Biswaranjan Mohanty

Tragedy

4  

Biswaranjan Mohanty

Tragedy

ଅସ୍ତଗାମୀ ସୂର୍ଯ୍ୟ

ଅସ୍ତଗାମୀ ସୂର୍ଯ୍ୟ

8 mins
199


ଗୋଟିଏ ଦରିଦ୍ର ମଣିଷ ଛାଟିପିଟି ହୋଇ ରାସ୍ତାରେ କିଛି ବାଟ ଧାଇଁ ଯାଉଥିବାର ଦେଖିଲି l ସେ ଯେ ଯନ୍ତ୍ରଣାକ୍ତ ଓ ବ୍ୟଥିତ ତାହା ତାର ଅପସୃୟମାଣ ଭଙ୍ଗୀରୁ ସୁଦ୍ଧା ଅନୁମାନ କରିପାରୁଥିଲି l 

  ରାମବାବୁ ବିପରୀତ ଦିଗକୁ ଦୃଷ୍ଟି ଫେରେଇଲା ବେଳକୁ ଦେଖିଲେ, ହାତରେ ଦୀର୍ଘ ଅମରୀ ବାଡ଼ିଟିଏ ଧରି ମୁହଁରେ ଘୃଣା, ଅବଜ୍ଞା ଓ ଦଣ୍ଡବିଧାନ କରି ପାରିଥିବାର ତୃପ୍ତି ମିଶାଇ ପାଖ ହୋଟେଲ ର ମାଲିକଟି ଛିଡା ହୋଇଥିଲା l ରାମବାବୁ ତାଙ୍କୁ ପଚାରିଲେ - ସେ କଣ ସେଇ ମଗଟାକୁ ନେଇଯାଉଥିଲା l ସେଥିରେ ଥିଲା କଣ ? 

  ହୋଟେଲ ମାଲିକ ଉତ୍ସାହର ସହ କହିଲେ -ସେଇଟା ଗୋଟେ ପକ୍କା ଚୋର l ନୂଆ ଆମଦାନୀ ହୋଇଛି ଏ ଆଡକୁ l ଯେଉଁଠି ଯେଉଁ ଜିନିଷ ଥୁଆ ହୋଇଥାଉ ସେ ତା' ଠି ହାତ ମାରିଦେବ l ତାକୁ ଆଉ ଦି ପାହାର ଦରକାର ହେଉଥିଲା l 

   କଥା କହୁଥିବା ହୋଟେଲ ମାଲିକର ଦୃଷ୍ଟି କୁ ଅନୁସରଣ କରି ଦେଖିଲେ ରାମବାବୁ ଲୋକଟି ତାଙ୍କ ଆଡକୁ ଫେରୁଥିଲା l ମାତ୍ର ହୋଟେଲ ମାଲିକ ହାତରେ ବାଡ଼ିଟି ସେ ଯାବତ ଥିବାର ଦେଖି ସେ ବାଟ ଭାଙ୍ଗି ଅନ୍ୟତ୍ର ଚାଲିଗଲା l ଏବେ ରାମବାବୁଙ୍କ ଦୃଷ୍ଟି ତା ପୁରା ଶରୀରରେ ଘୁରି ଆସିଲା l ସେ ପିନ୍ଧିଥିଲା ଖୁଵ ଜୀର୍ଣ୍ଣ ଓ ଛୀର୍ଣ୍ଣ ପୁଣି ମଳିନ ଗାମୁଛା l ତାର ଦେହସାରା ଘା ଫୁଟି ଉଠିଥିଲା l ମୁଣ୍ଡରେ କେଶ ରୁକ୍ଷ ଓ ଜଟ ହୋଇ ଯାଇଥିଲା l ଦାଢ଼ି, ନଖ ବଢ଼ି ଯାଇଥିଲା l ଓ ଅପରିଚ୍ଛନ୍ନ ଦିଶୁଥିଲା l ସେ ଟଳମଳ ପାଦରେ ଚାଲୁଥିଲା l ରାମବାବୁଙ୍କୁ ଗୋଟିଏ ପାଗଳ ପରି ଦେଖା ଯାଉଥିଲା l 

ରାମବାବୁ ହୋଟେଲ ମାଲିକକୁ ପଚାରିଲେ -ଆପଣଙ୍କୁ ସେ ପାଗଳଟିଏ ମନେ ହେଉନାହିଁ ? 

ହୋଟେଲ ମାଲିକ -ଈଷତ ରୁଷ୍ଟ କଣ୍ଠରେ କହିଲେ ନା ନା ମୁଁ ତାକୁ ଭଲ କରି ଚିହ୍ନିଛି ସେ ଗୋଟିଏ ପୁରୁଣା ଚୋର l

  ଖୁଵ ଦୂରରୁ ନୁହେଁ, ଏକ ବିକଳ ଚିତ୍କାର ଭାସିଆସି ଆମ କଥୋପକଥନ ରେ ବାଧା ଦେଲା l ସେମାନେ ଦୁହେଁ ସେ ଦିଗକୁ ଚାହିଁ ଦେଖନ୍ତି ତ, ପାଗଳଟା ଯନ୍ତ୍ରଣା ରେ ଚିତ୍କାର କରି ଇତସ୍ତତଃ ଧାଉଁଛି l ଗୋଟିଏ ଜଳଖିଆ ଦୋକାନର ମାଲିକ, କର୍ମଚାରୀ ଓ ଗ୍ରାହକ ଖୁଵ ଆନନ୍ଦରେ ସେ ଦୃଶ୍ୟକୁ ଉପଭୋଗ କରୁଛନ୍ତି l ଲୋକଟିର ବ୍ୟସ୍ତ ବିକଳତାରୁ ଆନନ୍ଦ ପାଉଛନ୍ତି l ଦୋକାନର ଚାକର ପିଲାଟି ମୁନ୍ଦାଏ ଗରମ ଜଳ ପାଗଳଟି ଉପରକୁ ଛାଟି ଦେଇଛି l କେହି ତାର ପ୍ରତିବାଦ ନ କରି ସମସ୍ତେ ମଜ୍ଜା ଦେଖୁଥିବାରୁ ସେମାନଙ୍କୁ ମନୋରଞ୍ଜନ ଯୋଗାଇ ଦେଇଥିବାର ଗର୍ବରେ ଟୋକାଟି ହସୁଛି l 

   ଚାହୁଁ ଚାହୁଁ ପାଗଳଟି ଧାଉଁଥିବା ଅବସ୍ଥାରେ ରାସ୍ତାକଡ଼ରେ ବାଦାମ ବିକୁଥିବା ପିଲାଟିର ବସ୍ତାରୁ ମୁଠାଏ ବାଦାମ ଝାମ୍ପିନେଇ ପଳାଉଥିଲା, ପିଲାଟି ଢେଲାଟିଏ ଫିଙ୍ଗିଲା, ଢେଲାଟି ତା ପିଠିରେ ଦୁମଂକରି ବାଜିଲା l ପାଗଳ ଟି ହାତରୁ ବାଦାମ ତକ ଖସି ପଡ଼ିଲା l ଏ ସମସ୍ତ ଦୃଶ୍ୟ ରାମବାବୁଙ୍କ ଆଖି ଆଗରେ ଘଟିଗଲା l 

ରାମବାବୁ ହୋଟେଲ ମାଲିକଙ୍କୁ ପଚାରିଲେ -ଏହା କଣ ପାଗଳାମୀ ନୁହେଁ ? 

ହୋଟେଲ ମାଲିକ କହିଲେ -ଏହା ଦୁଷ୍ଟାମୀ l 

ଏଣୁ ରାମବାବୁ କୌତୁହଳ ଓ ସଂଶୟ ନେଇ ଲୋକଟିର ଚାଲି ଚଳଣ କୁ ଲକ୍ଷ୍ୟ କରିବାରେ ଲାଗିଲେ l ସେ ରାଜରାସ୍ତାରୁ ଖସି ପାଖ ଡାକଘର ଆଡ଼େ ଚାଲିଲା l ସେଠାରେ ଠିଆ ହୋଇଥିବା ସ୍କୁଟି ପାଖରେ ନହରପହର ହେଲା l ସ୍କୁଟି ଚାଳକ ପହଞ୍ଚି ଯିବାରୁ ସେ ସେଠାରୁ ଅପସରି ଗଲା l ଗୋଟିଏ ପରିବା ଦୋକାନୀର ଅନ୍ୟମନସ୍କତାର ସୁଯୋଗ ନେଇ ସେ କିଛି ବାଇଗଣ ଉଠେଇ ନେଲା l ପରିବା ଦୋକାନୀ ର ଆଖି ପଡ଼ିଯିବା କ୍ଷଣୀ ସେ ତାର ଷଣ୍ଢ ହୁରୁଡ଼ାଇବାକୁ ଉଦିଷ୍ଟ ଠେଙ୍ଗାରେ ପାହାରେ କଷିଦେଲା l ପାହାରଟି ତାର ପିଠିରେ ବାଜିଲା l ତାହା ଖୁଵ ଶକ୍ତ ଥିଲା କି କଣ, ସେ ସେଇ ପାହାରରେ ଅସମ୍ଭାଳ ହୋଇ କଚାଡି ପଡ଼ିଲା l ସେଠାରୁ ଗୁରୁଣ୍ଡି ଗୁରୁଣ୍ଡି ପାଖ ଗଛ ମୂଳକୁ ଚାଲିଗଲା lଓ ସେଠାରେ ଲମ୍ବ ହୋଇ ଶୋଇଗଲା l  

  ଏଯାବତ ତା ପ୍ରତି ଥିବା ରାମବାବୁଙ୍କର କୌତୁହଳି ଭାବ ଏବେ ଦରଦ ଓ ସମ୍ବେଦନଶୀଳତାରେ ପରିଣତ ହୋଇଗଲା l ରାମବାବୁ ଗୋଟିଏ ଠୁଙ୍ଗାରେ କିଛି ଜଳଖିଆ ଧରି ତା ପାଖରେ ପହଞ୍ଚିଲେ l ସେ ପ୍ରଥମେ ସଂଶୟରେ ପଡିଗଲା l ତା ପରେ ରାମବାବୁଙ୍କୁ ଦେଖି କ୍ଷତିକାରକ ନୁହେଁ ବୋଲି ଅନୁମାନ କଲା l ଶେଷରେ ଖୁଵ ଆଗ୍ରହ ରେ ପ୍ରାୟ ଝାମ୍ପିନେଲା ପରି ଠୁଙ୍ଗାଟି ରାମବାବୁଙ୍କ ହାତରୁ ନେଇଗଲା l ଦେଖୁ ଦେଖୁ ଅନେକ ଦିନର ଭୋକିଲା ପରି ସେ ଠୁଙ୍ଗାଟିକୁ ଶେଷ କରିଦେଲା l ଭୋକ କେତେ କରାଳ ହୋଇପାରେ !ତାହାର ଖାଇବାର ଭଙ୍ଗୀ ଦେଖି ରାମବାବୁଙ୍କ ହୃଦୟରେ ଖୁଵ ବ୍ୟଥା ସୃଷ୍ଟି ହେଲା l ଦାମୀ ପୋଷାକ ପିନ୍ଧି ତା ପାଖରେ ଛିଡ଼ାହେବା ପାଇଁ ରାମବାବୁଙ୍କୁ ସଂକୋଚ ଲାଗୁଥିଲା l ଏଣୁ ପରିବେଶକୁ ସ୍ୱାଭାବିକତା ଦେବାପାଇଁ ରାମବାବୁ ତା ପାଖରେ ବସି ପଡ଼ିଲେ l 

   ଖାଇ ସାରିବାପରେ ତାକୁ ପାଣି ଗିଲାସେ ଦେଲେ l ଗିଲାସେ ପାଣି ତାକୁ ଅକୁଳାଣ ହେଲା l ସେ ନିଜେ ଉଠିଯାଇ ରାସ୍ତାକଡ଼ ଟ୍ୟାପରୁ ପାଣି ପିଇଲା l ଫେରିଆସି ସେଇ ଗଛମୂଳେ ଥକା ହୋଇ ବସିଗଲା l 

ରାମବାବୁ ଖୁଵ କୋମଳ ରେ ପଚାରିଲେ -ବାବୁ !ତୁମ ନାମ କଣ ? 

   ସେ ନିସ୍ପୃହ କଣ୍ଠରେ କହିଲା -ଶ୍ୟାମସୁନ୍ଦର !ଯେମିତି ସିଏ ଜାଣିଗଲାଣି ନାମ ଗୋଟିଏ ମୋହର, ପରିଚୟ ନୁହେଁ l ନା ସହିତ ଗୁଣଗ୍ରାମ, ଅବସ୍ଥାର କୌଣସି ସମ୍ପର୍କ ନାହିଁ l 

ରାମବାବୁ ଭାବିଲେ, ଦ୍ୱାପରର ମହାନଟ ଶ୍ୟାମସୁନ୍ଦର ଶ୍ରୀକୃଷ୍ଣଙ୍କ ଲଳିତ କମନୀୟ ରୂପ ଦଣ୍ଡେ ଦିଶିଯାଇ ଅଦୃଶ୍ୟ ହୋଇଗଲା l ସର, ଲବଣି, ଅଧାମ ଚୋରିକରି ଗୋପବାସୀଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଥିବା ଶ୍ୟାମସୁନ୍ଦର ତା ହେଲେ ଆଜି ବି ଚୋରି କରୁଛନ୍ତି l ଯଦିଓ ଭଙ୍ଗୀ ଟି ଅମାର୍ଜିତ l ବୁଭୁକ୍ଷିତ ଶ୍ୟାମସୁନ୍ଦରର ବିକଳ ଅସ୍ତିତ୍ୱରୂପୀ ପରଦାରେ ରାମବାବୁଙ୍କ କଳ୍ପନାର ଛବି ଦଣ୍ଡେ ପ୍ରତିଫଳିତ ହୋଇ କ୍ରମେ ଅସ୍ପଷ୍ଟ ହୋଇଗଲା l 


  ରାମବାବୁ ଶ୍ୟାମଙ୍କୁ ପଚାରିଲେ -ତୁମର ଏପରି ଦୁରବସ୍ଥା କାହିଁକି ହେଲା ? ତୁମ ଘରଦ୍ୱାର, ବାପା -ମାଆ, ବନ୍ଧୁ, ପଡୋଶୀ କଣ କେହି ନାହାନ୍ତି ? ଏତେ ଲୋକଙ୍କ ର ମାଡ଼ ଗାଳି କାହିଁ ଭୋଗୁଛ !!ମାଗୁନାହଁ !ଉଠେଇ ନେଉଛ କାହିଁକି ? ରାମବାବୁଙ୍କ କଣ୍ଠରେ ସମବେଦନା ଥିଲା l ତାହା ଶ୍ୟାମର ହୃଦୟକୁ ଛୁଇଁଲା l ମଣିଷ ପ୍ରତି ଇତି ମଧ୍ୟରେ ଥିବା ତାର ସମସ୍ତ ଦ୍ୱେଷ, ଅଭିଯୋଗ, ଓ ପ୍ରତ୍ୟାଖାନ ର ପୁଞ୍ଜିଭୂତ କାଠିନ୍ୟ ତରଳି ବୋହିଗଲା ଲୁହ ଆକାରରେ l 


   ସେ ଆଣ୍ଠୁ ଉପରେ ଦୁଇ ହାତ ଛନ୍ଦି ତା ଉପରେ ଥୋମଣି ରଖି କହିବାକୁ ଲାଗିଲା l -ଆମ ଘର ନୂଆପଡା l ବାପା ଭକ୍ତସୁନ୍ଦର ଥିଲେ ଭାରି ମାତବର l ଆମେ ବର୍ଣ୍ଣରେ ଖଣ୍ଡାୟତ ପାଇକ l ହେଲେ ବି ବାପାଙ୍କର ଧର୍ମ କର୍ମରେ ବେଶୀ ଧ୍ୟାନ l ତାଙ୍କର ଅଧିକାଂଶ ସମୟ ପୋଥି ପଢ଼ା, କୋଥଳି ସେବାରେ ଯାଏ l ଘରେ ଠାକୁର ମନ୍ଦିର lଅତିଥି ଅଭ୍ୟାଗତଙ୍କ ଛୁଟଣ ଲାଗିଥାଏ l ତାଙ୍କ ଅର୍ଚନା ବ୍ୟବର୍ଚ୍ଚନାରେ ସବୁବେଳେ ଏକ ପ୍ରକାର କୋଳାହଳ ଲାଗିରହିଥାଏ l ଏ ସବୁ କଥା ସମ୍ଭାଳନ୍ତି ଗାଁ ର ଭାଇ, ମୁରବି ମାନେ l ମୋ ମାଆ ପିଲାଦିନୁ ମରିଯାଇଥାନ୍ତି l ମୁଁ ବାପାଙ୍କ ଏକମାତ୍ର ସନ୍ତାନ l ତେଣୁ ମୋ ପାଇଁ ସେ ଥିଲେ ଉଭୟ ବାପା ଓ ମାଆ l ବାପାଙ୍କ ପ୍ରତି ଲୋକମାନଙ୍କ ଆନୁଗତ୍ୟ ଓ ସ୍ଵଭାଵ ଥିବାରୁ ମୋର ଶୈଶବ ଆଦୌ ଯତ୍ନହୀନ ହୋଇ ନଥିଲା l 

   ହାଇସ୍କୁଲ ଜୀବନରେ ତ ମୁଁ ଖୁଵ ଅୟସ ଓ ଆରାମରେ ଥିଲି l ସ୍କୁଲରେ ପାଠପଢା, ଖେଳ, ଏନ. ସି. ସି., ଡିବେଟ ସବୁଥିରେ ମୁଁ ଏକ ନମ୍ବର ହେଉଥିଲି l ସାଥୀ ଓ ସାନପିଲା ମୋତେ ଖାତିର କରୁଥିଲେ l ଶିକ୍ଷକ ମାନଙ୍କର ମୁଁ ନୟନପିତୁଳା ଥିଲି l ଯେଉଁ ବିଷୟରେ ମୋର ମାର୍କ ଅଧିକ ରହେନାହିଁ ଶିକ୍ଷକଙ୍କର ମନ କଷ୍ଟ ହୁଏ l ମୁଁ ତାଙ୍କ ବିଷୟରେ ଅବହେଳା କରିଛି ବୋଲି ସେ ମନେ କରନ୍ତି l ଛାତ୍ର ସମାଜ ମୋ ନାଁ ରଖିଥିଲେ ହାଇସ୍କୁଲ ସୂର୍ଯ୍ୟ l ମୁଁ ସ୍କୁଲ ପଢ଼ା ସାରୁଣୁ ନସାରୁଣୁ ବାପା ରୁଗୁଣ ହୋଇ ପଡ଼ିଲେ l ମାରାତ୍ମକ ରାଜବ୍ୟାଧି ତାଙ୍କ ଉପାସ ଜର୍ଜର ଦେହକୁ ଖୋଳ କରି ସାରିଥିଲା l ତାଙ୍କର ସେବା ଶୁଶ୍ରୁଷା ପାଇଁ ମୋତେ ପଢ଼ା ଛାଡ଼ିବାକୁ ହେଲା l ରୋଗ ଡେଇଁବା ଭୟରେ ସବୁ ଭକ୍ତଲୋକ ଛାଡ଼ିଛୁଡି ଗଲେ l ଔଷଧ, ପଥି, ଓ ଘରଖର୍ଚ୍ଚ ସହିତ ଦେବତା ଵିଧି ମିଶି ଆମ ଦୈନନ୍ଦିନ ଚଳଣି କ୍ରମେ ନିସ୍ତେଜ ହୋଇ ଆସିଲା l ମୋର ମାତ୍ର ଅଠର ବର୍ଷ ବୟସରେ ବିବାହ ହୋଇ ଗଲା l ସାରା ପରିବାରର ଦାୟିତ୍ୱ ସମ୍ଭାଳି ସମସ୍ତଙ୍କୁ ନିଶ୍ଚିତ କରି ରଖିବାକୁ ମୁଁ ସବୁ ପ୍ରକାର ଚେଷ୍ଟା ଚଲାଉଥାଏ l

  ମାତ୍ର ଭଗବାନ ସହିଲେ ନାହିଁ l ଅଳ୍ପ କେଇଟା ଦିନରେ ବାପା ଚାଲିଗଲେ l ବାପାଙ୍କ ଚାଲିଯିବା ମୋ ପାଇଁ ଖୁଵ ଅସହାୟ ବ୍ୟଥାତୁର ଭାବ ଆଣିଦେଲା ନାହିଁ, କାରଣ ତାଙ୍କ ଯନ୍ତ୍ରଣାରୁ ମୁକ୍ତି ପାଇବା ମଧ୍ୟ ଆମର ପ୍ରାର୍ଥନା ଥିଲା l କିନ୍ତୁ ତା ଫଳରେ ଯେଉଁ ଶୂନ୍ୟତା ସୃଷ୍ଟି ହେଲା ତାହା ମୋ ପାଇଁ ଅକଳ୍ପନୀୟ ଥିଲା ଏଣୁ ଅସହ୍ୟ ହୋଇପଡିଲା l ଏବେ ସାରା ସଂସାର ଦାୟିତ୍ୱ ମୋ ଉପରେ l ଜମିବାଡ଼ି, ବନ୍ଧୁବାନ୍ଧବ, ପଡ଼ାପଡୋଶୀ, ପିଲାଛୁଆ, ସବୁ ଉପରେ ଠାକୁରଘର ଖର୍ଚ୍ଚ, ଏସବୁ ତୁଲେଇବାକୁ ଏକୁଟିଆ ଲୋକ ମୁଁ l 

   ଆମ ଦୁହିଁଙ୍କ କୋଳ ପୂରଣ କରି ଦୁଇଟି ସନ୍ତାନ ଆସିଲେ l ପୁଅଟିଏ, ଝିଅଟିଏ l କ୍ଷେତରୁ ଖଟି ଖଟି ଆସି ସେଇ ମାନଙ୍କ ହସିଲା ମୁହଁ ଦେଖିଲେ ସ୍ୱର୍ଗ ସୁଖ ମିଳୁଥିଲା l ମାତ୍ର ଦି ବର୍ଷ ଆଗେ ଯେଉଁ ଭୟଙ୍କର ମରୁଡ଼ି ହେଲା ସେଥିରେ ତ ସେ ଅଞ୍ଚଳ ସାରା ବିଭୀଷିକା ଖେଳିଗଲା l ଆମେ ସମସ୍ତେ ଆତଙ୍କିତ ହୋଇ ପଡ଼ିଲୁ l ଘରର ସମସ୍ତ ସଂଚିତ ଶସ୍ୟ ଶେଷ ହୋଇଗଲା l ଏପରିକି ଜମିବାଡ଼ି ବିକ୍ରି କରିବା ଆରମ୍ଭ ହୋଇଗଲା l ଓଳିଏ ଖାଇ କଂସାର ବଳକା ଖାଦ୍ୟକୁ ଆଉ ଆରଥର ପାଇଁ ସାଇତି କୌଣସି ମତେ ସେ ବର୍ଷଟି ପାରହୋଇଗଲା l ଗଲାବର୍ଷର ମରୁଡ଼ି ସବୁ ଥିଲାଲୋକଙ୍କ ମେରୁଦଣ୍ଡ ଭାଙ୍ଗିଦେଲା l ମୋର ସବୁତକ ସମ୍ପତ୍ତି, ଘରର ଖାନଦାନୀ ଆସବାବପତ୍ର ସବୁ ଶାଗମାଛ ମୂଲରେ ବିକ୍ରି ହୋଇଗଲା l 


   ଦିନେ ସକାଳେ ମୁଁ ଆବିଷ୍କାର କଲି ଯେ, ମୋର ସମସ୍ତ ସହାୟ ଲୋପ ପାଇ ସାରିଛି l ମୁଁ ନିଃସ୍ୱ, କାଙ୍ଗାଳ ପାଲଟିଯାଇଛି l ମୂଲ ଲାଗିବା ନ ହେଲେ ଭିକ୍ଷା ମାଗିବା ଥିଲା ଦୁଇଟି ବିକଳ୍ପ ଅବଲମ୍ବନ l ମୁଁ ବାହାରିଲି ମୂଲ ମଜୁରୀ ଲାଗି ଗଣ୍ଡେ କିଛି ଯୋଗାଡ଼ କରିବାକୁ l ମାତ୍ର ସେ ଭଳି ପରିସ୍ଥିତିରେ ମୂଲ ଲଗାଇବାକୁ କେଉଁ ଲୋକର ଅବା କି ଦରକାର ଅଛି l ପୁଣି ମଜୁରିଆ କୋଉ ସଂଖ୍ୟାରେ ଉଣା ଅଛନ୍ତି l ସେତେବେଳକୁ ଚାରି ମାସ ଗଲାଣି l ସରକାର ମରୁଡ଼ି ସ୍ୱୀକାର କରୁ ନଥାନ୍ତି l ରିଲିଫ ତ ଦୂରର କଥା ଦରଦାମ ବି ନିୟନ୍ତ୍ରଣ କରୁ ନଥାନ୍ତି l ଦିନେ ସ୍ତ୍ରୀ କୁ କହିଲି -ଯାଉଛି ଜନ୍ମ ନିରୋଧ ଅସ୍ତ୍ରପଚାର କରାଇଦେବି l ସେଠୁ କିଛି ପଇସା ମିଳୁଛି ପରା l ଚଳି ଯାଆନ୍ତେ ଛୁଆ ଦୁଇଜଣ ଦିନେ ଦି ଦିନ l ମୋ ସ୍ତ୍ରୀ ତାହା କରାଇ ଦେଲାନାହିଁ l ଅସ୍ତ୍ରପଚାର କଲେ କାଳେ ଶରୀର ଦୁର୍ବଳ ହୋଇଯାଏ, ବଳ ହଟିଯାଏ l ମୁଁ ଅଟକି ଗଲି l ମାତ୍ର ତା ପରଦିନର ପରିସ୍ଥିତି ମୋତେ ବାଧ୍ୟ କଲା ସରକାରୀ ଡାକ୍ତରଖାନା ଯାଇ ଅସ୍ତ୍ରପଚାର କରିବାକୁ l ପରଦିନ ଭୋକ ସମ୍ଭାଳି ନ ପାରି ପୁଅଟି ଚାଲିଗଲା l ମୋ ସ୍ତ୍ରୀ ଭୋକରେ ପାଟିକରି କାନ୍ଦି ପାରିଲାନାହିଁ ମଧ୍ୟ l ସ୍ୱାମୀ ସ୍ତ୍ରୀ ଦୁହେଁ ଅସ୍ତ୍ରପଚାର କରିଦେଲୁ l ହାତକୁ ଆସିଲା କିଛି ପଇସା l ମାତ୍ର ବଜାରରେ ଚାଉଳ, ଅଟା ଉଭାନ l ଲୋକେ ସେତେବେଳକୁ ଜଙ୍ଗଲ ଖୋଜି ମୂଳ ଡାଳ ସବୁ ଖାଇଗଲେଣି l 

  ମରୁଡ଼ି ପରିସ୍ଥିତି ସୁଧୁରୁ ନଥାଏ l ସରକାରୀ ବ୍ୟବସ୍ଥା ହେଉ ନଥାଏ l ଜଣେ ସାହୁକାର କୁମୁଟି ତାଙ୍କ କୋଠାକାମ ପାଇଁ ବଦଳରେ ରନ୍ଧାଖାଦ୍ୟ ଦେଉଥାନ୍ତି l ସେଠି ଛାତିଫଟା ଭିଡ଼ l ସେଠି ନିଶୁଆ ଦରୱାନ l ହାତରେ ଚାବୁକ l ଯେତେ ଅନୁନୟ ହେଲେବି ସେଠି ମୂଲ ମିଳିଲାନି, କାରଣ ମୁଁ ଦୁର୍ବଳ l ଦୁଇଦିନ ଜଗି ଜଗି ତୃତୀୟ ଦିନକୁ କାମକୁ ଯିବାକୁ ଡ଼ାକରା ଆସିଲା l ସେତେବେଳକୁ ମୋର ଆଠ ଦିନର ଉପବାସ l ସ୍ତ୍ରୀ କତରାଲଗା l ଝିଅ ବି ଉପବାସ ରେ ପଡ଼ି ପଡ଼ି ଚାଲିଗଲାଣି l ମୁଁ କାମରେ ଲାଗିଲି, ଏଇ ଆଶାରେ ଯେ, ନିଜ ଖାଇବା ଗଣ୍ଡାକ ଗାମୁଛାରେ ବାନ୍ଧିନେଲେ ଘରେ ଦୁହେଁ ଗଣ୍ଡିଏ ଲେଖାଏଁ ପାଟିରେ ଦେବୁ l ମାତ୍ର ମୁଁ କାମ ସାରି ପାରିଲିନାହିଁ l ଉପାସିଆ ଦେହ ପରିଶ୍ରମ ସହି ପାରିଲାନାହିଁ l ମୁଣ୍ଡ ଘୁରାଇ ଦେଲା, ତଳେ ପଡ଼ିଗଲି l କାମରେ ଗଲତି ହେବାରୁ ପିଠିରେ ବାଜିଲା ଚାବୁକର ପାହାର l ଅଚେତ ହୋଇଗଲି l କିଏ ସବୁ ସାଷ୍ଟାମ କରି ଘରେ ଆଣି ଛାଡିଲେ ମୁଁ ଜାଣିନି l ଚେତା ଆସିଲା ବେଳକୁ ମୋ ସ୍ତ୍ରୀ ବିଛଣାରେ ପଡ଼ି ପଡ଼ି ମରିଯାଇଛି l ତାର ଦାହ ସତ୍କାର କେମିତି ହେବ ?

ସେତେବେଳକୁ ଭୋକ ଜ୍ୱାଳାରେ ମୁଁ ଆଖି ତୋଳି ଚାହିଁପାରୁ ନଥାଏ l କେଉଁଠୁ କିଏ ଗଣ୍ଡାଏ ବାସୀଭାତ ଦେଲା l ସେଇତକ ଖାଇଦେଇ ମୁଁ ଉଠିଲି l ଧରିନେଲି, ସ୍ତ୍ରୀଟି ମୋର ହାଡ଼ି ହାତରେ ଟଣାହେବ l ସାହିର କେଇଜଣ ଯୁବକ ସାହସ ଦେଲେ l ଆମେ ହାତେ ଦି ହାତେ ଗାତ ଖୋଳି ପୋତିଦେବୁ l ମୁଁ ଖାଲି କହିଲି -"ପିଲାଙ୍କୁ ଧରି ଥାଆ ମୁଁ ବି ଅଳ୍ପଦିନ ଭିତରେ ପହଞ୍ଚୁଛି l "କିନ୍ତୁ ମୁଁ କେମିତି ଉଧୁରିଗଲି l ମରଣ ବୋଧେ ମଣିଷ ଖାଇ ଖାଇ ଚିଡ଼ା ହୋଇଯାଇଥିଲା l ମୋତେ ସୁକୁଟାଟାଏ ଦେଖି ଛାଡ଼ିଦେଲା କିମ୍ବା ଗୋଟିଏ ପରିବାର ନିର୍ମୂଳ କରିଦେଲେ ନିନ୍ଦା ପାଇବ ବୋଲି ମୋତେ ନେଲାନାହିଁ l ମାତ୍ର ଛାଡ଼ିଯାଇ ମୋତେ ସେ ବେଶୀ ଦଣ୍ଡ ଦେଲା l 


  ଗାଁ ଛାଡ଼ି ସହରକୁ ଚାଲିଆସିଲି l ଭାବିଲି ମାଗିଯାଚି ଗଣ୍ଡେ ଖାଇ, ଦେହରେ ବଳ ହେଲେ କାମଧନ୍ଦା କରି ଚଳିଯିବି l ସହରରେ ଆସି ଦେଖିଲି, ଏଠି ସହାନୁଭୂତି ଶୂନ l ମରୁଡ଼ି ମାଡଖିଆ ମଣିଷକୁ ଏଠି ମାମୁଲି ମାଗିଖିଆଙ୍କ ସାଙ୍ଗରେ ଭାଗିଦାରୀ ହେବାକୁ ହେଲା l ଘର ଘର ବୁଲି ଦେଖିଛି ଲକ୍ଷ୍ମୀ ଯେମିତି ମୋତେ ତାଟି କବାଟ ପକେଇ ଲୁଚୁଛନ୍ତି l ଶେଷକୁ ଅଇଁଠା ପତର ପାଖରେ କୁକୁର ବିଲେଇ ବି ପ୍ରତିବାଦୀ ହୋଇଛନ୍ତି l କେଉଁଠି କୁକୁର ତ କେଉଁଠି ମୁଁ ଜିତିଛି l କିନ୍ତୁ ଭୋକ ମୋଟେ ହାରିନାହିଁ l ଥରଟିଏ ପେଟପୁରା ଖାଇବା ଆଦୌ ଜୁଟି ନାହିଁ l ତେଣୁ ଅହରହ ଭୋକରେ ପୀଡିତ ହୋଇ ମୁଁ ବ୍ୟାକୁଳ ଭାବରେ ଖାଇବା ଦ୍ରବ୍ୟ ଲୋଡ଼ୁଛି l ମିଳେ... ମିଳେନାହିଁ ଚେଷ୍ଟା କରେ l କିନ୍ତୁ ମୋ ଉପସ୍ଥିତି ଦେଖିଲେ ଥିଲାବାଲା ମୋତେ 'ନେଇ ପଳେଇବ 'ର ଦୂତ ଭାବନ୍ତି l ମାରି ଗୋଡ଼ାନ୍ତି l ଯାହା ପାଖରେ ଯାହା ଥାଏ ମୋତେ ତାହା 'ଏଇଠି ଏଇ ରଖିଦେଇଛି 'ଭଳି ଲାଗେ l ମୁଁ ସେଇଟା ନେଇଯିବାକୁ ଚେଷ୍ଟା କରେ l ଏଣୁ ମାଡ଼ ଖାଏ, ବାରମ୍ବାର ମାଡ଼ ଖାଏ l 


   ଏ ଶରୀରରେ ଯେତେ ଦାଗ ଘା ଦେଖୁଛ ତହିଁରୁ କିଛି କୁକୁର କାମୁଡ଼ା, କିଛି ଢେଲା ଫୋପଡ଼ା, ଓ ଆଉ ସବୁ ବାଡ଼ି ଠେଙ୍ଗା ପାହାର l ତଥାପି ଏ ପ୍ରାଣ ଛାଡ଼ି ଯାଉନାହିଁ l ଆପଣଙ୍କ ଏ ଖାଦ୍ୟ ତକ ନିଲଠା ଜୀବନକୁ ଆଉ କେଇଦିନ ଠେଲିନେବ l କହୁ କହୁ ଖୁଵ କ୍ଲାନ୍ତିରେ ସେଇଠି ଆଖିମୁଦି ଶୋଇ ପଡ଼ିବାର ଉପକ୍ରମ କଲା ଶ୍ୟାମ l 

  ରାମବାବୁ ଆକାଶକୁ ଦୃଷ୍ଟି ଫେରାଇଲେ l ପଶ୍ଚିମ ଆକାଶରେ ସୂର୍ଯ୍ୟ ଅସ୍ତର ଆୟୋଜନ, ବର୍ଣ୍ଣାଢ୍ୟ ମାତ୍ର ବିମର୍ଷକର ।


Rate this content
Log in

Similar oriya story from Tragedy