ୍ଷୀ। ମୋତେ କଥା ଦେ, ଆମର କିଛି ବି ହୋଇଗଲେ ତୁ ମନ କଷ୍ଟ କରିବୁ ନାହିଁ କି କାନ୍ଦିବୁ ନାହିଁ। ମୁଁ ଯେଉଁଠି ରହିଲେ ବି ତୋର ଦିଦି ହୋଇ ରହିଥିବି ଚିରଦିନ ପାଇଁ, ଅନନ୍ତ କାଳ ପର୍ଯ୍ୟନ୍ତ। 

ସବୁଥର ଭଳି ଗଲା କିଛି ଦିନ ଧରି ଏଠି ପରିସ୍ଥିତି ଠିକ୍ ନାହିଁ। ଅଗଷ୍ଟ ପନ୍ଦର ପର ଠାରୁ ଆମ ଇଲାକାରେ ବିଜୁଳି, ଟେଲିଫୋନ୍ ଓ ଇଣ୍ଟରନେଟ୍ ସେବା ସବୁ ବନ୍ଦ କରାଯାଇଛି। ବହୁ କଷ୍ଟରେ ନିଜ କଥା ମୁତାବକ ତୋ ପାଖକୁ ଏଇ ରାକ୍ଷୀ ପଠାଇଛି। ଆମ ପାଇଁ ଆଦୌ ମନଦୁଃଖ କରିବୁ ନାହିଁ। ତୁ ତ ଜାଣୁ ତୋ ଜିଜୁଙ୍କର ସ୍ବଭାବ। ଏକଦମ୍ କାଉଁରିଆ କାଠି। ଭାଙ୍ଗି ଯିବେ ପଛେ, ଟିକିଏ ବି ନଇଁବେ ନାହିଁ। ସେଥିପାଇଁ ତ ଆମେ ଜନ୍ମଭୂମି ଭିଟାମାଟିକୁ ଛାଡ଼ି ଜୀବନ ବଞ୍ଚାଇବାକୁ କେଉଁଠିକୁ ବି ଆଜି ଯାଏଁ ଯାଇନାହୁଁ କି ଆଗକୁ ଯିବାର ବି କିଛି ଯୋଜନା ନାହିଁ। ମୋ ପାଇଁ ପତ୍ନୀଧର୍ମ ପାଳନ କରି ତାଙ୍କର ଛାଇ ପରି ରହିବା ପରମ ଏବଂ ଏକମାତ୍ର କର୍ତ୍ତବ୍ୟ। 

ଅନେକ ଥର କହିଲିଣି ତାଙ୍କୁ, " ଆଉ କେତେ ଦିନ ଏମିତି ଡରି ମରି ବଞ୍ଚିବା? ତୁମ୍ଭର ଆରାଧ୍ଯ କାହ୍ନାଜୀ ତ ପୁଣି ନିଜର ଆତ୍ମୀୟ ସ୍ବଜନଙ୍କର ସୁରକ୍ଷା ପାଇଁ ବ୍ରଜଭୂମି ତ୍ଯାଗ କରି ଦ୍ବାରିକାରେ ନିବାସ କରିଥିଲେ! ସେହିଠାରେ ରାଜତ୍ବ କରିଥିଲେ। ଚାଲ ଆମେ ଭାରତ ପଳେଇଯିବା। କିନ୍ତୁ ତାଙ୍କର ସବୁଥର ସେହି ଚିରାଚରିତ ଉତ୍ତର, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ତ କହିଛନ୍ତି, ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ। ତାଙ୍କ କଥାକୁ ଅମାନ୍ଯ କରିବି କେମନ୍ତେ?" ଅଗତ୍ୟା ମୁଁ ଚୁପ୍ ରୁହେ ଭଗବାନଙ୍କ ଭରସାରେ। ରାମକୃଷ୍ଣଙ୍କ କଥାର ଭରସାରେ, ଧର୍ମକୁ ଆଶ୍ରା କରି ସ୍ବଧର୍ମ ରକ୍ଷା କରି। 

ପୁଣି ମନେ ମନେ ଚିନ୍ତା କରେ ଆମେ ଯଦି ଭାରତ ଚାଲିଯିବୁ, ତେବେ କିଏ କାହ୍ନାଜୀଙ୍କର ସେବା ପୂଜା କରିବ? ସତରେ କଣ ଆମେ ଆମ ସ୍ବାର୍ଥ ପାଇଁ କାହ୍ନାଜୀଙ୍କୁ ପର କରି ପାରିବୁ? ବରଂ ଏଇଠି ଶେଷ ହିନ୍ଦୁ ଭାବେ ମରିବାକୁ ପସନ୍ଦ କରିବୁ। ଏଥିରେ ଆମର ଗର୍ବ ଓ ଗୌରବ। ସ୍ଵଧର୍ମ ରକ୍ଷା କରି ଶହୀଦ୍ ହୋଇଯିବା ଆମ ପାଇଁ ପୁରୁଷାର୍ଥ ଚତୁଷ୍ଟୟ ପ୍ରାପ୍ତି ସହିତ ସମାନ। ମୋ କୋଳକୁ ତ ଛୁଆଟିଏ ବି ଦେଲେନି କାହ୍ନାଜୀ। ଅବଶ୍ୟ ଏଥିପାଇଁ ଆଉ ଆଜିକାଲି ଅଭିମାନ କରୁନି। ଏଇ ଆମ ଭିଟାଭୂମିରେ ପୁଅଟିଏ ହୋଇ ଜନ୍ମ ହୋଇଥିଲେ ବନ୍ଧୁକ ଧରି ଆତଙ୍କବାଦୀ ସାଜିଥାନ୍ତା ରକ୍ତରେ ହୋଲି ଖେଳିଥାଆନ୍ତା! ଅବା ଝିଅଟିଏ ହୋଇଥିଲେ ଏଠି ଅକଥନୀୟ ନିର୍ଯାତନା ଉତ୍ପୀଡ଼ନ ସହିଥାଆନ୍ତା! ଏହାଠାରୁ ଅପୁତ୍ରିକ ରହିବା ଖୁବ୍ ଶ୍ରେୟସ୍କର। ଆମର ଆଉ କିଏ ଅଛି ଯେ, ଜୀବନକୁ ଏତେ ଲୋଭ କରିବୁ? ତୁ ଆମର ସୁରକ୍ଷା ପାଇଁ ଚିନ୍ତା କରନାହିଁ। ଆୟୁଷ ଥିବା ଯାଏଁ ଆମର କିଛି ବି ହେବ ନାହିଁ। ତେଣିକି ଭଗବାନଙ୍କ ଇଚ୍ଛା! "ଧର୍ମୋ ରକ୍ଷତି ରକ୍ଷିତଃ!" 

ଇତି ତୋର ଦିଦି


ଚିଠିଟିକୁ ଆମୂଳଚୂଳ ପଢିସାରି ଅବୋଧ ଶିଶୁଟିଏ ପରି ରାହା ଧରି କାନ୍ଦୁଥିଲେ ରଞ୍ଜିତ୍ ସାଗର। ବୋଧ ଦେବାକୁ ପାଖରେ କେହି ବି ନଥିଲେ। ଅବାରିତ ଅଶ୍ରୁଧାରା ପୂର୍ବଜଙ୍କ କୃତକର୍ମର କିଞ୍ଚିତ୍ କରୁଥିଲା ଯାହା ।



Rate this content
Log in

Similar oriya story from Abstract