ଓଡ଼ିଆ ଗଳ୍ପ ଓ କବିତା - ୧

Children

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children

ଜହ୍ନମାମୁଁ -୭୬

ଜହ୍ନମାମୁଁ -୭୬

3 mins
7.4K


କନ୍ୟା ମନୋନୟନ -୧

ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରେ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ ତାଙ୍କ କାନ୍ଧରେ ପକାଇ ସେହି ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜନ୍, ତୁମ ଚେଷ୍ଟା ସବୁଥର ବିଫଳ ହୋଇଛି; ତଥାପି ବି ତୁମେ ସେଥିରୁ କ୍ଷାନ୍ତ ହେଉନାହଁ ଏହା ଦେଖି ମୋତେ ଭୀଷଣ ଆଶ୍ଚର୍ଯ୍ୟ ଲାଗୁଛି । ବୁଦ୍ଧିମାନ୍ ହୋଇଥିବା ଯୋଗୁଁ କେହି କେହି ତର୍କ କରିବାକୁ ଓ ସବୁଥିର କାରଣ ଖୋଜିବାକୁ ଯାଇ ଅଜବ ଢଙ୍ଗରେ ବ୍ୟବହାର କରନ୍ତି । ମୋର ମନେହୁଏ ତୁମେ ବି ଠିକ୍ ସେଇମାନଙ୍କ ପରି ନିଜ କଥାକୁ ଆଂଟ କରି ଧରିଛ । ଉଦାହରଣ ସ୍ୱରୂପ ମୁଁ ତୁମକୁ ବିଜୟପୁରୀର ରାଜକୁମାରଙ୍କ କାହାଣୀ ଶୁଣାଇବି, ମନଦେଇ ତାହା ଶୁଣ, ଶୁଣିଲେ ତମ ଶ୍ରମଭାର ଲାଘବ ମନେ ହେବ ।”

“ଏହାପରେ ସେ ବେତାଳ ଗପିଲା : ବିଜୟପୁରୀର ରାଜା ବିଦ୍ୟାଧରଙ୍କର ବହୁଦିନ ଧରି କୌଣସି ସନ୍ତାନ ସନ୍ତତି ନଥିଲେ; ତେଣୁ ସମସ୍ତେ ସେ ରାଜାଙ୍କୁ ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତାବ ଦେଲେ । କିନ୍ତୁ ରାଜା କୌଣସି ମତେ ସେଥିରେ ରାଜି ହେଲେ ନାହିଁ । ରାଜା ଓ ରାଣୀ ଦୁହେଁ ଅନେକ ପୂଜା ଓ ବାର ବ୍ରତ କରିବା ପରେ ହଠାତ୍ ଜଣାପଡିଲା ରାଣୀ ମା’ ହେବାକୁ ଯାଉଛନ୍ତି । ଯଥା ସମୟରେ ରାଣୀଙ୍କର ଦୁଇଟି ଯାଆଁଳା ପୁଅ ହେଲେ । ସେହି ପୁଅମାନଙ୍କର ନାମ ଜୟ ଓ ବିଜୟ ରଖାଗଲା । କ୍ରମେ ପିଲା ଦୁଇଟି ବଡ ହେଲେ ଓ ସମସ୍ତ ପ୍ରକାର ବିଦ୍ୟାରେ ପାରଙ୍ଗମ ହୋଇ ଉଠିଲେ ।

କିଛି ବର୍ଷ ପରେ ରାଜା ତାଙ୍କ ବଡ ପୁଅକୁ ରାଜସିଂହାସନରେ ବସାଇ ନିଜେ ବାନପ୍ରସ୍ଥ ଆଚରଣ କରିବାକୁ ଚାହିଁଲେ । ଏ ବିଷୟରେ ରାଜା ସମସ୍ତିଙ୍କର ମତ ମାରିଲେ । ପ୍ରଧାନମନ୍ତ୍ରୀ କହିଲେ, “ମଣିମା, ଦୁହେଁ ତ ଯୋଗ୍ୟ; କିନ୍ତୁ ପ୍ରଥା ଅନୁସାରେ ଜ୍ୟେଷ୍ଠ ରାଜପୁତ୍ରଙ୍କୁ ଆପଣ ସିଂହାସନ ଦିଅନ୍ତୁ ।”

ସେହିଦିନ ରାଜା ତାଙ୍କର ଦୁଇପୁତ୍ରଙ୍କୁ ଡକାଇ କହିଲେ, “ଏବେ ତ ମୋର ବୟସ ବଢି ଗଲାଣି । ମଁ ତୁମ ଦି’ଜଣଙ୍କର ବିବାହ ଏକ ସଙ୍ଗେ କରିଦେବାକୁ ଚାହେଁ । ପୁଣି ଜୟର ରାଜ୍ୟାଭିଷେକ ମଧ୍ୟ ହେବ । ତା’ପରେ ମୁଁ ଏକ ନିର୍ଜନ ସ୍ଥାନକୁ ଯାଇ ସେଠାରେ ଶାନ୍ତିରେ ସମୟ ବିତାଇବି । ସେଥିପାଇଁ ମୁଁ ପଡୋଶୀ ରାଜ୍ୟର ରାଜକନ୍ୟାମାନଙ୍କର ଚିତ୍ରପଟ ମଗାଉଛି ତା’ମଧ୍ୟରୁ ତୁମେ ଦୁହେଁ ନିଜ ନିଜ ଲାଗି କନ୍ୟା ପସନ୍ଦ କରିନେବ ।”

ଜୟ କହିଲେ, “ବାବା, ମୋତେ କ୍ଷମା କରନ୍ତୁ । ମୁଁ ଆମ ମୁଖ୍ୟମନ୍ତ୍ରୀଙ୍କ ଝିଅକୁ ବିବାହ କରିବାକୁ ପସନ୍ଦ କରି ସାରିଛି!”

ରାଜା ଜୟଙ୍କର କଥା ଶୁଣି ଚମକି ଉଠିଲେ କିନ୍ତୁ ସେ ଚୁପ୍ ରହିଲେ । କାରଣ ସେ ଜାଣନ୍ତି ପୁଅ ଟିକିଏ ଜିଦ୍ଖୋର୍, ସେ ତା’ ମନରେ ଯାହା ଧରିଥିବ ସେଇଆ । ତେଣୁ ସେ ସାନ କୁମାରଙ୍କୁ ପଚାରିଲେ, “ପୁଅ, ତୁମେ କିଛି କହିବାକୁ ଚାହଁ କି?”

“ବାବା, ଏଥିପାଇଁ ମୋତେ ଦୁଇଦିନ ସମୟ ଦିଅନ୍ତୁ ।” ଏତିକି କହି ସେ ସେଠାରୁ ଚାଲିଗଲେ ।

ପରଦିନ ପିତାଙ୍କ ପାଖକୁ ଯାଇ ସେ କହିଲେ, “ମୁଁ ପୃଥିବୀର ସର୍ବାପେକ୍ଷା କୋମଳ ଝିଅକୁହିଁ ବିବାହ କରିବାକୁ ଚାହେଁ । ସେହିପରି ଏକ ରାଜକୁମାରୀଙ୍କର ଚିତ୍ରପଟ ଆପଣ ମୋତେ ଅଣାଇ ଦିଅନ୍ତୁ ।”

ମାସକ ମଧ୍ୟରେ ଅନେକ ରାଜକୁମାରୀଙ୍କର ଚିତ୍ରପଟ ସବୁ ଆସିଗଲା । ସେମାନଙ୍କ ମଧ୍ୟରୁ କୁମାର ବିଜୟ ତିନୋଟି ଚିତ୍ରପଟ ବାଛିଲେ ଯଥା; ଭୁବନଗିରି, ଉଦୟଗିରି ଓ ଚନ୍ଦ୍ରଗିରିର ତିନି ରାଜକୁମାରୀଙ୍କର । ତା’ପରେ ସେ ରାଜାଙ୍କୁ କହିଲେ, “ବାବା, ମୁଁ ଏଇ ତିନିଜଣଙ୍କ ମଧ୍ୟରୁ ଜଣକୁ ବିବାହ କରିବି । ଏମାନଙ୍କ ସହିତ ମୁଁ କଥା ହେବି, ତା’ପରେ ଯାହାକୁ ଯୋଗ୍ୟ ଦେଖିବି ତାକୁହିଁ ଆପଣଙ୍କର ବୋହୁ ବାଛିବି । ଆପଣ ଏହି ତିନି ରାଜ୍ୟକୁ ସୂଚନା ଦିଅନ୍ତୁ ଯେ ମୁଁ ସେଠାକାର ରାଜକୁମାରୀମାନଙ୍କୁ ଭେଟିବାକୁ ଯାଉଛି ।”

ରାଜା ବୁଝିପାରିଲେ ନାହିଁ ଯେ ବିଜୟ କାହିଁକି ସର୍ବଶ୍ରେଷ୍ଠ କୋମଳ ସ୍ୱଭାବର କନ୍ୟା ଚାହୁଁଛି; ଯାହାହେଉ ବିଜୟର ଇଚ୍ଛା ଅନୁସାରେ ରାଜା ସେହି ସବୁ ରାଜ୍ୟମାନଙ୍କୁ ବିଜୟର ଯିବା ବିଷୟ ଜଣାଇ ଦେଲେ ।

ବିଜୟ ପ୍ରଥମେ ଭୁବନଗିରି ଗଲେ । ବିଜୟଙ୍କୁ ଦେଖି ସେଠାକାର ରାଜା ବହୁତ ଖୁସି ହେଲେ, ରାଜଭବନକୁ ତାଙ୍କୁ ନେଇଗଲେ, ବହୁତ ଅତିଥି ସତ୍କାର କଲେ ଓ ରାଜକୁମାରୀଙ୍କୁ ଦେଖା କରାଇବାର ସମସ୍ତ ବନ୍ଦୋବସ୍ତ ବି କଲେ ।

କିଛି ସମୟ ପରେ ରାଜକୁମାରୀଙ୍କ ପରିଚାରିକା ଆସି କହିଲା, “କ୍ଷମା କରିବେ ରାଜକୁମାରୀ ଏବେ ଶୋଇଛନ୍ତି । ବାସ୍ତବରେ କାଲି ମୟୁର ପୁଚ୍ଛଟିଏ ତାଙ୍କ ଉପରେ ପଡିଯିବାରୁ ତାଙ୍କ ଦେହର ପୀଡା ଯୋଗୁଁ ସେ ସାରା ରାତି ଶୋଇପାରି ନାହାଁନ୍ତି । ଏବେ ତ କିଛି ସମୟ ଆଗରୁହିଁ ତାଙ୍କୁ ନିଦ ହୋଇଛି । ସଂଧ୍ୟାକୁ ସେ ନିଦରୁ ଉଠିଲେ ରାଜକୁମାରଙ୍କ ସହ ଦେଖା କରିବେ ।”

ସଂଧ୍ୟାକୁ ରାଜକୁମାରୀଙ୍କ ସହ ବିଜୟଙ୍କର ଦେଖା ହେଲା । ଦୁହେଁ ଉଦ୍ୟାନରେ କିଛି ସମୟ ପାଇଁ ବୁଲିଲେ । ବିଜୟ ବୁଲୁ ବୁଲୁ କହିଲେ, “ଯଦି ଆମର ବିବାହ ହୁଏ ତେବେ ବିବାହ ଦିନ ତୁମେ ନୀଳ ରଙ୍ଗର ଶାଢୀ ପିନ୍ଧିବ ।”

ରାଜକୁମାରୀ ଉତ୍ତର ଦେଲେ “ନା, ଲାଲ୍ ରଙ୍ଗ ମୋର ପସନ୍ଦ । ତେଣୁ ବିବାହ ଦିନ ମୁଁ ଲାଲ୍ ରଙ୍ଗର ଶାଢୀହିଁ ପିନ୍ଧିବି ।”

ବିଜୟ ପଚାରିଲେ “ବିବାହ ସମାପ୍ତ ହେବା ପରେ ପରେ ତୁମେ ପ୍ରଥମେ ମୋ ପିତାଙ୍କର ନା ତୁମ ପିତାଙ୍କର ପାଦବନ୍ଦନା କରିବ?”

ରାଜକୁମାରୀ କହିଲେ, “ମୋ ପିତାଙ୍କୁହିଁ ପ୍ରଥମେ ପ୍ରଣାମ କରିବି ।”


Rate this content
Log in

Similar oriya story from Children