ହଜୁଥିବା ଇନ୍ଦ୍ରଧନୁ
ହଜୁଥିବା ଇନ୍ଦ୍ରଧନୁ


ଖୋଲିଥିବା ଛତାକୁ ବୁଜି ଦେଇ ଶୁକୁରି ଆଜି ମଧ୍ୟ ଘଡ଼ିଟିଏ ବସି ରହିଲା ପଥର ଉପରେ I ଜଙ୍ଗଲରୁ ଆଣିଥିବା ଜାମୁ କୋଳି ସବୁ ଆଜି ବିକ୍ରି ହେଇଗଲା I ଭଲ ଦି ପଇସା ମିଳିଛି I ଏଥର ରବିବାର ହାଟରେ ନୂଆ ଲୁଗାଟିଏ କିଣି ପାରିବ ନିଜର ସଂଚୟ କରିଥିବା ପଇସାରେ I ସଡ଼କଟା ଚଉଡ଼ା ହେଲା ପରେ ବହୁତ ଗାଡି ଯିବା ଆସିବା କରୁଛି ଆଜି କାଲି କିନ୍ତୁ ଗଛ ଗୁଡିକ ସବୁ କଟା ହୋଇ ଯାଇଛି ତେଣୁ ଆଉ ଖରା ଦିନେ ଛାଇ ଟିକେ ନାହିଁ କି ବର୍ଷା ଦିନେ ପାଣିରୁ ରକ୍ଷା ପାଇବାକୁ ମୁଣ୍ଡ ଉପରେ ପତ୍ର କି ଡାଳ ନାହିଁ ! ସେ ଯାହା ହେଉ ନା କାହିଁକି, ନିଜ ପରିଶ୍ରମରେ ଏ ଯାଏଁ ବଞ୍ଚି ପାରିଛି: ସଡକ କଡ଼ରେ ବସି ଜଙ୍ଗଲରୁ ଯାହା ସଂଗ୍ରହ କରୁଛି ତାକୁ ବିକି ଦେଇ I ଦୁଃଖ ବୋଲି ସେମିତି କିଛି ନାହିଁ ତାହାର ଗୋଟିଏ କଥାକୁ ବାଦ ଦେଲେ I ରାସ୍ତାଟି ତା ପାଇଁ ଆଣିଛି ଉପାର୍ଜନ ପନ୍ଥାଟିଏ କିନ୍ତୁ ଏହି ରାସ୍ତାଟି ମଧ୍ୟ ନେଇ ଯାଇଛି ମଙ୍ଗୁଳି କୁ ବହୁତ ଦୂରକୁ I ତାହାର ପୁଅ ମଙ୍ଗୁଳି ଏହି ରାସ୍ତାରେ ଯାଇଛି ଯେ ଯାଇଛି I
ମଙ୍ଗୁଳି କୁ ଆଉ ଭଲ ଲାଗିଲାନି ଗାଆଁର ଜୀବନ I ସେହି ଜଙ୍ଗଲରୁ କେବେ ଜାମୁ କୋଳି, କେବେ ମହୁଲ, କେବେ ବାଉଁଶ କରଡ଼ି, ଆଉ କେବେ ଛତୁ ଆଣି ବିକିକି ବଞ୍ଚିବାକୁ ଭଲ ଲାଗିଲାନି I ଜଙ୍ଗଲ ବି ଆଉ ବାକି ରହି ନାହିଁ ! ସବୁ ଖଣି ନାଆଁରେ , ରାସ୍ତା ନାଆଁରେ, ଆଉ କାରାଖାନା ନାଆଁରେ କଟା ହୋଇ ସାରିଲାଣି !ଗାଆଁ ର ଆଉ କିଛି ଟୋକା ମଧ୍ୟ ଚାଲି ଯାଇଛନ୍ତି ଦୂର ସହରକୁ I କେଉଁ ସହରକୁ ଆଉ କେଉଁ ଦିଗରେ ଶୁକୁରି ଜାଣି ନାହିଁ, କିନ୍ତୁ ଏତିକି ଜାଣିଛି ଯୋଉ ଦିନ ଫେରିବ ବହୁତ ପଇସା ଧରିକି ଫେରିବ ଆଉ ପକ୍କା ଘରଟିଏ କରିବ I ତା ପରେ ଶୁକୁରି ତାହାର ବାହା ଘର କରିବ ନିଜର ପସନ୍ଦ କରିଥିବା ଝିଅ ସୁନା ସହିତ ଆଉ ସମସ୍ତେ ସୁଖରେ ରହିବେ I ନିଜର ପଇସାକୁ ପୁଣି ଥରେ ଗଣିଦେଲା ଶୁକୁରି ଆଉ ଚାହିଁଲା ଦୂରକୁ ଯେଉଁଠାରେ ରାସ୍ତାଟି ପାହାଡ ମଧ୍ୟରେ ଉଭାନ ହେଇଯାଇଛି I ସେ ପାଖେ ପାଣି ମାରିଥିବ ବୋଧେ ! ଫିକା ଫିକା ଇନ୍ଦ୍ରଧନୁଟିଏ ଦିଶୁଛି I ଯିବା ଦିନ ମଙ୍ଗୁଳି, ରାସ୍ତାର ଶେଷକୁ ଦେଖେଇ କହିଥିଲା," ସେ ପର୍ବତ ଉପରେ ଥିବା ଇନ୍ଦ୍ରଧନୁ ଯୁଠି ସରୁଛି, ଯୁଠି ରାସ୍ତା ଆଉ ଦୁସୁନି, ସିଠି ବହୁତ ପଇସା ଅଛି I ଆଣିକି ଆସିଲେ ପକ୍କା ଘର ଗୁଟେ କରିବା, ବଡ କିନା I ତା ପରେ ବିଭା ହେବି ଆଉରି ତୋର ବୋହୁପିଲା ଆସିବ I”
ସେହି ପାହାଡ଼ ଉପରେ ବର୍ଷା ହେଲେ ଇନ୍ଦ୍ରଧନୁ ଦିଶେ ଆଉ ଲାଗେ ଯେମିତି ସ୍ଵର୍ଗକୁ ନିଶୁଣିଟିଏ ତିଆରି ହେଇଛି ଆଉ ନିଶୁଣିର ତଳ ଯାଏଁ ଯାଇଛି ସଡକ I କିନ୍ତୁ କିଛି ସମୟ ପରେ ବିଲୀନ ହୋଇଯାଏ ସତେ ଯେମିତି କହିଯାଏ ଶୁକୁରିକୁ, ତାହାର ସ୍ଵର୍ଗକୁ ଯିବାକୁ ବାଟ ସାଜିବ ନାହିଁ ଏହି ସଡ଼କ !କିଛି ଭାବୁ ଭାବୁ ଗୁଣୁ ଗୁଣୁ ହୋଇ ଗାଇବାକୁ ଲାଗିଲା ଶୁକୁରି I ମଙ୍ଗୁଳି ନିଶ୍ଚୟ ସୁଖରେ ଅଛି, ବଡ ସହର ବହୁତ ପଇସା ପାଉଥିବ! ସମସ୍ତେ ତ କହୁଛନ୍ତି: ସହରରେ ବହୁତ ପଇସା, ଗାଡି ମୋଟର, ସୁଖ ସୁବିଧା I କିନ୍ତୁ ଶୁକୁରି ଜାଣି ପାରୁ ନାହିଁ, ପାହାଡ ସେପାରି ହଜୁଥିବା ଇନ୍ଦ୍ରଧନୁ ଭଳି ତାହାର ପୁଅ ମଧ୍ୟ ହଜି ସାରିଲାଣି, ଦୂର ଦିଗାନ୍ତରେ, ସହରର ମଧୁଶାଳାର ମାୟାରେ I ସିଏ ପାଇ ସାରିଛି ତାହାର ସ୍ଵର୍ଗ ଆଉ ତାହାର ମାଆ ଲାଗି ତା ସେଠାରେ ଜାଗା ନାହିଁ ! ଦାଦନଟିଏର ସ୍ଵର୍ଗ ସାଜେ ସନ୍ଧ୍ୟାରେ, ସାହି ଶେଷରେ ଥିବା ଦେଶୀ ମଧୁଶାଳାରେ ଆଉ ସମାପ୍ତ ହୁଏ ନିତି ସକାଳେ, ଥଣ୍ଡା ସିମେଣ୍ଟ ଉପରେ ପଡିଥିବା ପୁରୁଣା କମ୍ବଳ ଉପରେ I ରାସ୍ତାଟା କୁଆଡେ ଏକ ମୁଁହା ହୋଇ ସାରିଛି ମଙ୍ଗୁଳି ପାଇଁ I ତାହାର ସାଙ୍ଗ ଡୁଗୁ ଯାହା ପାଖରେ ଦୁଇ ବର୍ଷ ହେଲା ଅଛି, ପ୍ରଥମ ଦିନ କହିଥିଲା,"ମଙ୍ଗୁଳି ଏଇଟା ସ୍ଵର୍ଗ , ଆଉ ଯିଏ ସ୍ଵର୍ଗ ଯାଏ ସିଏ ଗାଆଁକୁ ଫେରେ ନାହିଁ, କୌଣସି ବାଟ ନାହିଁ ଫେରିବାକୁ ! ତୁ ଗାଆଁରୁ ଯେଉଁ ରାସ୍ତାଟି ଧରିଲୁ ତାହା ଏକ ମୁଁହା I ସ୍ଵର୍ଗରୁ କଣ କେହି କେବେ ଫେରିଛି କି?" ଦୁଇ ସପ୍ତାହ ତଳେ ଅକସ୍ମାତ ସବୁ ଦିନ ଲାଗି ଚାଲି ଯାଇଥିଲା ଡୁଗୁ I ଡାକ୍ତର କହିଲେ, ଅତ୍ୟାଧିକ ମାନସିକ ଚାପ ଆଉ ମଦ୍ୟପାନ ଯୋଗୁଁ ତାହାର ଯକୃତ ଆଉ ବୃକ୍କକ କୁଆଡେ ଖରାପ ହେଇଯାଇଥିଲା I କିନ୍ତୁ ମଙ୍ଗୁଳି କଣ କରି ପାରିବ ? ସିଏ ପରା ଏକ ମୁଁହା ରାସ୍ତାଟିରେ ଆସିଛି ଯାହା ସନ୍ଧ୍ୟା ହୋଇଗଲେ ସରୁଛି, ସାହିର ଶେଷରେ ଥିବା ମଧୁଶାଳାରେ I ଶୁକୁରି ଯଦି ଇନ୍ଦ୍ରଧନୁକୁ ଦେଖିକି ଖୁସି ହେଉଛି ହେଉ, ସିଏ କଣ କରି ପାରିବ ଆଉ ଅଧିକ ଶୁକୁରି ପାଇଁ ?