Aminilu Ray

Abstract

2  

Aminilu Ray

Abstract

ଇଛାରେ ମରଣ

ଇଛାରେ ମରଣ

6 mins
345


     “ମୋତେ ମରଣ ହେଉନି କାହିଁକି ? ମରିବାକୁ ଚାହିଁଲେ ବି ମରିପାରୁନି । ଏ ଘରଟାରେ ଏତିକି କାମ ? କାମ କରିକରି ପେଶି ହୋଇଗଲିଣି । ସକାଳ ଚାରିଟାରୁ ରାତି ଦଶଟା ପର୍ଯ୍ୟନ୍ତ ଖାଲି କାମ ଆଉ କାମ । କେତେ ଆଉ କରିବି ? କରିକରି ମୋ ଅଂଟା ପିଠି ବିନ୍ଧିଲାଣି । ନା, ଆଉ ପାରିବିନି । କୁଆଡେ ଯାଇଛନ୍ତି ସେ ଆସନ୍ତୁ । ଆଜି ତାଙ୍କର ଦିନେକୁ ମୋ’ର ଦିନେ ।” ସକାଳୁ ସକାଳୁ ମାନସୀ ଦେବୀ ରାଗ ତମତମ ହୋଇ ଝାଡୁଟା ଧରି ବଡ ଝିଅ ମାମା ଶୋଇଥିବା ଘରେ ପଶି ଝାଡୁ କରୁଥିବା ସମୟରେ ତାକୁ ଦେଖି ରାଗରେ କହୁଥିଲେ – “ଦେଖୁନ, ଦିନ ଆସି ଆଠଟା ହେଲାଣି, ଏଇଟା କେମିତି ଗଧ ଭଳି ଶୋଇଛି । ଏଡେ ଝିଅଟା ହେଲାଣି, ଏହାର ଟିକେ ଡର ଭୟ ଅଛି ? ବେଡ୍ରୁ ଉଠୁଉଠୁ ଗେହ୍ଲେଇ ହୋଇ କହିବ - ମମି, ଆଉ ଚା’ ଅଛି ? ରହ, ଆଜି ଦଉଚି ତୋତେ ।” ରାଗରେ ତା ରୁମ୍ରୁ ବାହାରି ଆସି ପାଖ ରୁମ୍ରେ ନିଘୋଡ ନିଦରେ ଶୋଇଥିବା ସାନ ପୁଅ ଜିତୁକୁ ବି ଦେଖି ଭିଷଣ ମାତ୍ରାରେ ରାଗିଯାଇ କହିଲେ – “ଦେଖୁନ, ବଳଦଟା ଶୋଇଛି କେମିତି? ଇଏ କାଳେ ଏବର୍ଷ ମାଟ୍ରିକ୍ ପରୀକ୍ଷା ଦେବ । ପାଠ ପଢାର ନାଆଁ-ଗନ୍ଧ ନାହିଁ । ଖାଲି ବାବୁଙ୍କର ଟି.ଭି ଦେଖି ଦେଖି ଦିନ ଯାଉଛି । ଯାହା ତ ନମ୍ବର ରଖି ପାସ୍ କରିବ ଛାଡ । ଆଜି ତୋ କଥା ବୁଝୁଛି, ରହ ।”

   କିଛି ସମୟ ପରେ ଗୋବିନ୍ଦ ବାବୁ ଘରେ ପହଂଚୁ ପହଂଚୁ ବିଷର୍ଣ୍ଣ ବଦନରେ ମାନସୀ ଦେବୀ ତାଙ୍କ ହାତକୁ ଚା କପ୍ଟେ ବଢାଇ ଦେଉଦେଉ କହିଲେ – “ମୁଁ ଆଉ ଏତେ ଖଟି ପାରିବିନି, ବୁଝିଲ ? ଘରକୁ ଯେମିତି ହେଲେ ତୁରନ୍ତ ଚାକରାଣୀଟିଏ ଆଣିବା ବ୍ୟବସ୍ଥା କର । ତୁମକୁ କିଛି ଜଣା ପଡୁନି ତ ? ସକାଳେ ଖାଇକି ଚିକ୍କଣ ହୋଇ ଅଫିସ୍ ପଳଉଛ, ପୁଣି ହଲି ହଲି ସନ୍ଧ୍ୟାରେ ଫେରୁଛ । ଆଉ ମୁଁ ଏଠି ଦିନରୁ ରାତି ଯାଏଁ ପୋଇଲି ପରି ଖଟି ଖଟି ମରୁଛି ।” ସେ ପତ୍ନୀଙ୍କ ମୁହଁରୁ ସବୁ ଶୁଣି ସ୍ମିତ ହସି କହିଲେ – କାହିଁକି ଏମିତି ରାଗୁଛ କହିଲ ? ତୁମର ପରା ବ୍ଲଡ୍ ପ୍ରେସର୍ ଅଛି । ଡାକ୍ତର କ’ଣ କହିଥିଲେ ଭୂଲିଗଲଣି ? ମୋ କଥା ମାନି ଶାନ୍ତ ହୁଅ । ଏସବୁ ଶୁଣି ଶ୍ରୀମତୀ ରାଗରେ ଝାଡୁଟାକୁ ସାମାନ୍ୟ ଦୂରକୁ ଫିଙ୍ଗି ଦେଇ କହିଲେ – “ଛି..., ମୋତେ ମରଣ ହେଉନି କାହିଁକି ? ଏତେ ଲୋକ ମରୁଛନ୍ତି, ଯମ ମୋ କଥା ଟିକେ ଭାବନ୍ତା ଭଲା ?”

   ଗୋବିନ୍ଦ ବାବୁ ହାତକୁ ଦି’ହାତ ହେଲାଦିନୁ ଜାଣିଛନ୍ତି – ତାଙ୍କ ଧର୍ମପତ୍ନୀଙ୍କୁ ଟିକିଏ କଷ୍ଟ ହେଲେ ସେ ରାଗରେ ନିଆଁ ସଦୃଶ ହୋଇ କ’ଣ ନାହିଁ କ’ଣ ସବୁ କହିଯାଆନ୍ତି । କିଛି ସମୟ ପରେ ରାଗ କମିଗଲେ ସେ ପୁଣି ବରଫ ପରି ଥଣ୍ଡା ହୋଇଯାଆନ୍ତି । ଇଏ ତାଙ୍କର ନିତିଦିନିଆ କଥା । ସେ ଶ୍ରୀମତୀଙ୍କୁ ଅତି ଶ୍ରଦ୍ଧାରେ ପାଖକୁ ଡାକି ବୁଝାଇ କହିଲେ – “ଶୁଣ, ଆଉ ରାଗନି । ତୁମ କଷ୍ଟ ମୁଁ ବୁଝିପାରୁଛି । ଯେମିତି ହେଉ ଏଇ ୨ / ୪ ଦିନ ଭିତରେ ଚାକରାଣୀଟିଏ ନିଶ୍ଚିତ ଆଣି ଦେବି ।” ଏହି ସମୟରେ ତାଙ୍କ ଗେହ୍ଲା ଝିଅ ମାମା ନିଦରୁ ଉଠି ଆସି କହିଲା – “ମମି, ମମି । ମୋ ପାଇଁ ଆଉ ଚା’ ଅଛି ?” ଜଳନ୍ତା କୋଇଲାରେ ଲୁହା ଖଣ୍ଡେ ପକାଇଲେ ସେ ଯେମିତି ପାଚି ଲାଲ୍ ହୋଇଯାଏ, ଠିକ୍ ସେମିତି ମାମା ମୁହଁରୁ ଏକଥା ଶୁଣି ସେ ଅତିଶୟ ରାଗରେ ଜର୍ଜରିତ ହୋଇ, ଢିମାଢିମା ଆଖିରେ ତାକୁ ଟିକେ ଚାହିଁ, ବଡ ପାଟିରେ ଚିକ୍ରାର କରି କହିଲେ – “ଚା’ ପିଇବୁ ପରା । ରହ, ଏଇନେ ତୋତେ ଦେଉଛି କହି ପାଖରେ ପଡିଥିବା ଝାଡୁଟାକୁ ତଳୁ ଉଠାଇ, ଗୋଡ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ମନ ଇଛା ପିଟି ଚାଲିଥିଲାବେଳେ କହୁଥିଲେ - ପରୀକ୍ଷା ଆଉ କେତେ ଦିନ ରହିଲା ତୋତେ ଜଣା ନାହିଁ ? ଦିନକୁ କେତେ ଘଂଟା ପଢୁଛୁ କହିପାରିବୁ ? ଖାଲି ରାତି ଦିନ ମୋବାଇଲ୍ ଦେଖୁଛୁ ନାଇଁ ? ଏଥର ଫାଷ୍ଟ କ୍ଲାସ୍ ନ ପାଇଲେ ତୋତେ ମାରି ମାରି ତୋ ପିଠିରୁ ଛାଲ ଉତାରି ଦେବି । ଏକଥା ଯେମିତି ମନେ ରହେ ।” ମମିର ଏଭଳି ଉଗ୍ର ରୂପ ଦେଖି ଝିଅ ବରଡା ପତ୍ର ପରି ଭୟରେ ଥରୁଥିଲା । ଏତିକିରେ ବି ତାଙ୍କ ରାଗ ଥମି ନଥିଲା । ସେ ଗୋବିନ୍ଦ ବାବୁଙ୍କ ପାଖରୁ ଜିତୁକୁ ହଠାତ୍ ଘୋଷାଡି ଆଣି ତା ଗାଲରେ ୨/୪ଟା ଶକ୍ତ ଚଟ୍କଣି ବସାଇଦେଇ କହିଲେ – “କେତେ ଟାଇମ୍ ହେଲାଣି ? ରାତି ଅନିଦ୍ରା ହୋଇ ଟି.ଭି ଦେଖିବୁ ନାଇଁ ? ପାଠ ତ ଯାହା ପଢୁଛୁ ଛାଡ । ଟ୍ୟୁସନ୍ ସାର୍ ତୋ ନାଁରେ ଆସି ସଦାବେଳେ ଅଭିଯୋଗ କରୁଛନ୍ତି । ଶୁଣୁ, ଆଜି ଠାରୁ ତୋର ଟି.ଭି ଦେଖିବା ସମ୍ପୂର୍ଣ୍ଣ ବନ୍ଦ । ଯଦି କେବେ ଟି.ଭି ଲଗେଇଥିବୁ, ତେବେ ମୋତେ ଚିହ୍ନିବୁ ।” ଜିତୁ ଗୋଟାସୁଦା ଥରୁଥିଲା । ମାନସୀ ଦେବୀ ବିରକ୍ତ ହୋଇ ମନକୁ ମନ - “ଏମାନଙ୍କଠାରୁ ମୁଁ ମରିଯାଆନ୍ତି କି”, କହି ବାଥ୍ରୁମ୍କୁ ଚାଲିଗଲେ ।

   ରବିବାର । ଅଫିସ୍ ଛୁଟି । ଗୋବିନ୍ଦ ବାବୁ ମାଛ ଆଣିବାକୁ ଗଲେ ମାର୍କେଟ୍ । ମାନସୀ ଦେବୀ ସ୍ନାନ ସାରି ଟିଫିନ୍ ପ୍ରସ୍ତୁତିରେ ଲାଗିପଡିଲେ । କିଛି ସମୟ ପରେ ଡାଇନିଂ ଟେବୁଲରେ ସମସ୍ତେ ଟିଫିନ୍ କରୁଥିବାବେଳେ ମାମା ହସି ହସି କହିଲା – ମମି, ତୁମ ରାଗ ଏଥର ଶାନ୍ତ ହେଲା ତ ? ଝିଅ ମୁହଁରୁ ଏକଥା ଶୁଣି ସଙ୍ଗେ ସଙ୍ଗେ ତାଙ୍କ ଆଖିରେ ଲୁହ ଆସିଲା । ସେ ସ୍ନେହରେ ତା ପିଠିକୁ ଆଉଁସି ଦେଲେ । ଗୋବିନ୍ଦ ବାବୁ ଏସବୁ ଦେଖି ଖୁସିରେ ହୋ ହୋ ହୋଇ ହସି ଉଠିଲେ ।

   କିଛି ଦିନ ପରେ ଗୋବିନ୍ଦ ବାବୁ ବୁଝାବୁଝି କରି ଚାକରାଣୀଟିଏ ଘରକୁ ଆଣିଛନ୍ତି । ଖାଇ ପିଇ ମାସକୁ ତିନି ହଜାର ଟଙ୍କା ନେବ ବୋଲି କଥା ଛିଡିଛି । ଚାକରାଣୀର କାମଧନ୍ଦା ବେଳେବେଳେ ମାନସୀ ଦେବୀଙ୍କ ମନକୁ ପାଏନି । ସେ ତା ଉପରେ ବିରକ୍ତ ହୁଅନ୍ତି । ଗୋବିନ୍ଦ ବାବୁ ଚାକରାଣୀକୁ ମନ ଖରାପ ନ କରିବାକୁ ବୁଝେଇ ଦିଅନ୍ତି ।

   ଜିତୁର ମାଟ୍ରିକ୍ ପରୀକ୍ଷା ଫଳ ବାହାରିଲା । ସେ ବି ଗ୍ରେଡ୍ ପାଇଥିଲା । ଡରି ଡରି ଘରେ ଆସି ସମସ୍ତଙ୍କୁ ରେଜଲ୍ଟ ବିଷୟରେ କହିବାରୁ ମାନସୀ ଦେବୀ ଶୁଣି ସଙ୍ଗେ ସଙ୍ଗେ ରାଗରେ ନିଆଁ ହୋଇଗଲେ । ତାକୁ ମନ ଇଛା ପିଟିଲେ ଓ ଗାଳିଦେଲେ । ଗୋବିନ୍ଦ ବାବୁଙ୍କୁ ବି ରାଗରେ କହିଲେ – “ତୁମରି ଯୋଗୁଁ ଆଜି ଏ ପିଲା ରେଜଲ୍ଟ ଖରାପ କଲା । ତମେ ତାକୁ କିଛି ଆକଟ କଲନି । ସଦାବେଳେ ମୁଣ୍ଡରେ ବସାଇଲ । ଦେଖ, ଫଳ ହେଲା ଓଲଟା । ଏଥର କ’ଣ କରୁଛ କର । ମୋ’ର କିଛି କହିବାର ନାହିଁ ।” ଜିତୁକୁ ଲକ୍ଷ୍ୟ କରି ମୁହଁ ଛିଂଚାଡି କହିଲେ – “ଦେଖୁନ, ଭୂତଟା ଅନେଇଛି କେମିତି ? ମୋତେ ଏଇଟା ଦିଅ, ସେଇଟା ଦିଅ, ଏଇଟା ଖାଇବି, ସେଇଟା ଖାଇବି କହିବୁ ନାଇଁ ? ରହ ତୁ । ତୋ ଖବର ଏବେ ବୁଝୁଛି ।” ପାଖରେ ପଡିଥିବା ଝାଡୁ ନେଇ ପୁ’ଣି ବହେ ପିଟିଲେ । ରାଗରେ ଝାଡୁଟାକୁ ଫିଙ୍ଗି ଦେଇ କାନ୍ଦି କାନ୍ଦି କହିଲେ – “ମୋ କପାଳ ମନ୍ଦ । ହେ ଭଗବାନ୍, ମୋତେ ଏମାନଙ୍କ ପାଖରୁ ଯଲ୍ଦି ନେଇଯାଅ । ମୁଁ ଆଉ ବଂଚିବାକୁ ଚାହୁଁନି ।” ଗୋବିନ୍ଦ ବାବୁ ଶାନ୍ତ ପ୍ରକୃତିର । ସେ କେବେ କାହା ଉପରେ ରାଗନ୍ତିନି କି ବିରକ୍ତ ହୁଅନ୍ତିନି । ମାନସୀ ଦେବୀଙ୍କ ପାଖକୁ ସେ ଆସି କହିଲେ - ଯାହା ହେବାର ଥିଲା ତ ହେଲା । ଆଉ ମନ ଖରାପ କରନି । ତୁମର ଦେହ ବି ଭଲ ନାହିଁ । ଯାଅ, ରେଷ୍ଟ୍ ନିଅ ।

   ମାନସୀ ଦେବୀଙ୍କ ମୁଣ୍ଡ ଉପରେ ଘର ଗୋଟାକ ଯାକର ଚିନ୍ତା । ଘର ଚଳାଇବାଠାରୁ ଆରମ୍ଭ କରି ବନ୍ଧୁବାନ୍ଧବ ଲୋଡା ପର୍ଯ୍ୟନ୍ତ ସବୁ ସେ ବୁଝନ୍ତି । ବେଳେବେଳେ ପିଲା ଦି’ଟାଙ୍କ ପାଠ ପଢା ନେଇ ବ୍ୟଥିତ ହୋଇ ପଡନ୍ତି । ତାଙ୍କର ହାଇ ବି.ପି ମଧ୍ୟ ଅଛି । ହଠାତ୍ ରାଗି ଗଲେ କିମ୍ବା ଅଧିକ ଚିନ୍ତା କଲେ ତାଙ୍କର ବି.ପି ବଢିଯାଏ । ମୁଣ୍ଡ ବୁଲାଏ । ତେଣୁ ଡାକ୍ତର ତାଙ୍କୁ ଏଥିରୁ ବାରଣ ରହିବାକୁ ସତର୍କ କରାଇ ଦେଇଛନ୍ତି ।

   ଝିଅର ରେଜଲ୍ଟ ବାହାରିଲା । ବି.କମ୍ରେ ୬୦% ମାର୍କ ରଖିଥିଲା । ମାନସୀ ଦେବୀ ରେଜଲ୍ଟ ଶୁଣି ହଠାତ୍ ରାଗିଗଲେ । ତାକୁ ଘୋଷାଡି ଆଣି ମନ ଇଛା ପିଟିଲେ । ଯାହା ତାଙ୍କ ପାଟିକୁ ଆସିଲା କହିଗଲେ । ତାଙ୍କ ମୁଣ୍ଡ ବୁଲାଇବାରୁ ସେ ଥମ୍ କିନା ଚେୟାର ଉପରେ ବସି ପଡିଲେ । ଆଖିରୁ ତାଙ୍କର ଝରି ପଡିଲା ଥପ୍ଥପ୍ ଲୁହ । ସେ ଲୁହକୁ ପଣତକାନିରେ ପୋଛୁଥିଲାବେଳେ କହୁଥିଲେ – “ଏମାନଙ୍କ ପାଇଁ ଏତେ ପଇସା ସାରିଲି କିଛି ଲାଭ ହେଲାନି । ଏମାନେ ମଣିଷ ହେବେନି । ଆଉ ଏମାନଙ୍କ ପାଖରେ ବଂଚି ଲାଭ କ’ଣ ? ମୋତେ ମରଣ ହେଉନି କାହିଁକି ?” ଏହି ସମୟରେ ଗୋବିନ୍ଦ ବାବୁ ପହଂଚି ତାଙ୍କୁ ଶାନ୍ତ ହେବାକୁ କହିଲେ ।

   ଗୋବିନ୍ଦ ବାବୁ ଜଣେ ଶାନ୍ତ ସ୍ୱଭାବର ବ୍ୟକ୍ତି । ସେ ମାନସୀ ଦେବୀଙ୍କ ମନ କଥା ସବୁ ଜାଣନ୍ତି । ହେଲେ ଏଇ ୫/୬ ବର୍ଷ ଭିତରେ ସେ ଟିକେ ବେଶୀ ଚିଡଚିଡା ହୋଇଯାଇଛନ୍ତି । ପ୍ରାୟ ଅଧିକାଂଶ ସମୟ ଘରଟା ଭିତରେ ଏକା ରହିବା ସାଙ୍ଗକୁ ଘର ଗୋଟାକଯାକର କାମ ଏକା କରିକରି ଦିକଦାର ହେବାରୁ ତାଙ୍କ ସ୍ୱଭାବ ଏମିତି ହୋଇଛି । ଯେତେ କହିଲେ ବୁଝାଇଲେ ସେ କିଛି ଶୁଣନ୍ତିନି । ଓଲଟା ସ୍ମିତ ହସି କୁହନ୍ତି – “ମୋ ଘର କାମ ମୁଁ ନ କଲେ କିଏ ଅଛି କରିବାକୁ ? ଯଦି ପାରୁଛ ଚାକରାଣୀଟିଏ ଆଣୁନ ? ମୋ’ର କିଛି କାମ ହେଲେ ହାଲ୍କା ହୋଇଯାଆନ୍ତା ।”

   ଚାକରାଣୀ ଯଥା ସମ୍ଭବ ମାନସୀ ଦେବୀଙ୍କୁ ଘର କାମରେ ସାହାଯ୍ୟ କରେ । ତାଙ୍କ ଦେହପା’ର ଯତ୍ନ ନିଏ । ପିଲାମାନଙ୍କ ଖାଇବା ପିଇବା ଖବର ବୁଝେ । ବେଳେବେଳେ କାମରେ ଟିକେ ଓଲମ୍ ବିଲମ୍ ହେଲେ ସେ ହଠାତ୍ ଚାକରାଣୀ ଉପରେ ରାଗି ଯାଆନ୍ତି । ଚାକରାଣୀ ସବୁ ଶୁଣି ଚୁପ୍ ରହେ ।

ଦିନେ ସଂଧ୍ୟା ସମୟରେ ଗୋବିନ୍ଦ ବାବୁ ଓ ତାଙ୍କ ପତ୍ନୀ ଅଗଣାରେ ବସି ଚା’ ପିଉଥିବାବେଳେ ମାମା ଦୈାଡି ଆସି ମାନସୀ ଦେବୀଙ୍କୁ କୁଣ୍ଢାଇ ପକାଇ ଲୁହ ଛଳଛଳ ଆଖିରେ କହିଲା – “ମମି, ତମେ ଆମକୁ ଆଉ ମରିବା କଥା କହିବନି । ସତକୁ ସତ ତମର ଯଦି କିଛି ହୋଇଯାଏ, ତା’ହେଲେ ଆମେ କେମିତି ବଂଚିବୁ ? ତମେ ଆମକୁ ଯେତେ ଇଛା ସେତେ ମାର, ହେଲେ ମରିବା କଥା ଆଉ କହିବନି । ମୁଁ ସହି ପାରୁନି କହି ସେ କାନ୍ଦିବାକୁ ଲାଗିଲା ।” ମାନସୀ ଦେବୀ ସ୍ନେହରେ ତାଙ୍କର ଗେହ୍ଲି ଝିଅକୁ କୋଳକୁ ନେଇ ତା ଆଖିରୁ ଲୁହ ପୋଛି ଦେଇ କହିଲେ – “ଛି, ଏମିତି ସବୁ କାନ୍ଦନ୍ତି । ତୁ ତ ମୋ’ର ଗେହ୍ଲା ଝିଅ । ମୁଁ ତୋତେ ଛାଡି କେବେ କ’ଣ ମରିପାରିବି ? ପ୍ରମିଜ୍ କରୁଛି ଆଜି ଠାରୁ ତୁମ୍ଭମାନଙ୍କ ଆଗରେ ଆଉ ମରିବା କଥା ଆଦଂ କହିବିନି । ଯାଆ, ଗୋଡ ହାତ ଧୋଇ ପାଠ ପଢିବୁ ।” ମାନସୀ ଦେବୀ ଖୁସିରେ ହସି ହସି ଗୋବିନ୍ଦ ବାବୁଙ୍କ ମୁହଁକୁ ଲକ୍ଷ୍ୟ କରି କହିଲେ – “ପିଲାମାନେ କିଛି ବୁଝୁନାହାନ୍ତି । ମୁଁ କ’ଣ ପିତାମହ ଭୀଷ୍ମଙ୍କ ପରି ଇଛାମୃତ୍ୟୁ ବର ପାଇଛି ଯେ, ମୋ ନିଜ ଇଛାରେ ମରିପାରିବି ?” ତାଙ୍କ ମୁହଁରୁ ଏକଥା ଶୁଣି ଗୋବିନ୍ଦ ବାବୁ ଖୁସିରେ ହୋ ହୋ ହୋଇ ହସି ଉଠିଲେ ।



Rate this content
Log in

Similar oriya story from Abstract