ଜରାସନ୍ଧ ଜନ୍ମ
ଜରାସନ୍ଧ ଜନ୍ମ
ପାଣ୍ଡଵମାନେ ରାଜା ଧୃତରାଷ୍ଟ୍ରଙ୍କ ଦ୍ୱାରା ଆଦିଷ୍ଟ ହୋଇ ଇନ୍ଦ୍ରପ୍ରସ୍ଥଠାରେ ନୂଆ ରାଜଧାନୀ ପ୍ରତିଷ୍ଠା କଲା ପରେ ଧର୍ମରାଜ ଯୁଧିଷ୍ଠିର ପ୍ରସ୍ତାବ ରଖିଲେ ରାଜସୂୟ ଯଜ୍ଞ କରିବା ପାଇଁ l ଉପସ୍ଥିତ ସମସ୍ତେ ଏହାକୁ ସ୍ୱାଗତ କଲେ l ମାତ୍ର ଭଗବାନ ଶ୍ରୀକୃଷ୍ଣ କହିଲେ,ଧର୍ମରାଜ ! ତୁମେ ସବୁ ଦୃଷ୍ଟିରୁ ରାଜସୂୟ ଯଜ୍ଞ କରିବା ପାଇଁ ଯୋଗ୍ୟ l କିନ୍ତୁ ମଗଧ ସମ୍ରାଟ ଜରାସନ୍ଧ ଜୀବିତ ଥିବା ପର୍ଯ୍ୟନ୍ତ ତୁମେ ଏହି ଯଜ୍ଞ କରିପାରିବ ନାହିଁ l ମହାପ୍ରତାପୀ ଶିଶୁପାଳ ତାର ସେନାପତି l କରୁଷରାଜ ଦନ୍ତବକ୍ର, ଯବନ ରାଜା ମୃଗୁ,ତୁମ ପିତାଙ୍କ ମିତ୍ର ଭଗଦତ୍ତ ତା'ର ଵଶ୍ୟତା ସ୍ୱୀକାର କରିଛନ୍ତି l ମୋର ଶ୍ୱଶୁର ବିଦର୍ଭ ରାଜା ଭୀଷ୍ମକ ମଧ୍ୟ ତା' ସହିତ ଅଛନ୍ତି l କଂସର ନିଧନ ପରେ ତା ଆକ୍ରମଣ ସହ୍ୟ କରି ନ ପାରି ମଥୁରା ପରିତ୍ୟାଗ କରି ଆମେ ଯାଦବ ମାନେ ବର୍ତ୍ତମାନ ଦ୍ୱାରିକାରେ ବାସ କରୁଛୁ l ଏବେ ସେ ଛୟାଅଶି ଜଣ ରାଜାଙ୍କୁ ବଳିଦେବା ପାଇଁ ବନ୍ଦିକରି ରଖିଛି l ଜରାସନ୍ଧ ପ୍ରତାପରେ ସମଗ୍ର ଭାରତ ବର୍ଷ ଏବେ ଥରହର l ତୁମେ ରାଜସୂୟ ଯଜ୍ଞ କରିବା ପୂର୍ବରୁ ଜରାସନ୍ଧକୁ ନିହତ କର ଓ ବନ୍ଦୀ ରାଜା ମାନଙ୍କୁ ଯାଇ ମୁକ୍ତକର l
ଯୁଧିଷ୍ଠିର କହିଲେ, ତୁମେ ମାନେ ଯେତେବେଳେ ଜରାସନ୍ଧ ଭୟରେ, ଯାଇ ଦ୍ୱାରକାରେ ରହିଲଣି, ଆମେ କିଏ ? ତାକୁ ପରାଜୟ କଥା ଛାଡ଼ିଦେଇ ଆମେ ନିଜରାଜ୍ୟରେ ଶାନ୍ତିରେ ରହିବା ହିଁ ଉଚିତ ହେବ l ଛାଡ଼ନ୍ତୁ, ସେ ରାଜସୂୟଯଜ୍ଞ କଥା l ଭୀମ କହିଲେ ନାଁ ସେକଥା ହେବ ନାହିଁ l ମୁଁ ଓ ଅର୍ଜୁନ ମାଧବଙ୍କ ସହ ମିଶି ତାକୁ ନିହତ କରିବୁ l
ଅର୍ଜୁନ କହିଲେ,ମୋ ପାଖରେ ଅଛି ଗାଣ୍ଡୀବଧନୁ ଓ ବହୁ ଦିବ୍ୟାସ୍ତ୍ର, ଶ୍ରୀକୃଷ୍ଣ ଆମ ପକ୍ଷରେ ଅଛନ୍ତି, ଏଣୁ ଜରାସନ୍ଧ ନିଧନ ପାଇଁ ଆମେ କି କାରଣେ ପଛାଇବା l ଶାନ୍ତିରେ ବସିବା ଜଟା ବଳ୍କଳ ଧାରୀ ମୁନି ମାନଙ୍କୁ କେବଳ ଶୋଭାପାଏ, ଦିଗବିଜୟୀ ସମ୍ରାଟଙ୍କୁ ନୁହେଁ l ଶ୍ରୀକୃଷ୍ଣ ଟିକିଏ ମୃଦୁହସ କରି କହିଲେ, ଅର୍ଜୁନ ଠିକ କହିଛନ୍ତି l ଯୁଧିଷ୍ଠିର,ଭୀମ ଏବଂ ଅର୍ଜୁନଙ୍କୁ ଶ୍ରୀକୃଷ୍ଣଙ୍କ ସହିତ ଜରାସନ୍ଧ ନିକଟକୁ ଯିବାପାଇଁ ଅନୁମତି ଦେଲେ l କୌତୂହଳୀ ହୋଇ ଯୁଧିଷ୍ଠିର କୃଷ୍ଣଙ୍କୁ ପଚାରିଲେ, କେଶବ ! ଏ ଜରାସନ୍ଧ କିଏ? କିପରି ସେ ଏତେ ପରାକ୍ରମୀ ହେଲା? ଆପଣଙ୍କୁ ଆକ୍ରମଣକରି ସେ କିପରି ଭଷ୍ମ ନହୋଇ ରହିଲା l ଯୁଧିଷ୍ଠିରଙ୍କ ପ୍ରଶ୍ନ ଶୁଣି ଶ୍ରୀକୃଷ୍ଣ ଜରାସନ୍ଧର ଇତିହାସ କହିଲେ l
କୃଷ୍ଣ କହିଲେ, ମଗଧରେ ବୃହଦ୍ରଥ ବୋଲି ଜଣେ ପ୍ରବଳପ୍ରତାପୀ ରାଜା ଥିଲେ l ସେ କାଶି ରାଜାଙ୍କ ଦୁଇ କନ୍ୟାଙ୍କୁ ବିବାହ କରିଥିଲେ l ଦୁଇ ରାଣୀଙ୍କୁ ରାଜା ସମାନ ଦୃଷ୍ଟିରେ ଦେଖିବେ ବୋଲି ପ୍ରତିଶ୍ରୁତି ବଦ୍ଧ ଥିଲେ l ବହୁଦିନ ପର୍ଯ୍ୟନ୍ତ ରାଜା ବୃହଦ୍ରଥଙ୍କ କୌଣସି ସନ୍ତାନ ସନ୍ତତି ହେଲା ନାହିଁ l ଏଣୁ ବଡ଼ ମନସ୍ତାପ ଭିତରେ ରାଜା ରାଣୀ ଦିନ କାଟୁଥାନ୍ତି l କ୍ରମେ ରାଜାଙ୍କ ଯୌବନ ଗତ ହେବାକୁ ବସିଲା l ରାଜା ସନ୍ତାନ ପ୍ରାପ୍ତି ପାଇଁ, ଚଣ୍ଡ କୌଶିକ ମୁନିଙ୍କ ଶରଣ ପଶିଲେ l ତାଙ୍କ ସେବାରେ ସନ୍ତୁଷ୍ଟ ହୋଇ ମୁନି ଧ୍ୟାନରେ ବସିଲେ l ଏହି ସମୟରେ ଯେଉଁ ଆମ୍ବ ବୃକ୍ଷ ମୂଳେ ସେ ଧ୍ୟାନସ୍ଥ ଥିଲେ, ସେ ଗଛରୁ ଗୋଟିଏ ପାଚିଲା ଆମ୍ବ ଖସିଲା l ଫଳଟିକୁ ଆଣି ମୁନି ଅଭିମନ୍ତ୍ରୀତ କରି, ରାଜାଙ୍କୁ ଦେଇ କହିଲେ, ଏ ଆମ୍ବଟି ନିଅ,ତୁମ ରାଣୀଙ୍କୁ ଖାଇବାକୁ ଦେବ l ତୁମର ଅଭିଳାଷ ନିଶ୍ଚୟ ପୂରଣ ହେବ l
ଆମ୍ବଟି ଆଣି ରାଜା ଦୁଇ ସମାନ ଭାଗ କରି ଦୁଇ ରାଣୀଙ୍କୁ ଦେଲେ l ସେ ଆମ୍ବକୁ ଖାଇ ଦୁଇ ରାଣୀ ଗର୍ଭବତୀ ହେଲେ l ଦଶ ମାସ ପରେ ସେମାନେ ପ୍ରସବକଲେ ଅର୍ଦ୍ଧ ଶରୀରରେ ଏକ ଏକ ଜୀବନ୍ତ ପିଣ୍ଡ l ଅମଙ୍ଗଳ ସୂଚକ ବିଚାର କରି ସେ ଜୀବନ୍ତ ପିଣ୍ଡ ଦୁଇଟିକୁ ରାଣୀଙ୍କ ଆଦେଶରେ ଧାଈମାନେ ନେଇ ବାହାରେ ଅଳିଆ ଗଦାରେ ଫିଙ୍ଗି ଦେଲେ l ଏହି ସମୟରେ ଜରା ନାମକ ଏକ ମାଂସ ଲୋଭି ରାକ୍ଷସୀ ବୁଲୁଥିଲା l ମାଂସ ଲୋଭରେ ସେ ସେହି ଦୁଇଟି ଜୀବନ୍ତ ଖଣ୍ଡକୁ ଉଠାଇ ଏକାଠି ଧରିବାରୁ ଦୁଇଖଣ୍ଡଯାକ ମିଶି ଗୋଟିଏ ଶରୀର ହୋଇଗଲା ଏବଂ ତା ମଧ୍ୟରୁ ମେଘ ଗର୍ଜନ କରି ଆତ୍ମ ପ୍ରକାଶ କଲା ଏକ ବୀରକୁମାର l କୁମାର ଭୀଷଣ ଗର୍ଜନ କରି କାନ୍ଦୁଥିଲା l ଜରା ରାକ୍ଷସୀ ଵଜ୍ରତୁଲ୍ୟ ସେହି ପୁତ୍ରଟିକୁ ଭୂମିରୁ ଉଠାଇ ପାରିଲାନାହିଁ l ବହୁକଷ୍ଟ କରି ରାକ୍ଷସୀ ତାକୁ ଉଠାଇନେଇ ରାଜାଙ୍କୁ ଦେଇ କହିଲା, ହେ ରାଜା ! ତୁମର ରାଣୀମାନେ ଯେଉଁ ଦୁଇଟି ପିଣ୍ଡକୁ ଫିଙ୍ଗି ଦେଇଥିଲେ ।ସେଇଥିରୁ ଏହି ପୁଅଟି ଆତ୍ମ ପ୍ରକାଶ କରିଛି l ଇଏ ତୁମରି ପୁଅ ଏହାକୁ ମୁଁ ତୁମକୁ ଅର୍ପଣ କରୁଛି l ଜରା ରାକ୍ଷସୀ ଦ୍ୱାରା ତା'ର ଶରୀର ଏକତ୍ର ହୋଇଥିବାରୁ ରାଜା ତାହାର ନାମ ରଖିଲେ ଜରାସନ୍ଧ l ପୁତ୍ର ଲାଭରେ ରାଜା ବୃହଦ୍ରଥ ଅତ୍ୟନ୍ତ ଆନନ୍ଦିତ ହୋଇ ପୁତ୍ରକୁ ନେଇ ଚଣ୍ଡ କୌଶିକ ମୁନିଙ୍କ ପାଖକୁ ଗଲେ l ସେ ପୁତ୍ର ଜରାସନ୍ଧ ସହିତ, ତାଙ୍କର ସମସ୍ତ ରାଜ୍ୟକୁ ମୁନିଙ୍କୁ ସମର୍ପି ଦେଲେ l
ମୁନି କହିଲେ,ହେ ରାଜା ! ତୁମର ପୁତ୍ର ଚକ୍ରବର୍ତ୍ତୀ ସମ୍ରାଟ ହେବ l ଅନେକ ରାଜା ତାହାର ଵଶ୍ୟତା ସ୍ୱୀକାର କରିବେ l ବଡ଼ ହେବାରୁ ଜରାସନ୍ଧ ଏକ ଅପରାଜେୟ ଯୋଦ୍ଧା ଭାବରେ ବହୁ ରାଜ୍ୟ ଜୟ କରିବାକୁ ଲାଗିଲେ l କିଛିସମୟ ଉତ୍ତାରେ ରାଜା ବୃହଦ୍ରଥ ଜରାସନ୍ଧକୁ ରାଜ୍ୟ ଭାର ସମର୍ପି ଦେଇ ରାଣୀ ମାନଙ୍କ ସହିତ ବନବାସୀ ହେଲେ l ଶ୍ରୀକୃଷ୍ଣ କହିଲେ ଏହା ହେଉଛି ପ୍ରବଳ ପରାକ୍ରମୀ ଜରାସନ୍ଧର ଇତିହାସ l ଏବେ ତା'ର ମୃତ୍ୟୁକାଳ ଉପସ୍ଥିତ l ବର୍ତ୍ତମାନ ଦ୍ୱନ୍ଦ୍ୱଯୁଦ୍ଧ ଦ୍ୱାରା ତାକୁ ନିହତ କରାଯାଇ ପାରେ l ଆମେ ତାକୁ ମଲ୍ଲ ଯୁଦ୍ଧ ପାଇଁ ଆହ୍ୱାନ ଦେବା,ସେ ନିଶ୍ଚୟ ଭୀମଙ୍କ ସହ ଲଢ଼ିବା ପାଇଁ, ରାଜି ହୋଇ ଯିବ ଏବଂ ତାଙ୍କରି ହାତରେ ନିହତ ହେବ l ଧର୍ମରାଜ ଯୁଧିଷ୍ଠିର କହିଲେ, ହେ ଅଚ୍ୟୁତ ! ଆପଣ ସାଥିରେ ରହିଛନ୍ତି,ଏଣୁ ଭୀମ ଏବଂ ଅର୍ଜୁନଙ୍କ କୌଣସି କ୍ଷତିର ଆଶଙ୍କା ନାହିଁ l ଯୁଧିଷ୍ଠିରଙ୍କ ଠାରୁ ବିଦାୟ ଘେନି, ଆଗେ ଆଗେ ଶ୍ରୀକୃଷ୍ଣ, ମଝିରେ ଅର୍ଜୁନ ଓ ପଛରେ ମହାବଳୀ ଭୀମ ବ୍ରାହ୍ମଣ ବେଶ ଧାରଣ ପୂର୍ବକ ମଗଧ ଯାତ୍ରା କରି ରାଜଧାନୀ ଗିରିବ୍ରଜରେ ପହଞ୍ଚିଲେ l
