Biswaranjan Mohanty

Abstract Classics

4  

Biswaranjan Mohanty

Abstract Classics

ଶିଳ୍ପୀ

ଶିଳ୍ପୀ

4 mins
251



ତୁମେ 'ଧରମା 'ର ଗଳ୍ପ ଜାଣିଛ ? 

ହଁ ସେଇତ ଯିଏ ବାଳକଶିଳ୍ପୀ ଭାବରେ କୋଣାର୍କ ର ଚୁଳି ମାରିଥିଲା ! ଲଳିତଗିରିର ସ୍ତର ସ୍ତର ବସତିର ଗୋଟିଏ ଛାୟାଚ୍ଛନ୍ନ ଚଉତରାରେ ବସି ଦୁଇଜଣ ଶିକ୍ଷାର୍ଥୀ କାରିଗର ଏହିକଥା ପକାଇଥିଲେ l 

ଉଭୟ ଥିଲେ ସମ ବୟସ୍କ l ଜଣେ ଗୌର ଅନ୍ୟ ଜଣେ ଶ୍ୟାମଳ l ଜଣେ ସ୍ଥୁଳ ଅନ୍ୟଜଣେ ଦୀର୍ଘ l ଉଭୟ ସ୍ଥପତି ଗୌରଚନ୍ଦ୍ରଙ୍କ କର୍ମଶାଳା ର ଶିକ୍ଷାନବୀଶ ଓ ନବାଗନ୍ତୁକ l 

ସେମାନେ ନିହାଣ ଓ ମୁଗୁର ଧରି ଶିଳାଖଣ୍ଡ ଉପରେ ଆଘାତର ତାରତମ୍ୟ ଓ ତାହାର ଫଳାଫଳ ମାତ୍ର ଶିଖୁଥିଲେ l କିନ୍ତୁ ଦୁହିଁଙ୍କ ମନ ଭିତରେ କିଶୋର ଶିଳ୍ପୀ ଧର୍ମପଦ ର ଅଭୂତ କୁଶଳତା ବସା ବାନ୍ଧିଥିଲା l 

ଦୁହେଁ ଧର୍ମପଦ ପରି ବାଳୁତ କାଳରେ ନିଜପାଇଁ ଅକ୍ଷୟ ଯଶ ର ସ୍ବପ୍ନ ଦେଖିବା ଆରମ୍ଭ କରିଦେଇଥିଲେ l 

ପ୍ରଥମ ଜଣକ କହିଲା -ନା ସେ ଧର୍ମପଦ ନୁହେଁ ମୁଁ ଧରମା କଥା କହୁଛି l ଯେଉଁ ପିଲାଟି ବାପାକୁ ଚିହ୍ନିବ ବୋଲି ବାଡ଼ି ବରକୋଳି ଆଉ ଘର କୁକୁରକୁ ସାଙ୍ଗରେ ନେଇ ଘରଛାଡ଼ି କେଜାଣି କେତେବାଟ ଚାଲି ଯାଇଥିଲା l 

ହଁ, ମୁଁ ପରା ତାରି କଥା କହୁଛି ଯିଏ ଖଡ଼ି ଗୋଟାଳି ଗଡିଗଲାରୁ ସାଙ୍ଗମାନଙ୍କ ଠାରୁ ଅଣବାପୁଆ ପରିହାସ ଶୁଣିଥିଲା l 

ଶୁଣିବ ! ମହାରଣା ସାହିର ଚାଟଶାଳୀରେ ସେଦିନ ଅବଧାନ ନଥାନ୍ତି l ପିଲାମାନେ ବସ୍ତାନୀ ଛାଡ଼ି ଅଗଣାରେ ଧାଁ ଧପଡ଼ କରୁଥାନ୍ତି l ଗୋଟିଏ ପିଲାର ଖୋସଣୀରୁ ଖଡ଼ି ଗୋଟାଳିଟି ଗଳିପଡି ଦୂରକୁ ଗଡ଼ିଗଲା l ପିଲାଟି ସାଥି ପିଲାଟିକୁ କହିଲା -ମୋ ଗୋଟାଳିଟି ଗୋଟେଇ ଦିଅନି l 

ଆର ପିଲାଟି ଗୋଟାଳି ଗୋଟେଇ ଦେବ କଣ ତା ଆଡକୁ ତାତ୍ସଲ୍ୟ ରେ ଚାହିଁ କହିଲା -

ଅଣ ବାପୁଆ ର କଣ ଯାଉଛି 

ଖଡ଼ି ଗୋଟାଳି ଗଡିଯାଉଛି l 

ପିଲାଟି କାନ୍ଦି କାନ୍ଦି ଆସି ଆସି ତାର ମାଆ କୁ ପଚାରିଲା -ମାଆ ଅଣବାପୁଆ ମାନେ କଣ ? 

ତା ମାଆ ତାକୁ ଆଉଁସି ଦେଇ ବୁଝେଇ ଦେଇ କହିଲା -ବାପାରେ ତୋର ବାପା ରାଜାଙ୍କ ଆଦେଶ ରେ ମନ୍ଦିର ତିଆରି କରିବାକୁ ଯାଇଛନ୍ତି l ତୁ ପିଲାଟିଏ ହୋଇଥିଲୁ l ବାର ବରଷ ଗଲାଣି l ମନ୍ଦିର ସରିନାହିଁ l ସରିଲେ ତୋ ବାପା ଫେରି ଆସିବେଯେ... ତୁନି ହଅ, ମୋ ଧନଟା ପରା.... l 

ପିଲାଟି କିନ୍ତୁ ବାପାଙ୍କୁ ଦେଖିବାକୁ ଜିଦ ଧରିଲା l ତା ମାଆ ତା ହାତରେ ବାଡ଼ି ବରକୋଳି ଓ ସାଥିରେ ଘରର କୁକୁର ପଠେଇ କହିଲା -ନେ ଆକୁ ଦେଖିଲେ ତୋ ବାପା ତୋତେ ଚିହ୍ନିବେ l ତୋ ନାଁ ଧରମା କହିବୁ l ଯା କୋଣାରକ କୁ ବାଟ ପଚାରି ପଚାରି ଯିବୁ l 

କେତେଦିନ ଚାଲିଚାଲି ପିଲାଟି ସମୁଦ୍ର କୂଳରେ ପହଞ୍ଚିଲା l କେଡ଼େ ମନ୍ଦିରଟାଏ ତିଆରି ହୋଇଥାଏ l କେତେ ମିସ୍ତ୍ରୀ, ମୂଲିଆ, ମହାରଣା, ଦେଖଣାହାରୀ l ରାଜାଙ୍କ ସିପାହୀ କାହିଁରେ କେତେ l 

ସିଏ ଠାଏକେ ବସିଥାଏ l କେତେ ଲୋକ ଦେଖନ୍ତି l ଦୈବାତ ବିଶୁ ମହାରଣା ତାଙ୍କ କୁକୁରକୁ ଦେଖି ପାରିଲେ l କୁକୁର ତାଙ୍କୁ ଟାଣି ଟାଣି ନେଇ ପିଲାଟି ପାଖରେ ପହଞ୍ଚେଇଲା l ସେ ବାଡ଼ିର ବରକୋଳି ଚିହ୍ନିଲେ l ପିଲାଟି କିଏ ବୋଲି ପଚାରିଲେ l 

ପିଲାଟି କହିଲା -ମୁଁ ଧରମା l ମୋ ବାପା ବିଶୁ ମହାରଣା l ମୁଁ ତାଙ୍କୁ ଦେଖା କରିବାକୁ ଆସିଛି l 

ନିଜ ପୁଅକୁ ଦେଖି ମହାରଣାଙ୍କ ଅନ୍ତର କାନ୍ଦି ଉଠିଲା l ସେ ଭାବିଲେ ଆଜି ରାତି ପାହିଲେ ତ ପୁଅ ସହ ଆଉ ଭେଟ ହେବ ନାହିଁ l ଭଲା ପୁଅ ସହ ଭେଟ ହୋଇ ନଥାନ୍ତା କି ? ପୁଅକୁ ଛାଡ଼ି ଯିବାର ଦୁଃଖ ଭୋଗିବାକୁ ପଡ଼ିନଥାନ୍ତା l 

ଧରମା ବାପାଙ୍କ ମନ ଦୁଃଖର କାରଣ ପଚାରିଲା l

ମହାରଣା କହିଲେ -ବାବୁରେ !ରାଜା ଆଜ୍ଞା କରିଛନ୍ତି ଆଜି ରାତି ସୁଦ୍ଧା ଏ ମନ୍ଦିର ଚୁଳି ନ ମରିଲେ କାଲି ସବୁତକ ମହାରଣା ଙ୍କୁ ଶୁଳୀରେ ବସେଇବେ l ଆମେ ଯେତେ ଚେଷ୍ଟା କଲୁଣି କାହିଁରେ ହଉନି l ଦଧିନଉତି ବସିପାରୁନାହିଁ l ଖସି ପଡୁଛି l 

ଧରମାର କୌତୁହଳ ହେଲା l ସେ ମନ୍ଦିର ଉପରକୁ ଉଠି ବେକି ଦେଖିଲା l ସେଠୁ ଆସି ବାପାଙ୍କୁ କହିଲା -ବାପା ମୋତେ ଲାଗୁଛି ତୁମେ ପାଖେ ପାଖେ ଥିଲେ ଏ କାମଟି ମୁଁ କରି ଦିଅନ୍ତି l ଚାଲ ଦେଖିବ ମନ୍ଦିର ବେକିରେ ଏଇ କଥାକୁ ଏଇ କଥା ଭାଗମାପ ନାହିଁ l ଟିକେ ଚେଷ୍ଟା କଲେ ସଜାଡି ହୋଇ ଯାଆନ୍ତା l କଳସ ପଥର ଖସି ପଡନ୍ତା ନାହିଁ l 

ମହାରଣା ବେକି ଉପରକୁ ଉଠି ଦେଖିଲେ l ସତକୁ ସତ ଧରମା କହିବା ମୁତାବକ କଲାରୁ ଦଧିନଉତି ବସିଗଲା l 

ବାରଶହ ବଢ଼େଇଙ୍କ ପିଣ୍ଡରେ ପ୍ରାଣ ପଶିଲା l ସେମାନେ ପିଲାଟିକୁ କେତେ ଆଶୀର୍ବାଦ କଲେ l ତା ଲାଗି ତାଙ୍କ ପ୍ରାଣ ରକ୍ଷା ହୋଇଗଲା l ହେଲେ କେଇଜଣ ଭାବିଲେ କାଲି ଯେତେବେଳେ ରାଜା ଏକଥା ଜାଣିବେ ଯେ ପିଲାଟି ବୁଦ୍ଧି ରେ ଏ କାମ ସଫଳ ହେଲା ସେତେବେଳେ ତ ସେୟା ହେବ l ରାଜା ପୁଣି ରାଗିଯାଇ ଆମକୁ ଶୁଳୀରେ ବସେଇବେ l 

ସମସ୍ତଙ୍କ ଭିତରେ ଭାଳେଣି ପଡିଲା l ବିଶୁ ମହାରଣା, ସାଥି ମହାରଣା ଙ୍କ ମନ କଥା ବୁଝି ପାରିଲେ l ସେମାନେ ପିଲାଟିର ନିଧନ ଚାହୁଁଛନ୍ତି l ତାଙ୍କ ପ୍ରାଣ ହାହାକାର କରି ଉଠିଲା l 

ଧରମା ଏ କଥାର ସୁରାକ ପାଇଗଲା l ସେ କାହାକୁ କିଛି ନ କହି ଦେଉଳ ଉପରକୁ ଉଠିଗଲା l ସେତେବେଳେ ଭୋର ବେଳା l ଲୋକେ ଦେଖିଲେ ଦେଉଳ ଉପରୁ ପିଲାଟି ସମୁଦ୍ର ଭିତରକୁ ଡେଇଁ ପଡ଼ିଲା l 

ମନ୍ଦିର ଚୁଳି ମରିଛି ଶୁଣି ରାଜା ହରଷରେ ଧାଇଁଲେ l ଅଭିଭୂତ ହେଲେ l ମହାରଣା ଙ୍କ ମୁଖ୍ୟ ବିଶୁକୁ ଉଦାସ ଦେଖି ଧୀରେ ଧୀରେ ସବୁ ଜାଣିଲେ l 

ରାଇଜ ସାରା ଡେଙ୍ଗୁରା ଦେଇ ଧରମାର କିରତୀ ପ୍ରଚାର କଲେ l ଦ୍ୱିତୀୟ ସାଥୀର କାହାଣୀ ଶୁଣୁଥିବା ପ୍ରଥମ ସାଥୀଟି କୋହରେ କାନ୍ଦି ଉଠିଲା l 

ତାର ବାପା ନ ଥିଲେ l ତା ବାପା ମଧ୍ୟ ଗୋଟିଏ ମନ୍ଦିର ତିଆରି ବେଳେ ପଥର ଚାପରେ ଆହତ ହୋଇ ପରେ ମରି ଯାଇଥିଲେ l ସିଏ ଯେତେ କୁଶଳୀ ଶିଳ୍ପୀ ହେଲେବି ବାପା ଟିଏ ସୃଷ୍ଟି କରିପାରିବନି l ଏପରିକି ବାପାର ରୂପ l କାରଣ ସେ ତା ମାଆ ପେଟରେ ଥିଲାବେଳେ ଏ ଦୁର୍ଘଟଣା ଘଟିଥିଲା l ସେ ଅଣବାପୁଆ ହୋଇ ଜନ୍ମିଥିଲା l 

ସେଥିପାଇଁ ସେ କହୁଥିଲା -ଶିଳ୍ପୀ ଧର୍ମପଦ ନୁହେଁ, ବାପା ଖୋଜି ବୁଲୁଥିବା ଧରମାର କଥା ତାକୁ ବେଶୀ ଆଲୋଡ଼ିତ କରେ l ଯେତେ ଖୋଜିଲେ ବି ସେ ତାର ବାପାକୁ ଆଉ କେବେ ପାଇବ ନାହିଁ ବୋଲି ସେ ଜାଣିଥାଏ l 

ଦ୍ୱିତୀୟ ସାଥୀ ଟି ପ୍ରଥମ ସାଥୀର ଅତୀତ ଜାଣିନଥିଲା, ଏବେ ଜାଣିଲା l ତହୁଁ ସେ ତାକୁ ପ୍ରବୋଧନ ଦେବାକୁ କହିଲା -ପିଲା ମଣିଷର ସିନା ବାପା ଦରକାର, ଶିଷ୍ୟର ବାପା ଟିଏ କି ଲୋଡ଼ା l ଆମ ବାପା ତ ଆମ ଗୁରୁ l ଆମେ ବଡ଼ ହେଲେ ଯେମିତି ଗୁରୁଙ୍କ ନାଁ ରଖିବା ସେମିତି କାମ କରିବା l 

 ସ୍ଥପତି ଗୌରଚନ୍ଦ୍ରଙ୍କ ନିର୍ମାଣ ଶାଳା ର ଅଭ୍ୟାସ ପିଠିକାରେ ଭବିଷ୍ୟତ ସ୍ଥପତିଙ୍କ ସୁତିକା ଏମିତି ଅନୁଷ୍ଠିତ ହେଉଥିଲା l 

କିଶୋର ନବୀଶ ଦ୍ୱୟ ଉଠ ଉଠ ହେଲେ l ଦୂର ଗ୍ରାମ ସୀମାନ୍ତ ରେଖାରେ ସୂର୍ଯ୍ୟାସ୍ତ ର ଆୟୋଜନ l ଲଳିତଗିରିର ପାଦଦେଶ ରୁ ଗୋ ଗୋଷ୍ଠର ବାହୁଡା଼ l ଆକାଶରେ ନୀଡ଼ ଫେରନ୍ତା ଚଢେଇ l ଉଭୟ ଙ୍କ ଆଖପାଖ ରେ ଅନେକ ଅସମାପ୍ତ ଶିଳ୍ପ l ଆହୁରି କେତେ ଶିଳା, କି କି ରୂପ ନେବାପାଇଁ ନିହାଣର ଅପେକ୍ଷା ରତ l ସର୍ଜନା ର କଣ ସମାପ୍ତି ଥାଏ ? 


    


Rate this content
Log in

Similar oriya story from Abstract