Aravinda Das

Abstract Inspirational

3  

Aravinda Das

Abstract Inspirational

ଜୀଇଁବାର କଳା

ଜୀଇଁବାର କଳା

4 mins
7.5K


ଜୀବନ ବେଳେବେଳେ ମଣିଷକୁ ଏମିତି ଏକ ମୋଡ଼ରେ ଠିଆ କରେ। ମୁଁ ଜୀବନର ଏକ ଦୋଛକିରେ ପହଂଚିଥିଲି। କାର୍ଯ୍ୟସ୍ଥଳରେ ହାକିମଙ୍କ ଚାପ, ପରିବାରର କିଛି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଓ ଆର୍ଥିକ ଅନାଟନ ସବୁ ହାଠାତ୍ ମିଶିଯାଇ ମୋ ପାଇଁ ସମାସ୍ୟାର ଚକ୍ରବ୍ୟୁହଟିଏ ରଚିଦେଇଥିଲେ। ଅଭିମନ୍ୟୁ ପରି ଫସି ଯାଇଥିଲି ମୁଁ। ତେବେ ଭାଗ୍ୟର ବରଦାନ କୁହନ୍ତୁ କିମ୍ବା ଈଶ୍ୱରଙ୍କ କୃପା, ସେଇ ଘଡିସନ୍ଧି ମୁହୂର୍ତ୍ତରେ ଭେଟ ହୋଇଥିଲା କିଛି ନିଆରା ମଣିଷମାନଙ୍କ ସହିତ, ପ୍ରଥମ ଥର ପାଇଁ।ପ୍ରଥମ ଲୋକ; ସହର'ର ଟ୍ୟାକ୍ସି ଚାଳକ ,ସକିଲ ଜାଭେଦ। ଏୟାରପୋର୍ଟ ଯିବା ବାଟରେ କଥାବାର୍ତ୍ତା।

 "କେତେ ବର୍ଷ ହେଲା ଟ୍ୟାକ୍ସି ଚଳାଉଛ ?ତମ ଫ୍ୟାମିଲି ?" ଟ୍ୟାକ୍ସି ମିରରରେ ମୋ ମୁହଁକୁ ଅନାଇ ସକିଲ ଯାହା କହିଲା ,ତା ଶୁଣି ମୁଁ ହତବାକ ହୋଇଗଲି।

 " ତିରିଶ ବର୍ଷ ହେଲା ଟ୍ୟାକ୍ସି ଚଳାଉଛି ସାବ୍।ଏଇ ସହରରେ ଜନ୍ମ ମୋର। ଚାରି ବର୍ଷ ତଳ ଦଙ୍ଗାରେ ମୋ ଆବାଜାନ ଓ ସାନ ଭାଇଙ୍କୁ ଦଙ୍ଗାକାରୀ ମାନେ ମାରିଦେଲେ।ଏବେ ମୋରି ଘରେ ମୋ ସାନ ଭାଇର ପରିବାର ଓ ଅମ୍ମୀ ରହୁଛନ୍ତି। ଆଲ୍ଲାଙ୍କ ଦୟାରୁ ସବୁ ଚାଲିଛି।"

 " ଏ ସହରର ଲୋକ ଗୁଡାକ ସତରେ ବହୁତ ସ୍ବାର୍ଥପର ଓ ବଦମାସ। "ରାଗି ଯାଇ ମୁଁ କହିପକାଇଲି। "ନା,ସାବ୍। ସମସ୍ତେ ନୁହନ୍ତି। ସେଇ ଦଙ୍ଗା ବେଳେ ଆମର ଜଣେ ହିନ୍ଦୁ ପଡୋଶୀ ମୋତେ ଓ ମୋ ପରିବାରକୁ ଆଶ୍ରୟ ଦେଇଥିଲେ । ପରେ ମୋ ଅମ୍ମି ଓ ସାନ ଭାଇର ପରିବାର ଆସିବା ପରେ ଆମ ସାହିର ସବୁଲୋକ ମିଶି ଆମ ପାଇଁ ନୂଆ ଘର ଓ ଜିନିଷ ଯୋଗାଇ ଦେଇଥିଲେ। ଆଜି ଯାଏଁ ଭାଇ,ଭାଇ ଭଳି ଚଳୁଛୁ।ମୋ ପଡୋଶୀ ମାନେ ହିଁ ଆମ ଜୀବନ। ଏ ଧର୍ମକୁ ନେଇ ରାଜନୀତି କରୁଥିବା ନେତାମାନେ ବଦମାସ, ସାଧାରଣ ଲୋକ ନୁହନ୍ତି ସାବ୍। ଜୀବନ ମୋତେ ଏଇ ଶିକ୍ଷା ଦେଇଛି। ସେଥିପାଇଁ ସେଇ ବସ୍ତିରେ ରହିଛି। ଅସୁବିଧାକୁ ଡରିଲେ, ସେ ଆହୁରି ଡରାଇବ। ତାକୁ ଆମେ ମୁକାବିଲା କଲେ ସେ ଲୁଚିଯିବ।"

    ଜୀବନ ଦର୍ଶନର ତଥ୍ୟ ଏମିତି ପାଇବି ବୋଲି ଜାଣି ନଥିଲି। ଧନ୍ୟବାଦ ଦେଇ ବିଦାୟ ଦେଲି। ମୁଁ ମନେରଖିଥିବା ଦ୍ବିତୀୟ ବ୍ୟକ୍ତି ଥିଲା ରମେଶ ସାହୁ। ଗୋଟାଏ ହୁଇଲ ଚେୟାରରେ ବସି ମସଲା ମୁଢି ଓ ପପ୍ କର୍ଣ୍ଣ ବିକୁଥିବା ମଧ୍ୟବୟସ୍କ ଲୋକ।ତାର ଦୁଇଟା ଯାକ ଗୋଡ଼ ଆଣ୍ଠୁ ପାଖରୁ ବୋଧେ କଟା ହୋଇଥିଲା। ବିଚରା। କିନ୍ତୁ ମନ ଖୁସିରେ ସୁସୁରି ମାରି ଗୀତ ଗାଉଥିଲା। ଏକଦମ ବେପରୱା ଭାବେ। ରାସ୍ତା ଉପରୁ ବ୍ରିଜ ତଳେ ଯାଇଥିବା ରେଳଧାରଣା ଆଡ଼କୁ ଯାଇଥିବା ଛୋଟ ପାଦଚଲା ରାସ୍ତା ବାଟରେ ଆସ୍ଥାନ ଜମାଇଥିଲା ରମେଶ ।ମୁଁହଁ ସଞ୍ଜ ବେଳୁ  ଅପେକ୍ଷା କରିଥିଲି ମୁଁ ,କେତେବେଳେ ସେ ଲୋକ ରାସ୍ତାରୁ ଉଠିବ ଓ ମୁଁ ମୋ କାମ କରିବି।କାରଣ ଏଇ ଜାଗାଟା ଥିଲା ପ୍ରକୁଷ୍ଟ ସ୍ଥାନ ମୋ ପାଇଁ। ଭିଡ଼,ଗହଳି ନାହିଁ। ଦୁଇ ଥର ମୁଢି ଓ ପପ୍ କର୍ଣ୍ଣ ଖାଇ ସାରି ,ରାସ୍ତାକଡ଼ ଲୁହାବାଡ଼କୁ ଆଉଜି ମୁଁ ଅନେକ କଥା ଚିନ୍ତା କରୁଥିଲି। ଏକ ଚରମ ନିଷ୍ପତ୍ତି ନେଇସାରିଥିଲି ମୁଁ। ଠିକ୍, ଭୁଲର ବିଚାର କରିନଥିଲି। ବୋଲ୍ଦ ଡିସିସନ ଥିଲା ମୋ ପାଇଁ।

 " କଣ ବାବୁ, କିଛି କାମ ଥିଲାକି ? ଅନେକ ବେଳୁ ଠିଆ ହୋଇଛନ୍ତି। କାହାକୁ ଅପେକ୍ଷା କରିଛନ୍ତି ?" "ଜଗନ୍ନାଥ ଏକ୍ସପ୍ରେସ ଟାଇମ କେତେବେଳେ ?" ମୁରୁକି ହସି ସେ କହିଲା, " କଣ ଏଇ ବ୍ରିଜ ତଳୁ ଚଢ଼ିବେ ନା କାହାକୁ ରିସିଭ୍ କରିବେ ?"  ମୋତେ ଅପ୍ରସ୍ତୁତ ହୋଇଯିବାର ଦେଖି ରମେଶ ସାହୁ କହିଲା, "ଚାକିରି ନପାଇ ହତାଶ ହୋଇ, ଦଶବର୍ଷ ତଳେ ଏଇଠି ଦିନେ ସନ୍ଧ୍ୟାରେ ଆପଣଙ୍କ ଭଳି, ମୁଁ ଠିଆ ହୋଇଥିଲି ଓ ଏଇ ରାସ୍ତାରେ ତଳକୁ ଓହ୍ଲାଇ ବ୍ରିଜ ତଳେ ଡେଇଁ ପଡ଼ିଥିଲି ଟ୍ରେନ ସାମ୍ନାକୁ। ଦୁର୍ଭାଗ୍ୟ ମୋର। ଦୁଇ ଗୋଡ଼ କଟିଗଲା,ହେଲେ ବଞ୍ଚିଗଲି ମୁଁ।ପଙ୍ଗୁ ହେଲା ପରେ ଜୀବନ ମୋତେ ଶିଖାଇଲା ନୂଆ ମନ୍ତ୍ର। ଟିକିଏ ନିଶ୍ଵାସ ନେଇ ରମେଶ ଆରମ୍ଭ କଲା," ଜୀବନକୁ ସାମ୍ନା ନକରି ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରୁଥିବା ଲୋକ ହିଁ ପ୍ରକୃତରେ ପଙ୍ଗୁ,ଅଥର୍ବ। ପ୍ରତିକୁଳ ପରିସ୍ଥିତିରେ ବି ଖୁସିରେ ଗୀତ ଗାଇ ,ଜିଉଁ ଥିବା ମୋ ପରି ଲୋକ ସକ୍ଷମ। ଏହା ମୋର ଦ୍ଵିତୀୟ ଜନ୍ମ। କାହା ଆଗରେ ହାତ ନପତାଇ ନିଜେ ବେଉସା କରୁଛି । ଏଇଠି ଜଗି ବସୁଛି, ଯେମିତି ମୋ ପରି ଏଇଠି କିଏ ଆତ୍ମହତ୍ୟା ନ କରୁ। ଜୀବନ ଏକଦମ ଅମୂଲ୍ୟ। ମୁଁ ଠିକ୍ କହିଛି ନା ବାବୁ ?"

    ଛେପ ଢ଼ୋକି ମୁଁ ଦେଖୁଥିଲି ରମେଶକୁ। ସେ ନଥିଲେ ହୁଏତ ଏତେବେଳକୁ ମୁଁ ଆତ୍ମହତ୍ୟା କରିଦେଇଥାନ୍ତି କିମ୍ବା ତା ପରି ପଙ୍ଗୁ ହୋଇଯାଇଥାନ୍ତି। ତା ହାତରେ ଶହେ ଟଙ୍କା ନୋଟ ଦେଇ କହିଲି,"ବିଲକୁଲ ଠିକ୍ କହିଛ। ବାକି ଟଙ୍କାରଖ। ଆଉ କିଏ ଯଦି ମୋ ଭଳି ଏକୁଟିଆ ଏଇଠି ଟ୍ରେନକୁ ଅପେକ୍ଷା କରେ,ତେବେ ତାକୁ ଦଶ ଟଙ୍କାର ପୁଡିଆଟେ ଦେଇ ତମ ନିଜ କାହାଣୀ ଶୁଣାଇବ।"  ମୋ ହାତକୁ ଟଙ୍କା ଫେରାଇ ଦେଇ ରମେଶ କହିଲା, ଯେତିକି କମାଉଛି ସେଥିରେ ମୁଁ ସବୁ ପାରିବି। ଆଉ କେବେ ଏଠାକୁ ଆସିଲେ,ପଇସା ଦେବ। ଆଜି ମୋ ତରଫରୁ।

ଜୀବନ ଜ୍ଞାନର ଯୁକ୍ତାତ୍ମକ ଶିକ୍ଷା, ତା ପୁଣି ଏମିତି ଲୋକଠାରୁ !ମନେପଡ଼ିଗଲା ଗୋଟେ ହିନ୍ଦୀ ପଦ,"ଜିନ୍ଦେଗୀ ଜିନ୍ଦା ଦିଲି କା ନାମ ହୈ, ମୁର୍ଦା ଦିଲ କ୍ୟା ଖାସ ଜିତେ ହେଁ ?"

ତୃତୀୟ ଜଣଙ୍କ ଥିଲେ ଜଣେ ବୟସ୍କା ଭଦ୍ର ମହିଳା। ସୁକାନ୍ତି ନାୟକ। ଆଧାରକାର୍ଡ ସେଣ୍ଟର ବାହାରେ ଭେଟିଥିଲି ତାଙ୍କୁ।ବୟସ ଷାଠିଏ ଉପରେ ହେବ ବୋଧେ ; ପତଳା ନହାକା ଶରୀର, ଧଳାକଳା ମିଶା ଚୁଟି କେରାକ ଗଣ୍ଠି ପଡି ପିଠିରେ ଓହଳି ଥାଏ। ପାନଖିଆ , ନାଲି କଳା ଦାନ୍ତ କିଛି ଦେଖାଇ ମୋତେ ପଚାରିଲା, "ତମର ବି କଣ ହାତ 

ଟିପଚିହ୍ନ ଉଠିଲାନି ବୋଲି ଆଧାର କାର୍ଡ ହୋଇପାରିଲାନି ବାପ ?"

  ମୋ ଠୁ କିଛି ଉତ୍ତର ପାଇବା ଆଗରୁ ପୁଣି କହିଲା, "ଯୋଗନୀଖିଆ ଗୁଡାକ ଆମକୁ ଆଇନ ଦେଖାଉଛନ୍ତି।ସାମ୍ନାରେ ମଣିଷ ଠିଆ ହୋଇଛି, ଅଥଚ ଆଧାର କାର୍ଡ ହୋଇପାରିବନି।ଆଉ ଯାହାର ହାତ ନାହିଁ, ଆଖି ନାହିଁ ,ସେମାନେ ତ ଆଧାର କାର୍ଡ ପାଇବେନି ?"

   ମୋ ପାଟିରୁ ବାହାରି ପଡ଼ିଲା, " ଆଧାର କାର୍ଡ ନଥିଲେ, ସରକାରୀ ସାହାଯ୍ୟ କିମ୍ବା ଭତ୍ତା ମିଳିବ ନାହିଁ। ବ୍ୟାଙ୍କ ଖାତାବି ଅଚଳ ହୋଇଯିବ।" ମୁରୁକି ହସି ବୁଢ଼ୀ କହିଲା, "ବାପାରେ, ଦେଶରେ ସବୁ ଗରିବଙ୍କ କଣ ବ୍ୟାଙ୍କ ଖାତା ଅଛି ? ଟଙ୍କା ଦୁଇଶହ ଭତ୍ତା ମୋତେ ମିଳେ। ସେଥିରେ କଣ ଆଜିର ଯୁଗରେ ଚଳି ହେବ ?ଭତ୍ତା ବନ୍ଦ ହେଲେ କଣ ମୁଁ ମରିଯିବି ? ଏତେ ବର୍ଷ ହେଲା କାମ କରି କରି ,ହାତ ପାପୁଲିର ରେଖା ସବୁ ବୋଧେ ଲିଭି ଯାଇଛି।ତେବେ ପର ଘରେ କିମ୍ବା ବିଲରେ କାମ କରିବାକୁ ଏ ଦୁଇ ହାତରେ ଯଥେଷ୍ଟ ବଳ ଅଛି।ମନ ଟାଣ ଥିଲେ କାହାକୁ ଡର ? କର୍ମ ମୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ ?"  ସାଧାରଣ ଜଣେ ମହିଳାଙ୍କଠାରୁ ଏମିତି କଥା ଶୁଣିବି ବୋଲି ଆଶା କରିନଥିଲି। "ବିନା ଆଧାର କାର୍ଡରେ ଏତେ ବର୍ଷ କଟିଗଲାଣି। ଆଉ ବା କେତେଟା ଦିନ ବଞ୍ଚିବି ଯେ ଡ଼ରିବି ? ଆରେ ପୁଅ, ଜଗନ୍ନାଥ ଠାକୁରଙ୍କ ହାତ ନାହିଁ କି ତାଙ୍କର ବି ଆଧାର କାର୍ଡ ନାହିଁ। ଆମେ ବା କି ଛାର ମଣିଷ ? ଜମା ମନ କଷ୍ଟ କରନା। ସବୁ ସେଇ ଜଗା କାଳିଆ ସମ୍ଭାଳିବ। ଜୀବନ ଦେଇଛି, ଜୀବିକା ବି ଦେବ।"  ଜୀବନର ମୋଡ଼ ବଦଳି ଯାଇଥିଲା ମୋ ପାଇଁ। କେଉଁଠି ପଢିଥିଲି, 'ଜୀବନ'ର ପ୍ରକୃତ ଅର୍ଥ ବୁଝି ,ତାକୁ ବୋଝ ନଭାବି, ଯିଏ ବିନ୍ଦାସ୍ ରୂପେ ଏକ ଚ୍ୟାଲେଞ୍ଜ ବୋଲି ଗ୍ରହଣ କରେ, ସେ ହିଁ ପ୍ରକୃତ ବିଜେତା।' ଜୀବନ ଏକ ସୁମଧୁର ସଙ୍ଗୀତ। ତାକୁ ଗାଇବା ପାଇଁ ସ୍ୱର ନୁହେଁ, ଦରକାର କେବଳ ଆତ୍ମବିଶ୍ଵାସ ଭରା ମନଟିଏ।ଠିକ୍ ମୁଁ ଭେଟିଥିବା ଏଇ ତିନି ନିଆରା ମଣିଷଙ୍କ ଭଳି। ନିଜକୁ ସଜାଡି, ମନକୁ ଦୃଢ଼ କରି ଏକ ଯୁକ୍ତାତ୍ମକ ମନୋଭାବ ନେଇ , ନିଜକୁ ଆଶ୍ଵାସନା ଦେଉଥିଲି ," ମୁଁ ଭୀରୁ ନୁହେଁ। ସବୁ ଚ୍ୟାଲେଞ୍ଜକୁ ସାମ୍ନା କରିବି। ଆଗାମୀ ସକାଳ ମୋ ପାଇଁ  ନିଶ୍ଚୟ ଏକ ନୂତନ ସୁର୍ଯ୍ୟୋଦୟ'ର ବାର୍ତ୍ତା ଆଣିବ।"

(#Positiveindia)


Rate this content
Log in

Similar oriya story from Abstract