STORYMIRROR

Akshaya kumar Rout

Tragedy

3  

Akshaya kumar Rout

Tragedy

ଜୟ ହିନ୍ଦ

ଜୟ ହିନ୍ଦ

3 mins
390


ଅଭାବ ଅନଟନ ଓ ଆବଶ୍ୟକତା ବୋଧହୁଏ ମଣିଷକୁ ଚୋରି କରିବାକୁ ବାଧ୍ୟ କରେ !

ସେଦିନ ମଣିଆ ମାଲଗୋଦାମ ଅଞ୍ଚଳରୁ ଚୋରି କରି ଗୋଦାମ ସଟର ଟେକି ବାହାରୁ ଥିବା ବେଳେ ପୋଲିସର ନଜର ତା ଉପରେ ପଡିଲା ,ସେ ଜାଣି ନଥିଲା ଯେ ପୋଲିସ ଏତେ ସକଳୁ ସକାଳୁ ଚକର କାଟିବ ବୋଲି । ଯାହା ହେଲେ ବି ତାକୁ ପୋଲିସକୁ ଚକମା ଦେଇ ଯିବାକୁ ହେବ ନ ହେଲେ ଆସନ୍ତା କାଲି ପିଲାମାନଙ୍କୁ ଭୋକରେ ଦିନ କାଟିବାକୁ ପଡିବ । ପୋଲିସକୁ ଦେଖି ମଣିଆ ଗଳି ରାସ୍ତାରେ ଦୌଡିବାକୁ ଲାଗିଲା, କିଛି ବାଟ ଗଲା ପରେ କ୍ଲବ ଘର ପାଖରେ କିଛି ପିଲା ଓ ଯୁବକ ଏକତ୍ର ହେଉଥିବା ଦେଖିଲା । ପୋଲିସ ଆଖିରୁ ବଞ୍ଚିବା ପାଇଁ ସେ ଚାଉଳ ଅଖାକୁ ଗୋଟେ ଗଛ ମୂଳେ ଲୁଚାଇ ଦେଇ ନିଜେ ରୁଣ୍ଡ ହୋଇଥିବା ଲୋକଙ୍କ ଗହଣରେ ଲୁଚିବାକୁ ଚେଷ୍ଟା କଲା । ଏମିତି କିଛି ସମୟ ବିତିବା ପରେ ମଣିଆକୁ ଲାଗିଲା ପୋଲିସ ବୋଧ ହୁଏ ଅନ୍ୟ ରାସ୍ତାରେ ଚାଲିଗଲା ତାକୁ ଶୀଘ୍ର ଯିବାକୁ ହେବ । ଯେମିତି ମଣିଆ ସେ ସ୍ଥାନରୁ ଯିବାକୁ ବାହାରିଲା ତା ପାଖରେ ଠିଆ ହୋଇ ଥିବା ଜଣେ ବ୍ୟକ୍ତି ତା ହାତକୁ ଧରି ଅଟକାଇ କହିଲା ‘’ ଭାଇନା ଆସି ଗଲେଣି ଏବେ ପତାକା ଉତ୍ତୋଳନ ହେବ ରହି ଜାଅ ‘’। ମଣିଆ କିଛି ନହକି ଠିଆ ହୋଇଗଲା । ୟା ଭିତରେ ଜଣେ ଧୋତି କୁର୍ତା ପିନ୍ଧା ବ୍ୟକ୍ତି ଯାହାଙ୍କୁ ରୁଣ୍ଡ ହୋଇଥିବା ଲୋକେ ଭାଇନା କହୁଥିଲେ ସେ ପତାକା ଟଙ୍ଗା ହୋଇଥିବା ସ୍ଥାନରେ ପହଞ୍ଚିଲେ । ମଣିଆ ଏ ନେତାଙ୍କୁ କେତେ ଥର ଖବର କାଗଜ ଓ ଟିଭିରେ ଦେଖିଛି ଏ ସେଇ ନେତା ଯିଏ ଗାନ୍ଧୀଜୀଙ୍କ ଉପରେ ବିବାଦିତ ମନ୍ତବ୍ୟ ଦେଇ ରତା ରାତି ଲୋକ ଲୋଚନକୁ ଆସିଥିଲେ ।

ବିବାଦିତ ନେତା ପତାକା ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ପିଲାମାନେ ‘’ଜନ ଗଣ ମନ ଅଧିନାୟକ’’ ଜାତୀୟ ସଂଗୀତ ଗାଇବାକୁ ଲାଗିଲେ , ମଣିଆ କିଛି ନକହି ଚୁପ ଚାପ ସାବଧାନ ସ୍ଥିତିରେ ଠିଆ ହେଲା । ଅଷ୍ଟମ ଶ୍ରେଣୀରେ ପଢୁଥିବା ତା ଝିଅ ଦିନେ ତା ସାନ ପୁଅକୁ କହିଥିଲା ଯେ ’ଜନ ଗଣ ମନ ଅଧିନାୟକ’’ ଗୀତ ଶୁଣିବା ମାତ୍ରେ ଆମକୁ ସାବଧାନ ସ୍ଥିତିରେ ଠିଆ ହେବା ଊଚିତ। ଏ କଥା ମଣିଆ ଭୁଲି ନଥିଲା । ଜାତୀୟ ସଂଗୀତ ଚାଲୁଥିବା ବେଳେ ପୋଲିସ ଆସି ମଣିଆକୁ ପଛ ପଟୁ ଧରିନେଲା । ମଣିଆକୁ ଦୁଃଖ ଲାଗିଲା ଯେ ସେ ଗୀତ ଶେଷ ଯାଏ ସାବଧାନରେ ଠିଆ ହୋଇ ପାରିଲାନି ।

କି ବିଡମ୍ବନା ସତେ ଶେଷ ଦୁଇ ଧାଡି ଗୀତ ସରି ଯାଇଥିଲେ ମଣିଆ ସେଠୁ ରଫୁ ଚକ୍କର ହୋଇଥାନ୍ତା କିନ୍ତୁ ହେଲା ତାର ଓଲଟା । ପୋଲିସ ଜାତୀୟ ସଂଗୀତର ନିୟମାବଳିକୁ ପଛରେ ଛାଡି ଚାଉଳ ଚୋରକୁ ଧରିବା ଅଧିକ ଗୁରୁତ୍ବପୂର୍ଣ ଭାବିଲା । ପୋଲିସ ଚାଉଳ ଅଖାକୁ ଠାବ କରୁ ଥିବା ବେଳେ ଜୈନିକ ନେତାଙ୍କର ସ୍ଲୋଗାନ ଶୁଣିବାକୁ ପାଇଲା ‘’ ମହାତ୍ମା ଗାନ୍ଧୀ କି ଜୟ ,ଗାନ୍ଧୀଜୀ ଅମର ରହେ ‘’ । ପୋଲିସ ମଣିଆକୁ ଧମକ ଭରା ସ୍ଵରରେ କହୁଥିଲେ ଆଜି ଭଳି ଦିନରେ ବି ତୁ ଚୋରି କରୁଛୁ ! ମଣିଆ ହାତ ଯୋଡି କହିଲା ସାର ଆଜି ଠିକାଦାର ଯଦି କାମ ଦେଇ ଥାନ୍ତା ମୁ ଚୋରି କରିଥାନ୍ତି କାହିଁକି ! । ତୁ କଣ ଜାଣିନୁ ଆଜି ଜାନୁୟାରୀ ଛବିଶ ତାରିଖ ଆଜି ପୁରା ଭାରତ ଛୁଟି । ‘’ସାର ଆପଣ ମାନଙ୍କ ଲାଗି ଏ ଜାନୁୟାରୀ ଛବିଶ ତାରିଖର ମହତ୍ଵ ଥାଇପାରେ ମୋ ଭଳି ଲୋକଙ୍କ ଲାଗି ଏହା କେବଳ ଗୋଟେ ଛୁଟି ଦିନ ମାତ୍ର । ଶଳା ତୁ ମୋ ସହିତ ତର୍କ କରୁଛୁ ଗାଳି ଦେଉ ଦେଉ ପୋଲିସ ମଣିଆକୁ ଟାଣି ନେଇ ଗାଡିରେ ବସାଇ ଦେଲା ।

କେବଳ ମଣିଆ ନୁହେଁ ମଣିଆ ଭଳି ଅନେକ ଦିନ ମଜୁରିଆ ଯେଉଁମାନେ ମୂଲ ଲାଗି ନିଜର ପରିବାର ଭରଣ ପୋଷଣ କରନ୍ତି ସେମାନଙ୍କ ପାଇଁ ଗଣତନ୍ତ୍ର ହେଉ କି ସ୍ଵାଧୀନତା ଦିବସ ହେଉ ସେମାଙ୍କ ପାଇଁ ଏହି ଦିନଟି କେବଳ ଭୋକିଲା ଛୁଟି ଦିନ ମାତ୍ର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy