ବିଜୁଳି ଆସିଗଲା
ବିଜୁଳି ଆସିଗଲା
ଆହା, ସତେ ଯେମତି ଅନ୍ଧର ଆଖି ଖୋଲିଗଲା । ବାସର ଘରେ ଯେମିତି ପ୍ରଥମ ଥର ଓଢଣା ଖୋଲି ଜୋଇଁ ପୁଅ ଚ଼ାନ୍ଦ ବଦନଟି ଦେଖିଲା । ନିସନ୍ତାନର କୋଳରେ ଚ଼ନ୍ଦ୍ରଉଦିଆ ପରି ବାଳୁତ ବକଟେ ଆସିଗଲା । ଅଚ଼ାନକ ଯେମିତି କିଟିକିଟିଆ ଅନ୍ଧାର ଭିତରେ ସୂର୍ଯ୍ୟଟିଏ ଖରା ଖେଳେଇଦେଲା । ଦୀର୍ଘ ପାଂଚ଼ ବର୍ଷଧରି ଫେଲ୍-କମ୍ପାର୍ଟମେଣ୍ଟାଲ୍, ଫେଲ୍-କମ୍ପାର୍ଟମେଣ୍ଟାଲ୍ ହେଇ ହେଇ ଜୀବନଟି କଲରା ପିତା ପରି କହୁଥିବା ମେଣ୍ଟାଲ୍ ଗଡ଼ବଡ଼ ଗଜାନନ ରାଉତରୟ ଯେମିତି ଆଜି ଏକା ମାଡ଼ରେ ମାଟ୍ରିକ୍ ପାସ୍ କରିଗଲା । ସହର ନାତୁଣୀ ଘରେ ମାସେ ଖଣ୍ଡେ ଭଲମନ୍ଦ ଖାଇ ଖାଇ ଝାଞ୍ଜି ଆଇକି ଯେମିତି ଆମ୍ବିଳି ତୋରାଣି, ଆମ୍ବୁଲ ଖଟା ଫାଳେ ମିଳିଗଲା । ରଂକକୁ ଯେମିତି ନିଧି-ସମ୍ପତ୍ତି ମିଳିଗଲା । ବିଲେଇକି ଯେମିତି ମାଛ କଣ୍ଟାଟେ ମଳିଗଲା । ଚ଼ାଳିଶି ବର୍ଷ ଧରି ବାଡ଼ୁଅ ରହିରହି ନାକଟେକା ଗୌରାଂଗକୁ ଯେମିତି ସୁନା ନାକି ଗୌରାଂଗୀଟିଏ ମିଳିଗଲା । ଦଶ ବର୍ଷଧରି ରିଟାୟର୍ ହୋଇ ଟଂକା ସୁଖା ବାଂକବିହାରୀ ମାଷ୍ଟ୍ରଂକୁ ଯେମିତି ପେନସନ୍ ଅର୍ଡ଼ର୍ ହୋଇଗଲା । ଷଣ୍ଢ ବାରିକର ତୁରୁତୁରିଆ କତୁରୀରେ ବାଉଳାରେ ନିଶ କଟି ଯାଇଥିବା, ପ୍ରଥମ ଥର ଶଶୁର ଘର ଯାଉଥିବା ରାଗ ଗରଗର ନାଥୁନି ସିଂହ ନାକତଳେ ଯେମିତି ଭୀମା କେଉଟ ମୋଟା ଆଉ କଳା ଛନ୍ ଛନ୍ ନକଲି ନିଶଟେ ଅଠା ମାରି ଲଗେଇ ଦେଲା । ବିନା ପଆଜ-ରସୁଣ, ତେଲ-ମସଲାରେ ପୁରା କାର୍ତ୍ତିକ ମାସଟି ହବିଷ କରି କରି ଘନ କକେଇକି ଯେମିତି ମାଛ କାଲିଆଟେ କି ଚ଼ିଲି-ଚ଼ିକେନ୍ ଠେଂଗଟିଏ ମିଳିଗଲା । ସେ' ଖୁସିର କି' ତୁଳନା ଅଛି! ମହା ବାତ୍ୟାରେ ସବୁ କିଛି ତଚ୍ ନଚ୍, ଛିନଛତ୍ର ହୋଇଥିବା ଗାଁ'-ସହରରରେ ଚ଼ଉଦ ଦିନଧରି ବିଜୁଳି ନଥିବା ପରେ ଅଚ଼ାନକ ରାତି ଅଧରେ ବିଜୁଳି ଆସିଗଲାରୁ ମଶାରୀ ଭିତରେ ଝାଳ ବୁହା ଦେହରେ ଟ୍ରେସପାସର୍ ମଶାଟିକି ରାବଣାସୁର ପରି ମାରୁ ମାରୁ ବିଜୁଳି ବିଭାଗର ହେଡ଼୍ ତଥା କ୍ଷୁଦ୍ର ଗଳ୍ପ ଲେଖକ ବୋଧିରାମ୍ ମହପାତ୍ରଂକ ହୃଦୟ ଆକାଶରେ ସେମିତି ଖୁସିର ଘଡ଼ଘଡ଼ିଟେ ମାରିଲା । ମନେ ପଡ଼ିଗଲା ପିଲାଦନର ସେଇ ଚ଼ାହାଳୀ ମାଷ୍ଟ୍ରଂକ ବେତ ମାଡ଼ ଖିଆ ବର୍ଣ୍ଣବୋଧର ସେଇ ଗୀତ "ଟିକର ପଡ଼ାରୁ ଆସେ ବିଜୁଳି, ଘରେ ଘରେ ପଶି ଉଠଇ ଜଳି" । ଆଜି ତ ବିଜୁଳି ଖାଲି ଜଳୁନି, ବରଂ ବିଜୁଳି ଜୀବନର ଆବଶ୍ୟକତା, ଆରାମ ଓ ବିଳାସର ଅଭିନ୍ନ ଅଂଗ ।
ବିଜୁଳି ବିନା ସବୁ ଠନ୍ ଠନ୍ । ସେ' ପୁଣି ଘୋ'ର ବୈଶାଖ ମାସରେ । ଘର ଲାଗୁଚ଼ି ଗରମ କଡ଼େଇର ତେଲ । ନା' ଘର-ଦୁଆର, ନା' ଦୋକାନ-ବଜାର, ନା' ପାଣି-ପଣା, ନା' ଟିଭି-ଫ୍ରିଜ୍, ନା' ଦୁଧ-ଦହି, ନା' ଗାଧୂଆ-ପାଧୂଆ, ନା' ଖାଇବା-ପିଇବା, ନା ବନ୍ଧୁ-ବାନ୍ଧବ, ନା ଅଫିସ୍-ଫପିସ୍, ନା ସ୍କୁଲ୍-କଲେଜ, ନା' ପେଟ୍ରୋଲ୍, ନା' ଡ଼ିଜେଲ୍ । କିଛି ନାହିଁ । ସବୁ ଖାଁ' ଖାଁ' ।
ମହାପାତ୍ରେ ପୁଣି ଲେଖକ ଦର୍ଶନରେ ଭାବିଲେ ସେଇ ବେଳ ଯେତେବେଳେ ସେ' ପିଲାଥିଲେ ଗାଁ'ରେ । ବିଜୁଳି ତ' ସହର ଛଡ଼ା ଆଉ କେଉଁଠି ନଥିଲା । ନା' ଲାଇଟ୍, ନା' ଫ୍ୟାନ୍, ନା' ଏସି, ନା' କୁଲର୍, ନା' ଓ୍ବାସିଂ ମେସିନ୍, ନା' ଫ୍ରିଜ୍, ନା' ଇଣ୍ଡକସନ୍ ଚ଼ୂଲା, ନା' ଏଲପିଜି ଗ୍ୟାସ୍ । ଦି' ଧାଡ଼ିରେ ଚ଼ାଳ ଛପର ଘର ମାନ । ମଝିରେ ମାଟି ଦାଣ୍ଡ । ଘର ସାମ୍ନା ଦାଣ୍ଡରେ ଗାଇ-ବାଛୁରୀ, ବଳଦ ବନ୍ଧା । ତାଂକ ହମ୍ବା ରଡ଼ି । ତାଂକ ଘାସ ବିଡ଼ା, ଚ଼ାରା, କୁଣ୍ଡା, ତୋରାଣୀରେ ଭରା ନନ୍ଦିଆ । ତା'ପରେ ଗୁହାଳ । ତା'ପରେ ଦାଣ୍ଡ ବାଟ ଘର । ପାଖକୁ ଲାଗି ତୁଳସୀ ଚ଼ଉଁରା, ମଲ୍ଲୀ, ମନ୍ଦାର, କୁସୁମ, ଅନ୍ନପୂର୍ଣା, ମଧୁମାଳତୀ ଇତ୍ୟାଦି ଗଛରେ ଘେରା ଠାକୁର ଘର ଓ ଚ଼ଉଁରା, ରୋଷ ଘର, ଏୟାର୍ କଣ୍ଡିସନଡ଼୍ ଥଣ୍ଡା ଥଣ୍ଡା ଦୋଚ଼ାଳି ରହିବା ଘର, ପଛରେ ବାଡ଼ି ବାଟ ଘର । ଘର ସବୁ ଗୋବର-ମାଟିରେ ଲିପା, ଚ଼ିତା ଚ଼ିତ୍ରରେ ବିଚ଼ିତ୍ର । ତା'ପରେ ବାଉଁଶ ବୁଦା, କଦଳୀ ବଣ, ପିଜୁଳି ଗଛ, ଆମ୍ବ ଗଛ, ପୋଲାଂଗ ଗଛ, କେନ୍ଦୁ ଗଛ ଇତ୍ୟାଦି । ତା'ପରେ ଗାଁ' ଠାକୁର-ଠାକୁରାଣୀଂକ ମନ୍ଦିର । ତା'ପରେ ରାଜ ରାସ୍ତା ଓ ନଈ । ନଈ ସେପଟେ ଛୋଟ, ବଡ଼ ପାହାଡ଼, କେତେ ଗାଁ'-ଗଣ୍ଡା, ଛୋଟ ଛୋଟ ହାଟ-ବଜାର ଇତ୍ୟାଦି ।
ସେତେ ବେଳର ଗାଁ'ରେ ସୂର୍ଯ୍ୟ ଉଁଇଲେ ଆଲୁଅ, ସୂର୍ଯ୍ୟ ଅସ୍ତହେଲେ ଅନ୍ଧାର ।
ଦୀପ, ଲଣ୍ଠନ, ଡ଼ିବିର ଆଲୁଅରେ ଘର ଆଲୁଅ, ପିଲାଂକ ପାଠ ପଢା, ବଡ଼ ମାନଂକ ପୋଥି-ଭାଗବତ ପଢା, ଗାଇ ଦୁହାଁ', ଗାଇ-ବଳଦ-ମୁହାଁ, ତ୍ରିନାଥ ମେଳା, ଅଷ୍ଟ ପ୍ରହରୀ, ସତ୍ୟ ନାରାୟଣ ପୂଜା, ଭଜନ-କୀର୍ତ୍ତନ । ସେପଟେ ବୋଉ, ନାନି, ଭାଉଜଙ୍କ ଚ଼ୁଲିରେ ରୋଷେଇ, ନାନି-ଭାଉଜଙ୍କ ସ୍ନୋ-ପାଉଡ଼ର୍, କଲେଜ୍ ପଢୁଆ ସଉକିଆ ଟୋକା-ଟୋକି କି ଫିଲିପ୍ସ କି ମର୍ଫି ରେଡ଼ୁଅର ବିବିଧ ଭାରତୀ, ସିଲୋନ୍ ଗୀତ କି ସୁଗମ ସଂଗୀତ କି ପଲ୍ଲୀ କଥା । ନଈ-ପୋଖରୀ ତ ପୁରା ଗାଁ'ଟି ଯାକର ବାଥ୍ ରୁମ୍ ଓ ଓ୍ବାସ୍ ରୁମ୍ । କୁଣିଆ-ମୈତ୍ର ଆସିଲେଇ ନଇ କୂଳରେ ବସା ସନ୍ଧ୍ୟା ବେଳେ । ନଇ-ପୋଖରୀ କୁଳ ଯେମିତି ଏକ ସାମଗ୍ରିକ ଓ ସାମୁହିକ ଡ଼୍ରଇଁ ରୁମ୍ ବି । ଆହା, ସେ' ଦିନର ନଈ କୂଳିଆ ଧୀର ପବନ, ଛାଡ଼ି ଯିବାକୁ ନହୁଏ ମନ । ସବୁକିଛି କେତେ ସହଜ, ସରଳ, ସାଧାରଣ ଓ ସହିଷ୍ଣୁ । ବିଜୁଳି ନଥିବାର ସେଇ ଦିନରେ କେତେ ବ୍ରତ, ବାହା', ବ୍ୟାଣ୍ଡ-ବରଯାତ୍ରୀ, ଚ଼ଉଠି ରାତି, ପୁନିଅ, ପରବ, ମେଳା, ମଉଛବ,ମେଳନ, ପାଲା, ନାଟ । ଲଣ୍ଠନ, ପେଟ୍ରୋମାକ୍ସ୍ ଲାଇଟ୍ ରେ କେତେ ମଜା, ନାଚ଼, ଡ଼ିଆଁ-ଡ଼ିଇଁ । ବିଜୁଳି ଲାଇଟ୍ କି ଫ୍ୟାନ ଇତ୍ୟାଦିର ଆବଶ୍ୟକତା କେହି ଫିଲ୍ ବି କରୁନଥିଲେ । ବରଂ, ଖରା ଦିନର ଡ଼ହକ ଖରାରେ ଝାଉଁ ଯାତ, ଝାମ ଯାତ, ରଣପା ଚ଼ାଲି, ଚ଼କୁଳିଆ ପଣ୍ଡାଂକ ବଡ଼ବୋଲା ଗୀତ, ଧୁଡ଼ୁକି ନାଟ, କାଠ ତାଳିଆ, ଯୋଗୀ-ବଇଷମମାନଂକ ଏକତାରା-କେନ୍ଦେରା ଗୀତ "ଭଜୁକି ନା ରାମ ନାମ ରେ' କୁଅଁର, ଭଜୁକି ନା ରାମ ନାମ....., ବଉଳା ଗାଇ ଇତ୍ୟାଦି ଗୀତ", ତୋଟା ମାନଂକରେ ହାଟ-ମେଳନ, ମଉଛବର ଆନନ୍ଦ କହିଲେ ନସରେ । କିଆ-କେତକୀ, ମଲ୍ଲୀ-ମାଳତୀ, ହେନା-ଛୁରୀୟନା, କାମିନୀ-ମାଳତୀ, ଆମ୍ବ-କଦମ୍ବ, କୁଳୁକୁଳୁ ଝରଣା ଓ ସାପୁଆ ନଇରେ ଘେରା ପାହାଡ଼ ତଳି ପଲ୍ଲୀ ଗାଁ'ରେ ଜୀବନର ଯେମିତି ଏକ ଅମର ଯୌବନ ଥିଲା । ଲୋକଙ୍କର ଅନନ୍ତ ଉତ୍ସାହ, ଅଫୁରନ୍ତ ଆନନ୍ଦ, ଅଳ୍ପରେ ଖୁସି, ଅଦମ୍ୟ ଶକ୍ତି, ସରଳ ପ୍ରାଣ, ବିରଳ ମାନବିକତା ବିଜୁଳି ଶକ୍ତି କି ବିଜ୍ଞାନର ବିଳାସ କି ଅନ୍ୟ କୌଣସି ସର୍ତ୍ତରେ ସୀମାବଦ୍ଧ ନଥିଲା । ବରଂ ମେଘ, ବାଦଲର ବିଜୁଳି, ଘଡ଼ଘଡ଼ି ଦୈନଦିନ ଜୀବନ, ସାହିତ୍ୟ, ସଂସ୍କୃତିର ସୌନ୍ଦର୍ଯ୍ୟ ଥିଲା ।
ମହାପାତ୍ରଙ୍କ ସହରସ୍ଥିତ ବିଳାସୀ ଫ୍ଲାଟ୍ ରେ ଏତେ ଦିନ ଧରି ବିଜୁଳି ନଥିଲା । ଜୀବନ ଯେମିତି ଅଟକି ଯାଇଥିଲା । ତନ କ୍ଳାନ୍ତ-ଶ୍ରାନ୍ତ, ମନ ବିରକ୍ତ- ବିକଳ, ଅବସାଦରେ ଆତ୍ମା । ପରମାତ୍ମାଂକ ମନ୍ଦିରବି ବିଜନ, ନିର୍ଜନ, ଅନ୍ଧକାର ବିଜୁଳି ବିନା । ଆହା! ଯିଏ ବିଜୁଳିର ସୃଷ୍ଟି କର୍ତ୍ତା, ସିଏ ବି ଅନ୍ଧାରରେ, ବିଷାଦରେ, ଅପାଣିଆ, ଭୂଖା । ବିଜୁଳି ଆସିଲେ ସିନା ଲାଇଟ୍ ଜଳିବ କି ମଟର ଚ଼ାଲିବ । ମଟର ଚ଼ାଲିଲେ ସିନା ପାଣି ଉଠିବ, ମଣିଷ ଖାଇବ କି ଠାକୁର ଖାଇବେ । ଏବେ କରେଣ୍ଟ ଆସିଲା । ବହୁଦିନ ପରେ । ମହାପାତ୍ରେ ଦଉଡ଼ିଲେ ମଟର, ଫ୍ରିଜ୍, ଟିଭି, ଫ୍ୟାନ୍, ଏସି ଅନ୍ କରିବାକୁ । ବିଜୁଳି ବିଜୁଳି ପରି ଚ଼ାଲି ବି ଯାଇପାରେ । ଫଟାଫଟ୍ ସବୁ କରିବାକୁ ପଡ଼ିବ । ସେ ପୂରୁଣା ଦିନ କେତେ ଭଲଥିଲା ! ପ୍ରକୃତି ଓ ପ୍ରାକୃତ କେମିତି ମଳି ମିଶି ଥିଲେ ! ପଂମ୍ପରେ ପାଣି ଉଠିଲା । ମହାପାତ୍ରଙ୍କ ମନେ ପଡ଼ିଲା କେମିତି ଗାଁ' କୂଅ ଓ ବାମ୍ଫିରୁ ବୋଉ, ଭାଉଜ, ନାନି, ମାଉସୀ, ପିଇସି, ଦେଠେଇ, କୁଆଁରୀ ମାନେ ପାଣି ଉଠଉଥିଲେ ଗୀତ ବୋଲି ବୋଲି । ଆଜିର ନର-ନାରୀଂକ ତ ଏମିତି ଅଣ୍ଟା, ପିଠି ଦରଜ । ମହାପାତ୍ରେ ଲୁଚ଼େଇ ଲୁଚ଼େଇ ମନେ ପକେଇଲେ ଗରା, ମାଠିଆରେ ପାଣି ଛଲକେଇ ଛଲକେଇ ଗାଁ' ଦାଣ୍ଡରେ ମେଳି ହେଇ ଗଲାବେଳେ ପତଳୀ କମରି କୁଆଁରୀ ମାନେ କି ଭଲ ଲାଗୁଥିଲେ । ଛି-ଛି ! ମହାପେତ୍ରେ ଲାଜେଇଗଲେ ।
ମହାପାତ୍ରଙ୍କ ଜାଗୁଆର, ସେରା, ହିଣ୍ଡଓୟାର୍, ଇଟାଲିୟନ୍ ଫିଟିଂର ବାଥ ରୁମ୍ ଓ ବାଥ୍ ଟବ୍ ସବୁରେ ଜୀବନ ଆସିଗଲା ବିଜୁଳି ଆସିଲାରୁ, ପାଣି ଆସିଲାରୁ । ତାଂକର କିନ୍ତୁ ମନେ ପଡ଼ିଗଲା ସେଇ ଗାଁ' ମନ୍ଦିର ଆଗର ପଥର ପାହାଂଚ଼ରେ ଘେରା, କଇଁ, ପଦୁଅଁରେ ହସ ହସ ବେଣ୍ଟ ପୋଖରୀ ଓ ଅଦୂରର ସାପୁଆ ନଇ । ତୁଠ ପଥର ଚ଼ାରି କଡ଼େ ଓଦା ଲୁଗାରେ କଅଁଳ କଅଁଳ ଝିଅ, ବୋହୁଂକ ଗୋରା ଗୋରା ପାଦ । ମହାପାତ୍ରେ ସରମେଇ ଗଲେ । ଟିକିଏ ଦୂରରେ ଗାଁ'ଭେଣ୍ଡା ମାଂନକ ଝଂକା ଗଛ ଉପରୁ ପାଣିକୁ ଡିଆଁ, କାତ-ଆହୂଲା ଧରା ନାଉରୀଆର ନାହା ବୂହା, କେଉଟ ମାନଂକ ମାଛ ଧରା, ମୀନ-ମହୁରାଳି ଆଶାରେ ବଗ ମାନଂକର ବକଧ୍ୟାନ୍, ଚ଼ନ୍ଦାମୁଣ୍ଡିଆ-ଚ଼ୁଟିଆ ପଣ୍ଡିତଂକ ତିଳ-ତର୍ପଣ ଇତ୍ୟାଦି । କୁଆଁରୀ ମାନଂକୁ କଣେଇ କେଣେଇ ଦେଖି, ଦେଖି ସାଂଗ ମାନଂକ ସଂଗେ ନଇ ପହଁରାର କି ମଜା! କେଡେ ବଡ଼, ସୁନ୍ଦର ବାଥରୁମ୍ ଥିଲା ସେଇ ବେଣ୍ଟ ପୋଖରୀ, ସେଇ ନଇ ! ଆହା!
ଶ୍ରୀମତି ମହାପାତ୍ରଙ୍କର ଚ଼ଉଦ ଦିନ ଧରି ରୋଷେଇ ହେଇନି । ବିଜୁଳି ଥିଲାନି ନା' । ବ୍ରେକଫାଷ୍ଟଠାରୁ ଡ଼ିନର୍ ପର୍ଯ୍ୟନ୍ତ ସବୁ ଖାଇବା ଆଜି ପ୍ରିୟାରୁ ତ କାଲି ଥ୍ରୀ ସେଫ୍ ରୁ, ପରଦିନ୍ ଫୁଡ଼୍ ପଣ୍ଡାରୁ ଆସୁଥିଲା । ଇଡ଼ିଲି, ବରା, ଦୋସା, ଚ଼ାଉମେନ୍, ଫ୍ରାଏଡ଼୍ ରାଇସ୍, ଭେଜ୍ ବରିୟାନି, ଚ଼ିକେନ୍-ମଟନ୍ ବିରିୟାନି, ଆଇସ୍ କ୍ରିମ୍ ଇତ୍ୟାଦି ଇଚତ୍ୟାଦି । ଆଜି ସିଦ୍ଧାର୍ଥ କଣ୍ଟିନେଣ୍ଟାଲ୍ ତ କାଲି ହୋଟେଲ୍ ଲା' ଫ୍ରାଂକନିଲ୍ । ମହାପାତ୍ରଙ୍କ ପର୍ସ ଖାଲି । ଆଜି ବିଜୁଳି ଆସିଲା । ମହାପାତ୍ରେ ଶାନ୍ତିରେ ଦୀର୍ଘଶ୍ବାସଟିଏ ମାରିଲେ । ମନେ ପଡ଼ିଗଲା ଜେଜେ ମା', ବୋଉ, ଭାଉଜ, ନାନି, ପିଇସି ନାନି, ମାଇଁ ମାନଂକର ସେଇ ଅବିଜୁଳିଆ ଦିନ ମାନଙ୍କର ଶୁଖିଲା ପତର କି ଡାଂଗ-ଡ଼ୁଂଗା, କାଠ-ବାଉଁଶ ଜଳା, ନଳୀ ଫୁଂକା ଚ଼ୂଲି ନିଆଁରେ ତିଆରି ଭାତ, ଡ଼ାଲମା, ଖଟା, ଖୀରି, ନଡ଼ିଆ ପକା ଲେଉଟିଆ ଶାଗ, ଖଡ଼ା ଶାଗ, କଳମୀ ଶାଗ, ସୁନୁସୁନିଆ ଶାଗ, ନଳିତା ଶାଗ, ସୋରିଷ ବଘରା କଖାରୁ ଡ଼ଂକ-ଖଡ଼ା-ବଡ଼ି ରାଇ, ଦହି ପଖାଳ, ଚ଼କୁଳି, ସରୁ ଚ଼କୁଳି, ଛୁଂଚ଼ି ପତର, ପୋଡ଼ ପିଠା, ଚ଼ିତଉ, ମଣ୍ଡା, ଆରିସା, କାକେରା, ଅମାଲୁ, ଦହି ବାଇଗଣ, ମସଲା ପୁରରେ ଗୋଟା କଲରା ଭଜା, ଲାଉ-ନଡ଼ିଆ ରାଇ, କଦଳୀ ଫୁଲ ଓ ମଞ୍ଜା ରାଇ, ବନ୍ତଳ କଦଳୀ ଭଜା, ସୋରିଷ ଦିଆ ଚ଼ୂନା ମାଛ, ବେସର ଦିଆ ଇଲିସି ଝୋଳ ଇତ୍ୟାଦି । ମହାପାତ୍ରଙ୍କ ପାଟିରେ ଲାଳ ଆସିଗଲା । ବୋଉ ହାତ ତିଆରି ସାତ ତିଅଣ, ନଅ ଭଜା ସବୁ ବଡ଼ ଗୁଣ୍ଡା କରି ଖାଇଲା ବେଳେ ଜେଜେ ମା'ର ବିଂଚଣା ପବନର ଥଣ୍ଡା ହାଓ୍ବା ମହାପାତ୍ରଙ୍କ ଦେହରେ ଶୀହରଣ ଖେଳାଇ ଦେଲା । "ସିଆଡେ କ'ଣ ଭୁନ୍ଦୁଂକ ଭଳିଆ ବସିଚ଼? ଏଠିକି ଜଲଦି ଆସି ପିଆଜ ଚ଼ିପସ୍ କରି ଦିଅ । ଜଲଦି ଜଲଦି ମୁଁ' ଚ଼ାଉମେନ୍ କରିଦିଏଁ । କରେଣ୍ଟ କାଳେ ପଳେଇବ । ପିଲାଂକୁ ଭୋକ ଲାଗିବଣି । " ମହାପାତ୍ରେ ତିନି ଲକ୍ଷ ଟଂକିଆ ମୋଡ଼ୁଲାର୍ କିଚ଼ିନ୍ ଆଡ଼େ ଦଉଡ଼ିଲେ ଭୟରେ । ଗାଁ'ର ସେ ଅବିଜୁଳିଆ ଦିନର ଖାଇବା ଏ ବିଜୁଳିଆ ଦିନରେ ମଳୁନି କାହିଁକି ? ମହାପାତ୍ରେ ଆବେଗରେ ବୁଡ଼ିଗଲେ ଶ୍ରୀମତୀ ମହାପାତ୍ର ତାଂକ କାନଟି ରଗଡ଼ିବା ପର୍ଯ୍ୟନ୍ତ ।
ପିଲେ ଏସି ଲଗେଇ ବକର ବକର ହେଉଚ଼ନ୍ତି ଆଇସ୍ କ୍ରିମ୍ ଚ଼ାଟି ଚ଼ାଟି । ଖୁସି କହିଲେ ନସରେ । ବିଜୁଳି ଆସିଚ଼ି ନା' ବହୁଦିନ ପରେ । ମହାପାତ୍ରଙ୍କ ମନେ ପଡିଲା ଗଛ ଛାଇରେ ଘେରା ଖରାଦିନର ନାତିଶୀତୋଷ୍ଣ ବାଡ଼ି ବାଟ ଘରେ ନଇ, ପୋଖରୀ କୂଳରୁ ଆସୁଥିବା ଥଣ୍ଡା ଥଣ୍ଡା ପବନରେ, ଚ଼ାଉଳ ଭଜା-ମୁଢି କି ହୁଡ଼ୁମ୍ବ ଖାଇ ଖାଇ, ଅଜା-ଆଇଂକ କୋଳରେ ଶୋଇ ଶୋଇ ପୁରାଣ ଗପ ସବୁ ଶୁଣା ।
ବିଜୁଳି ବତିରେ ସହରଟି କି ରଂଗ ବେରଂଗ ସ୍ବପ୍ନପୁରୀ ! ବାଲକୋନିରୁ ମହାପାତ୍ରେ ବିଜୁଳିରେ ଚ଼ମକୁ ଥିବା ସହରକୁ ଚ଼ାହିଁଲେ । ମାଡ଼ାମ୍, ପିଲେ ସବୁ ଛପନ ଇଁଚ଼୍ ଟିଭି ଖୋଲି ପ୍ରୋଗ୍ରାମ୍ ଦେଖୁଚ଼ନ୍ତି । ମହାପାତ୍ରଙ୍କ ମନେପଡ଼ିଲେ ସେଇ ବିଶାଳ ଆକାଶର ଚ଼ାନ୍ଦିନୀର ଚ଼ାନ୍ଦୁଆ ତଳେ ଗାଁ' ଘରର ଦୂଆରେ ମୁନ୍ଦୁରା କି ସଉପ ଉପରେ ଭାଇ ଭଉଣୀ, ଅଜା-ଆଈଂକ ସାଥିରେ ଗଡ଼ିଗଡ଼ି ଭସା ବାଦଲ ଭିତରର ଚ଼ାନ୍ଦ ଓ ଅଗଣିତ ତରା ମାନେ । ମନେ ପଡ଼ିଗଲା ଆଈଂକ ବେତାଳ ପଂଚ଼ବିଂଶତି, ଜାତକ ଗଳ୍ପ, ଅଜାଂକ ରାମାୟଣ, ମହାଭାରତ, ଠାକୁରଂକ ପାଖେ ଭାଗବତ ପଢୁଥିବା ବାପାଂକର କୃଷ୍ନ-ଉର୍ଦ୍ଧବ ସମ୍ବାଦ, ଅଗଣା ଚ଼ୁଲୀରେ ଚ଼କୁଳି ପିଠା କରୁଥିବା ବୋଉର ଗୁଣୁଗୁଣୁ ଗୀତ । ସେ'କି କ'ଣ ଏ ପିଲେ ଆଉ ପାଇବେ!
"କ'ଣ ଚ଼ୁପ୍ ଚ଼ାପ୍ ବସି ଧ୍ୟାନ୍ କରୁଚ଼? ବାଢି ସାରିଲାଣି ପରା । ଖାଉନ । ବିଜୁଳି ଚ଼ାଲିଗଲେ ବୁଝୁଥିବ । କାଲି ପରା ସକାଳୁଆ ସ୍କୁଲ୍ ମୋର । ଆଉ ସକାଳୁ ସକାଳୁ ତୁମେ ପରା ବିଜୁଳି ଥଇଥାନ୍ ଡ଼ିଉଟିରେ ଯିବ ।" ବିଜୁଳି ବିଭାଗର ହେଡ଼୍ ମହାପାତ୍ରେ ବିଜୁଳି ବେଗରେ ହାତ ମୁହଁ ଧୋଇ ଖାଇ ବସିଲେ । ଡ଼ାଇନିଂ ରୁମ୍ ର ଲାଇଟ୍, ଫ୍ୟାନ୍, ଟୋଷ୍ଟର୍, ଓଭୋନ୍, ରେଫ୍ରିଜିରେଟର୍, ଏୟାର୍ କୁଲର୍ ଇତ୍ୟାଦି ଆଡ଼େ ଦେଖୁ ଦେଖୁ ତାଂକର ମନେ ପଡ଼ିଲା ସେଇ ପୁରୁଣା ଦିନର ଗାଁ' ଘର, ଯେଉଁଠି ବିଜୁଳି ମାନେ ସମସ୍ତେ ମେଘର ବିଜୁଳି ଜାଣିଥିଲେ ।
ଏତେ ଦିନ ବିଜୁଳି ନଥିଲା । ପିଲେ ସବୁ ପାଣି ସମ୍ପ୍ ରୁ ବାଲ୍ଟିରେ ପାଣି ବୋହୁଥିଲେ ତଳ ମହଲାରୁ ଉପର ମହଲାକୁ ଝାଳ ନାଳ ହୋଇ । ମହାପାତ୍ରେ, ଶ୍ରୀମତି ମହାପାତ୍ରେ ବି । ସମସ୍ତଂକର ପେଟ ଟିକିଏ କମି ଯାଇଚ଼ି ଏଇ କିଛି ଦିନରେ । ପିଲାମାନଂକ ଭିତର ପରିଶ୍ରମ କରିବାର ସ୍ପିରିଟ୍ ଆସିଚ଼ି । ପରିବାରରେ ଏକତା ଆସିଚ଼ି । କୋଅପରେଟିଭ୍ ଲେବରର ମହତ୍ତ୍ବ ବୁଝିଲେ ସେମାନେ । ପରିସ୍ଥିତି ସଂଗେ ମିଶି ଚ଼ାଲିବା ଶିଖିଲେ । ଖାଲି ପାର୍କରେ ଓ୍ବାକିଂ କରିବା, ଫେସନିଆ ଜିମ୍ ରେ ଝାଳ ବୁହାଇବା କି ଫିଲ୍ଡରେ ଦଉଡ଼ିବା ଫିଟ୍ ରହିବାର ଏକମାତ୍ର ଉପାୟ ନୁହେଁ । ପ୍ରଡକଟିଭ୍ ଲେବର୍ ର ପ୍ରାକୃତିକ ପରିଶ୍ରମ ଓ ସଫଳତାର ଆନନ୍ଦ ସବୁଠୁଁ ବଡ଼ ଫିଟନେସ୍ ଜିମ୍ । ସିଢି ପାହାଚଡରେ ପାଣି ଧରି ଉଠି ଉଠି, ପେଟ୍ରେଲ୍, ଡ଼ିଜେଲ୍ ଅଭାବରେ ଚ଼ାଲି ଚ଼ାଲି ଦୂର ମାର୍କେଟରୁ ଗ୍ରସେରୀ, ପରିବା ବୋହି ବୋହି ମହାପାତ୍ରଙ୍କ ଡ଼ାଇବେଟିସ୍, ବିପି କମି ଯାଇଚ଼ି । ଶ୍ରୀମତି ମହାପାତ୍ରଙ୍କ ଆଣ୍ଠୁ ଗଣ୍ଠି ଦରଜ, ମୁଣ୍ଡ ବିନ୍ଧା ଖତମ୍ । ମନେ ପଡ଼ିଗଲା ଗାନ୍ଧୀ ମହାତ୍ମାଂକ କଥା । ସିଏ କହିଥିଲେ "ଖାଲି ଏକସରସାଇଜ୍ ପାଇଁ ଏକସରସାଇଜ୍ କରନି । ଉତ୍ପାଦନଶୀଳ ଶାରୀରିକ ପରଶ୍ରମ କର, ଏକସରସାଇଜ୍ ଆପେ ଆପେ ହୋଇଯିବ । ସୁସ୍ଥ ରହିବ, ସଂପୂର୍ଣ ରହିବ, ସମୃଦ୍ଧ ରହିବ ।" ମହାପାତ୍ରଙ୍କ ପିଲାମାନେ ଆନନ୍ଦରେ ଖଟିଲେ, ଛାତ ଉପରେ ଶୋଇ ଚ଼ାନ୍ଦ, ତାରା, ବାଦଲ ଦେଖିଲେ, ବାହାର ପବନରେ ନିଶ୍ବାସ ନେଲେ, ଜହ୍ନ ଭିତରର ଠେକୁଆ ଦେଖି ଡ଼ାଡ଼ି ମହାପାତ୍ରଂକୁ ପଚ଼ାରିଲେ ଓ ସେଗୁଡ଼ିକ ଚ଼ାନ୍ଦ ଦେହରେ କ୍ରେଟରସ୍ ବୋଲି ଜାଣିଲେ । ବିଚ଼ିତ୍ର ମହାଶୂନ୍ୟ, ସପ୍ତର୍ଷି ମଣ୍ଡଳ, ଆକାଶ ଗଂଗା, ଧ୍ରୂବ ତରା, ଜହ୍ନର ବିବର୍ତ୍ତନ, ଚ଼ନ୍ଦ୍ର ଗ୍ରହଣ, ସୂର୍ଯ୍ୟ ପରାଗ, ଲାଞି ତାରା, ଧୂମକେତୁ, ଓଲକା ପିଣ୍ଡ ଇତ୍ୟାଦି କ'ଣ ବୁଝିଲେ । କଷ୍ଟ, ପରିଶ୍ରମରୁ ସମସ୍ତଂକ ଭିତରେ ଦୁଃଖ ସହିବାର ଶକ୍ତି,ସହିଷ୍ନୁତା, ନିର୍ଭିକତା ଆସିଲା । ଗରିବ, ଦୁଃଖି, ରଂକି ମନଂକ ଦୁଃଖ, ଦୟନିୟତା ବୁଝିଲେ, ଅନୁଭବ କଲେ । ଶ୍ରୀମତି ମହାପାତ୍ରଙ୍କ ସବୁ ଥାଇ କିଛି ନଥିବା ନଥିବାର ବିରକ୍ତି କଟିଗଲା ଅନ୍ୟ ମାନଂକର ବେଶି ଦୁଃଖ ଦେଖି । ସମସ୍ତେ ଓ୍ବାସିଂ ମେସିନ୍ ବିନା କପଡ଼ା ଧୋଇବା ଶିଖଲେ । ମୋବାଇଲ୍ ଫୋନ ବିନା ବି ବଂଚ଼ି ହୁଏ ଜାଣିଲେ । ଇଡ଼ିଅଟ୍ ବକ୍ସ ଟିଭିଟି ଅହର୍ନିଶି ନଦେଖି ସଚ୍ଚା ବନ୍ଧୁ ବହି ବା ମାଗାଜିନ୍ ପଢିବା, ଚ଼ିନ୍ତା-ଚ଼େତନାରୁ ସୃଜନଶୀଳ ଲେଖାଲେଖି କରିବା, ଗୀତ, ନାଚ଼, ଚ଼ିତ୍ରକଳା ଇତ୍ୟାଦି ସାଧନ କରିବା ଲକ୍ଷେ ଗୁଣରେ ଭଲ ବୋଲି ସେମାନେ ବୁଝିଲେ । ଟିଭିର ରିଅଲିଟ୍ ସୋ' ମାନଂକରେ ତଥା-କଥିତ ସେଲେବ୍ରିଟ୍ ମାନଂକର ଅଶ୍ଳୀଳ, ଅଭଦ୍ର, ଅବାଂଛନୀୟ ନୌଟାଂକି ହରକତ୍ ନଦେଖିଲେ ବା' ନିଉଜ ଖୋଲିଲେଇ ରାଜନୀତିର ଅରାଜକତା ଅଂହକାର, ବାହୁସ୍ଫୋଟ, କୂଟିଳ, ଜଟୀଳ, ବିଲୁଆ ବିଚ଼ାର କି କଳିତକରାଳ ନଶୁଣିଲେ ଯେ କେତେ ମାନସିକ ଶାନ୍ତି ଓ ସମୟର ସୁରକ୍ଷା ତାହା ବୁଝିଲେ । ଆଜି କାଲି ତ ଟିଭି ଖୋଲିଲେଇ ଦେଶର ଭାଗ୍ୟ ବିଧାତା, ହର୍ତ୍ତା-କର୍ତ୍ତା ବୋଲାଉଥିବା କେତେ ଚ଼ଉକସିଆ ବଡ଼ ବଡ଼ ଲୋକଙ୍କର ଷ୍ଟ୍ରିଟ୍ ଲୋଫର୍ ମାନଂକ ପରି ଅତି ସ୍ବାର୍ଥାନ୍ଧ ତଥା ସମାଜ ଓ ଦେଶ ବିରୋଧୀ ଅଭଦ୍ର ଝଗଡ଼ା, ବଚ଼ସା, ତୁ' ତୁ' ମେ' ମେ' । ପିଲେ ସେ ସବୁ ଭଲ, ମନ୍ଦ ବୁଝିଗଲେ । ପାଣି, ବିଜୁଳି ବଂଚ଼ାଇବା କେତେ ଆବଶ୍ୟକ ବୁଝିଲେ । ଯେତେ ଏଟିମ୍ କାର୍ଡ଼ ଥିଲେ ବି ପାଖରେ କଛି କ୍ୟାସ୍ ସବୁବେଳେ ରଖିବାର ଆବଶ୍ୟକତା ବୁଝିଲେ । ପଡୋସୀ ହିଁ ଆପଦ ବିପଦରେ ସାହା ବୁଝିଲେ । ଏସି, କୁଲର୍ ଫ୍ୟାନ୍ ବିନା ବି କେମତି ଶୋଇ ହୁଏ ଜାଣିଲେ । ମଣିଷ ଯେତେ ଶକ୍ତିଶାଳୀ ହେଲେବି ଅଦୃଶ୍ୟ ଶକ୍ତି ପାଖରେ କିଛି ନୁହେଁ ଅଂଗେ ଲଭେଇଲେ । ବିଜୁଳି ନଥାଇ ଏମିତି କେତେ ଯେ ଶିକ୍ଷା ଦେଇଗଲା ସମସ୍ତଂକୁ ।
ବିଜୁଳି ଆମ ଆଧୁନିକ ଯୁଗର ସଭ୍ୟତା, ବିକାଶର ଆବଶ୍ୟକତା, ବୈଗ୍ୟାନିକ ସଫଳତା, ଜୀବନର ଅଭିନ୍ନ ଅଂଗ । କିନ୍ତୁ, କେତେ ନିର୍ଭରଶୀଳ ମଣିଷ ତା' ଉପରେ । ବିଳାସୀ ମଣିଷ ଦ୍ବାରା କେତେ ଦୂରୋପଯୋଗ ତା'ର । ଆମ ଘର ପରି କେତେ ଘରେ ଘରେ ଟିଭି, ଫ୍ରିଜ୍, ଫ୍ୟାନ୍, ଏସି, କୁଲର୍ ବିନା କାରଣ କି ସାମାନ୍ୟ କାରଣରେ ଚ଼ାଲୁଥାଏ । ଆଜି ସେ ନାହିଁ ବୋଲି ମଣିଷ ତାର ଅଭାବ ବୁଝୁଚ଼ି । ମହା ବାତ୍ୟା ବିଜୁଳି କାଟି ଦେଇ ବୋଧେ ମଣିଷକୁ ଚ଼େତଉଚ଼ି । କିନ୍ତୁ ସେ ବୁଝିଲେ ସିନା ।ପିଲେ ସବୁ ବିଜୁଳି ଖୁସିରେ କୋଳାହଳ କରି ଡ଼ାଇନିଂ ରେ ମହା ଖୁସିରେ ଡିନର କରୁଚ଼ନ୍ତି । ସବୁ ବେଡ଼୍ ରୁମ୍ ରେ ଦୁଇ ଦୁଇ ଟନ୍ ର ଏସି ଚ଼ାଲୁଚ଼ି, ଟିଭିରେ କ୍ରିକେଟ୍ ଖେଳ ବିନା ଦର୍ଶକରେ । ଫ୍ୟାନ୍, ଲାଇଟ୍ ସବୁ ଯାଗାରେ ଅନ୍ । ମଣିଷ ବହୁ ଜଲଦି ଭୁଲିଯାଏ ।
ମହାପାତ୍ରେ ଇଷତ୍ ହସି ଭାବିଲେ ଆଉ କିଛି ଦିନ ବିଜୁଳି ନ ଆସନ୍ତା କି ! ପିଲେ ଆଉ ଟିକିଏ ଭଲ ମଣିଷ ହେଇ ଯା'ନ୍ତେ ।
"ଆରେ ଖାଉନ, କ'ଣ ପୁଣି ଚ଼ିନ୍ତା ଆରମ୍ଭ କରି ଦେଲ? କାଲି ସକାଳୁ ଉଠି ଅଫିସ୍ ଯିବ ଆଉ ଏମିତି କରିବ ଯେ ଯେମିତି ଆଉ ବିଜୁଳି ଟିକିଏ ବି ନକଟେ । ନହେଲେ ମୁଁ ବାପ ଘରକୁ ଚ଼ାଲିଯିବି । ତମେ ଅବିଜୁଳିଆ ଘରେ ପଡ଼ିଥାଅ ।" ମହାପାତ୍ରେ ଚ଼ମକି ପଡ଼ିଲେ, ତାଂକ ଛାତି ଧଡ଼୍ ଧଡ଼୍ ହୋଇଗଲା । ୟେ ଧଡପଡ଼ ହୋଇ ଖାଇନେଲେ । ଧଡ଼୍ ଧାଡ଼୍ ଟେଲିଫୋନ୍ ରେ କାହାକୁ ସବୁ କ'ଣ ଅର୍ଡ଼ର ଦେଇଗଲେ । କହିଲେ, "ବିଜୁଳି ତ ଆସିଗଲା, ଆଉ ଯେମିତି ନକଟେ । ଭାରି ବିପଦ ହୋଇଯିବ । ଧ୍ୟାନ୍ ରଖ । "
ଶ୍ରୀମତି ମହାପାତ୍ର ତାଂକ ମୁହଁକୁ ଚ଼ାହିଁ ଲୁଚ଼େଇ ଲୁଚ଼େଇ ମୁରୁକି ମୁରୁକି ହସିଲେ । ବୋଧିରାମ ମହାପାତ୍ର ବଡ଼ ନରଭସ୍ ଲାଗୁଥିଲେ ବିଜୁଳି ଆସିଗଲା ପରେ ବି ।