ଇନ୍ଦ୍ରଧନୁ
ଇନ୍ଦ୍ରଧନୁ


ପ୍ରକୃତିର ଭରା ଭରା ରଙ୍ଗ ଦେଖିବାକୁ ସକାଳୁ ସକାଳୁ ଫୁଲ ବଗିଚାରେ ଥରେ ବୁଲି ଆସିଲେ ମନ ପ୍ରଫୁଲ୍ଲିତ ହୁଏ. ଦିନ ସାରା ସତେଜ ଲାଗେ. ଫୁଲର ରଙ୍ଗ ଦେଖି ଜୀବନର ସକଳ ଯାତନା ଭୁଲି ଯାଉ ଯାଉ ସେଦିନ ନୂଆ ନୂଆ ଚା ଷ୍ଟଲଟିଏ ଖୋଲିଥିବା ଯୁବକ ହାତରୁ କପେ ଚା ପିଉପିଉ ଯୁବକର କଥା କହିବାର ଶୈଳୀ ଓ ଚା ତିଆରି ପ୍ରଣାଳୀ ସହିତ ଉଷୁମ ପାଣି ଗ୍ଲାସ ସହିତ ଚା ପରିବେଷଣ ଥିଲା ହୃଦୟକୁ ଛୁଉଁ ଥୁବା ପ୍ରକୃତିର ରଙ୍ଗ ପରି ତ ଏଣିକି ନିଦ ଭାଙ୍ଗୁ ଭାଙ୍ଗୁ ଫୁଲ ବଗିଚାରେ ନାନା ଜାତି ରଙ୍ଗ ବେରଙ୍ଗ ଫୁଲର ସୌନ୍ଦର୍ଯ୍ୟ ଉପଭୋଗ ଭିତରେ ସେହି ଚା ଦୋକାନକୁ ଯିବାକୁ ଅଧୀର ହେଉଥାଆନ୍ତି ବିଭୂପଦବାବୁ. ଖାଲି ତରତର କଣ ଏବେ ତ ପ୍ରକୃତିର ଫୁଲ ରଙ୍ଗ ଭିତରେ ଚା ଦୋକାନୀ ଯୁବକ ବେଣୁର ଆଖି, ମୁହଁ, କଥା ସବୁର ରଙ୍ଗରେ ଭିଜିବାକୁ ଧଡ଼ପଡ଼ ହୁଅନ୍ତି ବିଭୂପଦ ବାବୁ. ଦୋକାନରେ ପହଁଚିଲା ପରେ ବେଣୁ ତା କାନ୍ଧରେ ପକେଇଥିବା ଗାମୁଛା ବୁଲେଇ ଆଣେ ବେଞ୍ଚରେ ଓ ଉଷୁମ ପାଣି ଗ୍ଳାସ ଥୋଇ ଚା ଦେଉ ଦେଉ କୋଉଦିନ କହେ ଅଳେଇଚ ପକା ଚା ସାହେବ ଦେହରୁ ଦରଜ ଛାଡେଇବ ତ କୋଉଦିନ କହେ ଗୁଜୁରାତି ଗୋଲମରିଚ ଦିଆ ଚା ସାହେବ ମନଦରଜ ଛଡେଇବ ତ ପୁଣି କୋଉ ଦିନ କହେ ତୁଳସୀ ପତ୍ର ଓ ଆଦରସ ଦିଆ ଚା ସାହେବ ସ୍ବପ୍ନ ସତ ହୋଇଯିବ. ମନ ମୁନ ହୃଦୟ ଓ ଚୈତନ ତଥା ଚେତନା ଜାଗାଉଥିବା ବେଣୁ କଥାରେ ଶୁଖିଲା ହସ ହସିଦିଅନ୍ତି ବିଭୂପଦବାବୁ. କହନ୍ତି ଆଉ କୋଉ ସମୟ ନା ସାଥି ନା ବୟସ ଅଛି ବେଣୁ!ତୁମ କଥାରେ କିନ୍ତୁ ଯାଦୁ ଅଛି ଆଉ ତୁମ ମୁହଁରେ ଆତ୍ମୀୟତାର ଝର ଠିକ ଫୁଲର ରଙ୍ଗ ପରି. ସେଇଥିପାଇଁ ତ ଫୁଲ ରଙ୍ଗଠୁ ବି ତୁମ ନିଆରା ଆତ୍ମୀୟତା ପଣର ରଙ୍ଗରେ ରଙ୍ଗାୟିତ ହୋଇ ଏଠିକୁ ଚାଲିଆସେ ମୁଁ.
ବିଭୂପଦବାବୁଙ୍କ ସବୁ ସାହିତ୍ୟ ବୁଝିନପାରିଲେ ମଧ୍ୟ ବେଣୁ ବୁଝିଯାଏ ବିଭୂପଦ ବାବୁଙ୍କ ଅନ୍ତରର ରଙ୍ଗ. ସେହି ଏକା କଥା ଶୁନ୍ୟର ମଧ୍ୟ ରଙ୍ଗ ଅଛି, ରୂପ ଅଛି କିଏ କହିପାରୁଛି ବିଭୂପଦବାବୁଙ୍କ ଭଳି ଯେମିତି ସେ କହନ୍ତି ମାୟା, ମୋହ,ମମତା, ସ୍ନେହ, ଆନ୍ତରିକତା ଭିତରେ ପ୍ରକୃତିର ରଙ୍ଗକୁ ଚିହ୍ନି ପାରିଲେ ହେଲା.ତ ବେଣୁ ମଧ୍ୟ ଏ ଭିତରେ କିଛି କିଛି ଉପଲବ୍ଧି କରେ କି କଣ କହେ ସାହିତ୍ୟ ଓ ଦର୍ଶନର କଥା.କହୁଥାଏ ସାହେବ,ସମୟ ଓ ରଙ୍ଗ ସହିତ ସାଲିସ କଲେ କେତେବେଳେ କୋଉ ରଙ୍ଗର ସାଥି ଆସି ପରିସ୍ଥିତି ଭିତରେ ହାବୁଡ଼ି ଯାଏ ବାଟରେ ଆଉ ବୟସର ରଙ୍ଗ ସେମିତି ଭିର୍ନ୍ନ ଭିର୍ନ୍ନ ବାବୁ. କୈଶୋରରେ କିଛି ଅଲଗା ରଙ୍ଗ ଯେମିତି ଜହ୍ନମାମୁଁ ଭିତରୁ ଶରଦଶଶୀ ଓଲ୍ହେଇ ଆସେ ସେମିତି ଯୌବନରେ ପ୍ରେମର ରଙ୍ଗ ନାଲି ନାଲି ଦିଶେ ତ ବୃଦ୍ଧ ବେଳେ ଏକଦମ ହଳଦିଆ ସାହେବ ଆଉ ସାଥିର ରଙ୍ଗ ରୂପ ବି ଭିର୍ନ୍ନ ଭିର୍ନ୍ନ. ଏଇ ଯେମିତି ଆପଣଙ୍କ ନାତି ଏବେ ଆପଣଙ୍କ ଖେଳସାଥୀ ହୁଅନ୍ତା କି ରଙ୍ଗକୁ ଝୁରୁଛନ୍ତି ଆପଣ ଦିନରାତି . ବେଣୁର ଭାଷଣ ଭିତରେ କେତେ ଯେ ଦର୍ଶନ ପୁର୍ଣ୍ଣ ସାହିତ୍ୟ ତାକୁ ବୁଝୁ ବୁଝୁ ବିଭୂପଦବାବୁଙ୍କ ଆଖିରେ ନାଚୁଥିଲା ନାତିଟି, ଯାହାକୁ ସେ ବାବୁଜୀ ଡକାନ୍ତି. ଏତେ ସବୁ ପ୍ରକୃତି ରଙ୍ଗର ବିସ୍ଲେସଣ ଭିତରେ ବେଣୁ ହାତର ଚା ଓ ଚା ପ୍ରତି ଆକର୍ଷଣର ବୋଲି ଓ ଡାକ ସବୁ ଇନ୍ଦ୍ରଧନୁର ସପ୍ତରଙ୍ଗ ଭଳି ଲାଗୁଥାଏ ପ୍ରକୃତିର ଭିର୍ନ୍ନ ଭିର୍ନ୍ନ ରଙ୍ଗ ପରି. କିଛି ଆଖିକୁ ଦେଖାଯାଏ ତ କିଛି ମନ ଓ ହୃଦୟକୁ ଛୁଉଁଥାଏ.
ଘରେ ବାହାରେ ସବୁ ଆଡ଼େ ପ୍ରକୃତିର ଚାରିଆଡେ ଅନେକ ରଙ୍ଗର ସମାହାର ବେଳେ ବିଭୂପଦବାବୁଙ୍କ ଆଖି ବୁଝିଗଲେ ମଧ୍ୟ ମନ କୋଉ ରଙ୍ଗରେ ଲାଗୁନଥିଲା ଆଉ ବେଣୁ ଚା କପର ରଙ୍ଗ ସବୁଦିନ ଏକା ପରି ହୋଇଥିଲେ ବି କେଵେ ଅଦା ତ କେଵେ ଗୋଲମରିଚ ତ କେଵେ ଅଳେଇଚ ତ କେଵେ ଗୁଜୁରାତିର ରଙ୍ଗ ଦେଖାଯାଇ ମନ ବୁଝିଯାଉଥିଲେ ମଧ୍ୟ ଆଖି ବୁଝୁନଥିଲା ବିଭୂପଦବାବୁଙ୍କର.ଏତେ ବଡ଼ ଘରଟାରେ ଏକୁଟିଆ ମନ ଲାଗୁନଥିଲା ବିଭୂପଦଙ୍କର ଯଦିଓ ସ୍ତ୍ରୀ ମିନାକ୍ଷୀଙ୍କ ହାତର ଯାଦୁକରୀ ରଙ୍ଗରେ ତୁଳୀ ସାହାଯ୍ୟରେ ସବୁ ରୁମର କାନ୍ଥ ସାରା ରଙ୍ଗର ସମାହାରେ ଅନେକ ଚିତ୍ରପଟ କୋଉଠି ତ କୋଉଠି ପେଣ୍ଟିଙ୍ଗ ତ ପୁଣି ରଙ୍ଗ ବେରଙ୍ଗର ସମ୍ବର୍ଦ୍ଧିତ ସାମିଆନା ସବୁ ଝୁଲୁଥିଲା ମିନାକ୍ଷୀଙ୍କ ଅସ୍ତିତ୍ବର ପରିଚୟ ଦେଇ ତଥାପି ବିଭୁପଦ କୋଉ ପ୍ରକୃତି ଦତ୍ତ କୋଉ ରଙ୍ଗ ଖୋଜି ହେଉଥିଲେ କେଜାଣି?
ସେଦିନ ବେଣୁକୁ ତାଙ୍କ ନିଜ ଘରେ ଦେଖି ବିଭୂପଦବାବୁ ଖୁବ ଖୁସି ହୋଇ ବୈଠକ ଘରକୁ ନେଇ ଯାଇଥିଲେ ବେଣୁକୁ . ବୋହୁକୁ ବରାଦ କାରିଥିଲେ ଚା ଓ ଆଜି ଲଞ୍ଚ ପାଇଁ ଆଉ ଗୋଟେ ଅଧିକା ମିଲ. ପୁଅ ଆଣିଥିବା କାଶ୍ମୀର ଶାଲଟି ବେଣୁ ଉପରେ ଘୋଡେଇ ଦେଇ ବିଭୂପଦବାବୁ ନାତିକୁ ଦେଖାଇ କହୁଥିଲେ ଦାଦା. ତୋ ବେଣୁ ଦାଦା. ବେଣୁ ଦାଦାଙ୍କ କଥା,କାମ ଓ ଚା'ର ରଙ୍ଗ ଖାଲି ମିଠା. ବେଣୁ ବୁଝିଗଲା ଆଜିଯାଏଁ ଖୋଜିହେଉଥିବା ରଙ୍ଗ ବିଭୁପଦ ପାଇଯାଇଛନ୍ତି. ସେହି ପ୍ରକୃତିରେ ଥିବା ମାୟା, ମମତା, ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ତଥା ଭଲପାଇବାରୁ ପୁଳେ ପୁଳେ ତେଣୁ ଚା ପାନ ପରେ ଲଞ୍ଚ କରିବା ଯାଏଁ ବିଭୂପଦବାବୁଙ୍କର ନାତିସହ ଅନେକ ରଙ୍ଗ ଦେଖୁ ଦେଖୁ ବେଣୁ ନିଜ ଆସିଥିବା କାରଣ ଭଡ଼ାଘର ଉଦେଶ୍ୟ କହିପାରିନଥିଲା ଫେରିବା ଯାଏଁ କି ବିଭୂପଦବାବୁ ଆଜିଯାଏଁ ଖୋଜିବା ଖୋଜିବା ଆଖି ପରିବର୍ତ୍ତେ ଭିଜି ମଜ୍ଜି ହଜି ଯାଇଥିବା ରଙ୍ଗ ଭିତରେ ନିଜ ପ୍ରସ୍ତାବ ବାଢି ନପାରି, ବେଣୁ ଫେରୁଥିବା ବେଳେ ବିଭୂପଦ ବାବୁଙ୍କ ପୁଅ ବୋହୁ କିନ୍ତୁ ବେଳେ ବେଳେ ଘରକୁ ଆସୁଥିବେ ବାପାଙ୍କ ମନୋବଳ ପାଇଁ ବୋଲି କହିବାକୁ ଭୁଲିନଥିଲେ. ତାଙ୍କ କହିବା ଭିତରେ ସେହି ଆତ୍ମୀୟତାର ରଙ୍ଗ କଣ ହୋଇପାରେ ବୋଲି ବାଟସାରା ରଙ୍ଗକୁ ଭଲପାଇ କିଛି କିଛି ବୁଝିସାରିଥିବା ପ୍ରକୃତିର ରଙ୍ଗ ଭିତରୁ ବେଣୁ ଆକାଶରେ ଇନ୍ଦ୍ରଧନୁକୁ ଠାଵ କରି ଖୋଜି ହେଉଥିଲେ ଆକାଶସାରା.