Shanti Mishra

Romance Others

4.1  

Shanti Mishra

Romance Others

ଗରମ ମସଲା

ଗରମ ମସଲା

3 mins
239



ଶୋଭା ଘରକୁ ସେ ଯାଉଥିଲେ, ହଠାତ୍ ମନ କଣ ହେଲା ବାଟ ମଝିଟାରେ ଅଟକି ଗଲେ l ନା ଫେରିଯିବେ ଘରକୁ l ବହୁତ ହୋଇଗଲା ଏକ କାଳ୍ପନିକ ବୃତ୍ତ ମଝିରେ ଘୁରି ବୁଲିବା l ଚନ୍ଦ୍ରକାନ୍ତର ଆସିବା ସମୟ ହୋଇ ଗଲାଣି କି ସେ ଆସି ସାରିବଣି l ଅନ୍ୟ କିଛି ସାଙ୍ଗକୁ ନେଇ ଶୋଭା ଘରେ ଗପର ଆସର ବସେଇ ସାରିବଣି l ଚନ୍ଦ୍ରକାନ୍ତର କଥାର ଚମତ୍କାରିତାରେ ସେ ଆକର୍ଷିତ ହୋଇ ଶୋଭା ଘରକୁ ଚାଲି ଆସନ୍ତି l ଚନ୍ଦ୍ରକାନ୍ତର ଆସିବା ସମୟକୁ ସେ ଚାତକ ପରି ଚାହିଁ ରହିଥାନ୍ତି l ଘରର ସମସ୍ତ କାମ ଶୀଘ୍ର ଶୀଘ୍ର ସାରି ଦେଇ କୌଣସି ଏକ ଚୁମ୍ବକୀୟ ଶକ୍ତିରେ ଟାଣି ହୋଇ ସେ ଶୋଭା ଘରକୁ ଚାଲି ଆସନ୍ତି l ସେଦିନ ମନ କିନ୍ତୁ ତାଙ୍କୁ ବହୁତ ବାରଣ କଲା କହିଲା- “ତୁ ଯୋଉ ରାସ୍ତାରେ ଗୋଡ ଦଉଛୁ ତାହା ଯେ ଠିକ ରାସ୍ତା ନୁହେଁ, ଏକଥା ତୋର ଜାଣି ରଖିବା ଉଚିତ l

ଘର ଜଞ୍ଜାଳ ଭିତରେ ବି ମୁଣ୍ଡ ଖରାପ ହୋଇଯାଏ ବେଳେ ବେଳେ l ସେଥିରୁ ଓହୋରି ଆସିବାକୁ ଇଛା ହୁଏ l ଚନ୍ଦ୍ରକାନ୍ତ ବାନ୍ଧି ରଖେ ତା କଥାର ବାକ୍ ଚାତୁରୀରେ l ଘରେ ସ୍ଵାମୀଙ୍କ ଏକଜିଦିଆ ଗୁଣ ଯାହା ବୁଝିଥିବେ ସେଇଆ ସେଥିରେ କିଛି ପରିବର୍ତ୍ତନ ହେବ ନାହିଁ l ନାକ ଅଗରେ ରାଗ l ମୁଣ୍ଡରେ ବହୁତ ମସଲା ଅଛି ତାଙ୍କର ସତ କିନ୍ତୁ ଗୋଟିଏ ପ୍ରକାରର ମସଲା l ସେ ଜିରା ହେଉ କି ପୋସ୍ତକ ହେଉ କି ଧନିଆ ହେଉ l କିନ୍ତୁ ସବୁ ପ୍ରକାର ମସଲା ମିଶିଲେ ଯେ ତରକାରୀର ସ୍ଵାଦ ବଢେ, ଜୀବନ ସୁସ୍ଵାଦୁ ହୁଏ ତାଙ୍କୁ ସେ କଥା ଜଣା ନାହିଁ l

ସବୁବେଳେ ସେଇ ଜିରା ବଟା ତରକାରୀ ଖାଇ ଖାଇ ମନଟା ବିଚକିଟେଇ ଗଲାଣି l ସବୁ ଫିକା ନିରାଶ ଲାଗୁଛି l କେତେଥର ଇଚ୍ଛା ହେଉଛି ଅନ୍ୟ ମସଲା ଯୁକ୍ତ ଖାଦ୍ୟ ଖାଇବାକୁ l କିନ୍ତୁ ସାହସ ପାଉନି l ଅବଶ୍ୟ ସେଇ ଜିରା ମସଲା ଖାଦ୍ୟ ଖାଇ ଖାଇ ମଣିଷ ଅଭ୍ୟାସରେ ପଡି ଗଲାଣି l ଭାବୁଛନ୍ତି ଆଉ କିଛିଦିନ ଏପରି ଖାଇ ରହିଲେ ଅଭ୍ୟାସରେ ପୁରା ପଡିଯିବ ବୋଧେ l ମନଟା ବୁଝେନା କାହିଁକି ସତବାର ବୁଝେଇଲେ ବି କେଜାଣି l


ଆଜି ସକାଳୁ ଖବର କାଗଜରେ ଆଖି ବୁଲୋଉ ବୁଲୋଉ ଚନ୍ଦ୍ରକାନ୍ତର ଗିରଫ ଖବର ଉପରେ ଆଖି ପଡିଗଲା l କେତେ ଅସନ୍ତୁଷ୍ଟ ସ୍ତ୍ରୀମାନଙ୍କୁ ତା ପ୍ରେମ ଜାଲରେ ଫସେଇ ତାଙ୍କୁ ସହର ବୁଲେଇବା ନାଁ ରେ ନେଇ କୋଉଠି ନା କୋଉଠି ହସ୍ତାନ୍ତର କରି ଦେଇ ଆସୁଥିଲା l ଏବେ ଧରା ପଡିଛି କାନୁନ୍ ର ଲମ୍ବା ହାତରେ l ଓଃ କି ରକ୍ଷା l ସେ ବି କିଛିଦିନ ତା କଥାର ମାୟାଜାଲରେ ପଡ଼ିଯାଇଥିଲେ ଶୋଭା କଥାରେ ପଡି l ଶୋଭା ଘରକୁ ସେ ଆସୁଥିଲା l ଶୋଭାର ସ୍ଵାମୀ ଅଧିକାଂଶ ସମୟରେ ଟୁରରେ ଯାଆନ୍ତି l ସେଇ ମୌକାର ସେ ଫାଇଦା ଉଠୋଉଥିଲା l ଶୋଭାଟା ଟିକେ ବୋକି ସରଳିଆ ତା କଥାରେ ଭୁଲିଯାଉଥିଲା l ଦେଶ ବିଦେଶର କଥାକୁ ରଙ୍ଗ ଦେଇ ବେଶ ଗପିପାରେ ଚନ୍ଦ୍ରକାନ୍ତ l ମନକୁ ଭୁଲେଇବାକୁ ଚେଷ୍ଟା କରେ l କିନ୍ତୁ ମିନାକ୍ଷୀଙ୍କୁ ତା ଗରମ ମସଲା ଦିଆ କଥା ଯେତେ ଭଲ ଲାଗିଲେ ବି ସେ ତାଙ୍କ ଜିରା ତରକାରୀ ପାଖକୁ ଫେରି ଆସନ୍ତି l

ଆଜି ଭାବୁଛନ୍ତି ଭଲ କରିଛନ୍ତି l ବାର୍ଦ୍ଧକ୍ୟ ବେଳକୁ ଏଇ ଜିରା ମସଲା ଦିଆ ତରକାରୀ ଦେହକୁ ଭଲ, ପେଟକୁ ଭଲ, ସବୁ ଦୃଷ୍ଟିରୁ ହିତକାରୀ l ସେଦିନ ସେ ଗରମ ମସଲା ଦିଆ ଖାଦ୍ୟରୁ କ୍ଷାନ୍ତ ହୋଇ ଭଲ କରିଛନ୍ତି l ସେଦିନ ଯଦି ମନ ତାଙ୍କ ବାରଣ ମାନି ଅଧ ରାସ୍ତାରୁ ଫେରି ନ ଆସିଥାନ୍ତା ନା ସେ ଏ କୂଳର ହୋଇଥାନ୍ତେ ନା ସେ କୂଳର l ସେଦିନଠୁ ସେ ମନକୁ ବାନ୍ଧି ରଖି ଶୋଭା ଘରକୁ କମ ଯିବା ଆସିବା କରୁଥିଲେ, ପରେ ପରେ ଯିବା ପୁରା ବନ୍ଦ କରିଦେଲେ l ଆଜି ଭାବୁଛନ୍ତି ଠିକ୍ କରିଛନ୍ତି l ଗୁରୁଜନମାନଙ୍କ ପ୍ରଦତ୍ତ ଜ୍ଞାନର ମର୍ଯ୍ୟଦା ରଖି ଥିବାରୁ ସେ କୂଳରେ ହିଁ ଅଛନ୍ତି ମଝି ଦରିଆକୁ ଯାଇ ଭାସି ଯିବାର ମନରେ ଡ଼ର ରଖି ନାହାନ୍ତି l



Rate this content
Log in

Similar oriya story from Romance