Artatran Mishra

Others

3  

Artatran Mishra

Others

ଭୂତ ଓ ଭବିଷ୍ୟତ

ଭୂତ ଓ ଭବିଷ୍ୟତ

5 mins
7.7K


ବାଇଦୁବାଗ ତୋଟା କି ବାଲିବଗିଚ଼ା ତୋଟା କି ଦୂଲାଖାଇ ଜଂଗଲର ଶୂନଶାନ୍ ଗୋହିରୀରେ ଗଲାବେଳେ ବଡ଼ ମାଡ଼ିମାଡ଼ି ପଡ଼େ | ଲାଗେ ଯେମିତି ସବୁ ଗଛ ଡାଳରେ ମୁଣ୍ଡମାଳ ମାନେ ଝୁଲୁଚ଼ନ୍ତି ଓ ଠୋଠୋ ହସୁଚ଼ନ୍ତି, ଏ ଡାଳରୁ ସେ ଡାଳ ଗୋଡ଼ ମେଲେଇ ବାଳ ମୁକୁଳି ଡାଂକିନୀ ବସିଚ଼ି ରକ୍ତମୁହଁରେ କଡ଼କଡ଼ କରି କ'ଣ ଗୋଟେ ଚ଼ୋବେଇ ଚ଼ୋବେଇ, ଟାଣିଓଟୋରୀ ଖାଉଚ଼ି, କେତେବେଳେ ହସୁଚ଼ି ତ କେତେବେଳେ ବୋବାଳି ଛାଡ଼ୁଚ଼ି, ଦାନ୍ତ ନଥିବା ରକ୍ତାକ୍ତ ମୁହଁରେ ଯେମିତି ନଣ୍ଡା ଗଛରେ ବ୍ରହ୍ମରାକ୍ଷସ ବସି କିଳିକିଳା ହସୁଚ଼ି, ଛୋଟ, ବଡ ଭୂତ, ପ୍ରେତ ମାନେ ଯେମିତି ପଛରେ ଗୋଡ଼ଉଚନ୍ତି ଟାଣି ଧରିବାକୁ | ଲାଗେ ଗଛମାନଂକର ଛାଇ ଯେମିତି ମାଡ଼ି ବସିବେ | ଉଦୁଉଦିଆ ଖରାବେଳ, ବେଳବୂଡ଼ା ସମୟର ଡାହାଣିଆ ଖରାରେ, ସୂଁସୂଁ ଅଧରାତିରେ କୁଆଡ଼େ ସେମାନେ ବେଶି ଉତ୍ପାତ ହୁଅନ୍ତି | ସେଥିରେ ପୁଣି ଆହୁରି ଗହନ କଥା ଅଛି-ହିନ୍ଦୁ ଭୂତ, ମୁସଲମାନ୍ ଭୂତ, ଖ୍ରୀସ୍ତାନ୍ ଭୂତ, ବ୍ରାହ୍ମଣ ଭୂତ, କରଣିଆ ଭୂତ, ବଣିଆ ଭୂତ, ତେଲି ଭୂତ, ଟୋକା ଭୂତ, ବୁଡ଼ା ଭୂତ, ଭେଣ୍ଡା ଭୂତ, ଭୂଆଷୁଣି ଭୂତ -ବାପ୍ ରେ, ଭୂତ ମାନଂକରବି କେତେପ୍ରକାର ଜାତି, ଆଚ଼ାର, ବ୍ୟବହାର, ଡେଞର ଲେଭେଲ୍!

ଗାଁ ପିଣ୍ଡାରେ ବଟୁଆରୁ ପାନ ଖାଉଖାଉ ବା ମଶାଣି ରାସ୍ତାରେ ପରକାଳକୁ ଯାଇଥିବା ଜଜମାନର ଆତ୍ମାର ମୁକ୍ତିପାଇଁ ଚ଼ୂଡାଦହି ଖାଇବାକୁ ଗଲାବେଳେ ବା ଭାଂଗ ଖାଇ, ଗଞେଇଟାଣି ଗୁଲିଖଟି କଲାବେଳେ, ଗୁମାନି ଅଜା, ଯୋଗୀଆ ଅଜା, କଣା ପିଇସା, ଗଣି ମଉସା, ହାଡ଼ିଆ ଦଦେଇ ଇତ୍ୟାଦି ଆମ ସାଇକୋଲେଜିଟି ଏମିତି କରିଦେଇଥାନ୍ତି | ତାଂକ କୃପାରେ ନଇ, ନାଳ, ପାହାଡ଼, ପର୍ବତ, ଜଂଗଲ, ବାଡ଼ି, ବଗିଚ଼ା ଯୁଆଡ଼େ ଏକା ଗଲେ ବା ବଡ଼ ଲୋକଂକବିନା ଗଲେ ଲାଗେ ଯେମିତି କିଏ ପିଛା କରୁଚ଼ି ବା ଡ଼ାକୁଚ଼ି | ଆମ ସ୍ବପ୍ନ ବି ଭୂତ, ପ୍ରେତଂକୁ ନେଇ ହୋଇଯାଇଥାଏ | ଆମ ବାପ-ମା' ମାନେବି ସବୁବେଳେ ଭୂତ, ପ୍ରେତ, ପିଶାଚ଼, ପିଶାଚ଼ୁଣି, ଚ଼ିରିଗୁଣି, ବେତାଳ, ମାଦଳ ଇତ୍ୟାଦିରୁ ବଂଚ଼େଇବାପାଇଁ ଆମ ହାତରେ, ଗୋଡ଼ରେ, ବେକରେ, କାନରେ, ନାକରେ ଯେଉଁଠି ପାରିଥାନ୍ତି ସେଇଠି ଡଉଁରିଆ, ତାବିଜ, ତାରିଣୀ, ନାକଫୋଡଣ, କାନଫୋଡଣ, ବାଘନଖ ଲକେଟ୍ ଲଗା ଚ଼େନ୍ ଇତ୍ୟାଦିର ଟୁଣକା-ଟୁଣକି ସଯତ୍ନ ବ୍ୟବସ୍ଥା କରିଥାନ୍ତି | ଆମେ ସବୁବେଳେ ପକେଟରେ ଦିଅଁଂକ ଫୁଲ, ପାଟୁଂଗା ବା ବିଭୂତି ରଖିଥାଉ ନିରାପଦ ରହିବାପାଇଁ | ଆମ ଘରମାନଂକରେ ବଡ଼ବଡ଼ିଆ ମାନେବି ଘର କିଳିଥାନ୍ତି ଠାକୁର, ଠାକୁରାଣୀଂକ ବାନା, ଆଗ୍ୟାଂମାଳ, ଘୋଡ଼ା ବାଳ ବା ତା' ପାଦର ଖୁର, ବା ଲୁହାକଣ୍ଟା ଇତ୍ୟାଦି ଘରର ଚ଼ାରିପଟେ ଅତି ସାବଧାନରେ ଲୁଚ଼େଇରଖି-ବିଶେଷକରି ଘର ଦୂଆରବନ୍ଧମାନଂକ ଉପରେ | କିଛି ଲୋକେ ତ ମାଟିହାଣ୍ଡିରେ ବିକଟାଳିଆ ମଣିଷ ଖପୁରି ଇତ୍ୟାଦି ଚ଼ିତ୍ରକରି ଘର ଉପରେ ଲଗେଇଥା'ନ୍ତି ଶ୍ରୀମନ୍ଦିରର ନୀଳଚ଼କ୍ର ବା ନେତଧ୍ବଜବାନା ପରି | ମୁଁ ମନେମନେ ସବୁବେଳେ ଭାବେ ସେ ଭୂତମାନେ ତ ଆମରି ଭିତରେ ମଣିଷ ଥିଲେ, ଆମେ ବି ତ ଦିନେ ଭୂତ ହବୁ | ଆମ ଭବିଷ୍ୟତ କ'ଣ ଏମିତି ହବ! ବଡ଼ ଡ଼ର ଲାଗେ |

ଏବେ ଆଉ ସେ ବାଇଦୁବାଗ, ବାଲିବଗିଚ଼ା ତୋଟା ନାହିଁକି ସେ ଦୂଲାଖାଇ ଜଂଗଲ ନାହିଁ | ବାଡ଼ି-ବଗିଚ଼ାବି ନାହିଁ | ବିଚ଼ରା ସେ ଭୂତ-ପ୍ରେତ, ପିଶାଚ଼, ଚ଼ିରଗୁଣି ମାନେ ନିଜ ପିଲା-ଛୁଆ ଧରି କୁଆଡ଼େଗଲେ କେଜାଣି ! ବଡ଼ ଆକୁଳ, ବିକଳ ହନ୍ତସନ୍ତ ହେଇ କେଉଁଠି ଲୁଚ଼ିଥିବେ | ଆମେ ନିଜେତ ଏବେ ଗୋଟେଗୋଟେ ନମ୍ବରି ବାବେନାଭୂତ | ବିଗ୍ୟାନୀ, ଶକ୍ତିମାନ ମଣିଷକୁ ଡ଼ରିମରି ହୁଏତ ସେମାନେ ପଳେଇଥିବେ | ଆମ ଖଣ୍ଡା, ତଲଓ୍ବାର, ଛୁରି, ଭୂଜାଲି, ପିସ୍ତଲ୍, ବୋମା, ରାଜନୀତିର ପେଂଚ଼, ଭାରି ଷଡ଼ଯନ୍ତ୍ର ପାର୍ଲିୟାମେଣ୍ଟର ଅଗ୍ନୀବର୍ଷି ଭାଷଣ, ବଚ଼ନ-ବାଚ଼ନ, ମାନ୍ୟବର ମାନଂକ ଗାଳି-ଗୁଲଜ୍, ଫୁତ୍କାର, ଚ଼ାଲି-ଚ଼ଳନ, ଇଲେକସନ୍ ବେଳର ହୁମ୍ବିତୁମ୍ବି, ଇତ୍ୟାଦି ଦେଖି, ତାଂକର ପିଳେହିପାଣି ହୋଇଯାଇ ଥିବ | ଆହା, ବିଚ଼ରା, ତାଂକର ବି ତ ଗୋଟେ କୁଟୁମ୍ବ ଥିଲା-ମଉଜ ମସ୍ତି, ସୁଖ-ଦୁଃଖ, ଭଲ-ମନ୍ଦ ଥିଲା | ଆଉ ସେତେ ପରିମାଣରେ ନଥିଲେବି, ଏବେବି କେତେ ଅଛନ୍ତି କିଛି ପରାକ୍ରମି ବାବା, ମାତା ମାନଂକ ପାଖରେ, ତାଂକ ଭକ୍ତମାନଂକ ସଂଗରେ | ତାନ୍ତ୍ରିକ ଗୁରୁ ମାନେ ଭୂତ ବ୍ୟବସାୟରେ ଏବେବି ଅଛନ୍ତି | ପରୀକ୍ଷାରେ ବା ଲଭ୍ ରେ ଫେଲ୍ ହେଲେ, କାହାକୁ ବଶୀକରଣ କରିବାକୁ ହେଲେ, ବେଶିଗୁଡ଼େ ଧନ ଅର୍ଜନ (ଗ୍ୟାନ ଅର୍ଜନ ପାଇଁ ଲାଗୁ ନୁହେଁ) କରିବାକୁ ହେଲେ ବା କାହାର ସର୍ବନାଶ୍ କରିବାକୁ ହେଲେ, ଭକ୍ତମାନଂକ ହିତରେ ସେମାନେ ଲଗେଇ ଥା'ନ୍ତି ତାଂକ ଭୂତ-ଭୂତୁଣୀ ମାନଂକ ଫୋର୍ସ | ତା'ଛଡ଼ା, ଦୂର ଗାଁ ମାନଂକର ତାଳ, ନଡ଼ିଆ ଗଛରେ, ତୋଟା ମାନଂକରେ ଓ ନଇକୂଳ ସମାଧୀ ମାନଂକରେ, ସ୍ମାର୍ଟ ସିଟିମାନଂକ କିଛିକିଛି କମରାରେବି ଏବେବି ସେମାନେ ଅଛନ୍ତି ଲୁଚ଼ିଲୁଚ଼ି | ଯେତେ ମଡର୍ନ ହେଲେବି, ଆମଭିତରେ କେଜାଣି କେଉଁଠି ଗୋଟେ ଭୂତ-ପ୍ରେତ ମାନଂକର ଅବସ୍ଥିତି ରହିଚ଼ି ଓ ରହିବ |

ସେକାଳର କଥାଟି-କୋକି ଆଇକି ନେଇ ମୁଁ ଆସୁଥାଏ ଆମ ଗାଁ'କୁ ଶୀତଳଶଷ୍ଟୀ ଦିଅଁ ବାହା ଦିନ | ଉଦୁଉଦିଆ ଖରାବେଳ | ନଇକୂଳ ମଶାଣୀ ପଟେ ଗାଁକୁ ରାସ୍ତା | କୋକି ଆଇବି ଚ଼ୂପ୍, ମୁଁ ବି ଚ଼଼ୂପ୍ | ବିକଟାଳିଆ ନୀରବତାକୁ ଦୂର କରିବାକୁ ମୁଁ ହଠାତ୍ ସମାଧୀ ମାନଂକ ଆଡ଼େ ହାତ ଦେଖାଇ କହିଲି, "ଏଇ ସମାଧୀ ବୂଲା ବୋଉ ଆଇର, ସେ ସମାଧୀ ହାଡ଼ୁଆ ବାପାର, ସେଇଟି ବେକରେ ଦଉଡ଼ି ଦେଇ ମରିଥିବା ଭୂଆଷୁଣି ଝିଅ ସେରେନ୍ତିର, ସେ ବଡ଼ ସମାଧୀଟି ଷଣ୍ଡ ମକଦ୍ଦମଂକର, ଆରଟି ଭାଂଗ ଖାଇଖାଇ କଲିଜା ଫାଟି ମରିଥିବା ଭାଲୂ ପଣ୍ଡିତଂକର, ତା' ପାଖଟି ତାଂକ ଆଜୀବନ ଶତ୍ରୁ ଅଫିମ ଖିଆ ପରମା ମହାପାତ୍ରର... |" କୋକି ଆଈ ମୋ ମୁହଁରେ ହାତ ଦେଇ ମୋ ଉଠା ହାତକୁ ଜାକିଦେଲା | "ଚ଼ୂପ୍ ଚ଼ୂପ୍, ସିଆଡ଼େ ହାତ ଦେଖାନା |" ମୁଁ ଭାବିଲି ବୋଧେ ସମାଧୀ ମାନଂକଆଡେ ହାତ ଦେଖାଇଲେ ଭୂତମାନେ ପଶିଯିବେ ଦେହରେ | ଚ଼ୂପ ହେଇଗଲି ମୁଁ | କୋକିଆଇର କାନି ଧରି ମୁହଁ ଲୁଚ଼େଇ ଦେଲି |

ସତରେ, ମୋର କ'ଣ ଦରକାର୍ ଏତେ ଭୂତ ମାନଂକର ଇଣ୍ଟ୍ରୋଡ଼କସନ୍ ଦବା | ଝିପିଝିପି ବର୍ଷା ବି ଆରମ୍ଭ ହେଇଗଲା, ଆମେ ଓଦା ହୋଇ ଘରେ ପହଁଚ଼ିଗଲୁ |

ଘରେ ପହଁଚ଼ିଲା ବେଳକୁ ସଂନ୍ଧ୍ୟା ଛ'ଟା | କୋକିଆଇ ଆସିଲେ ଆମ ଘରେ ଭାରି ଖୁସି ସମସ୍ତେ | କେତେ ପିଠା ପଣା ସେ ଜାଣେ, କେତେ ଗପ ସେ କହେ | ମୁଁ ମୁଆଁ-ହୁଡ଼ୁମ୍ବ ଖାଇ ପଡ଼ି ବସିଲି | କେତେବେଳେ ଶୋଇପଡ଼ିଚ଼ି ଜାଣିନି | ଉଠିଲା ବେଳକୁ ମୋ ମୁଣ୍ଡରେ ପାଣିକନା ଶେକ ଦେଇ ସମସ୍ତେ ବସିଚ଼ନ୍ତି | "ଜରରେ ଖଇ ଫୁଟୁଚ଼ି ପିଲାଟାର, କମ୍ପୁଚ଼ି, ଜଲଦି ଡାକ ହୂଣ୍ଡା ପଣ୍ଡାକୁ, ଝାଡ଼-ଫୁଂକ ଦରକାର, ତାକୁ ଭୂତ ଧରିଚ଼ି, ମୁଁ କହୁଚ଼ି ସମାଧୀ ଆଡ଼େ ହାତ ଦେଖାନା", କୋକିଆଈ ବଡ଼ପାଟିକରି କହିଲା | ଆସିଲା ହୁୃଣ୍ଡା ପଣ୍ଡା, ମୁହଁ ଓ ଆଂଗୁଠିରେ ଫୁଟ୍-ଫାଟ୍, ସଟ୍-ସାଟ୍ କରି କ'ଣ ସବୁ କଲା | କହିଲା "ଏ କବରସ୍ତାନ୍ ଭୂତ, ଭାରି ଡେଂଜରସ୍ | ବାହାର କରି ଦେଇଚ଼ି, ଆଉ ଡର ନାହିଁ |" "ଓହୋ, ଭୂତ ମାନଂକର କେତେ ଉତ୍ପାତ!", ମନେମନେ ଭାବିଲି | କୋକି ଆଇ ରାତି ସାରା ମୋ ପାଖରେ ଜଗି ବସିଲା କ'ଣ ସବୁ ଗୁୃଣୁଗୁଣୁ କରି | ସକାଳକୁ ଜର ଅଳ୍ପଅଳ୍ପ ଥାଏ | ଦୋଳ ମଣ୍ଡପ ପିଣ୍ଡିରେ ଖରାରେ ବସି ଆମେ ଟିଉସନ୍ ହଉଥାଉ | ନନା କହିଲେ," ପୁଅକୁ ଜର କାଲିଠାରୁ |" ସନାତନ ମାଷ୍ଟ୍ରେ, ଯିଏ ଅଧା ଡାକ୍ତର ବି, ସଂଗେସଂଗେ ତାଂକ ଷ୍ଟେଥୋ ଓ ଜରମପା ଯନ୍ତ୍ର ଆଣି ମୋ ଜର ମାପିଲେ | "ନା, ନା, ଆଉ ଜର ନାହିଁ, ଖରାରେ ଚ଼ାଲିଚ଼ାଲି, ବର୍ଷାରେ ଓଦା ହେଇ ଆସିବାରୁ ଓ ଶର୍ଦି ଲାଗିବାରୁ ବଡ଼ି ଟେମ୍ପରଚ଼ର୍ ଟିକିଏ ବଡିଗଲା | ଏବେ ଠିକ୍ଅଛି, ମୁଁ ଗୋଟେ ଟାବ୍ଲେଟ୍ ଦେଇ ଦଉଚ଼ି, ଠିକ୍ ହେଇଯିବ |" କୋକି ଆଇ ଟିକିଏ ଦୂରରେ ପିଣ୍ଡାରେ ବସି ଗୁଣିଆ ହୁଣ୍ଡା ପଣ୍ଡା ସଂଗେ କ'ଣ ଫୁସୁର-ଫାସର ହଉଥିଲା ହାତରେ କୂଟା-କାଠି, ଘାସ, ଘୋଡ଼ାବାଳ ଇତ୍ୟାଦିର ଗୁଣି-ଗାରେଡ଼ିର ପ୍ରବନ୍ଧନ ଧରି | ମୁଁ ଟିଉସନରେ ବିଗ୍ୟାନ ବହିର 'ଆମ ସମାଜରେ ଅନ୍ଧ ବିଶ୍ବାସ' ଚାପ୍ଟରଟି ପଡ଼ୁପଡ଼ୁ, ସେଇ ସମାଧୀ ମାନଂକ କଥା ଭାବୁଥିଲି | ମୋର ଦେହର ଜରଟି ଓ ମନର ଅସ୍ଥିରତାଟି ବିଗ୍ୟାନ ବହିର ପୃଷ୍ଠା ଓ ସମାଧୀ ମାନଂକ ମଜିରେ ଉପର-ତଳ ହଉଥିଲା | କେତେବେଳେ ମୁଁ କୋକି ଆଇର ମୁହଁକୁ ଦେଖୁଥିଲି ତ, କେତେବେଳେ ସନାତନ ମାଷ୍ଟ୍ରଂକୁ |


Rate this content
Log in