ଡ.ସୁରେଶ ଚନ୍ଦ୍ର ବରାଡ଼

Romance Tragedy Thriller

4  

ଡ.ସୁରେଶ ଚନ୍ଦ୍ର ବରାଡ଼

Romance Tragedy Thriller

ଜଗ ଜଗ ନାରୀ (ଭାଗ-୩)

ଜଗ ଜଗ ନାରୀ (ଭାଗ-୩)

4 mins
8



ଶ୍ୟାମ ଚେତା ହରେଇ ପଡ଼ିଥିଲା ତଳେ। ସାଇ ପଡ଼ିଶା ମାଇପେ ମିଣିପେ ଗହଳି ଲଗେଇଥିଲେ ଶ୍ୟାମର ଘର ଅଗଣାରେ। କିଛି ଲାଗି ପଡ଼ିଥିଲେ ତା’ର ଚେତା ଫେରେଇବାକୁ। କିଛି ଶ୍ୟାମର ଏ ଅବସ୍ଥା ପାଇଁ ଦାୟୀ କରୁଥିଲେ ରାଧାକୁ। କିଛି ଦାୟୀ କରୁଥିଲେ ଶ୍ୟାମର ସାନ ଭାଇ ବଙ୍ଗରକୁ। ଆଉ କିଛି ଦାୟୀ କରୁଥିଲେ ଖୋଦ ଶ୍ୟାମକୁ, ତଥା ଶ୍ୟାମର ବିଦେଶ ଯିବାକୁ।

ତୃତୀୟ ବଖରା ଘର ସାମନାରେ ଠିଆ ହୋଇଥିଲା ବଙ୍ଗର। ସିଏ ବଡ଼ ଟାଣରେ ଯଦିଓ ଠିଆ ହୋଇଥିଲା ତା’ ମୁହଁଟାରୁ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା ତା’ ମନର ଭାବନା। ତା’ର ମୁହଁ ଇସ୍ପାତ ପଛ ପାଖ ସନ୍ନିପାତ ସ୍ଥିତି।

କିନ୍ତୁ ତୃତୀୟ ବଖରା ଭିତରେ ବସିଥିଲା ରାଧା। ଶ୍ୟାମର ଚିତ୍କାର, ବଙ୍ଗରର ଘୋଷଣା ଓ ସାଇ ମାଇପେଙ୍କର ଶ୍ରୁତି କଟୁ ସମାଲୋଚନା ତା କାନରେ ଶହେକୋଡ଼ିଏ ଡେସିବେଲ ବାଲା ଡିଜେ ଯନ୍ତ୍ରର ଶବ୍ଦ ପରି ପଶୁ ଥିଲା। ଖାଲି ପଶୁ ନ ଥିଲା; ସେ ଶବ୍ଦରେ ତା’ର ହୃତପିଣ୍ଡର ଧକ୍ଧକ୍ ଶବ୍ଦ କୋଡ଼ିଏ କିଲିଆ ହାତୁଡ଼ିର ପାହାର ପରି ପଡ଼ୁଥିବା ତାକୁ ଅନୁଭବ ହେଉଥିଲା। ବାହାରେ ପ୍ରଚଣ୍ଡ ଗହଳି। ଭିତରେ ସେ ଏକା। କିନ୍ତୁ ତା’ ହୃଦୟ ଭିତରଟା, ପ୍ରବଳ ଗହଳିରେ ପୂର୍ଣ୍ଣ ବଡ଼ ଦାଣ୍ଡରେ ଅମାନିଆ ଷଣ୍ଢଦୁଇଟି ମାଡ଼ଗୋଳ ଲାଗି ପଶି ଆସିଲେ ଲୋକଙ୍କ ଅବସ୍ଥା ଯେପରି ସେପରି ଦଳି ମକଚି ହେଉଥିଲା।

ରାଧା ତା ନିଜ ସ୍ଥିତି ନିଜେ ପରଖି ଗତକାଲିର ରାଣୀ-ଆଜି ଚାକରାଣୀ ତ ନୁହେଁ, ଦାସ ବଜାରରେ ବିକ୍ରି ହେଉଥିବା ଏକ ଦାସୀର ସ୍ଥାନରେ ନିଜକୁ ଆବିଷ୍କାର କଲା। ତାକୁ ଲାଗିଲା ସତେ ଯେମିତି ତାକୁ ଉଲଗ୍ନ କରି ତା’ର ଶରୀରର ଅଙ୍ଗ ସୌଷ୍ଠବକୁ ପରଖା ଯାଉଛି ଯେଉଁଥିରୁ ତା’ର ମୂଲ୍ୟ ନିର୍ଣ୍ଣୟ କରାଯିବ। ସେ, ସେ ସ୍ଥିତିରୁ ବାହାରି ପାରୁ ନ ଥିଲା କି ସେ ବାହାରକୁ ବାହାରି ପାରୁ ନ ଥିଲା। ଭିତରେ ରହି ପାରୁ ନ ଥିଲା କି ତା’ ସ୍ୱାମୀ, ଯାହାକୁ ଇହ କାଳ ପରକାଳର ଦେବତା ବୋଲି ସେ ଅଗ୍ନିକୁ ସାକ୍ଷୀ ରଖି ତା’ ହାତ ଧରି ଏ ଘରକୁ ଆସିଥିଲା ତା’ର ଆଜିର ଏ ଅବସ୍ଥା ଜାଣି ମଧ୍ୟ କିଛି ନ କରି ପାରିବାର ଅସାଡ଼ତା ତା’କୁ ତା’ ଶରୀରକୁ ବେଢେ଼ଇ ରଖିଥିଲା। ତାକୁ ଲାଗୁଥିଲା ସେ ଅସହାୟ ହରିଣୀଟିଏ। ଏକ ବିରାଟ ଅଜଗର ତା’ ମୁହଁଟିକୁ ତା ପାଟିରେ ଭିଡ଼ି ଧରିଛି ଆଉ ସାରା ଶରୀରକୁ ଗୁଡେ଼ଇ ଧରିଛି ତା’ର ଆଠ ମିଟର ଲମ୍ବର ଶରୀରରେ। ସେ ଛାଟିପିଟି ହେବାର ଯୁଁ ନାହିଁ। ତା’ ଦେହ ଅବଶ ହୋଇ ଯାଉଥିଲା। ତା’ ଆଖି ବନ୍ଦ ହୋଇ ଆସୁଥିଲା। ତା ଶ୍ଵାସର ଗତି ଧିର ହୋଇ ଆସୁଥିଲା। ତାକୁ ଲାଗୁଥିଲା ତା’ ଜୀବନର ଦୀପ ଧିରେ ଧିରେ ସତେ ଯେମିତି ଲିଭି ଲିଭି ଆସୁଛି। ତା ଆଖିକୁ ଅନ୍ଧାର ଘୋଟି ଯାଉଥିବା ସେ ଅନୁଭବ କରି ପାରିଲା।

କିନ୍ତୁ ଆଶ୍ଚର୍ଯ୍ୟ! ସେ ଅନ୍ଧାର ଭିତରେ ଆଲୁଅ ବିନ୍ଦୁଟିଏ ତାରି ଆଡ଼କୁ ଧିରେ ଧିରେ ଆସୁଥିବାର ଦେଖାଗଲା। ପାଖକୁ ଆସିଲା ପରେ ସେ ଏକ ମଣିଷର ରୂପ ନେଲା। ସେଇ ମଣିଷଟିକୁ ନିରେଖି ଦେଖିଲା ରାଧା, ସେ ଥିଲା ଶ୍ୟାମ। ପାଖକୁ ଆସିଲା। ଦୁଇ ହାତ ବଢେ଼ଇ ତାକୁ ଆଲିଙ୍ଗନ ମୁଦ୍ରାରେ ଧରିବାକୁ ଚେଷ୍ଟା କଲା।

ରାଧାର ଅନ୍ତରାତ୍ମା ବିଳପି ଉଠିଲା। ସେ ଚିତ୍କାର କରି ଉଠିଲା ନା! ନା!

ଶ୍ୟାମ ତା’ ପାଖକୁ ଲାଗି ଆସିବାକୁ ଚେଷ୍ଟା କରିବାରୁ ରାଧା କହିଲା, “ମୋତେ ଛୁଅନା ଶ୍ୟାମ। ସବୁ ସରି ଯାଇଛି। ମୁଁ ତୁମ ବିଶ୍ଵାସକୁ ରଖି ପାରି ନାହିଁ। ତୁମେ ଯେଉଁ ରାଧାକୁ ଏଠି ଛାଡ଼ି ବିଦେଶ ଯାଇଥିଲ ସେ ରାଧା ଆଉ ନାହିଁ। ତୁମ ରାଧାର ଏ ଶରୀରଟା ହୋଇ ଯାଇଛି ଅପବିତ୍ର।”

ଏତିକି କହି ରାଧା କାନ୍ଦି ଉଠିଲା। ତା’ ଆଖିରୁ ଶ୍ରାବଣର ଧାରା ପରି ଅଶ୍ରୁ ବହି ତା’ର ଗଣ୍ଡ ସ୍ଥଳ ଭିଜେଇ ଚାଲିଲା। ଶ୍ୟାମର ଆଖିରୁ ମଧ୍ୟ ବହି ଚାଲିଥିଲା ଅବାରିତ ଅଶ୍ରୁର ବନ୍ୟା।

ଶ୍ୟାମ ପଚାରିଲା, “ରାଧା! ମୁଁ ତ ତୁମକୁ ସନ୍ଦେହ କରିନି! ତୁମେ କ’ଣ ତୁମ ଶ୍ୟାମକୁ ବିଶ୍ଵାସକୁ ନେଇ ପାରୁନ ଯେ ସେ ତୁମକୁ ସନ୍ଦେହ କରିବ?”

ରାଧା କହିଲା,“ନା ଶ୍ୟାମ। ମୋ ଶ୍ୟାମ ଉପରେ ମୋର ଅତୁଟ ବିଶ୍ଵାସ। କିନ୍ତୁ ରାଧା ତା ନିଜ ଉପରୁ ତା’ର ବିଶ୍ଵାସ ତୁଟେଇ ସାରିଛି। ସେ କଳଙ୍କିନୀ ପାଲଟି ସାରିଛି।”

ଶ୍ୟାମ କହିଲା, “ଚିନ୍ତା କରନା, ମୋତେ କୁହ କ’ଣ ହୋଇଛି, ମୁଁ ତା’ର ସମାଧାନ ନିଶ୍ଚୟ କରିଦେବି। କୁହ ପ୍ରିୟେ! ମୋତେ ଚାହଁ। ମୁଁ ଏ ବିରହ ଆଉ ସହି ପାରୁନି।”

ରାଧା ଆରମ୍ଭ କଲା, “ସେ ଥିଲା ଏକ ଦୁର୍ଭାଗ୍ୟର ରାତି। ଝଡ଼ ବର୍ଷା ଚାଲିଥାଏ। ଘରୁ ପଦାକୁ ବାହାରି ହେଉ ନ ଥାଏ। ଚାରିଆଡେ଼ ଘୋର ଅନ୍ଧାର। ଦୁଇ ଝିଅକୁ ନେଇ ନିଘୋଡ଼ ନିଦରେ ଶୋଇଥାଏ ମୁଁ ଘର ଭିତରେ। ସ୍ଵପ୍ନରେ ତୁମେ ଆସି ଶୋଇଗଲ ପାଖରେ। ମନଟା ମୋର ଖୁସି ହୋଇ ଗଲା। ପଚାରିଲି କେତେବେଳେ ଆସିଲ? ମୋ ଓଠରେ ହାତ ରଖି ତୁମେ କହିଲ, “ଚୁପ! ପିଲେ ଉଠି ଯିବେ। ତୁମର ଘନ ନିଶ୍ଵାସ ମୋର ଓଠ ଛୁଉଁଥାଏ। ତୁମର ହାତ ମୋର ଘନ କେଶରାଶି ସ୍ପର୍ଶ କରୁଥାଏ। ତୁମେ ମୋତେ ଟାଣି ନେଲ ଆହୁରି ପାଖକୁ। ମୋତେ ଲାଗିଲା ମୁଁ ତୁମକୁ ମୋ ଭିତରେ ନିଶେଷ କରି ପକାଉଛି। ତାହା ପରେ ଆଉ କିଛି ଜାଣିନି। ନିଦ ଭାଙ୍ଗିଲା ବେଳକୁ ଦେଖିଲି ବଙ୍ଗରଟା ଶୋଇଛି ମୋ ପାଖରେ ଗଭୀର ନିଦ୍ରାରେ। ବାସ୍ତବତା ଦେଖି ଜାଣିଲି ମୁଁ ମୋ ଶ୍ୟାମର ବିଶ୍ଵାସଟିକକ କ୍ଷଣକର ଅସାବଧାନତାରେ, କ୍ଷଣକର ଆବେଶରେ ହରେଇ ଦେଇଛି। ଅଛୁଆଁ କରି ଦେଇଛି ମୋ ଶ୍ୟାମର ଏକାନ୍ତ ନିଜର ପବିତ୍ର ଶରୀରଟାକୁ। ସେ ଆଉ ତା’ର ଭୋଗ ଲାଗି ହେବା ପାଇଁ ଯୋଗ୍ୟ ନୁହେଁ। ମୋତେ କ୍ଷମା କରିଦିଅ। ମୋତେ କ୍ଷମା କରି ଦିଅ।”

ଶ୍ୟାମ କହିଲା, “ମୋର ସେଥିରେ କିଛି ଯାଏ ଆସେ ନାହିଁ। ତୁମେ ସେ ବିଷୟରେ ଚିନ୍ତା କରନା। ମୁଁ ଚାହେଁ ତୁମେ କେବଳ ମୋ ପାଖକୁ ଆସ।”

ଏତିକି କହି ଶ୍ୟାମ ରାଧାର ପାଖକୁ ପାଖକୁ ଅଗ୍ରସର ହେଲା। ପାଖକୁ ଆସୁଥିବା ଦେଖି ରାଧା ପାଟି କରି ଉଠିଲା, “ମୋତେ ଛୁଅଁନା। ମୋତେ ଛୁଅଁନା।”

ଠିକ୍ ଏତିକି ବେଳକୁ ସଂବିତ ଫେରି ପାଇ ଉଠିଲା ଶ୍ୟାମ। ଆସି ପହଁଚି ଗଲା ନିସ୍ପୃହ ଭାବେ ରାଧା ବସିଥିବା ଗୃହର କବାଟ ପାଖକୁ। ଶୁଣିବାକୁ ପାଇଲା ରାଧାର ସେହି ଚିତ୍କାର “ମୋତେ ଛୁଅଁନା। ମୋତେ ଛୁଅଁନା।”

ଶ୍ୟାମ ଦେଖିଲା ରାଧା ବସିଛି ଘରର ଗୋଟିଏ କୋଣରେ ଜାକିଜୁକି ହୋଇ ନିରିମାଖି ଭାବେ। ଆଖିରୁ ଝରି ଯାଉଛି ଧାର ଧାର ଲୁହ। ଶ୍ୟାମ ଡାକିଲା, “ରାଧା!” ରାଧା ଶ୍ୟାମକୁ ଚାହିଁ ଦେଖିବାର ସାହସ ଜୁଟେଇ ପାରିଲା ନାହିଁ। ସେଇଠୁ ପୁଣି ଚିତ୍କାର କରି ଉଠିଲା, “ମୋତେ ଛୁଅଁନା। ମୋତେ ଛୁଅଁନା।”


Rate this content
Log in

Similar oriya story from Romance