Sanatan Das

Romance Tragedy

4.2  

Sanatan Das

Romance Tragedy

ଇନ୍ ଲାଣ୍ଡ ଲେଟର ଓ ଅନାମିକା ଦାସ

ଇନ୍ ଲାଣ୍ଡ ଲେଟର ଓ ଅନାମିକା ଦାସ

11 mins
958


ପୁଅ ମୋବାଇଲ ଧରି ଖେଳୁଥିଲା। ସ୍ବାମୀ ଅଫିସ୍ ଉପର ମହଲାରେ ଅଫିସ୍ କାମ।କରୁଥିଲେ। ସ୍ବାମୀଙ୍କ କଡ଼ା ନିର୍ଦେଶ , କାମ କରିଲା ବେଳେ କେହି ଯେମିତି ତାଙ୍କୁ ଡିଷ୍ଟ୍ରବ୍ ନ କରନ୍ତୁ। ସେଥିପାଇଁ ପୁଅକୁ ତଳ ଡ୍ରଇଂ ରୁମ ରେ ଖେଳିବାକୁ କହିଛି। ରୋଷେଇ ଘରେ ସେଦିନର ମଧ୍ୟାହ୍ନ ଭୋଜନ ପାଇଁ ସୀମା ରୋଷେଇ କରୁଥିଲା। ଚାରିଆଡେ କରୋନା ମହାମାରୀ ଯୋଗୁ ସମସ୍ତେ ଘର ଭିତରେ ବନ୍ଦ୍ ହୋଇ ରହିଥାନ୍ତି। ଘରେ ରହି ରହି ସମସ୍ତେ ବୋର୍ ହୋଇଗଲାଣି। କେତେ ଦିନ ବା ଆଉ ଘରେ ରହିବେ?? ସାଧାରଣ ଦିନ ମାନଙ୍କରେ ସୀମା , ତା ସ୍ବାମୀ ଆଉ ପୁଅ ସିନେମା ଯାଆନ୍ତି, ପାର୍କ ଯାଆନ୍ତି, ଆଉ ଢେର୍ ବୁଲନ୍ତି। କିନ୍ତୁ କୁଆଡେ ଥିଲା ଏ ରୋଗ ଟା କେଜାଣି ସବୁ ସାରିଦେଲା।


କାନ୍ଥ ଘଣ୍ଟା ରେ ଟଂ ଟଂ ହୋଇ ୧ ବାଜିଲା। ସୀମାର ରୋଷେଇ ସରି ଯାଇଥିଲା। ସେମାନେ ସମସ୍ତେ ୨ ଟା ବେଳେ ଲଞ୍ଚ କରନ୍ତି। ହାତରେ ଆହୁରି ୧ ଘଣ୍ଟା। କଣ୍ କରିବ? ପୁଅ ତାର ମୋବାଇଲ ଗେମ୍ ରେ ବ୍ୟସ୍ତ। ଭାବିଲା ଟିକେ ବେଡ୍ ରେ ଗଡପଡ ହୋଇଯିବ। ଏହା ଭାବି ସେ ବେଡ୍ ରୁମ କୁ ଗଲ। ତଥାପି ନିଦ ଲାଗୁ ନଥାଏ। ତେଣୁ ସେ ଭାବିଲା କିଛି ଗୋଟେ ବହି ପଢିବ ବୋଲି। ସେ ଡ୍ର ଖୋଲି ଏକ ଉପନ୍ୟାସ ବାହାର କଲା। ବେଡ୍ ଉପରକୁ ଆସି ବହି ଖୋଲିଲା ମାତ୍ରେ ସେଥିରୁ ଗୋଟେ କଣ୍ ବେଡ୍ ଉପରେ ପଡ଼ିଗଲା। ସୀମା ଉଠେଇ ଦେଖିଲା ବେଳକୁ ସେଇଟା ଗୋଟେ ଇନ୍ ଲାଣ୍ଡ ଲେଟର ବା ଅନ୍ତର୍ଦେଶୀୟ ପତ୍ର ଥିଲା। ବୁଝିବାକୁ ଗଲେ ତାହା ଏକ ବହୁତ୍ ପୁରୁଣା ଚିଠି ଥିଲା।


ଚିଠିର ଗ୍ରାହକ ଠିକଣାରେ ତା ସ୍ବାମୀ ଅଜୟ ଙ୍କ ନାମ ଥିଲା, କିନ୍ତୁ ପ୍ରେରକ ଠିକଣା ରେ କେହି ଜଣେ ଅନାମିକା ଦାସ, ଜଗତସିଂହପୁର ର ନାମ ଥିଲା। ସୀମା ମନରେ ଅସୁମାରୀ ପ୍ରଶ୍ନ। ଏ ଅନାମିକା କିଏ? ତା ଚିଠିକୁ କାହିଁକି ତା ସ୍ବାମୀ ଏତେ ଦିନ ହେଲା ରଖିଛନ୍ତି? କାଇଁ କେବେ ତ ଅଜୟ ଏ ବିଷୟରେ ତାକୁ କିଛି କହି ନାହାନ୍ତି। କଣ୍ ଏହାର ରହସ୍ୟ? ଭାବିଲା ଚିଠି ଖୋଲି ପଢ଼ିଲେ ଜଣା ପଡ଼ିବ। ତାପରେ ସେ ବେଡ୍ ରୁମ କବାଟ ଭିତରୁ ଆଉଜେଇ ଦେଇ ବେଡ୍ ଉପରେ ବସି ଚିଠି ପଢ଼ିବାକୁ ଲାଗିଲା।


ଚିଠି ରେ ତାରିଖ ପଢିଥିଲା, ୨୬-୦୯-୧୯୯୯ ମସିହା। 

ତା ପରେ ଚିଠି ପଢ଼ିବାକୁ ଲାଗିଲା -


ପ୍ରିୟ ଅଜୟ,

ହୃଦୟର ଗଭୀର ପ୍ରଦେଶରୁ ତୁମକୁ ଅନେକ ଭଲ ପାଇବା। ଆଶା କରେ ତୁମେ ମୋ ଠାରୁ ଦୂରେଇ ଭଲରେ ଥିବ। ବହୁତ୍ ଦିନ ହେଲା ଚିଠି ଲେଖିବି ବୋଲି ଭାବୁଥିଲି, ହେଲେ ଘର କାମରେ ମୁଁ ସବୁ ଭୁଲି ଯାଉଛି, ବାପା ଙ୍କୁ ଲୁଚି ଲୁଚି ଏ ଚିଠି ଲେଖୁଛି। ବୋଉ ର ଦେହ ଭଲ ନ ଥିବାରୁ ମୋତେ ସବୁ କାମ କରିବାକୁ ପଡ଼ୁଚି।

ଆଜି ୩ ବର୍ଷ ପରେ ତୁମକୁ ଚିଠି ଲେଖୁଛି।

ଅଜୟ, କଲେଜ ରେ ପଢିବା ବେଳେ ତୁମ ସହ କେମିତି ଏତେ ନିବିଡ ସମ୍ପର୍କ ହୋଇଗଲା ଜାଣି ପାରିଲିନି। ଵୋଧ୍ ହୁଏ ତୁମର ସରଳତା ଆଉ ମେଧାବୀ ପିଲା ହିସାବରେ ତୁମର ଖ୍ୟାତି ମୋତେ ତୁମ ପାଖକୁ ଟାଣି ଆଣିଥିଲା। ତୁମେ ବଡ଼ ଘର ର ପୁଅ ଥିଲ, ମୁଁ ଗୋଟେ ଗରିବ ଘର ଝିଅ ଥିଲି। ବାମନ ହୋଇ ଚାନ୍ଦ କୁ ହାତ ବଢେଇଥିଲି। ଦିନେ ତୁମକୁ ପ୍ରେମ ଭିକ୍ଷା କରିଥିଲି। ତୁମେ ପ୍ରଥମେ ଅରାଜି ହେଲେ ମଧ୍ୟ ପରେ ମୋ ପ୍ରେମକୁ ତୁମ ହୃଦୟ ରେ ସ୍ଥାନ ଦେଇଥିଲ।

ଧୀରେ ଧିରେ ଆମ ପ୍ରେମ ସମସ୍ତେ ଜାଣିଗଲେ। ତୁମ ଘରେ ତୁମକୁ ବାରଣ କଲେ ମୋ ସହ ମିଶିବାକୁ। ଆମ ଘରେ ମଧ୍ୟ ସେଇ ଅବସ୍ଥା ହେଲା। ତଥାପି ଆମେ ଦୁହେଁ ଲୁଚି ଛପି ଦେଖା କରୁଥିଲେ। ଆମ ଭିତରେ ସେମିତି କିଛି ଦେହ ର ଆକର୍ଷଣ ନ ଥିଲା, ଥିଲା ଶାଶ୍ଵତ ଭଲ ପାଇବା ଆଉ ପରସ୍ପର ପ୍ରତି ସମ୍ମାନ। ତଥାପି ଆମ ନାଁ ରେ ନିନ୍ଦା ଅପବାଦ ଚାରିଆଡେ ଖେଳିଗଲା। କଲେଜ ପିଲାମାନେ ମିଛ ସତ କହିଲେ। ଏଥିପାଇଁ ତୁମ ବାପାଙ୍କ ସମ୍ମାନରେ ଆଞ୍ଚ ଆସିଲା।

ଦିନେ ତୁମେ କଲେଜ ଆସି ନ ଥିଲ। ମୋତେ ପ୍ରିନ୍ସିପଲ୍ ଙ୍କ ରୁମ କୁ ଯିବା ପାଇଁ ଡାକରା ଆସିଲା। ମୁଁ ଗଲାବେଳକୁ ତୁମ ବାପା ଆଉ ପ୍ରିନସିପଲ୍ କଥା ହେଉଥାନ୍ତି। ମୁଁ ଭିତରକୁ ଗଲି। ପ୍ରିନସିପାଲ ମୋତେ ରାଗ ରେ ଚାହିଁଲେ। ତାପରେ ମୋତେ ତୁମ ବାପା ଧମକାଇ କହିଲେ, - ଦେଖ୍, ଝିଅ... ତୁ ମୋ ପୁଅ ପଛରେ ଆଉ ପଡ ନା। ମୁଁ ଜାଣିଛି ତୁମ ମାନଂକ ପରି ଗରିବ ଆଉ ଛୋଟ ଲୋକ ର ଝିଅ ମାନେ ଏମିତି କୌଶଳ କରି ବଡ଼ ଘର ପୁଅ ମାନଙ୍କୁ ଫସାଇ ଟଙ୍କା ଝଡାନ୍ତି। ତୁମେ ମାନେ ସବୁ ଜାଣି ଜାଣି ଏମିତି କରିଥା ଅ। ଭଲ ଦଶା ଅଛି ଯଦି ମୋ ପୁଅ ଠାରୁ ଦୂରେଇ ଯା, ନହେଲେ ଏ କଲେଜ ରେ ତୁ ପଢି ପାରିବୁନି। କେତେ ଟଙ୍କା ଦରକାର ତୋର?? ଏଇ ନେ ବ୍ଲାଙ୍କ ଚେକ୍। ଯେତେ ଇଚ୍ଛା ସେତେ ଟଙ୍କା ଲେଖିଦେ। ଆଉ ମୋ ପୁଅ ପିଛା ଛାଡ। ମୁଁ ସବୁ ଚୁପ୍ ଚାପ୍ ଶୁଣୁ ଥାଏ। ଆଖିର ଲୁହ ଅମାନିଆ ହୋଇ ବହି ଯାଉଥାଏ। ପ୍ରିନ୍ସିପାଲ ବି ମୋତେ ଗାଳି କଲେ। ମୁଁ ତୁମ ବାପାଙ୍କ ମୁହଁକୁ ଚାହିଁଲି, ମନେ ମନେ ଭାବିଲି, ଏମିତି ଜଣେ ଅହଂକାରୀ ଆଉ ଗର୍ବି ଲୋକଙ୍କ ଘରେ ତୁମ ପରି ସରଳ ପିଲା ଜନ୍ମ ନେଲା କାହିଁକି?

ତାପରେ ଭାବିଲି, ମୋର ପଢ଼ିବାର ଉଦ୍ଦେଶ୍ୟ ଭଲ ପଢି ଚାକିରି କରି ଆମ ଘର ର ଗରିବ ପଣ ଦୂରେଇବା। ଯଦି ମୁଁ କଲେଜ ରୁ ବହିଷ୍କାର ହୋଇଯାଏ, ତେବେ ନିନ୍ଦା ଅପବାଦ ସହ ମୋ ଜୀବନ ପୁଣି ସେଇ ଚିରା ଚରିତ ଦରିଦ୍ରତାର ଚାଦର ତଳକୁ ଚାଲିଯିବ। ମନସ୍ଥ କଲି ତୁମ ଠାରୁ ଦୂରେଇ ଯିବାକୁ। ତେଣୁ ତୁମ ବାପାଙ୍କୁ କହିଲି,- ଦେଖନ୍ତୁ, ଆମ ପ୍ରେମ ଆଉ ଭଲ ପାଇବା ଟଙ୍କାର ସୌଧ ଉପରେ ଗଢା ହୋଇନି, ଆମ ପ୍ରେମ ଶାଶ୍ଵତ। ଆମେ କେବେ ଏତେ ତଳକୁ ଖସିଯାଇନୁ ଯେ, ସମାଜ ଆମକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା। ଆପଣଙ୍କ ଟଙ୍କା, ଆପଣକଂ ଅଭିଯାତ୍ୟ ଆପଣକଂ ପାଇଁ ବଡ଼। କିନ୍ତୁ ଆମ ଭଳି ଗରିବ ଲୋକ ମାନଙ୍କ ପାଇଁ ଆମର ଆତ୍ମ ସ୍ୱାଭିମାନ ବଡ଼। ଆମ ସ୍ବାଭିମାନ କୁ ଆଉ ଚରିତ୍ରକୁ ଯିଏ ଆକ୍ଷେପ କଲା, ଆମେ ବି ଚୁପ୍ ରହିବୁନାହିଁ। ଆପଣଙ୍କ ଟଙ୍କା ଆପଣ ରଖନ୍ତୁ। ମୁଁ ଅଜୟଙ୍କ ଠାରୁ ଦୂରେଇ ଯିବି। ଏହା କହି ମୁଁ ରୁମ ବାହାରକୁ ଚାଲି ଆସିଲ ବେଳେ, ତୁମ ବାପା ମୋତେ ପଛରୁ ଡାକି କହିଲେ, ଶୁଣ, ମୁଁ ତୁମକୁ ଦେଖା କରିଛି ବୋଲି ଯେମିତି ଅଜୟ ନ ଜାଣେ। ମୁଁ କହିଲି, ଆପଣ ବ୍ୟସ୍ତ ହୁଅନ୍ତୁନି, ମୁଁ ଏତେ ବି ସ୍ୱାର୍ଥପର ନୁହଁ ଯେ, ବାପା ଆଉ ପୁଅ ଭିତରେ ଭେଦ ସୃଷ୍ଟି କରିବି। ତାପରେ ମୁଁ ତୁମକୁ ନ ଜଣେଇ ଗାଁକୁ ଚାଲିଗଲି।


ତାପରେ ତୁମେ କଲେଜ ଆସି ମୋତେ ବହୁତ୍ ଖୋଜିବା ପରେ ବି ପାଇଲ ନାହିଁ। ସବୁ ସାଙ୍ଗ ସାଥିଙ୍କୁ ପଚାରିଲ। ଯୋଉ ମାନେ ଆମ ପ୍ରେମକୁ ସହି ପାରୁନଥିଲେ, ସେମାନେ ମୋ ନାଆଁ ରେ ତୁମ ଆଗରେ ମିଛ ସତ କରି ଗପିଲେ।ଏ କଥା ବି କହିଲେ ଯେ, ମୁଁ କାଳେ ତୁମକୁ ଭୁଲି ଯାଇ ଆଉ ଜଣ କୁ ବାହା ହୋଇଗଲି। ତୁମେ ବି ଧୀରେ ଧିରେ ଆ ସବୁ କଥାକୁ ବିଶ୍ୱାସ କରିନେଲ। ଠିକ୍ କଲ। ଏମିତି ସବୁଦିନ ତୁମର ଘୃଣା ର ପାତ୍ର ହୋଇ ବଞ୍ଚିବାକୁ ଚାହେଁ। କିନ୍ତୁ ତୁମ ପରିବାର ରେ ମୋ ପାଇଁ ଝଡ ସୃଷ୍ଟି ହେଉ ସେ କଥା ମୁଁ କଦାପି କରି ପାରି ନଥାନ୍ତି। 

ମୁଁ ଆଉ ଆଗକୁ ପଢି ପାରିଲିନି। ବୋଉ ର ଅବସ୍ଥା ଦିନକୁ ଦିନ ବିଗିଡି ଯାଉଛି, ବାପା ସେଥିପାଇଁ ମୋ ପଢା ବନ୍ଦ୍ କରିଦେଲେ। ସେଥିପାଇଁ ଆଉ ପୁଣି ଥରେ କଲେଜ ଯାଇ ପାରିଲିନି। ଆମ ଗାଁ ପାଖ ପିଲା ଠାରୁ ତୁମ ବିଷୟରେ ସବୁ କଥା ବୁଝୁଥାଏ। ମୁଁ କଲେଜ ନ ଆସିବାରୁ ତୁମେ ବି ମୋତେ ଧୀରେ ଧିରେ ଭୁଲିବାକୁ ଲାଗିଲ। ଏହାପରେ କିଛି ଦିନ ପରେ ଜାଣିବାକୁ ପାଇଲି ଯେ, ତୁମର ମୁମ୍ବାଇ ରେ ଚକିରି ହୋଇଯାଇଛି। ଭାବିଲି ତୁମକୁ ଥରେ ଦେଖା କରିବି, ହେଲେ ପୂର୍ବ କଥା ଭାବି ପାଦ ପଛକୁ ଫେରାଇ ଆଣିଲି। 

ଏବେ ବି ଅଜୟ, ମୁଁ ତୁମକୁ ସେତିକି ଭଲ ପାଏ ଯେମିତି କଲେଜ ସମୟରେ ପାଉଥିଲି। କିନ୍ତୁ ତୁମ ମନରେ ମୋ ପ୍ରତି ସେତିକି ଘୃଣା ତିଆରି ହୋଇ ସାରିଲାଣି। ତେଣୁ ତୁମ ପାଖକୁ ଯିବା କୁ ମୋର ସାହସ ହେଲାନି..! ହେଲେ ଦିନକୁ ଦିନ ମୁଁ ନିଜକୁ ଏକଲା ଅନୁଭବ କରୁଛି। ତୁମର ଶୂନ୍ୟ ସ୍ଥାନ କେହି ପୁରଣ

କରି ପାରିବେନି। ଭାବିଲି ସବୁ ଛାଡ଼ିଦେଇ ତୁମ ପାଖକୁ ପଳେଇବି ଆଉ ସବୁ କଥା ତୁମକୁ କହିଦେବି।

ହେଲେ ଲୋକ କଣ୍ କହିବେ?? ସତରେ ଏଇ ପଦିଏ କଥା କେତେ ଇଚ୍ଛା ଆଉ ଆଶା ର ହତ୍ୟାକାରୀ ସାଜି ଥାଏ ନା??ମୁଁ ଚାଲିଗଲେ ମୋ ବାପା ମା ସମାଜରେ ଚଳି ପାରିବେନି । କେତେ ଅପବାଦ ସହିବେ । ସେଥିପାଇଁ ମୁଁ ମୋ ମନକୁ ବୁଝେଇଲି। ଏକା ପଛେ ରହିଯିବି, ହେଲେ କାହାକୁ କଷ୍ଟ ଦେବିନି।


ଛାଡ ସେ କଥା, ଏଇଟା ମୋର ଶେଷ ଚିଠି ତୁମ ପାଇଁ। ଯଦି କେବେ ସମୟ ହେବ ତେବେ ଉତ୍ତର ଦେବ। ମୋତେ ବିଶ୍ୱାସ ଘାତକ ବୋଲି ଭାବିବନି। ଏ ସବୁ ମୁଁ ତୁମ ଭଲ ପାଇଁ କରିଛି। ହଁ, ଭୁଲ୍ ବୁଝିବନି ମୋତେ। ପାରିବ ଯଦି ତୁମ ବିଶାଳ ହୃଦୟରୁ କ୍ଷମା କରିଦେବ। ମୁଁ ଚିର ଦିନ ପାଇଁ ଏମିତି ଏକୁଟିଆ ଅବିବାହିତ ରହିବି। କାରଣ ମୁଁ କାୟ ମନ ବାକ୍ୟରେ ତୁମକୁ ମୋର ସ୍ବାମୀ ମାନି ନେଇଛି। ମୁଁ ଆଉ କାହାର ବଧୂ ସାଜି ପାରିବିନି।

ଶେଷରେ, ଅଜୟ, ତୁମେ ଯୋଉଠି ବି ରୁହ ଭଲରେ ରୁହ। ବେଳେ ଏ ଅଭାଗିନୀ କୁ ମନେ ପକାଉଥିବ। କେବେ ଆଉ ଦେଖା ହେବ ଜାଣିନି। 

 ଆଉ ବେଶି କିଛି ଲେଖୁନି। ଏଇ ଚିଠି କୁ ପାଖରେ ରଖିଥିବ। ଏ ଚିଠିରେ ମୋର ସ୍ନେହ ଆଉ ଭଲ ପାଇବା ଭରିରହିଛି। ରହୁଚି।

( ଇତି)

ତୁମର ପ୍ରେମ ପାଗଳିନି ଅନାମିକା।


ଏତିକି ବେଳେ ପୁଅ ଆସି କବାଟ ଖୋଲି ଡାକିଲା, ମମି, ଭୋକ ହେଲାଣି, ଖାଇବାକୁ ଦିଅ। ହେଲେ ସୀମା କୁ କିଛି ଶୁଭୁ ନଥିଲା। ତା ଆଖିରୁ ଧାର ଧାର ଲୁହ ବହିଯାଉଥିଲା। ଏହା ଦେଖି ପୁଅ ବାପାଙ୍କୁ ଡାକ ପକେଇଲା, ଡାଡି, ମମି କାନ୍ଦୁଛନ୍ତି। ଜଲଦି ଆସ। ଅଜୟ ବାଲକୋନୀ ରେ ଥାଏ। ଦଉଡି କରି ତଳକୁ ଆସିଲା। ଦେଖିଲା ସୀମା ହାତରେ ଅନାମିକା ର ଚିଠି। ଆଉ ଆଖିରେ ତାର ଅମାନିଆ ଲୁହ। ସେ ସବୁକିଛି ବୁଝିଗଲା। କଣ୍ କରିବ ବି ବୁଝି ପାରିଲା ନାହିଁ। ପୁଅ ଖାଲି ବାପା ମା ଙ୍କୁ ବଲ ବଲ କରି ଅନାଇଥାଏ। ତାପରେ ସୀମା ଆସି ଲୁହ ପୋଛି ସହଜ ହୋଇ ଡାଇନିଂ ଟେବୁଲ୍ ରେ ଖାଦ୍ୟ ବଢିଲା। ସମସ୍ତେ ଖାଇବାକୁ ବସିଲେ। ଅଜୟ ସୀମାକୁ ଅନାଇଲେ। ତଥାପି ସୀମା ଆଖିରେ ଲୁହ ଟିକେ ଟିକେ ଏବେ ବି ଅଛି। ପୁଅକୁ ଖୁଆଇ ଦେଲା ପରେ ତାକୁ ଶୁଆଇ ପକେଇଲା ସୀମା। ତାପରେ ଡାଇନିଂ ଟେବୁଲ୍ କୁ ଆସିଲା। ଅଜୟ ପାଖରେ ବସିଲା। ଆଉ କାନ୍ଦିବାକୁ ଲାଗିଲା। କହିଲା, ତୁମ ଜୀବନରେ ଏତେ ଘଟଣା ଘଟି ଯାଇଛି ମୋତେ କହିନ କଣ୍ ପାଇଁ? ମୁଁ କଣ୍ ଏତେ ପରା ହୋଇଗଲି?? 

ଅଜୟ ସୀମା କୁ ଅନେଇ କହିଲା, - ନା, ସୀମା। ମୁଁ ଏଇଥି ପାଇଁ କହି ନ ଥିଲି, କି କାଳେ ଆମ ବୈବାହିକ ଜୀବନରେ ଝଡ ଆସି ଯିବ ବୋଲି। ମୁଁ ଅନାମିକା କୁ ହରାଇଲା ପରେ ତୁମ କୁ ହରେଇ ବାକୁ ଚାହୁଁ ନ ଥିଲି। 

ସୀମା - ଆଛା, ଅନାମିକା ଏବେ କୋଉଠି?

ଅଜୟ - ଆଗ, ଖାଇ ସାର। ରାତିରେ ସେ କଥା ତୁମକୁ କହିବି। 

ସୀମା - କାଇଁ ଏବେ କହିଲେ କଣ ଅସୁବିଧା ଅଛି କି?

ଅଜୟ - ନା ଯେ, ହେଲେ ତାର ଠିକଣା ଜାଣିବାକୁ ହେଲେ ରାତି ଯାଏ ଅପେକ୍ଷା କରିବାକୁ ପଡ଼ିବ।

ସୀମା - ହଉ ବାବା, ଠିକ୍ ଅଛି। ଚାଲ ଖାଇ ନେବା। 


ସନ୍ଧ୍ୟାରେ ସୀମା ଜଲଦି ସବୁ କାମ ସାରିଦେଲା। ପୁଅକୁ ଖୁଆଇ ଦେଇ ଶୁଆଇ ପକେଇଲା। ତା ପରେ ଅଜୟ ବସିଥିବା ବାଲକୋନୀକୁ ଗଲ। ଅଜୟ ଚୌକି ରେ ବସି ଆକାଶକୁ ଅନେଇ ରହିଥାଏ। ହଠାତ୍ ସୀମା ପଛ ପଟୁ ଯାଇ ତା ଆଖି ବୁଜି ଦେଲା। ହେଲେ , ଏ କଣ୍? ପାପୁଲି ଟା ତାର ଓଦା ଓଦା ଲାଗୁଚି। ତାହେଲେ ଅଜୟ କଣ୍ କାନ୍ଦୁଛନ୍ତି.?


ସେ ଅଜୟ ସାମ୍ନା କୁ ଆସି ଦେଖିଲା ବେଳକୁ ଆଖିରୁ ଲୁହ ଧାର ଧାର ବୋହି ଯାଉଛି। ସୀମା ଅଜୟ କୁ ହଲେଇ ଦେଲା। ଅଜୟ ପ୍ରକୁସ୍ଥିତ ହୋଇଗଲା। ଆଖିରୁ ଲୁହ ପୋଛି କହିଲେ -, ଜାଣିଛ ସୀମା, ଆଜି ଅନାମିକା କଥା ବହୁତ୍ ମନେ ପଡ଼ିଲା। ସେଥିପାଇଁ ଆଖି ମୋର ଓଦା ହୋଇଗଲା। ଅଭାଗିନୀ ଟେ

ମୋତେ ଭରସା କରି ଶେଷକୁ ନିଜେ ଏକୁଟିଆ ରହିଗଲା। ହଁ, ତୁମେ ପରା ପଚାରୁଥିଲ, ସେ ଏବେ କୋଉଠି? ହେଇ ଦେଖ, ସେ ଯୋଉ ଦୂର ଆକାଶରେ ତାରା ମାନେ ଦେଖା ଯାଉଛନ୍ତି, ସେଇ ତାର ମାନଙ୍କ ଭିତରେ ସେ ଅଛି। ଆଉ ମୁଁ ତାକୁ ସବୁବେଳେ ଦେଖେ। ସୀମା କିଛି ବୁଝି ପାରୁ ନଥାଏ, କଣ୍ ଅଜୟ କହୁଚି? ସୀମା - କଣ୍, ଏମିତି ୟାଡୁ ସାଡୁ ଗପୁଛ?? ଠିକ୍ ସେ କହୁନ।

ଅଜୟ ସୀମାକୁ ଲୁହ ଭିଜା ଆଖିରେ ଚାହିଁ କହିଲା, ସେ ଆଉ ଏ ଇହ ଜଗତରେ ନାହିଁ ସୀମା। ସେ ମୋତେ ଏକା କରିଦେଇ ଆଉ ମୋ ଉପରେ ଅଭିମାନ କରି ସବୁ ଦିନ ପାଇଁ ସେଇ ଜାଗାକୁ ଚାଲି ଯାଇଛି, ଯେଉଁଠାରୁ ଆଉ କେହି କେବେ ଫେରନ୍ତିନି। ସୀମା ଏହା ଶୁଣି ଲଥ କରି ଚୌକି ରେ ବସିପଡ଼ିଲା। ତା ଆଖିରୁ ବି ଲୁହ ବହି ଚାଲିଲା।

କାନ୍ଦି କାନ୍ଦି ପଚାରିଲା, କେମିତି ସବୁ ଏମିତି ଘଟିଗଲା? ଆଉ ତୁମେ କିଛି କରି ପାରିଲ ନାହିଁ?

ଅଜୟ - ମୁଁ ତା ପାଖକୁ ଯିବା ଆଗରୁ ସେ ଆର ପାରିକୁ ଚାଲି ଯାଇଥିଲା। ତା ଚିଠି ମୁଁ ମୁମ୍ବାଇ ରେ ଥିଲା ବେଳେ ପାଇଥିଲି। ଚିଠି ପଢ଼ି ଅଫିସ ରେ ଛୁଟି ମାଗିଲି। ହେଲେ ହଠାତ୍ ଅଫିସ ରେ ମୋତେ ଛୁଟି ଦେଲନି। ତା ପରେ ମସେ ପରେ ମୁଁ ଏକ ମାସ ପାଇଁ ଛୁଟି ନେଇ ଆସି ବାକୁ ମନସ୍ଥ କଲି।

ଛୁଟି ରେ ମୁଁ ଆସି ଓଡ଼ିଶା ରେ ପହଞ୍ଚିଲି,। ସେଦିନ ଥାଏ ୧୯୯୯ ମସିହା ଅକ୍ଟୋବର ମାସ ୨୮ ତାରିଖ। ଘରେ ଗୋଟେ ଦିନ ବିଶ୍ରାମ ନେଇ ତା ଘରକୁ ଯିବା ପାଇଁ ଚିନ୍ତା କରିଥିଲି। କିନ୍ତୁ ହଠାତ୍ ମହାବାତ୍ୟା ମୋର ଶତ୍ରୁ ରୂପେ ମୋ ଆଗରେ ଉଭା ହେଲା। ବାଧ୍ୟ ହୋଇ ମୁଁ ଘରେ ରହିଲି। ବାତ୍ୟା ରେ ସବୁଆଡେ ଗଛଲତା ଘର ଭାଙ୍ଗି ପଡ଼ିଥାଏ। ଅନାମିକା ର ଘର ଚାଳ ଘର ଥିଲା। ତା କଥା ଆଉ ତା ପାଇବାର କଥା ଭାବି ମୁଁ ବିଚଳିତ ହେଉଥାଏ। ମହାବାତ୍ୟା ର ୩ ଦିନ ପରେ ମୁଁ ବାଇକ୍ ଧରି ଏରସମା ଚାଲିଲି। ସବୁଠାରୁ ଅଧିକ କ୍ଷତି ଗ୍ରସ୍ତ ଏରସମା ହୋଇଥାଏ। ବାଟ ସାରା ଠାକୁରଙ୍କୁ ଡାକୁ ଥିଲି । ଅନାମିକା ଭଲରେ ଥାଉ ବୋଲି। ଅନାମିକା ଘର ପାଖକୁ ଯିବାକୁ ମୋତେ ବହୁତ୍ କଷ୍ଟ କରିବାକୁ ପଡ଼ିଲା। ହେଲେ ଯେତେବେଳେ ତା ଘର ପାଖରେ ପହଞ୍ଚିଲି, ସେତେବେଳକୁ ସବୁ ସରି ଯାଇଥାଏ। ତାଙ୍କ ଘର ମାଟିରେ ମିଶି ଯାଇଥାଏ। ସେ ଗାଆଁ ରେ ଅଧିକାଂଶ ଲୋକ ମୃତ୍ୟୁ ବରଣ କରି ସାରିଥାନ୍ତି। ମୁଁ ଅନାମିକା କଥା ପଚାରିବାରୁ ଜଣେ ଯୁବକ କହିଲେ, ଆଜ୍ଞା ଏଠି ସବୁ ପରିବାର ପରସ୍ପର ଠାରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। କେହି କିଛି ଖବର ରଖି ନାହାନ୍ତି। ତଥାପି ରୁହନ୍ତୁ ମୁଁ ଦେଖେ। ତାପରେ କିଛି ସମୟ ପରେ ସେ କିଛି ଜିନିଷ ନେଇ ଫେରିଲା। କହିଲା, ବାବୁ, ତାଙ୍କ ଘର ପାଖ ପାଖି ଏ ସବୁ ପଡ଼ିଥିଲା। ଅନାମିକା ଦିଦି ଆଉ ତାଙ୍କ ବାପା ମା ବହୁତ୍ କଷ୍ଟ ରେ ଥିଲେ। ଆର୍ଥିକ ଅନଟନ ରେ ରହିଥିଲେ। ଏଠି ତ କେହି ନାହାନ୍ତି, ଚାଲନ୍ତୁ, ରିଲିଫ୍ ଶିବିର ରେ ଦେଖିବା କାଳେ ସେଠି ମିଳି ଯାଇ ପାରନ୍ତି। ତାପରେ ସେ ପିଲା ସହ ମୁଁ ଶିବିରକୁ ଗଲି। ବହୁତ୍ କଷ୍ଟ ଲାଗୁଥାଏ। ସବୁ ଆଡେ କାନ୍ଦ ବୋବାଳି ପଡ଼ିଥାଏ। 

ହଠାତ୍ ଯୁବକ ଟି ଜଣେ ବୃଦ୍ଧ ଲୋକ ଆଡ଼କୁ ଆଗେଇ ଯାଇ କହିଲା, ମଉସା ତୁମେ ତ ଅଛ, ଆଉ ଅନାମିକା ଦିଦି ଆଉ ମାଉସୀ କୁଆଡେ ଗଲେ?? ଏ କଥା ଶୁଣି ବୁଢ଼ା ଲୋକଟି ଭୋ ଭୋ ହୋଇ କାନ୍ଦି ପକେଇଲେ। ମୋର ଆଉ ବୁଝିବାକୁ ଡେରି ଲାଗିଲାନି। ସେଇ ଅସହାୟ ବୁଢ଼ା ଲୋକଟି ଅନାମିକା ର ବାପା ଥିଲେ। ମୁଁ ତାଙ୍କ ପାଖରେ ବସି ତାଙ୍କୁ ଶାନ୍ତ୍ବନା ଦେଲି। ସେ ଯୁବକ ଟି ମୁଁ ଅନାମିକା କୁ ଖୋଜୁଛି ବୋଲି କହିଲା। ବୁଢ଼ା ହଠାତ୍ ମୋ ହାତକୁ ଧରି କହିଲି, ତୁମେ ଅଜୟ ବାବୁ ନା?? ଅନାମିକା ସବୁବେଳେ ତୁମ କଥା କୁହେ। ଅଭାଗିନୀ ଟା। ତା ବାହାଘର ଖୋଜା ହେଲା ବେଳେ ସେ ସିଧା ମନା କରିଦେଲା, କହିଲା ମୁଁ ଅଜୟ ଙ୍କ ଛଡ଼ା ଆଉ କାହାକୁ ମନ ରେ ଜାଗା ଦେଇ ପାରିବିନି। ଏଇ ୧୦ ଦିନ ତଳେ କହୁଥିଲା , ବାପା ଦେଖିବ, ଅଜୟ ନିଶ୍ଚୟ ଆସିବେ। ତାର ଶେଷ ଆଶା ଥିଲା ତୁମକୁ ଦେଖିବ ବୋଲି ।

ହେଲେ, ଅଭାଗିନୀ କପାଳ ରେ ତୁମକୁ ଦେଖିବାର ଯୋଗ ନାହିଁ। 

ଏହି ଭୟଙ୍କର ମହାବାତ୍ୟା ତା ମାଆ ସହ ତାକୁ ବି ଜୁଆର ସହ ଟାଣି ନେଲା। ଅନାମିକା ହଜିଗଲା ଅନାମିକା ହୋଇ ସମୁଦ୍ର ର ଅତଳ ଗଭୀର ରେ ଲୀନ ହୋଇ। ମୁଁ ଏବେ ବଞ୍ଚିବି କାହିଁକି? କାହା ମୁହଁ ଚାହିଁ ବଞ୍ଚିବି? ଏତିକି କହି ଅନାମିକା ର ବାପା କାନ୍ଦିବାକୁ ଲାଗିଲେ। ସେତେବେଳକୁ ମୋ ଆଖିରୁ ଧାର ଧାର ଲୁହ ବୋହି ଯାଉଥାଏ। ନିଜକୁ ସମ୍ଭାଳି ନେଲି। ଘରକୁ ଫେରିଯିବାକୁ ବାହାରିଲି। ମୋ ମନ ମୋତେ ଧିକ୍କାର କରିଥାଏ। ଅନାମିକା କୁ ଭୁଲ୍ ବୁଝିଥିବାରୁ। ଭାବିଲି, ମଉସା ( ଅନାମିକା ର ବାପା) ଏବେ କରିବେ କଣ୍? କେହି ତ ନାହାନ୍ତି, ତାଙ୍କ କଥା ବୁଝିବାକୁ। ଅନାମିକା କୁ ଯଦି ମୁଁ ଭୁଲ୍ ନ ବୁଝି ଆମ ପ୍ରେମକୁ ବିବାହ ର ରୂପ ଦେଇଥାନ୍ତି, ତେବେ ତା ବାପା ଆଜି ଖୁସି ରେ ଥାନ୍ତେ। ମନସ୍ଥ କଲି, ତାଙ୍କୁ ମୋ ପାଖରେ ରଖିବି, ହେଲେ ମୋ ବାପା ଯଦି ଜାଣିବେ, ତେବେ ମୋ ଉପରେ ରାଗି ଯିବେ। ତେଣୁ ମୁଁ ତାଙ୍କୁ ଏକ ବୃଦ୍ଧାଶ୍ରମ ରେ ରଖିଦେଲି। ମାସ କୁ ମାସ ତାଙ୍କୁ ଟଙ୍କା ପଠେଇଲି। ୪ ବର୍ଷ ପରେ ଓଡ଼ିଶା ବଦଳି ହୋଇ ଆସିଲି। ଖାଲି ଅନାମିକା କଥା ମନେ ପଡୁଥାଏ। କିନ୍ତୁ ଅନାମିକା ତାର ଠିକଣା ବଦଳେଇ ସାରିଥିଲା, ଚାଲି ଯାଇଥିଲା ବହୁତ୍ ଦୂରକୁ।  

ପ୍ରତି ରବି ବାର ମୁଁ ମଉସାଙ୍କୁ ଦେଖା କରିବାକୁ ଯାଏ, ।


ତାପରେ ତୁମ ସହ ବାହାଘର। ତୁମର ଭଲ ପାଇବାରେ ମୁଁ ଧୀରେ ଧୀରେ ଠିକ୍ ଅବସ୍ଥାକୁ ଆସିଲି। ଏବେ ବି ବେଳେ ବେଳେ ତା କଥା ମନେ ପଡେ। ଯେବେ ବି ମନେ ପଡେ ସେଇ ଇନ୍ ଲାଣ୍ଡ୍ ଲେଟର ଚିଠି ଟି ଆଣି ପଢେ ଓ ଏଇ ଆକାଶକୁ ଚାହିଁ ରହେ। ମୋତେ ଲାଗେ ମୋ ଅନାମିକା ଯେମିତି ମୋତେ ଏକ ଲୟରେ ଚାହିଁ ରହିଛି। ବାସ୍ ଆଖିରୁ ଲୁହ ଝରିପଡି ମୋ ମାନକୁ ବୁଝାଇ ଦିଏ। ଆଉ ମନ ତା ଟିକେ ହାଲୁକା ହୋଇଯାଏ। ଆଜି ପୁଣି ତୁମେ ତା କଥା ମନେ ପକାଇ ଦେଲ। ସେଥିପାଇଁ ତୁମକୁ କହିଲି ରାତିରେ ତା ଠିକଣା କହିବି ବୋଲି। ଜାଣିଛ ନା , ମୁଁ ଏବେ ବି ପ୍ରତି ରବି ବାର ମଉସାଙ୍କୁ ଦେଖା କରିବାକୁ ଯାଏ। ତାଙ୍କ ଭଲ ମନ୍ଦ ବୁଝେ। 


ସୀମା - କଣ୍ ହେଲା ତୁମେ ଏବେ ବି ଯାଅ?? କାଇଁ ମୋତେ ତ ଏ କଥା କହିନ?? 

ଅଜୟ - କାଳେ ତୁମେ ଖରାପ ଭାବିବ ଆଉ ଆମ ସାଂସାରିକ ଜୀବନ ରେ ଝଡ ଉଠିବ ?, ସେଥିପାଇଁ କିଛି କହି ନ ଥିଲି।

ସୀମା - ତୁମେ କଣ୍ ମୋତେ ଏତେ ସ୍ୱାର୍ଥପର ଭାବିଲ?? ମୁଁ କଣ୍ ଏମିତି କରିପାରିବି?? ଚାଲ, କାଲି ଯିବା , ମଉସାଙ୍କୁ ଆମ।ପାଖକୁ ନେଇ ଆସିବା। ସେ ଆମ ପାଖରେ ରହିବେ । ତାଙ୍କ ନାତି ସହ ତାଙ୍କର ଦିନ ହସ ଖୁସି ରେ କଟିଯିବ।

ଅଜୟ( ଖୁସିରେ ଆତ୍ମହରା ହୋଇ ) - ସତରେ ସୀମା!! ମଉସାଙ୍କୁ ପଖକୁ ଆଣିବା? ସେ ଆମ ସହ ରହିବେ??

ସୀମା - ହଁ ବାବା ହଁ, ମଉସା ଆମ ପାଖରେ ରହିବେ।

ଅଜୟ ଖୁସିରେ ସୀମାକୁ କୁଣ୍ଢାଇ ପକାଇଲା ଓ କହିଲା - ମୋତେ କ୍ଷମା କରିଦିଅ ସୀମା। ମୁଁ ତୁମ କୁ ଭୁଲ୍ ବୁଝିଥିଲି। ଏତିକି କହି କାନ୍ଦି ପକେଇଲା।

ସୀମା ଅଜୟର ମୁହଁକୁ ପାପୁଲି।ରେ ତୋଳି ଧରି କହିଲା - ଆରେ ଏମିତି ଛୁଆଙ୍କ ପରି କାନ୍ଦୁଛ କାହିଁକି?? ଯଦି ଅନାମିକା ର ବାପା ଆମ ସହ ରହିବେ ତେବେ ଏଇଟା ହେବ ଅନାମିକା ଆଉ ତା ପ୍ରେମ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି। ଦେଖ ଏଇ ଆକାଶକୁ ଅନାମିକା ଆଜି ବହୁତ୍ ଖୁସି ଥିବ। ଚାଲ, ଶୋଇବା । ରାତି ବହୁତ୍ ହେଲାଣି। କାଲି ସକାଳୁ ପୁଣି ମଉସାଙ୍କୁ ଆଣିବାକୁ ଯିବା । ଏହା କହି ସୀମା ତଳକୁ ଚାଲି ଆସିଲା।


ଅଜୟ ସେମିତି ଆକାଶକୁ ଚାହିଁ ରହିଥାଏ। ତାରା ମାନେ ସବୁ ଅଧିକ ଉଜ୍ଜଳ ଦେଖା ଯାଉ ଥାନ୍ତି। ବୋଧେ ହୁଏ ଆଜି ଅନାମିକା ତା ନିଜ ଠିକଣା ରେ ଖୁସି ରେ ଅଛି। ଅନାମିକା କୁ ବିଦାୟ ଦେଇ ଅଜୟ ତା ରୁମ୍ କୁ ଶୋଇବାକୁ ଆସିଲା। ଅପେକ୍ଷା କରିଲା ପରଦିନ ର ସୁର୍ଯୋଦୟ କୁ ଯାହା ତା ପାଇଁ ଆଣିଦେବ ଅନେକ ଖୁସି ଆଉ ବଞ୍ଚିବାର ଏକ ନୂତନ ଦିଗ।


Rate this content
Log in

Similar oriya story from Romance