ଡ.ସୁରେଶ ଚନ୍ଦ୍ର ବରାଡ଼

Tragedy

4  

ଡ.ସୁରେଶ ଚନ୍ଦ୍ର ବରାଡ଼

Tragedy

ଆତ୍ମ ପ୍ରବଞ୍ଚନା

ଆତ୍ମ ପ୍ରବଞ୍ଚନା

4 mins
8



ବାବା! ଏକ ଦମ ହୋ ଯାଏ?

ମୋ ଚିନ୍ତାରେ ମଗ୍ନ ଥିଲି ମୁଁ। ଏ କଥା କାହାକୁ କୁହାଯାଉଛି ବୋଲି ଜାଣିବାକୁ ଶୁଣି ଚାହିଁଲା ବେଳକୁ ବାବାଜୀ ମୋତେ କହୁଛନ୍ତି।

ମୁଁ କହିଲି- ନେହିଁ ବାବା, ମେଁ ଇସକା ଭକ୍ତ ନେହିଁ ହୁଁ।

ଏ ବାବାଜୀ ବୟସ ୪୨ ପାଖାପାଖି ହେବ। ମୁଣ୍ଡରେ ବିରାଟ ଜଟା। କପାଳରେ ତ୍ରିପଣ୍ଡ କୋରା ଚନ୍ଦନ। ହଳଦିଆ ରଙ୍ଗର ବିନ୍ଦି ତା ମଧ୍ୟରେ ଲାଗିଛି। ଶରୀର ସାରା ବିଭୂତି ବୋଳା ଯାଇଛି। ତେବେ ଶରୀରଟି ବଙ୍କା ପରି ଲାଗୁଛି। ଗରଲଟି ଓହଳି ପଡ଼ିଛି। ସମ୍ଭବତଃ ସେଠି ଏକ ବିରାଟ ଟ୍ୟୁମର।

ଉଜ୍ଜୟିନି କୁମ୍ଭ ମେଳାକୁ ବାବା ଭଗବାନ ଦାସଙ୍କ ସହ ଯାଇ ସିପ୍ରାନଦୀ କୂଳରେ ଥିବା ବାବାଙ୍କର ଉଦାସିନ ଆଶ୍ରମରେ ପରିସରରେ ପହଁଚିଲା ପରେ ଦେଖିଲୁ ପରିସର ଟେଣ୍ଟରେ ଭରପୁର। ଆଶ୍ରମରେ ଯେତିକି ଯାଗା ସେଠାରେ ନିୟମିତ ବାବାଜୀ ମାନେ ରୁହନ୍ତି। ବାକି ଆନ୍ତୁକ ଅତିଥି ବାବାଜୀଙ୍କୁ ସେମାନଙ୍କ ସହ ଯାଇଥିବା ଭକ୍ତଙ୍କ ସହ ଏହି ଟେଣ୍ଟରେ ରହିବାକୁ ପଡେ଼।

ବାବା ଭଗବାନ ଦାସ ଯାଇ ରହିବାର ବନ୍ଦୋବସ୍ତ କରିଦେଇ ଆସିଲେ। ଆମକୁ ଆଶ୍ରମ ନିକଟରେ ଏକ ଟେଣ୍ଟରେ ରହିବାର ବ୍ୟବସ୍ଥା ହୋଇଗଲା। ଆମ୍ଭେ ଦୁହେଁ ସେଠି ପହଞ୍ଚିଲା ବେଳକୁ ଦେଖିଲୁ ସେ ଟେଣ୍ଟରେ ଛଅ ଜଣ ରହିବା ପାଇଁ ବ୍ୟବସ୍ଥା ରହିଛି। ପୂର୍ବରୁ ସେଠି ଆଉ ଦୁଇଜଣ ବାବାଜି ରହିଛନ୍ତି। ଜଣେ କୁରୁକ୍ଷେତ୍ରରୁ ଆସିଥିବା ବେଳେ ଅନ୍ୟ ଜଣକ ଆସିଥିଲେ ନୈମିଶାରଣ୍ୟରୁ। 

ନୈମିଶାରଣ୍ୟରୁ ଆସିଥିବା ବାବା କେବଳ ଲେଙ୍ଗୁଟିଟିଏ ପିନ୍ଧିଥିଲେ। ବିରାଟ ଜଟା। କପାଳରେ ତ୍ରିପଣ୍ଡ ଚନ୍ଦନ କୋରା। ସାରା ଶରୀର ବିଭୂତିରେ ପୂର୍ଣ୍ଣ। ଆଖି ଦୁଇଟି ସର୍ବଦା ଅର୍ଦ୍ଧନିମିଳିତ। ଉଚ୍ଚତା ୫ ଫୁଟ ୧୧ ଇଞ୍ଚ ପାଖା ପାଖି ହେବ।

ସେହି ବାବାଜୀଙ୍କ ପାଖରେ ସକାଳୁ ସନ୍ଧ୍ୟା ଯାଏ ପ୍ରବଳ ଗହଳି। 

ଏହି ପୂର୍ବୋକ୍ତ ବାବାଜୀ ନୈମିଶାରଣ୍ୟ ବାବାଜୀଙ୍କ ପାଖକୁ ସବୁ ଦିନ ଦୁଇବେଳା ଆସନ୍ତି। ଆସିବା ମାତ୍ରେ ତାଙ୍କୁ ଗୋଡ଼ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ମାଲିସ କରନ୍ତି। ଘସା ମୋଡ଼ା କରନ୍ତି। ଶେଷରେ ସେ ବିଡ଼ିଟିଏ ଦେଲେ ତାକୁ ପିଇ ଚାଲି ଯାନ୍ତି। 

ପ୍ରତି ଦିନ ସେ ଆସିଲାରୁ ଗଲା ଯାଏ ମୁଁ ସେହି ଟେଣ୍ଟ ଭିତରେ ଥାଏ। ତାଙ୍କର ସମସ୍ତ କାର୍ଯ୍ୟ ଦେଖେ। ସେ ବୋଧେ ମୋତେ ନିରେଖି ଦେଖିଛନ୍ତି। ତିନି ଚାରିଦିନ ଏହି ପରି ଚାଲିବା ପରେ ସେ ଦିନ କିଛି ସମୟ ପରେ ନୈମିଶାରଣ୍ୟ ବାବାଜୀ ବାହାରକୁ କୌଣସି କାମରେ ଚାଲିଗଲେ ବୋଧହୁଏ। ମୁଁ ଟେଣ୍ଟ ଭିତରେ ଥାଏ ଏକା। ସମୟ ପାଇ ସେ ମୋତେ ତାଙ୍କର ବିଡ଼ିଟି ଯାଚି ଥିଲେ।

ମୋ ପାଖରୁ ନାସ୍ତି ସୂଚକ ଶବ୍ଦ ଶୁଣି ସେ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ। ସମ୍ଭବତଃ ଜଣେ ଗୃହସ୍ଥ ଠାରୁ ନିଜକୁ ନ୍ୟୁନ ମନେକଲେ। କହିଲେ-ବାବା! ଭଗବାନ ପ୍ରାପ୍ତି ନିମନ୍ତେ ବାବାଜୀ ହୋଇଥିଲି। ତେବେ କିଛି ବୁଢ଼ା ବାବାଜୀ ଏଇ ବିଡ଼ି ଟାଣିଲେ ଶୀଘ୍ର ତୁରୀୟ ଅବସ୍ଥା ପ୍ରାପ୍ତ ହୁଏ ବୋଲି କହିଲେ। ଟାଣିବାକୁ ଦେଇ ଅନୁଭବ କରିବାକୁ ସୁଯୋଗ ଦେଲେ। ପ୍ରଥମେ ପ୍ରଥମେ ଭାରି ଭଲ ଲାଗିଲା। ଧିରେ ଧିରେ ତାହା ଅଭ୍ୟାସରେ ପଡ଼ିଗଲା। ଏବେ ନ ଟାଣିଲେ ନ ଚଳେ।

ମଣିଷ ଶରୀରରେ ପାଞ୍ଚ ଜ୍ଞାନେନ୍ଦ୍ରୀୟ, ପାଞ୍ଚ କର୍ମେନ୍ଦ୍ରୀୟ ଓ ଚାରି ଅନ୍ତଃକରଣ ଯଥା ମନ ଚିତ୍ତ ବୁଦ୍ଧି ଓ ଅହଙ୍କାର। ଏହି ଚଉଦ ଯେତେବେଳେ ସଜାଗ ଥାନ୍ତି ତାକୁ ଜାଗ୍ରତ ଅବସ୍ଥା କହନ୍ତି। ଯେତେବେଳେ ଜ୍ଞାନେନ୍ଦ୍ରୀୟ ତଥ୍ୟ ଅନ୍ତଃ କରଣକୁ ପଠାଏ ନାହିଁ ସେତେବେଳର ଅନୁଭବ ସ୍ବପ୍ନ, ଯେତେବେଳେ ବାହାରୁ କିଛି ତଥ୍ୟ ଆସେନା କିମ୍ବା ଅନ୍ତଃ କରଣ କିଛି ଭାବେନା ସେତେବେଳର ସ୍ଥିତି ସୁସୁପ୍ତି, ଆଉ ଯେତେବେଳେ ଏ ସମସ୍ତ କାର୍ଯ୍ୟର ଉର୍ଦ୍ଧ୍ଵରେ ସ୍ଥିତି ଥାଏ ତାକୁ ତୁରୀୟ ସ୍ତିତି କହନ୍ତି। ସାଧକ ମାନେ ଧ୍ୟାନ ଲଗାଇ ଏହି ତୁରୀୟ ସ୍ଥିତିରେ ନିଜକୁ ସ୍ଥିତ କରି ଚିଦାନନ୍ଦଙ୍କର ସାନିଧ୍ୟ ଲାଭ କରନ୍ତି।

ହେଲେ ଶୀଘ୍ର ପ୍ରାପ୍ତିର ଆଶାରେ କିଛି ସାଧକ ଗଞ୍ଜେଇ, ହେରୋଇନ, ଚରସ ଆଦି ବସ୍ତୁର ସାହଚର୍ଯ୍ୟରେ ଏହିପରି ଏକ ମିଥ୍ୟା ତୁରୀୟାବସ୍ଥାର ଅନୁଭବ ଲୋଭରେ ନିଜ ଜୀବନକୁ ଦୁଃଖମୟ କରିଥାନ୍ତି। ପୂର୍ବୋକ୍ତ ବାବାଜୀ ଥିଲେ ତାହାର ଜ୍ଵଳନ୍ତ ଉଦାହରଣ।

ମୋତେ ପଚାରିଲେ-ବାବା! ତୁମ ଜାନତେ ହୋ ୟେ କ୍ୟା ହୈ?

ମୁଁ କହିଲି-ନେହିଁ ବାବା, ବତା ଦୋ।

ମୁଁ ସମାଜ ସେବା ତାଲିମ ପ୍ରାପ୍ତ। ବିଜ୍ଞାନର ଛାତ୍ର ହୋଇଥିବାରୁ ତଥା ସେହି ତାଲିମରେ ନିଶା ନିବାରଣ ତାଲିମ ନେଇଥିବାରୁ ଯଦିଓ ମୁଁ ଜାଣି ସାରିଥିଲି ଯେ ସେମାନେ ବ୍ରାଉନ ସୁଗାର ବ୍ୟବହାର କରୁଛନ୍ତି ତଥାପି ନିଶ୍ଚିତ ହେବା ଲକ୍ଷ୍ୟରେ ମୁଁ ମନା କରିଥିଲି।

ସେ କହିଲେ-ବାବା! ୟେ ବ୍ରାଉନ ସୁଗାର ହୈ। ବିଡ଼ି ମେଁ ଏକବାର ଲେନେ କେଲିଏ ଏ ବାବା ଦୋ ସୌ ପଚାଶ ରୂପୟେ ଲେତା ହୈ। ହର ଦିନ ଦେନେ କେଲିଏ ମେରେ ପାଶ ଇତନେ ପୈସା ନେହିଁ ହୈ। ଇସଲିଏ ହରଦିନ ଆ କର ମୈଁ ଇସକା ମାଲିସ କରତା ହୁଁ ତାକି ବୋ ମୁଝେ ପଚାଶ ରୂପୟେ ମେଁ ଏକ ବାରକା ନଶା ଦେ ଦେଁ। ଲାଚାର ହୁଁ। ୟେ ଲତ ଛୋଡ଼ନା ଅସମ୍ଭବ ଲଗତା ହୈ। କ୍ୟା କରୁଁ।

ମୁଁ ନିଶ୍ଚିତ ହୋଇଗଲି। ଯେ ସେ ନୈମିଶାରଣ୍ୟ ବାବା ଏଠି ବ୍ରାଉନ ସୁଗାର ବେପାର କରୁଛି। ଏଠିକୁ ଯେତେ ଆସୁଛନ୍ତି ସବୁ ନିଶାଡ଼ି। ଭଗବାନ ପ୍ରାପ୍ତି ଲକ୍ଷ୍ୟରେ ବାବାଜୀ ସାଜିଥିବା ଏ ସମସ୍ତେ ଯେ ଖୁବ ଶୀଘ୍ର ଯମାଳୟକୁ ଯିବେ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।

ମୁଁ କହିଲି-ବାବା! ସରକାରନେ ବହୁତ ସାରେ ନିଶା ନିବାରଣ କେନ୍ଦ୍ର ଖୁଲେ ରଖେ ହୈଁ। ଆପ ଉସକା ସୁବିଧା କ୍ୟୁଁ ନେହିଁ ଲେତେ? ଲେ ଲେଁଗେ ତୋ ଇସସେ ଛୁଟକାରା ପା ଯାତେ।

ବାବା କହିଲେ-ବାବା! ତୁମ ଠିକ୍ ବୋଲତେ ହୋ। ୟେ ଗେରୁଆ ଆଲଖାଲା ହମେ ଉହାଁ ଜାନେ ସେ ରୋକ ରହା ହୈଁ। ଲଜ୍ଜା ଆତା ହୈ।

ମୁଁ କହିଲି-ବାବା! କ୍ୟା, ଲଜ୍ଜା, ଜୀବନ ସେ ବଡ଼ା ହୈ?

ମୁଁ ଭାବୁଥିଲି ଆମେ ସଂସାରି ମାନେ ଭାବୁ ସଂସାରରେ ବହୁତ ଦୁଃଖ। ଯିଏ ବାବାଜୀ ହୋଇଗଲା ତା’ର ଦୁଃଖ ଗଲା। ସେ ମୁକ୍ତ ହୋଇଗଲା। କିନ୍ତୁ ବାସ୍ତବତା ତ ଏହା ଠାରୁ ବହୁତ ଦୂରରେ। ପୂର୍ବୋକ୍ତ ଭାବନା ଜଣେ ସଚ୍ଚା ବାବାଜୀ କ୍ଷେତ୍ରରେ ହୁଏତ ସତ୍ୟ। ହେଲେ, ଜଣେ ସଚ୍ଚା ବାବାଜୀ କାହାନ୍ତି? ଯେଉଁ ମାନଙ୍କ ସସ୍ପର୍ଶରେ ଆମେ ଆସୁଛୁ ସେମାନଙ୍କ ଜୀବନ ତ ଆମ ଜୀବନଠାରୁ ଅଧିକ ଦୁର୍ବିସହ।

ମହାକାଳେଶ୍ଵରଙ୍କୁ ମୁଣ୍ଡିଆଟିଏ ମାରିଲି। ଖାସ ଏଇଥି ପାଇଁ ଯେ ଅନ୍ତତ ପକ୍ଷେ ସେ ମୋତେ କୌଣସି କୁ ଅଭ୍ୟାସର ବଶବର୍ତ୍ତୀ କରି ନାହାଁନ୍ତି କି ଏପରି କୌଣସି ମିଥ୍ୟା ଜ୍ଞାନ ଦେଉଥିବା ବ୍ୟକ୍ତି ଦ୍ଵାରା ପ୍ରରୋଚିତ ହେବାର ଦୁର୍ଭାଗ୍ୟ ଜନକ ପରିସ୍ଥିତିରେ ପକାଇ ନାହାନ୍ତି।



Rate this content
Log in

Similar oriya story from Tragedy