ଭିନ୍ନ ଏକ ମଣିଷ
ଭିନ୍ନ ଏକ ମଣିଷ
ଦୀନବନ୍ଧୁ ଓ ବାଉରୀବନ୍ଧୁ ଦୁଇଭାଇ, ସେମାନଙ୍କ ମାଆ ଛୋଟବେଳୁ ଚାଲିଯାଇଥିଲେ l ବାପାଙ୍କ ନିୟମ କାନୁନରେ ଅନୁପ୍ରାଣିତ ହୋଇ ବଢ଼ିଥିଲେ ଦୁଇଭାଇ l ପିଲାମାନେ ବଡ଼ ହେଲାପରେ ବାପା ବି ଆରପାରିକୁ ଚାଲିଗଲେ l ବଡ଼ଭାଇ ବାଉରୀବନ୍ଧୁ ବଡ଼ ହୋଇ କଟକରେ ସରକାରୀ ଚାକିରୀ କରନ୍ତି l ସାନଭାଇ ଦୀନବନ୍ଧୁ ଗାଁରେ ରହି ଏକ ପ୍ରକାର ଦାଦାଗିରି କରନ୍ତି l କାରଣ ତାଙ୍କ ପାଖରେ ଆକଟ କରିବାପାଇଁ କେହି ନଥାନ୍ତି l ସେହି ସମୟରେ ତାଙ୍କ ବିବାହ ମାଧବୀଙ୍କ ସହ କରିଦିଆଯାଏ l କାନ୍ଧରେ ଦାୟିତ୍ୱ ପଡିଲେ ମଣିଷ ଏକ ପ୍ରକାର ପରିବର୍ତ୍ତନ ହୋଇଯାଏ l ଠିକ ଯେମିତି ଦୀନବନ୍ଧୁ........
ଦୀନବନ୍ଧୁ ମହାନ୍ତି, ବୟସ ପାଖାପାଖି ପଈତିରିଶ କି ଚାଳିଶ ହେବ l ନିଜ ଗାଁ ଜଗତସିଂହପୁର, କିନ୍ତୁ ସମ୍ବଲପୁରରେ ରୁହନ୍ତି l ପରିବାର କହିଲେ ସ୍ତ୍ରୀ ମାଧବୀ, ଦୁଇ ପୁଅ ଓ ଗୋଟେ ଝିଅକୁ ମିଶେଇ ପାଞ୍ଚ ପ୍ରାଣୀ l ଲକ୍ଷ୍ମୀଟକିଜ ଛକ ଭୋର ଚାରିଟା ହେଲେ କୋଳାହଳ ପୂର୍ଣ୍ଣ ହୋଇଯାଏ l ସବୁ ଜିଲ୍ଲାରୁ ବସ ସବୁ ଯାତାୟାତ କରନ୍ତି, ସମସ୍ତେ ପ୍ରାୟ ବିଭିନ୍ନ କାମ ପାଇଁ ଚଳ ଚଞ୍ଚଳ ହୋଇ ଉଠନ୍ତି l ଲକ୍ଷ୍ମୀ ଟକିଜ ଛକରେ ଦୀନବନ୍ଧୁ ଙ୍କର ଗୋଟେ ଛୋଟ ପାନ ଦୋକାନ ଟେ ଥାଏ l ଛୋଟ ଦୋକାନ ହେଲେ କଣ ହେଲା ବିଭିନ୍ନ ରକମର ପାନ ଭାଙ୍ଗିବାରେ ଵେଶ ପାରଙ୍ଗମ ଥିଲେ ଦୀନବନ୍ଧୁ l ଦିନୁ ଭାଇ ବନାରସ ପାନଵାଲା ନାଁ ରେ ବେଶ ଜଣାଶୁଣା l ଏମିତି ଦୀନବନ୍ଧୁ ଙ୍କର ଵେଶ ସୁରୁଖୁରୁରେ ସଂସାର ଚାଲେ lପରିବାରରେ ସମସ୍ତେ ଖୁସୀରେ ରୁହନ୍ତି l କିନ୍ତୁ ଦିନେ ଏମିତି ଏକ ଝଡ଼ ଆସି ଦୀନବନ୍ଧୁ ଙ୍କ ଜୀବନକୁ ଧ୍ବଂସ ବିଧ୍ୱସ୍ତ କରିଦେବ କେହି କଳ୍ପନା ବି କରି ନଥିଲେ l
ହଠାତ ମଙ୍ଗଳବାର ଭୋରୁ ଦୋକାନ ଖୋଲିବା ପାଇଁ ଆସି ଦେଖିଲେ ଦୋକାନରେ ନିଆଁ ଲାଗି ଯାଇଛି l କେହି ଖଳଲୋକ ଏହିପରି କରି ଥାଇପାରନ୍ତି ବୋଲି ଆଲୋଚନା ହେଉଥାଏ l ଦୀନବନ୍ଧୁଙ୍କର ଧର୍ଯ୍ୟ ନଥାଏ l ସେ କାନ୍ଦି କାନ୍ଦି ଭୂମିରେ ଲୋଟି ପଡୁଥାନ୍ତି l କାରଣ ମଧ୍ୟବିତ୍ତ ହେବା ଭାରି କଷ୍ଟ l ମଣିଷ ପାଖରେ ବଡ଼ଲୋକ ହେବା ସହଜ, ଗରିବ ହେବା ଅତି ସହଜ କିନ୍ତୁ ଗୋଟେ ମଧ୍ୟବିତ୍ତ ହୋଇ ବଞ୍ଚିବା ଭାରି କଷ୍ଟ ଦାୟକ l
ମାଧବୀଙ୍କ ଗହଣାଗାଣ୍ଠି ସବୁ ବନ୍ଧା ପକେଇ ଦୋକାନ ଟି ଛିଡ଼ା କରିଥିଲେ l ଦୋକାନ ଟି ଚାଲିଗଲା ପରେ ଏବେ ଭାଳେନି ପଡିଗଲା ଦୀନବନ୍ଧୁ ଓ ମାଧବୀଙ୍କର, ତା ସାଙ୍ଗରେ ପିଲାଙ୍କ ପାଠପଢା ସାଙ୍ଗକୁ ଘର ଖର୍ଚ୍ଚ l
ମାଧବୀ ଦୀନବନ୍ଧୁ ଙ୍କୁ କହିଲେ -ଶୁଣୁଛ ମୁଁ ଗୋଟେ କଥା ଚିନ୍ତା କରିଛି ଯଦି କିଛି ନ ଭାବିବ ତାହେଲେ କହିଥାନ୍ତି.....
ଦୀନବନ୍ଧୁ କହିଲେ -ହଁ କଣ କୁହ କଣ କହିବାକୁ ଚାହୁଁଚ ?
ମାଧବୀ -ଆମେ ଦୁହେଁ ଯଦି କିଛି କାମ କରନ୍ତେ ଆମ ପରିସ୍ଥିତି ସୁଧୁରି ଯାଆନ୍ତା... ନା କଣ କହୁଛ
ଦୀନବନ୍ଧୁ -ଟିକେ ଦୀର୍ଘନିଶ୍ବାସ ପକେଇଲେ କହିଲେ ତୁମେ କାମ କରିବ ପୁଣି... ଯାଇ ବାହାରେ ନା ଥାଉ... ତା ଆରଦିନ ସକାଳେ ଦୀନବନ୍ଧୁ ନିତ୍ୟକର୍ମ ସାରି କାମକୁ ବାହାରିଗଲେ l ଠିକାଦାର ପାଖକୁ ଠିକା କାମରେ....
ଦିନମଜୁରିଆ ଭାବରେ କାମ ଆରମ୍ଭ କଲେ l କେତେବେଳେ କାମ ମିଳିଲେ କରନ୍ତି ନହେଲେ ବସି ରୁହନ୍ତି l ଦୀନବନ୍ଧୁଙ୍କର ବଡ଼ ପୁଅକୁ ବୟସ ପାଖାପାଖି ବାର ତେର ବର୍ଷ ହେବ l ନାଁ ତାର ଶୁଭଙ୍କର, ତାକୁ ଭାରି ଶ୍ରଦ୍ଧାରେ ଶୁଭ ବୋଲି ଡାକନ୍ତି l ପୁଅକୁ ଏକ ଭଲ ମଣିଷ କରିବା ଆଶାରେ ତାର ସବୁ ଅଭାବ ପୂରଣ କରନ୍ତି l ବାପା ତାର ଦିନମଜୁରିଆ ବୋଲି ଶୁଭ ତାର ବାପାଙ୍କ ଉପରେ କେତେବେଳେ ରାଗେ ତ କେତେବେଳେ ବସି ଭାବେ ବାପା ତା ପାଇଁ କେତେ କଷ୍ଟ କରୁଛନ୍ତି l ବେଳେବେଳେ ତା ଆଖିରୁ ଲୁହ ଧାର ବୋହିଯାଏ l କିନ୍ତୁ ଶୁଭ ତାର ସାଙ୍ଗ ମାନଙ୍କୁ ମଉଜ ମଜଲିସ କରିବାର ଦେଖି ତାର ବି ଇଛା ହୁଏ l କଣ ବା କରିବ ସେ ବେଳେବେଳେ ମାଆ ମାଧବୀଙ୍କ ନିକଟରେ ଅଝଟ କରେ l ମାଧବୀ ବାପା ଦୀନବନ୍ଧୁ ଙ୍କୁ କହି କିଛି ପଇସାର ବନ୍ଦବୋସ୍ତ କରି ଦିଅନ୍ତି l କିନ୍ତୁ କେଜାଣି କାହିଁକି ତାକୁ ସାଙ୍ଗ ମାନଙ୍କ ସହିତ ପାର୍ଟି ମଉଜ ମସ୍ତି କରିବାକୁ ଇଛା ହୁଏନି l ସାଙ୍ଗ ମାନଙ୍କ କଥା ରଖି ସାମିଲ ହୁଏ ସତ କିନ୍ତୁ ତା ଆଖି ଆଗରେ ନାଚିଯାଏ ବାପାଙ୍କ ସେହି ଦୁଖଃଦ ମୁହଁ !!ଏହି ଟଙ୍କା ପାଇଁ ବାପା ତାର କେତେ ଖରା, ବର୍ଷା, ଶୀତ, କାକର ସହି ଝାଳ ବୁହାଇ ଖଟୁଛନ୍ତି l କିନ୍ତୁ ସେ ପଇସାକୁ ସେ ଆଣି ଏମିତି ନଷ୍ଟ କରୁଛି l ଏମିତି ଅନେକ ଭାବନା ଆସେ ଶୁଭ ମନକୁ......
ବାପା ତାକୁ ଅନେକ ଥର ପାଠ ପଢା ପାଖରେ ମୁଣ୍ଡକୁ ଆଉଁସି ଦେଇ ବୁଝାନ୍ତି... ତୁ ମନ ଦେଇ ପାଠ ପଢ଼ିବୁ.... ଭଲ ମଣିଷ ହେବୁ... ଭଲ ଚାକିରୀ କରିବୁ... ଏମିତି ମୋ ପରି ଦୁଃଖ କଷ୍ଟରେ ରହିବୁନି l ସଦା ସର୍ବଦା ଗୋଟେ କଥା ମନେ ରଖିବୁ ଧନ.......
ଜଣେ ମଧ୍ୟବିତ୍ତ ହୋଇ ଜନ୍ମ ନେବା ଭୁଲ ହୋଇ ନପାରେ କିନ୍ତୁ ସେହି ମଧ୍ୟବିତ୍ତ ଅବସ୍ଥାରେ ଜୀବନ ବିତେଇବା ଆଉ କେବଳ ଗରିବ ହୋଇ ମରିବା ତାର ହିଁ ଭୁଲ l ତେଣୁ ସବୁବେଳେ ଚେଷ୍ଟା ଜାରି ରଖିବୁ ସଫଳତା ଦିନେ ନା ଦିନେ ଆସିବ l କର୍ମ କରିଚାଲ ଫଳକୁ ଆଶା ରଖନାହିଁ, ଫଳ ଆପେଆପେ ଆସିବ l କୌଣସି କାର୍ଯ୍ୟ କରିବା ପୂର୍ବରୁ କେବେ ହାର ମାନିବାନି l କାହିଁକିନା ଚେଷ୍ଟା ନ କରିବା ଅପେକ୍ଷା ଚେଷ୍ଟା କରି ବିଫଳ ହେବା ଅନେକ ଗୁଣରେ ଭଲ l ମଣିଷ ଭୁଲରୁ ହିଁ ଶିକ୍ଷା ପାଇଥାଏ l ବିଫଳତା ହିଁ ସଫଳତା ର ମାର୍ଗ ଦର୍ଶକ... l ନିଜକୁ କେବେ ଛୋଟ ଭାବିବୁନି l ମଣିଷ ଛୋଟରୁ ହିଁ ବଡ଼ ହୋଇଥାଏ l ଜଣେ ଦିନ ମଜୁରିଆ ର ପୁଅ ବୋଲି କେବେ ଭାଙ୍ଗି ପଡ଼ି଼ବୁନି l ତୁ ଚେଷ୍ଟା କଲେ ଦିନେ ତୋ ପାଖରେ ବି କେତେ ମଜୁରିଆ କାମ କରିବେ l ବାପାଙ୍କର ଏହି ମହତ ବାଣୀ ଗୁଡ଼ିକ ବହୁତ ପ୍ରୋତ୍ସାହନ ଯୋଗାଉ ଥାଏ l ଏମିତି ଏକ ବାପାର ସନ୍ତାନ ହୋଇ ବହୁତ ଗର୍ବ ଅନୁଭବ କରୁଥାଏ ଶୁଭ....... l