Artatran Mishra

Comedy Tragedy

2  

Artatran Mishra

Comedy Tragedy

ହମାରା ବଜାଜ୍

ହମାରା ବଜାଜ୍

9 mins
363





ତାକୁ ସାଙ୍ଗରେ ଧରି ଯୁଆଡ଼େ ଗଲେ ସମସ୍ତେ ମୋ ଆଡ଼େ କେମିତି ଗୋଟେ ଚାହାନ୍ତି ଘୁରି ଘୁରି । ରାସ୍ତାରେ ଗଲେ ହିଁ ସବୁ ନଜର ଆମ ଉପରେ । ପେଟ୍ରୋଲ୍ ପମ୍ପ ହଉ, ମଲ୍ ହଉ, ଅଫିସ୍ ହଉ, ସ୍କୁଲ୍-କଲେଜ୍ ହଉ କି ଗାଁ-ଗଣ୍ଡା ହଉ, ସମସ୍ତେ ଚାହିଁଥାନ୍ତି ତାଆଡ଼େ ବିଚିତ୍ର କିଛି ଦେଖିଲା ପରି । ଟୋକା ଗୁଡ଼ାକ ବେଶି । କଡ଼େଇ କଡ଼େଇ, ଆଡ଼େଇ ଆଡ଼େଇ ନିଜେ ଦେଖନ୍ତି ଓ ସାଙ୍ଗକୁ ଦେଖାନ୍ତି । ମତେ ବଡ଼ ଲାଜ ମାଡ଼େ । ବେଳେ ବେଳେ ରାଗ ବି । ତା ସାଙ୍ଗରେ ଥିଲେ କିଛି ଲୋକ ବଡ଼ ସମ୍ମାନ କରନ୍ତି ମୋର । ପେଟ୍ରୋଲ୍ ପମ୍ପ ଲୋକଟି ମତେ ହିଁ ଏକା ହାତ ଯୋଡ଼ି ନମସ୍କାର କରେ ଶହେ ଗରାଖଙ୍କ ଭିତରେ "ବୀବୁଜୀ, ନମସ୍କାର । ହେଇ ବାବୁଜୀଙ୍କୁ ଆଗ ତେଲ ଦିଅ ।" ଆଉ ସମସ୍ତେ ମୋ ଆଡ଼େ ଦେଖନ୍ତି । ମତେ ବଡ଼ ଲାଜ ଲାଗେ । ମୁଁ ତା ଆଡ଼େ ଚାହେଁ ଓ ଅନ୍ୟ ମାନଙ୍କୁ ବଲବଲକରି ଚାହେଁ । ତଥାପି ମତେ ତା ସାଙ୍ଗରେ ହିଁ ବୁଲିବାକୁ ଭଲ ଲାଗେ । ଭାରି ସୁନ୍ଦର ସେ । ଭାରି ମଧୁର ଆଓ୍ବାଜ୍ ତାର । 


ପଇଁତିରିସ ବର୍ଷର ଦୁଃଖ ସୁଖର ସାଥୀ ମୋର ସେ । ଦିନେ ବି କଷ୍ଟ ଦେଇନି ଧୋକା ଦେଇନି ମୋ ସଙ୍ଗେ ଚାଲି ଚାଲି ଥକି ଯାଇନି । ନଇ କୂଳ, ସମୁଦ୍ର ବେଳା, ଝରଣା କଡ଼, ପାହାଡ଼ ତଳ, ବନ-ଉପବନ କେତେ ମୁଁ ବୁଲିଚି ତା ସଙ୍ଗେ ଘିରିଘିରି ହୋଇ ହନିମୁନ୍ ସ୍ପିରିଟ୍ ରେ । ତା ସଙ୍ଗେ କେତେ ଫୋଟୋ ଉଠେଇଚି ଆଗ କାଳର ସେଇ ହାଣ୍ଡି ପରି କ୍ୟାମେରାରେ । ଦୁଇ ପୁଅକୁ କୋଳରେ ଧରି ମୋ ସଙ୍ଗେ ସେ କେତେ ଗାଁ-ସହର, ହାଟ-ବଜାର, ଜାନି-ଯାତ୍ରା, ପର୍ବ-ପର୍ବାଣୀ, ମେଳା-ମଉଛବ, ବନ୍ଧୁ-ବାନ୍ଧବ, ମନ୍ଦିର, ମସଜିଦ୍, ଗୁରୁଦ୍ବାରା ବୁଲିଚି । ଦୁଃଖ ସୁଖର ସାଥୀ ହୋଇ କେତେ ସେ ମତେ ଆଦରିଚି । କୋଉ ଦିନ ସେ କିଛି ମତେ ମାଗିନି ଦିନେହେଲେ । ଯେତିକି ଦେଇଚି ଖୁସିରେ ନେଇଚି । ମନରେ ଚାର ସମସ୍ତଙ୍କ ପ୍ରତି ସହାନୁଭୂତି, ଅନୁକମ୍ପା । ସେଦିନ ରାତି ଅଧରେ ପଞ୍ଚୁ ଫାଟକ ସାନ ନାତି ଗୋଲିଆ ଫାଟକର ପେଟ ମରା ଆରମ୍ଭ ହେଲା । ତାର ମୋର ତୁରନ୍ତ ଦଶ କିଲୋମିଟର ଦୂର ଡାକ୍ତରଖାନା ଯାଇ ବୁଢା ଡ଼ାକ୍ତର ଓ ତାଙ୍କ ଚମଡ଼ା ବ୍ୟାଗ୍ ଟି ଧରି ଅଧ ଘଣ୍ଟାଟେରେ ଆସିଲାରୁ ତା ପ୍ରାଣ ବଞ୍ଚିଗଲା । ଆହା ! ଜୀବନ ସାଥୀ ମୋର ।


ମନେପଡ଼େ ସେଇ ଦିନ ପ୍ରଥମେ ସେ ଯେଉଁ ଦିନ ଆମ ଘରକୁ ଆସିଥିଲା । ସାଇ ପଡ଼ିଶା, ବନ୍ଧୁ-ବାନ୍ଧବ, ଦୋସ୍ତ-ୟାରାନା ସମସ୍ତେ ମୁହଁରେ ଓ୍ବା ଓ୍ବା । ନନା-ବୋଉ, କକେଇ-ଖୁଡ଼ି, ଦଦେଇ-ଦେଠେଇ, ମାମୁଁ-ମାଇଁ, ପିଇସା-ପିଇସି, ମଉସ-ମାଉସୀ, ପୁତୁରା, ଝିଆରୀ ଇତ୍ୟାଦି ସମସ୍ତେ କେମତି ଦଉଡ଼ି ଆସିଥିଲେ ତାକୁ ଧୂପ ଦୀପ, ଫୁଲ-ବରକୋଳି, ଅଗୁରୁ ଚନ୍ଦନରେ ସ୍ବାଗତ କରିବାକୁ । ବୋଉ, ଖୁଡ଼ି, ମାଇଁ, ନାନି, ପିଇସି, ଆଈ ମାନେ ଶଙ୍ଖ, ହୁଳ ହୁଳି ଦେଇ ଶଙ୍ଖୁଳି ଥିଲେ । ନନା, ଦଦେଇ, କକେଇ ନୈବିଦ୍ୟ, ପଂଚାମୃତ ଦେଇ ଆବାହନ କରିଥିଲେ । ବୋଉ ଲାଲ ମଠା ପାଟ ଟିଏ ତା ମୁଣ୍ଡରେ ପକାଇ ସିନ୍ଦୂର ଲଗାଇ ଦେଇଥିଲା । ତାର ମୁହଁଟି ଦେଖି ମୋ ହୃଦ-ମନ ରଂଗୀନ୍ ହୋଇ ଉଠିଥିଲା । ମୁଁ ଠାକୁରଙ୍କୁ ଡ଼ାକୁଥିଲି ମନେ ମନେ ସୌଭାଗ୍ୟଶାଳୀ ଭାବି ନିଜକୁ । ସମସ୍ତେ ଅପଲକ ଆଖିରେ ଚାହିଁଥିଲେ ତା ଆଡ଼େ । ତାକୁ ନିଠେଇ ନିଠେଇ କେତେ ଦେଖୁଥିଲେ । ତା ଭଳିଆ ଆଉ କାହା ପାଖରେ ନଥିଲା । କୋଟିକରେ ଗୋଟିଏ ସେ । ଭାରି ସୁନ୍ଦର । ବହୁତ ଲାଇନ୍ ଲଗେଇ, କେତେ ଚ଼େଷ୍ଟା କରି, କେତେ ଫୁସୁଲା ଫୁସୁଲି କରି, ହଲାଣ୍ଡରେ ଥିବା ଗାଡି ମଉସାର ଇଂଜିନିୟର ପୁଅ କେକେଡ଼ା ଠୁଁ ବିଲାତି ପାଉଣ୍ଡ ଖର୍ଚ୍ଚ କରି ତାକୁ ମୁଁ ପାଇଥିଲି । ଦଶ ଖଣ୍ଡ ଗାଁ ଲୋକେ ଆଲୋଚନା କରୁଥିଲେ, "ଚାଇଁ ମଉସାଙ୍କ ପୁଅ ଆର୍ତ୍ତିଆ ଦେଖିଲା ଭଳିଆ କାମଟେ କରିଚି ।"


ତାକୁ ମୁଁ ସୁନା ଭଳି ରଖିଚି ସବୁ ବେଳେ ଆଜ ଯାଏଁ । ତା ଦିହରେ ଧୁଳି ମଳି ଲାଗିବକୁ ଦେଇନି । ତା ଗୋଡ଼ରେ କଣ୍ଟାଟେ ବାଜିବାକୁ ଦେଇନି । ଯେତେ ପାରୁଥାଏ ସଜେଇ ରଖିଥାଏ । କେହି ତା ଦେହକୁ ଟିକିଏ ଛୁଇଁଲେ କି ତା ସଙ୍ଗେ ଘସି ହୋଇଗଲେ ମୁଁ ଭାରି ରାଗିଯାଏ । କେତେ କଥା ଗାଳି ମନ୍ଦ ମୁଁ ଶୁଣିଚି ପରିବାର ଲୋକଙ୍କଠୁଁ ତା ସକାସେ । "ଏତେ କଣ ତା ପଛରେ ପଡ଼ିଚ ଏତେ ବୟସରେ!" ଇତ୍ୟାଦି । ମୁଁ କିନ୍ତୁ ଦିନେ ମନ ଊଣା କରିନି ତାଠୁଁ । ବରଂ ବୟସ ହେଲେବି ତାକୁ ଆହୁରି ସଜଉଥାଏ, ତାର ଯତ୍ନ ନଉଚି ଆଜିବି । ଏଇତ ଭଲ ଆଉ ସଚ୍ଚା ଭଲ ପାଇବାର ଲକ୍ଷଣ । ବୟସ ସୀମା କଣ ପ୍ରେମକୁ ବାନ୍ଧି ରଖିପାରେ ?


ଗତ ରବିବାର ସକାଳୁ ସହରରୁ ଗାଁକୁ ଯିବାକୁ ବାହାରିଲି ତାକୁ ସାଥିରେ ଧରି । ଗାଁ ରାସ୍ତାର ଦୁଇ କଡ଼ର ଦୋକାନ,ବଜାର, ହାଟ, ମନ୍ଦିର, ଗଡ଼ିଆ, ନଈ,ନାଳ, ଗଛ-ଲତା, ଗାଇ-ଗୋରୁ ଦେଖି ଦେଖି ଆମେ ଚାଲିଥାଉ । ଯୁଆଡ଼େ ଯାଉଥାଉ ଲୋକେ ଆମ ଆଡ଼େ ଚାହୁଁଥାନ୍ତି । ମତେ କନ୍ତୁ ଭାରି ଭଲ ଲାଗୁଥାଏ ନୋଷ୍ଟାଲଜିକ୍ ସ୍ପିରିଟରେ । ଗାଁ ଆଉ ବାର ମାଇଲ୍ ଥାଏ । ଇଏ କଣ! ହଠାତ୍ ସେ ରହିଗଲା । ସେ ତ ଉଠିବାର କି ଚାଲିବାର ସ୍ଥିତିରେ ନାହିଁ । କଣ ହେଲା ? ମୁଁ ଯେତେ ଚ଼େଷ୍ଟା କଲି ସେ ଆଉ ଉଠିଲାନି । ଭାରି ଡ଼ରିଗଲି ମୁଁ । ପାଖରେ କେହି ନାହିଁ କାହାକୁ ଦେଖେଇବି । ଗାଁ ଗଣ୍ଡା ନା । ପାଖ ଗାଁ ର ବାର ମଜା ବିକାଳିଟି ଆମ ଗାଁ ଆଡ଼େ ଯାଉଥିଲା । କହିଲି, "ଷଣ୍ଢ ଭାଇ ଆମ ଗାଁ ହୁଣ୍ଡା ଶତପଥୀ କି ଟିକିଏ କହବ ମୋ ପାଖୁ ଜଲଦି ଟିକିଏ ଆସିବାକୁ । ହୁଣ୍ଡା ଶତପଥୀ ମୋ ଲ୍ଂଗୁଟିଆ ସାଙ୍ଗ । ଭାରି ଭଡଭଡ଼ିଆ । କିନ୍ତୁ ସବୁ କାମକେ ଏକସପର୍ଟ । ହୁଣ୍ଡାପିଟା କରି ସବୁ ଜୋଗାଡ଼ କରିଦିଏ । ଷଣ୍ଢ କଳା କଟକଟ, କେଁ କେଁ ସାଇକଲ୍ ଟିକୁ ଠେଲୁ ଠେଲୁ କହିଲା,"ହଉ" । ମୁଁ ଟିକିଏ ଆଶ୍ବସ୍ତ ହେଲି । 


ପୁଣି ତାକୁ ଧରି ଚଲାଇବାକୁ ଚ଼େଷ୍ଟା କଲି । ସେ କିନ୍ତୁ ନଉଠେ । ଭାବିଲି, " ସତେରେ ବୟସର ଗୋଟେ ପ୍ରଭାବ ଅଛି ।" ବୋଉ ସବୁଦିନ ସନ୍ଧ୍ୟାବେଳେ ଚଉଁରା ମୁଳେ ଭାଗବତ ପଢେ ସେଇ ଡ଼ରାବନା ପଦଟି, "କାଳର ବସ ଏ ଜଗତ, କି କରି ପାରେ ବଳବନ୍ତ" । ଏଲପି ସ୍କୁଲ୍ ଘନ ମାଷ୍ଟ୍ରେ ଆମ ପିଲାଦିନେ କେତେ ଆମକୁ ଘୋଷେଇଚନ୍ତି, "କେହି ରହି ନାହିଁ, ରହିବେଟି ନାହିଁ ଭବ ରଂଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟସାରି ବାହୁଡ଼ିବେ କାଳ ବଳେ" । ସମୟ ସ୍ରୋତରେ ସମସ୍ତେ ବହି ଯାଇଚନ୍ତି, ବହି ଯିବେ । ତଥାପି କେତେ ପତିଆରା, ଢଂଗ, ସୁଆଂଗ! ହଉ, ଦେଖାଯାଉ ହୁଣ୍ଡା ଶତପଥି ଆସୁ । 


ହୁଣ୍ଡା ଆସିଲା ଘଣ୍ଟେ ପରେ ତାପୁଅ ତାକୁ ଦେଇଥିବା ହିରୋ ହୁଣ୍ଡା ଚଢି । ଆସିଲା ତ ଆସିଲା, ସାଙ୍ଗରେ ଧରି ଆସିଲା ସୁନା ଚ଼େନ୍ ପିନ୍ଧା ବଣିଆ ସାଇ ବାବେନା ଭୂତକୁ । ସିଏ ବି ଆରେକ ସିକିଚାଲିଆ, ଟିସିମିରିଆ । ହୁଣ୍ଡା ମତେ ଦେଖୁ ଦେଖୁ ଠହକା ମାରି ହସଟେ ହସିଦେଲା ବାବେନାର ଖିଁ ଖିଁ କୁଟୁଳିଆ ହସ ସାଂଗେ । "ଆରେ ତତେ ମୁଁ କେତେ ଥର କହିଲାଣି, ଏତେ ବୟସ ହେଲାଣି, ଏ ଥର ୟାକୁ ଛାଡ଼େ । ସହରରେ ରହୁଚ଼ୁ । ବଡ଼ ଅଫିସର୍, ପ୍ରଫେସର୍ ହେଇଚ଼ୁ, ଟିକେ ସୌକିନ୍ ହବୁନି? ଟିକିଏ ଢଂଗ ଢାଂଗରେ ରହିବୁନି ? ସେଇ ପରୁଣା କାଳିଆ ମରହଟ୍ଟା ଅମଳର ଚଳଣି ! ମତେ ଭାରି ରାଗ ଲାଗିଲା । ଏକେତ ଘଣ୍ଟେ ଠିଆ ହୋଇଚି ମୁଁ ରାସ୍ତା ଦାଢରେ ମନ ଦୁଃଖରେ, ଉପରେ ଏମାନଙ୍କର ଏମିତି ବ୍ୟବହାର । ତଥାପି ମୁଁ ନିଜର ସ୍ବଭାବଗତ ଗାମ୍ଭିର୍ଯ୍ୟରେ ନିଜକୁ କଣ୍ଟ୍ରୋଲ୍ କଲି । ବିପଦ ତ ପଡ଼ିଚି । କେତେ ଏମିତେ ବିପଦ ଆପଦ ଆସିଚି ଯାଇଚି ଆମ ଦୁଇ ଜଣଂକ ଜୀବନରେ । ଇଏ ସେଇଭଳି ଗୋଟିଏ । ଆସିଚି ଚାଲିଯିବ ।


ଆମେ ତିନି ଜଣ ଯେତେ ଚେଷ୍ଟା, ପ୍ରଚ଼େଷ୍ଟା କଲୁ ସେ ଆଉ ଚାଲିଲାନି । କାଙ୍ଗାଳି ଖାଁ ପୁଅ ହବିବ୍ ମିଆଁ ର ପରିବା ବୁହା ଟେମ୍ପୋ ଟ୍ରଲିଟିକୁ ଦେଖି ହୁଣ୍ଡା ଶତପଥି ଗୋଟିଏ କିଳିକିଳା ରଡ଼ି ଦେଲା, "ହେ ହବିବ୍ ରହବେ, ୟେ ଚାଲି ପାରୁନି, ୟାକୁ ଟିକିଏ ଗାଡ଼ିରେ ବସେଇ ନବାକୁ ପଡ଼ିବ । "ହବିବ୍ ର ପରିବା ବୁହା ଗାଡ଼ିରେ ଭାରି ପଚା ଗନ୍ଧ । ମୁଁ ନାକ ଟେକିଲି । ମନେ କୁନ୍ଥୁ କୁନ୍ଥୁ ହେଲି ଯାହାକୁ ମୁଁ ଏତେ ଭଲପାଏ ତାକୁ ତା ଉପରେ ଚଢେଇବି କେମିତି? ହୁଣ୍ଡା କହିଲା, " ଯିବୁ ଯାଦି ଚାଲ୍ ନହେଲେ ଥା ଏଇଠି ଆମେ ଚାଲିଲୁ । ଏତେ ଭାବୁଚ଼ୁଟେ କଣ ବେ ?" ମନେ ମନେଭାବିଲ ମୁଁ, "ଛି ଛି ଏ ଶଳେ କି ସାଙ୍ଗ! ଛେନା ଫ୍ରେଣ୍ଡସ୍ " । ହୁଣ୍ଡାଟା କାଳକ ମଣିଷ ହେଲାନି । ବାବେନା ବି ତାଠୁଁ ବଳି ।"


ଗାଁ ଛକରେ ପହଁଚିଲା ବେଳକୁ ବୁଡ଼େ ରାତି । ଟିଣ ଡ଼ବା ଡ଼ିବିରିରେ ଭାଗବତ ପଢୁଥିଲା ଗୋବିନ୍ଦ ସେନାପତି । ଆମକୁ ଦେଖି ଗଳା ଛାଡ଼ି ଆହୁରି ଜୋରରେ ପଢିଲା ଉତ୍ସାହିତ ହୋଇ । "ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ପଦୁ ଗଳୁଛି ମକରନ୍ଦ । ସେ ମକରନ୍ଦ ପାନ କରି ହେଳେ ତରଲେ ବ୍ରଜ ନାରୀ ।" ଇତ୍ୟାଦି ।

ହୁଣ୍ଡା କହିଲା, " ଗୋବିନ୍ଦ ଭାଇ, ଦେଖିଲୁ କଣ ହେଇଚି ଯେ ୟେ ଚାଲି ପାରୁନି ।" ଗୋବିନ୍ଦ ଟିକିଏ ଏପଟ ସେପଟ ହଲେଇ ଦେଲା, ଆଗ ପଛ ବୁଲି ବୁଲି ଦେଖିଲା । ସେତେ ବେଳକୁ ପୋଖରୀ-ପାଣି ଆସିଥିବା ଆଉ ଦି ଗଣ୍ଡା ଟୋକା, ଅଧା ବୁଢା ବି ରୁଣ୍ଡ ହେଲେଣି । କି ହିନସ୍ତା ଆଜି । ଘରୁ ବି ଭାଇ, ଭଣଜା ଦଉଡ଼ି ଆସିଲେଣି । ଗାଁ ରେ ଗୋଟିଏ କଣ ହେଲେ ସେ କଥା ସାଇଁ ସାଇଁ ଚାଲେ । ଭାଇ ମତେ ଆକଟ କରି କହିଲା, "କେତେ ଥର କହିଚି ତମକୁ ଏତେବାଟ ଏମିତି ଏତେ ପୁରୁଣା ସ୍କୁଟର୍ ଚଲେଇ କିଏ ଆସେ । ହଇରାଣ ବି ହବ ଲୋକେ ବି ହସିବେ । ଛି, ଛି ମୋ ମନଟା କଣ ହେଇଗଲା, ହୃଦଟା କୋରି ହୋଇଗଲା, ଛାତିଟା କରତି ହେଇଗଲା । ରାଗି ମାଗି ଭାବିଲି "ଶଳେ ଲୋକ ତ ଚାହିଁ ବସିଚନ୍ତି ହସିବାକୁ । ଖରାପ ହେଲେ ତ ବେସି ହସ । ଆରେ ଶଳେ, ଅନ୍ୟର ଖୁସିରେ ହସିବାକୁ ସିଖ ।ଛି, ଛି କୁତୁରୁମିଆଁ ସବୁ ।"


ଏବେ ତ ଜାଣି ସାରିବଣି ସେ ମୋର କିଏ । ସେ ମୋର ଅତି ପ୍ରିୟ ବଜାଜ଼୍ ଚ଼େତକ୍, ଯାହା ବିଷୟରେ ମୁଁ ଏତେ ପର୍ଯ୍ୟନ୍ତ କହି ଆସିଲାଣି । ବଡ଼ କଷ୍ଟରେ ବହୁ ଦିନ ଲାଇନ୍ ରେ ଓ୍ବେଟ୍ କରି, ବିଲାତି ପାଉଣ୍ଡ୍ ଜମାକରି ତାକୁ ମୁଁ ପାଇଥିଲି । ଗର୍ବରେ ମୋ ଛାତି କୁଣ୍ଢେମୋଟ ହେଇ ଯାଇଥିଲା ସେଦିନ । ମୋର ପୁରା ପରିବାର ସେଥିରେ ବୁଲିଚି ସୁଖରେ ଦୁଃଖରେ । ଟିକିଏ ଅଣେଇ ଦେଇ, ଅଧା କିକ୍ ମାରିଲେଇ ଷ୍ଟା୍ର୍ଟ । ଆଜି ଯାଏଁ ଫେଲ୍ ହେଇନି । ଦିନଥିଲା ଲୋକେ ତାକୁ ଓ ମତେ ଆଖି ତରାଟି ଦେଖୁଥିଲେ ଆଉ ଆଜି ଆଖି ନେଫେଡ଼େଇ! 


ଗୋବିନ୍ଦ ବୁଢା କିକ୍ ମାରି ଷ୍ଟାର୍ଟ କରିବାକୁ ଚେଷ୍ଟା କରୁଥିଲା । କିନ୍ତୁ ନୋ ରେଜଲ୍ଟ । ସେ ତା ବାଇକ୍ ମେକାନିକ୍ ପୁଅ ଢେମେଣାକୁ କହିଲା, "ହଇରେ ବାପ, ଦେଖିଲୁ, କଣ ହେଇଚି ଗାଡ଼ିଟା ।" ରଂଗ ଦିଆ ବାଳକୁ ଝାଡ଼ିଦେଇ ଢେମେଣା କହିଲା, ସ୍କୁଟର୍ ଫୁଟର୍ କାମ କଣ ମୁଁ ଜାଣିଚି? ଏ ଆଉରେଂଗ ଜମାନାର ଖୋଳ ତୁମେ କରି ପାରିବ ନା, ମତେ କଣ କହୁଚ? ଭାବିଲି ଗୋଟିଏ ଢେଲା ମାରି ସେ ସଇତାନ୍ ର ମୁଣ୍ଡ ଫଟାଇ ଦବାକୁ । ଖୀଲି ବଲବଲ କରି ଚାହିଁଲି । ଗୋବିନ୍ଦ ସେନାପତି ପ୍ଲଗ୍ ଟି ବାହାର କର ସଫା କରିଦେଲା, ଫୁଙ୍କି ଦେଲା ଜୋର୍ ରେ ବଟ ଭୋଇ ଝାଡ଼୍ ଫୁଙ୍କ କଲା ପରି । ତାପରେ ଏକା ଥରରେ ଷ୍ଟାର୍ଟ । ମୋ ମନରେ ଚନ୍ଦ୍ରଉଦିଆ ଖେଳିଗଲା, ହୃଦରେ ଇନ୍ଦ୍ରଧନୁର ବର୍ଣ୍ଣାଳୀ, ମୁହଁରେ ପୂର୍ବପରି ଚମକ ଆସିଗଲା । ସମସ୍ତଙ୍କ ମୁହଁକୁ ଚାହିଁଲି । ମନେ ମନେ କହୁଥିଲି, "ଦେଖିଲ ଶଳେ! ମୋ ବଜାଜ୍ ଚ଼େତକର କରାମତି! " ଛାଡ଼, ବେବକୁଫ୍ ମାନଙ୍କୁ କହି କଣ ଲାଭ ! 


ରାତିରେ ଗାଁରେ ରହି ସକାଳୁ ପଖାଳ ଲେଉଟିଆ ଶାଗ-ନଡ଼ିଆ ଖାଇ ରେଡ଼ି ହେଲି ଫେରିବାକୁ । ମୋ ବଜାଜ୍ ଅଧା କିକ୍ ରେ ଷ୍ଟାର୍ଟ । ପରିବାରର ସମସ୍ତେ ମୁହଁ ଦେଖାଦେଖି ହେଲେ । ଠରାଠରି ବି ହୋଇଥିବେ । ମୁଁ ଗଲାପରେ ହୁଏତ ମୋ ବଜାଜ୍ ଆଉ ମୋ ବିଷୟରେ ଆଲୋଚନା କରି ଦିନ ସାରା ଏଣ୍ଟରଟେନମେଣ୍ଟ କରିବେ । ସବୁଠାରୁ ବେସି ଟିସିମିରି କରିବ ଭାଇର ବଡ଼ ହୀରୋହୋଣ୍ଡା ଚଢା ପୁଅ ଟଙ୍କା ଆଉ ସ୍କୁଟି ଚଢା ତା କଲେଜ୍ ପଢୁଆ ଝିଅ କଣ୍ଟେଇ । ଗାଁ ଦାଣ୍ଡରେ, ବଡ଼ ରାସ୍ତାରେ ଗଲାବେଳେ ପୁରା ଦୁନିଆ ହୁଏତ ହସିବ । ଆଜିକାଲି ସେଥିରେ ଯୁଆଡ଼େ ଗଲେ ସମସ୍ତେ କେମତି ଗୋଟେ ବିଦ୍ରୁପିଆ କି ଦୟାଦ୍ର ଆଖିରେ ଚାହିଁଥାନ୍ତି । ସମୟ ଗଡ଼ି ଯାଇଚି । କାଳ ଓଲୋଟି ଯାଇଚି । ସେଦିନର ଓନୋରସ୍ ପ୍ରାଇଡ଼୍ ବଜାଜ୍ ଚ଼େତକ ଆଜି ଓନୋରସ୍ କିଲିବିଲିଆ ଦୟନୀୟତାର କାରଣ । ପେଟ୍ରୋଲ୍ ପମ୍ପର ସେଲସ୍ ବୟଟି ହଏତ ମତେ ତାତ୍ସଲ୍ୟ କରି ପ୍ରଣାମ କରେ । ବାଟରେ ଘାଟରେ ସମସ୍ତେ ହୁଏତ ମତେ ବ୍ୟଙ୍ଗ ପୂର୍ଣ୍ଣ ଆଖିରେ ଚାହୁଁଥିବେ । ସେମାନେ କଣ ଜାଣନ୍ତି ମୁଁ ବଡ଼ ବାଇକ୍ ବି ଚଲାଏ । ସେମାନେ ସମସ୍ତେ କଣ ଜାଣିଥିବେ ମୋର ବଡ଼ କାର୍ ଅଛି । ମୋ ବଜାଜ୍ ସହିତ ମୋର କେତେ କାଳର ଘନିଷ୍ଟତା, କେତେ ମଧୁର ସ୍ମୃତି ସବୁ, ୟଂଗ ଓ୍ବାଇଫ୍ ଓ କୁନି କୁନି ପୁଅ ଦୁହିଁକୁ ଧରି କେତେ ସ୍ବପ୍ନ ରାଇଜର ମେଳାରେ, ଗୁଲ୍ ବଗିଚାରେ ବୁଲା, କିଏ ବୁଝିବ ।


ସୁନ୍ଦର ମନ ମୁଗ୍ଧକର ଆଓ୍ବାଜ୍ କରି ଚାଲିଲା ସେ ମନ ଖୁସିରେ ମତେ ନେଇ ରାଜ ରାସ୍ତାରେ । ମତେ ଲାଗୁଥିଲା ମୁଁ ଯେମିତି ପରୀ ରାଇଜରେ ବୁଲୁଚି ନୁଆ ନୁଆ ବାହାଘର ପରେ ପରୀଟେ ପଛରେ ବସେଇ କି ନୂଆ ନୂଆ ବକଟେ ବକଟେ ଗୁଲୁଗୁଲିଆ ଛୁଆ ଦିଟାଙ୍କୁ ଧରି ।


ସହର ଆସିଗଲା । ସ୍କୁଟର ମେକାନିକ୍ ଜାଲିମ୍ ସିଂହକୁ କହିଲି, "ମୋ ଗାଡ଼ିଟି ପାଞ୍ଚ ଦିନ ଭିତରେ କଲର୍ କରି ଦେଲୁ ଚକଚକିଆ ବାସନ୍ତି ରଙ୍ଗରେ । " ଜାଲିମ୍ ଖେଁ ଖେଁ କରି ହସିଲା । କହିଲା " ୟାକୁ ବିକିଲେ ହଜାରେ ଟଙ୍କାରେ କେହି ନେବେନି ଦଶ ହଜାର ଟଙ୍କାର କଲର୍ କରିବ କାହିଁକି?" ମନେ ମନେ ଭାବିଲି ଗୋଟିଏ ଚାପୁଡ଼ା ମାରି କହେଁ, " ତୋ ବୋପାର କଣ ଗଲା ବେ?" କିନ୍ତୁ ପ୍ରଫେସରିୟା ସମ୍ମାନ ବଞ୍ଚେଇ କହିଲି ସେ ଯାହା ହେଉ, ତୁ ୟାକୁ ନୁଆ କରି ଦେ । ଜାଲିମ୍ କହିଲା "ହଉ ରଖ ଯାହା ତୁମ ଇଛା । କିନ୍ତୁ ପୁରା ଦଶ ହଜାର ଲାଗିବ । ପାଞ୍ଚ ହଜାର ଆଡ଼ଭାନସ୍ । କହିଲି ହଉ।


ରଙ୍ଗ ହୋଇ ଯେଉଁଦିନ ଗାଡ଼ି ଘରକୁ ଆସିଲା, ଶ୍ରୀମତୀ ଆଖି ତରାଟି ରାଗ ଗରଗର ହୋଇ କହିଲେ । ଛି, ଛି, ଏତେ ପୁରୁଣା ଗାଡିରେ ଏତେ ଗୁଡଡେ ପଇସା ଖର୍ଚ୍ଚ କଲ? ମୁଁ ମନା କରିଥିଲି ନା? ଲକ୍ଷ୍ମୀଛଡ଼ା କାମ ଏଗୁଡ଼ା ।


ମୁଁ ଚ଼ୁପ୍ ହୋଇ ଶୁଣି ଯାଉଥିଲି ସେ ବାୟାଣୀର ରାଗ ରାଗ କଥା । ମନେ ପଡ଼ି ଯାଉଥିଲା ସେ ବାୟାଣୀ ମୋର ବାଇଗେଣୀ ରଂଗର ମୋଟା ପଣତରେ ହାତୀ, ଘୋଡ଼ା ଚିତ୍ରକରା ବନାରସୀ ପାଟଟି ପିନ୍ଧି, ଓଢୋଣା ଦେଇ ଗୋଟିଏ କୁନି ପୁଅକୁ କୋଳରେ ଧରି, ଆଉ ଗୋଟିକୁ ମଝିରେ ବସେଇ ମୋ ସାଥିରେ କେମିତି ଦୁନିଆ ବୁଲୁ ଥିଲା । ଆମେ ପୁରା ପରିବାର ରଂଗୀନ୍ ହୋଇ ଉଡ଼ୁ ଥିଲୁ ସପନ ରାଇଜରେ । ମୁଁ ଶ୍ରୀମତିଙ୍କୁ ଚାହିଁଲି ଓ ବାସନ୍ତି ରଙ୍ଗରେ ରଙ୍ଗେଇ ଥିବା ମୋ ବଜାଜ୍ ଚ଼େତକ୍ ଆଡ଼େ ଚାହିଁଲି । ମନ ପୁରି ଯାଉଥିଲା, ହୃଦୟ ଭରି ଯାଉଥିଲା ଅନନ୍ତ ଆନନ୍ଦରେ ।



Rate this content
Log in

Similar oriya story from Comedy