Bibhu Samanta

Abstract Romance Others

3  

Bibhu Samanta

Abstract Romance Others

ଗୁପ୍ ଚୁପ୍

ଗୁପ୍ ଚୁପ୍

4 mins
216



ସହର ଶେଷରେ ଗୋଟେ ପାର୍କ , ଯୋଉଠିକୁ ପରିବାର ସହ କେହି ଯାଆନ୍ତିନି , ସହରର କଲେଜ ପଢୁଆ ପ୍ରେମୀଙ୍କ ଏକ ମାତ୍ର ଅଭୟ କ୍ଷେତ୍ର। ସେଇ ପାର୍କ ବେଞ୍ଚ, କେତେ ମନ ଦିଆନିଆ, କେତେ ପ୍ରତିଶୃତି , କେତେ ହସଲୁହ, ମାନ ଅଭିମାନ ର ସାକ୍ଷୀ ରହେ।ସେମିତି ଏକ ବେଞ୍ଚରେ ବସିଥାନ୍ତି ମୁନ୍ନା ଆଉ ପିଙ୍କି। ପିଙ୍କି କହୁଥାଏ, "କେତେଦିନ ଆଉ ଏମିତି ଲୁଚିଲୁଚି ଦେଖା କରିବା।" ମୁନ୍ନା କହିଲା, "ଯେତେଦିନ ଆମେ ପାଠ ପଢା ସାରି କିଛି ଗୋଟେ ନ କରିଛେ।" 

ତୁମେ ଜାଣ, "ବାପା ଏଇ ରବିବାର ମହାନ୍ତି ମଉସା ଆଉ ତାଙ୍କ ପରିବାରଙ୍କୁ ଖାଇବାକୁ ଡାକିଛନ୍ତି। "

ପିଙ୍କି ଗୋରା ଗାଲରେ ଥିବା ଭଉଁରୀରେ ବୁଡି ଯାଇ ମୁନ୍ନା କହିଲା, "ଭଲ କଥା। କେବେ ଦିନେ ଆମ ଘରକୁ ବି ଡାକ।"

ପିଙ୍କି ଚିଡି ଯାଇ କହିଲା, "ହଁ ଡାକିବି, ଯେଉଁଦିନ ମୋ ବାହାଘର ହେବ, ତାଙ୍କ ପୁଅ ସାଙ୍ଗେ, ଆସିବ ସପରିବାର ଭୋଜି ଖାଇବାକୁ। "

ମୁନ୍ନା ଏବେ ଧୀରେ ତା କୋଳରେ ମୁଣ୍ଡ ରଖି ଶୋଇପଡ଼ିଲା। ଆଉ କହିଲା, "ମୁଁ ଟିକେ ଦେଖେ ତୁମେ ବଧୂ ବେଶରେ କେମିତି ଦିଶିବ।"

ପିଙ୍କି ତା ଓଢଣୀ କୁ ମଥାରେ ଓଢଣା କରି ବସିଥିଲା ଆଗରୁ। ଆଉ ମୁନ୍ନା ତା କୋଳରେ ଶୋଇ ହଜି ଯାଉଥିଲା ତା ର କଇଁଫୁଲିଆ ଆଖି ରେ।

ଏତିକି ବେଳେ କାହାର କର୍କଶ ସ୍ୱର ଶୁଭିଲା , "କ'ଣ ହେଉଛି ଏଠି?" ଚମକି ପଡି ଉଠି ପଡ଼ିଲା, ମୁନ୍ନା। ସେ ଦେଖିଲା ତା ସାମ୍ନାରେ ଠିଆ ହୋଇଛନ୍ତି ତା ବଡଭାଇ। ସେ ସହର ଉନ୍ନୟନ ବିଭାଗରେ କାମ କରନ୍ତି। ସେ ତାଙ୍କ ଉପର ଅଫିସର ଙ୍କ ସହ ଆସିଥିଲେ ପାର୍କ କୁ କିଛି କାମରେ। ଆଉ ଆସି ଦେଖନ୍ତି ମୁନ୍ନାକୁ ଏମିତି ଅବସ୍ଥାରେ ! ସେ ନିଜକୁ ସମ୍ଭାଳି ପାରିଲେନି। ଆଉ ଉପର ଅଫିସରଙ୍କ ଆଗେ ଅଧିକ କିଛି କହି ବି ପାରିଲେନି। ପିଙ୍କି କିନ୍ତୁ ନ ଡରି ଉତ୍ତର ଦେଲା, "ଆମେ ଖାଲି ଏଇଠି ବସିଛୁ। କିଛି ହୋଇଥିଲେ କଣ ଏଇଠି ଥାନ୍ତୁ ଆମେ।" ମୁନ୍ନା କିଛି କହି ପାରୁନଥାଏ। କାହାକୁ କହିବ, ଏପଟେ ବଡଭାଇ, ସେପଟେ ପ୍ରେମିକା।

ସେ କହିଲେ, "ଆଜି କାଲି ପିଲା ଗୁଡା ପୁରା ନଷ୍ଟ ହେଇଗଲେଣି। ଯୋଉଠି ନାଇ ସେଇଠି...କେଜାଣି ୟାଙ୍କ ମା ବାପା ମାନେ କେମିତି ହୋଇଥିବେ?" ପିଙ୍କି ପୁରା ରାଗିଗଲା, ସେ କହିଲା, "ପାର୍କ ଟା ସେଇଥି ପାଇଁ ହୁଏ। ଯେଉଁଠି ଆଜିକାଲି ପିଲା ମାନେ ଶାନ୍ତିରେ କଥା ହୋଇ ପାରିବେ। ହେଲେ ବଡ଼ ମାନେ ସେମିତି ଜାଗା କୁ ଆସନ୍ତି କଣ ପାଇଁ ଯେ?" ଏତିକି କହି ସେ ତା ବ୍ୟାଗ ଧରି ଯିବାକୁ ଲାଗିଲା। "ସରି ଭାଇ" କହିଦେଇ ତା ପଛେ ପଛେ ଗଲା ମୁନ୍ନା। 


 ମୁନ୍ନା କହିଲା," ତମେ ଜାଣ ସେ କିଏ?" ପିଙ୍କି କହିଲା ମୁଣ୍ଡ ହଲେଇ ମନା କଲା। "ସେ ମୋ ବଡ଼ ଭାଇ।" ପିଙ୍କି କହିଲା, "ମୋତେ କି ଜଣା, ସେ ତୁମ ବଡ଼ଭାଇ ବୋଲି? ମୋତେ ଭାରି ଭୋକ, ଗୁପ ଚୁପ ଖୋଇବ?" ମୁନ୍ନା ନେଇଗଲା ତାକୁ, ଛକରେ ଥିବା ଗୁପ ଚୁପ ଠେଲା ପାଖକୁ। ପିଙ୍କି କହିଲା," ଭାଇ ପୁରା ରାଗ ଭର୍ତି ଗୁପଚୁପ ଦେ ଆଜି।" 

ତା ର ସବୁ ରାଗ ଆଜି ଗୁପ ଚୁପ ଉପରେ ସାରିଦେଲା। ରାଗରେ ଆଖିରୁ ଲୁହ ବୋହି ଯାଉଥିଲା, ତା ନାକ ଦିଶୁଥିଲା ଶୁଆ ଥଂଟ ପରି ଲାଲ।

ପରଦିନ କଲେଜ ରେ ମୁନ୍ନା କହିଲା ତାକୁ। "କଣ କଲ ତୁମେ ? ଜାଣିଛ କାଲି ରାତିରେ ସମସ୍ତେ ମୋତେ କେତେ ଗାଳି କଲେ। କହୁଥିଲେ, ମୋତେ ପଠେଇ ଦେବେ ବାହାରକୁ ପଢିବାକୁ।" 

ପିଙ୍କି କହିଲା, "ଭଲ ହେବ। ତୁମର ସାହସ ନାହିଁ ଘରେ କହିବାକୁ, ସେମିତି ହେଲେ କ୍ଷତି କଣ?"

- କ୍ଷତି ତ ମୋର, ମୁଁ ତୁମଠୁ ଦୂରରେ ରହିପାରିବିନି କେବେ।

 - କେବେ ଥରେ ବୁଝିଛ ମୋ ପରିସ୍ଥିତି, ସ୍ବପ୍ନ ଦେଖି ଚାଲିଛ ଖାଲି, ଯେ ଆଜି ବଡ଼ଭାଇ ଆଗେ ମୂର୍ତ୍ତି ପରି ଠିଆ ହୋଇ ଯାଉଛି, ସେ କୁଆଡେ ପ୍ରେମ କରିବେ!

 ମୁନ୍ନା କୁ ଖରାପ ଲାଗିଲା ସେମିତି କଥା, କାଲି ଗାଳି ଶୁଣିଛି କେତେ ତା ପାଇଁ, ଆଜି ପୁଣି ଇଏ ...

ସେ କହିଲା, "ତୁମେ ଯାହା କଲ କଣ ଠିକ କଲ?"  

ପିଙ୍କି କହିଲା, "ହଁ ମୁଁ ଠିକ କରିଛି। ସେ କାହିଁ ସେମିତି ଜାଗାକୁ ଯିବେ। ଆଜିକାଲି ପିଲାଙ୍କ ରୁମ କୁ ବଡ଼ ମାନେ ଆସିଲେ ବି କବାଟ ଠକଠକ କରନ୍ତି। ଆଉ ତୁମ ବଡ଼ଭାଇ ସିଧା ଆସି ଠିଆ ହୋଇଗଲେ ସେଠି।"

- ହଁ, ହେଲା ସେ ଦେଖି କହିଲେ, ଏମିତି। ପ୍ରତ୍ୟେକ ଅଭିଭାବକ ଏମିତି କହନ୍ତି। ତା ବୋଲି କଣ ଆମେ ତାଙ୍କୁ ଏମିତି କହିବା। ପ୍ରେମ କଲେ ଡରିବାକୁ ହୁଏ ଏକଥା ତମେ କଣ ଜାଣିନ। ତମେ କଣ ତମ ଘରେ କହିପାରିଛ ଆମ କଥା। 

- ନା, କହିନି। ତୁମେ ବି କୁହନି। ମୋ ପାଇଁ ତମେ ଅନେକ ଗାଳି ଶୁଣିଲ, ସେ ପାଇଁ କ୍ଷମା ଚାହୁଁଛି। ମୋ ପଛରେ ଆସି ଅପଦସ୍ତ ହୁଅ ନାହିଁ ଆଉ। 


ତା ପର ଠୁ,ସେମାନେ ଆଉ ଏକାଠି ବସନ୍ତିନି। କଥା ହୁଅନ୍ତିନି। ତାଙ୍କ ମନାନ୍ତରର ସୁଯୋଗ ନେଇ, ତାଙ୍କ କ୍ଲାସର ରୋମି ଏବେ ପିଙ୍କିର ନିକଟତର ହେବାକୁ ଚେଷ୍ଟା କରେ। ସେ ପିଙ୍କି ପାଇଁ ନୋଟ୍ସ ତିଆରି କରେ। ତା ପାଇଁ ଚକଲେଟ ନେଇ ଆସେ। କ୍ୟାନଟିନ ରେ ଚା ପିଆଏ, ସିଙ୍ଗଡ଼ା ଖୁଆଏ। ଏସବୁ ମୁନ୍ନା ଜମା ସହି ପାରେନି। ସେ କିଛି କରି ବି ପାରେନି। ସେ ବି ପିଙ୍କି କୁ ଚିଡ଼େଇବାକୁ ଏବେ, ବର୍ଷା ସହ ସାଙ୍ଗ ହୁଏ। ତା ପାଖେ ବସେ। କଲେଜ ପରେ ତାକୁ ନେଇ ଯାଏ ଘରେ ଛାଡିବାକୁ ଆଉ ଆସିଲା ବେଳେ ଆସନ୍ତି ସେମାନେ, ବସ ରେ ପାଖାପାଖି ବସି। ସେଇ ବସ ରେ ପିଙ୍କି ବି ଥାଏ। ଠିଆ ହୋଇଥାଏ ଭିଡ ଭିତରେ। ଆଉ ଦେଖୁଥାଏ ଦୁହିଁଙ୍କୁ। ଭାରି ଫୁଲେଇ ହୁଏ ବର୍ଷା। ପିଙ୍କି ଭାରି କଷ୍ଟରେ ଦେଖେ ଏସବୁ, ସେ ବି ଅପେକ୍ଷା କରିଥାଏ କେବେ ଏ ନାଟକର ଶେଷ ହେବ।


ଦିନେ ଖୁବ୍ ଜୋରରେ ମେଘ ହେଲା, ଲାଇବ୍ରେରୀ ରୁ ବାହାରି ଆସିଲା ବେଳେ,ମୁନ୍ନା ଦେଖିଲା କମନ ରୁମ ବାହାରେ ଠିଆ ହୋଇଛି ପିଙ୍କି। ଆଜି ବର୍ଷା ଆସି ନଥିଲା। ଆଉ ରୋମି ଚାଲି ଗଲାଣି କେତେବେଳୁ। ଯାଇ ପାରିନି ପିଙ୍କି। ସେ ଚୁପଚାପ ଯାଇ ତା ପାଖେ ଠିଆ ହେଲା। ଆଉ କହିଲା, ତୁମେ ଯାଇନ ଏ ଯାଏ? ପିଙ୍କି କହିଲା, "ଦେଖୁଛି ଆଜି ଆକାଶ ଟା କାହିଁ ଅଯାଚିତ ଭାବେ ବରସି ଯାଉଛି ମାଟି ଉପରେ?" କଥାର ମର୍ମ ବୁଝିଗଲା,ମୁନ୍ନା। ସେ କହିଲା," କେତେଦିନ ବା ଆଉ ନିଜ ପ୍ରେମକୁ ସମ୍ଭାଳି ରଖିଥାନ୍ତା ସେ ବି।" 

- ଯେତେଦିନ ତା ର ବର୍ଷା ଅଛି। 

- ରୋମି ଜମା ଭଲ ପିଲା ନୁହେଁ ପିଙ୍କି। 

- ମୁଁ ଜାଣେ, ସେଇ ପାଇଁ ମୁଁ କେବେ ଠୁ ତାକୁ ଦୁରେଇ ସାରିଲିଣି।

- ଯାହା ହୋଇଛି ସବୁ ଭୁଲିଯାଅ। ଚାଲ ଆମେ ପୁଣି ବସିବା ସେଇ ପାର୍କ ବେଞ୍ଚ ରେ। ଅନେକ ଦିନ ହେଲା, ତୁମ କୋଳରେ ମୁଣ୍ଡ ରଖି ଶୋଇନି।

- ଯିବି ଯେ ହେଲେ ଗୋଟେ ସର୍ତ୍ତ ରେ। ଗୁପଚୁପ ଖୋଇବ ଯଦି।

ହସି ଉଠିଲେ ଦୁହେଁ। ମେଘ ଛାଡି ଆକାଶ ଟା ନିର୍ମଳ ଦିଶୁଥିଲା। ସେମାନେ ପହଞ୍ଚିଲେ ସେଇ ଗୁପଚୁପ ବାଲା ପାଖେ। ଆଜି ଗୁପଚୁପ ଖାଇଲା ବେଳେ, ସେ ଦିଶୁଥିଲା ବର୍ଷାରେ ଧୋଇ ହୋଇଥିବା ସଜ ଗୋଲାପ ପରି। ସବୁ ପ୍ରେମ ମିଠା ନୁହେଁ, ସବୁ ପ୍ରେମିକା ବି ସିଧା ନୁହଁନ୍ତି। କିଛି ପ୍ରେମ ଏମିତିକା, ଟିକେ ରାଗ, ଟିକେ ଲୁଣି ଆଉ ଟିକେ ଖଟ୍ଟା। ଠିକ ଏ ଗୁପଚୁପ ପରି।




Rate this content
Log in

Similar oriya story from Abstract