Biswaranjan Mohanty

Abstract

3.6  

Biswaranjan Mohanty

Abstract

ଗୋବରା ର କ୍ରୋଧ

ଗୋବରା ର କ୍ରୋଧ

5 mins
408



ଗୋବରାର ଶକ୍ତ ବାହୁଦ୍ବୟ ହାତ ଟଣା ରୋଲର ର ଦଉଡ଼ିରେ ସକ୍ରିୟ ହୋଇ ଉଠିଲା l ପରମୁହୂର୍ତ୍ତରେ ନୂଆ ତିଆରି ସଡ଼କରେ ପଡ଼ୁଥିବା ଗୋଡ଼ି ଗୁଡ଼ାକୁ ଏକ ଦୁର୍ବୋଦ୍ଧ ସଙ୍ଗୀତରେ ଆଚ୍ଛନ୍ନ କରି ରୋଲର ଗଡିଚାଲିଲା ଆଗକୁ l 

ଗୋବରା ସହ ଆଉ ପାଞ୍ଚଜଣ ରୋଲର ଟାଣୁଥାନ୍ତି l ସମସ୍ତଙ୍କ ହାତର ନୀଳଶିରା ଗୁଡ଼ିକ ଫୁଲି ଉଠିଥାଏ l ଗୋଡ଼ର ପେଣ୍ଡାଗୁଡ଼ିକ ପ୍ରତି ପଦପାତରେ ସଂଚାଳିତ ହେଉଥାଏ l ଅଣ୍ଟା ର ଉପର ଅଂଶ ଷାଠିଏ ଡ଼ିଗ୍ରୀରେ ଅବନତ ହୋଇଥାଏ ଓ ହାତର ମାଂସପେଶୀ ଥାଏ ଦୃଢ଼ ଓ ସ୍ଥିର l ଗଡିଚାଲିଥାଏ ରୋଲର -ବଢ଼ିଚାଲିଥାଏ ସେଥି ସହ ମ୍ୟୁନିସିପାଲଟି ସଡ଼କର ବେଧ, ପ୍ରସ୍ଥ ଓ ଦୈର୍ଘ୍ୟ l 

ମଧ୍ୟାହ୍ନ ର ଝାଞ୍ଜି ଭଳି ସେମାନଙ୍କ ନାକପୁଡ଼ାରୁ ଉତ୍ତପ୍ତ ନିଃଶ୍ୱାସ ବହି ଚାଲିଥାଏ l ସମୟ ବାରଟା ହେବ ବୋଧ ହୁଏ l ମୁଣ୍ଡ ଉପରେ ସୂର୍ଯ୍ୟ ନିଆଁ ବର୍ଷି ଦେଉଥାନ୍ତି ଯେମିତି l ଦେହ ସିଝିଗଲା ପରି ଲାଗୁଥାଏ l ଝାଳ ପାଲଟି ଯାଇଥାଏ ଚିରସ୍ରୋତା ନଦୀଟିଏ, ତଥାପି କାମ ଚାଲିଥାଏ l ସେଇ କାମପ୍ରବଣତା ଭିତରେ ଶ୍ରମିକ ମାନେ ମଧ୍ୟାହ୍ନ କର୍ମ ବିରତି ଘଣ୍ଟାର ଶବ୍ଦ ପ୍ରତି ଉତ୍କର୍ଣ୍ଣ ହୋଇ ରହିଥାନ୍ତି l 

ପେଟି କଣ୍ଟ୍ରାକ୍ଟର ଖୁଵ ସମ୍ଭବ ତା ଘଣ୍ଟାକୁ କେଜାଣି କେତେ ମିନିଟ ପଛୁଆ କରି ଦେଇଛି l ସେ ଏମିତି ପ୍ରାୟ କରିଥାଏ l 

  ଅନ୍ୟମନସ୍କ ଗୋବରାର ଦଉଡି ଲାଇନଚ୍ୟୁତ ହୋଇଗଲା l ସଙ୍ଗୀମାନେ ପାଟିକଲେ -କିରେ ଗୋବରା !ଚମ୍ପା କଥା ଭାବୁଛୁ ନା କଣ ? ଯେମିତି ଆଉ କାହାର ସ୍ତ୍ରୀ ନାହିଁ l ଦେଖ ସେପଟେ ସରୁ ଗୋଡ଼ି ବିଛଉଥିବ l 

'ହଲେସା 'ବୋଲି ଚିତ୍କାରଟିଏ କରି ଗୋବରା ସାଥୀ ମାନଙ୍କ ସ୍ୱରକୁ ଦବେଇ ଦେବାର ଚେଷ୍ଟା କଲା -ମାତ୍ର ଏଥର ସତକୁସତ ସେ ଚମ୍ପାର ଚିନ୍ତାରେ ଆଛନ୍ନ ହୋଇଗଲା l 

ଚମ୍ପା ଏଇ ସେପଟେ ଗୋଡ଼ି ବିଛଉଥିବ l ଏ ପ୍ରଚଣ୍ଡ ଖରାରେ ତା ଦେହ ସିଝି ଯାଉଥିବ l ପେଟି କଣ୍ଟ୍ରାକ୍ଟର କାମାତୁର ଆଖି ତା ଉପରେ ନିବିଦ୍ଧ ଥିବ l ଚମ୍ପା ସୁନ୍ଦରୀ.... 

   ଏ ଶ୍ରମିକ ଦଳରେ ସେ ସବୁଠୁ ବେଶୀ ସୁନ୍ଦରୀ l ଏ ସହରରେ ତା ଭଳି ସୁନ୍ଦରୀ ନ ଥିବାର ସମ୍ଭାବନା ଯଥେଷ୍ଟ ବେଶୀ l 

 ଗୋବରାର ପେଟି କଣ୍ଟ୍ରାକ୍ଟର ରାମଶରଣ ପ୍ରତି ଅଯଥାରେ ଗୁଡ଼ାଏ କ୍ରୋଧ ସୃଷ୍ଟି ହୋଇଗଲା l ସେଇ କ୍ରୋଧ ସମ୍ଭୁତ ଉତ୍ସାହ ରେ ସେ ବେଶୀ ଜୋରରେ ରୋଲର ଭିଡି ନେଇଗଲା l 

ଢଂଗ ଢଂଗ କରି ଘଣ୍ଟା ବାଜିଲା l କାମ ବନ୍ଦ ରଖି ପାଖ ଗଛ ଛାଇରେ ସମସ୍ତେ ଏକାଠି ହେଲେ l ସକାଳେ ତମ୍ବୁ ରୁ ପୁଟୁଳା କରି ଆଣିଥିବା ପଖାଳ ଓ ଖଟା, ପିଆଜ ଦେଇ ସେମାନଙ୍କର ମଧ୍ୟାହ୍ନ ଭୋଜନ ଆରମ୍ଭ କରିଦେଲେ l 

 ଖାଇସାରି ବିଡ଼ି ଦି ଦମ ନ ଟାଣୁଣୁ ପୁଣି ଘଣ୍ଟାଟି ବାଜି ଉଠିଲା l ତରତରରେ ସମସ୍ତେ କାମ ଉପରେ ପହଞ୍ଚିଗଲେ l 

 ପୁଣି କାମ ଓ କାମ ଏବଂ କାମର ଏକ ବିରାଟ ପ୍ରବାହ l ଯଥେଷ୍ଟ ସମୟ ଉତ୍ତାରୁ ସନ୍ଧ୍ୟା ଆସିଲା, ଶ୍ରମିକମାନେ ଅସଂଲଗ୍ନ ଆଳାପ, ଗଇଁତି ଧାରରେ ଗୋଧୂଳିର ରଙ୍ଗ ଓ ରେଜା ମାନଙ୍କ ଢିଲା କାନିରେ ପୁଳାଏ ଆରାମଦାୟକ ଥଣ୍ଡା ପବନ ସହ l 

 ତମ୍ବୁ ରେ ପହଞ୍ଚି ପୂର୍ଣ୍ଣ ସ୍ନାନ ସାରି ପୁରୁଷମାନେ ଚାଲିଗଲେ ଅଦୂରରେ ଦେଶୀ ମଦ ଭାଟିକୁ l ନାରୀମାନେ ବ୍ୟସ୍ତ ରହିଲେ ରୋଷେଇ ଓ ଦୀର୍ଘକାଳ ଅବହେଳିତ ଥିବା ଶିଶୁମାନଙ୍କ ପରିଚର୍ଯ୍ୟାରେ l 

 ରାତିରେ ଜଣ ଜଣ କରି ପୁରୁଷମାନେ ଭାଟିରୁ ଫେରି ନିଜ ନିଜ ତମ୍ବୁ ରେ ଖାଇପିଇ ଶୋଇପଡିଲେ l ଆଗାମୀ ଦିନର କର୍ମ କ୍ଷମତା ପାଇଁ ନୂତନ ଶକ୍ତି ସଂଗ୍ରହ କରିବାକୁ l 

 ସେଦିନ ଯଥେଷ୍ଟ ବିଳମ୍ବ ରେ ମଦ ଭାଟିରୁ ଫେରିଲା ଗୋବରା l ଫେରନ୍ତି ବାଟରେ ସେ ଚମ୍ପା କଥା ଭାବୁଥିଲା l ଭାବୁଥିଲା ଚମ୍ପାର ସୌନ୍ଦର୍ଯ୍ୟ ଓ ସତୀତ୍ୱ ସମ୍ପର୍କରେ.... l 

ସେ ତମ୍ବୁ ର ପାଖାପାଖି ହୋଇଗଲା l ତମ୍ବୁ ଫାଙ୍କରୁ ଭିତରର ଡ଼ିବିରି ଆଲୁଅ ଦିଶୁଥାଏ ଜୁକୁଜୁକୁ ହୋଇ l ଏତେ ଡେରି ସତ୍ତ୍ୱେ ଚମ୍ପା ତାକୁ ଅପେକ୍ଷା କରିଛି, ଏଇ ଭାବନାରେ ସେ ଆହୁରି ପ୍ରଶଂସା କରି ପକେଇଲା ଚମ୍ପାକୁ l ସେ ପୁରା ଚମ୍ପାମୟ ହୋଇଗଲା l 

  ଅକସ୍ମାତ ତାକୁ ତା ଚମ୍ପାମୟ ଚେତନାରୁ ବିଚ୍ୟୁତ କରିଦେଲା l ତା ତମ୍ବୁ ଭିତରୁ ଯନ୍ତ୍ରଣାର କ୍ଷୀଣ ଚିତ୍କାର ଓ କେହି ଜଣେ ଧପାଲି ଯିବାର ପାଦ ଶବ୍ଦ l ସେ ଏକା ରାହାକେ ତମ୍ବୁ ଭିତରେ ପଶିଯାଇ ଵିଵସ୍ତ୍ରା ଚମ୍ପାକୁ ମାଟିରେ ପଡ଼ିଥିବାର ଦେଖିଲା l 

ଦୁଃଖ, କ୍ରୋଧ, ଅପାରଗତା, କ୍ଷୁଧା, ଚୂର୍ଣ୍ଣିଭୂତ ଗୌରବବୋଧ ଓ ଅଭିମାନ ଏ ସମସ୍ତ ମିଶି ତାକୁ ଅସହାୟ କରିଦେଲା l ସେ ଆଉ କଣ କରି ପକାଇଥାନ୍ତା, ମାତ୍ର ସର୍ଦ୍ଦାରର ତମ୍ବୁ ଦିଗକୁ ସେ ଅଲକ୍ଷିତରେ ଟାଣି ହୋଇଗଲା ଅବା l 

ପରଦିନ ସକାଳୁ ଶ୍ରମିକ ମାନଙ୍କର ଏକ ବୃହତ ପଟୁଆର ତମ୍ବୁ ଠାରୁ କାମ ପର୍ଯ୍ୟନ୍ତ ଯାଇ ପହଞ୍ଚିଲା l ଆଗରେ ସର୍ଦ୍ଦାର, ପଛରେ ଗୋବରା ମଝିରେ ଅନ୍ୟ ସମସ୍ତେ l 

ପେଟି କଣ୍ଟ୍ରାକ୍ଟର -ହୁଅ ବାହାର l 

ରାମଶରଣ -ମୁର୍ଦ୍ଦାବାଦ l 

ଶ୍ରମିକ ଏକତା -ଜିନ୍ଦାବାଦ l 

ଆମର ଦାବୀ -କର ପୂରଣ l 

ସବୁ ମଣିଷର -ଏକା ସମ୍ମାନ l ପ୍ରଭୃତି ଧ୍ଵନି ଦେଇ ସେମାନେ ରାସ୍ତା ଅବରୋଧ କରିଥାନ୍ତି l 

 ବିପଦର ସୂଚନା ପାଇ ପେଟି କଣ୍ଟ୍ରାକ୍ଟର କଣ୍ଟ୍ରାକ୍ଟର କୁ ଖବର ଦେଇଥାନ୍ତି l କଣ୍ଟ୍ରାକ୍ଟର ହୁସିଆର ମଣିଷ l ସେ ବିପଦର ସୂଚନା ପୋଲିସ କୁ ଦେଇ ନିଜ କାମ ପାଖରେ ପହଞ୍ଚିଲେ l 

 କଣ୍ଟ୍ରାକ୍ଟରକୁ ଦେଖି ସମାବେଶ ର ଧ୍ଵନି ଆହୁରି ତୀବ୍ର ହୋଇ ଉଠିଲା l ସେ ସର୍ଦ୍ଦାର ଙ୍କ ସହ କଣ ଆଲୋଚନା କଲେ l ସର୍ଦ୍ଦାର ର କଠୋର ମୁହଁ କ୍ରମେ ନରମ ହୋଇ ଆସିଲା -ସେ ଫେଁ କରି ହସିଦେଲା l 

କଣ୍ଟ୍ରାକ୍ଟର ଫେରିଗଲେ l 

ସର୍ଦ୍ଦାର ଶ୍ରମିକମାନଙ୍କ ଉଦ୍ଦେଶ୍ୟରେ କହିଲା -ସମସ୍ତେ ଶୁଣ ! ବାବୁ କହିଲେ ଧର୍ମଘଟ ଭାଙ୍ଗି ଦେଲେ ମଜୁରୀ ଦେଢ଼ଗୁଣ ବଢ଼ିଯିବ ଓ ଦିନକର ମଜୁରୀ ମିଠେଇଖିଆ ମିଳିବ l ଆସ ସମସ୍ତେ କାମ ଉପରକୁ l 

ଗୋବରା ଦେଖିଲା ବିରାଟ ସାପର ଶରୀର ଭଳି ଲମ୍ବିଥିବା ଶୋଭାଯାତ୍ରା ର ଗୋଟିଏ ମୁଣ୍ଡରେ ସେ ଓ ତା ପାଖରେ ଚମ୍ପା l ଅନ୍ୟ ସାଥୀ ମାନେ କାମରେ ଲାଗିଲେଣି l କିଛି ସମୟ ପୂର୍ବରୁ ଏଇଠି ଏକ ପ୍ରତିରୋଧ ପର୍ବ ଘଟିଥିଲା ତାର ସତ୍ତା ପର୍ଯ୍ୟନ୍ତ ନାହିଁ l 

  ଗୋବରା ହତାଶ ହୋଇଗଲା l କାହାକୁ ସେ କେମିତି କହିବ ତାର ଏଇ ହତାଶା ର କଥା ? କିଏ ଶୁଣିବ ? କାହାକୁ ବା ଅନ୍ୟ କିଛି ଶୁଭେ ପଇସାର କ୍ଷୀଣ ରୁଣୁଝୁଣୁ ପାଖରେ ? ସାମାନ୍ୟ ଶ୍ରମିକଟିର ସ୍ତ୍ରୀ ଧର୍ଷିତା ହୋଇଗଲା, କିଏ ଶୁଣେ ଏ କଥା ? 

  ଗୋବରାର ନିଜତ୍ବ କିନ୍ତୁ ଶୁଣିଲା l ପଚିଶ ବରଷ ର ଯୁଆନ ଟୋକା ଗୋବରାର ମଣିଷପଣିଆ ଆଉ ବେଶି କାଳ ନିଷ୍କ୍ରିୟ ରହି ପାରିଲାନାହିଁ l ତା ଆଖି ଆଗରେ ଶ୍ରମିକମାନେ ସବୁ ପାଲଟିଗଲେ ଘୁଷୁରୀ l ଘୃଣ୍ୟ, ଇତର, ଅମେଧ୍ୟ, ଭକ୍ଷୀ, ଚଞ୍ଚଳ, କୁକର୍ମୀ ଘସୁରି l ସେମାନେ ପୁଣି ପାଲଟିଗଲେ କୁକୁର l ନଳା ପାଖରେ ଅଇଁଠା ଅପେକ୍ଷାରେ ଧକୋଉଥିବା ଧେଡିଆ କୁକୁର l ସ୍ୱାର୍ଥ ପାଇଁ ଏମାନେ ଜାତି ଭାଇଙ୍କ ବେକରେ ଦାନ୍ତ ଲଗାଇ ଦିଅନ୍ତି l ମାଲିକର ପୋଷା ହୋଇଯାଆନ୍ତି l 

ଗୋବରା ଡରି ଯିବନି କିନ୍ତୁ ଅନ୍ୟାୟ ଅତ୍ୟାଚାର ବିରୋଧରେ କେହି ନ ଗଲେ ବି ସେ ଏକା ପ୍ରତିବାଦ କରିବ l ହୁଏତ ସେ ହାରିଯାଇପାରେ, ନିଃଶେଷ ହୋଇ ଯାଇପାରେ ହେଲେ...... ଆଗାମୀ ଯୁଗର ବହୁ ଗୋବରା ଙ୍କ ପାଇଁ ସେ ଏକ ନୂତନ ରାସ୍ତା ତିଆରି କରିଯିବ l 

ଗୋବରା ଆଗେଇ ଗଲା l ଆଖିରେ ତାର ପ୍ରତିହିଂସା ର ଜ୍ୱଳନ୍ତ ସ୍ପୁଲିଙ୍ଗ l ଉନ୍ମତ୍ତ ସିଂହର କେଶର ପରି ତାର ମାଂସପେଶୀ ଗୁଡାକ ଶକ୍ତ ହୋଇଯାଇଛନ୍ତି l ରକ୍ତରେ ଉଷ୍ମତା l ହୁଏତ ରାମଶରଣ ପରି ଅନେକ ରାମଶରଣ ଜଳି ପାଉଁଶ ହୋଇଯିବେ l ତାଙ୍କର ଅହମିକା ଜଳିଯିବ l 

ରାମଶରଣ ଟିକିଏ ଆଶ୍ୱାସନା ସଂଗ୍ରହ କରି ସାରିଥାଏ l କୁଲି ଗୁଡ଼ାକ ଯେ ଯାହା କାମରେ ଲାଗିଗଲେଣି l ଟିକିଏ ଦୂରରେ ଚମ୍ପା ଆଉ ଗୋବରା l ବ୍ୟଙ୍ଗାତ୍ମକ ଚାହାଣୀରେ ଥରେ ଆଖି ବୁଲାଇ ତାତ୍ସଲ୍ୟଭରା ହସ ହସିଦେଲା ରାମଶରଣ l 

 ଗୋବରାର ରକ୍ତ ଜଳି ଉଠିଲା l ତାର ବଳିଷ୍ଠ ପୌରୁଷ ଚିତ୍କାର କରି ଉଠିଲା l ସେ ଏକା ଲମ୍ଫକେ ରାମଶରଣ ର ତଣ୍ଟି ଚିପି ଧରିଲା l ଗୋବରା ଉପଲବ୍ଧି କଲା ସମାଜର ଶତ୍ରୁ ମାଆ, ଭଉଣୀ ର ଇଜ୍ଜତ ଲୁଣ୍ଠନକାରୀ ଶତ ଶତ ରାମଶରଣ ଯେପରି ତାର ହାତ ମୁଠାରେ ଛଟପଟ ହେଉଛନ୍ତି l ଉତ୍ସାହିତ ହୋଇ ଖୁଵ ଜୋରରେ ତଣ୍ଟି ଚିପିଦେଲା l 

ରାମଶରଣ ର ଶରୀରଟା ଛଟପଟ ହୋଇ ପାଣ୍ଡୁର ହୋଇ ଆସୁଥିଲା l ଆଉ ଠିକ ଯେତିକିବେଳେ ପୋଲିସ ର ଲାଠି ଗୋବରାର ମୁଣ୍ଡରେ ସ୍ଥାନ ନେଇଥାଏ l ସେତେବେଳକୁ ରାମଶରଣ ଆଉ ଏକ ରାଜ୍ୟର ଅତିଥି ହୋଇ ସାରିଥାଏ l 

ଗୋବରା ହାତରେ ଶୃଙ୍ଖଳ, ମୁହଁରେ ତୃପ୍ତି ର ହସ !

ସେ ସବୁବେଳେ ହାରି ହାରି ଆଜି ଜିତି ଯାଇଛି !

ସେ ଯାବତ ଚିତ୍ର ପ୍ରତିମା ପରି ସବୁ ଦୃଶ୍ୟ ଦେଖି ଯାଉଥିବା ଚମ୍ପା ଅକସ୍ମାତ କାନ୍ଦି ଉଠିଲା l 


      


Rate this content
Log in

Similar oriya story from Abstract