ଗୁଣିଆ
ଗୁଣିଆ
ରାଜୁବାବୁ ହିସାବ କରୁଥିଲେ ଗୁଣିଆ କକାଙ୍କ ଆନୁମାନିକ ବୟସ। ସେ ପ୍ରଥମେ ତାଙ୍କୁ ଫୁଟବଲ ଖେଳ ପଡିଆରେ ଦେଖିଥିଲେ ଷଷ୍ଠ ଶ୍ରେଣୀ ବେଳେ। ଭଗତପୁରର ବିଶାଳ ଖେଳପଡିଆର କ୍ଷୁଦ୍ର ଏକ ଅଂଶ ଫୁଟବଲ ପାଇଁ ଯଥେଷ୍ଟ। ଯୁବକମାନେ ପାଖ ଗାଁ କାଲାମପୁର ସହ ମ୍ୟାଚ ଖେଳୁଥିଲେ। ରାଜୁ ଦେଖଣାହାରୀ। କକା ମଧ୍ୟ ଦେଖଣାହାରୀ। ଗୁଣିଆ କକାଙ୍କ ବୟସ, ଧରାଯାଉ ସେବେ ଅନ୍ୟୁନ ଚାଳିଶ। ଏହା ମଧ୍ୟରେ ଆଉ ତେୟାଳିଶ ବର୍ଷ ବିଗତ। ସବୁଦିନ ମୃତ୍ୟୁର ଖବର ମୃତ୍ୟୁକୁ ମାମୁଲି ସାବ୍ୟସ୍ତ କଲାଣି, ଅଥଚ ଏ ବୁଢାଲୋକଙ୍କ ପାଇଁ ରାଜୁ ଭାବୁଛନ୍ତି ଯେ ଭାବୁଛନ୍ତି ଅନେକ ବେଳୁ। ଗୁଣିଆଙ୍କୁ ପିଲାବେଳେ ଅନେକ ପ୍ରଶ୍ନ ପଚାରନ୍ତି ରାଜୁ। ଏଇ ଯେମିତି, -ଆଛା ଗୁଣିଆ କକା କହିଲ ଆମ ଏ ଭଗତପୁର ପଡିଆଟି ଦିନେ କାଳେ ବିମାନ ବନ୍ଦର ହେବ? ସେ ହସନ୍ତି। କହନ୍ତି, - ଆଉ ପିଲାଏ ଖେଳିବେ କେଉଁଠି, ଆମେ ଦେଖିବା କେମିତି?
- କକା ସେ କଥା ଠିକ୍ ଯେ ହେଲେ ତୁମ ପାଠ କଣ କହୁଛି।
- ପାଠ? କି ପାଠ? ମୁଁ ତ ମୂର୍ଖ।
- ତୁମେ ଠକୁଛ, ସମସ୍ତେ ଜାଣନ୍ତି ତୁମେ ଯାହା କୁହ ତାହା ଠିକ୍ ହୁଏ।
- ଆଉ ତୁମ କଥା କଣ ଭୁଲ ହୁଏ? ଖେଳ ସରିଲେ ତୁମେ କୁଆଡେ ଯିବ?
- ଘରକୁ।
-ମୁଁ?
- ମଠକୁ।
- ତୁମେ ତ ସବୁ ଠିକ୍ କହୁଛ ରାଜୁ। ଭୁଲ କାହିଁ? ତୁମ ବାଳୁତ ମନ କଣ କହୁଛି? ତୁମ ଗାଁ ପଡିଆ ବିମାନବନ୍ଦର ହେବ?
- ନା ନହେଉ, ଆମେସବୁ ଖେଳିବୁ କେଉଁଠି; ଫୁଟବଲ, କବାଡି, ଗାତିବାଗୁଡି, ପୟା ଡାବୁଳ, ଭଲିବଲ, ପୁଣି ସେ ଯେଉଁ ନୂଆ ଖେଳ ଆସିଛି କ୍ରିକେଟ? ଛୋଟପିଲା, ବଡପିଲା ଓ ମଝିଆ ପିଲାଙ୍କ ଅଲଗା ଅଲଗା ଖେଳ। ପୁଣି ହରିଜନ ଓ ସବର୍ଣ୍ଣଙ୍କ ଅଲଗା ପଡିଆ।
ପୁଣି ରାଜୁ ପଚାରନ୍ତି, ଆଛା କକା କହିଲ, ଆମେ ତ ବିଦ୍ୟାଳୟରେ ସମସ୍ତେ ମିଳିମିଶି ଖେଳୁଛୁ ପୁଣି ଗାଁ ହିସାବରେ ଏତେ ବାଛ ବିଚାର କାହିଁକି? ମିଶିକି ଖେଳିଲେ ଆମଗାଁ ବୋଧେ ଓଡିଶା ଜିତନ୍ତା! କହିଲ ଦେଖି ଏ ଭେଦଭାବ କେବେ ଦୂର ହେବ?
ଏ ପ୍ରଶ୍ନଟିର ସମ୍ଭାବ୍ୟ କାରଣ ହେଲା, ରାଜୁ ଏବେ ଏବେ ପଢିଥିଲେ ମହାତ୍ମାଗାନ୍ଧୀଙ୍କ ଜୀବନୀ।
- ହଁ ବାବୁ, ଭେଦଭାବ ରହିବା କଥା ନୁହେଁ। ଅଛି କି? ଗାଁ ପୋଖରୀରେ ସମସ୍ତେ ଗାଧୋଉ ନାହାନ୍ତି? ସମସ୍ତଙ୍କ ଦେହର ମଳି ଜଳଦେବତା ଛଡେଇ ଦେଉନି। ଆମ ମହନ୍ତଙ୍କ ଦେହ ଅସୁସ୍ଥ ବେଳେ ରକତ କିଏ ଦାନ କରିଥିଲା?
-ହଁ, ହଁ, କୁସୁନିଆ ବାଉରୀ ଦାଦା ଦେଇଥିଲେ, ମୁଁ ଜାଣିଛି। ଜଣଙ୍କ ରକ୍ତ ଆଉ ଜଣକୁ ଦେଇ ହୁଏ। ରକ୍ତ ଦାନ କାଳେ ମହତ ଦାନ କାକା?
-ତାହେଲେ ଅସଲରେ ଭେଦଭାବ ନାହିଁ ବାବା। ଆଉ ପୁଣି ଶୁଣ ବାବା, ଏ ଯେଉଁ ବିଶାଳ ପଡିଆ ତୁମ ଗ୍ରାମରେ ଅଛି ବୋଲି ତୁମେ ଗର୍ବ କରୁଛ, ତାହା କଣ ଏପରି ଥିଲା? ଅଗନା ଅଗନି ବନସ୍ତ ଥିଲା। ସେ ଯେଉଁ ପଶ୍ଚିମର ଦୂର ପାହାଡ ଉପରେ ସୂର୍ଯ୍ୟ ଢଳିବାକୁ ବସିଲେଣି ସେ ପାହାଡରୁ ଝରି ଆସୁଥିଲା ଝରଣା। ଏ ବର୍ଷା ଦିନିଆ ନାଳଟି ସେବେଳେ ଚିରସ୍ରୋତା ଝରଣା ଥିଲା। କେତେ ପଶୁପକ୍ଷୀ ଆତଯାତ ହେଉଥିଲେ। ସେମାନେ ଯଦି ଆମଭଳି ହୋଇଥିବେ ତେବେ ଠିକ୍ ଏଇଭଳି ଆଲୋଚନା କରିଥିବେ; ମାଙ୍କଡ଼ ପଚାରୁଥିବ, -ବାଘମାମୁଁ ଏ ଜଙ୍ଗଲକୁ କଣ ଭଗତପୁର ପଞ୍ଚାୟତବାସୀ ଲୋପ କରିଦେବେ, ଆମେ କେଉଁ ଗଛଡାଳରେ ଡିଆଁକୁଦା ଖେଳିବୁ? ସମୟ ଅନୁସାରେ ସବୁକିଛି ବଦଳିଯାଏ। କିଏ କହିପାରିବ ଆସନ୍ତାକାଲି ଏଠି ବିମାନ ବନ୍ଦର ଓ ମାଳମାଳ ଘରଦ୍ବାର ହେବ। ଆମଠୁ ଉନ୍ନତ ମଣିଷ ସବୁ ମାଡିବସିବ। ଆମ ଅବସ୍ଥା ସେହି ମର୍କଟ ଓ ଜୀବଜନ୍ତୁ ପରି ଜାକିଜୁକି ହୋଇଯିବ।
ଫୁଟବଲ ଖେଳ ଆରମ୍ଭ ହୁଏ। ରାଜୁ ଓ ଗୁଣିଆଙ୍କ ମନ ସେହି ଆଡକୁ ଟାଣି ହୋଇଯାଏ। ସବୁଦିନ ଭଳି ଗୁଣିଆ ପଡିଆ ବାହାରେ ବଲ ସହ ଦୌଡୁଥାନ୍ତି। ସେ ନିର୍ଦ୍ଦିଷ୍ଟ ସ୍ଥାନରେ ଠିଆହୋଇ ଖେଳ ଦେଖନ୍ତି ନାହିଁ। ବଲ ଯେଉଁଆଡକୁ ଯାଏ ସେ ମଧ୍ୟ ସେଇଆଡକୁ ନରଦି ପଡନ୍ତି। କେବେ କେବେ କଣ ମୋଡି ଗୋଲପୋଷ୍ଟ ପର୍ଯ୍ୟନ୍ତ ମଧ୍ୟ। ଯେତେବେଳେ ଗୋଲ୍ ଗୋଟିଏ ସ୍କୋର ହୁଏ ସେ ନେଟପାଖରେ ପହଞ୍ଚି ଯାଆନ୍ତି।
କେଜାଣି କେମିତି ଆଲୋଚନାଟିଏ ଆରମ୍ଭ ହୋଇଗଲା; ଗୁଣିଆ ଯେଉଁ ଗୋଲପୋଷ୍ଟ ଆଡକୁ ଦୌଡେ ସେଇଠି ଗୋଲ୍ ହୁଏ। ଠିକ୍ ଏହି କାରଣରୁ ଧୀରେ ଧୀରେ ସେ ଗୁଣିଆ ନାମରେ ଖ୍ୟାତ ହେଲେ। ତାଙ୍କ ଅସଲ ନାମ କାହାକୁ ଜଣାନାହିଁ। ରାଜୁ ବଡ ହେଲାପରେ ବୁଝିପାରିଲେ ତାଙ୍କ ପିଲାବେଳେ ଯେମିତି ଭାବୁଥିଲେ ସେମିତି ନୁହେଁ। କୁକୁଡା ବା କାଉ ରାବଦେଇ ସୂର୍ଯ୍ୟଙ୍କୁ ଉଠାନ୍ତି ନାହିଁ କିମ୍ବା ଗୁଣିଆ ଦୌଡିଲେ ଗୋଲ ହୁଏ ନାହିଁ। ସୂର୍ଯ୍ୟ ଉଈଁବାରେ ଚଢେଇଙ୍କ କାକଳି। ସେମିତି ଗୋଲ ସହ କକାଙ୍କ ସମ୍ପର୍କ।
ଏସବୁ ମନେପକାଇ ରାଜୁ ହସୁଥିଲେ। ପରେ ସେ ଦେଖିଛନ୍ତି ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ଜଣେ ଜଣେ ନିର୍ଦ୍ଦିଷ୍ଟ ପ୍ରଶଂସକ କିପରି ତାଙ୍କ ଦେଶ ଯେଉଁଠି ଖେଳେ ସେଠାରେ ପହଞ୍ଚି ଯାଆନ୍ତି। ଯେମିତି ଟ୍ରକ ଡ୍ରାଇଭର ଚାଚା ଚୌଧୁରୀ ଅବ୍ଦୁଲ୍ ଜାଲିଲଙ୍କୁ ପାକିସ୍ତାନୀ କ୍ରିକେଟ ବୋର୍ଡ ମାନ୍ୟତା ଦେଇଥିଲା। ରାଜୁଙ୍କୁ ଏସବୁ ଦେ ଜା ଭୁ ଭଳି ମନେହୁଏ। ସେ ଭାବନ୍ତି ବହୁକାଳ ପୂର୍ବରୁ ତାଙ୍କ ଗ୍ରାମର ଫୁଟବଲ ଦଳ ଏମିତି ଗୁଣିଆ କକାଙ୍କୁ ସବୁ ମ୍ୟାଚରେ ସାଥିରେ ନେଉଥିଲା।
କେଉଁଆଡୁ ଆସି ମଠରେ ଆଉଜି ପଡିଥିଲେ ସେ। ଏମିତି ଅନେକ ଅର୍ଦ୍ଧ ସନ୍ୟାସୀ ମଠକୁ ଆସନ୍ତି, ଦିନାକେତେ ରହି ପଳେଇ ଯାଆନ୍ତି। କିନ୍ତୁ ମଠର ମୋହରେ ଅବା ଫୁଟବଲର ମୋହରେ ସେ ସ୍ଥାୟୀ ଭାବେ ରହିଗଲେ ଭଗତପୁରରେ। ଗୁଣିଆ ମୁଣ୍ଡରେ ରଖିଥିଲେ ଅଦ୍ଭୁତ ଦର୍ଶନ ବାଳ, ସାମାନ୍ୟ ଭାବେ ସ୍ମଶ୍ରୁଧାରୀ, ଗଳାରେ ଥିଲା ଦୁଇଗଣ୍ଡା ରୁଦ୍ରାକ୍ଷ, ବାହୁରେ ଅମାପ ବଳ। ମଠକୁ ସେ ଯୋଗାଇଲେ ଶ୍ରମ, ମଠ ତାଙ୍କୁ ଯୋଗାଇଲା ଆଶ୍ରୟ। ରାଜୁ ଯେବେ ପରେ ଡଚ୍ ଫୁଟବଲ ତାରକା ରୁଡ୍ ଗଲିଟଙ୍କୁ ଟିଭିରେ ଦେଖିଲେ, ତାଙ୍କ ଅଦ୍ଭୁତ କେଶବିନ୍ୟାସ ମନେ ହୋଇଥିଲା ଠିକ୍ ଗୁଣିଆ କକା ଭଳି। ସେ ଫିକକିନା ହସିଦେଇଥିଲେ ହଷ୍ଟେଲ କମନରୁମରେ। ସାଥିମାନଙ୍କୁ କହିଥିଲେ ଏମିତି ବାଳ ସହ ଫୁଟବଲର ସମ୍ପର୍କ ଅଛି ଯେମିତି ତାଙ୍କ ଗାଁର ଗୁଣିଆ କକା।
ଗୁଣିଆ କକାଙ୍କ ଚେହେରା ଓ ବେଶଭୂଷା ତାଙ୍କୁ ଯେମିତି ମଠରେ ରହିବାର ଯୋଗ୍ୟତା ଦେଇଥିଲା ସେମିତି ଦେଇଥିଲା ଗୁଣିଆ ବୋଲାଇବାର ଯୋଗ୍ୟତା। ଫୁଟବଲ ପ୍ରତି ତାଙ୍କ ଶ୍ରଦ୍ଧା ତାଙ୍କୁ ମଠରୁ ଟାଣିଆଣୁଥିଲା ଖେଳପଡିଆକୁ।
ସେ ନିଜେ କେବେ ନିଜକୁ ଗୁଣିଆ ବୋଲାନ୍ତି ନାହିଁ। କିନ୍ତୁ ଗାଁ ପିଲାଙ୍କର କେମିତି ଗୋଟେ ବିଶ୍ୱାସ ହୋଇଗଲା, ଗୁଣିଆ ଯଦି ତାଙ୍କ ସହିତ ରହିବେ ତେବେ ଜିତିବା ସୁନିଶ୍ଚିତ। ଅସଲରେ ଭଗତପୁରର ଫୁଟବଲ ଦଳ ଆଖପାଖ ଚବିଶ ମୌଜାରେ ଥିଲା ଖୁବ୍ ଶକ୍ତିଶାଳୀ। କକାଙ୍କ ଉପସ୍ଥିତି ସେମାନଙ୍କ ମନରେ ଆଣୁଥିଲା ଜିତିବାରେ ବିଶ୍ୱାସ। ରାଜୁଙ୍କ ମନେପଡିଲା ମନୋଜ ଦାସଙ୍କ ଗଳ୍ପ, "ପୃଥୀରାଜଙ୍କ ଘୋଡା"। ଦୁର୍ବଳ ଇତିହାସ ଶିକ୍ଷକ ଜଣଙ୍କୁ ଜ୍ୟୋତିଷ କହିଦେଲେ ପୂର୍ବ ଜନ୍ମରେ ସେ ଥିଲେ ପୃଥୀରାଜଙ୍କ ଘୋଡା। ବାବାଃ। ତାପରେ ଅସମ୍ଭବ କାମ ଶିକ୍ଷକ କରିପକାଇଲେ। ସେମିତି ଗୁଣିଆଙ୍କ ଫୁଟବଲ ପ୍ରୀତି ଓ ଭ୍ରମରେ ହେଉପଛେ ଗାଁ ଦଳର ତାଙ୍କ ଉପରେ ଭରସାର ମିଶ୍ରଫଳ ଆଣିଦେଲା ଅସମ୍ଭବ ସଫଳତା। ଯେକୌଣସି ଟୁର୍ଣ୍ଣାମେଣ୍ଟରେ ଭଗତପୁର ହେଲା ଚମ୍ପିୟାନ।
ମନେହେଲା ଗୁଣିଆ ବି କାଉମାନଙ୍କ ଭଳି ବିଶ୍ୱାସ କରିଗଲେ ସୂର୍ଯ୍ୟୋଦୟ ଭଳି ମହାଜାଗତିକ ଘଟଣାରେ ତାଙ୍କର କିଛି ଯୋଗଦାନ ରହିଛି। ଭଗତପୁ ଦଳର ଖେଳ ନଥିଲେ ଅନ୍ୟ ପାଖ ଗାଁ ଦଳମାନେ ଗୁଣିଆଙ୍କୁ ସାଥିରେ ନେବାକୁ ନାନା ପ୍ରଲୋଭନ ଦେଖାଇ ସଫଳ ହେଲେ। ମ୍ୟାଚରେ ଜିତିଲେ ମଧ୍ୟ। ତାଙ୍କ ଉପସ୍ଥିତିରେ ସବୁ ଖେଳାଳୀ ହୋଇଯାଆନ୍ତି ପୃଥୀରାଜଙ୍କ ଘୋଡା। ଜିତନ୍ତେ ନାହିଁ କିପରି!
ଏସବୁ ଏତେ ବଢିଗଲା ଯେ ମଠର ଶୃଙ୍ଖଳା ବ୍ୟାହତ ହେଲା। ମହନ୍ତ ତାଙ୍କୁ ମଠରୁ ବାହାର କରିବାକୁ ବାଧ୍ୟହେଲେ। ଗାଁ ଯୁବକ ଓ ମଠ ମଧ୍ୟରେ ସାମାନ୍ୟ ତିକ୍ତତା ହୋଇ ପ୍ରଶମିତ ହୋଇଗଲା। ଗୁଣିଆଙ୍କୁ ରହିବାର ବ୍ୟବସ୍ଥା କରିଦେଲେ ଜଣେ ମକଦ୍ଦମା ପ୍ରବଣ ଟାଉଟର କିସମର ବ୍ୟକ୍ତି, କୀରିଟ ସାଆନ୍ତରା । ବୋଧହୁଏ ସେ ବି ବିଶ୍ୱାସ କରୁଥିଲେ ଗୁଣିଆଙ୍କ ରହଣି ତାଙ୍କ ବେଉସାକୁ ଲାଭପ୍ରଦ ହେବ। ଯେଉଁ ଗୁଣିଆ କକା ଆଗରୁ ମାନିବାକୁ ପ୍ରସ୍ତୁତ ନଥିଲେ ଯେ ତାଙ୍କୁ କିଛି ବିଦ୍ୟାଜଣାଅଛି ସେ ଏବେ ଆଚରଣ କଲେ ସତେଅବା ମହାଜ୍ଞାନୀ। ଏଣିକି ତାଙ୍କ ଚଳନି ପାଇଁ ଯେ ଯାହା ଦେଲେ ରଖନ୍ତି। 'ଯେ ଯାହା ଦେବା'ଟି କେମିତି କେଜାଣି ପରିବର୍ତ୍ତିତ ହୋଇଯାଏ ଛଳବଳେ ଅଧିକ ଆଦାୟରେ। ସାଆନ୍ତରାଙ୍କ ବୁଦ୍ଧି ମିଶିଯାଏ। ଫୁଟବଲ ଖେଳବାଦ ନାନାଦି ସମସ୍ୟାର ସମାଧାନ ପାଇଁ କ୍ରମଶଃ ଲୋକେ ଆସନ୍ତି ତାଙ୍କ ପାଖକୁ। କୀରିଟ ଓ ଗୁଣିଆଙ୍କ ଅପୂର୍ବ ଯୋଡି ଏକ ଛଳନାମୟ ଅନୁଷ୍ଠାନରେ ପରିଣତ ହୁଏ। ଘର, ଗାଡି, ପରିଚାରକ ଓ ସବୁକିଛି ଏବେ ତାଙ୍କ ପାଖରେ। ଯେଉଁ ମଠ ତାଙ୍କୁ ବିଦା କରିଦେଇଥିଲା, ସେହି ମଠରେ ଅନେକ ଉନ୍ନତିମୂଳକ କାମହୁଏ ଗୁଣିଆଙ୍କ ସାହାଯ୍ୟରେ।
ଏମନ୍ତ ପ୍ରତିଭା ଆଉ କି ଲୁଚି ରହିପାରନ୍ତି? ଜଣାପଡିଲା ପରିବାର ଜଞ୍ଜାଳକୁ ଛାଡି ସେ ଲୁଚିଥିଲେ ଭଗତପୁରରେ। ଏବେ ତାଙ୍କ ପିଲାଛୁଆ ସଂସାର ନିଜର ଦରିଦ୍ର ଭିଟାମାଟି ପରିତ୍ୟାଗ କରି ଭଗତପୁର ଚାଲିଆସିଲେ। ମତାନ୍ତରେ ଶୁଣାଯାଏ ସେ କୁଆଡେ ସେମାନଙ୍କୁ ଡକାଇ ଆଣିଲେ।
ମାଲି ମକଦ୍ଦମାରେ ଲୋକଙ୍କ ପକ୍ଷନେଇ ଓ ପ୍ରବଞ୍ଚନାର ସୁପରିଚାଳନା କରି ତଥା ଅନ୍ୟାନ୍ୟ ମାଲଦାର ଲୋକମାନଙ୍କ ନାନପ୍ରକାର ସମସ୍ୟାର ପ୍ରତିକାର ପ୍ରତିଶ୍ରୁତ ହୋଇ ଏ ଛଳକାରୀ ଦ୍ବୟ ଅସାଧାରଣ ଭାବେ ବିତ୍ତବାନ ହୋଇ ଉଠିଲେ। ଅଧର୍ମ ବିତ୍ତ ବଢେ ବହୁତ।
ଫୁଟବଲ ଖେଳପାଇଁ ଆଉ ସମୟ ନଥିଲା କକାଙ୍କର। କେବେ କେବେ ସେ ଏଥିପାଇଁ ବିଚଳିତ ହେଉଥିଲେ ମଧ୍ୟ ଆଉ ସେ ପୁରୁଣା ଦିନକୁ ଫେରିବା ସମ୍ଭବ ନଥିଲା। ପରିସ୍ଥିତି ଜଣେ ନିରୀହ ଲୋକକୁ ଛଳନାର ଅଗ୍ନିକୁଣ୍ଡ କରିପାରେ।
କିନ୍ତୁ ଏହା କେତେଦିନ। ପାଖ ସହରର ଜଣେ ବିଶିଷ୍ଟ ବ୍ୟବସାୟୀ ପରିବାରର ଦୁଇଭାଇ ଧନ ସମ୍ପତ୍ତି ପାଇଁ କଳି ଲାଗିଲେ। ଗୋଟିଏ ପକ୍ଷ
ଗୁଣିଆ କକାଙ୍କ ଶରଣ ପଶିଲେ ସାନ୍ତରାଙ୍କ ମାଧ୍ୟମରେ। ଅପର ପକ୍ଷ ମଧ୍ୟ ସେମିତି କଲେ। ଦୁଇଭାଇ ପରସ୍ପର ଯୁଦ୍ଧ କରୁଛନ୍ତି ଉଭୟ କେମିତି ଜିତନ୍ତେ? ଦୁଇଜଣଙ୍କୁ ଦୁଇଟି ଡେଉଁରିଆ ଦେଇଥିଲେ ଗୁଣିଆ। କୌଣସି କାରଣରୁ ଜଣେ ଭାଇ ରୋଗରେ ପଡିଲେ ଓ ଶେଷରେ ତାଙ୍କର ମୃତ୍ୟୁ ହେଲା। କେମିତି କେଜାଣି ଲୋକମାନେ ଆଲୋଚନା ଆରମ୍ଭ କରିଦେଲେ ତାଙ୍କ ମୃତ୍ୟୁର କାରଣ ଗୁଣିଆ କକା। ଏ ଆଲୋଚନା କ୍ରମେ ଘନୀଭୂତ ହେଲା। ମୃତକଙ୍କ ପରିବାର ବର୍ଗ ସିଧାସଳଖ ଅଭିଯୋଗ କଲେ। ଏହା ଉତ୍ତେଜନା ସୃଷ୍ଟିକଲା। ସାନ୍ତରା ନିଜକୁ ଏ ଘଟଣାରୁ ଅଲଗା କରିନେଲେ। ବଡ ଅସହାୟ ମନେକଲେ ଗୁଣିଆ କକା।
ଏମିତି ଧନ ଓ ସମ୍ମାନ ଗଲାବେଳେ ଯାଏ ମୂଳ ସହିତ। ବହୁତ ବିଫଳ ଲୋକ ଗୁଣିଆଙ୍କୁ ନିଜର ଅର୍ଥ ଫେରାଇବା ପାଇଁ ଚାପ ପ୍ରୟୋଗ କଲେ। ସାଧାରଣ ଲୋକଟି ପ୍ରତି ଫୁଟବଲ ଜଗତର ଥିବା ଶ୍ରଦ୍ଧା ଅନେକ ଦିନରୁ ବିଗତ। ସ୍ବାର୍ଥପର ଜଗତର ଭରସା ମଧ୍ୟ ତୁଟିଗଲା। ରହିଲା ଅବା କଣ? ଅପମାନ ଓ ଘୃଣା। କ୍ରମଶଃ ନୁହେଁ ବରଂ ଅତି ବେଗରେ ସେମାନେ ଦରିଦ୍ର ହେବାକୁ ଲାଗିଲେ, ପୁନର୍ମୂଷିକ ଅବସ୍ଥା। କେଇଟା ବର୍ଷରେ ସବୁ ବିକିଭାଙ୍ଗି ଖାଇଦେଲେ।
ଏମିତି ଅବସ୍ଥାରେ ଦିନେ ରାଜୁଙ୍କ ସହ ଦେଖା ହୋଇଥିଲା ଗୁଣିଆ କକାଙ୍କ। କିଛି ଆର୍ଥିକ ସାହାଯ୍ୟ ସେ ମାଗିଲେ। ସେଦିନ କହିଥିଲେ ଗୁଣିଆ କକା, "ମୁଁ କହିଥିଲି ନା ରାଜୁବାବୁ, ମୁଁ ଗଣ୍ଡମୂର୍ଖ, ମୋତେ କି ପାଠ ଜଣା? କେହି ମାନିଲେ ନାହିଁ। ଶେଷରେ ମୁଁ ନିଜେ ମଧ୍ୟ ମାନିଲି ନାହିଁ। ମୁଁ ଭାବିଲି ଏ ଅଞ୍ଚଳରେ ସମସ୍ତ ଘଟଣା ଘଟୁଛି ମୋ ନିଜ ଇଛାରେ। ମୁଁ ନିଜକୁ ନିଜେ ଛଳନାର ଦାସ ହୋଇପଡିଲି। ଦୁର୍ଗତି ଭୋଗିବିନି କେମିତି? ସାଧାରଣ କାମଧନ୍ଦା ମିଳୁନି।"
ରାଜୁ ବଡ ସଦୟ ହୋଇ ବୁଝୁଥିଲେ ସମୟ କେମିତି ଆକାଶକୁ ଉଡାଇ ନେଇ ପୁଣି ତଳେ କଚାଡି ଦେଇଛି କକାଙ୍କୁ। ଗାଁରେ ସେ ବହୁତ ଲୋକଙ୍କୁ ବୁଝାଇ କହିଲେ। ସମୟ ଦୁଃଖ କଷ୍ଟ ମଧ୍ୟ ଘଉଡାଇ ଦିଏ। ଗୁଣିଆ କକା ଓ ତାଙ୍କ ପିଲାଏ ମୂଲ ମଜୁରୀ କରି ଚଳନ୍ତି। ସାଧାରଣ ଜୀବନ।
ଅନେକ ବର୍ଷ ବିତିଗଲାଣି। ରାଜୁ ଆଉ ମନେ ରଖିନଥିଲେ ଗୁଣିଆ କକାଙ୍କୁ। କିନ୍ତୁ ଏବେ ପୁଣି ଖବରକାଗଜରୁ ପଢିଲେ, ଅଶିତିପର ଲୋକଙ୍କୁ ଗୁଣିଆ ସନ୍ଦେହ!
ମଣିଷ କଥାରେ କହେ ଈଶ୍ବରଙ୍କ ଇଛା ବିନା ଗଛର ପତ୍ର ବି ହଲେନାହିଁ, ପୁଣି ସେ ସହଜରେ ବିଶ୍ୱାସ କରିଯାଏ ଈଶ୍ବରଙ୍କ ଇଛାକୁ ବି ବଦଳାଇ ପାରେ ସାଧାରଣ ମଣିଷଟିଏ। କେଡେ ଅସଙ୍ଗତ କଥା। ଏଇ ମଣିଷକୁ ଶକ୍ତିଶାଳୀ କହି ମୁଣ୍ଡରେ ବସାଏ। ଦେବତା ପ୍ରାୟ ପୂଜାକରେ, ଅନ୍ଧ ହୋଇଯାଏ। କେବେ ପୁଣି ସେହି ଦେବତାକୁ ରାସ୍ତାକୁ ଘୋସାରି ଆଣେ, ହଲାପଟା କରେ ସମସ୍ତ ଦୁର୍ଘଟଣା ପାଇଁ ଦାୟୀକରେ। ଏକ ଅନ୍ଧବିଶ୍ୱାସରେ ତଳେ ପକାଇ ଦଳି ମକଚି ଦିଏ। ତା ବୋଲି ଜଣେ ଅଶିତିପର ବୃଦ୍ଧ ଲୋକଙ୍କୁ ଏମିତି ନିର୍ଦ୍ଦୟ ଆଚରଣ?
ରାଜୁ ନିଜକୁ ଦୋଷୀ ମନେକଲେ। ମନେହେଲା ସେ ବା ତାଙ୍କ ଭଳି କେତେଜଣ ଏ ସମସ୍ତ ଉତ୍ଥାନ ଓ ପତ୍ତନ ବା ପତ୍ତନ ଓ ଅଧୋପତ୍ତନକୁ ରୋକି ପାରିଥାନ୍ତେ। ଦୀର୍ଘ ନିଶ୍ଵାସ ନେଲେ ରାଜୁ।
