ଜଳ ସଙ୍ଗତେ
ଜଳ ସଙ୍ଗତେ


ସକାଳେ ବାଡ଼ିରେ ଅବସରପ୍ରାପ୍ତ ଶିକ୍ଷକ ଦିବାକର ନିଜ ହାତରେ ଲଗେଇଥିବା ନଡ଼ିଆ , କଦଳୀ , ଆମ୍ବ ଆଉ ପିଜୁଳିର ବଗିଚାକୁ ଦେଖି ଚିନ୍ତିତ ଥିଲେ କ'ଣ ହେବ ? କଷି କଦଳୀ କାନ୍ଦି , ନଡ଼ିଆ ଫୁଲ ଆଉ ଗୋଟମା ସବୁର , ଆମ୍ବ କଷି ଆଉ ପିଜୁଳି କଷିର ? ଏମାନେ ତ ପ୍ରତି ବର୍ଷ ଆସିବେ ହେଲେ ଗଛ ବଞ୍ଚିଲେ ସିନା । ପାଣିପାଗ ର ପୂର୍ବ ସୂଚନା ଅନୁଯାୟୀ ମହାବାତ୍ୟା ଅମ୍ଫାନର ପବନରେ ବେଗ ଘଣ୍ଟା ପ୍ରତି ଦୁଇଶହ କିଲୋମିଟରରୁ ଉର୍ଦ୍ଧ୍ବ ଛୁଇଁପାରେ । ସମୁଦ୍ର କୁଳିଆ ଗାଁ ନହେଲେ ବି ତାଙ୍କର ଯାଜପୁର ଜିଲ୍ଲାରେ ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ତା'ପରେ ବଡ଼ ପୁଅ ସହ ମିଶି ଏହି ଲକ୍ ଡାଉନ୍ ରେ ବୋଇତାଳୁ , କାକୁଡ଼ି ,କଲରା , ବାଇଗଣ ଆଉ ଭେଣ୍ଡି ସବୁ ବଡ଼ ପରିଶ୍ରମ କରି ଲଗେଇ ଥିଲେ । ଜଗି ରହି ଖରା ଆଉ ମାଙ୍କଡ଼ ଦାଉରୁ ରକ୍ଷା କରିଥିଲେ । କାକୁଡ଼ି ଦୁଇ କିଲୋ ,କଲରା କିଲେ ଉପରେ ଆଉ ବୋଉତାଳୁ ଫୁଲ ତିନି ଚାରି ଥର ଖାଇଛନ୍ତି । ଗଛ ଗୁଡ଼ାକ ଛନଛନିଆ ହେଇଛନ୍ତି । ସବୁଥିରେ ଫୁଲ ଆଉ କଷି ଉଜାଡ଼ି ହେଇ ପଡ଼ିଛି ହେଲେ କ'ଣ କରିବେ ଅମ୍ପାନ୍ ସବୁ ନଷ୍ଟ ଭ୍ରଷ୍ଟ କରିଦେବ !
ଏମିତି ନିଜ ବଗିଚା ଆଉ ଗଛ ବୃକ୍ଷକୁ ନେଇ ଦିବାକର ମାଷ୍ଟ୍ରେ ଚିନ୍ତିତ ଥିବା ବେଳେ , ଶାଶୁ ବୋହୂଙ୍କ ନିତିଦିନିଆ କଳି ଝଗଡ଼ା ତାଙ୍କ କାନରେ ପଡ଼ିଲା । ସେ ବିତସ୍ପୃହ ହୋଇ ଚିନ୍ତା କଲେ , ଧେତ୍ ! ଏ ମଣିଷ ଗୁଡ଼ାକ ସୁଧୁରିବେ ନାହିଁ । ଅସଭ୍ୟ , ଜଙ୍ଗଲୀ ଆଉ ହିଂସ୍ର ବୃତ୍ତି ଏମାନଙ୍କ ଅସ୍ଥିମଜ୍ଜାଗତ । ଏ ଶଳେ ସବୁ ମରିବେ ! ପୋକ ମାଛି ଠାରୁ ବି ଆହୁରି ହୀନ ମରଣ ମରିବେ ।
ମହାବାତ୍ୟାର ଘନ ଘନ ସଚେତନତାମୂଳକ ସମାଚାର ପାଇ ଭୟଭୀତ ଆଉ ଆତଙ୍କିତ ବଡ଼ ବୋହୂ ରାନୁ ଆକ୍ୱାଗାର୍ଡରୁ ପାଣି ଯେତେ ପାରିବେ ସେତେ ନେଇ ଆଗ ନିଜ ଛୁଆ ଆଉ ନିଜ ପାଇଁ ସାଇତି ରଖୁଥିଲେ । ଶାଶୁ ଭାନୁ ବିରକ୍ତ ହୋଇ କହିଲେ , ତିନିଦିନ ଆଗରୁ ହାଣ୍ଡି ହାଣ୍ଡି ପାଣି ସାଇତିବା କ'ଣ ଦରକାର ? ସୁବିଧା ଅସୁବିଧା ବେଳେ କ'ଣ କଳ ପାଣି ପିଇ ହେବ ନାହିଁ ?
ଦୁଇ ପିଢ଼ିଙ୍କ ଦୁଇ ଭିନ୍ନ ଚିନ୍ତାଧାରା କିଏ ଭୁଲ୍ କିଏ ଠିକ୍ ସେଇଟି ଆପଣ ବିଚାର କରନ୍ତୁ । ମହାବାତ୍ୟା ଆସୁଛି ତା ପାଇଁ ସଚେତନ ହେବା ତ ଜରୁରୀ । ବୋହୂର ପ୍ରଥମ ଚିନ୍ତା ପାଣି । ବାତ୍ୟା ପରେ ବିଜୁଳି କାଟ କେତେଦିନ ହେବ କିଏ ଜାଣେ ? ତେଣୁ ପ୍ରଥମେ ପିଇବା ପାଣି ସାଇତିବା ନିହାତି ଜରୁରୀ । ସେ ଟ୍ଯୁବୱେଲର ଅଶୁଦ୍ଧ ପାଣି ପିଇ ପାରିବେ ନାହିଁ । ଫନି ମହାବାତ୍ୟା ବେଳେ ତିନିଦିନ ସେ ବହୁତ ହଇରାଣ ହୋଇଛନ୍ତି ।
ଦିବାକାର ମାଷ୍ଟ୍ରେଙ୍କ ବିରକ୍ତ ହେବାର କାରଣ ମଣିଷର ପ୍ରକୃତିକୁ ନେଇ ତାଙ୍କର ନିଜସ୍ୱ ତିକ୍ତ ଅନୁଭବ । ସାମାଜିକ ବିଜ୍ଞାନର ସେ ଛାତ୍ର ଆଉ ଶିକ୍ଷକ ଥିଲେ । ତାଙ୍କ ନଜରରେ , ମଣିଷ ଗୁଡ଼ାକ ପ୍ରକୃତି ପାଇଁ କେନସର୍ ରୋଗ ତୁଲ୍ଯ । ଏମାନଙ୍କ ସମୂଳେ ନାଶରେ ପୃଥିବୀର ମଙ୍ଗଳ ନିହିତ । ଇତିହାସରେ କରୋନା ମହାମାରୀ ଆଉ ମହାବାତ୍ୟାଠାରୁ ମଣିଷ ସମାଜ , ସଭ୍ୟତା ଆହୁରି ବଡ଼ ଆଉ ଭୟଙ୍କର ବିପତ୍ତିର ସାମ୍ନା କରିଛି । ହେଲେ ମଣିଷର ସ୍ମୃତି ଶକ୍ତି ଅତ୍ୟନ୍ତ କ୍ଷୀଣ । ଅଳ୍ପ ଦିନ ଭିତରେ ସବୁ କିଛି ଭୁଲି ପୁଣି ସେ ମାତିବ ଭୋଗ ବିଳାସରେ । ଅର୍ଥ , ପଦପଦବୀ , କ୍ଷମତାର ତଣ୍ଟିକଟା ରାଜନୀତିରେ । ପୁଣି ପ୍ରାକୃତିକ ସମ୍ୱଳର ଲୁଣ୍ଠନ ଆଉ ଧର୍ଷଣ କରିବାର ମୂଷା ଦୌଡ଼ରେ ।
ଭାନୁମତି ଓରଫ୍ ଭାନୁ ଦିବାକର ମାଷ୍ଟ୍ରେଙ୍କ ଧର୍ମପତ୍ନୀ , ବୋହୂର କାର୍ଯ୍ୟକଳାପକୁ ନାପସନ୍ଦ କରିବା ଆଉ ବିରୋଧ କରିବାର କାରଣ ଅନେକ । ତା' ଭିତରୁ ବୋହୂର ତୋର ମୋର ନୀତି ଗୁଣଟି ଅନ୍ୟତମ । ତାଙ୍କ ବିଚାରରେ ଆଜିକାଲି ବୋହୂଙ୍କର ନଖରା ବହୁତ , ପାନରୁ ଚୁନ ଟିକିଏ ବି ଖସିବ ନାହିଁ । ଏମାନଙ୍କ ସୁଖମୟ ଆଉ ଆରାମଦାୟକ ଜୀବନରେ ସାମାନ୍ୟ ବି ବ୍ୟତିକ୍ରମ ଏମାନଙ୍କ ପାଇଁ ଅସହ୍ୟ । କଷ୍ଟ ସହିବାକୁ ଏମାନେ ନାରାଜ । ଯଦି କେଉଁଠି ଏମାନଙ୍କ ସ୍ୱାର୍ଥରେ ଅଳ୍ପେକ ବାଧା ଦେଖିଲେ ଖଣ୍ଡ ପ୍ରଳୟ ସୃଷ୍ଟି କରିବେ ।
ବୋହୂ ରାନୁ ନିଜକୁ ଶିକ୍ଷିତ ଆଉ ଶାଶୁକୁ ପୁରୁଣା କାଳିଆ ମୂର୍ଖ ଭାବେ । ବୁଢ଼ା ବୁଢ଼ୀ ହେଲ ମାନେ ଚୁପ୍ ଚାପ୍ ବସି ରହିବ । ଯେଉଁ ବିଷୟରେ ତୁମର ଜ୍ଞାନ ନାହିଁ ସେଥିରେ କାହିଁ ମୁଣ୍ଡ ଖେଳେଇବ ? କଳ ପାଣିରେ ଆଇରନର ମାତ୍ରା ଅଧିକ ତାହା ତାଙ୍କର ଆଉ ତାଙ୍କ ପିଲାଙ୍କର ସ୍ୱାସ୍ଥ୍ୟ ପାଇଁ ହାନିକାରକ ! ତୁମେ ବୁଢ଼ା ବୁଢ଼ୀ ଯେଉଁ ପାଣି ପିଇବ ପିଅ । ତୁମର ଦିନକାଳ ତ ସରି ଆସିଲାଣି ତେଣୁ ବଞ୍ଚିଲେ କେତେ ମରିଲେ କେତେ ? ତା' ବୋଲି କ'ଣ ଆମେ ଆଗୁଆ ସଚେତନ ନହୋଇ ସେଇ ଖରାପ୍ ପାଣି ପିଇବୁ ?
ମୋଟା ମୋଟି କଥାଟି ଅତି ସାମାନ୍ୟ ହେଲେ ବି ଗୁରୁତ୍ୱପୂର୍ଣ୍ଣ । ଆଗତ ବିପତ୍ତି ପାଇଁ ପର୍ଯ୍ୟାପ୍ତ ଶୁଦ୍ଧ ପିଇବା ପାଣିର ସଞ୍ଚୟ ନିତ୍ୟାନ୍ତ ପ୍ରୟୋଜନ ବୋଲି ବୋହୂ ଭାବେ , ଏ ବି ଯଥାର୍ଥ । ଶୁଦ୍ଧ ପାଣି କଥା ପଡ଼ିବାରୁ ମାଷ୍ଟ୍ରେଙ୍କ ମନେ ପଡ଼ିଲା , ୨୦୧୯ ମେ ମାସ ପୁରୀ ଆଉ ରାଜଧାନୀ ଭୁବନେଶ୍ବରରେ ରେ ଧ୍ୱଂସର ତାଣ୍ଡବ ଲୀଳା ରଚିଥିବା ମହାବାତ୍ୟା ଫନି କଥା । ଭୁବନେଶ୍ୱରରେ ରହୁଥିବା ସାନ ପୁଅ , ବୋହୂ ଆଉ ନାତି ନାତୁଣୀ ଫେରି ଆସିଥିଲେ ଘର ଦ୍ୱାର ଛାଡ଼ି , ଏହି ପାଣିର ଅଭାବ ଯୋଗୁ । ଯେଉଁ ସହରୀ ବୋହୂ ଗାଁ ଶବ୍ଦ ଶୁଣିଲେ ନାକ ଟେକୁଥିଲା , ଘଣ୍ଟାଏ ନହେଲେ ଯାହାର ଗାଧୁଆ ସରୁ ନଥିଲା ଦୁଇଦିନରେ ଏହି ପାଣି ହିଁ ଧୋଇ ଦେଇଥିଲା ତା'ର ସବୁ ଫୁଟାଣି ! ତିନିଦିନ ପରେ ଆସି ଗାଁର କଳ ପାଣିରେ ଦେହ ଧୋଇଲା ଆଉ ଆଖିର ପାଣିରେ ମନ । ସେଇଥି ପାଇଁ ବୋଧ ହୁଏ ଲୋକଙ୍କ ଅଭିମାନ ଅହଂକାର ଭାଙ୍ଗିଲେ କୁହନ୍ତି , ପାଣି ମରିଗଲା ତା'ର !
ଭୁବନେଶ୍ବରରେ ଯେଉଁମାନଙ୍କ ପାଦ ଭୂଇଁ ଛୁଉଁ ନଥିଲା ସେମାନଙ୍କୁ ଟ୍ୟୁବୱେଲ୍ ଆଉ କୂଅ ଆଗରେ ବକେଟ୍ ଧରି ଲମ୍ବା ଲାଇନରେ ଠିଆ ହେବାର ଦେଖାଗଲା । ଯେଉଁ କୂଅ ଆଉ ଟ୍ୟୁବୱେଲ୍ ବର୍ଷ ବର୍ଷ ଧରି ଅପୁଜା ଠାକୁର ଭଳି ପଢ଼ି ରହିଥିଲେ ଅଚାନକ ସେମାନଙ୍କ ମହିମା ବଢ଼ି ଗଲା । ସବୁ ସେହି ଜଳର ମାୟା । ଜଳ କଥା ପଢ଼ିଲାରୁ ତାଙ୍କର ମନେ ପଡ଼ିଲା ସ୍କୁଲ ଦିନର ଗୋଟିଏ ସ୍ମୃତି ।
ଅଷ୍ଟମ ଶ୍ରେଣୀରେ ଜଳ ସମ୍ବଳ ବିଷୟରେ ପଢ଼ାଉଥିବା ବେଳେ , ଦର୍ଶନ ନାମକ ଗୋଟିଏ ପିଲା ଯିଏ ଶିକ୍ଷକ ମାନଙ୍କୁ ଇଆଡୁ ସିଆଡୁ ପ୍ରଶ୍ନ କରି ଦିଗହରା ଆଉ ହଇରାଣ କରିବାରେ ପ୍ରସିଦ୍ଧ ଥିଲା , ହାତ ଉଠେଇଲା । ଅନୁମତି ମିଳିବାରୁ ତାଙ୍କ ସାହିତ୍ୟ ବହିରେ ଥିବା ଅରକ୍ଷିତ ଦାସଙ୍କ ମହୀମଣ୍ଡଳ ଗୀତା ପୁସ୍ତକରୁ ଅଣାଯାଇଥିବା ଜଳ କବିତାର ଗୋଟିଏ ପଦର ଅର୍ଥ ପଚାରିଲା । ସାର୍ ,
ଅଗ୍ନିରୁ ଜଳ ଜାତ ହୋଇ
ଏହା ତ ନଜାଣନ୍ତି କେହି ।
ଏହାର ଅର୍ଥ କ'ଣ ? ଅଗ୍ନିରୁ ଜଳ କେମିତି ସୃଷ୍ଟି ହୋଇପାରେ ? ସେ କିଛି କ୍ଷଣ ଚିନ୍ତା କରି ଉତ୍ତର ଦେବାକୁ ଚେଷ୍ଟା କରିଥିଲେ । ସବୁରି ମୂଳରେ ଉର୍ଜା ମୁଖ୍ୟ । ଖାଲି ଉଦଜାନ ଆଉ ଅମ୍ଳଜାନ ହେଲେ ଜଳ ସୃଷ୍ଟି ହୋଇ ପାରିବ ନାହିଁ । ଯେଉଁ ରାସାୟନିକ ପ୍ରକ୍ରିୟାରେ ଉଦଜାନ ଆଉ ଅମ୍ଳଜାନ ମିଶି ଜଳ ସୃଷ୍ଟି ହୁଏ ତାହା ଏକ ଦହନ ପ୍ରକ୍ରିୟା । ନିଜ ଉତ୍ତରରରେ ସେ ସନ୍ତୁଷ୍ଟ ନଥିଲେ ନା ପଚାରିଥିବା ପିଲାଟି ନା କ୍ଲାସରେ କୌଣସି ପିଲା ତେଣୁ ସେ ଆତ୍ମସମର୍ପଣ କରି କହିଥିଲେ , ପିଲେ ମୋର ଜ୍ଞାନ ଅତି ସୀମିତ ସେ ପୁଣି ପଢ଼ାଉଥିବା ନିର୍ଦ୍ଧିଷ୍ଟ ବିଷୟରେ । ତେଣୁ ତୁମର ବିଜ୍ଞାନ ଶିକ୍ଷକଙ୍କ ଠାରୁ ଏ ବିଷୟରେ ଅଧିକ ଜାଣିପାରିବ । ପୁଣି ପିଲାଟି ନିଜର ସାହିତ୍ୟ ବହିଟିକୁ ଖୋଲି ଦେଇ ଦେଖିଲା , ଅରକ୍ଷିତ ଦାସଙ୍କ ଜନ୍ମ ୧୭୮୨ ଆଉ ମୃତ୍ୟୁ ୧୮୩୭ ରେ ଲେଖାଅଛି , ସାଙ୍ଗେ ସାଙ୍ଗେ ହିସାବ କରିଦେଇ କହିଲା ସାର୍ ଦୁଇଶହ ଚଉତିରିଶି ବର୍ଷ ତଳେ ଜନ୍ମ ହୋଇଥିବା ଜଣେ ସନ୍ଥ କେମିତି ଏକଥା ଜାଣିଲେ ? ପିଲାଟିର ଏ ବୟସରେ ଏହିଭଳି ପ୍ରଶ୍ନ ଆଉ ଜିଜ୍ଞାସା ଦେଖି ଅଭିଭୂତ ସେ ହୋଇଥିଲେ । କିନ୍ତୁ ତାଙ୍କ ପାଖରେ ଏହି ପ୍ରଶ୍ନର ବି ସନ୍ତୋଷଜନକ ଉତ୍ତର ନଥିଲା । ଖାଲି ଏତିକି କହିଥିଲେ , ତାହା ସମ୍ଭବ ହୋଇଥିଲା ଯୋଗୀଙ୍କ ଆଧ୍ୟାତ୍ମିକ ଶକ୍ତି ବଳରେ । ଆଧ୍ୟାତ୍ମିକତା ଉପରେ ମୋର ଜ୍ଞାନ ଆଉ ଅନୁଭବ ଆହୁରି ସୀମିତ ତେଣୁ ପିଲାମାନେ ଏ ପ୍ରଶ୍ନର ଉତ୍ତର ମୋ ପାଖରେ ନାହିଁ ।
ସେଦିନ ଭାରି ଚିନ୍ତିତ ଆଉ ଅବସନ୍ନ ହୋଇ ପଡ଼ିଥିଲେ ଦିବାକର ମାଷ୍ଟ୍ରେ । ଜୀବନର ଅପରାହ୍ନ ସମୟ ଆଗତ କ'ଣ ସେ ସିଖିଲେ କି ଅନୁଭବ ଆଉ ଜ୍ଞାନ ତାଙ୍କର ଅଛି ଜୀବନକୁ ନେଇ ? ଜ୍ଞାନୀବୋଲି ତାଙ୍କର ଯେଉଁ ମିଛ ବିଶ୍ୱାସ ଆଉ ଅହଂକାର ଥିଲା ତାହା ସେଦିନ ସେହି ଅଷ୍ଟମ ଶ୍ରେଣୀରେ ବାର ତେର ବର୍ଷର ପିଲାଟି ତା'ର ଦୁଇଟି ପ୍ରଶ୍ନରେ ସବୁ କିଛି ଧୂଳିସାତ୍ କରିଦେଇଥିଲା । ଏ ବି ସେହି ଜଳର ମହିମା ଥିଲା ।
ଏଇମିତି ପୁରୁଣା କଥାର ସ୍ମୃତି ଚାରଣ କରୁ କରୁ ମାଷ୍ଟ୍ରେ ଯନ୍ତ୍ରବତ ଉଠା ବସା ଖାଇବା ସବୁ କରି ଚାଲିଥିଲେ । ଜଳକୁ ନେଇ ରାଜ୍ୟରେ ସମସ୍ୟା , ନଦୀ ଜଳ ବଣ୍ଟନ ଆଉ ବ୍ୟାପକ ବ୍ଯାରେଜ ନିର୍ମାଣ ତାକୁ ନେଇ ରାଜ୍ୟ ରାଜ୍ୟ ମଧ୍ୟରେ କନ୍ଦଳ ପୁଣି ଦେଶ ଦେଶ ମଧ୍ଯରେ । ଯଦି କେବେ ତୃତୀୟ ବିଶ୍ଵ ଯୁଦ୍ଧ ହୁଏ ତେବେ ତାହା ପାଣିକୁ ନେଇ ହେବ ବୋଲି ବୁଦ୍ଧିଜୀବୀମାନଙ୍କ ମତ । ପାଣିକୁ ନେଇ ଠିଆ ହୋଇଥିବା ଅଗଣିତ ଅସମାହିତ ସମସ୍ୟା ପାଇଁ ମଣିଷ ସପୂର୍ଣ୍ଣ ମାତ୍ରାରେ ଦାୟୀ ।
ପିଲାବେଳେ ସେ ଶୁଣିଥିଲେ ଆଉ ଅନୁଭବ ବି କରିଥିଲେ ଯେ ପାଣି ଆଉ ଅମ୍ଳଜାନ ନିଶୁଳ୍କ ଦ୍ରବ୍ୟ ବୋଲି । ପବନ କଥା ଛାଡ଼ , ଶୁଦ୍ଧ ଅମ୍ଳଜାନର ଅନୁଭବ ଅଧିକାଂଶ ମଣିଷଙ୍କ ପାଇଁ ସ୍ୱପ୍ନ ହେଇସାରିଛି । ଥିବା ବାଲା ଲୋକେ ଶୁଦ୍ଧ ଅମ୍ଳଜାନ କିଣି ନିଜ ଗାଡ଼ି ଆଉ ଘରେ ରଖିଲେଣି । ପାଣି ତ ଏବେ ଅତିବ ନିମ୍ନ ଶ୍ରେଣୀର ଲୋକଟି ପାଇଁ ବି ଆଉ ନିଶୁଳ୍କ ହୋଇ ରହିନାହିଁ । ଯାହା ନିଶୁଳ୍କ ତାହା ପିଇବା ଯୋଗ୍ୟ ନୁହେଁ । ପିଇବା ଯୋଗ୍ଯ ପାଣିସବୁ ବୋତଲରେ ବନ୍ଦୀ । ଥିବାବାଲା କିଣୁଛନ୍ତି , ଘରେ ନିଜ ସାଧ୍ୟ ଅନୁସାରେ R.O ,U.V,U.F ଆହୁରି କେତେ ପ୍ରକାରର water purifier ଲଗାଉଛନ୍ତି । ଏହିଭଳି ପାଣିକୁ ନେଇ ଏକ ବିଶାଳ ଶିଳ୍ପ ସାମ୍ରାଜ୍ୟ ଠିଆ ହୋଇଛି । ଏହାର ମାଲିକ ସେହି ହାତ ଗଣତି କିଛି ଲୋକ ଯେଉଁମାନେ ସବୁକିଛି ନିଜ ଅଧୀନରେ ରଖି ପୁରା ବିଶ୍ୱରେ ନିଜର ଆଧିପତ୍ୟ ଜାହିର କରିବାକୁ ଚାହାନ୍ତି ।
ଏମିତି ଚିନ୍ତା ରାଜ୍ୟରେ ହଜିରହିଥିବା ବେଳେ ତାଙ୍କ ସ୍ତ୍ରୀ କହିଲେ ଗୋଡ଼ଟା ଘୁଞ୍ଚାଅ , ମୁଁ ଶୋଇବି , ତୁମେ ବି ଶୋଇପଡ଼ । କେତେ ଭାବୁଛ ? ବିଜୁଳି ନଥାଏ ମୋବାଇଲ ଟିପି ସେ ସମୟ ଦେଖିଲେ ରାତି ସାଢ଼େ ଦଶଟା । ଝରକା ବାହାରେ କିଟିକିଟି ଅନ୍ଧାର ! ପବନ ବେଗ ଧିରେ ଧିରେ ବଢିବାରେ ଲାଗିଲାଣି । ତାଙ୍କର ୧୯୯୯ ମସିହା ବାତ୍ୟା ର ରାତି କଥା ମନେ ପଡ଼ିଲା , କି ଭୟଙ୍କର ଥିଲା ସେ ରାତି ! ପବନର ପ୍ରଖରତା ଦେଖି ତାଙ୍କର ବଗିଚାର ଗଛ ମାନଙ୍କ କଥା ମନେପଡିଲା । କ'ଣ କରିପାରିବେ ସେ ? ଝରକା ଦେଇ ପାଣି ଛାଟିବାକୁ ଆରମ୍ଭ କରିଥିବାରୁ ସ୍ତ୍ରୀ ଉଠି ଝରକା ବନ୍ଦ କଲେ । ସେ ଭଲଭାବେ ଜାଣିଥିଲେ ଯେତେ ଚେଷ୍ଟା କଲେ ବି ଆଜି ରାତିରେ ଶୋଇ ପାରିବେ ନାହିଁ । ଅରକ୍ଷିତ ଦାସଙ୍କ ସେହି ଜଳ କବିତାରୁ ଦୁଇ ପଦ ତାଙ୍କର ମନେ ପଡ଼ିଲା ,
ଜଳ ସଙ୍ଗତେ ଜଳ ହେବୁ
ସକଳ ସମାନ ଦେଖିବୁ ।