ଜୀବନ ଯନ୍ତ୍ରଣା
ଜୀବନ ଯନ୍ତ୍ରଣା


ପିଲାଟି ଦିନରୁ ମା'ବାପା ଛେଉଣ୍ଡ ରୂପା। ଜନ୍ମ ହେବାର ବୋଧେ କିଛି ବର୍ଷ ଭିତରେ ତା'ର ହସି ଖେଳୁଥିବା ପରିବାରଟି ଦୈବୀ ଦୁର୍ବିପାକରେ ଖିନ୍ ଭିନ୍ ହୋଇଗଲା। ତଥାପି ଭଗବାନ ବଡ଼ ଲୋକ ତା'କୁ ଆଦରି ନେଲେ ତା'ର ମଉସା ମାଉସୀ। ସେ ଭାରି ଖୁସି ହୋଇ ଯାଇଥିଲା। ତା'ମାଉସୀକୁ କହିଲା ତୁ ଟିକେ ରହ ମୁଁ ଏଇ ପାଖରୁ ଆସୁଛି କହିଲା ରୂପା।
ଧାଇଁ ଯାଇ ଗାଁ ମନ୍ଦିରରେ ଗୋଟେ ଖୁଆ ପେଡା ପୂଜା କରି ଠାକୁରଙ୍କୁ କହିଲା ସତରେ ଠାକୁରେ ମୋ ବୋଉ ଠାରୁ ମୁଁ ତୁମ ବିଷୟରେ ବହୁତ ଶୁଣିଛି। କୁଆଡେ ତୁମେ ଦୁଇ ଦୁଇଟା ମା' ବାପାଙ୍କ ଠାରୁ ସ୍ନେହ ପାଇଛ। ହେଇ ଦେଖୁନ ମୋର ବି ସେମିତି ଦି'ଟା ମା ବାପା। ଶୁଣ ଠାକୁରେ ଆଜି ଠାରୁ ଆମେ ଦୁହେଁ ସଙ୍ଗାତ।। ମୁଁ ଯାଉଛି ପୁଣି ଆସିବି।
ସତରେ ଚପଳ ମତି ଝିଅଟେ। ଛୋଟ ଛୁଆ ମାନେ ବହୁତ ନିଷ୍କପଟ ଆଉ ସରଳ। ସ୍ନେହ କାଙ୍ଗାଳୁଣୀ ରୂପା ବଡ଼ ଆନନ୍ଦରେ ମାଉସୀ ସହିତ ବାହାରିଲା ତାଙ୍କ ଘରକୁ। ଆଜି ଠାରୁ ତା' ଠିକଣା ବାଉନ ବଜାର ତେପନ ଗଳି ର ସହର କଟକ। ବୟସ ପାଞ୍ଚ କି ଛଅ ହେବ। ମନରେ ଅନେକ ଆଶା ମୁଁ ମାଉସୀର ପୁଅ ପପୁ ସହିତ ଏକାଠି ସ୍କୁଲ୍ ଯିବି । ଆଉ ଅନେକ କିଛି। ଏମିତି ଭାବନା ଭିତରେ ସେମାନେ ପହଞ୍ଚିଗଲେ କଟକରେ। କିଛି ଦିନ ବହୁତ ଭଲରେ କଟିଲା। ସେ ସ୍କୁଲ୍ ବି ଗଲା କିନ୍ତୁ ପପୁ ସହିତ ନୁହଁ । ଏଇ ସାଧାରଣ ସରକାରୀ ବିଦ୍ୟାଳୟ। ଧୀରେ ଧୀରେ ରୂପା ବାସନ ମାଜିବା,ଲୁଗା ସଫା କରିବା ଆଉ ରୋଷେଇରେ ସାହାଯ୍ୟ କରିବା ଶିଖିଗଲା ବି। କାହିଁକିନା ଏତକ ନ'କଲେ ଖାଇବାକୁ ମିଳିବନି,ପଢିବାକୁ ମିଳିବନି। ସତେ ଯେମିତି ଘରର ଚାକରାଣୀ। କୁନି କୁନି କୋମଳ ହାତ ବହୁତ କିଛି କରି ଶିଖିଲା। ବର୍ଷେ ଗଲା ଦୁଇ ବର୍ଷ ବି ଗଲା। ହଠାତ୍ ରାତିରେ ତା'କାନରେ ପଡିଲା ମାଉସୀ ମଉସାଙ୍କ କଥା ବାର୍ତ୍ତା। ଆରେ ଇଏ କଣ ସେମାନେ ତ ଆମ ଗାଁ ଘର ବିଷୟରେ କଥା ହେଉଛନ୍ତି। ମଉସା ଚାହୁଁଛନ୍ତି ସେ ଘର ଡିହ ଖଣ୍ଡକ ବିକ୍ରୀ କରି କଟକରେ ଏକ ଫ୍ୟାକ୍ଟ୍ରୀ ବନେଇବେ। କିନ୍ତୁ ଏ ସବୁ ଏବେ ସମ୍ଭବ ନୁହେଁ କାରଣ ରୂପା ସାବାଳିକା ହେଇନି।
ଏହି ସବୁ କଥାରୁ ସେ ଠିକ୍ ଭାବେ ବାରି ନେଲା ଯେ ତା'କୁ କଣ ପାଇଁ ସେମାନେ ଆଣିଛନ୍ତି। ଯାହା ହେଲେ ହେଉ ପଛେ ତା'କୁ ତ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ମିଳିଛି। କୋମଳ ମନା ଝିଅଟି ଏତେ ସବୁ ଜାଣିବି ଭଗବାନଙ୍କ ପାଖେ ଧନ୍ୟବାଦ ଜଣାଇଲା।
ଯେତେ କଷ୍ଟ ହେଉ ପଛେ କିଛି କହେନି। କୁହା ଯାଏ ମା'ନଥିଲେ ମାଉସୀ ଥାଏ। ହେଲେ ଏଠି ଓଲଟା ରୂପ ସେ ଦେଖୁଛି। ବହୁତ ଶାରୀରିକ ମାନସିକ ଯନ୍ତ୍ରଣା ସହି ସହି ଏବେ ତା'କୁ ଅଠର ବର୍ଷ ହୋଇଗଲା। କଳେ ବଳେ କୌଶଳେ ତା ଠାରୁ ଦସ୍ତଖତ ନେଇଗଲେ ମାଉସୀ ଆଉ ଭିଟା ମାଟିକୁ ତାର ବିକି ଦେଲେ।
ସତରେ ଏ ଦୁନିଆ କେତେ ମତଲବି। ହେ ରୂପା କୁଆଡେ ଗଲୁ। ମଲୁ ନା କଣ ବା । ଆଉ କେତେ ବସି ବସି ଗେଫା ମାରିକି ଗଣ୍ଡି ବଢେଇବୁ ତୁ ଯା କିଛି ରୋଜଗାର କରିକି ଆଣେ। ଫଣ ଫଣ ହୋଇ ତା' ମାଉସୀ ତା'କୁ କହିଲା।
ରୂପାକୁ ବହୁତ ବାଧିଲା । ସେ ଯାହା ହେଲେ ବି କଷ୍ଟେ ମଷ୍ଟେ ଦଶମ ପାସ୍ କରିଛି। କିନ୍ତୁ ଆଜିକା ଦୁନିଆରେ ଶିକ୍ଷାଗତ ଯୋଗ୍ୟତା ଅଧିକ ଦରକାର । କଣ କରିବ ବହୁତ ଭାବିଲା। ଶେଷରେ ମନ୍ଦିର ଦୁଆର ପାଖେ ବସି ଠାକୁରଙ୍କୁ କହିଲା। ହଁ ମୁଁ ଶୁଣିଛି ତୁମେ ଯାହାକୁ ଭଲ ପାଅ ତା'କୁ ବେଶୀ କଷ୍ଟ ଦିଅ। ସେଥିପାଇଁ ମୁଁ ଚୁପ୍ ଅଛି। ଏତିକି କହି ମନ୍ଦିରରୁ ଫେରିବା ବେଳେ ତା ସାଙ୍ଗ ସବିତା ସହିତ ଦେଖା ହେଲା। ସବିତାକୁ ସବୁ ଦୁଃଖ କହିଗଲା। ସବିତା କହିଲା ବ୍ୟସ୍ତ ହେଉଛୁ କାହିଁକି। ତୁ କାଲି ଠାରୁ ଆମ ଘରକୁ ଆସେ ମୁଁ ସିଲେଇ ତତେ ଶିଖାଇ ଦେବି। ଆଉ ତୁ ସେଥଗରୁ କିଛି ରୋଜଗାର କରିବୁ। ତା'ପର ଦିନ ଠାରୁ ପ୍ରତ୍ୟେକ ଦିନ ସେ ସବିତା ଘରକୁ କିଛି ସମୟ ପାଇଁ ଗଲା ଆଉ ସିଲେଇ ବି ଶିଖିଗଲା।। ଆଉ ଧୀରେ ଧୀରେ କିଛି ରୋଜଗାର କଲା।
ରୂପା ତା ଅଜାଣତରେ ଯୌବନରେ ପାଦ ଥାପି ସାରିଥିଲା। ସେ ସବୁଦିନ ମନ୍ଦିର ଯାଏ। ଦିନେ ତା'ର ଦେଖା ହେଲା ସମରେଶ ସହିତ। ପ୍ରଥମ ଦେଖାରେ ସେ ସମରେଶକୁ ମନ ଦେଇ ବସିଲା। ଆଉ କିଛି ମାସ ମଧ୍ୟରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ। ରୂପା ତା ଜୀବନର ଏକୋଇଶି ଟି ବସନ୍ତ କଟେଇ ସାରିଥିଲା। ଧଳା ଗୋରା ବର୍ଣ୍ଣର ହୋଇଥିବାରୁ ମା ଦେଇଥିଲା ନାଁଁ ତା ରୂପା। ସମରେଶକୁ ପାଇ ସେ ବହୁତ ଖୁସି। ହୁଏତ ଅତୀତର ସେଇ କାଳିମା ମୟ ଜୀବନରେ ପୁନେଇର ଚାନ୍ଦ ନେଇ ଆସିଛନ୍ତି ସମରେଶ୍। ଅନେକ ଆଶା ଆକାଂକ୍ଷା ତା ମନରେ। ସତରେ କଣ ତା ଜୀବନରେ ଖୁସିର ସୂର୍ଯ୍ୟୋଦୟ ସେ ଦେଖିବ?
ସେମିତି କିଛି ଘଟିଲାନି ତା ଜୀବନରେ। ଦିନେ ସେ ନିଜକୁ ଆବିଷ୍କାର କଲା କଲିକତା ସହରରେ। ହଠାତ୍ ସେ ନିର୍ବାକ୍ ହୋଇଗଲା। ସେ ତା ସହିତ ଦେଖିବାକୁ ପାଇଲା ଆଉ ଗୋଟାଏ ଝିଅକୁ। ତା'ଠାରୁ ଜାଣିଲା ସେ ଯାହାକୁ ଦେବତା କରି ହୃଦୟରେ ବସାଇଛି। ସେ ଗୋଟେ ରାକ୍ଷସ। ପେଶାରେ ଦଲାଲ୍ । ଝିଅ ବ୍ୟବସାୟରୁ ସେ ରୋଜଗାର କରେ। ରୂପାର ରୂପ ଯୌବନକୁ ଦେଖି ସେ ଦୁଇଗୁଣା ଟଙ୍କାରେ ବିକି ଦେଇଛି କଲିକତାର ଏକ ଦେହ ବ୍ୟବସାୟୀକୁ। ତଥାପି ସେ ଇତସ୍ତତଃ ହୋଇ ସେ ରୁମ୍ ରେ ଥିବା ଲ୍ୟାଣ୍ଡ୍ ଲାଇନ୍ ରୁ ଫୋନ୍ କଲା ସମରେଶକୁ। ସମରେଶ୍,ତୁମେ ଏମିତି କାହିଁକି କଲ।ମୁଁ ତୁମକୁ ଭଲ ପାଇଥିଲି। କାୟ ମନ ବାକ୍ୟରେ ତୁମକୁ ଦେବତା ଭାବିଥିଲି।ହେଲେ ତୁମେ । ଭଲ ପୁଣି ତୁମକୁ ? ମୁଁ ତୋ ପରି ଆଧା ପାଠୋଇକୁ କାହିଁ ଭଲ ପାଇଥାନ୍ତି। ଖାଲି ତୋ ପାଖରେ ଥିବା ସୌନ୍ଦର୍ଯ୍ୟ ମୋତେ ମୋଟା ଅଙ୍କର ଟଙ୍କା ଦେବ ବୋଲି ମୁଁ ନାଟକ କରିଥିଲି। ଏବେ ମୋ ଟଙ୍କା ମୁଁ ପାଇଗଲି। ତୁ ସେଠାରେ ବି ବହୁତ ରୋଜଗାର କରିବୁ। କହି ଫୋନ୍ ରଖି ଦେଲା ସମରେଶ୍। ହେ ଠାକୁରେ ତୁମେ ବି ମୋତେ ପର କରିଦେଲ। ମୁଁ ତୁମକୁ ମୋର ସାଙ୍ଗ ବୋଲି ଭାବିଥିଲି। ଧିକ୍ ଏ ଦୁନିଆ। ଧିକ୍ ମୋ ଜୀବନ। ସହିବାର ସୀମା ଟପିଗଲାଣି। ଦେଖ ଭଉଣୀ ଆସ ଆମେ ଏଠାରୁ ଖସି ଯିବା। ଦୁହେଁ କଳେ ବଳେ କୌଶଳେ ରାତି ଅଧରେ ସେହି ଅନ୍ଧକାର ଇଲାକାରୁ ଖସି ଗଲେ।
କାଲି ଠାରୁ ଏ ରୂପାକୁ ଏ ଦୁନିଆ ଦେଖିବ ଅଲଗା କଳେବରରେ।
ଆଉ ତା'ପରେ ସକାଳର ସୂର୍ଯ୍ୟକିରଣରେ ରାତିର ଯନ୍ତ୍ରଣା ଓ ଅନ୍ଧକାର ଧୀରେ ଧୀରେ ଅସ୍ପଷ୍ଟ ହୋଇ ଆସୁଥିଲା। ସେ ଚାଲିଥିଲା ଏକ ମୁହାଁ ହୋଇ ସେହି ରାସ୍ତାରେ ଯେଉଁ ରାସ୍ତା ଦେଇ ଆଉ ସେ ଫେରିବନି। ଛାଡ଼ ହୋ! ସେ ସଂସ୍କୃତି ପରମ୍ପରାର କଥା।ଯାହା ନିଜ ଘର ଝିଅ ବୋହୂଙ୍କ ଦେହକୁ ସୁରକ୍ଷା ଦେଇ ପାରିବନି। ସେ ଭୂଲି ସାରିଥିଲା ସିନ୍ଦୁରର ମାହାତ୍ମ୍ୟ,ଲକ୍ଷ୍ମୀ ପୁରାଣର ଗାଥା,ଆଈ ମା'ର ରାଜାରାଣୀ କଥା।ତା'ପାଖରେ ଦୁଇଟି କାମ ବାକି ଥିଲା । ପ୍ରଥମଟି ଲଣ୍ଡା ହେବା ଦ୍ଵିତୀୟଟି କରାଟି ଶିଖିବା। ମାନେ ଲଣ୍ଡା ହୋଇ ସେ ତା'ର କଷ୍ଟ ଦାୟକ ଅତୀତର ମୃତ୍ୟୁ ପାଇଁ ଲଣ୍ଡା ହେବାକୁ ଚାହିଁଲା ଆଉ କରାଟି ଶିଖି ତା'ଜୀବନକୁ ଆଉ ତା' ନିଜକୁ ସୁରକ୍ଷା ଦେବା।
ଆଉ ସେ କରି ଦେଖାଇଲା। ଗୋଟେ ନାରୀ ଏ ଦୁନିଆ ହାତର କାଠ କଣ୍ଢେଇ ନୁହେଁ କି ଏ ପୁରୁଷ କୈନ୍ଦ୍ରିକ ସମାଜରେ ପାଦର ପାଣ୍ଡେଇ ନୁହେଁ। ଏବେ ସେ ଏକ ଆଦର୍ଶ ବନି ଯାଇଛି ରୂପା ଦିଦି ନାମରେ ସେଇ ଅନାଥ ବେସାହାରା ଝିଅ ମାନଙ୍କର।
ବି.ଦ୍ର:
ଗାଳ୍ପିକା ଚିନ୍ମୟୀ ବାରିକଙ୍କର ଗଳ୍ପାଂଶଟି ଏକ ନାରୀର ଯନ୍ତ୍ରଣାକୁ ପ୍ରତି ପାଦିତ କରୁଥିଲା।ଆଉ ମୁଁ ଏକ କ୍ଷୁଦ୍ର ପ୍ରଚେଷ୍ଟା କରିଛି ତା'କୁ ଏକ ଗଳ୍ପରେ ପରିଣତ କରି।