ହସ ରହସ୍ୟ
ହସ ରହସ୍ୟ
ଶିକ୍ଷକ କହୁଥିଲେ ପିଲାଟି ସବୁବେଳେ କ୍ଲାସରେ ହସୁଛି ଏହାର ଟ୍ରାନ୍ସଲେସନ କଣ ହେବ ଲେଖିଲ ପିଲେ?ପିଲାମାନେ ରଫ ଖାତା ତଥା ଇଂରାଜୀ ଖାତା କାଢି ଉତ୍ତର ଲେଖିବାକୁ ଗଲାବେଳେ ପିଲାଟିଏ, ସରୋଜ ଠିଆ ହୋଇ ପଡିଲା ଓ କହିଲା ସାର ସେହି ପିଲାଟି କିଏ ଓ ସେ ସବୁବେଳେ କେମିତି ହସିପାରୁଛି!ତା ପାଖରେ ହସିବାକୁ କଣ ସବୁ କାରଣ ଅଛି ସାର!ଅନ୍ୟ ପିଲାମାନେ ହୋ ହୋ ହୋଇ ହସିଲା ବେଳେ ଶିକ୍ଷକ ଟିକେ ବିଚଳିତ ହୋଇ ପଡି କହିଲେ ମୁଁ କୌଣସି ନିର୍ଦ୍ଦିଷ୍ଟ ପିଲା କଥା କହୁନି ସରୋଜ, ମୁଁ କେବଳ ଟେନ୍ସ ଫର୍ମ ହିସାବରେ ଓଡ଼ିଆ ବାକ୍ୟଟିକୁ ଇଂରାଜୀ ରେ ଟ୍ରାନ୍ସଲେସନ କରିବାକୁ କହିଛି. ତା ପରେ ପିଲାଏ କିଏ କିଏ ଠିକ ଲେଖିଲେ ତ କେହି କେହି ଭୁଲ ଲେଖି ବୁଝିଗଲେ କି ସବୁବେଳେ ହସୁଥିବା, କି କାନ୍ଦୁଥିବା ଘଟଣା ଜାଗାରେ ପ୍ରେଜେଣ୍ଟ ପ୍ରୋଗ୍ରେସିଭ ଫର୍ମ ହୁଏ ଅର୍ଥାତ ସବଜେକ୍ଟ ପ୍ଲସ ହେଲପିଙ୍ଗ ଭର୍ଵ ପ୍ଲସ ମେନ ଭର୍ଵରେ ଆଇଏନଜି ଯୋଗ ହୋଇ ବାକ୍ୟ ଟି ଗଢ଼ା ଯାଇଥାଏ. ଶିକ୍ଷକ ଫେରିଗଲେ କମନ ରୁମ କୁ କିନ୍ତୁ ଭାବୁଥିଲେ ପିଲାଟି ସରୋଜ କଥା. କାହିଁକି ସେ ଏମିତି ପଚାରିଲା. ନିଶ୍ଚୟ ତା ଭିତରେ କିଛି ଦୁଃଖ ଅଛି. ରିସେସ ରେ ଶିକ୍ଷକ ଦେଖିଲେ ସରୋଜ ଏକେଲା ଠିଆ ହୋଇ କିଛି ଭାବୁଛି ତ ତାକୁ ଡକେଇ ଶିକ୍ଷକ ଘରୁ ଆଣିଥିବା ଟିଫିନ ରୁ ଖାଇବାକୁ ଦେଲେ. ଆପଣ ଖାଇବେନି କି ପଚାରିଥିଲା ସରୋଜ ତ ଶିକ୍ଷକ କହିଥିଲେ ଆଜି ମୁଁ ତୋ ଖାଦ୍ୟ ଖାଇବି ତୁ ମୋ ଖାଦ୍ୟ ଖାଆ. ସରୋଜ ହସିବା ବଦଳରେ କାନ୍ଦି ପକେଇ ଥିଲା ଓ କହିଥିଲା ମୁଁ ସବୁବେଳେ ସ୍କୁଲରେ ମଧ୍ୟା୍ହ୍ନ ଭୋଜନ ଖାଏ. ଶିକ୍ଷକ କହିଲେ ତେବେ ମୁଁ ଆଜି ମଧ୍ୟାହ୍ନ ଭୋଜନର ତୋ ଭାଗ ଖାଇବି ତୁ ମୋ ଭାଗ ଖାଆ. ବାହାରେ ପିଲାମାନେ ହସାହସି ହେଲାବେଳେ ସରୋଜ ବଡ଼ ଆଗ୍ରହରେ ଶିକ୍ଷକ ଦେଇଥିବା ଟିଫିନ ଖାଇସାରି କହୁଥିଲା ଏମିତି ଖାଇବା ମୋ ମାଆ ହାତରେ କେବେ ଖାଇଥିଲି ମନେ ନାହିଁ. ଆଈ ହାତରୁ କିଛି ଦିନ ଖାଇବା ସୌଭାଗ୍ୟ ଓ ଖୁସି ମିଳିଥିଲା ଯେ ସେ ଆରପାରି କୁ ଚାଲିଗଲା ପରେ ମତେ ଏମିତି ଶ୍ରଦ୍ଧାରେ କେହି କେବେ ଭଲ ଖାଇବା କରିକି ଦେଇନି ତେଣୁ ଆଜି ଆପଣ ହସୁଥିବା ପିଲା ବା ସେ ପାଖରେ ନିଶ୍ଚୟ ତା ମାଆ ଅଛି ବୋଲି ବୁଝିଯାଇଥିଲି ମନକୁ ମନ. ଶିକ୍ଷକ ପଚାରିଲେ ହେଲେ ତୁମର ତ ମାଆ ଅଛନ୍ତି ବୋଲି ତୁମ ରେକର୍ଡ କହୁଛି. ହଁ ଆଜ୍ଞା ମାଆ ଅଛନ୍ତି କିନ୍ତୁ ସେ ମାଆ ମୋ ସାବତ ମାଆ.
ସରୋଜ କହୁଥିଲା ମୁଁ ଦୁଇ ତିନି ବର୍ଷର ହେଲା ପରେ ବାପା ମତେ ବାଇକ ରେ ବସେଇ ମାମୁଁ ଘର ନେଲାବେଳେ ମୁଁ ଖୁସି ଥିଲି କାରଣ ଆଈ, ଅଜା, ମାମୁଁ, ମାଇଁ ଓ ମାମୁଙ୍କ ପୁଅ ମୋ ଟିକି ଭାଇ କୁ ଦେଖିବି ବୋଲି କିନ୍ତୁ ସେଠାରେ ଛାଡିକି ଆସି ବାପା ଆଉ ମତେ ନେବାକୁ ଆସୁନଥିଲେ ତ ମୋର ମୋ ବୋଉ କଥା ଖୁବ ମନେ ପଡୁଥିଲା. ଆଈ ମୋର ସବୁକଥା ବୁଝୁଥିଲେ ବି ବୋଉ କଥା ପଚାରିଲେ ସେ କାନ୍ଦୁଥିଲା. ଦିନେ ହଠାତ ମୋ ବାପା ପହଁଞ୍ଚି ମତେ ଘରକୁ ଆଣିବାକୁ ଜିଦ କଲାବେଳେ ଆଈ ପ୍ରତିବାଦ କରିଥିଲେ କିନ୍ତୁ ମୁଁ ମୋ ବୋଉ ପାଖକୁ ଫେରିଯିବି ଆଈ କାହିଁକି ମନା କରୁଛି ବୁଝିପାରୁନଥିବା ବେଳେ ବାପା କହିଥିଲେ ଯେ ମୁଁ ଏଣିକି ପଢ଼ିବି ଓ ମୋର ଗୋଟେ ଛୋଟ ଭଉଣୀ ମୋ ବୋଉ କୋଳକୁ ଆସିଛି ତାକୁ ଦେଖିବି. ମୋ ଛୋଟ ଭଉଣୀ ହେଇଛି ମତେ ଜଣା ନାହିଁ ଭାବି କାନ୍ଦ ମାଡିବା ପରିବର୍ତ୍ତେ ହସି ହସି ଘରକୁ ବାପାଙ୍କ ସଙ୍ଗେ ଆସିଥିଲି. ଭଉଣୀ ଓ ବୋଉକୁ ଦେଖିବା ତଥା ପାଠ ପଢିବା କଥା ଶୁଣି ଆଈଙ୍କ ସ୍ନେହ ମମତା ଆଡେଇ ଘରକୁ ଆସି ଦେଖିଲି ମୋ ଛୋଟ ଭଉଣୀ ମୋ ବୋଉ ପରିବର୍ତ୍ତେ ଆଉ ଜଣେ ସ୍ତ୍ରୀ ଲୋକ କୋଳରେ ଶୋଇଛି. ଆଉ ମୋ ବୋଉ ଫଟ ହୋଇ କାନ୍ଥରେ ମାଳ ପିନ୍ଧି ଝୁଲୁଛି. ମୁଁ ଖୁବ କାନ୍ଦିଲା ବେଳେ ନୂଆ ମାଆ ଆସି ମତେ ବୁଝାଇବା ବେଳେ ତାଙ୍କ ହାତ ଛାଟି ଦେଇଥିଲି ମୁଁ.ଆଈ ମଧ୍ୟ ପରେ ପରେ ସ୍ୱର୍ଗବାସୀ ହେଲେ ତ ସେଇଦିନୁ ମୁଁ ହସିପାରିନି. ତା କଥା ଶୁଣି, ବାହାରେ ଶୁଣୁଥିବା ତା ସାଙ୍ଗମାନେ କିଛି ନବୁଝି ହସୁଥିଲା ବେଳେ ଶିକ୍ଷକ କିନ୍ତୁ କାନ୍ଦିପକେଇ ଥିଲେ.
ତା ପରଦିନ ସରୋଜକୁ ଡକାଇ ପଠାଇ ପୁଣି ନିଜ ଟିଫିନ ଦେଇ ଶିକ୍ଷକ କହିଲେ ଆଜି ମୁଁ ତୁମକୁ ଦ୍ରୌପଦୀ ଙ୍କ ବିଷୟରେ ଗୋଟେ କଥା କହିବି ଶୁଣିବ!ହଁ ସାର କୁହନ୍ତୁ.ମୋ ଆଈ ମତେ ଅନେକ କାହାଣୀ କହିବା ଭିତରେ ମହାଭାରତ କଥା କହେ ଓ ଦ୍ରୌପଦୀ ଙ୍କ କଥା ମଧ୍ୟ କୁହେ. ତାଙ୍କର ପାଞ୍ଚ ପତି ପଞ୍ଚୁପାଣ୍ଡବ ଥିଲେ. ସେମାନେ ହେଲେ ଯୁଧିଷ୍ଠିର, ଭୀମ, ଅର୍ଜ୍ଜୁନ, ନକୁଳ ଓ ସହଦେଵ. ଶିକ୍ଷକ କହିଲେ ହଁ ଠିକ ମନେରଖିଛ. ଭୀମଙ୍କର ଅନ୍ୟ ଜଣେ ସ୍ତ୍ରୀ ଥିଲେ. ତାଙ୍କ ନାମ ହିଡିମ୍ବା ଓ ତାଙ୍କ ପୁତ୍ରଙ୍କ ନାମ ଥିଲା ଘଟୋତ୍କୋଚ. ସେ କିନ୍ତୁ ଥରେ ବିମାତା ଦ୍ରୌପଦୀଙ୍କୁ ଅସମ୍ମାନିତ କରିଥିବାରୁ ତାଙ୍କ ଆୟୁଷ କମିଯାଇଥିଲା ଓ ସେ ଅକାଳ ମୃତ୍ୟୁ ବରଣ କରିଥିଲେ. ଦ୍ରୌପଦୀ ନିଜେ କେବେ ତାଙ୍କୁ ସଉତୁଣୀ ପୁତ୍ର ଭାବି ନଥିଲେ କି ଜାଣିଶୁଣି ଅଭିଶାପ ଦେଇନଥିଲେ ମଧ୍ୟ ମାତୃ ଜାତି ପ୍ରତି ଅସମ୍ମାନ ରେ ନିଜର କ୍ଷତି ହୁଏ. ତୁମର ଭଉଣୀଟିଏ ଅଛି ସରୋଜ. ତୁମେ ଯଦି ବିମାତା ଙ୍କ ପ୍ରତି ସଦୟ ନହୁଅ ତେବେ ତୁମ ସହ ତୁମ ଭଉଣୀର ଭବିଷ୍ୟତ କଣ ହେବ କହିଲ! ସରୋଜ ସେଦିନ ଶିକ୍ଷକଙ୍କର ଗୋଡ଼ ଧରି ପକେଇ ଥିଲା. ଏଣିକି ସରୋଜ ସବୁଦିନ ହସୁଥିଲା ଓ ଘରୁ ନୂଆମାଆ ଙ୍କ ହାତରନ୍ଧା ଟିଫିନ ଆଣି ନିଜେ ଖାଇ, ସାଙ୍ଗମାନଙ୍କୁ ଦେଇ ପୁଣି ସାରଙ୍କୁ ବେଳେ ବେଳେ ଭଲ ଖାଇବା ଦେଇ ହସୁଥିଲା.ଏଣିକି ଶିକ୍ଷକ ବୁଝିଯାଇଥିଲେ ସରୋଜ ହସିବା ପଛର ରହସ୍ୟ. ସେ ନିଶ୍ଚୟ ନିଜ ବ୍ୟବହାରରେ ମାଆ ପରି ନୂଆ ମାଆର ହୋଇଯାଇଯାଇଛି ସୁପୁତ୍ର. ସେଦିନ ଇଂରାଜୀ କ୍ଲାସ ରେ ଶିକ୍ଷକ କହିଲେ ସରୋଜ ଠିଆ ହେଲ. ସେଦିନ ମୁଁ ଲେଖିବାକୁ ଦେଇଥିବା ଟ୍ରାନ୍ସଲେସନ କରିବାକୁ ଯାଇ ତୁମେ ପଚାରିଥିଲ କି ସାର 'ସେ'କିଏ ଓ ସେ କେମିତି ସବୁବେଳେ କ୍ଲାସ ରେ ହସୁଛି, ବାକ୍ୟଟିର ଟ୍ରାନ୍ସଲେସନ କରିବା ପରିବର୍ତ୍ତେ ତୁମେ ଯେଉଁ ପ୍ରଶ୍ନ ପଚାରିଥିଲ କି ସେ କିଏ ଓ ତା ପାଖେ କଣ ଅଛି ଯେ ସେ ସବୁବେଳେ ହସି ପାରୁଛି!ଆଜି ତାର ଉତ୍ତର ହେଉଛି ଶୁଣ.ସେ ନିଜେ ତୁମେ ସରୋଜ ଓ ତୁମ ପାଖେ ଏବେ ତୁମ ମାଆ ଙ୍କ ହାତ ଓ ଆଶୀର୍ବାଦ ଅଛି. ସବୁ ପିଲାଙ୍କ ସହ ସରୋଜ ସେଦିନ ଖୁବ ହସିଥିଲା.
