ମଣିଷ ପଣିଆ
ମଣିଷ ପଣିଆ
ମହାନ୍ତି ବାବୁ ମର୍ଣିଂ ୱାର୍କ ସାରି ରାସ୍ତା କଡ଼ ଚା ଦୋକାନରେ ନିଜ ସାଥୀ ମାନଙ୍କ ସହ ଚା ଓ ବିସ୍କୁଟ ଖାଉଥିଲେ। ଏତିକି ବେଳେ ଗୋଟେ ବୁଲା କୁକୁର ମହାନ୍ତି ବାବୁଙ୍କ ମୁହଁକୁ ଅନେଇ ରହିଥାଏ। ମହାନ୍ତି ବାବୁ କୁକୁରକୁ ଦେଖି ରାଗିକି ପଞ୍ଚମ ହୋଇଗଲେ। ଜୋତା ପିନ୍ଧା ଗୋଡ଼ରେ ଗୋଟେ ଶକ୍ତ ଗୋଇଠା ମାରିଲେ ସେ କୁକୁରକୁ। ବିଚରା କୁକୁରଟି କାଉଁ କାଉଁ ହୋଇ ଦଉଡ଼ି ଚାଲିଗଲା। "ଶଃ...., ଏ ବୁଲା କୁକୁର ଗୁଡ଼ିକ ଆଉ ରଖେଇ ଦେବେନି। କୋଉଠୁ କେଜାଣି ଏମାନେ ଆସିଯାନ୍ତି କେଜାଣି? ଏମାନଙ୍କ ଠାରୁ ଯେତେ ଦୂରେଇ ରହିବ ସେତେ ଭଲ"..! ମହାନ୍ତି ବାବୁ ବିରକ୍ତିର ସହ ମୁହଁ ଛିଞ୍ଚାଡି କହିଲେ।
କୁକୁର ଟି ଯାଉ ଯାଉ ପଛକୁ ବୁଲି କରୁଣ ଦୃଷ୍ଟିରେ ଚାହିଁ ମନେ ମନେ ଯେମିତି କହୁଥାଏ, କାଇଁ ମାରିଲେ ବାବୁ ?? ମୁଁ ତ ତୁମକୁ ଖାଇବାକୁ ମାଗିନି? ଏମିତି ଅକାରଣେ ନିରୀହ ପଶୁକୁ ମାରିବା କଣ୍ ଦରକାର ଥିଲା??
କିଛି ସମୟ ପରେ ମହାନ୍ତି ବାବୁ ଘରକୁ ଫେରିଲେ। ହଠାତ୍ ଏକ ବୁଲା ଷଣ୍ଢ ତାଙ୍କୁ ମାରିବାକୁ ଗୋଡାଇଲା। ସେ ପ୍ରାଣ ବିକଳରେ ଦୌଡ଼ିବାକୁ ଲାଗିଲେ। ଠିକ୍ ସେଇ ସମୟ ରେ ସେହି ବୁଲା କୁକୁର ଟି ଏହା ଦେଖି, ଷଣ୍ଢ ଟିକୁ ଭୁକି ଭୂକି ଘଉଡାଇ ଦେଲା। ମହାନ୍ତି ବାବୁ ପଛକୁ ବୁଲିପଡ଼ି ଦେଖିଲେ ଯେ, ଷଣ୍ଢ ଟି ନାହିଁ, । ଯୋଉ ବୁଲା କୁକୁରକୁ ସେ ଗୋଇଠା ମାରି ତଡି ଦେଇଥିଲେ, ସେଇ ଆଜି ତାଙ୍କୁ ରକ୍ଷା କରିଛି। ଏ କଥା ଦେଖି ତାଙ୍କ ବିବେକ ଓ ମଣିଷ ପଣିଆ ସେଇ ନିରୀହ ଜୀବ ପାଖରେ ହାରିଗଲା। ସେ ଭାବୁଥିଲେ, ଆଜି ଏଇ ମଣିଷର ପଶୁ ପଣିଆ ପାଖରେ ଏଇ ପଶୁଟିର ମଣିଷ ପଣିଆ ଜିତିଗଲା ।