Priyaranjan Biswal

Abstract Fantasy Others

4.1  

Priyaranjan Biswal

Abstract Fantasy Others

ଗଣତନ୍ତ୍ର ନା ଷଡଯନ୍ତ୍ର

ଗଣତନ୍ତ୍ର ନା ଷଡଯନ୍ତ୍ର

4 mins
23.9K



    ଭାରତର ଭୂତତ୍ତ୍ୱବିତ୍ ଓ ବୈଜ୍ଞାନିକ ମାନଙ୍କ ମିଳିତ ପ୍ରୟାସ ଫଳରେ ଏକ ନୂତନ ଦ୍ୱୀପ ଆବିଷ୍କାର ହେଲା । ଦ୍ୱୀପଟିର ନାମ ଦିଆଗଲା ଇଣ୍ଡିନିକୋ । ଦ୍ୱୀପଟି ପ୍ରାକୃତିକ ସୌନ୍ଦର୍ଯ୍ଯରେ ଭରି ରହିଥିଲା । ଆଉ ସେହି ଦ୍ୱୀପର ଭୂଗର୍ଭରେ ଶହ ଶହ ଟନ୍ ର ସୁନା ଓ ହୀରା ଖଣି ଥିବା କଥା ମଧ୍ଯ ଭାରତ ସରକାର ଜାଣିବାକୁ ପାଇଲେ । ମାତ୍ର ଦ୍ୱୀପର ସୁରକ୍ଷା ଓ ସେଠାକାର ଅଧିବାସୀ ମାନଙ୍କର ନିରାପତ୍ତା ପାଇଁ ଏହି ସୂଚନାକୁ ଗୁପ୍ତ ରଖିବାକୁ ନିଷ୍ପତି ନେଲେ । ଏହି ଖବର ପାଇବା ପରେ ଦେଶ ବିଦେଶର କିଛି ଆଧୁନିକ ଓ ସଭ୍ଯ ସମାଜର ଲୋକ ସେଠାକୁ ଯାଇ ତାର ସୌନ୍ଦର୍ଯ୍ଯ ଉପଭୋଗ କରିବାକୁ ଇଛା ପ୍ରକାଶ କରି ଦ୍ୱୀପ ଅଭିମୁଖେ ଯାତ୍ରା ଆରମ୍ଭ କଲେ । କିନ୍ତୁ ସେହି ଦ୍ୱୀପର ମୁଳ ବାସିନ୍ଦାମାନେ ଏହାକୁ ନାପସନ୍ଦ କଲେ । ସେହି ଦ୍ୱୀପରେ ରାଜତନ୍ତ୍ର ଶାସନ ଚାଲିଥାଏ । ତେଣୁ ପ୍ରଜାମାନେ ଏ ସମ୍ପର୍କରେ ରାଜାଙ୍କ ନିକଟରେ ଅଭିଯୋଗ କଲେ । ମନ୍ତ୍ରୀ ମଧ୍ଯ ବାହାର ଲୋକ ତାଙ୍କ ଦ୍ୱୀପକୁ ଆସିଲେ ସେମାନଙ୍କର ସଂସ୍କୃତି ଓ ପରମ୍ପରାର ଅବକ୍ଷୟ ହେବାସହ ଏହା ତାଙ୍କ ସଭ୍ଯତାର ଭବିଷ୍ଯତ ଉପରେ ଗଭୀର କୁଠାରଘାତ କରିବାର ଆଶଙ୍କା ପ୍ରକାଶ କଲେ । ଏହାପରେ ଦ୍ୱୀପର ଚତୁଃପାର୍ଶ୍ୱରେ ନିଜର ସେନା ଜଗାଇ ଦେଲେ । ସେମାନଙ୍କ ପାଖରେ ଆଧୁନିକ ଅସ୍ତ୍ରଶସ୍ତ୍ର ନଥିଲା, ତେଣୁ ମନରେ ଦୃଢ ସାହସ ଓ ହାତରେ ପାରମ୍ପାରିକ ଧନୁତୀର ଧରି ସେମାନେ ଆଧୁନିକ ମଣିଷର ମୁକାବିଲା କରିବାକୁ ବାହାରି ପଡିଲେ । ବାହାର ଆଧୁନିକ ସମାଜ ଲୋକଙ୍କୁ ତାଙ୍କ ଦ୍ୱୀପକୁ ଯିବାର କୌଣସି ସୁଯୋଗ ଦେଲେ ନାହିଁ ।


   ଏହି ସମୟରେ ଚୀନ୍ ର ବୈଜ୍ଞାନିକମାନେ ଅନୁସନ୍ଧାନ କରି ଦ୍ୱୀପର ଭୂଗର୍ଭରେ ହଜାର ହଜାର ଟନର ସୁନା ଓ ହୀରା ଗଚ୍ଛିତ ଥିବା କଥା ଜାଣିପାରିବା ପରେ ଦ୍ୱୀପଟିକୁ ନିଜ ଅକ୍ତିଆରରେ ନେବାକୁ ଯୋଜନା ଆରମ୍ଭ କରିଦେଲା । ପ୍ରକୃତରେ ଦ୍ୱୀପଟି ଭାରତ ଓ ଚୀନ୍ କିଛିଦିନ ପରେ ସମୟ ସୁବିଧା ଦେଖି ରାତ୍ରି ସମୟରେ ଦ୍ୱୀପକୁ ନିଜ ଅଧିନକୁ ନେବା ପାଇଁ ଦ୍ୱୀପ ଉପରେ ଆକ୍ରମଣ କରିଦେଲା । ଦ୍ୱୀପର ସୈନ୍ଯମାନେ ଚୀନର ଆଧୁନିକ ଅସ୍ତ୍ରଶସ୍ତ୍ର ଆଗରେ ହାର ମାନିବାକୁ ବାଧ୍ଯହେଲେ । ଦ୍ୱୀପର ରାଜା ଲୁଚି ଭାରତ ଆସି ଭାରତ ସରକାରଙ୍କୁ ସାହାଯ୍ଯ ମାଗିଲେ । ଭାରତ ସରକାର ସାହାଯ୍ଯ କରିବାକୁ ରାଜିହେଲେ କିନ୍ତୁ ଏଥିପାଇଁ ଦ୍ୱୀପର ରାଜାଙ୍କ ସହ ଏକ ରାଜିନାମା ସ୍ୱାକ୍ଷର କରାଗଲା । ରାଜିନାମାର ସର୍ତ୍ତ ଅନୁସାରେ ଭାରତୀୟ ସୈନ୍ଯ ଦ୍ୱୀପକୁ ଚୀନ କବଳରୁ ମୁକ୍ତ କରିବା ପରେ ଦ୍ୱୀପଟି ଭାରତ ସରକାରଙ୍କ ଅଧିନକୁ ଆସିବ‌ । ଓ ସେଠାରେ ରାଜତନ୍ତ୍ର ଲୋପ କରି ଗଣତନ୍ତ୍ର ସାଶନ ପ୍ରତିଷ୍ଠା ହେବ ।  


   ଏହାପରେ ଭାରତୀୟ ସୈନ୍ଯବାହିନୀ ଦ୍ୱୀପକୁ ଅକ୍ତିଆର କରିଥିବା ଚୀନ ସୈନ୍ଯବାହିନୀ ଉପରେ ଆକ୍ରମଣ କରିଦେଲା । ଦୁଇ ଦେଶ ମଧ୍ଯରେ ଯୁଦ୍ଧର ସୁଯୋଗ ନେଇ ପାକିସ୍ତାନ ମଧ୍ଯ ନିଜର ମିତ୍ର ଦେଶ ଚୀନର ବିଶ୍ୱାସକୁ ଦୃଢିଭୁତ କରିବା ଓ ନିଜର ସଙ୍କିର୍ଣ୍ଣ ସ୍ୱର୍ଥ ସାଧନ ପାଇଁ ଜାମୁ- କାଶ୍ମୀର ପଟୁ ଆକ୍ରମଣ ଆରମ୍ଭ କରିଦେଲା । ଏହାପରେ ଜାପାନ, ରୁଷ, ଇସ୍ରାଇଲ୍ ଭାରତକୁ ସମର୍ଥନ କରି ଯୁଦ୍ଧ କ୍ଷେତ୍ରକୁ ଲମ୍ଫ ପ୍ରଦାନ କଲେ । ଏହା ଦେଖି ମିଳିତ ଜାତିସଙ୍ଘ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା କରି ଶାନ୍ତି ରକ୍ଷାପାଇଁ ଯୁଦ୍ଧରୁ ବିରତ ରହିବାକୁ ଅନୁରୋଧ କଲା । ମାତ୍ର କିଛିଦିନ ତଳେ କରୋନା ଭାଇରସର ଭୟାବହତା ଦେଇ ସମଗ୍ର ବିଶ୍ୱ ଗତି କରିବାପରେ ଚୀନ ଉପରୁ ଅଧିକାଂଶ ଦେଶର ଭରଷା ଉଠିଯାଇଥିଲା । ଅନ୍ଯ ଦେଶର କମ୍ପାନୀ ଚୀନରୁ ନିଜର କାରବାର ବନ୍ଦକରି ଭାରତରେ ବ୍ଯବସାୟ ଆରମ୍ଭ କରିବା ଫଳରେ ଚୀନର ଆର୍ଥିକ ସ୍ଥିତି ଦୁର୍ବଳ ହେବା ସହ ଭାରତ ଆର୍ଥିକ ଦିଗରେ ସଶକ୍ତ ହେବାକୁ ଆରମ୍ଭ କରିଥିଲା । ଆମେରିକା, ଇଟାଲୀ, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ୍ ଆଦି ଦେଶ କରୋନା ଯୋଗୁଁ ଅଭୂତପୂର୍ବ କ୍ଷତି ସହିଥିଲେ ଓ ଏହିସବୁ ଦେଶ କରୋନା ମହାମାରୀ ପାଇଁ ଚୀନକୁ ଦାୟୀ କରୁଥିଲେ । ତେଣୁ ଏହିଦେଶ ଯୁଦ୍ଧ ନକଲେ ମଧ୍ଯ ଭିତରେ ଭିତରେ ଭାରତକୁ ସମର୍ଥନ କରି ନୀରବ ରହିଲେ । ଫଳରେ ଉପାୟ ଶୂନ୍ଯ ହୋଇ ଚୀନ୍ ଓ ପାକିସ୍ତାନ ଶେଷରେ ହାର ମାନିଲେ । ଓ ଭାରତ ସହ ସନ୍ଧି କରିବାକୁ ପ୍ରସ୍ତାବ ଦେଲେ । ସନ୍ଧି ଅନୁସାରେ ଚିନ୍ କେବଳ ଇଣ୍ଡିନିକୋ ଦ୍ୱୀପ ନୁହେଁ ବରଂ ବହୁଦିନରୁ ଅକ୍ତିଆର କରି ରଖିଥିବା ଭାରତର ସୀଆଚୀନ ଅଞ୍ଚଳ ମଧ୍ଯ ଭାରତକୁ ହସ୍ତାନ୍ତର କଲା । ପାକିସ୍ତାନ ମଧ୍ଯ ନିଜ ଅକ୍ତିଆରରେ ରଖିଥିବା କାଶ୍ମୀର ଅଞ୍ଚଳକୁ ଭାରତକୁ ହସ୍ତାନ୍ତର କରିବାକୁ ବାଧ୍ଯ ହେଲା ।


   ଇଣ୍ଡିନିକୋ ରାଜାଙ୍କ ସହ ଭାରତ ସରକାରଙ୍କ ରାଜିନାମା ଅନୁସାରେ ସେଠାରୁ ରାଜତନ୍ତ୍ର ଲୋପ କରି ଗଣତନ୍ତ୍ର ଶାସନ ପ୍ରତିଷ୍ଠା କରିବାକୁ ପ୍ରୟାସ ଆରମ୍ଭ ହେଲା । ମାତ୍ର ପ୍ରଥମେ ଦ୍ୱୀପର ଅଧିବାସୀ ଏହାକୁ ବିରୋଧ କଲେ, ମାତ୍ର ଭାରତ ସରକାର ସେମାନଙ୍କୁ ଗଣତନ୍ତ୍ରର ସୁଫଳ ବିଷୟରେ ବୁଝାଇବାରେ ସମର୍ଥ ହେବାରୁ ଶେଷରେ ସେମାନେ ଗଣତନ୍ତ୍ର ସାଶନ ପ୍ରତିଷ୍ଠାପାଇଁ ରାଜି ହୋଇଥିଲେ । କାରଣ ସେମାନେ ବୁଝିପାରିଥିଲେ ଯେ ଗଣତନ୍ତ୍ର ଶାସନ ଲୋକମାନଙ୍କର, ଲୋକମାନଙ୍କ ପାଇଁ ଲୋକମାନଙ୍କ ଦ୍ୱାରା କରାଯାଉଥିବା ଶାସନ ବ୍ଯବସ୍ଥା । ଯେଉଁଠି ଆଇନ ଆଗରେ ଧନୀ, ଗରିବ, ଜାତି, ଧର୍ମ ନିର୍ବିଶେଷରେ ସମସ୍ତେ ସମାନ । ଶେଷରେ ନିର୍ବାଚନ ଅନୁଷ୍ଠିତ ହେଲା । ନିର୍ବାଚନରେ ଇଣ୍ଡିନିକୋ ଦ୍ୱୀପର ରାଜକୁମାରଙ୍କୁ ସେଠାକାର ଅଧିବାସୀମାନେ ବହୁ ସଂଖ୍ଯରେ ଭୋଟଦେଇ ଜୟଯୁକ୍ତ କରାଇଲେ । ସେ ଦ୍ୱୀପରେ ରାଜାଙ୍କ ସମୟରେ ମନ୍ତ୍ରୀ କାର୍ଯ୍ଯ ତୁଲାଉଥିବା ବ୍ଯକ୍ତିଙ୍କର ପୁଅ ରାଜକୁମାରଙ୍କର ଅତି ଘନିଷ୍ଠ ବନ୍ଧୁଥିଲେ ।  କିଛିଦିନ ସବୁ ଭଲରେ କଟିଲା । ଲୋକମାନେ ଖୁସିରେ ନିଜର ଜୀବନ ଅତୀବାହିତ କରିବାକୁ ଲାଗିଲେ । କିନ୍ତୁ ଧିରେଧିରେ ସେଠାକାର ଜନତା ବାଛିଥିବା ନେତାମାନେ ଦୁର୍ନୀତି କରିବା ଆରମ୍ଭ କରିଦେଲେ । ରଜକୁମାର ସେଠାକାର ମୁଖ୍ଯମନ୍ତ୍ରୀ ପଦରେ ରହି ମଧ୍ଯ ନିଜର ସୁଖ ସୁବିଧାକୁ ଅଗ୍ରାଧିକାର ଦେବାକୁ ଲାଗିଲେ ।  


    କିଛିଦିନ ପରେ ହଠାତ ଦିନେ ଏକ ବଡ ଧରଣର ଭୂମିକମ୍ପ ହେଲା । ସାଧାରଣ ଲୋକଙ୍କର ଘରଦ୍ୱାର ଭାଙ୍ଗିଗଲା । ଅନେକ ଲୋକ ମୃତ୍ଯୁବରଣକଲେ । ଲୋକମାନଙ୍କର ସୁବିଧାପାଇଁ ସେଠାକାର ସରକାର ଅନେକ ସହାୟତା ଓ ଯୋଜନା ପ୍ରଣୟନ କଲେ । ମାତ୍ର ଦୁର୍ନୀତି ବହୁମାତ୍ରାରେ ବଢିଯାଇଥିବାରୁ ତାହା ଠିକ୍ ଭାବରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ପାରିଲା ନାହିଁ । କିନ୍ତୁ ନେତା, ମନ୍ତ୍ରୀ ଓ ଧନୀକ ବ୍ଯକ୍ତିମାନେ ସୁଖରେ ଦୀନ ବିତେଇବାକୁ ଲାଗିଲେ । ସାଧାରଣ ଲୋକଙ୍କ ଭିତରେ ସେ ଦ୍ୱୀପର ପୂର୍ବତନ ମନ୍ତ୍ରୀ ଓ ତାଙ୍କ ପୁଅ ଅର୍ଥାତ ବର୍ତ୍ତମାନର ମୁଖ୍ଯମନ୍ତ୍ରୀ ଓ ପୂର୍ବତନ ରାଜକୁମାରଙ୍କ ସାଙ୍ଗ ମଧ୍ଯ ରହିଥିଲେ । ଯିଏ ଭୂମିକମ୍ପରେ ନିଜର ଘରଦ୍ୱାର ସବୁ ହରାଇ, ରାସ୍ତା କଡରେ ଭଙ୍ଗାତମ୍ବୁ ତଳେ ସରକାରୀ ସହାୟତାର ଅପେକ୍ଷାରେ ନିଦ ବିତାଇବାକୁ ଲାଗିଲେ । ଦିନକୁ ଦିନ ସାଧାରଣ ଲୋକଙ୍କ ଅବସ୍ଥା ସୋଚନୀୟ ହେବାକୁ ଆରମ୍ଭ କଲା । ଏଥିରେ ଅତିଷ୍ଠ ହୋଇ ମନ୍ତ୍ରୀଙ୍କ ପୁଅ ମନ୍ତ୍ରୀଙ୍କୁ କହିଲା ବାପା ଗଣତନ୍ତ୍ର ଶାସନ ବ୍ଯବସ୍ଥାରେ ସମସ୍ତେ ତ ସମାନ । ତାହେଲେ ନେତା ଓ ମନ୍ତ୍ରୀ ସୁଖରେ ନିଜ‌ଘରେ ସମୟ ବିତାଉଥିବା ବେଳେ ସାଧାରଣ ଜନତା ଏଠି ଦୁର୍ଦିନରେ ନିଜର ଦିନ କାହିଁକି କାଟୁଛନ୍ତି? ମୁଁ ଯାଉଛି ଆଜି ମୁଖ୍ଯମନ୍ତ୍ରୀଙ୍କୁ କହିବି ସେ ଓ ତାଙ୍କର ସମସ୍ତ ନେତା ଏବଂ ମନ୍ତ୍ରୀ ସେମାନଙ୍କ ପରିବାର ସହ ଆସି ଗୋଟିଏ ସପ୍ତାହ ଏହି ଭଙ୍ଗା ତମ୍ବୁ ତଳେ ସାଧାରଣ ଲୋକଙ୍କ ପରି ରହିବେ ଓ ଆମେ ସବୁ ସେମାନଙ୍କ ଘରମାନଙ୍କରେ ରହିବା । ପୁଅର ଏପରି କଥା ଶୁଣି ବୁଢାମନ୍ତ୍ରୀ ହସିବାକୁ ଲାଗିଲେ । ପୁଅ ପଚାରିଲା ବାପା ତୁମେ ଏପରି ହସୁଛ କାହିଁକି? ବୁଢାମନ୍ତ୍ରୀ କହିଲେ ଆରେ ପାଗଳ ଗଣତନ୍ତ୍ର ଶାସନ ବ୍ଯବସ୍ଥାରେ ସମସ୍ତେ ସମାନ ମାତ୍ର କିଛି ଅଧିକ ସମାନ । କାରଣ ଏବେ ସେମାନେ କ୍ଷମତାର କେନ୍ଦ୍ରବିନ୍ଦୁ । ଏକଥା ଶୁଣିବା ପରେ ବୁଢାମନ୍ତ୍ରୀଙ୍କ ପୁଅ ତା ବାପାଙ୍କୁ କହିଲା ବାପା, ତେବେ ବାସ୍ତବରେ ଏହା ଗଣତନ୍ତ୍ର ନା ଷଡଯନ୍ତ୍ର?


   ଆପଣମାନେ ଟିକିଏ ଚିନ୍ତା କରନ୍ତୁ ଓ ବୁଢାମନ୍ତ୍ରୀଙ୍କ ପୁଅ କରିଥିବା ପ୍ରଶ୍ନର ସଠିକ୍ ଉତ୍ତର କଣ ହୋଇପାରେ? ସେ ବିଷୟରେ ନିଜର ସୁଚିନ୍ତିତ ମତାମତ ନିଶ୍ଚିତ ଦିଅନ୍ତୁ । ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି ନମସ୍କାର ।



Rate this content
Log in

Similar oriya story from Abstract