ଗରିବ ମଦୁଆ
ଗରିବ ମଦୁଆ
ଏକଥା ସତ୍ୟ ଯେ ବେଶ ପୋଷାକରୁ ବ୍ୟକ୍ତିର ବ୍ୟକ୍ତିତ୍ବ କିମ୍ବା ବିଚାରଧାରାକୁ ଆକଳନ କରିବା ଯେମିତି କଠିନ ସେମିତି କିଏ ଗରିବ ଆଉ କିଏ ଧନୀ ତାହା ମଧ୍ୟ ପୋଷକରୁ ଆଜିର ସମୟରେ ଅନୁମାନ କରିବା କଷ୍ଟସାଧ୍ୟ । ଆଜିର କରୋନା ମହାମାରୀ ସମୟରେ ରଘୁନାଥ ବାବୁଙ୍କ ଏନ. ଜି .ଓ ବଡ ସକ୍ରିୟ ଭାବେ କାର୍ଯ୍ୟରତ ବିଶେଷ କରି ବସ୍ତି ଅଞ୍ଚଳରେ,ସେଦିନ ରଘୁନାଥ ବାବୁ ଏନ ଜି ଓ କାମରେ ବସ୍ତି ଅଞ୍ଚଳରେ ମାସ୍କ ଏବଂ ସାନିଟାଇଜର ବାଣ୍ଟି ଫେରୁଥିବାବେଳେ ,ବାଟରେ ଜଣେ ବ୍ୟକ୍ତିଙ୍କୁ ମଇଳା ତଥା ଛିଣ୍ଡା ମାସ୍କ ପିନ୍ଧିଥିବା ଦେଖି ନିଜ ମୋଟରସାଇକିଲକୁ ରାସ୍ତା କଡରେ ଠିଆ କରି ବ୍ୟକ୍ତିଟିକୁ ଡାକିବାକୁ ପ୍ରୟାସ କଲେ,କିନ୍ତୁ ବ୍ୟକ୍ତି ଜଣକ ଅଚାନକ ରାସ୍ତାର ଡିଭାଇଡରକୁ କ୍ରଶ କରି ଅନ୍ୟ ପଟକୁ ଚାଲି ଯାଉଥିବାର ସେ ଦେଖିଲେ , ବୋଧ ହୁଏ ରଘୁନାଥ ବାବୁଙ୍କ ଡାକ ତାଙ୍କ କାନରେ ବାଜିଲାନି ।
କିଛି ସମୟ ରଘୁନାଥ ବାବୁ ସେଠାରେ ଅପେକ୍ଷା କରି ବ୍ୟକ୍ତିଟିକୁ ଅନୁସରଣ କରିବାକୁ ଚେଷ୍ଟା କଲେ । ବ୍ୟକ୍ତି ଜଣକ ଗୋଟେ ମଦ ଦୋକାନ ଆଗରେ ଲାଗିଥିବା ଲାଇନରେ ଠିଆ ହୋଇଥିବା ର ଦେଖି ନିଜକୁ ବିଶ୍ବାସ କରିପାରୁନଥିଲେ,କିଛି ସମୟ ସେ ଲୋକଟିକୁ ଭଲଭାବେ ଦେଖିବାକୁ ଚେଷ୍ଟା କଲେ, ବୟସ ପ୍ରାୟ ଚାଳିଶିରୁ ପଚାଶ ଭିତରେ ହେବ, ଦେହରେ ମଇଳା ପ୍ୟାଣ୍ଟ,ଶାର୍ଟ,ପୋଷାକ ଏତେ ମଇଳା ଯେ ତାର ରଙ୍ଗ ଜାଣିବା କଷ୍ଟକର ଥିଲା , ତଥାପି ତାର କପଡା ଓ ମାସ୍କରୁ ରଘୁନାଥ ବାବୁ ନିଶ୍ଚିତ ହୋଇଗଲେ ଯେ,ସେ ଯେଉଁ ବ୍ୟକ୍ତିକୁ ମାସ୍କ ଦେବାକୁ ଡାକୁଥିଲେ ମଦ ଦୋକାନ ଆଗରେ ଲାଗିଥିବା ଲାଇନରେ ଠିଆ ହୋଇଥିବା ବ୍ୟକ୍ତି ଜଣକ ଆଉ ଅନ୍ୟ କେହି ନୁହନ୍ତି । କିଛି ସମୟ ପରେ ଲୋକଟି ଦୋକାନ କାଉଣ୍ଟର ପାଖକୁ ଯାଇ ପକେଟରୁ ଗୋଟିଏ ନୋଟ ବାହାର କରି ଦେଲା ,ବଦଳରେ କାଉଣ୍ଟରରୁ ଗୋଟେ ବଡ ମଦ ବୋତଲ ଆଣି ନିଜ ଶାର୍ଟ ତଳେ ଲୁଚେବାକୁ ଚେଷ୍ଟା କରୁଥିବାର ଦେଖିଲେ ରଘୁନାଥ ବାବୁ ।ଏ ଦୃଶ୍ୟ ତାଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଲା ତାଠୁ ଅଧିକ କଷ୍ଟ ଦେଲା । ମଦ ପିଇବା ନିଶ୍ଚିତରୂପେ ବ୍ୟକ୍ତିଗତ ପସନ୍ଦ ହୋଇପାରେ,ହୁଏତ କେହି ଅଭ୍ୟାସରେ ପଡି ପିଉଥାଇପାରେ,କେହି ନିଜର କଠିନ ପରିଶ୍ରମରୁ ଟିକେ ଆରମ ପାଇଁ ପିଉଥାଇପାରେ କିନ୍ତୁ ଯାହା ଜୀବନ ରକ୍ଷକ,ଯାହା ଅପରିହାର୍ଜ୍ୟ ତାକୁ ଆମେ କେମିତି ଭୁଲିଯିବା ! ମାତ୍ର ଦାଶ କୋଡିଏ ଟଙ୍କାରେ ଗୋଟେ ମାସ୍କ କିଣାଯାଇ ପାରିଥାନ୍ତା କିନ୍ତୁ ତାକୁ ପ୍ରାଧାନ୍ୟ ନଦେଇ ମଦ କିଣି ପିଇବା ନିଶ୍ଚିତରୂପେ ଅମାନବୀୟ ଘଟଣା ,ଏହି ଭଳି ଜଣେ ବ୍ୟକ୍ତିଙ୍କ ପାଇଁ ସମାଜ ପୁରା ବସ୍ତିକୁନେଇ ଟିକ୍କା ଟିପ୍ପଣୀ କରିଥାନ୍ତି, ଏହି ଭଳି ଲୋକଙ୍କ ପାଇଁ ବାସ୍ତବରେ ଗରିବ,ଅସହାୟମାନେ ସାହାଯ୍ୟରୁ ବଞ୍ଚିତ ହୋଇଥାନ୍ତି । ଛିଣ୍ଡା ମଇଳା କପଡା ପିନ୍ଧୁଥିବା ସମସ୍ତ ଲୋକେ ଯେ ଗରିବ ନୁହନ୍ତି ଏକଥା ରଘୁନାଥ ବାବୁ ଅନୁଭବ କରିଲେ ।