Rajalaxmi Mohanty

Drama Tragedy Inspirational

4.3  

Rajalaxmi Mohanty

Drama Tragedy Inspirational

ଗୃହିଣୀ

ଗୃହିଣୀ

9 mins
638


"କାର୍ତ୍ତକ ମାସ ପାଇଁ ଗାଁରୁ କେତେଜଣ ପୁରୀ ଯାଉଛନ୍ତି କାଳିଆ କୁ ଦର୍ଶନ କରିବାକୁ । ମୁଁ ସେମାନଙ୍କ ସହିତ ଯିବି"? ପ୍ରଶ୍ନଟି ଦାଶରଥି ବାବୁଙ୍କୁ ପଚାରିଦେଇ ଉତ୍ତର ଆଶାରେ ତାଙ୍କ ମୁହଁକୁ ଚାହିଁରହିଲେ ଶୋଭା ଦେବୀ। ସ୍ବାମୀ ପଣିଆ ଟିକେ ବଢେଇବାକୁ ଯାଇ ଦାଶରଥି ବାବୁ ମଧ୍ୟ ସାଙ୍ଗେ ସାଙ୍ଗେ ଉତ୍ତର ଟି ନଦେଇ କିଛି ସମୟ ଚିନ୍ତା କଲାଭଳି ବସି ରହିଲେ।"କ'ଣ କିଛି କହୁନ ଯେ"? କଥା ଟାକୁ ଆଉଥରେ ଦୋହରାଇଲେ ଶୋଭା ଦେବୀ। 

"କିଏ କିଏ ସବୁ ଯାଉଛନ୍ତି"? ପଚାରିଲେ ଦାଶରଥି ବାବୁ। 


ଗୋଟିଏ ଗାଡି ଭଡାକରି ଦଶ ବାର ଜଣ ସେମାନେ ଯାଉଛନ୍ତି। ତୁମକୁ ତ କେତେବେଳେ ସମୟ ହେଉନି ଟିକେ କୁଆଡେ ଯିବା କଥା କହିଲା ବେଳକୁ। ଏକୁଟିଆ ବି ଛାଡିବନି। ଏଥର ତ ଅନୁମତି ଦିଅ।


ହଁ ଯେ ,ତମ ଉପରେ ଭରସା ପାଏନି ବୋଲି କୁଆଡେ ଏକା ଛାଡେନି। ମୋତେବି ସମୟ ହୁଏନି ।ଏଥର ଯଦି ସାଙ୍ଗ ହୋଇ ସବୁ ଯିବ ଯାଅ। ମୋର କିଛି କହିବାର ନାହିଁ।" ବହୁତ ସମୟପରେ ଗଳାକୁ କଷ୍ଟ ଦେଇ ଅନୁମତି ସ୍ବରୂପ ହଁ' ଭରିଲେ ଦାଶରଥି ବାବୁ। 


ଶୋଭା ଦେବୀ ମୁହଁରେ ହସ ଉକୁଟି ଉଠୁଥିଲା। ବାହାଘରର ଦୀର୍ଘ ବତିଶ ବର୍ଷ ପରେ ଘରୁ ଏକୁଟିଆ ବାହାରକୁ ଯାଉଛନ୍ତି ।ଏହା ଆଗରୁ କୁଆଡେ ବାହାରକୁ ଯିବା କଥା କହିଲେ ଦାଶରଥି ବାବୁ ସମୟର ଅଭାବ ଦେଖାଇ କଥା ବୁଲାଇ ଚାଲି ଯାଆନ୍ତି। ଆଜି ଆଉ ସେ ସବୁ ସମ୍ଭବ ହଉନି ।ଶୋଭା ଦେବୀ ଙ୍କର ମଧ୍ୟ କାଳିଆ ପାଖରେ ବହୁତ ଅଭିଯୋଗ ଅଛି। ସେହି ଅଭିଯୋଗ ସବୁ ଶୁଣିବାପାଇଁ କାଳିଆ ଯେମିତି ତା ଡୋରୀ ଲଗେଇଥିଲା। ଏତେ ଶୀଘ୍ର ଦାଶରଥି ବାବୁ ରାଜି ହେଇଯିବେ ବୋଲି ଶୋଭା ଦେବୀ କେବେବି ଭାବି ନଥିଲେ। 


କାଳିଆର ଦର୍ଶନ ପରେ ମନ ଟିକେ କାଳିଆମନସ୍କ ଅଛି ଶୋଭା ଦେବୀଙ୍କର। ଆଖିରୁ ଯେତେ ସବୁ ଲୁଣିପାଣି ନିଗାଡି ଦେଇ ଆସିଛନ୍ତି ତା' ପାଖରେ । କାହିଁ କେତେ ଦିନରୁ ଜମାଟ ବାନ୍ଧି ରହି ଆଖିରେ ପଲକ ଟିକେ ବି ପକେଇବାକୁ ଦେଉନଥିଲା ରାତିରେ। ଆଜି ଭାରି ଉଶ୍ୱାସ ଲାଗୁଛି ତାଙ୍କୁ। ସତରେ କାଳିଆ ତାଙ୍କ ଡାକ ଶୁଣିବ ତ ? ତାଙ୍କ ଘର ସଂସାର ସଜାଡି ହେଇଯିବ ତ? ମନକୁ ମନ ଅନେକ ପ୍ରଶ୍ନ ପଚାରି ଚାଲିଛନ୍ତି ଶୋଭାଦେବୀ। 

ବାଟରେ ଆସିଲା ବେଳେ କେତେଥର ସେଇ କଥାକୁ ଘାଣ୍ଟି ଚକଟି ପଚାରଛନ୍ତି ଅନ୍ଯ ସହଯାତ୍ରୀ ମାନେ। ଦାଶରଥୀ ବାବୁଙ୍କ ଭୟରେ କେହି ଏତେ ବେଶୀ ତାଙ୍କ ଘରକୁ ଯିବାଆସିବା କରନ୍ତିନି। ସେଥିପାଇଁ ତାଙ୍କ ଘର କଥାରେ ବେଶି ନାକ ଗଳେଇ ପାରନ୍ତିନି। ଆଜି ଯେତେ ବେଳେ ସୁଯୋଗ ମିଳିଛି କିଏ ବା କାହିଁକି ହାତଛଡା କରିବ? ପାର ଅପା ପଚାରୁଛନ୍ତି, "ଶୋଭା ,ତୋ ବଡପୁଅ ବୋହୂ ଆଉ ଆସିନାହାଁନ୍ତି ସେହି ଦିନରୁ"? ଚାରୁ ଅପା ପଚାରୁଛନ୍ତି, "ସାନ ପୁଅର ଆଉ ଏବର୍ଷ କେଉଁଠି ବାହାଘର ଠିକ୍ ହେଇପାରିଲାନି"? ପୁଣି ସଜନୀ ଅପା ପଚାରୁଛି "ଆଲୋ ଦାଶିଆ କାହିଁକି ଏତେ ବଡ ପାଟି କରୁଥିଲେ କି"? କାହାରି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ପାରୁନାହାଁନ୍ତି ଶୋଭା ଦେବୀ। କେମିତି ବା ଦେବେ। ତାଙ୍କ ପାଖରେ କିଛି ଉତ୍ତର ଥିଲେ ତ। ଆଜି ପର୍ଯ୍ୟନ୍ତ ତାଙ୍କ ଇଚ୍ଛା କି ତାଙ୍କ ମତାମତ ଦରକାର କରନ୍ତିନି ଦାଶରଥି ବାବୁ। ସବୁ ନିଜ ଇଚ୍ଛାରେ କରନ୍ତି। ଯେମିତି ଆଗରୁ ତାଙ୍କ ଶ୍ବଶୁର କରୁଥିଲେ। ଆଜି କିନ୍ତୁ ଶୋଭା ଦେବୀଙ୍କର ଦାଶରଥି ବାବୁଙ୍କ ଉପରୁ ଭରସା ଉଠିଯାଇଛି। ସବୁ ଇଛାମୟଙ୍କ ଇଛାରେ ହୁଏ ଭାବି ଧାଇଁଆସିଛନ୍ତି ସତୁରି କିଲୋମିଟର ଦୂରରୁ। 


ନିଜ ଭାବନା ଭିତରେ ଏତେ ହଜିଯାଇଛନ୍ତି ଯେ ନିଜ ସାଥି ମାନଙ୍କ ଠାରୁ କେତେବେଳେ ଅଲଗା ହେଇଗଲେଣି ଜଣା ନାହିଁ ଶୋଭା ଦେବୀଙ୍କୁ। ଆଗରେ ପଳେଇଲେ କି ପଛରେ ରହିଗଲେ କେଜାଣି ଏତେ ଭିଡ ଭିତରେ କିଛି ବି ଜଣା ପଡୁନି। ବ୍ଯସ୍ତ ହେଇ ଏପଟ ସେପଟକୁ ଚାହିଁଲା ବେଳକୁ ରିକ୍ସା ବାଲାଟେ ଆସି ଢାଇ' କରି ବାଡେଇଦେଇ ଗଲା। ତଳେ ପଡି ଯାଉଯାଉ ହାଁ ହାଁ କହି ଧରିପକେଇଲା ଝିଅଟେ। ତଥାପି ଡାହାଣପଟ ହାତଟା ଟିକେ ଛାଲି ହେଇଗଲା ଓ ପାଦଟା ବି ଫୁଲିଯାଇ ଦରଜ ହେଇଗଲା। ଗୋଟେ ପାହୁଣ୍ଡ ବି ଆଗକୁ ଆଉ ପାଦ ପଡୁନି। ହେ ଭଗବାନ ! ଏବେ ସେମାନଙ୍କୁ କେମିତି ପାଇବି? ଘରକୁ କେମିତି ଯିବି? ବ୍ଯସ୍ତ ଓ ଭୟରେ ତାଙ୍କର ମୁହଁଟି ଶୁଖି ଆସିଲା ବେଳକୁ ତାଙ୍କର ସବୁ ଭାବନାରେ ପୂର୍ଣ୍ଣଛେଦ ପକେଇ ଝିଅଟି କହିଲା "ଆଣ୍ଟି ଆପଣ ମୋ କାନ୍ଧ ଉପରେ ହାତ ଭରାଦେଇ ଆସନ୍ତୁ। ଆଉ ଟିକେ ଆଗରେ ମୋ ସ୍କୁଟର ଅଛି। ମୁଁ ଆପଣଙ୍କୁ ଆପଣଙ୍କ ଗାଡି ପାଖରେ ପହଞ୍ଚେଇ ଦେବି। ଆପଣ ଆଦୌ ବ୍ଯସ୍ତ ହୁଅନ୍ତୁନି। ତା' ଆଗରୁ ଆଗେ ମେଡିକାଲ ଯିବା। ଖଣ୍ଡିଆ ଯାଗା ରେ ଡ୍ରେସିଂ କରି ବ୍ଯାଣ୍ଡେଜ କରିବାକୁ ପଡିବ ଓ ଗୋଡ ଯନ୍ତ୍ରଣା ପାଇଁ ଇଞ୍ଜେକସନ ନେବାକୁ ପଡିବ।" କ'ଣ କରିବେ କ'ଣ ନାଇଁ ଶୋଭା ଦେବୀ ଭାବି ପାରୁନଥାନ୍ତି। ଏକ ଅଚିହ୍ନା ଝିଅକୁ ବିଶ୍ବାସ କରିବେ କି ନାଇଁ ଭାବିଲା ବେଳକୁ ଝିଅଟିର ସରଳ ଅମାୟିକ ଚେହେରାକୁ ଦେଖି ଆପଣା ପଣ ଟେ ମନରେ ଜାଗି ଉଠୁଛି। ଝିଅଟି କିନ୍ତୁ ତାଙ୍କୁ ବେଶି ଭାବିବାକୁ ନଦେଇ ସିଧା ତାଙ୍କ ହାତଟି ଆଣି ନିଜ କାନ୍ଧ ଉପରେ ରଖି କହିଲା ଚାଲନ୍ତୁ। ଆଉ କିଛି ବାଟ ବି ନାହିଁ। ଅଗତ୍ଯା ଶୋଭାଦେବୀ ଚାଲିଲେ ସେ ଝିଅ ସାଙ୍ଗରେ। 


ମେଡିକାଲ ରେ ଡାକ୍ତର ଆସି ଦେଖି ମେଡିସିନ୍ ଲେଖି ଦେଇଗଲେ। ସିଷ୍ଟର ଆସି ଡ୍ରେସିଂ କରି ଇଞ୍ଜେକସନ ଦେଇଗଲେ।


ଝିଅଟି ପଚାରିଲା "ଆଣ୍ଟି ଆପଣଙ୍କ ପାଖରେ କାହାର ଫୋନ୍ ନମ୍ବର ଅଛି କି?


ଆଖିକୁ ଭଲ ହେଇ ଦିଶୁନି ବୋଲି ମୋବାଇଲ ଫୋନ ମୁଁ ଧରେନି। ବାଟରେ କାଳେ ଦରକାର ହେବ ବୋଲି ଆମ ସାଙ୍ଗ ରେ ଆସିଥିବା ପୁତୁରା ଦୁଇଜଣଙ୍କ ନମ୍ବର ମଉସା ଲେଖିକି ଦେଇଛନ୍ତି ।


ଶୋଭାଦେବୀ ଙ୍କ ହାତରୁ କାଗଜଟି ଆଣି ନମ୍ବର ଡାଏଲ୍ କଲା ଝିଅଟି। ଝିଅଟିର ଏପରି ଅଯାଚିତ ସାହାଯ୍ଯ ଦେଖି ଶୋଭା ଦେବୀଙ୍କର ହୃଦୟ ଆନନ୍ଦରେ ବିଗଳିତ ହେଇଉଠୁଥାଏ। 


ଝିଅ ତୋ ନାଁ କ'ଣ? ପଚାରିଲେ ଶୋଭା ଦେବୀ। 


ପଦ୍ମିନୀ ।

ଘର କେଉଁଠି? 

ଏଇ ପୁରୀ ରେ। 

ଯାହା ଘରକୁ ଯିବୁ ତା ଘରକୁ ସ୍ବର୍ଗ କରିଦେବୁ। ଯାହାର ଧର୍ମ ବଳ ଥିବ ,ଭାଗ୍ଯ ବଡ ଥିବ ତୋ ଭଳିଆ ଝିଅକୁ ଘରକୁ ବୋହୂ କରିନେବ । ବାପା କେଉଁଠି ବୁଝାବୁଝି କଲେଣି ନା ନାହିଁ?


ହଠାତ୍ ପଦ୍ମିନୀର ସଦ୍ଯଫୁଟା ପଦ୍ମ ଭଳି ମୁହଁଟି ଝାଉଁଳି ପଡିଲା ଶୋଭା ଦେବୀଙ୍କ ଏହି ପ୍ରଶ୍ନରେ। ବ୍ଯସ୍ତ ହେଇପଡିଲେ ଶୋଭାଦେବୀ। କିଛି ଭୁଲ ପ୍ରଶ୍ନ ଆଉ ପଚାରିଦେଲି କି ? ତାଙ୍କର ଏହି ବ୍ଯସ୍ତତା ଦେଖି ପୁଣି ଓଠରେ ହସ ଖେଳେଇ କହିଲା ପଦ୍ମିନୀ "ଆଣ୍ଟି, ଏତେ ବ୍ଯସ୍ତ କାହିଁକି ହେଉଛନ୍ତି, ଏହା ଠାରୁ ଆହୁରି କଠିନ ସମୟ ଓ ପରିସ୍ଥିତି କୁ ମୁଁ ସାମ୍ନା କରିଛି। ଇଏ ତ କିଛି ନୁହେଁ।ଆଶ୍ଚର୍ଯ୍ଯ ହେଇ ପଦ୍ମିନୀର ମୁହଁକୁ ଚାହିଁଲେ ଶୋଭାଦେବୀ।

ହଁ ଆଣ୍ଟି, ବାହାଘର ସରିଥିଲେ ସରନ୍ତାଣି ଚାରିମାସ ଆଗରୁ। ବାହାଘରକୁ ମାତ୍ର ଦଶ ଦିନ ଥିଲା ବୁଲେଟ୍ ଗୋଟେ ପାଇଁ ବାହାଘର ଭାଙ୍ଗି ଗଲା। ସେଇଟା ଥିଲା ଶେଷ ତିଥି ସେ ବର୍ଷର। ମାତ୍ର ଦଶ ଦିନ ମଧ୍ୟ ରେ ଆଉ ଅଲଗା ପ୍ରସ୍ତାବ ମିଳିବା ସମ୍ଭବପର ନଥିଲା। ବାପା ସେହି ପ୍ରସ୍ତାବକୁ ଭରସା କରି ଅନେକ ଭଲ ଭଲ ପ୍ରସ୍ତାବକୁ ଫେରେଇ ଦେଇଥିଲେ। ସେହି ଘଟଣା ପାଇଁ ଅତ୍ଯଧିକ ଚିନ୍ତାରେ ବାପାଙ୍କର ରକ୍ତଚାପ ବଢି ଦେହ ବି ଖରାପ ହେଇଗଲା। ସେହି ଦିନରୁ ଘରେ କେହି ବାହାଘର କଥା ଆଉ ଆଲୋଚନା କରନାହାଁନ୍ତି ।

ପଦ୍ମିନୀର କଥା ଶୁଣି ଚମକି ଉଠି ବସିପଡିଲେ ଶୋଭାଦେବୀ। 


ଆରେ ଆଣ୍ଟି,, ଧିରେ ।ଆପଣଙ୍କ ଗୋଡ ଖରାପ ଅଛି। ସଚେତନ କରିଦେଲା ପଦ୍ମିନୀ। 

ଶୋଭାଦେବୀଙ୍କ ଆଖିରୁ ତାଙ୍କ ଅଜଣାରେ ଲୁହ ଦୁଇଧାର ବୋହି ଆସିଲା। ଏତିକି ବେଳେ ଶୋଭାଦେବୀଙ୍କ ଗାଁ ସାଥି ମାନେ ଆସି ପହଞ୍ଚିଗଲେ। ସେମାନଙ୍କୁ ଶୋଭାଦେବୀଙ୍କ ଦାୟିତ୍ବ ଦେଇ ସେଠୁ ବାହାରିଲା ପଦ୍ମିନୀ। ଆସିବା ଆଗରୁ ତା'ର ବାପାଙ୍କ ନାଁ , ଠିକଣା ,ଓ କ'ଣ କରନ୍ତି ସବୁ ବୁଝି ସାରିଥିଲେ କଳେବଳେ ଶୋଭାଦେବୀ। ଏଥର ନିଶ୍ଚିତ ହେଇଗଲେ ଇଏ ସେଇ ଝିଅ ବୋଲି। 


ବାଟସାରା ଗୁମ୍ ମାରି ବସିଛନ୍ତି ଶୋଭାଦେବୀ। ଅନ୍ଯ ମାନଙ୍କ ତୁଣ୍ଡରେ ପଦ୍ମିନୀର ଭୁରିଭୁରି ପ୍ରଶଂସା। ଏମିତି ନିଃସ୍ବାର୍ଥପର ଝିଅ ଆଜିକାଲି ଯୁଗରେ ଆଉ ଅଛନ୍ତି? ହେଲେ ଶୋଭାଦେବୀ ଭାବୁଛନ୍ତି କିଛି ଅଲଗା। କାଳିଆ ତା'ର ଡୋରି ଲଗେଇ ତାଙ୍କୁ ଏଠିକି ଆଣିବାର କାରଣ କ'ଣ ହେଇପାରେ। ଆଜିର ଘଟଣାରୁ ସେ କ'ଣ ବୂଝିବେ? କାଳିଆ ଆଉ ତାଙ୍କୁ ସୂଚାଇଦେଲେ ତ "ଦେଖ ମୁଁ ତୁମକୁ କାଞ୍ଚନ ଟେ ଦେଇଥିଲି। ତମେ ତାକୁ କାଚ ଭାବି ପାଦରେ ଆଡେଇଦେଲ। ଏବେ ଅଭିଯୋଗ କରୁଛ ମୁଁ କିଛି ଦେଉନି ବୋଲି। "


ସତରେ କାଳିଆର ମାୟା କିଏ ବା ବୁଝିପାରିବ। ସେ ନିଜେହିଁ ବୁଝେଇ ଦିଏ ସମୟ ଆସିଲେ ଦକ୍ଷ ଗୁରୁ ଟିଏ ସାଜି ଏହି ଭଳି ଘଟଣା ଘଟେଇ। 


ଶୋଭାଦେବୀ ଘରେ ପହଞ୍ଚୁ ପହଞ୍ଚୁ ଦାଶରଥି ବାବୁ ଚିତ୍କାର କଲେ "ସେଇଥି ପାଇଁ ମୁଁ ମନାକରେ ତୁମକୁ କୁଆଡେ ଯିବା ପାଇଁ। ଏବେ ମନ ଶାନ୍ତି ହେଇଗଲା ତ? ଆଉ କେବେ କହିବନି କୁଆଡେ ନେଉନ ବୋଲି। ତମେ ସେଇ ହାଣ୍ଡି ଶାଳକୁ ଯୋଗ୍ଯ। 

ଶୋଭାଦେବୀ ଉଁ କି ଚୁଁ କିଛି ନକହି ସିଧା ଶୋଇବାଘରକୁ ପଶିଗଲେ। ଲୁଗାପଟା ବଦାଳିସାରି ସେଠୁ ପୁଣି ଗାଧୁଆଘର। ଧୂଆଧୋଇ ହେଇସାରି ଆସି ଶୋଇବାଘରେ ପଶି ଆଲମିରାରୁ କ'ଣ ଖୋଜିବାରେ ଲାଗିଲେ। ତାଙ୍କର ଏ ଢଙ୍ଗରଙ୍ଗ ଦେଖି ଆଶ୍ଚର୍ଯ୍ଯ ହେଇ ଚାହିଁଛନ୍ତି ଦାଶରଥି ବାବୁ। ମନେମନେ ଭାବୁଛନ୍ତି ବୋଧେ ଆଜିର ଘଟଣା ପାଇଁ ବହୁତ ଡରିଯାଇଛି ସେ। ଯାହାବି ହେଇଛି ଭଲ ହେଇଛି। ଅପା ପର ଠାରୁ ଯେଉଁ ଟିକେ ଟିକେ ଫଡଫଡ ହେଉଥିଲା ସେତକ ବି ବନ୍ଦ ହେଇଯିବ। କ'ଣ ନା ବୁଲାବୁଲି କରିବ। ମୁଁ କୁଆଡେ ମନକଥା ବୁଝିପାରୁନି। କେତିକିର ଲୋକ ସିଏ ଜାଣୁ ଏଥର। ମନେମନେ ହସିଲେ ଦାଶରଥି ବାବୁ। ତାଙ୍କ ଭାବନାକୁ ଭୁଲ ପ୍ରମାଣିତ କରି ଶୋଭାଦେବୀ ଡାକିଲେ "ଏଠିକି ଆସ ଟିକେ "।


କ'ଣ ହେଲା?


ପୁରୀରୁ ଯେଉଁ ପ୍ରସ୍ତାବଟି ଆସିଥିଲା, ସେ ଫଟୋ ସହ ଟିପଣା କେଉଁଠି ଅଛି? 


କାହିଁକି? କ'ଣ ହେବ?


ଦେଉନ ଆଗେ ,ମୁଁ କହିବିନି। 


ହାଁ କରି ଅନେଇଛନ୍ତି ଦାଶରଥି ବାବୁ । ଶୋଭା ତ କେବେ ତାଙ୍କୁ ଏମିତି ରୋକଠୋକ୍ କଥା କୁହେନି। ଆଜି କ'ଣ ହେଇଛି। 


ଆରେ କ'ଣ ଏତେ ଭାବୁଛ? ଦିଅ ସେ ଫଟୋ ଟା।  


ଆଲମିରା ରୁ ବିଡାଏ ଲଫାପା ବାହାର କରି ପୁରୀ ପ୍ରସ୍ତାବ ଥିବା ଲଫାପା ଟି ଶୋଭା ଦେବୀଙ୍କ ହାତକୁ ବଢେଇଦେଲେ ଦାଶରଥି ବାବୁ। 

ଦାଶରଥି ବାବୁଙ୍କ ହାତରୁ ଫଟୋଟି ନେଇ ଦେଖିଲେ ଶୋଭା ଦେବୀ। ହଁ ଇଏ ସେଇ ଝିଅ ।ଓଠରେ ଚେନାଏ ହସ ଖେଳିଗଲା। ଗୋଟେ ବୁଲେଟ ଗାଡି ପାଇଁ ଯାହାର ସ୍ବପ୍ନ ଭାଙ୍ଗିଯାଇଥିଲା। ତାଙ୍କ ଘରେ ଅତି କମ୍ ରେ ଶହେ ଜଣ ଝିଅ ଙ୍କର ଫଟୋ ଥିବ। କେତେଜଣଙ୍କର ପରିବାର ଲୋକ ଫଟୋ ଫେରେଇ ନେଇଛନ୍ତି ତ ଆଉ କେତେ ଜଣଙ୍କର ଅଛି। ସେମାନେ ଖୋଜିଲେ ଦିଆଯିବ ବୋଲି ଅତି ଯତ୍ନରେ ରଖା ଯାଇଛି।ସେମାନଙ୍କ ମଧ୍ଯ ରୁ ବହୁତ ଝିଅ ରାଜୀବ୍ ର ପସନ୍ଦ ହେଇଥିଲେ। ବିଶେଷ କରି ପଦ୍ମିନୀ ବହୁତ ପସନ୍ଦ ଥିଲା। ସେଥିପାଇଁ ଥରେ ଦୁଇଥର ମୁହଁ ଖୋଲି କହିଛି ମଧ୍ଯ। ହେଲେ ଦାଶରଥି ବାବୁଙ୍କ ପାଟିରେ ତା ସ୍ବର ମିଳେଇ ଯାଇଛି। ଝିଅ ମାନଙ୍କର ପ୍ରସ୍ତାବ ସବୁ ଖାରଜ ହେଇଛି ସୌନ୍ଦର୍ଯ୍ଯ କୁ କିମ୍ବା ଶିକ୍ଷାଗତ ଯୋଗ୍ଯତାକୁ ନେଇ ନୁହେଁ ବରଂ ଯୌତୁକ କୁ ନେଇ। କିଏ ଦାମୀ ଫର୍ଣ୍ଣିଚର ପାଇଁ କିଏ ଗହଣା ପାଇଁ ତ କିଏ ନଗଦ କ୍ଯାସ୍ ପାଇଁ। ତା ମାନେ ନୁହେଁ ଯେ କେହି ଯୌତୁକ ଦେବାକୁ ଅରାଜି ଥିଲେ। ସାମର୍ଥ୍ଯ ଠାରୁ ଅଧିକ ଚାପ ପଡିବାରୁ ପଛେଇ ଯାଉଥିଲେ। ଯେମିତି ପଛେଇ ଥିଲେ ପଦ୍ମିନୀର ବାପା ବୁଲେଟ ପାଇଁ। ସେ ହିରୋ ହୋଣ୍ଡା ସ୍ପ୍ଳେଣ୍ଡର ଦେବାକୁ ରାଜିଥିଲେ। ଦାଶରଥି ବାବୁ ବୁଲେଟ ପାଇଁ ଚାପ ପକେଇଥିଲେ। ଦାଶରଥି ବାବୁ ଙ୍କ ହିସାବରେ ଆଉ ମାତ୍ର ଲକ୍ଷେ ଟଙ୍କା ମିଶେଇ ଦେଲେ ବୁଲେଟ ହେବ ।ତାଙ୍କ ପୁଅ ସରକାରୀ ଚାକିରି କରିଛି। ଘରର ନାଁ ଅଛି। ସେ କ'ଣ ଏଣୁ ତେଣୁ ଗାଡି ଚଢିବ। ଶେଷର ପଛେଇଗଲେ ପଦ୍ମିନୀର ବାପା। ଜଣେ ସାଧାରଣ ସଚ୍ଚୋଟ କ୍ଲର୍କ ପାଖରେ ବୁଲେଟ ଭାରି ପଡିଗଲା। 

     ଦାଶରଥି ବାବୁ ବୁଝିପାରନ୍ତିନି ତାଙ୍କୁ ସାମାନ୍ଯ ଲାଗୁଥିବା ଲକ୍ଷେ ଟଙ୍କା କେତେ ଭାରି ପଡେ ଝିଅର ବାପାଙ୍କୁ କାହିଁକି ନା ତାଙ୍କର ଝିଅନାହିଁ କି ଭଉଣୀ ନାହିଁ। ଶୋଭାଦେବୀ କିନ୍ତୁ ବୁଝିଛନ୍ତି ନିଜ ବାହାଘର ବେଳେ ପୁଣି ତାଙ୍କ ଭଉଣୀ ବାହାଘର ବେଳେ। ଦାଶରଥି ବାବୁ ତ ତାଙ୍କ ବାପାଙ୍କର ସବୁ ଗୁଣକୁ ପୋଛି ଆଣଛନ୍ତି। ଆଉ କ'ଣ କହିବା ତାଙ୍କ ବିଷୟରେ। ସେ କାହୁଁ ବୁଝିବେ ଯେଉଁ ଖାନଦାନୀ ଘର ର ନାଁ ଆକାଶରେ ଉଡୁଛି ବୋଲି ସେ ଭାବୁଛନ୍ତି ସେ ନାଁ ଆସି ଭୂଇଁରେ ଲୋଟିଲାଣି। 


ଫଟୋ ପଛରେ ପଦ୍ମିନୀର ବାପାଙ୍କ ନମ୍ବରକୁ ଦେଖେଇ କହିଲେ ଶୋଭାଦେବୀ "ଏଇ ନମ୍ବରରେ ଫୋନ୍ ଲଗେଇଦିଅ ଟିକେ କଥା ହେବି "।


କି କଥା ହେବ ! ଆଶ୍ଚର୍ଯ୍ଯ ହେଇ ପଚାରିଲେ ଦାଶରଥି ବାବୁ। 


ଆସନ୍ତା ଅଁଳା ନବମୀରେ ନିର୍ବନ୍ଧ କରିବାକୁ। 


ତମ ମୁଣ୍ଡ ଖରାପ ହେଇଗଲାଣି ନା କ'ଣ। ତଳେ ପକେଇଥିବା ଛେପ କୁ ଚାଟିବାକୁ ଯାଉଛ। 


ତଳେ ପଡିଥିବା ଛେପ ସେ ନୁହେଁ ବରଂ ଭୁଲରେ ତଳେ ପଡିଯାଇଥିବା ନିର୍ମାଲ୍ଯ ସେ। ତାକୁ ତଳୁ ଆଣି ମୁଣ୍ଡରେ ଲଗେଇବି। 


ହାଣ୍ଡିଶାଳରୁ ବାରି ଅଗଣା ଯାଏ ଦେଖିଥିବା ଲୋକ ତୁମେ। ତୁମର କେଡେ ମୁଣ୍ଡ ମୁଁ ତମ କଥାରେ ବାହାଘର କରିବି ?


ମାନୁଛି ଘର କଣରେ ରହିବା ଲୋକଟେ ମୁଁ। ତମେ ତ ରାଇଜ ସାରା ବୁଲିବା ଲୋକ। ତମର ତ ଅଗାଧ ଜ୍ଞାନ। ତମେ ବଡ ପୁଅର ବାହାଘର କରିଥିଲ ।ଏବେ ରାତିରେ କାହିଁକି ନିଦ ହଉନି? ପ୍ରଥା ପରମ୍ପରା ନାଁରେ ଦୁନିଆ କଟକଣା ତିଆରିକଲ।ଶାଶୁଘର ବୋଲି କହି ଜେଲ୍ ଭିତରେ ରଖିଲାଭଳି ରଖିଲ।ଶାସନ ନାଁ ରେ କଥା କଥାକେ ଗାଳି ଅପମାନ ଦେଲ ।ପୁଅ କିଛି କହିଲେ ଭାବପ୍ରବଣ ଭରା କଥାକହି ତାକୁ ବି ଚୁପ୍ କରିଦେଲ। ଶେଷରେ ସେମାନେ କଠୋର ନିଷ୍ପତ୍ତି ନେବାକୁ ବାଧ୍ଯ ହେଲେ। ବାହାଘରର ଛଅ ମାସ ରେ ଘର ଛାଡିଲେ। ପିଲା ଗୁଡା ସେମାନେ। ଖେଳିବୁଲିବା ସମୟ ତାଙ୍କର। ତମ ପାଖରେ କେତେଦିନ ବନ୍ଦୀ ହେଇରହିଥାନ୍ତେ। ଏପଟେ ମୋର ବୟସ ବଢିବାକୁ ମୋର ଦାୟିତ୍ଵ ବଢେଇ ବଢେଇ ଚାଲିଛ। ଭାବିଥିଲି ବୋହୂ ଆସିଲେ ଟିକେ ବିଶ୍ରାମ ନେବି। ରାଜୀବ୍ ସାଙ୍ଗର ସବୁ ପୁଅ ବାହା ହେଇ ପିଲାର ବାପା ହେଲେଣି। ଆଉ ସେ.....


ଶୋଭାଦେବୀଙ୍କ ଯୁକ୍ତି ନିକଟରେ କଥା କହିବାକୁ କିଛି କାହିଁ ଦାଶରଥି ବାବୁଙ୍କର। ଖାଲି ଅହଙ୍କାର ରେ ଫଁ ଫଁ ହେଉଥିଲେ ସେ।ପୁଣି ଶୋଭାଦେବୀ କହିଲେ "ନିଅ ଫୋନ ଟିକେ ଲଗେଇଦିଅ"।ଦାଶରଥି ବାବୁ ନିଜେ କଥା ହେବେନି କହି ଫୋନ୍ ଲଗେଇ ଧରେଇଦେଲେ ଶୋଭାଦେବୀଙ୍କ ହାତକୁ ।ଶୋଭା ଦେବୀ ସାମାନ୍ଯ ଉପକ୍ରମଣିକା ସହ କେତେ ସୁନ୍ଦର ଭାବେ ବାହାଘର କଥାକୁ ଉପସ୍ଥାପନା କରିଦେଲେ ଶୁଣି ଆଶ୍ଚର୍ଯ୍ଯ ହେଇଗଲେ ଦାଶରଥି ବାବୁ। ସେ ନିଜେ କେବେ କେଉଁ ଝିଅର ବାପା ସାଙ୍ଗରେ ଏମିତି କଥା ହୁଅନ୍ତିନି। ଅହଙ୍କାର ରେ ବୁଡିବୁଡି କେବଳ କଥା ହୁଅନ୍ତି। 


ଶୋଭାଦେବୀ କଥା ହେଇସାରି ନିର୍ବନ୍ଧ ଦିନ ଅଁଳା ନବମୀ କୁ ସ୍ଥିର କରିସାରି ହଠାତ ଫୋନ ଦାଶରଥି ବାବୁଙ୍କ ହାତକୁ ଦେଇ କହିଲେ ସମୁଦୀ ଙ୍କ ସହ କଥା ହୁଅ। ଆଗରୁ ପ୍ରସ୍ତୁତ ନଥିବା ଦାଶରଥି ବାବୁ ଟିକେ ହଡବଡେଇ ଗଲେ। ତଥାପି ସମ୍ଭାଳି ହେଇ କଥାହେଇ ଗଲେ। ଯୌତୁକ କଥା ତ ଶୋଭାଦେବୀ ଆଗରୁ ଛିଡେଇ ସାରିଲେଣି, ତାଙ୍କର ଖାଲି ବୋହୂ ଦରକାର ।ଆଉ ସବୁ ସେମାନଙ୍କ ଖୁସି ରେ ଯାହାଦେବେ। ତେଣୁ ଦାଶରଥି ବାବୁଙ୍କର ଆଉ ବିଶେଷ କିଛି କଥା ହେବାର ନଥିଲା। ସେ ଫୋନ୍ ରଖିଲେ। ରାତି ସାରା ଶୋଭାଦେବୀ ଙ୍କୁ ୟାଡୁସ୍ଯାଡୁ ଶୁଣାଉଥାନ୍ତି। କିଛି ବଡ ହାସଲ କରିବାକୁ ହେଲେ ଛୋଟଛୋଟ କଥାକୁ ଅଣଦେଖା କରିବା ଉଚିତ୍ ଭାବି ଚୁପ୍ ଥାଆନ୍ତି ଶୋଭାଦେବୀ। 


ଶେଷରେ କାର୍ତ୍ତିକ ମାସରେ ନିର୍ବନ୍ଧ ଓ ମାର୍ଗଶୀର ମାସରେ ବାହାଘର ହେଇଗଲା ଶୋଭା ଦେବୀଙ୍କ ଇଛାରେ ଓ ଦାଶରଥି ବାବୁଙ୍କ ଅନିଛାରେ। ବଡପୁଅ ସଞ୍ଜୀବ ଓ ବଡବୋହୂ ସୁଲଗ୍ନା ଚାରିଦିନ ଅତି ବାଧ୍ଯରେ ରହି ଚାଲିଗଲେ। ତା' ପରଠାରୁ ଘରର ସବୁ ଦାୟିତ୍ବ ପଦ୍ମିନୀ ନିଜ ହାତକୁ ନେଇଗଲା। ଦାଶରଥି ବାବୁଙ୍କର ଅନେକ ପରୀକ୍ଷାର ସମ୍ମୁଖୀନ ହେଇଛି ସେ ।ତଥାପି ବହୁତ ଭଲ ଭାବରେ ନିଜ କାର୍ଯ୍ଯ ଦକ୍ଷତାରେ ଓ ବୁଦ୍ଧିମତ୍ତାରେ ସେ ସବୁକୁ ସେ ଅତିକ୍ରମ କରି ଆସିଛି ପଦ୍ମିନୀ। ରାଜୀବ ବହୁତ ଖୁସି ପଦ୍ମିନୀକୁ ସ୍ତ୍ରୀ ରୁପେ ପାଇ। ପୁଅର ଖୁସି ଦେଖି ଶୋଭାଦେବୀ ମଧ୍ଯ ବହୁତ ଖୁସି। ଧିରେ ଧିରେ ଦାଶରଥି ବାବୁ ମଧ୍ଯ ଜାଣିଗଲେଣି ପଦ୍ମିନୀ ସାଧାରଣ ଝିଅନୁହେଁ, ଦେବୀ ଟିଏ। ସେ ବି ହୃଦୟରୁ ଗ୍ରହଣ କରିନେଲେଣି ପଦ୍ମିନୀକୁ। ବହୁତ ଖୁସି ସେ ଜଣା ପଡୁଛନ୍ତି ଆଜିକାଲି। ଏତେ ଖୁସି ଭିତରେ ବେଳବେଳେ କାହିଁକି ଉଦାସ ବି ଲାଗୁଛନ୍ତି। ସମସ୍ତଙ୍କ ମନର ଭାଷା ପଢିପାରୁଥିବା ପଦ୍ମିନୀର ଆଖିରୁ ଏ କଥା ବାଦ୍ ଯିବ କିଭଳି। 


    ରବିବାର,ଘର ବାରଣ୍ଡାରେ ବସିଛନ୍ତି ଦାଶରଥି ବାବୁ। ସମୟ ଆସି ଗୋଟେ ତିରିଶ ବାଜିଲାଣି। ଠିକ୍ ଗୋଟାଏ ରେ ପଦ୍ମିନୀ ଖାଇବାକୁ ବାଢି ଡାକେ। ଆଜି କେମିତି ବ୍ୟତିକ୍ରମ!! ଟ୍ଯାକ୍ସି ଟେ ଆସି ଲାଗିଲା ଘର ସାମ୍ନାରେ। କିଏ ଏତେବେଳେ ଆଉ ? ଦାଶରଥି ବାବୁଙ୍କୁ ଆଶ୍ଚର୍ଯ୍ଯ କରି ଗାଡିରୁ ଓହ୍ଲେଇଲେ ସଞ୍ଜୀବ ଓ ସୁଲଗ୍ନା। ପାଦରୁ ନେଇ ଜୁହାର ହେଲେ। ଖୁସିରେ ଗଦଗଦ ହେଇଗଲେ ଦାଶରଥି ବାବୁ। ପୁଅ ବୋହୂଙ୍କ ହାତ ଧରିନେଇ ଘର ଭିତରକୁ ଗଲେ ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରେଇବେ ବୋଲି। ମାତ୍ର ସେ ନିଜେ ଆଶ୍ଚର୍ଯ୍ଯ ହେଇଗଲେ। ଖାଇବା ଟେବୁଲ ଉପରେ ଚାରିଜଣଙ୍କ ବଦଳରେ ଛଅ ଜଣଙ୍କ ପାଇଁ ବାଢିଥିଲା ପଦ୍ମିନୀ। ତା ମାନେ ପଦ୍ମିନୀ ଆଗରୁ ସବୁ ଜାଣିଛି! ସେଥିପାଇଁ ଖାଇବା ଡେରିକରି ବାଢିଛି ବୋଧେ ସମସ୍ତେ ଏକାଠି ଖାଇବାପାଇଁ ।ସଞ୍ଜୀବ ଆଉ ସୁଲଗ୍ନା ଡେରି ନକରି ହାତ ଗୋଡ ଧୋଇ ହେଇ ବସିଲେ ଖାଇବା ଲାଗି। ଆଜି ଏତେ ଦିନ ପରେ ସମସ୍ତେ ଖାଇବାର ମଜା ଉଠେଇ ଗପିଗପି ଖାଉଥାନ୍ତି। ସେ ପୁଣି ଦାଶରଥି ବାବୁଙ୍କ ସାମ୍ନାରେ। ନିଜେ ଦାଶରଥି ବାବୁ କଥାର ଅନେକ ଖିଅ କାଢୁଥାନ୍ତି। ଆଉ ପାଳି ଧରୁଥାନ୍ତି ସଞ୍ଜୀବ ଓ ରାଜୀବ। ସଞ୍ଜୀବ କହିଲା ବାପା ପ୍ଯାକର୍ସ ଆଣ୍ଡ ମୁଭର୍ସ ବାଲା ପଛରେ ସବୁ ଜିନିଷ ଧରି ଆସୁଛନ୍ତି। ଆଜିଠାରୁ ଆମେ ସମସ୍ତେ ଏଇଠି ମିଶିକରି ରହିବା। 

ଶୋଭା ଦେବୀ ମୁଚୁକି ହସି କହିଲେ ଦେଖିଲତ, "ରୋଷେଇଘର ର ଚାରିକାନ୍ଥ ଭିତରେ ରହିକିବି ମୋ ଛୋଟିଆ ମୁଣ୍ଡରେ କେତେ ସୁନ୍ଦର ଭାବେ ମୋ ଘରକୁ ସଜାଡି ଦେଲି "।ବତିଶ ବର୍ଷ ପରେ ପ୍ରଥମ କରି ଦାଶରଥି ବାବୁ ଶୋଭା ଦେବୀଙ୍କର ପ୍ରଶଂସା କରି କହିଲେ "ଯାହା ମୁଁ କରିପାରିନଥିଲି ଆଜି ତମେ କରିଦେଖେଇଦେଲ। ସତରେ ତମେ ହେଲ ନମ୍ବର ୱାନ ଗୃହିଣୀ। ଘର ଭିତରେ ଆନନ୍ଦ ର ଲହରୀ ଖେଳି ଯାଉଥିଲା। 


Rate this content
Log in

Similar oriya story from Drama