Sanatan Das

Fantasy Romance

3  

Sanatan Das

Fantasy Romance

ବୟସର କୃଷ୍ଣଚୂଡ଼ା

ବୟସର କୃଷ୍ଣଚୂଡ଼ା

12 mins
698


ବୟସ ର କୃଷ୍ଣଚୂଡ଼ା ରଙ୍ଗରେ ମନ ଥରେ ପ୍ରେମର ନାଲି ରଙ୍ଗରେ ରଙ୍ଗାୟିତ ହେଲେ ମନ ଖୋଜିବୁଲେ ମନ ପରି ମନଟିଏ। ସାଥିଟିଏ ପାଇବାକୁ, ତା ସାଥେ ମିଶିବାକୁ, ଗପିବାକୁ,ବୁଲିବାକୁ ,ମନ କୃଷ୍ଣଚୂଡ଼ା ଫୁଲ ପରି ଚଳଚଞଚଳ ହୋଇଉଠେ। କାହାକୁ ମନଲାଖି ସାଥୀ ମିଳିଯାଏ ତ କୋଉଠି ସାଥୀ ବିନା ଜୀବନ ବେସାହାରା ହୋଇପଡେ, କିଏ ଏଠି ବିରହ ବେଦନାର ଗିଟାର ବଜାଏ ତ କିଏ ପୁଣି ପ୍ରେମର ରଙ୍ଗରେ ମନ ଆକାଶରେ ଇନ୍ଦ୍ରଧନୁ ଆଙ୍କିଦିଏ। ବେଳେବେଳେ ଆମ ମନଲାଖି ସାଥୀ ଟି ଆମ ପାଖେ ଥାଏ କିନ୍ତୁ ଆମେ ତାକୁ ଜାଣିପାରୁନି, ଆଉ କେବେ ପରସ୍ପରର ବଇରୀ ହୋଇବି ଅଜବ ପ୍ରେମ ହୋଇଯାଏ। ଆକାଶ ଆଉ ଜହ୍ନ ର ପ୍ରେମ କାହାଣୀ ବି ଠିକ୍ ସେହିପରି।


ଆକାଶ, ଜଣେ ମଧ୍ୟବିତ୍ତ ପରିବାରର ପୁଅ।+୨ ପାସ୍ କରି ସେ ଏସ ଭି ଏମ୍ କଲେଜ ରେ +୩ ରେ ନାମ ଲେଖାଇଥାଏ। ଆକାଶ ଥିଲା ଠିକ୍ ଆକାଶ ପରି ସ୍ୱଚ୍ଛ ନିର୍ମଳ ହୃଦୟଧାରି। ସମସ୍ତଙ୍କୁ ସାହାଯ୍ୟ କରିବା, ଗୁରୁଜନ ମାନଙ୍କୁ ଭକ୍ତି କରିବା, ସମସ୍ତଙ୍କୁ ଭଦ୍ର ଓ ନମ୍ର ବ୍ୟବହାର କରିବା , ଏ ସବୁ ସୁଗୁଣ ଯୋଗୁଁ ଆକାଶକୁ କଲେଜ ରେ ସମସ୍ତେ ଭଲ ପାଉଥିଲେ।


 ଅନ୍ୟପକ୍ଷରେ ଜହ୍ନ ଥିଲା ଉଗ୍ର ଆଧୁନିକା।ସେ ମଧ୍ୟ ସେଇ କଲେଜରେ+୩ ରେ ପଢୁଥାଏ। ଧନୀ ଘରର ପିଲା ବୋଲି ତା ମନରେ ବହୁତ୍ ଗର୍ବ ଓ ଅହଂକାର ଭରି ରହିଥିଲା। ସାମାନ୍ୟ କଥାରେ ସମସ୍ତଙ୍କୁ ଖରାପ୍ ବ୍ୟବହାର ଦେଖାଉଥିଲା।କାହା ସାଥୀରେ ତାର ଭଲ ପଡେନି। ସେ ଥିଲା ସହରର ବିଶିଷ୍ଟ ଶିଳ୍ପପତି ପ୍ରଣବ ରାୟ ଙ୍କ ଏକମାତ୍ର ଝିଅ। ଅତ୍ୟଧିକ ସ୍ନେହ ଓ ସ୍ଵାଧୀନତା ପାଇ ସେ ଉତ୍ସୃଙ୍ଖଳ ହୋଇପଡ଼ିଥିଲା।


ଦିନକର ଘଟଣା। ଆକାଶ ତା ସାଇକଲ୍ ନେଇ ନିକଟସ୍ଥ ଏକ ମେସ ରୁ କ୍ଲାସ କରିବାକୁ ଆସୁଥିଲା। ବିଳମ୍ବ ହୋଇଯାଇଥିବାରୁ ସେ ତରତର ହୋଇ ଅନ୍ୟମନସ୍କ ଭାବେ ସାଇକଲ ଷ୍ଟାଣ୍ଡରୁ ଆସିଲାବେଳେ ଜହ୍ନ ସହ ଅଜାଣତରେ ଧକା ହୋଇଗଲା। ଜହ୍ନର ବହି ସବୁ ତଳେ ପଡ଼ିଗଲା। ତତକ୍ଷଣାତ୍ ଆକାଶ ସରି କହି ବହି ସବୁ ତଳୁ ଗୋଟାଇ ଜହ୍ନ ହାତକୁ ଦେଲା ଓ କ୍ଲାସ କରିବାକୁ ବାହାରିଲା। ହେଲେ ସେତେବେଳେ ଜହ୍ନ ରାଗରେ ଜଳୁଥାଏ। ହଠାତ୍ ସେ ଆକାଶ କୁ ଗୋଟେ ଚାପୁଡ଼ା ମାରି କହିଲା, "ଇଡିଅଟ୍ , ତୁମକୁ କଣ୍ ମଣିଷ ଦେଖାଯାଉନାହିଁ। ଏତେ ଆଉ ହିରୋ ଗିରି ଦେଖାଅ ନାହିଁ। ଝିଅଙ୍କ ସହ ଧକ୍କା ହୋଇ ଝିଅଙ୍କୁ ପ୍ରେମରେ ପକାଇବା ଫର୍ମୁଲା ଆଉ କାମ କରିବନି। ମୋତେ ଜାଣିନ ବୋଧେ? ତୁମ ପରି କେତେ ପିଲା ମୋ ପଛରେ ପଡ଼ିଛନ୍ତି। ତୁମର ଏ ଅଭାଦ୍ରମି ଯୋଗୁଁ ମୋ ଡ୍ରେସ ମଇଳା ହୋଇଗଲା। ଆଉ ଥରେ ଯଦି ମୋ ସାମ୍ନାକୁ ଆସିଛୁ ତୋତେ ଚପଲ୍ ରେ ପିଟିବି"। ସେତେବେଳକୁ ଆକାଶ ସ୍ଥାଣୁ ପରୀ ଠିଆ ହୋଇଥାଏ। ସବୁ ପିଲା ତାକୁ ହିଁ ଚାହିଁଥାନ୍ତି।ଆକାଶକୁ ବହୁତ୍ ଖରାପ୍ ଲାଗିଲା। ହେଲେ କିଛି କହିପାରୁନଥାଏ। ସେ ପୁଣି ଥରେ ଜହ୍ନକୁ ସରି କହି କ୍ଲାସ କୁ ଚାଲିଗଲା।


କ୍ଲାସ ସାରି ଆକାଶ ରୁମକୁ ଗଲା। ସାଙ୍ଗମାନେ ତାକୁ ବୁଝାଇଲେ।କହିଲେ,ଆରେ, ସେ ଝିଅ ଟା ଭଲ ପିଲା ନୁହେଁ। ତୁ ସେ କଥା ଭୁଲି ଯାଆ। ପଢା ପଢି ରେ ମନ ଦେ। ହେଲେ ଆକାଶକୁ ସେ ଘଟଣାଟି ଭାରି ପଢ଼ିଥାଏ। ବିନା ଦୋଷରେ ସେ ଆଜି ଅପମାନିତ ହେଲା। ମନେ ମନେ ସେ ଜହ୍ନ ଉପରେ ବହୁତ୍ ରାଗୁଥାଏ।


ଏମିତି କିଛି ଦିନ ବିତିଗଲା। ଜହ୍ନ ସେ କଥା ଭୁଲି ସାରିଥାଏ। ଗଣେଶ ପୂଜା ସମୟରେ କଲେଜ ର ସବୁ ମେସ୍ ଗୁଡିକରେ ଗଣେଶ ପୂଜା ପାଳନ ହେଉଥାଏ। ଆକାଶ ମଧ୍ୟ ତାଙ୍କ ମେସର ପୂଜାରେ ପ୍ରସ୍ତୁତି କରୁଥାଏ। ପୂଜାରେ ଏକ ସାମଗ୍ରୀ ଆଣିବାକୁ ସେ ସାଇକଲ ନେଇ ବଜାରକୁ ବାହାରିଲା। ସେ କଲେଜ ପୋଲ ଉଠାଣିରେ ଗଲାବେଳେ ବିପରୀତ ଦିଗରୁ ଜହ୍ନ ସ୍କୁଟିରେ ଜୋର୍ ରେ ଗାଡି ଚଲେଇ ଆସୁଥାଏ। ସେ ବହୁତ୍ ଖୁସିରେ ଥାଏ।  ସେପଟେ ଆକାଶ ପୋଲ ଉପରକୁ ଉଠୁଥାଏ। ଜହ୍ନ  ପୋଲ ତଳକୁ ଜୋର୍ ରେ ଗାଡି ଗଡେଇଲା ବେଳେ ହଠାତ୍ ସେ ଭାରସାମ୍ୟ ହରାଇ ଆକାଶକୁ ଧକା ଦେଲା। ଓ ପୋଲ ତଳକୁ ଛିଟିକି ପଡ଼ିଲା।ଆକାଶ ମଧ୍ୟ ସାଇକଲ ସହ ପୋଲ ବାଡ଼ ରେ ଧକା ଖାଇଲା। ତାର ଗୋଟେ ଗୋଡ଼ ଆଘାତ ପ୍ରାପ୍ତ ହେଲା। ସେ କଷ୍ଟମଷ୍ଟେ ଉଠିଲା। ସେତେବେଳକୁ ପିଲାମାନେ ଜମା ହୋଇ ସାରିଥାନ୍ତି।କିନ୍ତୁ ଆକାଶ ଖୋଜୁଥାଏ ସେଇ ଝିଅକୁ ଯିଏ ତାକୁ ଧକା ଦେଲା।ଯେତେବେଳେ ସେ ପୋଲ ତଳକୁ ଚାହିଁଲା, ତାର ଆଶ୍ଚର୍ଯ୍ୟର ସୀମା ରହିଲାନି।ପୋଲ ତଳେ ଜହ୍ନ ବେହୋସ୍ ହୋଇ ପଡ଼ିଥିଲା। ଓ ତାର ମୁଣ୍ଡରେ ଆଘାତ ଲାଗିଥିଲା। ଜହ୍ନକୁ ଦେଖି ତା ମନ ଘୃଣାରେ ଭରିଗଲା। କିନ୍ତୁ ପର ମୁହୂର୍ତ୍ତ ରେ ତାର ମଣିଷ ପଣିଆ ଓ ବିବେକ ପାଖରେ ହାର ମାନିଲା।ସେ ନିଜର ଆଘାତକୁ ଖାତିର ନ କରି ଛୋଟେଇ ଛୋଟେ଼ଇ ତଳକୁ ଗଲା ଏବଂ ତା ସାଙ୍ଗ ମାନଙ୍କୁ ଡାକି ଜହ୍ନକୁ ହସ୍ପିଟାଲ୍ ନେଇଗଲା।


ଡାକ୍ତର ଜହ୍ନକୁ ଆଡ଼ମିଟ୍ କରି କହିଲେ,ବହୁତ୍ ରକ୍ତ ବୋହିଯାଇଛି।ତେଣୁ ଗୋଟେ ୟୁନିଟ୍ ରକ୍ତ ଦରକାର। ଆକାଶର ସାଙ୍ଗ ମଣି କହିଲା, ଦେଖ୍ ଆକାଶ , ଆମେ ଆମ କର୍ତ୍ତବ୍ୟ କଲେ।ଏବେ ତା ବାପା ମାଆଙ୍କୁ ଫୋନ କରି ଖବର ଜଣାଇଦେବା। ସେ ଆସିଲେ ସବୁ କଥା ବୁଝିବେ। ସେହି ସମୟରେ ଡାକ୍ତର କହିଲେ , ଦେଖ ପିଲାମାନେ, ଯଦି ରକ୍ତ ଜଲଦି ନ ମିଳେ ତେବେ ଜହ୍ନର ଜୀବନକୁ ବିପଦ ଆସିପାରେ। O + ରକ୍ତ ଦରକାର। ସଙ୍ଗେ ସଙ୍ଗେ ଆକାଶ କହିଲା, ଆଜ୍ଞା, ମୋର ବି ସେଇ ଗ୍ରୁପ୍ ରକ୍ତ। ଚାଲନ୍ତୁ ମୁଁ ରକ୍ତ ଦେବୀ।ଦିପୁ ଆଉ ମଣି ଯେତେ ମନା କଲେ ବି ସେ ମାନିଲା ନାହିଁ। ବ୍ଲଡ଼ ଦେଇ ସାରି ଆକାଶ ବେହୋସ୍ ହୋଇଗଲା। ଡାକ୍ତର ଦେଖିଲେ ଆକାଶର ବି ଗୋଡ଼ ଭାଙ୍ଗି ଯାଇଛି।। ତେଣୁ ସେ ଆକାଶକୁ ସାଙ୍ଗେ ସାଙ୍ଗେ ଆଡ଼ମିଟ୍ କରିଦେଲେ।

କିଛି ସମୟ ପରେ ଜହ୍ନର ବାପା ମା ଖବର ପାଇ ପହଞ୍ଚିଲେ। ମେଡିକାଲ୍ ବେଡ୍ ରେ ଜହ୍ନକୁ ଦେଖି ତା ମାଆ କାନ୍ଦିପକେଇଲେ। ଜହ୍ନ ର ବାପା ପ୍ରଣବ ବାବୁ ଡାକ୍ତରଙ୍କୁ ଧନ୍ୟବାଦ୍ ଦେଲେ ତାଙ୍କ ଝିଅର ଜୀବନ ବଂଚାଇ ଥିବାରୁ। କିନ୍ତୁ ଡାକ୍ତର କହିଲେ, ମୁଁ ଧନ୍ୟବାଦର ହକଦାର ନୁହେଁ।ଧନ୍ୟବାଦ୍ ର ପ୍ରକୃତ ଆକାଶ, ଯିଏ ଆପଣକଂ ଝିଅକୁ ମେଡିକାଲ୍ ଆଣି ,ନିଜର ରକ୍ତ ଦେଇ ଜହ୍ନର ଜୀବନ ବଞ୍ଚେଇଛି। ଆରେ ହଁ, ତାର ବି ଗୋଡ଼ ଭାଙ୍ଗି ଯାଇଛି। ତଥାପି ସେ ରକ୍ତ ଦେଇ ଜହ୍ନର ଜୀବନ ରକ୍ଷା କରିଛି। ଏ କଥା ଶୁଣି ପ୍ରତାପ ବାବୁ ଧାଇଁଗଲେ ଆକାଶ ପାଖକୁ।ସେତେବେଳକୁ ଆକାଶର ଚେତା ଫେରିଥାଏ। ହଠାତ୍ ତା ରୁମ୍ କୁ ପ୍ରଣବ ବାବୁ ପଶି ଆସି କହିଲେ, "ଧନ୍ୟବାଦ୍ , ଆକାଶ ତୁମ ଯୋଗୁ ମୋର ଝିଅ ମରଣ ମୁହଁରୁ ଫେରି ଆସିଛି।ଆକାଶ କିଛି ବୁଝି ପାରୁ ନ ଥାଏ।ଦିପୁ, କହିଲା, ଆରେ ଆକାଶ ସେ ଜହ୍ନ ର ବାପା। ଆକାଶ କହିଲା, ନମସ୍କାର ମଉସା। ମୁଁ ଆପଣକୁ ଜାଣି ପାରିଲିନି।ପ୍ରଣବ ବାବୁ କହିଲେ, ଠିକ୍ ଅଛି। କିଛି କଥା ନାହିଁ। ତୁମେ ଏବେ ବିଶ୍ରାମ ନିଅ,ପରେ କଥା ହେବା। ଏହା କହି ସେ ଚାଲିଗଲେ।


କିଛି ସମୟ ପରେ ଜହ୍ନର ହୋସ୍ ଆସିଛି। ସେ ନିଜକୁ ହସ୍ପିଟାଲ୍ ବେଡ୍ ରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ତା ପାଖରେ ତା ମାଆ ବସିଥାନ୍ତି ଆଉ ସାଙ୍ଗମାନେ ଠିଆ ହୋଇଥାନ୍ତି। ଜହ୍ନ, ମାଆଙ୍କୁ ପଚାରିଲା, "ମାଆ ମୁଁ ଏଠିକି କେମିତି ଆସିଲି, ମୋତେ କିଏ ଆଣିଲା?" ଜହ୍ନ ମାଆ ଖାଲି କାନ୍ଦୁଥାନ୍ତି। ଏତିକିବେଳେ ଡାକ୍ତର ଜହ୍ନ ର ମା କୁ କିଛି ପେପର୍ ରେ ଦସ୍ତଖତ କରିବାକୁ ଡାକିଲେ। ଜହ୍ନର ମାଆ ଡାକ୍ତର ଙ୍କ ସହ ମେଡିକାଲ୍ କାଉଣ୍ଟର କୁ ଗଲେ। ଜହ୍ନ ତା ସାଙ୍ଗ ମାମା ର ହାତ ଧରି ପଚାରିଲା, "ମାମା ସତ କହ ମୋତେ ଏଠିକି କିଏ ଆଣିଲା? ମାମା କହିଲା , "ଦୁର୍ଘଟଣାରେ ତୋର ମୁଣ୍ଡ ଫାଟିଯାଇ ଥିଲା। ଆକାଶ ଓ ତା ସାଙ୍ଗମାନେ ତୋତେ ମେଡିକାଲ୍ ଆଣିଛନ୍ତି। 

"କୋଉ ଆକାଶ"? ମୁଁ ତ ତାକୁ ଜାଣିନି" । ଜହ୍ନ ଆଶ୍ଚର୍ଯ୍ୟ ହୋଇ ପଚାରିଲା। ସେତିକିବେଳେ ମଣି ଜହ୍ନ ରୁମ୍ କୁ ଆସିକହିଲା, "ହଁ, ଜହ୍ନ ତୁମେ ଆକାଶ କୁକାଇଁ ଜାଣିବ? ସେ ଧନୀ ଘରର ପିଲା ନୁହେଁ। ତା ପାଖରେ ଷ୍ଟାଟସ୍ ନାହିଁ। ସେ ତୁମ ପରୀ ସ୍ମାର୍ଟ ନୁହଁ। ଆରେ, ଇଏ ସେଇ ଆକାଶ, ଯାହାର ବିନା ଦୋଷରେ ତୁମେ ତାକୁ ଚାପୁଡ଼ା ମାରିଥିଲ ଆଉ କହିଥିଲ, ଚପଲରେ ପିଟିବ ବୋଲି।ହେଲେ ଆଜି ସେଇ ଆକାଶ ରକ୍ତ ଦେଇ ତୁମ ଜୀବନ ବଞ୍ଚାଇଛି।ସେ ଚାହିଁଥିଲେ ତୁମ ଉପରେ ପ୍ରତିଶୋଧ ନେଇ ପାରିଥାନ୍ତା।ହେଲେ ସେ ତୁମ ପରୀ ଗର୍ବୀ, ଅହଂକାରୀ, ସଂକୀର୍ଣ୍ଣ ମନା ନୁହେଁ।ସେ ଆକାଶ ପରି ନିର୍ମଳ।ତା ହୃଦୟରେ ପରୋପକାର, ସ୍ନେହ ଭଲପାଇବା ଭରିରହିଛି। ଆଉ ସେ ଗୋଟେ ଭଲ ମଣିଷ। ତୁମ ପରି ଉତ୍ସ୍ରୁଙ୍ଖଳ ନୁହେଁ"।" ଏତିକି କହି ମଣି ଚାଲିଗଲା।


ଧୀରେ ଧୀରେ ଜହ୍ନର ସବୁ କଥା ମନେ ପଡିଗଲା।ତାକୁ ବହୁତ୍ ଖରାପ୍ ଲାଗିଲା।ତା ଆଖି କୋଣରୁ ଲୁହ ଦି ଧାର ବୋହିଗଲା।ସେଇ ଲୁହ ସହ ତାର ସବୁ ଗର୍ବ, ଅହଂକାର ଧୋଇ ଗଲା। ଭାବିଲା, ଆକାଶର ପାଦ ଧରି କ୍ଷମା ମାଗିବ।ଏଇ କଥା ଭାବି ସେ ଆକାଶ ପାଖକୁ ଯିବାକୁ ବାହାରିଲା।ତା ସାଙ୍ଗରେ ସାଙ୍ଗ ଲିକୁ ଗଲା। ଜହ୍ନ ଆକାଶ ରୁମ୍ କୁ ଯାଇ ଦେଖିଲା, ବେଡ୍ ଖାଲି ପଡ଼ିଛି। ନର୍ସ ଙ୍କ ଠାରୁ ବୁଝିଲା ଯେ, ଆକାଶ ସେଇ ଦିନ ମେଡିକାଲ୍ ରୁ ଚାଲିଯାଇଛି। ଜହ୍ନର ମନ ଦୁଃଖ ହୋଇଗଲା। ତାର ୩ ଦିନ ପରେ ଜହ୍ନ ଘରକୁ ଆସିଲା ଏବଂ ଧୀରେ ଧୀରେ ସୁସ୍ଥ ହେଲା।


ଜହ୍ନ ସୁସ୍ଥ ହୋଇ କଲେଜ ଗଲା। କଲେଜରେ ସେ ସମସ୍ତଙ୍କୁ ଦେଖିଲା, କିନ୍ତୁ ଆକାଶକୁ ପାଇଲା ନାହିଁ।ତା ଆଖି କେବଳ ଆକାଶକୁ ଖୋଜୁଥିଲା। ଏହା ଭିତରେ ତାର ଆକାଶ ପ୍ରତି ଦୁର୍ବଳତା ବଢ଼ିଯାଇଥିଲା।ଯେଉଁ ଜିନିଷଟା ଭଲ ଲାଗେ, ତା ଠାରୁ ଦୁରେଇ ରହିଲେ ଆକର୍ଷଣ ତା ପ୍ରତି ବଢି ବଢି ଚାଲେ। ଆକାଶକୁ କଲେଜରେ ନ ପାଇ ତା ମନ ଥୟ ଧରିଲାନି।ସେ ଖାଲି ଆକାଶକୁ ଖୋଜିଲା।ଏହା ଭିତରେ ତା ହୃଦୟ ଭିତରେ ଆକାଶ ପାଇଁ ପ୍ରେମର ଛୋଟ ଚାରା ଗଛଟିଏ ଉଠି ସାରିଥିଲା ଓ ଧୀରେ ଧୀରେ ବଡ଼ ହେଉଥିଲା।ଜହ୍ନ, ତା ସାଙ୍ଗ ଠାରୁ ବୁଝିଲା ଯେ, ଆକାଶର ଗୋଡ଼ ଠିକ୍ ହୋଇ ନ ଥିବାରୁ ସେ କଲେଜ ଆସୁନାହିଁ।ସବୁ ଶୁଣି ସାରି ସେ ମନେ ମନେ ସ୍ଥିର କଲା ଆକାଶକୁ ଭେଟିବାକୁ ତା ମେସ କୁ ଯିବ।


ଏମିତି ଏକ ରବିବାର ଦିନ ଜହ୍ନ ଆକାଶର ମେସର ଠିକଣା ବୁଝି ତାକୁ ଭେଟିବାକୁ ଗଲା। ଦୂର ରୁ ଜହ୍ନ କୁ ମେସ ଆଡ଼କୁ ଆସୁଥିବାର ଦେଖି ମଣି କହିଲା,"ଆରେ ଆକାଶ ଜହ୍ନ କଣ୍ ମେସ ଆଡ଼କୁ ଆସୁଚି? ସେ କାଇଁ ଇଆଡେ ଆସୁଚି? ଯାଇଛି ତାକୁ ମନା କରିଦେବି। ତାର ଏଠି କାମ କଣ? ଆକାଶ ବାରଣ କରି କହିଲା, "ଆରେ ରହ, ସେ ଆଗ ଆସୁ, କାହିଁକି ଆସିଛି ବଳେ ଜଣା ପଡିଯିବନି"? ଧୀରେ ଧୀରେ ଜହ୍ନ ମେସର ନିକଟରେ ପହଞ୍ଚିଲା। ମଣି ଓ ଦିପୁ ବାହାରେ ଛିଡ଼ା ହୋଇଥାନ୍ତି। ଦିପୁ କହିଲା, " ଆରେ ଜହ୍ନ, ହଠାତ୍ ଆମ ଆଡେ? କଣ୍, ବାଟ ଭୁଲିଗଲ କି?ଆମ ପରି ଇଡିଅଟ୍ ପିଲାମାନଙ୍କ ପାଖରେ ତୁମ କାମ କଣ? ଜହ୍ନ ଏହା ଶୁଣି ନିଜକୁ ବହୁତ୍ ଛୋଟ ମାନେକଲା ଏବଂ କହିଲା," ପ୍ଲିଜ ଦିପୁ, ସେମିତି କୁହନି। ମୁଁ ଜାଣିଛି ମୁଁ ବହୁତ୍ ବଡ଼ ଭୂଲ୍ କରିଛି।ସେଥିପାଇଁ ମୋତେ ଥରେ କ୍ଷମା ତ କର। ବନ୍ଧୁ ଭାବେ ଗ୍ରହଣ କର"। ମଣି କହିଲା, ଆରେ ବନ୍ଧୁ ତ କହୁଛ, ପୁଣି କ୍ଷମା ମାଗୁଚ? ଏବେ ଆମେ ବନ୍ଧୁ। ଜହ୍ନ ମୁହଁ ରେ ହସ ଖେଳିଗଲା। ତା ପରେ ସେ କହିଲା, ଆଚ୍ଛା ଦିପୁ, ଆକାଶ କୋଉଠି ଅଛି? " ଆକାଶ ପାଖରେ ତୁମ କାମ କଣ୍ କି ମ୍ୟାଡାମ୍?" ଦିପୁ ହସି ହସି କହିଲା। ଜହ୍ନ ଚିଡି ଯାଇ କହିଲା, ଓହୋ, କୁହନା ପ୍ଲିଜ୍.... 

ମଣି କହିଲା, "ଆକାଶ ସେପଟ ରୁମ୍ ରେ ରେଷ୍ଟ୍ ନେଉଛି। ଆମେ ଟିକେ ମ୍ୟାଚ୍ ଦେଖିବାକୁ ଯାଉଛୁ। ତୁମେ ଆକାଶ ସହ କଥା ହେଉ ଥାଅ"। ଏହା କହି ସେମାନେ ଚାଲିଗଲେ।


ଧୀରେ ଧୀରେ ଜହ୍ନ ଆକାଶ ପାଖକୁ ଗଲା। ମନରେ ଭୟ, ଆକାଶ ତାକୁ ଦେଖି କଣ୍ କହିବ? ଆକାଶ ଖଟ ରେ ଶୋଇଥିଲା। ଜହ୍ନକୁ ଦେଖି ଉଠିବାକୁ ଚେଷ୍ଟା କଲା। ଗୋଡ଼ ଠିକ ଭାବରେ ଭଲ ହୋଇ ନ ଥିବାରୁ ସେ ପଡିଯିବାକୁ ଯାଉଥିଲା, ଜହ୍ନ ଦଉଡ଼ି ଆସି ଆକାଶକୁ ଧରି ପକେଇଲା।ଜହ୍ନର ବାହୁ ରେ ଆକାଶ ଥାଏ।

ତା ପରେ ଜହ୍ନ ଆକାଶକୁ ବେଡ୍ ରେ ଶୁଆଇଦେଲା ଓ ତା ପାଖେ ବସିଲା। କଥା କୋଉଠୁ ଆରମ୍ଭ କରିବା ବୋଲି ଭାବୁଥିଲା ବେଳେ ଆକାଶ କହିଲା, ଆଜି ହଠାତ୍ କାଇଁକି ଆସିଥିଲ? ଆମ ଭଳି ଖରାପ୍ ପିଲାଙ୍କ ପାଖେ ତୁମର କି କାମ? ଜହ୍ନ ଆକାଶର ପାଟି ରେ ହାତ ଦେଇ କହିଲା, "ପ୍ଲିଜ୍ ସେମିତି କୁହନି। ଶେଷରେ ତୁମେ ବି ଏମିତି କହିଲ?।ସେ କଥା କହି ମୋ ମନରେ ଆଉ ଦୁଃଖ ଦିଅନି।ମୁଁ ମୋ ଭୁଲ ପାଇଁ ବହୁତ୍ ଅନୁତାପ କରିସାରିଲେଣି।ତୁମ ଯୋଗୁ ମୁଁ ଏ ନୂଆ ଜୀବନ ପାଇଛି।ଏ ଜୀବନ ତୁମ ଦାନ ଅଟେ। ଆଜି ଠୁ ଏ ଜୀବନ ତୁମର। ମୁଁ ତୁମକୁ ବହୁତ୍ ଦୁଃଖ ଦେଇଛି ନା? ଏହା କହି ସେ ଆକାଶ ର ପାଦ କୁ ଧରି କାନ୍ଦି କାନ୍ଦି କହିଲା," ପ୍ଲିଜ୍ ଆକାଶ ମୋତେ କ୍ଷମା କରିଦିଅ। ଆକାଶ ବ୍ୟସ୍ତ ହୋଇ କହିଲା, ଆରେ ଗୋଡ଼ ଛାଡ଼, ଜହ୍ନ ଏ କଣ ହଉଚି? କହିଲି ପରା ଗୋଡ଼ ଛାଡ଼"।

 "ନା, ତୁମେ ମୋତେ ନ କ୍ଷମା କରିବା ପର୍ଯ୍ୟନ୍ତ ମୁଁ ଏମିତି ଗୋଡ଼ ଧରି କାନ୍ଦିବି।" ଜହ୍ନ କାନ୍ଦି କାନ୍ଦି କହିଲା।

ଆକାଶ କହିଲା, "ହଉ ବାବା କ୍ଷମା କଲି। ଏଥର ତ ଛାଡ଼।ତା ପରେ ଜହ୍ନ ଉଠି ଆସି ବେଡ୍ ଉପରେ ଆକାଶର ମୁଣ୍ଡ ପାଖରେ ବସିଲା ଓ ତା ମଥାକୁ ଆଉଁସି ଦେଲା। "ଜାଣିଛ,ଆକାଶ,,, ତୁମ ଯୋଗୁ ମୋର ପରିବର୍ତ୍ତନ ହୋଇଛି।ତୁମ ପାଇଁ ମୁଁ ନୂଆ ଜୀବନ ଓ ଦୁନିଆକୁ ଆଉଥରେ ନୂଆ କରି ଦେଖିବାର ସୁଯୋଗ ପାଇଲି। ମୋର ସବୁ ଗର୍ବ, ଅହଂକାର ତୁମ ସ୍ନେହ ପରଶରେ ଭାଙ୍ଗି ଯାଇଅଛି। ମୁଁ ତୁମକୁ ଭଲ ପାଇ ବସିଛି ତୁମକୁ ମୋ ଜୀବନର ସବୁକିଛି ମଣି ନେଇଛି।କଥା ଦିଅ ଆକାଶ, ମୋ ସହ ଜୀବନ ସାରା ଚାଲି ପାରିବ ତ? କିଛି ସମୟର ନିରବତା। ଜହ୍ନ ପୁଣି କହିଲା, କୁହ ଆକାଶ, ଚୁପ୍ କାଇଁ ରହିଲ? କିଛି ତ କୁହ? " ମୁଁ କଣ ତୁମ ସମକକ୍ଷ ହୋଇ ପାରିବି? ବାମନ ହୋଇ ଚନ୍ଦ୍ରକୁ କାଇଁ ହାତ ବଢେଇବି? ତୁମର ସାମାଜିକ ପ୍ରତିଷ୍ଠା ଆଗରେ ମୁଁ କଣ ଠିଆ ହୋଇ ପାରିବି"?


"ନା ଆକାଶ, ସେମିତି କୁହନି। ପ୍ରେମରେ ନ ଥାଏ ଧନୀ ଗରିବ, ଉଚ୍ଚ ନୀଚ। ପ୍ରେମ ଶାଶ୍ଵତ, ଚିରନ୍ତନ,"। 

ଆକାଶ କହିଲା, ହେଲେ ଜହ୍ନ,,,, ଏହା କଣ୍ ସମ୍ଭବ?

ଜହ୍ନ କହିଲା, ହଁ,,,ସବୁ ସମ୍ଭବ।ମୁଁ ତୁମ ଛଡ଼ା ଆଉ କାହାର ହେବିନି।ଯଦି ତୁମର ନ ହେବି ଏ ଜୀବନ ହାରିଦେବି।" ନା , ଜହ୍ନ ସେମିତି କରିବ ନାହିଁ। ଆତ୍ମହତ୍ୟା ମହାପାପ। ମୁଁ ଚାହେନା ମୋ ପାଇଁ ତୁମେ କଷ୍ଟ ପାଅ ବୋଲି।ତୁମେ ଚାଲିଯାଅ ଜହ୍ନ, ମୋତେ ଭୁଲି ଯାଅ"। 

କିନ୍ତୁ ଜହ୍ନ କିଛି ବୁଝୁ ନ ଥିଲା। ସେ ତା ଜିଦ୍ ରେ ଅଟଳ ଥିଲା। ପରିଶେଷରେ ଜହ୍ନର ପ୍ରେମ ଆଗରେ ଆକାଶର ହୃଦୟ ହାର ମାନିଚି।ସେ ଜହ୍ନର ଭଲ ପାଇବାକୁ ସ୍ଵୀକୃତି ଦେଇଛି।


ଏହାପରେ ଜହ୍ନ ଆକାଶକୁ ବେଡ୍ ରୁ ଧୀରେ ଧୀରେ ଉଠାଇଲା। ଆକାଶ ଜହ୍ନ କାନ୍ଧରେ ହାତ ପକାଇ ବାହାରକୁ ଆସିଲା। ଅପରାହ୍ନ ସମୟ।ଦୁହେଁ ସାଥୀ ହୋଇ ମେସ ଆଗରେ ଥିବା କୃଷ୍ଣଚୂଡ଼ା ଗଛ ମୂଳରେ ବସିଲେ। ଏଇ ବିଶେଷ ମୁହୂର୍ତ୍ତକୁ ସତେ ଯେମିତି କୃଷ୍ଣଚୂଡ଼ା ଅପେକ୍ଷା କରି ରହୁଥିଲା। ଦଲକାଏ ପବନରେ ସେ ତାର ଫୁଲକୁ ଦୁହିଁଙ୍କ ଉପରେ ଅଜାଡି ଦେଲା ପ୍ରେମର ପ୍ରଥମ ଭେଟି ସ୍ୱରୂପ।ଦୁହେଁ ଏକ ଅପୂର୍ବ ମୁହୂର୍ତ୍ତରେ ସୁନେଲି ସ୍ବପ୍ନ ଭିତରେ ହଜିଗଲେ।


କିଛିଦିନ ପରେ ଆକାଶର ଗୋଡ଼ ଠିକ୍ ହୋଇଗଲା ଓ ସେ କଲେଜ ଗଲା। କଲେଜରେ ସବୁଆଡେ ଆକାଶ ଓ ଜହ୍ନ ର ପ୍ରେମ କାହାଣୀ ଚର୍ଚ୍ଚା ହେଉଥିଲା।ଜହ୍ନର ସ୍ଵଭାବ ରେ ପରିବର୍ତ୍ତନ ହୋଇଯାଇଥିଲା, ସେ ସମସ୍ତଙ୍କର ପ୍ରିୟ ହୋଇଯାଇଥିଲା। ଯେମିତି ଆକାଶର ଜହ୍ନ ସବୁଦିନେ ତା ବକ୍ଷରେ ରହିଛି, ସେମିତି ଉଗ୍ର ଆଧୁନିକା ଜହ୍ନର ପରିବର୍ତ୍ତନ ହୋଇ ସେ ଆକାଶ ବକ୍ଷରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ହାସଲ କରିସାରି ଥିଲା। ଦୁହେଁ ସାଥୀ ହୋଇ ପ୍ରେମର ଗୀତ ଗାଇ ପ୍ରେମ ଚଢ଼େଇ ପରୀ ଉଡିବୁଲୁଥିଲେ।ସହପାଠୀ ମାନେ ମଧ୍ୟ ସେମାନଙ୍କ ପ୍ରେମକୁ ସମର୍ଥନ ଦେଉଥିଲେ।


ଦେଖୁ ଦେଖୁ +୩ ର ୩ ବର୍ଷ ସରିଗଲା। ବିଦାୟ ବେଳା ର ଦୁଃଖଦ ମୁହୂର୍ତ୍ତ ଆସିଯାଇଥିଲା। କଲେଜର ଶେଷ ଦିନ।ସମସ୍ତଙ୍କ ମନରେ ଅସୁମାରୀ କୋହ।ପରସ୍ପରକୁ ସିକ୍ତ ହୃଦୟରେ ବିଦାୟ ଜଣାଇଥାନ୍ତି। ଜହ୍ନ ଓ ଆକାଶ ମେସ ଆଗରେ ଥିବା ସେଇ କୃଷ୍ଣଚୂଡ଼ା ମୂଳରେ ବସିଥାନ୍ତି।ଜହ୍ନ ଆକାଶର କାନ୍ଧରେ ମୁଣ୍ଡ ରଖି କୃଷ୍ଣଚୂଡ଼ା ଫୁଲସହ ଖେଳୁଥାଏ। କିଛି ସମୟ ନିରବତା ପରେ ଆକାଶ କହିଲା," ଜହ୍ନ, ଆଜିଠାରୁ କେବେ ଆଉ ଦେଖା ହୋଇପାରିବ ନାହିଁ।ତୁମକୁ ନ ଦେଖିଲେ ମୁଁ ବଞ୍ଚିପାରିବି ନାହିଁ।ତୁମ ବିନା କିଛି ବି ଭଲ ଲାଗିବ ନାହିଁ। ତୁମ ଠାରୁ ଦୂରେଇଯିବା କଥା ଭାବିଲା ବେଳକୁ ବହୁତ୍ କଷ୍ଟ ହେଉଛି।ଏତିକି କହି ସାରିଲା ବେଳକୁ ତା ଆଖି କୋଣରୁ ଦୁଇ ଧାର ଲୁହ ବୋହି ଆସି ତା ଓଠକୁ ସ୍ପର୍ଶ କରିସାରିଥିଲା। ଆକାଶକୁ କାନ୍ଦିବା ଦେଖି ଜହ୍ନ ତା ଆଖିରୁ ଲୁହ ପୋଛିଲା ଓ ତାକୁ ବହୁ ବନ୍ଧନରେ ବାନ୍ଧି କହିଲା, "ଏ ଦୁଷ୍ଟ, କାନ୍ଦୁଛ କାହିଁକି? ତୁମେ କାନ୍ଦିଲେ ମୁଁ କଣ ଖୁସିରେ ରହିପାରିବି? କିଏ କହିଲା ମୁଁ ତୁମ ଠାରୁ ଦୂରକୁ ଯାଉଚି ବୋଲି? ମୁଁ ଯୋଉଠି ବି ଥିଲେ ତୁମର। ତୁମ ହୃଦୟରେ ମୁଁ ଆଉ ମୋ ହୃଦୟରେ ସର୍ବଦା ଅଛ। ତୁମ ବିନା ମୋ ଭବିଷ୍ୟତର ଜୀବନ କେବେ ବି କଳ୍ପନା କରିପାରିବି ନାହିଁ। କିଛି ଦିନ ପରେ ମୁଁ ତୁମ ପାଖକୁ ସବୁଦିନ ପାଇଁ ତୁମର ବଧୂ ହୋଇ ଚାଲିଆସିବି।ଆମେ ଦୁହେଁ ପୁଣି ସାଥୀ ହୋଇ ସାରାଜୀବନ ପ୍ରେମର ନିଡ ରଚନା କରି ଜୀବନର ଗୀତଗାଇ ଏ ସଂସାର ନଈ ରେ ଆଗକୁ ବଢିବା।

"କିନ୍ତୁ , ତୁମ ବାପା କଣ୍,ଏ ବିବାହ ପାଇଁ ରାଜି ହେବେ? ତୁମ ବାପାଙ୍କର ଅଭିଯାତ୍ୟ, ସମ୍ମାନ ଆଗରେ ଆମ ପ୍ରେମ ବଳି ପଡ଼ିଯିବନି ତ? ତୁମେ ବଦଳି ଯିବନି ତ ? ଆକାଶ ନିଜର ଲୁହ ପୋଛୁ ପୋଛି କହିଲା। "ବାପାଙ୍କୁ ରାଜି କରେଇବା ଦାୟିତ୍ଵ ମୋର। ତୁମେ କାଇଁ ବ୍ୟସ୍ତ ହେଉଛ? କଥା ଦେଉଛି, ମୁଁ ମରିଯିବି ପଛେ ତୁମ ଛଡ଼ା ଆଉ କାହାକୁ ମୋ ଜୀବନ ସାଥୀ ରୂପେ ଗ୍ରହଣ କରିପାରିବି ନାହିଁ।  ହଉ, ଚାଲ, ଯିବା। ସନ୍ଧ୍ୟା ହୋଇ ଆସିଲାଣି। ଏହାପରେ ଦୁହେଁ ନିଜ ନିଜର ମେସକୁ ଗଲେ।


ତା ପରଦିନ ସକାଳୁ ଜହ୍ନ ତା ବାପାଙ୍କ ଅଫିସ ରୁ ଆସିଥିବା ଗାଡ଼ିରେ ଘରକୁ ଫେରିଲା। ଆକାଶ ଜହ୍ନକୁ ବିଦାୟ ଦେଇ ଭାରାକ୍ରାନ୍ତ ମନରେ ମେସ କୁ ଫେରିଆସି ଘରକୁ ଯିବାକୁ ପ୍ରସ୍ତୁତ ହେଲା।


ଗୋଟିଏ ବର୍ଷ ଅତିକ୍ରମ ହୋଇଗଲା। ଏହା ମଧ୍ୟରେ ଅର୍ଥ ଅଭାବ ଯୋଗୁ ଆକାଶ ଆଉ ଆଗକୁ ପଢି ପାରିଲାନି। ତେଣୁ ସେ ପିଲା ମାନଙ୍କୁ ଟିୟୁସନ୍ କରି ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥାଏ। ଜହ୍ନ ଆଗକୁ ପଢ଼ିବା ପାଇଁ ଭୁବନେଶ୍ୱରରେ ପି .ଜି. ରେ ନାମ ଲେଖାଇଥାଇ ଥାଏ। ପି ଜି ପରେ ପ୍ରଣବ ବାବୁ ଜହ୍ନର ବିବାହ କରିଦେବା ପାଇଁ ଚାହିଁଲେ।ସେ ଜହ୍ନ ପାଇଁ ବରପାତ୍ର ଖୋଜିବାକୁ ଲାଗିଲେ।ଜହ୍ନ ଭୁବନେଶ୍ୱରରେ ରହୁଥିବାରୁ ଏ ବିଷୟରେ ଜାଣି ପାରିଲାନି। ଦଶହରା ଛୁଟିରେ ଘରକୁ ଆସିବା ପରେ ମାଙ୍କ ଠାରୁ ତା ବିବାହ ପ୍ରସ୍ତାବ କଥା ଶୁଣି ପାଦ ତଳୁ ତାର ମାଟି ଖସିଗଲା। ସେ ଏହାର ଦୃଢ଼ ବିରୋଧ କଲା। କହିଲା," ମା, ବାପାଙ୍କୁ କହିଦେବ ମୁଁ ଆକାଶ ବ୍ୟତୀତ ଆଉ କାହାକୁ ସ୍ବପ୍ନ ରେ ସୁଦ୍ଧା ବିବାହ କରିବାକୁ ଭାବିପାରିବନି।ମୁଁ ଆକାଶ ଙ୍କ ବିନା ବଞ୍ଚି ପାରିବି ନାହିଁ"।


ମାଆ ଜହ୍ନ ଠାରୁ ଏ କଥା ଶୁଣି କଣ୍ କରିବେ କିଛି ଜାଣି ପାରିଲେ ନାହିଁ। ସନ୍ଧ୍ୟାରେ ପ୍ରଣବ ବାବୁ ଆସିଲା ପରେ ଏ କଥା ଶୁଣି ରାଗ ରେ ଜଳିଗଲେ। କ୍ରୋଧ ଓ ଆକ୍ରୋଶ ରେ ସେ ଜହ୍ନ ରୁମ୍ କୁ ଯାଇ ପଚାରିଲେ," ତୋ ମୁଣ୍ଡ ଠିକ୍ ଅଛି ତ? ତୁ କଣ ମୋ ମାନ୍ ସମ୍ମାନ କୁ ମାଟିରେ ମିସେଇଦେବୁ?ସମାଜରେ ଆମର ଷ୍ଟାଟସ୍ କଣ୍ ତୁ କଣ ଜାଣିନୁ? ତୋ ପାଇଁ ମୁଁ ମୋ  ବନ୍ଧୁ ଏମ୍.ଏଲ.ଏ. ଙ୍କ ପୁଅ ର ପ୍ରସ୍ତାବ ତୋ ପାଇଁ ଠିକ୍ କରିଛି। ତୁ ସେଠିକି ବୋହୂ ହୋଇ ଗଲେ ରାଣୀ ପରି ରହିବୁ। କିଛି ବି ତୋର ଅଭାବ ରହିବନି। ଆକାଶ ଘରକୁ ଗଲେ କଣ୍ ପାଇବୁ? ଚାକରାଣୀ ହୋଇ ରହିବୁ? ଏ ସମାଜରେ ମୁଁ ମୁଣ୍ଡ ଟେକି ଚାଲି ପାରିବିନି। ମୋ ଇଜ୍ଜତ ଆଉ ରହିବ ଟି?"

 ଜହ୍ନ ଏ କଥା ଶୁଣି ରାଗିଗଲା।ସେ ବି ଜିଦିଆ। କହିଲା," ବାପା, ଯୋଉଦିନ ତୁମ ଝିଅ ମରଣ ସହ ସଂଗ୍ରାମ କରୁଥିଲା, ସେଦିନ ଏଇ ଆକାଶ ମୋତେ ମେଡିକାଲ୍ ନେଇ ତାଙ୍କ ରକ୍ତ ଦେଇ ମୋ ଜୀବନ ବଞ୍ଚେଇଥିଲେ। ସେ ଯଦି ସେଦିନ ନ ଥାନ୍ତେ, ତେବେ ତୁମେ ତୁମ ଝିଅକୁ ଆଜି ଦେଖିବାକୁ ପାଇ ନଥାନ୍ତ।ତାଙ୍କ ଯୋଗୁ ମୁଁ ପୁନର୍ଜନ୍ମ ପାଇଛି। ଆଉ ଏ ଜୀବନକୁ ମୁଁ ତାଙ୍କ ନାମ ରେ ଉତ୍ସର୍ଗ କରିଛି।ଧନ, ଆଭିଜାତ୍ୟ କଣ୍ ହେବ ବାପା, ଯଦି ମନ ରେ ଭଲ ପାଇବା, ପରସ୍ପର ପ୍ରତି ସମ୍ମାନ, ନଥିବ । ସ୍ନେହ, ପ୍ରେମ, ଭଲ ପାଇବା ଆଗରେ ଏମିଛ ଆଭିଜାତ୍ୟର ମୂଲ୍ୟ କିଛି ବି ନାହିଁ। ମୁଁ ନିଷ୍ପତି ନେଇସାରିଛି, ଆକାଶକୁ ହିଁ ବିବାହ କରିବି, ନ ହେଲେ ସର ଜୀବନ ଅବିବାହିତ ରହିବି"।ବାପା ଓ ଝିଅ ର ଯୁକ୍ତି ଚାଲିଲା। ପରିଶେଷରେ ପ୍ରଣବ ବାବୁ ଝିଅ ର ପ୍ରେମ ଆଗରେ ହାର ମାନି ବିବାହ ପାଇଁ ରାଜି ହୋଇଗଲେ।


ଏହା ପରେ କିଛି ଦିନ ବିତି ଯାଇଛି।ଜହ୍ନ ର ପି ଜି ସରିଯାଇଛି। ଆକାଶକୁ ସରପ୍ରାଇଜ୍ ଦେବା ପାଇଁ ଜହ୍ନ ବିବାହ ବିଷୟ ରେ କିଛି ଜଣେଇନି। ଗୋଟିଏ ଦିନ ଜହ୍ନର ପିତା ମାତା ଓ ଜହ୍ନ ଆକାଶ ଘରକୁ ଯିବା ପାଇଁ ବାହାରିଲେ। ବାଟରେ କୃଷ୍ଣଚୂଡ଼ା ଗଛରୁ କିଛି ଫୁଲ ଆଣି ଜହ୍ନ ତା ବ୍ୟାଗରେ ରଖିଲା।


 ସମୟ ପୂର୍ବାହନ ୧୧ ଟା। ଆକାଶର ଘର ଆଗରେ ଗୋଟେ କାର ଆସି ହର୍ଣ୍ଣ ମାରିଲା।

ଆକାଶର ବାପା ଘରୁ ବାହାରି ଆସି ଦେଖିଲେ ଯେ, କିଛି ଲୋକ ଗାଡିରୁ ଓହ୍ଲାଇ ତାଙ୍କ ଘର ଆଡ଼କୁ ଆସୁଛନ୍ତି। କିଛି ଅସୁବିଧା ହୋଇଛି ବୋଲି ଭାବି ସେ ଆକାଶକୁ ଡାକ ପକେଇଲେ। ଆକାଶ ବାଡିପଟେ କାମ କରୁଥିଲା।ବାପାଙ୍କ ଡାକ ଶୁଣି ଦାଣ୍ଡ ପଟକୁ ଆସି, ଜହ୍ନ ଓ ତାର ପିତା ମାତାଙ୍କୁ ତାଙ୍କ ଘର ସାମ୍ନାରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲା।କଣ୍ ହେଉଛି କିଛି ବୁଝିପାରିଲାନାହିଁ।କିଛି ବୁଝିବା ଆଗରୁ ଜହ୍ନ ଆସି ତାକୁ ନିଜ ବାହୁରେ ବନ୍ଧିନେଇ ତା ହାତରେ କୃଷ୍ଣଚୂଡ଼ା ଫୁଲ ଅଜାଡି ଦେଇ କହିଲା, ଆମ ଘରେ ଆମ ଦୁଇ ଜଣଙ୍କ ବିବାହ ପାଇଁ ରାଜି ହୋଇଗଲେ। ସେଥିପାଇଁ ବାପା ମା ଆଜି ତୁମ ଘରକୁ କଥା ହେବାପାଇଁ ଆସିଛନ୍ତି। ମୋତେ ତୁମ ଘରେ ରହିବାକୁ ଜାଗା ମିଳିବ ତ?ଏ କଥା ଶୁଣି ଆକାଶ ହଠାତ୍ ବିଶ୍ୱାସ କରିପାରିଲା ନାହିଁ। କଣ କରିବ କିଛି ଜାଣି ପାରିଲା ନାହିଁ। ହଠାତ୍ ବାପାଙ୍କ ଡାକରେ ଆକାଶ ପ୍ରକୁସ୍ଥିତ ହୋଇ ଜହ୍ନ ର ପିତା ମାତାଙ୍କର ପାଦ ଛୁଇଁ ପ୍ରଣାମ କଲା। ଜହ୍ନ ବି ଆକାଶର ବାପାଙ୍କ ପାଦ ଛୁଇଁ ପ୍ରଣାମ କଲା। ଆକାଶର ବାପା କିଛି ବୁଝି ପାରୁ ନଥାନ୍ତି। ଏତିକିବେଳେ ପ୍ରଣବ ବାବୁ କହିଲେ, ସମୁଦି,ଘରକୁ ଚାଲନ୍ତୁ, ସବୁକିଛି ବୁଝିଯିବେ।ଆକାଶର ବାପା ସେମାନଙ୍କୁ ସସମ୍ମାନେ ଘର ଭିତରକୁ ପାଛୋଟି ନେଲେ।


ଆଜି ବହୁ ପ୍ରତୀକ୍ଷିତ ଆକାଶ ଓ ଜହ୍ନର ବାହାଘର ଓ ପ୍ରେମ ପ୍ରଣୟର ଇପ୍ସିତ ଆଶା। ବାହାଘର ରେ ଜହ୍ନ ସବୁ ସାଙ୍ଗମାନେ ଆସିଥାନ୍ତି। ସେମାନେ କହୁଥାନ୍ତି, ଯାହା ହଉ ଆକାଶ ଜହ୍ନକୁ ତା ବକ୍ଷରେ ସବୁଦିନ ପାଇଁ ଧରି ରଖିବାକୁ ସଫଳ ହେଲା। ସମସ୍ତଙ୍କ ମୁହଁରେ ଖୁସିର ଲହରୀ। ଆଜି ପ୍ରେମ ପାଖରେ ହାର ମାନିଛି ଧନ, ଆଭିଜାତ୍ୟ, ମିଛ ପରମ୍ପରା। ଦୁଇ ପରିବାର ମଧ୍ୟ ଖୁସିରେ ଆତ୍ମହରା।ଜହ୍ନ ଓ ଆକାଶ ପରସ୍ପରକୁ ଜୀବନ ସାଥି ରୂପେ ପାଇଁ ବହୁତ୍ ଖୁସି।ବହୁ ବାଧା ବିଘ୍ନକୁ ଏକ ପ୍ରେମ କାହାଣୀ ସଫଳ ହେଲା। ଆଜି ଦୁଇ ମନ, ଦୁଇ ଆତ୍ମା ର ମିଳନ ହେଲା।ଆଜି ପୁଣି ଥରେ ପ୍ରମାଣ ହୋଇଗଲା ଯେ, ପ୍ରେମ ଯଦି ସତ୍ୟ ଓ ନିଃସ୍ଵାର୍ଥପର ହୋଇଥିବ,ତେବେ ସବୁ କିଛି ସମ୍ଭବ ହୋଇପାରିବ। ଏହି ସମୟରେ ଡାକବାଜି ଯନ୍ତ୍ରରେ ବାଜି ଉଠିଲା, 

"ବାହାଘର ସେ ତ ମିଳନ, ଦୁଇଟି ଆତ୍ମାର

ବାହାଘର ସେ ତ ମିଳନ ଦୁଇଟି ମନର,

ପବିତ୍ର ବନ୍ଧନ ସେ ଯେ,

ମଧୁର ମିଳନ ସେ ଯେ,

ଦେହ ଆଉ ମନ ର..

ଜନ୍ମ ଜନ୍ମର,,, ଯୁଗ ଯୁଗ ର।।।


Rate this content
Log in

Similar oriya story from Fantasy