ଜଙ୍ଗଲ ନିଆଁ ର କୁହୁଳା ଧୂଆଁ
ଜଙ୍ଗଲ ନିଆଁ ର କୁହୁଳା ଧୂଆଁ
ପାହାଡ଼ ର ପାଦ ତଳେ ହୁତ ହୁତ ହୋଇ ନିଆଁ ଜଜୁଥିଲା. ଜଙ୍ଗଲ ନିଆଁ କୁ ଭୟ କରୁନଥିବା ଜନଜାତିତଥା ବନବାସୀ ଲୋକେ ଏମିତି କେତେ ନିଆଁ ଦେଖି ଡରିଯାଇନାହାଁନ୍ତି.ସେମାନେ ବରଂ ପାହାଡ଼ ପାଦ ତଳେ ନିଆଁ ଲାଗିଲେ ଜଙ୍ଗଲ ମାଂସ ପାଟିରେ ବାଜେ ତାଙ୍କର ଓ ପୋଡୁ ଚାଷ ପାଇଁ ଆପେ ଆପେ ପ୍ରକୃଷ୍ଠ ପରିବେଶ ସୃଷ୍ଟି ହୋଇଯାଇଥାଏ. ପାହାଡ଼ ମୂଲକ ର ପାହାଡ଼ ପାଦ ତଳେ ବସବାସ କରୁଥିବା ଲୋକେ ନଡରି ନିଆଁ ଛାଡ଼ିବା ପରେ ଖୋଜୁଥାଆନ୍ତି କିଛି. କେବେ କେବେ ବାରହା କି କୁଟୁରା ମାଂସ ପାଟିରେ ବାଜେ ପୁଣି କେବେ କିଛି ବାଜିବା ଦୁରେଥାଉ ଜଳି ଯାଇଥାଏ ଅଳସୀ କ୍ଷେତ ଓ ଜଳିଯାଇଥାଏ ମହୁଲ ବଣ. ଆଜି ସାବେରୀ ବୁଢ଼ୀର ମନ ଜଳିଯାଉଛି. ଏଇ ଗାଁର ଅନାଥ ବଳିଆ ବାପା ମାଆ ଛେଉଣ୍ଡ ହେଲେ କଣ ହେବ ବୁଢ଼ୀର ଗୋଟା ପଣେ ନିଜର. ଜୁଆନ ମରଦ ତାର ବାଘ ମୁଁହଁ ରେ ଗଲାପରେ ଦୁତୀୟ ହୋଇନି ସାବେରୀ ବରଂ ମରଦର ସ୍ମୃତି କୁ ଜାବୁଡି ତାରି ହାତ ତିଆରି ବଖୁରିଆ ଘରେ ପଡି ରହିଛି ଜଙ୍ଗଲ ଭରସାରେ ଆଉ ବୟସ ଗଡ଼ିଗଲା ପରେ ଵନିଯାଇଛି ଯଶୋଦା ମାଆ ବଳିଆର. ହାତରେ ଜାଉ, ଖୁଦପିତା, କରଡ଼ି ଭାଜି କୃଷ୍ଣ ଙ୍କୁ ଶ୍ରଦ୍ଧାରେ ଖୁଆଇଲା ଭଳି ବାଲିଆକୁ ଖୁଆଇଲା ବେଳେ ସାବେରୀ ଲାଗେ ଶବରୀ ପରି. ଭକ୍ତି କରି ଶ୍ରୀରାମ ଙ୍କୁ ବାଛି ବାଛି ଅଇଁଠା କୋଳି ଦେଇ ଶବରୀ ଇତିହାସ ପାଲଟି ଯାଇଥିବା ପରି ଏଠି ସାବେରୀ ନିଜ ମାତୃ ପଣିଆର ଇତିହାସ ଲେଖୁଥିଲା ବଳିଆ ଆଖିରେ, ମନରେ. ପାଗଳ ହେଲେ ବି ବଳିଆ ବୁଝୁଥିଲା ସାବେରୀ ମାଆ ହିଁ ଏତେ ବଡ଼ ପାହାଡ଼ ପାଦ ତଳ ଗାଁରେ ତାର ଏକମାତ୍ର ନିଜର. ସେହିଁ ଅପେକ୍ଷା କରିଥିବ ତା ଫେରିଲା ବାଟକୁ.
ସକାଳୁ ମାଣ୍ଡିଆ ଜାଉ ଖାଇ ଗାଇ ଗୋଠ ନେଇ ବଳିଆ ଯାଇଛି ଯେ ଯାଇଛି. ଗାଇ ଗୋଠ ନେଇ ଗଲାବେଳେ ମୁଣ୍ଡରେ ଗାମୁଛା ବାନ୍ଧି ତା ଭିତରେ ମୟୁର ଚୂଳ ଖୋସି ଓ ହାତରେ ବଇଁଶୀ ଧରେଇ ସାବେରୀ କହେ ମୋ ଧନ, ମୋ କାହ୍ନୁ. ନଈ ଭିତରକୁ ଯିବୁନି.କୁମ୍ଭୀର ଭିଡ଼ିନେବ ଧନ, ତତେ ଛାଡ଼ି ମୁଁ ବଞ୍ଚିବି କେମିତି!ଘଡ଼ିରେ ପାଣି ଭରି, ହାଟ ରୁ ଆଣିଥିବା ଗାମୁଛାକୁ ଏମିତି ବାନ୍ଧିଦିଏ ସାବେରୀ ଯେ ଝୁଲା ନୁଁହଁ ବରଂ ଵନିଯାଏ ସତେ ଗୋଟେ ବ୍ୟାଗ. ତା ଭିତରେ ଥିବା ଖୁଦ ଭଜା ରଖି ସାବେରୀ କହେ ଭୋକ ହେଲେ ଖାଇ ପାଣି ପିଇନେବୁ ବାବୁ ମୋର କିନ୍ତୁ ନଦୀ ଆଡ଼େ କି ଘଞ୍ଚ ଜଙ୍ଗଲ କୁ ଯିବୁନି ମୋ ଧନ. ବୁଝି ମୁଣ୍ଡ ଟୁଙ୍ଗାରି ଘରୁ ବାହାରିଯାଏ ଗାଁ ଗୋଟାକର ଗାଈ, ଛେଳି, ମେଣ୍ଢା ନେଇ ପାହାଡ଼ ପାଦ ତଳକୁ ବଳିଆ ତ ସାବେରୀ କହେ ମୋ ପୁଅକୁ ଯିଏ ପାଗଳ କହୁଛି ତା ପାଟିରେ ପୋକ ପଡ଼ୁ.ଆଜି ପାହାଡ଼ ପାଦ ତଳେ ନିଆଁ ଲାଗିବାରୁ ଅଭ୍ୟସ୍ତ ଗାଈ, ଛେଳି, ମେଣ୍ଢା ଫେରିଆସିଥିଲେ ଗାଁକୁ କିନ୍ତୁ ବଳିଆ ଗଲା କୁଆଡେ! ପୁଅଟା ଖୁଦ ପଖାଳ ସାଙ୍ଗରେ କି ଜଅ ପଖାଳ ସଙ୍ଗେ ଶାଗ ଟୋପେ ଖାଇବ ବୋଲି ହାଟରୁ ମଞ୍ଜି ଆଣି ପଟାଳି କରି ବୁଣିଛି ସାବେରୀ. ଛୋଟ ଛୋଟ ଶାଗ କୁ ଦେଖି ସବୁଦିନ ସ୍ବପ୍ନ ଦେଖେ ଚିତ୍ରରେ ଦେଖିଥିବା ଜଗନ୍ନାଥ ଙ୍କ ପରି ଜାଉ ଓ ଶାଗ ବାଢି ବାଲିଆକୁ ଖୋଇବ ଓ କହିବ ଏହି ହିଁ ଆମ ବନବାସୀ ଙ୍କ କୈବଲ୍ୟ. ମହାପୁରୁ ଜାଗା ଙ୍କ ଭୋଗ. ପୁଣି କହିବ ତୁ ମୋ ଜଗା ତୁ ମୋ ବଳିଆ ରେ ମୋ ପୁଅ. ହେଲେ ଆଜି ଶାଗ ପଟାଳି କୁ ଚାହିଁ ସ୍ବପ୍ନ ଦେଖିବା ପରିବର୍ତ୍ତେ ଦାଣ୍ଡ ରୁ ବାହାର ହେଉଥିଲା ମାଆ ସାବେରୀ. ଡର ସିନା ନାହିଁ ହେଲେ ସର୍ବାଗ୍ରାସୀ ନିଆଁ ଆଗରେ ତାର ସାହାସ କାହିଁ ଖୋଜିବାକୁ ଯାଇ ପୁଅକୁ!
ରାତି ପାହି ସକାଳ ହେଲା. ସମସ୍ତେ ଚାଲିଲେ ପାହାଡ଼ ପାଦ ତଳକୁ. କିଏ ଦେଖିବାକୁ ମହୁଲ ଫୁଲ ବଣକୁ ତ କିଏ ଦେଖିବାକୁ ଅଳସୀ କ୍ଷେତକୁ ତ କିଏ ଖୋଜୁଥିଲା ଜଙ୍ଗଲ ମାଉଁସ. ଧୁମ ଓ ତା ପୁଅ କୁସୁମା ପାଇଗଲେ ଜନ୍ତୁ ଟାଏ. ଚିହ୍ନି ହେଉନି ବାରାହା କି କୁଟୁରା କି କୋଉ ଜନ୍ତୁ. ସର୍ବାଙ୍ଗ ପୋଡି ଯାଇଛି. ବଞ୍ଚିଛି ଯାହା ତାକୁ ଗୋଟେଇ ପୋଟେଇ ଅଖାରେ ଭରି ଧୁମ ଭାବୁଥିଲା ସହରୀ ବାବୁ କଥା. ହରିଡ଼ା ବାହାଡା, ଅଁଳା, ମହୁ, ଝୁଣା ନେଇ ଗଲେ କହିବ ଆଉ ତୁମ ଗାଁ ପାହାଡ଼ ପାଦ ତଳେ ନିଆଁ ଲାଗୁନି କିରେ ଧୁମ!କଥାଟା ବୁଝିଯାଏ ଧୁମ. ବାବୁ ଏତେ ଜିନିଷ ଯଥା ପୋଷାକ, ଚାଉଳ, ଗହମ, ଜୋତା, ଛତା ଯୋଗେଇ ଦେଉଛି ବୋଲି ତାକୁ ସବୁ ନେଇ ବ୍ୟବହାର କରି ଗାଁରେ ତାର କେତେ ଖାତିର ଆଉ ସେ ବାବୁର ମନକଥା ବୁଝି ପାରିବ ନାହିଁ! ଜଙ୍ଗଲୀ ପୋଡା ମାଂସ ରେ ବାବୁର ଭାରି ଲୋଭ. ଆଜି ନେଇଯିବ ବାବୁ ପାଇଁ. ପୁଅ କୁସୁମା ଲାଗିପଡ଼ିଛି ପୋଡା ମାଂସ ରୁ ଭଲ ଭଲ ହାଡ଼ ଲାଗିଥିବା ମାଂସ ଯୋଗାଡ଼ କରିବାରେ. ହଠାତ କୁସୁମା ପାଟି କରି ଉଠିଲା ବାପା ବାପା ଦେଖିଲ ଜନ୍ତୁଟାର ପାଟିରେ ମଣିଷ ଦାନ୍ତ. ଦେଖି ଦେଖି କହି ନଇଁ ପଡିଲା ଧୁମ. ସତେତ ଏଇଟା କୋଉ ଜନ୍ତୁ ବୁଝିନପାରି ବାପ ପୁଅଙ୍କ ମନ ଶୁଖି ଯିବା ବେଳେ ସାବେରୀ ବୁଢ଼ୀ ଡାକ ଛାଡିଥିଲା କୁଆଡେ ଗଳୁରେ ବଳିଆ ପୁଅ ମୋର!ସର ଲବଣୀ ଦେଇନି ସିନା ହେଲେ ଶାଗ ପଟାଳିର ଶାଗ ତୋଳିବି. ଖୁଦ ପଖାଳ କରିବି. ଗୋଡ଼ରେ ବସେଇ ଖୁଆଇବି. ଫେରିଆ ଧନ. ଏପଟେ ଧୁମ ଓ କୁସୁମା ଫୋପାଡି ଫିଙ୍ଗି ମାଂସ କୁ ବୁଢୀକୁ କହୁଥିଲେ ଆଲୋ ପାଗଳ ଟା ସେ.ଏପଟ ପାହାଡ଼ ପାଦ ତଳେ ନିଆଁ ଲାଗିବାରୁ ସେପଟ କୁ ଚାଲିଯାଇଥିବ. ଭୋକ କଲେ ବଳେ ଫେରିବ ବଳିଆ.ସାବେରୀ ବୁଢ଼ୀ ଡାକି ଡାକି ତଣ୍ଟି ଶୁଖି ଗଛ କାଟିଲା ପରେ ଗଣ୍ଡି ପରି ପଡି ରହିଥିଲା ପାହାଡ଼ର ପାଦ ତଳେ.
