Biswaranjan Mohanty

Others

5  

Biswaranjan Mohanty

Others

ମରୁଆ

ମରୁଆ

4 mins
377



ଦେହଟି ଶୁଖିଲା, ମୁହଁ ଜାଲବୁଣା, ହାତ ଶିରାଳ, ଆଖି କୋରଡ଼ିଆ l ପିନ୍ଧିଛି ଛିଣ୍ଡା ଦର ମଇଳା ଶାଢ଼ିଟିଏ l ବୟସ ସହିତ ଉପବାସ ତାକୁ ରୋଗୀଣା କରିଦେଇଛି l ନାରୀଟିଏର ଏଇ ଆକୃତି ଭିତରେ କେବଳ ପେଜୁଆ ଦୁଇଟି ଉଦାସ ଆଖି ତାକୁ ଆଉଥରେ ଚାହିଁ ଦେବାର ଅବକାଶ ସୃଷ୍ଟି କରିଥାଏ l ସେ ଚାଲେ ଦୌଡ଼ିଲା ପରି l ପବନରେ ଶୁଖିଲା ପତ୍ରଟିଏ ମାଟିରେ ଏଠି ସେଠି ପଡ଼ି ଉଠି ଉଡ଼ିଗଲା ପରି... l 

  ମରୁଆ ଏତିକି ମାତ୍ର ତା'ର ନାଆଁ l ତାକୁ ସମସ୍ତେ ଏଇ ନାଆଁ ସହିତ ନିଜଆଡ଼ୁ ସମ୍ପର୍କ ଯୋଡ଼ି ଡାକିଥାନ୍ତି ମରୁଆ ନାନୀ, ମରୁଆ ଅପା, କିଏ ଡାକନ୍ତି ମରୁଆ ମାଉସୀ... l ସେ ସବୁ ପୁରୁଷଙ୍କୁ ହେଇଟି ବାପା ଓ ସବୁ ମହିଳାଙ୍କୁ ହେଇଟି ମାଆ ବୋଲି ସମ୍ବୋଧନ କରେ l 

ମରୁଆର ଅତୀତ ଥିଲା ଶ୍ୟାମଳ, ଏବେ ତାହା ଧୂସର ହୋଇଗଲାଣି l ବର୍ତ୍ତମାନ ମରୁକାନ୍ତାରେ... ଭବିଷ୍ୟତ ଗାଢ଼ ଅନ୍ଧକାର.... l 

ତଥାପି ସେ ଥିଲାବାଲା ଠାରୁ ମୂଲ ନ ପାଇ ବାହୁଡ଼ି ଆସିଲା ବେଳେ ମନକୁ ବୁଝେଇ ଦେଇ କୁହେ -ହଁ ବା ଗିନାଏ ପଖାଳ ଅଛି ତ !ସେ ପୁଅ କଣ ମୂଲ ବୁଡ଼େଇବ ? 

ତଥାପି ସେ ନଥିଲାଵାଲାର ଲୋଡ଼ା ପଡିଲେ ମୂଲ ହୁଡ଼ି ତାକୁ ସାହାଯ୍ୟ କରିବାକୁ ଯାଏ l ସିଏ କୃତଜ୍ଞତା ଦେଖେଇ ପଖାଳ କି ଭୁଜା ଗଣ୍ଡେ ଯାଚିଲେ ମରୁଆ କୁହେ -ଯା ବା ତୋ ପେଟରେ ପଛେ ମାଙ୍କଡ ନାଚ କରୁଥାଉ, ଦାତା ହରିଶ୍ଚନ୍ଦ୍ର ହଉଛୁ l ମୁଁ ଘରଠି କଣ ଦିଟା ପାଟିରେ ପକେଇ ଦେବି l ତୁ ଥାଆ.... l 

ଅସ୍ତ ସୂର୍ଯ୍ୟଙ୍କୁ ପ୍ରଣାମ କରିସାରି ରାତିକୁ ସଞ୍ଜ ଦୀପରେ ବନ୍ଦେଇ ସେ କହେ –ମା-ପୁରୁ ! ଭଲରେ ଭଲରେ ଦିନଟା କଟେଇଦେଲ l 

ତିରିଶ ବର୍ଷ ତଳେ ଗେରସ୍ତ ଥିଲେ l ହୃଦାନନ୍ଦ l ସେ ଥିଲା ଗୋପାଳ ହୃଦାନନ୍ଦଙ୍କର ନୂଆ ବାହା ତିରିଲା l ମରାଳୀ l ମରାଳୀ ସାରାଦିନ ତନ୍ତିଘର କଣ୍ଡାପରି ଘୁରିବୁଲି ଘର, ତୁଠ, ଗୋଠ ସମ୍ଭାଳୁଥିଲା l ତା ହାତରନ୍ଧା ଭଲ ବୋଲି ବଡ଼ ଯାଆ ହାଣ୍ଡିଶାଳ ମାଡ଼ୁନଥିଲେ l ତାକୁ ଗାଇ ଗୋରୁ ଭଲ ପାଆନ୍ତି ବୋଲି ଯାଆ ଗୋଠ ଆଡ଼େ ଚାହୁଁନଥିଲେ l ହୃଦାନନ୍ଦ ତା ଠାରୁ ପରମାନନ୍ଦ ପାଇଥିଲେ l ବାର ବରଷରେ ଛଅଟି ଝିଅ ମାଟି ଛୁଇଁଥିଲେ l 

ଗୋପାଳେ ସାତଟି କନ୍ୟାଦାନର ସ୍ୱପ୍ନ ପୁରା କରି ନପାରି ଚାଲିଯାଇଥିଲେ l ତାଙ୍କ ସହିତ ଘରର ଏକତା, ନିଜ ଅଂଶର ବିଲ ବାଡ଼ି ଗହଣା ଗାଣ୍ଠି, ଗଛ ମାଛ ଯାନ ଆସନ ସବୁ ଚାଲିଗଲା l 

ଭଲମନ୍ଦ ହୋଇ ଛଅଟି ଯାକ ଝିଅ କୋଉଠି ଦାଣ୍ଡ ବାହା କୋଉଠି ଦୁଆର ବାହା ହୋଇଗଲେ l ତାଙ୍କ ଚଉଠି ଚାନ୍ଦ ଠାରୁ ପିଲାପିଲିଙ୍କ ଏକୋଇଶା, ଜନ୍ମଦିନ ପର୍ଯ୍ୟନ୍ତ ସବୁ ଉତ୍ସବ ସମ୍ଭାଳୁ ସମ୍ଭାଳୁ ସେ ମରାଳୀ ଦେଈରୁ ମରାଳୀ ଦିବ୍ୟା ଶେଷକୁ ମରୁଆ ବେୱା ପାଲଟି ଗାଇ ଗୋଟିଏର ସଂସାର ନେଇ ଏକୁଟିଆ ହୋଇ ପଡିଥାଏ l ଗୋଟିଏ ବଖରା ଘରେ ଗାଈ ବାଛୁରୀ ସହିତ ସେ ରହେ l 

ଏବେ ମରୁଆ ସକାଳୁ ଉଠି ନିତ୍ୟକର୍ମ ସାରି ଗୁହାଳ ପୋଛେ, ଘର ପରିଷ୍କାର କରେ l ଦାଣ୍ଡରେ ସରକାରୀ ରାସ୍ତା କଡ଼ରେ ଗାଈ ବାନ୍ଧେ l ମୁହାଁଏ, ଦୁହେଁ l ମାଇଲିଏ ବାଟରେ ନାଗୁଆ କ୍ଷୀର ପହଞ୍ଚାଏ l ବାଟରୁ ଘାସ ସଂଗ୍ରହ କରିଆଣେ l ଗାଆଁ ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ କରେ l ଦି ପହରେ ଗାଈଗୋଠ ନେଇ ପଡ଼ିଆକୁ ଯାଉ ଯାଉ ସାଙ୍ଗରେ ଗାଆଁର ଆଉ କେଇଟା ଗାଈ ଅଡ଼େଇ ନିଏ l ଗୋଠରେ ଗୋବର ଗୋଟାଏ, ଜାଳ ସାଉଁଟି ଆଣେ l ସଞ୍ଜ ହୋଇ ଆସିଲେ ଘରକୁ ଫେରେ l ଗାଈ ଦୁହିଁ ସାରି ରୋଷେଇ କରେ l ସକାଳ ପାଇଁ ପଖାଳ ଯୋଗାଡ଼ କରେ ଖାଇପିଇ ସୋଇପଡ଼େ l 

କେବେ କେବେ ପଡିଶା ଘରୁ କିଛି ସାହାଯ୍ୟର ବରାଦ ଆସିଲେ ସେଠି ଟିଭିରୁ ସମାଚାର ଶୁଣେ, ପୌରାଣିକ ଧାରାବାହିକ ଦେଖେ l ଏଭଳି କେତୋଟି ବ୍ୟତିକ୍ରାନ୍ତ ଦିନ ବାଦ ଦେଲେ ମରୁଆ ବୁଢ଼ୀ ସ୍ୱୟଂ ଋତୁ ପାଗ ମାସ ନିର୍ବିଶେଷରେ ଅବିଶ୍ରାନ୍ତ କାମରେ ଲାଗିଥିବା ଦୃଶ୍ୟଟିଏ ପାଲଟି ଯାଇଥାଏ l 

ସେଦିନ ମରୁଆ ଗାଆଁ ସ୍କୁଲ ଶିକ୍ଷକଙ୍କ ହାତରେ ଗୋଟିଏ ପୁଟୁଳି ଧରେଇ ଦେଇ ନେହୁରା ହୋଇ କହିଥିଲା -ହେଇଟି ପୁଅ, ମନେକରି ଏଇ ଟଙ୍କା କେଇଟା ଯୁଧୁକୁ ବଟେଇଦେବ l ମୁଁ ମାଇପି ନୋକ, ଜାଣେ କଣ ? ତମେ ମାଷ୍ଟର ପୁଅ, ଚାରିଚଛୁଆ ମରଦ ମଣିଷ l ମୋ ବାପଟା ପରା, ବଟେଇଦେବ l 

ଶିକ୍ଷକ ପୁଟୁଳି ଖୋଲି ଦେଖିଲେ -ଚାରିଟା ପଚାଶ ଟଙ୍କା, ଗୋଟିଏ ଦଶ ଟଙ୍କିଆ ନୋଟ ମୁଠାଏ ହେବ ଚାରଣି, ଆଣ୍ଠେଣି, ଟଙ୍କିକିଆ.. ତା ସହିତ ଗୋଟିଏ ନାକ ଗୁଣା l 

ମରୁଆ ବୁଢ଼ୀ ତାର ସମସ୍ତ ସଞ୍ଚୟ ନିଃଶେଷ କରିଦେଇଥିଲା l 

ଶିକ୍ଷକ ଜାଣନ୍ତି -ସ୍କୁଲ ପିଲାଙ୍କ ରୋଷେଇ କରୁଥିବା ସତ୍ତ୍ୱେ ପିଲାଙ୍କ ରୋଷେଇରେ ଖାଉନଥିବା ଏଇ ବୁଢ଼ୀ ଜଣେ ନିଆରା ମଣିଷ l ସେ ତାର ଧନକୁ ବର୍ତ୍ତମାନର ମୁଦ୍ରାରେ ବଦଳାଇ ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପଠେଇ ଦେବାକୁ ନିଷ୍ପତ୍ତି ନେଲେ l 

ସେତେବେଳେ କାର୍ଗିଲ କ୍ଷେତ୍ରରେ ଘମାଘୋଟ ଲଢ଼େଇର ଦିନ l ନାନା ପ୍ରକାର ରିଲିଫ ସହାୟତା ପାଇଁ ଆକାଶବାଣୀ ଦୂରଦର୍ଶନ ଜରିଆରେ ଜନତାକୁ ଅନୁରୋଧ କରାଯାଉଥାଏ l 

କେବେ ଦିନେ ମରୁଆ ବୁଢ଼ୀର କାନରେ ସମାଚାର ପଡିଥିଲା l ସେ ଲୋକଙ୍କ କଥାରୁ ଜାଣିଥିଲା ଦେଶ ସୀମାରେ ଆମ ସୈନିକମାନେ ମରଣପଣ କରି ଲଢ଼ୁଛନ୍ତି l ସେମାନଙ୍କୁ ସାହାଯ୍ୟ ଦରକାର l ସେ ସେଇଥିରେ ଉଦବୁଦ୍ଧ ହୋଇଥିଲା l ହୃଦାନନ୍ଦଙ୍କ ଜୀବନ ଭରି ସଞ୍ଚୟ ଈଶାଣ କଣରେ ବାଉଁଶ ନଳୀଟିଏରେ ପୋତି ଦେଇଥିଲା l ତାହାକୁ ଛଅ ଝିଅ ଙ୍କ ବାହାଘର ନିଜ ବ୍ୟାଧୀରେ ସୁଦ୍ଧା କେବେ ଆଖି ପକେଇ ନଥିଲା l ତାହାକୁ ସେ ଦେଶ ରକ୍ଷା ପାଇଁ କାଢ଼ି ଦେଇଥିଲା l 

ସ୍କୁଲ ବାରଣ୍ଡାରେ ପଇଁତରା ମାରୁଥିବା ପଞ୍ଚମ ଶ୍ରେଣୀ ଛାତ୍ର ସତ୍ୟଜିତ ଏକଥା ଶୁଣୁଥିଲା l ସତ୍ୟଜିତ ଡିଆଁଟିଏ ମାରି ନଳବନ୍ଧରେ ଚାଲିଯାଉଥିବା ମରୁଆ ବୁଢ଼ୀ ପାଖରେ ପହଞ୍ଚି ପଚାରିଲା -ତୁ କାହିଁକି ଏତେ ଟଙ୍କା ଦେଇଦେଲୁ ? ଭାରତ ସାରା ଏତେ ଲୋକ, ସେମାନେ ଦେବେନି ? ତୁ ପରା ଖାଇବାକୁ ପାଉନୁ ମାଉସୀ ? 

ଚଗଲା ସତ୍ୟଜିତର ପ୍ରଶ୍ନରେ ମରୁଆ କିଛି ପ୍ରତିକ୍ରିୟା ପ୍ରକାଶ କଲାନାହିଁ l କହିଲା - ଧନରେ ! ସେମାନେ ସେଠି ଜୀବନକୁ ବାଜି ନଗେଇ ଲଢେଇ କରୁଛନ୍ତି ବୋଲି ଆମେ ତମେ ଏଠି ରାତିରେ ନିଶ୍ଚିନ୍ତରେ ଶୋଉଛେ ସିନା !!କେଯା ବା ଟଙ୍କା, ନାଗୁ ତାଙ୍କରି କାମରେ ? 

ଶେଷ ଆଡକୁ ମରୁଆର କଣ୍ଠ ଭାରି ହୋଇଯାଇଥିଲା କିମ୍ବା ସତ୍ୟଜିତକୁ ସେମିତି ଶୁଭିଲା l 



Rate this content
Log in