STORYMIRROR

Pradeep Kumar Panda

Abstract Classics Inspirational

4  

Pradeep Kumar Panda

Abstract Classics Inspirational

ଜୀବନରେ ସଂଘର୍ଷର ମୂଲ୍ୟବୋଧ

ଜୀବନରେ ସଂଘର୍ଷର ମୂଲ୍ୟବୋଧ

3 mins
399

ଏ ବିଶ୍ୱରେ ପ୍ରତ୍ୟେକ ଜୀବ ଓ ଉଭିଦ ଜୀବନଧାରଣ ପାଇଁ ସଦା ସଂଘର୍ଷରତ। ସଂଘର୍ଷ ଉପରାନ୍ତେ ଜୀବନ ହୁଏ ମହିମାମୟ। ଗାନ୍ଧୀ ଗୋପବନ୍ଧୁଙ୍କ ଜୀବନ ଥିଲା ସଂଘର୍ଷରେ ପରିପୂର୍ଣ୍ଣ। ତେଣୁ ତ ସେମାନେ ପ୍ରାତଃସ୍ମରଣୀୟ ମହାପୁରୁଷ। ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ପରର ମଙ୍ଗଳ ବିଧାନ କରିବା କେବଳ ଏକ ଭାଷ୍ବିକ ସଂରଚନା ନୁହେଁ। ଏଥିରେ ଅଛି ସ୍ୱାର୍ଥ ତ୍ୟାଗର ପରାକାଷ୍ଠା। ସ୍ୱାର୍ଥତ୍ୟାଗର ମହତ୍ତ୍ୱ ପ୍ରତିଷ୍ଠା ପାଇଁ ଯେଉଁ ଅମୂଲ୍ୟ ଉପାଦାନର ଆବଶ୍ୟକତା ଅଛି, ତା’ର ନାମ ସଂଘର୍ଷ। ସଂଘର୍ଷ ନୁହେଁ ବାଦ ପ୍ରତିବାଦର ଅଲିଖିତ ସ୍ୱାକ୍ଷର; ବରଂ ଏଥିରେ ରହିଛି ପରୋପକାରର ମହାନ ଉତ୍ତରଣ। ଶ୍ରୀରାମ ହୁଅନ୍ତୁ ବା ଶ୍ରୀକୃଷ୍ଣ – ଏମାନେ ସଂଘର୍ଷର ଦୁର୍ଗମତାକୁ ଅତିକ୍ରମ କରି ପୁରୁଷୋତ୍ତମର ଶିଖରରେ ଉପନୀତ ହୋଇଛନ୍ତି। ଅଗ୍ନିଦଗ୍ଧ ସୁବର୍ଣ୍ଣର ଔଜ୍ଜଲ୍ୟ ପରି ସଂଘର୍ଷ ଉତ୍ତରିତ ଜୀବନ ହୋଇଉଠେ ମହିମାମଣ୍ଡିତ। ଶ୍ରୀରାମ ରାଜପରିବାରରେ ଜନ୍ମଲାଭ କରି ରାଜାଭିଷେକର ଅବ୍ୟବହିତ ପୂର୍ବରୁ ତାଙ୍କୁ ବରଣ କରିବାକୁ ହେଲା ବନବାସର କ୍ଲିଷ୍ଟତା, ରାବଣ ନିଧନର ଜଟିଳତା ଓ ପତ୍ନୀ ବିଚ୍ଛେଦ ପରି ମାନସିକ ଅବସାଦକୁ। ସେହିପରି ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନ ଥିଲା ସଂଘର୍ଷରେ ପରିପୂର୍ଣ୍ଣ। ନିରନ୍ଧ୍ର ଅନ୍ଧକାରାଚ୍ଛନ୍ନ ବନ୍ଦୀଶାଳାରେ ଜନ୍ମଲାଭ କରିବାଠାରୁ ମାତୁଳ ନିଧନର ଅପବାଦ, ମହାଭାରତ ଯୁଦ୍ଧର ବିଭୀଷିକା ଏବଂ ଜାରାଶବରର ଶରାଘାତରେ ପ୍ରାଣ ବିସର୍ଜନ କରିବା ପର୍ଯ୍ୟନ୍ତ ତାଙ୍କୁ ମିଳିନଥିଲା ସଂଘର୍ଷରୁ ସାମାନ୍ୟ ଅବ୍ୟାହତି।


ଆଧୁନିକ ଯୁଗରେ ସଂଘର୍ଷ ବିନା ଜୀବନ କେତେ ନିରର୍ଥକ ତାହା ଆଲୋଚନା ସାପେକ୍ଷ। ପ୍ରେମ ବିବାହ ଅଧିକାଂଶ କ୍ଷେତ୍ରରେ ସମ୍ପ୍ରତି ବିଫଳ ହେଉଥିବାର ଲକ୍ଷ୍ୟ କରାଯାଉଛି। କାରଣ ସେଥିରେ ସଂଘର୍ଷ ନାହିଁ। ସେହିପରି ମେଧାବୀ ଛାତ୍ରଛାତ୍ରୀ ସଂଘର୍ଷମୟ ଜୀବନ ମାଧ୍ୟମରେ ନିଜ ପରିଶ୍ରମକୁ ପୁଞ୍ଜି କରି ପରୀକ୍ଷାରେ ସଫଳତା ପାଇ ଚାକିରିରେ ପ୍ରବେଶ କରନ୍ତି। ସେମାନଙ୍କ ସାଧନା, ପ୍ରଜ୍ଞା ଓ ନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣାପ୍ରଦ ହୁଏ। ଚାକିରି କ୍ଷେତ୍ରରେ ଅନ୍ୟାୟ, ଅନୀତିକୁ ପ୍ରଶୟ ଦେବା ପାଇଁ ତାଙ୍କ ବିବେକ ତାଙ୍କୁ ବାଧାଦିଏ। ଅପରପକ୍ଷରେ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରି ସଫଳତା ପାଇଥିବା ଛାତ୍ର ଅନ୍ୟାୟ ଉପାୟରେ ଚାକିରି କ୍ଷେତ୍ରରେ ପ୍ରବେଶ କରେ। ସେ ଅନ୍ୟାୟ ପରେ ଅନ୍ୟାୟ କରିଚାଲେ। କାରଣ ସେ ଜାଣେନାହିଁ ସଂଘର୍ଷର ମୂଲ୍ୟ।


ରାଜନୀତି କ୍ଷେତ୍ରରେ ମଧ୍ୟ ସଂଘର୍ଷର ମୂଲ୍ୟ ରହିଛି। ଯେଉଁ ନେତା ନିଜ ଜନସେବା ଓ ଲୋକଙ୍କ ଭଲପାଇବାକୁ ପୁଞ୍ଜି କରି ଜନପ୍ରତିନିଧି ହୁଅନ୍ତି, ତାଙ୍କ ପ୍ରତି ଥାଏ ଜନତାଙ୍କର ଗଭୀର ସମ୍ମାନ। କାରଣ ସେ ସଂଘର୍ଷକୁ ଆପଣେଇଛନ୍ତି। ଅପରପକ୍ଷେ ଜନତାଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ରାଜନେତା ଅର୍ଥବଳରେ ଭୋଟ ପାଇ ବିଜୟ ବିମଣ୍ଡିତ ହେଲା ପରେ ଲୋକସେବା ବଦଳରେ ପୁଞ୍ଜିସଂଗ୍ରହକୁ ପ୍ରାଥମିକତା ଦେଇ ଏକ ନିନ୍ଦିତ ଚରିତ୍ରର ଅଧିକାରୀ ହୁଏ। ସେହିପରି ଯେଉଁ ପିଲା ପ୍ରତ୍ୟକ୍ଷ କରିଛି ତା’କୁ ମଣିଷ କରିବାକୁ ବାପାମା’ କେତେ ସଘର୍ଷ କରିଛନ୍ତି ସେ କୌଣସି ପରିସ୍ଥିତିରେ ବାପାମା’ଙ୍କ ପ୍ରତି ଅବିଚାରିତ ଭାବେ ଅବହେଳା ପ୍ରଦର୍ଶନ କରିପାରିବ ନାହିଁ। ମାତ୍ର ପିଲାଦିନୁ ବିଳାସମୟ ଜୀବନ ଅତିବାହିତ କରିଥିବା ପିତାଙ୍କର ଅର୍ଥକୁ ଅବିଚାରିତ ଭାବେ ବ୍ୟୟ କରିଥିବା ପିଲା କାହୁଁ ବୁଝିବ ପିତାମାତଙ୍କର ବାର୍ଦ୍ଧକ୍ୟର ଆବଶ୍ୟକତା? ମାତାଙ୍କ ପରିବର୍ତ୍ତେ ଘରେ ନିଯୁକ୍ତ ଆୟା ଓ ପରିଚାରିକା ଦ୍ୱାରା ପ୍ରତିପାଳିତ ହୋଇଥିବା ସନ୍ତାନ ମନରେ ନଥାଏ ପିତାମାତାଙ୍କ ପ୍ରତି ସାମନ୍ୟ ସମ୍ମାନବୋଧ। ପୁନଶ୍ଚ ଯେଉଁ ପିତାମାତା ତାଙ୍କ ପିତାମାତାଙ୍କୁ ବାର୍ଦ୍ଧକ୍ୟରେ ସହାୟତା କରି ନ ଥିବେ ଓ ଧନର ସୁଲଭତା ସତ୍ତ୍ବେ ବୃଦ୍ଧାଶ୍ରମରେ ରହିବାର ସୁବନ୍ଦୋବସ୍ତ କରିଥିବେ, ତାଙ୍କ ସନ୍ତାନ କାହୁଁ ବୁଝିବେ ପିତାମାତାଙ୍କର ମୂଲ୍ୟ? ସେଭଳି ପିଲା ବଡ଼ ହେଲେ କେବେବି ଦରଦୀ ମଣିଷଟିଏ ହୋଇପାରିବ ନାହିଁ। କାରଣ ନା ସେ ବାପାମା’ଙ୍କଠାରୁ ଶିଖିଲା ସଂଘର୍ଷ ନା ନିଜେ ବୁଝିଲା ସଂଘର୍ଷର ମୂଲ୍ୟବୋଧ। ସେ କେବଳ ମଣିଷ ଦେହଧାରୀ ପ୍ରାଣୀଟିଏର ଜୀବନ ଜିଇଁବାରେ ସଫଳ ହୁଏ। ସେ ଜାଣିଲା ନାହିଁ ସଂଘର୍ଷର ପରିଭାଷା।


ଦିବ୍ୟ ଜନନୀ ଶ୍ରୀମା କହନ୍ତି ‘ଯେଉଁମାନେ ସତ୍ୟପଥରେ ଚାଲିବା ପାଇଁ ପ୍ରସ୍ତୁତ ହୋଇଛନ୍ତି, ସେମାନେ ଗୋଟିଏ ପରେ ଗୋଟିଏ ଆଘାତକୁ ଅପେକ୍ଷା କରନ୍ତି। କାରଣ ସେମାନେ ଜାଣନ୍ତି ଯେ ଭଗବାନ ସଂଘର୍ଷ ମାଧ୍ୟମରେ ହିଁ ତାଙ୍କୁ ସାହାଯ୍ୟ କରନ୍ତି।’ ଶେଷରେ ସ୍ୱଭାବକବିଙ୍କ କବିତାଂଶ ଦୃଷ୍ଟାନ୍ତ ଭାବେ ଗ୍ରହଣ କଲେ ସଂଘର୍ଷର ମୂଲ୍ୟବୋଧ ବୁଝି ହେବ – ‘ସୁପ୍ତ ସିଂହ ମୁଖେ ନ ପଶେ ଆହାର, ଶ୍ରମେ ପିପିଲିକା ପୂରାଏ ଉଦର।’ ସଂଘର୍ଷବିହୀନ ଜୀବନ ସୁପ୍ତ ସିଂହ ପରି ବୁଭୁକ୍ଷାରେ ପରିପୂର୍ଣ୍ଣ। କିନ୍ତୁ ସଂଘର୍ଷରତ ସାମାନ୍ୟ ପିମ୍ପୁଡ଼ି ଶ୍ରମ ଦ୍ୱାରା ଉଦରପୂରଣ କରେ। ସଂଘର୍ଷ ନଥିଲେ ଜୀବନ ହୁଏ ମୂଲ୍ୟହୀନ।


Rate this content
Log in

Similar oriya story from Abstract