STORYMIRROR

Rekharani Sahu

Romance Tragedy

4  

Rekharani Sahu

Romance Tragedy

ଗୋଲାପ

ଗୋଲାପ

5 mins
188

        ଜୀବନ ଯେତେବେଳେ ସହଳ ସୁନ୍ଦର ଥାଏ, ଭାରି ମଜା ଲାଗେ ଜୀବନ ବଞ୍ଚିବା । ନୂଆ ନୂଆ ସ୍ବପ୍ନ ଦେଖିବା । ପରି ରାଇଜର ପରୀ ହେଇ ବଞ୍ଚିବା । ରଙ୍ଗ ମାଖିହେଇ ଆଖିରେ ନୂଆ ଆଶା ଭରିବା । ସେତେବେଳେ ପଳାଶ ଫୁଲ ବି ରଜନୀଗନ୍ଧା ପରି ବୋଧ ହୁଏ। ଯେପରି ଫଗୁଣରେ ପ୍ରେମର ଛିଟା ଲାଗେ । ଯେତେ କଷ୍ଟ ହେଲେ ବି ସବୁ ମିଠା ମିଠା ପରି ଲାଗେ । ଗ୍ରୀଷ୍ମ ର ଝାଞ୍ଜି ବି ମଳୟ ରେ ବହୁଥିବା ପବନ ପରି ଲାଗେ । ଆଉ ବର୍ଷା ର ଘଡ ଘଡି ବିଜୁଳି ବି ଯେମିତି ଜୀବନ ର ନୂଆ ସପନ ରେ ଯେପରି ଗଛ ରେ ପାଣି ଦେଇ ବଢ଼େଇଲା ପରି ଲାଗେ ।

        କିଛି ଏମିତି ହେଇଥିଲା ଗୋଲାପ ଜୀବନରେ । ଦନେଇ ସାହୁ ର ଗୋଟିଏ ବୋଲି ଝିଅ ଆଗକୁ ନାହିଁ କି ପଛକୁ ନାହିଁ । ଅତି ଗେଲ ବସରରେ ବଢ଼ିଛି । ଯେମିତି ସାଧବ ସାଧବାଣୀ ତଅପୋଇ କି ସୁନାର କୁଲେଇ ଚାନ୍ଦ ଦେବା କଥା ଅଛି ଠିକ୍ ସେମିତି ତାର ସବୁ ଇଚ୍ଛା ପୁରଣ କରନ୍ତି ମା ବାପା ଦୁଇ ଜଣ । ଝିଅ ଜନ୍ମ ହେଲା ଠାରୁ ବଡ ହେବା ଯାଏ ଯେ ଦୁଃଖ କଣ ଜାଣିନି । ଲୁହ କେମିତି ତା ଆଖିରେ ଆସିନି । ସେ ଅନ୍ୟକୁ କାନ୍ଦିବାର ଦେଖିଲେ ହସି ଦେଇ ବୁଝାଏ । ଦେଖିବାକୁ ଦେବୀ ପ୍ରତିମା ଭଳି । ବଡ ବଡ ଆଖି , ନାଲି ନାଲି ଓଠ । କୁଞ୍ଚ କୁଞ୍ଚ ଘନ କେଶ । ହଳଦୀ ପରି ଦେହର ରଙ୍ଗ । ଭଗବାନ ଯେମିତି ଫ୍ରି ସମୟ ରେ ବନେଇ ଚୁନେଇ ଗଢ଼ିଛନ୍ତି ତାକୁ । କଥା ବାର୍ତ୍ତା ସୁମଧୁର । କ୍ଷଣିକରେ ଅନ୍ୟର ହୃଦୟ ମୋହି ନେବ । ପାଠ ସାଠ ସବୁଥିରେ ପାରଙ୍ଗମ । ଜୋତା ସିଲେଇ ଠୁ ଆରମ୍ଭ କରି ଉଡାଜାହାଜ ପର୍ଯ୍ୟନ୍ତ ସବ ଯେମିତି ସେ କରି ପକେଇବ ସେପରି ଲାଗେ । 

        କିନ୍ତୁ ସମୟ ସବୁବେଳେ ସମାନ ନଥାଏ । ସୁଖ ପରେ ଦୁଃଖ , ଦୁଃଖ ପରେ ସୁଖ ପରି ତା ଜୀବନରେ ଘୋଟି ଆସେ ଘନ ଅନ୍ଧକାର । ଯୋଉଦିନ ସେ ନୁଆ କରି ବ୍ୟାଙ୍କ ରେ ଚାକିରି ପାଇଲା ପ୍ରୋବିସନରି ଅଫିସର ଭାବେ । ସେଇଦିନ ଠୁ ଯେମିତି ସେ ଅଭିଶପ୍ତ ପାଲଟି ଯାଇଛି ସଭିଙ୍କ ପାଇଁ । ପ୍ରଥମ ମାସ ଦରମାରେ ମା ବାପା ପାଇଁ ସବୁ ଜିନିଷ କିଣି ଆଣିଥିଲା । ଆଉ ବାକି ପଇସା ବାପା ମା ହାତରେ ଦେଇ କହିଲା ଏଇ ଦେଖ ମୁଁ ରୋଜଗାର କରିଛି । ଯେମିତି ସେଇ କଥା ରେ ତା ନିଜର ନଜର ପଡିଗଲା ପରି ଲାଗିଲା । ଆର ମାସ ତା ବାପା ଦନେଇ ସାହୁ ହୃଦଘାତରେ ଚାଲିଗଲା । ଆଉ ମା ବାପା କୁ ଝୁରି ଝୁରି ସେ ବି କିଛି ମାସ ଭିତରେ ଆରପାରି କୁ ଦନେଇ ସାହୁ ସହ ତାରା ପାଲଟି ବାକୁ ଚାଲିଗଲା । ଆଉ ବାକି ରହିଗଲା ଗୋଲାପ । ଯିଏ ଦୁଃଖ କଣ ଜାଣିନଥିଲା । ଲୁହ କଣ ଅନୁଭବ କରିନଥିଲା । ସେ ସଜିଗଲା ନିଜ ପାଇଁ ଅଭିଶପ୍ତ । 

        ତଥାପି ନିଜକୁ ସମ୍ଭାଳି ଆଗକୁ ବଢେ । ଯୌବନରେ ପ୍ରବେଶ କରେ ପ୍ରେମର ଛୁଆଁ । ମଝି ନଈରେ ଭାସି ଗଲାବେଳେ ଯେପରି କୁଟା ଖିଅ ଟେ ଆଶ୍ରା ପରି ଲାଗେ । ଠିକ୍ ସେମିତି ମନୋଜ ତା ଜୀବନରେ ପ୍ରବେଶ କରିଥିଲା । ସେ ସେଇ ବ୍ୟାଙ୍କ ର ନୂଆ ମ୍ୟାନେଜର ଭାବେ ଯୋଗ ଦେଇଥିଲା । ଗୋଲାପ ର କାର୍ଯ୍ୟ ,ବ୍ୟବହାର, ଚାଲିଚଳନ, ସୁନ୍ଦରତା ସବୁ ଦେଖି ତା ପ୍ରତି ଆକର୍ଷିତ ହେଇଥିଲା । ଧିରେ ଧିରେ ଦୁହିଁଙ୍କ ଭିତରେ ଭାବନାବ ବଢ଼ି ଚାଲିଲା । ଯେମିତି ଦୁଇ ଜଣ ଦୁଇ ଜଣଙ୍କୁ ଦଣ୍ଡେ ନଦେଖିଲେ ରହି ପାରିବେନି । କିନ୍ତୁ ମନୋଜ ସ୍ୱଭାବରେ ଭଲ ନଥିଲା । ତା'ର ଆକର୍ଷଣ କୁ ଗୋଲାପ ପ୍ରେମ ବୋଲି ଭାବି ନିଜ ଜୀବନ ଠାରୁ ଅଧିକ ଭଲ ପାଇଲା । ହେଲେ ବିହି ଯାହା ଲେଖିଛି ତାହା ଭୋଗିବାକୁ ପଡ଼ିବ । ଏବେ ନହେଲେ ତବେ ସମୟର ଦାସ ହେବାକୁ ପଡ଼ିବ । 

          ମନୋଜ ତା ସହ ଦୈହିକ ସମ୍ପର୍କ ରଖିବାକୁ ଲାଗିଲା , ମିଛ ଆଶା ରେ ବୁଡ଼େଇ ଲୁଟି ବାକୁ ଲାଗିଲା , କେବେ ଦେହର ଭୋକ ତ କେବେ ସମ୍ପତ୍ତି ର ଲାଳସା । ଧିରେ ଧିରେ ଗୋଲାପ ର ଯେତିକି ସମ୍ପତ୍ତି ଥିଲା ସବୁ ନିଜ ନାଁ ରେ କରିନେଲା । ପ୍ରେମରେ ଅନ୍ଧ ହୋଇ ଗୋଲାପ ବି ପଢୁଆ ଝିଅ ହେଇ ମଧ୍ୟ ଘୋଡା ର ଛଅ ଟା ଗୋଡ ବୋଲି ଭାବିଲା । ପ୍ରେମ ଯେପରି ତାକୁ ଅନ୍ଧୁଣି କରିଦେଇଛି । କିନ୍ତୁ ଗୋଲାପ ର ଗାଁ ରେ ଛୋଟିଆ ଫାର୍ମ ହାଉସ ଟେ ଥିଲା ଯାହା ବିଷୟରେ ମନୋଜ ଜାଣି ନଥିଲା । ସେଇ ଜାଗା ଟି ଛାଡ଼ି ସବୁ ମନୋଜ ନିଜ ନାଁ ରେ କରିନେଲା । ତାପରେ ଆରମ୍ଭ ହେଲା ଗୋଲାପ ପ୍ରତି ଆୟାଚାର । ଗୋଲାପ ଯେହେତୁ ଶାରୀରିକ,ମାନସିକ ଭାବେ ମନୋଜ ଆୟତରେ ଥିଲା । କିନ୍ତୁ ଅନ୍ଧ କୁ ଛୋଟ ବାଡି ଟିଏ ସାହା ପରି ତାକୁ ସବୁ ଜଳ ଜଳ କରି ଦେଖାଗଲା ମନୋଜ ର କାରନାମା ବ। ମନୋଜ ଆଗରୁ ବିବାହିତ, ତାର ଗୋଟେ ଛୁଆ । ସେସବୁ ସେଦିନ ମନୋଜ ଫୋନ୍ ଛାଡ଼ିଯାଇଥିବାରୁ ସେ ତା ଫୋନ୍ ରେ ଦେଖିଦେଲା । ତାକୁ ଲାଗିଲା ଯେପରି ଆକାଶଟା ତା ଉପରେ ଖସି ପଡିଲା । ସେ ଧିରେ ଧିରେ ମନୋଜ ଠୁ ଦୁରତା ରଖିବାକୁ ଚେଷ୍ଟା କଲା । ଆଉ କାହାକୁ କହିବ ବା କଣ ତା ପାଖରେ ତ ଆଉ କିଛି ନାହିଁ । କହିଲେ ପୋଲିସ୍ କୁ କଣ ଲାଭ ନିଜର ତ ସେ ସବୁ କିଛି ହରେଇ ସାରିଛି ଆଉ କଣ ଅଛି ବା ତା ପାଖରେ ଯାହା ପାଇଁ ସେ ବଞ୍ଚି ରହିବ । ସେ ଜାଗା ଛାଡ଼ି ଚାଲିଯାଏ ଗାଁ କୁ ସେଇ ଫାର୍ମ ହାଉସ କୁ । ସେଠି ଗୋଟେ ଛୋଟ ଘର ଥାଏ । ସେ ନିଜକୁ ସେଥିରେ ବନ୍ଦି କରି ରଖେ । ଛୋଟିଆ ଝରକା ରେ ବାହାରକୁ ଦେଖେ। ଆଉ ସେ ଝରକା ସବୁ ବେଳେ ବନ୍ଦ ରଖେ ।

          ବ୍ୟାଙ୍କ ରେ ତାର ଅନୁପ୍ଥିତି ପାଇଁ ନୋଟିସ୍ ଆସେ । ତାପରେ ପୋଲିସ୍ ତଦାରଖ ହୁଏ । ଗୋଲାପ ବି ମିଳେ ହେଲେ ଜୀବିତ ନୁହେଁ ମୃତ। ସେ ସେଇ ବନ୍ଦ ଝରକା ରେ ଯେମିତି ନିଜକୁ ବନ୍ଦୀ କରି ରଖିଥିଲା । କେହି ଯେପରି ତାର ପାଖ ନମାଡି ପାରନ୍ତି । କିନ୍ତୁ ସେଇ ବନ୍ଦ ଝରକା ହିଁ ତାକୁ ନ୍ୟାୟ ଦେଇଥିଲା । ଆଳୁ ଖୋଳୁ ଖୋଳୁ ମହାଦେବ ପରି ସେ ଝରକା ଭାଙ୍ଗି ପୋଲିସ୍ ସେ କୋଠରୀକୁ ଯାଇଥିଲେ କାହିଁକି ନା କବାଟ ଯାବ ପଡିଯାଇଥିଲା ଯାହା ଖୋଲିବା ସମ୍ଭବ ହେଲା ନାହିଁ । ଗୋଲାପ ତାର କାହାଣୀ ଲେଖି ଆଖି ବୁଜି ଦେଇଛି କେବେଠୁ । ମର ଶରୀର ପଡ଼ି ଦୁର୍ଗନ୍ଧ ବାହାରୁଥିଲା । ପୋଲିସ୍ କେଶ୍ ତଦାରଖ କରି ମନୋଜ କୁ ଆଜୀବନ କାରାଦଣ୍ଡ ରେ ବନ୍ଦୀ କଲା । ଆଉ ଗୋଲାପ ର ସବ ସତ୍କାର କଲା । ହେଲେ ସେ କଣ ସତରେ ନ୍ୟାୟ ପାଇଲା । ଏପଟେ ମନୋଜ ନିଜର ଦୋଷ ନିଜେ ଘୁଣି ହେଇ ହେଇ ଜେଲ୍ ରେ ପାଗଳ ହେଇଗଲା ଆଉ କିଛି ଦିନ ପରେ ନିଜେ ଜୀବନ ହାରିଦେଲା । 


ବି: ଦ୍ର: ଆଜିକାଲି ଏମିତି କେତେ ଘଟଣା ହେଉଛି । କିନ୍ତୁ ଦମ୍ଭ ଧରି ଆଗକୁ ଗଲେ , ଆଈନି ର ଆଶ୍ରୟ ନେଲେ ଉଚିତ୍ ନ୍ୟାୟ ମିଳିବ କିନ୍ତୁ ତାହା ଡେରି ହେଉଚି । ସେଥିପାଇଁ କେତେ ଜୀବନ ଗୋଲାପ ପରି ଝରକା ସେପାଖେ ବିତି ଯାଉଛି । ଆଉ ମନୋଜ ପରି କେତେ ପିଲା ଝିଅଙ୍କୁ ଉପଭୋଗ ର ବସ୍ତୁ ଭାବି ତାଙ୍କ ଜୀବନ ସହ ଖେଳୁଛନ୍ତି । ଝିଅ ଉପଭୋଗ ର ବସ୍ତୁ ନୁହେଁ ତାକୁ ଟିକେ ଭଲ ପାଇବା ଦେଲେ ସେ ସ୍ବର୍ଗ ଶାନ୍ତି ଦେବାର କ୍ଷମତା ରଖେ । ଯଦି ଲେଖନୀ ରେ କିଛି ତ୍ରୁଟି ଥାଏ ତେବେ କ୍ଷମା କରିବେ । 


Rate this content
Log in

Similar oriya story from Romance