STORYMIRROR

KRUTIBAS NAYAK

Romance Inspirational

3  

KRUTIBAS NAYAK

Romance Inspirational

ଗଳ୍ପାୟନ-14 ବିଷୟ : ପ୍ରଶଂସା : କାହାଣୀ : ପାଷାଣୀ ଅହଲ୍ୟା

ଗଳ୍ପାୟନ-14 ବିଷୟ : ପ୍ରଶଂସା : କାହାଣୀ : ପାଷାଣୀ ଅହଲ୍ୟା

9 mins
206


ପଟ୍ଟନାୟକ ମାଇନିଂ କମ୍ପାନୀର ମାଲିକ ତଥା ଏମ.ଡ଼ି ଅତ୍ୟନ୍ତ ଵ୍ୟସ୍ତହେଇ ପଡ଼ିଥିଲେ l ଆସନ୍ତାକାଲି କେନ୍ଦ୍ରରୁ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଆସି ତାଙ୍କର ଖଣି ସମ୍ପର୍କୀୟ କାଗଜପତ୍ର ଓ ଖଣିର ସ୍ଥିତି ପରୀକ୍ଷା ନିରୀକ୍ଷା କରିବେ l ସେ ତାଙ୍କର ଜି.ଏମଙ୍କୁ ଡାକି କହିଲେ-"ମହାନ୍ତି ବାବୁ ! ଆମକୁ ଯେମିତି ହେଲେ-ଏହି ଉଚ୍ଚସ୍ତରୀୟ କମିଟିକୁ ସନ୍ତୁଷ୍ଟ କରିବାକୁ ପଡ଼ିବ l ଏହି କମିଟିର ରିପୋର୍ଟକୁ ଅନୁଧ୍ୟାନ କରି, ତାରି ଆଧାରରେ କମିଶନର ଆସି ଫାଇନାଲ ରିପୋର୍ଟ ପ୍ରସ୍ତୁତ କରିବେ l ସବୁ ନିର୍ଭର କରେ, ଏହି କମିଟିର ରିପୋର୍ଟ ଉପରେ l ତେଣୁ ଆମକୁ ଖୁବ ସାବଧାନତା ସହିତ କାମ କରିବାକୁ ପଡ଼ିବ l କେବଳ ଆମପାଇଁ ଗୋଟିଏ ଆଶ୍ଵସ୍ତିର କଥା, ଶୁଣିବାକୁ ପାଇଲି ଯେ, କମିଟିର ଅଧକ୍ଷ ହେଉଛନ୍ତି-ଜଣେ ଦକ୍ଷ ଯୁବ ଓଡ଼ିଆ ଅଫିସାର୍l ସେମାନେ କାଲି ଚାରିଟା ବେଳ ଫ୍ଲାଇଟରେ ଆସିବେ l ସେମାନଙ୍କ ପାଇଁ ତ ସରକାରୀ ବଙ୍ଗଳା ଠିକ ହେଇଥିବ ନିଶ୍ଚୟ l ତଥାପି ଆମର ଦୁଇଜଣ ଅଫିସରଙ୍କୁ ସେଇଠିକୁ ପଠେଇବେ l ଆମ ଉପରେ ତାଙ୍କର କୌଣସି ପ୍ରକାର ବ୍ୟାଡ଼ ଇମ୍ପ୍ରେସନ ଯେମିତି ନ ହୁଏ l ସେଥିପାଇଁ ଯାହା ଯାହା କରିବାର ଅଛି, ସେସବୁ ବ୍ୟବସ୍ଥା ଆପଣ ଆଗୁଆ କରିବେ l"

ଜି.ଏମ ମହାନ୍ତି ବାବୁ କହିଲେ- "ସାର, ଆପଣ ସେ ବିଷୟରେ ମୋଟେ ଚିନ୍ତା କରନ୍ତୁ ନାହିଁ l ମୁଁ ଆଗରୁ କେତେ କମିଟିକୁ ସମ୍ମୁଖୀନ ହେଇଛି l କାହାର କେତେବେଳେ କ'ଣ ଦରକାର, ମୁଁ ସହଜରେ ସେସବୁ ଜାଣିପାରେ, ତେଣୁ ଆପଣ ସେ ଦାୟିତ୍ୱ ମୋ ଉପରେ ଛାଡ଼ି ଦିଅନ୍ତୁ l ଲୋକ ସଂପର୍କ ଅଧିକାରୀ ବିଜୟିନୀ ମାଡ଼ାମ ଅଛନ୍ତି, ମୁଁ ତାଙ୍କ ସହିତ ମିଶି ସବୁକାମ ଠିକଭାବରେ ତୁଲେଇ ନେବି l"

-"ଠିକ୍ ଅଛି, ଭୁବନେଶ୍ୱର ଦାୟିତ୍ୱ ଆପଣ ଦୁଇଜଣ ବୁଝିବେ l ସେମାନେ ଯଦି କାଲି ଖଣି ଦେଖିବାକୁ ବାହାରନ୍ତି, ତେବେ ଆପଣ ତାଙ୍କ ଗାଡ଼ିକୁ ଫଲୋ କରିକରି ଯିବେ l ମୁଁ ଏବେ ଯୋଡ଼ା ଚାଲି ଯାଉଛି l ସେଇଠି ଖଣିର ମ୍ୟାପ ଆଉ ଏଗ୍ରିମେଣ୍ଟ କାଗଜପତ୍ର ସହିତ ଅନ୍ୟାନ୍ୟ ଡାଟାକୁ ମୋତେ ଆଉ ଥରେ ଦେଖିନେବାକୁ ପଡ଼ିବ l"

ଏମ.ଡ଼ିଙ୍କର ଗାଡ଼ି ଷ୍ଟାର୍ଟ ହେଲା l ବିଜୟିନୀ ମାଡ଼ାମ ଓ ମହାନ୍ତି ବାବୁ ତାଙ୍କୁ ନମସ୍କାର ଜଣାଇ ବିଦାୟ ଦେଲେ l ବିଜୟିନୀ ମାଡ଼ାମକୁ ମହାନ୍ତି ବାବୁ କହିଲେ-ମାଡ଼ାମ ! ଏବେ ଆପଣଙ୍କର କାମ ସହିତ ଦାୟିତ୍ୱ ଟିକେ ବଢିଗଲା l ଆମ କଂପାନୀ ପାଇଁ ଏଇ ପନ୍ଦରଦିନ ଗୋଟାଏ ଗୁରୁତ୍ତ୍ୱପୂର୍ଣ୍ଣ ସମୟ l ଆପଣ ଏହା ଭିତରେ ଆଉ ଘରକୁ ଯିବାକଥା କିମ୍ବା ଛୁଟି ନେବାକଥା କହିବେ ନାହିଁ l

ସାରଙ୍କଠାରୁ ଆପଣ ତ ସବୁକଥା ଶୁଣିଲେ, ଜଣେ ଓଡ଼ିଆ ଅଫିସାର୍ଏହି କମିଟିରେ ଅଧ୍ୟକ୍ଷ ଅଛନ୍ତି, ତେଣୁ ଆମକୁ ବିଶେଷ କିଛି ଅସୁବିଧା ହେବନାହିଁ l ଆପଣ ବି ସହଜରେ ତାଙ୍କ ସହିତ ମିଶି କଥାବାର୍ତ୍ତା ହେଇପାରିବେ l ତା' ପୂର୍ବରୁ ଆପଣ ଟିକେ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କିଛି ତଥ୍ୟ ସଂଗ୍ରହ କରିପାରିଲେ ଭଲ l ଏଇ ଯେମିତି ତାଙ୍କ ଘରଟା କେଉଁ ଅଞ୍ଚଳରେ l ତାଙ୍କର ରୁଚି କେଉଁଥିରେ ଅଛି l ସେ କଡ଼ା ମିଞ୍ଜାସାର୍ମଣିଷ କି' ମଜା ମଉଜିଆ ଲୋକ ? ଏସବୁ ଜାଣିଯିବା ପରେ ତାଙ୍କ ସହିତ ମିଶିବାରେ ଆମକୁ ସହଜ ହେବ l ଧୀର ପାଣି ପଥର କାଟେ, ତେଣୁ ତରବରହେଇ କିଛି ଗୋଟାଏ କାମକରି ପକେଇବେ ନାହିଁ l ସରକାରୀ ଅଫିସାର୍ଆଉ କର୍ମଚାରୀମାନେ ସେଇଠି ଥାଇପାରନ୍ତି l ସେମାନଙ୍କଠାରୁ ଟିକେ ଡିଷ୍ଟାଣ୍ଟ ମେଣ୍ଟେନ କରୁଥିବେ l"

-"କିନ୍ତୁ ସାର l"

-"ଶୁଣନ୍ତୁ ମାଡ଼ାମ ! କିନ୍ତୁ-ଫିନ୍ତୁ କିଛି ମୁଁ ଶୁଣିବି ନାହିଁ l ନିଜର ଉପସ୍ଥିତ ବୁଦ୍ଧିବଳରେ ଆମକୁ ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ, ଓକେ ?"

-"ତେବେ ମୋ ସହିତ ଆଉ କିଏ କିଏ ରହିବେ ?"

-"ମୁଁ ତ ସବୁବେଳେ ଆପଣଙ୍କ ପାଖେପାଖେ ଥିବି l ଯେହେତୁ ମୁଁ କମ୍ପାନୀର ଜି.ଏମ, ତେଣୁ କମିଟି ମେମ୍ବରଙ୍କ ସହିତ ମିଶିବା ମୋ ପକ୍ଷେ ସମ୍ଭବପର ହେବନାହିଁ l

ଆପଣ ବି ଜାଣି ଜାଣି ସମସ୍ତଙ୍କଠାରୁ ଦୂରେଇ ରହୁଥିବେ, କିନ୍ତୁ ନଜର ରଖିଥିବେ, କେତେବେଳେ କ'ଣ ଘଟୁଛି l ଆମକଥା ଯଦି କିଛି ଆଲୋଚନା ହେଲା, ତେବେ ତା'ର ସାରାଂଶ ମୋତେ ଜଣାଉଥିବେ, କାମ ବୋଲି ଏତିକି l"

-"ଠିକ ଅଛି ସାର୍l କାଲି ମୁଁ କେତେବେଳେ ସେଠିକି ଯିବି ?"

-'ହଁ ଶୁଣନ୍ତୁ, ଦୁଇଟା ଗାଡ଼ି ଆମ ଡିସପୋଜରେ ରହିଛି l କାଲି ତିନିଟାରୁ ଚାରିଟା ଭିତରେ ଆପଣ ଗେଷ୍ଟହାଉସକୁ ଚାଲିଯିବେ l ମୁଁ ସିଧା ଏୟାରପୋର୍ଟକୁ ଚାଲିଯାଇଥିବି l ସେଇଠୁ ତାଙ୍କୁ ଫଲୋକରି ମୁଁ ଗେଷ୍ଟହାଉସରେ ପହଞ୍ଚିବି l ସେମାନେ ଯେଉଁଠି ରହିବେ, ସେ ରୁମଗୁଡ଼ାକ ଠିକଠାକ ଅଛି କି ନାହିଁ, ଟିକେ ଆଗତୁରା ଦେଖି ନେଇଥିବେ l ଯଦିକିଛି ଅସୁବିଧା ଅନୁଭବ କରନ୍ତି, ତେବେ କେୟାର ଟେକରଙ୍କ ନଲେଜକୁ ଆଣିବେ l ଆପଣ ଆମ କମ୍ପାନୀ ତରଫରୁ ଆସିଛନ୍ତି ବୋଲି ଵେଶିଲୋକ ଯେମିତି ନ ଜାଣନ୍ତି l ଟିକେ ହୁସିଆର ଥିବେ l"

-"କିନ୍ତୁ ସେଇଠି ତ ସରକାରୀଲୋକ ଥିବେ ସାର୍l"

-"ଛାଡ଼ନ୍ତୁ ତାଙ୍କକଥା l ସେମାନଙ୍କର ତ କିଛି ଦାୟିତ୍ୱ ନ ଥାଏ, ତେଣୁ ସେମାନେ ଭିଜିଲାଣ୍ଟ ନ ଥା'ନ୍ତି l ଦରକାର ବେଳେ ଖୋଜିଲେ ବି ସେମାନେ ମିଳନ୍ତି ନାହିଁ l ନାମକୁ ମାତ୍ର ସେମାନେ ଡିଉଟି କରନ୍ତି l କେହି ଜଣେ ଅଧେ ଆକଟିଭ ଅଫିସାର୍ଥିଲେ, ତାଙ୍କଠାରୁ ଟିକେ ଦୂରେଇ ରହିଲେ ଗଲା l"

-"ହଉ ସାର୍! ବୁଝିଗଲି, ଆପଣ ନିଶ୍ଚିନ୍ତ ରୁହନ୍ତୁ l ମୁଁ ଠିକ ସମୟରେ ସେଇଠି ପହଞ୍ଚି ସବୁକାମ ଦେଖିନେବି l"

ତା' ପରଦିନ ବିଜୟିନୀ ଦେବୀ ଗେଷ୍ଟହାଉସରେ ପହଞ୍ଚି ଦେଖିଲେ, କେହି ବି ଜଣେ ସରକାରୀ ଅଫିସର୍ ନାହାନ୍ତି l ଗେଟ କିପର ଓ ଗେଷ୍ଟହାଉସ କେୟାର ଟେକରଙ୍କୁ ଦେଖାକରି ସେ ଭି.ଆଇ.ପି ରୁମଗୁଡ଼ିକୁ ବୁଲି ଦେଖିନେଲେ l ସରକାରଙ୍କ ଦ୍ୱାରା ପରିଚାଳିତ ଅନ୍ୟ ଗେଷ୍ଟହାଉସ ଭଳି ସେଗୁଡ଼ିକ ମଧ୍ୟ ସେଇମିତି ଅବସ୍ଥାରେ ଥିଲା l ଅଧିକ କିଛି ବ୍ୟବସ୍ଥା ନ ଥିଲା, ତଥାପି ଚଳିବ l ଏବେ ତ ଆଉକିଛି କରିହେବ ନାହିଁ l ସେ ମୋବାଇଲ ଫୋନ ଖୋଲି ଦେଖିଲେ, ଆଉ ଅଳ୍ପ ସମୟ ଭିତରେ କମିଟି ମେମ୍ବରମାନେ ଆସି ପହଞ୍ଚିଯିବେ l ସେ ଫେରିଆସି ଗେଟ ବାହାରେ ଅପେକ୍ଷା କଲେ l ଧୀରେଧୀରେ ସୁରକ୍ଷା କର୍ମୀମାନେ ମଧ୍ୟ ଆସି ନିଜ ନିଜର ଡିଉଟି ଆରମ୍ଭ କରିଦେଲେ l

ଠିକ ସମୟରେ କମିଟି ମେମ୍ବରମାନଙ୍କର ଗାଡ଼ିଗୁଡ଼ିକ ଆସି ଗେଷ୍ଟହାଉସ ଗେଟ ଭିତରେ ପଶିଲା l ଶେଷରେ କମିଟି ଅଧ୍ୟକ୍ଷଙ୍କ ଗାଡ଼ି ମଧ୍ୟ ଆସିଲା l କିନ୍ତୁ ହଠାତ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ଗାଡ଼ି ଗେଟପାଖରେ ଅଟକିଗଲା l ଗାଡ଼ିର ଦରଜା ଖୋଲି ଅଧ୍ୟକ୍ଷ ମହାଶୟ ତଳକୁ ଓହ୍ଲାଇ ଆସି ବିଜୟିନୀ ମାଡ଼ାମଙ୍କ ପାଖକୁ ଚାଲିଯାଇ ତାଙ୍କୁ କହିଲେ-"ଆରେ ବିଜୟିନୀ ! ତମେ ବି ଆସିଛ ? ଭିତରକୁ ଚାଲ, ତମ ସହିତ ମୋର ବହୁତ କଥା ଅଛି l"

ବିଜୟିନୀ ମାଡ଼ାମ ନିଜଆଖିକୁ ବିଶ୍ୱାସ କରିପାରୁ ନ ଥିଲେ ଯେ, ତାଙ୍କର ମନର ମଣିଷ ବୈଜୟନ୍ତ ବାବୁ ଏବେ ତାଙ୍କ ଆଗରେ ଠିଆ ହେଇଛନ୍ତି l ଛାତିଟା ତାଙ୍କର ଧଡ଼ପଡ଼ ହେଉଥିଲା l ସେ କ'ଣ କହିବେ, କ'ଣ କରିବେ, କିଛି ସ୍ଥିର କରିପାରୁ ନ ଥିଲେ l ସେ ମଥା ନୁଆଇଁ ତାଙ୍କୁ ପ୍ରଣାମ ଜଣାଇଲେ l ତାଙ୍କର ମନକଥାକୁ ବୈଜୟନ୍ତ ବାବୁ ଠିକଭାବରେ ବୁଝି ପାରୁଥିଲେ l

ଗାଡ଼ିର ଡ୍ରାଇଭରକୁ ସେ ନିର୍ଦ୍ଦେଶ ଦେଲେ ଆଗକୁ ଚାଲିଯିବାକୁ l ସେ ବିଜୟିନୀ ମାଡ଼ାମଙ୍କ ସହିତ ଚାଲିଚାଲି ଗେଷ୍ଟହାଉସ କନଫରେନ୍ସ ହଲ ପର୍ଯ୍ୟନ୍ତ ଗଲେ l ଅନ୍ୟ ଅଫିସର୍ ଓ କର୍ମଚାରୀ ତଥା ସିକ୍ୟୁରିଟି ଷ୍ଟାଫ ନିରବ ଦ୍ରଷ୍ଟା ପାଲଟି ଯାଇଥିଲେ l ଦୂରରୁ ଥାଇ ଏ'ଦୃଶ୍ୟ ଦେଖି ଜି.ଏମ ମହାନ୍ତି ବାବୁ ଅବାକ ହେଇଯାଇଥିଲେ l

କନଫରେନ୍ସ ହଲରେ ସମସ୍ତଙ୍କୁ ସ୍ୱାଗତ କରାଗଲା l ତା'ପରେ ଜଳପାନର ବ୍ୟବସ୍ଥା ହେଲା l ଅଧ୍ୟକ୍ଷ ମହାଶୟ ସମସ୍ତଙ୍କୁ ବିଜୟିନୀ ମାଡ଼ାମଙ୍କର ସହିତ ପରିଚୟ କରାଇଦେଇ କହିଲେ-"ଏହି ମାଡ଼ାମ ହେଉଛନ୍ତି, ମୋର ଅତି ଘନିଷ୍ଠ ସମ୍ପର୍କୀୟା l ବହୁତ ଦିନପରେ ଆଜି ଦେଖାହେଇଛି, ମୋତେ ଆଜି ଭାରି ଖୁସି ଲାଗୁଛି l" 

ବେଶ ସେତିକି ପରିଚୟ ତାଙ୍କ ପାଇଁ ତ ଯଥେଷ୍ଟ ଥିଲା l କମିଟିର ସମୀକ୍ଷା ବୈଠକ ଆରମ୍ଭ ହେବାରୁ ବିଜୟିନୀ ମାଡ଼ାମ ବାହାରକୁ ଚାଲି ଆସିଲେ l

ବାହାରେ ଜି.ଏମ ମହାନ୍ତି ବାବୁ ଅପେକ୍ଷା କରି ଠିଆହେଇ ରହିଥିଲେ l ତାଙ୍କ ପାଖକୁ ଆସି ବିଜୟିନୀ ମାଡ଼ାମ କହିଲେ -"ସାର୍! ଆଶ୍ଚର୍ଯ୍ୟର କଥା, କମିଟିର ଅଧ୍ୟକ୍ଷ ବୈଜୟନ୍ତ ବାବୁ ହେଉଛନ୍ତି- ଆମ ଘରର ନିଜଲୋକ l ମାନେ-ହିସାବରେ ସେ ଏବେ ମୋର ଭିଣୋଇ ହେବେ l ଦିନଥିଲା, ସେ ମୋର ସବୁକିଛି ଥିଲେ l ଯାହାହେଉ ମୁଁ ଜାଣେ, ସେ ଜଣେ ଅତି ସଚ୍ଚୋଟ ଆଉ ନୀତିବାନ ଭଦ୍ରବ୍ୟକ୍ତି l ଏହା ଭିତରେ ସେ ଏତେ ଉଚ୍ଚକୁ ଚାଲିଗଲେଣି ବୋଲି ମୁଁ ଜାଣି ନ ଥିଲି l ତାଙ୍କ ନିକଟରେ ଆମ ପରିବାର ୠଣୀହେଇ ରହିଯାଇଛି l ସେ ଆମମାନଙ୍କୁ ମଣିଷ କରିଛନ୍ତି l ବହୁତ ଭଲଲୋକ l ଏଥର ଆମର ଆଉକିଛି ଅସୁବିଧା ନାହିଁ l"

-"ଖୁବ ଭଲହେଲା, ଏଇ ଶୁଭ ଖବରଟା ମୁଁ ଫୋନଯୋଗେ ଏମ.ଡି ସରଙ୍କୁ ମୁଁ ଜଣେଇଦେବି l ଏଥର ଆପଣଙ୍କର ପ୍ରମୋସନଟା ଗ୍ୟାରେଣ୍ଟି ହେଇଗଲା ବୋଲି ଜାଣନ୍ତୁ l ଆପଣ ତାଙ୍କର ମିଟିଂର ଖବର ରଖୁଥିବେ l ମୋତେ ଜଣାଉଥିବେ l"

ସମୀକ୍ଷା ବୈଠକ ଶେଷ ହେଉହେଉ ବିଜୟିନୀ ମାଡ଼ାମଙ୍କୁ ଡାକରା ଆସିଲା l ସେ ଅତ୍ୟନ୍ତ ସନ୍ତର୍ପଣରେ ଅଧ୍ୟକ୍ଷଙ୍କ ରୁମରେ ପଶିଲେ l ତାଙ୍କୁ ଦେଖୁଦେଖୁ ବୈଜୟନ୍ତ ବାବୁ ଚୌକିରୁ ଉଠିପଡ଼ି ତାଙ୍କୁ ପାଛୋଟି ନେଇଗଲେ l ଘରର ଭଲମନ୍ଦ ପଚାରି ଶେଷରେ ତାଙ୍କ ବୈବାହିକ ଜୀବନ କଥା ପଚାରିଦେଲେ l

ଅତୀତର ଘଟଣାବଳୀ ବିଜୟିନୀ ଦେବୀଙ୍କୁ ଆଚ୍ଛନ୍ନ କରି ରଖିଥିଲା l ସେ କୋହ ସମ୍ଭାଳି ପାରିଲେ ନାହିଁ l ତାଙ୍କର ଦୁଇ ଆଖିରୁ ଲୁହର ବର୍ଷା ଦେଖି ବୈଜୟନ୍ତ ବାବୁ ଅତ୍ୟନ୍ତ ବ୍ୟସ୍ତ ହେଇପଡ଼ିଲେ l ସେ ଉଠିଯାଇ ନିଜ ରୁମାଲରେ ତାଙ୍କ ଲୁହକୁ ପୋଛି ପକାଇ କହିଲେ- "ଯାହା ତ ହେବାର ସେ ସବୁ ହେଇଯାଇଛି, ତାହା ଆଉ ଫେରି ପାରିବ ନାହିଁ l ତମେ ତ ସେଦିନ ନିଜର ମନକଥା ମୋତେ ଖୋଲି କିଛି ବି କହିଲ ନାହିଁ, କିମ୍ବା ଅନ୍ୟ ମାଧ୍ୟମରେ ବି ମୋତେ କିଛି ଜଣାଇଲ ନାହିଁ l ମୁଁ ଆଉ କ'ଣ କରି ପାରିଥାନ୍ତି ?" 

ସେପଟେ ତମର ମାଉସୀ ଝିଅ ଭଉଣୀ ସହିତ ମୋର ବାହାଘର ଠିକ ହେଇଗଲା l ମୁଁ ପରେ ଜାଣିଲି, ତମେ ମୋତେ ଭଲ ପାଉଥିଲ l ପୁଣି ଅତ୍ୟନ୍ତ ନିଷ୍ଠୁର ଶପଥଟାଏ କରି ରହିଥିଲ, ମୋତେ ବାହା ହେଇପାରି ନ ଥିବାରୁ ଆଉ କେବେ ବି ବାହା ହେବନାହିଁ l ତମେ ସେହି ଶପଥଟାକୁ ପୁଣି ଦଶବର୍ଷ ଧରି ମୁଣ୍ଡେଇ ଚାଲିଛ ?"

-"ଆପଣ ତ ଜଣେ ନୀତିବାନ ଆଉ ନ୍ୟାୟଵାନ ମଣିଷ l ଅନେକ ନୀତି ଆଉ ନ୍ୟାୟ କଥା ଆପଣ ମୋତେ ଶିଖାଇଛନ୍ତି l ଏବେ ମୋତେ କୁହନ୍ତୁ, ମଣିଷର ଦେହଟା ସିନା ମାରା ହେଇଗଲେ, ତାକୁ ମାଜି-ଧୋଇଦେଲେ, ସେ ପୁଣି ପଵିତ୍ର ହେଇଯିବ, କିନ୍ତୁ ଯଦି ତା'ର ମନଟା ଥରେ ମାରା ହେଇଯାଏ, ତାକୁ କ'ଣ କେବେ ମାଜି-ଧୋଇ ପବିତ୍ର କରିପାରିବ ? ମୋର ମନଟାକୁ ତ ଆପଣ ମାରା କରିଦେଇ ସାରିଛନ୍ତି l ତେଣୁ ଏ'ଅଇଁଠା ତନୁ-ମନ ସବୁକିଛି ସବୁଦି ପାଇଁ ଆପଣଙ୍କର ହେଇ ରହିଯାଇଛି l ଆଉ କାହାକୁ ପୁଣି କେମିତି ବାହା ହେଇଥା'ନ୍ତି ? ମୁଁ ଅହଲ୍ୟା ପରି ପାଷାଣୀହେଇ ଅପେକ୍ଷା କରି ରହିଛି, ନିଶ୍ଚୟ ଦିନେ ମୋର ପ୍ରଭୁ ଶ୍ରୀରାମ ଆସି ମୋତେ ଛୁଇଁଦେଇ ଅଭିଶପ୍ତ ଗନ୍ଧର୍ବ କନ୍ୟା ଭଳି ମୁକ୍ତ କରିଦେବେ l ବୋଧହୁଏ, ଆଜି ସେଇଦିନଟି ମୋ ପାଇଁ ଆସି ପହଞ୍ଚିଛି l ମୁଁ ଆଜି ନିଶ୍ଚୟ ମୁକ୍ତି ପାଇଯିବି l"

-"ଏବେ ତମେ ମୋଠାରୁ କ'ଣ ଆଶା କରୁଛ, ବିଜୟିନୀ ?"

-ସବୁକିଛି l ମୁଁ ଜାଣେ, ଆପଣ ଜଣେ ନ୍ୟାୟଵାନ ଆଉ ନୀତିବାନ ମଣିଷ l ମୋତେ ଆପଣଙ୍କଠାରୁ ଉପଯୁକ୍ତ ନ୍ୟାୟ ଆଉ ପ୍ରାପ୍ୟ ଦରକାର l"

-ତମକୁ ନ୍ୟାୟ ଆଉ ପ୍ରାପ୍ୟ ଦେବା କ'ଣ ଆଉ ମୋ ପକ୍ଷେ ସମ୍ଭବ ? ଏବେ ମୁଁ ଯାହା କିଛି କରିବି, ସେ ସବୁ ଅନ୍ୟମାନଙ୍କ ଦୃଷ୍ଟିରେ କେବଳ ଅନ୍ୟାୟ, ପାପ ଆଉ ଅନୀତି ହିଁ ହେବ l"

-ମୁଁ କିନ୍ତୁ ମୋ ଶପଥରେ ଅଟଳ ରହିଛି, ମୋର ଅଇଁଠା ମନକୁ ଆଜିଯାଏ ମୁଁ ଅନ୍ୟ କାହାରିକୁ ଦେଇପାରି ନାହିଁ କି ଭବିଷ୍ୟତରେ ଦେଇପାରିବି ନାହିଁ l ଏବେ ଆପଣଙ୍କ ବିବେକ ଅଦାଲତରେ ଆମର ଦୁଇଟି ମନର ବିଚାର କରନ୍ତୁ l"

-"ମୁଁ ତମର ମନତଳର ଗଭୀର କ୍ଷତକୁ ଦେଖି ପାରୁଛି ବିଜୟିନୀ l ତମେ ନିଶ୍ଚୟ ନ୍ୟାୟ ଏବଂ ପ୍ରାପ୍ୟ ପାଇଯିବେ l ଏଥିପାଇଁ ମୋତେ ଆଉ ଗୋଟିଏ ମାସ ସମୟ ଦିଅ l

-"ଗୋଟିଏ ମାସ ନୁହେଁ, କୋଟିଏ ବର୍ଷ ଲାଗୁପଛେ ମୋତେ ଆପଣ ନିଶ୍ଚୟ ଉଚିତ ନ୍ୟାୟଦେବେ ବୋଲି ମୋର ଗଭୀର ବିଶ୍ୱାସ ଆପଣଙ୍କ ଉପରେ ରହିଛି l ଆଜି ତ ରାତି ଢେରବେଶି ହେଇଗଲାଣି l ମୁଁ ଆପଣଙ୍କର ଡାକରା ପାଇଲେ, ପୁଣି କେବେ ଆସିବି l ଏବେ ଆସୁଛି, ନମସ୍କାର l"

ବିଜୟିନୀ ମାଡ଼ାମ ସିନା ସେହି ରାତିରେ ସେଇଠୁ ଚାଲିଗଲେ, କିନ୍ତୁ ବୈଜୟନ୍ତ ବାବୁଙ୍କ ମୁଣ୍ଡରେ ସେ ଏକପ୍ରକାର ସବାର ହେଇ ରହିଗଲେ l ସେ ସାରାରାତି ଗଭୀର ମାନସିକ ଯନ୍ତ୍ରଣା ପାଇଲେ l ନିଜର ବିବେକ ଅଦାଲତରେ ବିଚାର କରି ସେ ଜାଣି ପାରିଲେ-" ବିଜୟିନୀର ଏହି ଅବସ୍ଥା ପାଇଁ ପ୍ରକୃତରେ ମୁଁ ହିଁ ଦାୟୀ l ମୁଁ ଦିନେ ତା' ପିତାମାତାଙ୍କୁ କଥା ଦେଇଥିଲି, ଯଦି ବାହାହେବି କେବଳ ବିଜୟିନୀକୁ, କିନ୍ତୁ ବିଜୟିନୀ ଜିତି ଯାଇ ବିଜୟୀ ହେଇଯାଇଛି l ପ୍ରକୃତରେ ତା' ପ୍ରତି ଅନ୍ୟାୟ ହୋଇଛି l ଗୋଟାଏ ନାରୀର ଜୀବନ ଆଉ ଯୌବନ ତାଙ୍କରି ପାଇଁ ହିଁ ଡହଳ ବିକଳ ହେଉଛି l

ଏତିକିବେଳେ ଦିଲ୍ଲୀରୁ ପତ୍ନୀଙ୍କର ଫୋନ ଆସିଗଲା l ସେ ପ୍ରଥମେ ଜଣାଇଦେଲେ- "ଆଜି ଏଇଠି ବିଜୟିନୀ ସହିତ ମୋର ଭେଟ ହେଲା l ସେ ବିଚାରୀ ଆଜିଯାଏ, ସେଇମିତି ଅବିବାହିତା ରହିଛି l ତା' ସହିତ ଅନେକ ସମୟ କଥାହେଲି l ବିଚାରୀର ଦୁଃଖଦେଖି ମୁଁ ଅତ୍ୟନ୍ତ ମର୍ମାହତ l ତା' ଯୁକ୍ତି ନିକଟରେ ମୁଁ ଆଜି ସତରେ ହାରି ଯାଇଛି l ତମର ସେ ଭଉଣୀ, ତମେ ତ ସବୁକଥା ଜାଣିଛ l ସତରେ ମୁଁ ତା'ପ୍ରତି ଘୋର ଅନ୍ୟାୟ କରିଛି, ସେଥିପାଇଁ ମୋତେ ନିଶ୍ଚୟ କେଉଁ ଜନ୍ମର ପ୍ରାଯଶ୍ଚିତ କରିବାକୁ ପଡ଼ିବ l"

  ସେପଟରୁ ପତ୍ନୀ ଜଣାଇଲେ-"ତମେ କେମିତିକା ମଣିଷ, ସେ କଥା ମୋ'ଠାରୁ କେହି ଅଧିକ ଜାଣି ନାହାନ୍ତି l ସେଇମିତି ବିଜୟିନୀଙ୍କୁ ମଧ୍ୟ ମୁଁ ଭଲ ଭାବରେ ଜାଣେ l ତା'ର ତ୍ୟାଗ ଆଉ ସହନଶୀଳତାକୁ ମୁଁ ସ୍ୱୀକାର କରେ l ଏବେ ଗୋଟିଏ କାମକର, ଭୁବନେଶ୍ୱରରୁ ଫେରିଲାବେଳେ ତାକୁ ସାଙ୍ଗରେ ଏଠିକି ନେଇଆସ l ଏଇଠି ମୁଁ ଯାହା କରିବାର କଥା, ସେ କାମ କରିବି l"

-"ତମେ ସେଇଠି କ'ଣ କରିବ"?

-"ତୁମ ଦୁଇଜଣଙ୍କର ହାତଗଣ୍ଠି ପକେଇଦେବି l ଏଥିରେ ମୋର କୌଣସି ଆପତ୍ତି କିମ୍ବା ଅଭିଯୋଗ ନାହିଁ l ସେ କାହିଁକି ସାରା ଜୀବନ ଏମିତି ଜଳିପୋଡ଼ି ମରିବ l ସାରା ଜୀବନ ଆମ ଉପରେ ଅଭିଶାପ ଢାଳୁଥିବ ? ସେ ମୋ ପାଖରେ ସବୁଦିନ ପାଇଁ ରହିବ, ହେଲା l

-"ତମେ ଏମିତି କ'ଣ କହୁଛ ? ମୁଁ ପରା ଜଣେ ସରକାରୀ ଚାକିରିଆ l ସେମିତି ହେଲେ, ଗୋଟାଏ ଦିନରେ ମୋ ଚାକିରିଟା ଚାଲିଯିବ l"

-"କିଛି ହେବନାହିଁ, ସେ କଥା ମୁଁ ବୁଝିବି l ଆମେ ଦୁଇ ଭଉଣୀ ନିଶ୍ଚୟ ଏଇଠି ଭଲରେ ରହିପାରିବୁ l କାଲି ତା' ସହିତ କଥାହେଇ ମୋତେ ଫୋନରେ ଜଣାଇବ l ଏବେ ଫୋନ ରଖିଲି l"

ଏତେଶୀଘ୍ର ଏତେବଡ଼ ଘଟଣାଟା ଘଟିଯିବ, ଏ'କଥାକୁ ବୈଜୟନ୍ତ ବାବୁ ବିଶ୍ୱାସ କରିପାରୁ ନ ଥିଲେ l ଯାହା ସେ କଳ୍ପନା କରିପାରୁ ନ ଥିଲେ, ତାହା ହେଇଯିବାକୁ ଯାଉଛି l ଅବଶ୍ୟ ବିଜୟିନୀ ପ୍ରତି ତାଙ୍କର ଦୁର୍ବଳତା ଥିଲା l ତା' ସହିତ ସେ ଅନେକ ନିରୋଳା ମୁହୂର୍ତ୍ତ କାଟିଛନ୍ତି, କିନ୍ତୁ ବିଧିର ବିଧାନ ଥିଲା ଅଲଗା l ସବୁ ତ ଓଲଟ ପାଲଟ ହେଇଗଲା l

ତା'ହେଲେ ସତରେ କ'ଣ ଆଜି ପାଷାଣୀ ଅହଲ୍ୟାର ତପସ୍ୟା ସିଦ୍ଧି ହେଇଗଲା କି ? ଏମିତି ଅଡୁଆ ସୂତାରେ ଛନ୍ଦିହେଇ ତାଙ୍କର ସେହି ରାତିଟା ଏମିତି ଏମିତି ଚାଲିଗଲା l ତା'ପରଦିନ ସନ୍ଧ୍ୟାରେ ଖବର ପାଇଁ ବିଜୟିନୀ ମାଡ଼ାମ ଆସିଲେ, କିନ୍ତୁ ଗତକାଲି ପରି ସେ ବୈଜୟନ୍ତ ବାବୁଙ୍କ ଆଖିକୁ ଦିଶୁ ନ ଥିଲେ l

ତାଙ୍କ ଠାରୁ ସବୁ କଥା ଶୁଣି ସାରି ପତ୍ନୀ ଦେଇଥିବା ପ୍ରସ୍ତାବକୁ ସେ ପ୍ରତ୍ୟାଖ୍ୟାନ କରି କହିଲେ-"ମୁଁ ଏବେ ଆଉ ବିବାହ କରିବାକୁ ଚାହେନାହିଁ l ଆପଣଙ୍କର ନ୍ୟାୟ ଆଉ ନୀତିକୁ କେବଳ ପରୀକ୍ଷା କରୁଥିଲି ମ ! ମାତ୍ର ଆପଣ ଏଥିରେ ଆଜି ଜିତି ଯାଇଛନ୍ତି l ମୋର ସବୁ ଅଭିଶାପରୁ ଏବେ ଆପଣ ମୁକ୍ତହେଇ ଯାଇଛନ୍ତି l କେବଳ ଏତିକି ମାତ୍ର ଆପଣଙ୍କ ତୁଣ୍ଡରୁ ଶୁଣିବାକୁ ଚାହୁଁଥିଲି, ସେତିକି ଶୁଣିଦେଲି l ଏବେ ମୁଁ ବି ମୁକ୍ତି ପାଇଗଲି l ମୋ ଭଉଣୀକୁ ମୁଁ ଭଲକରି ଜାଣେ, ସେ ମୋ ପ୍ରତି ଚିର ଉଦାର l ତା'ର ତ୍ୟାଗ ଆଉ ସାହସକୁ ମୋତେ ଆଜି ପ୍ରଶଂସା କରିବାକୁ ପଡ଼ିବ l ତା' ପ୍ରତି ମୋର ଶ୍ରଦ୍ଧା ଆଉ ସମ୍ମାନ ଏଇମିତି ରହିଥିବ l ଆପଣ ଜାଣି ଖୁସିହେବେ, ମୁଁ ଯୋଡ଼ାର ଖଣି ଅଞ୍ଚଳରେ ଗୋଟାଏ ଅନାଥ ଆଶ୍ରମ ଖୋଲି ସେଥିରେ ଥିବା ପଚାଶ ଜଣ ଛୁଆଙ୍କର ମାଆହେଇ ସାରିଛି l

ଏତେବଡ଼ ସଂସାରକୁ ଛାଡ଼ି ମୁଁ ଆପଣଙ୍କ ସାଙ୍ଗରେ କେବେ ବି ଯାଇ ପାରିବି ନାହିଁ, କି ଆପଣଙ୍କର ସୁନା ସଂସାରକୁ ଭାଙ୍ଗି ଦେଇପାରିବି ନାହିଁ l ଆପଣଙ୍କର ପିଲାମାନେ ହେଉଛନ୍ତି, ମୋ ଭଉଣୀର ପିଲା, ସେମାନେ ବି ମୋର ପିଲା l ଦିଦିଙ୍କର ଉଦାରତା ଓ ମହାନତା ନିକଟରେ ମୁଁ ଚିରଦିନ ପାଇଁ ୠଣୀହେଇ ରହିଗଲି l ବଞ୍ଚିଥିବା ଯାଏ, ତାକୁ ମୁଁ ପ୍ରଶଂସା କରି ଚାଲିଥିବି l ଆପଣ ଏମିତି କେବେ ଆସିଲେ, ମୋ ସହିତ ଭେଟୁଥିବେ l ମୋ ଭଉଣୀକୁ ମଧ୍ୟ ସାଙ୍ଗରେ ନେଇ ଆସୁଥିବେ l ଆମ ଅନାଥ ଆଶ୍ରମକୁ ଆସି ପିଲାଙ୍କୁ ଟିକେ ଦେଖିଦେଇ ଯିବେ, ସେଇହେବ ଆପଣଙ୍କର ମୋ ପାଇଁ ମହାର୍ଘ ପ୍ରେମ l"

ସ୍ପଷ୍ଟବାଦିନୀ ବିଜୟିନୀର କଥା ଶୁଣି ସ୍ତମ୍ଭୀଭୂତ ହେଇଯାଇଥିଲେ-ବୈଜୟନ୍ତବାବୁ l ବିଜୟିନୀ ଦେବୀଙ୍କୁ ସେ କିଭଳି ଧନ୍ୟବାଦ ଦେଇ ପ୍ରଶଂସା କରିବେ, ସ୍ଥିର କରି ପାରୁ ନଥିଲେ l



Rate this content
Log in

Similar oriya story from Romance