ଘଟ ଛୁଟିବାର ବେଳ
ଘଟ ଛୁଟିବାର ବେଳ
" ମୁଁ କହୁଛି ପରା ତୁ ବାହାରିଯା',ଅଥଚ ତୁ ଯାଉନୁ କାହିଁକି? "
ଦିନେ ଅତି ବିରକ୍ତ ହୋଇଯିବା ପରେ ଶରୀର ଆତ୍ମାକୁ ଏତିକି କହିଲା।
ରକ୍ତ ମାଂସରେ ଗଢା ସେ।କେତେ ସହିବ!ଭାବୁଥିଲା ଯେମିତି ଆତ୍ମା ବାହାରିଗଲେ ତା'ର ସବୁ ଠିକ୍ ହୋଇଯିବ।ତାକୁ ଚିର ଶାନ୍ତି ମିଳିଯିବ।କିନ୍ତୁ ଯାଉ ନ ଥିଲା ଆତ୍ମା।ଶେଷରେ ବିରକ୍ତ ହୋଇ ତାକୁ ମୁହେଁ ମୁହେଁ ଏତିକି ଶୁଣାଇଥିଲା ସେ।
ଆତ୍ମା କୋଉ କମ୍ କି!ଶରୀରର କଥା ଶୁଣି ନିଶକୁ ମୋଡି ହେଁ ହେଁ ହୋଇ ହସିଲା।କହିଲା - " ମୋ ପ୍ରତି କାହିଁକି ଏତେ ଘୃଣା ? "
- " ଦୁଃଖ, କଷ୍ଟ ମୋତେ ଆଉ ଭଲଲାଗୁନି।ଖୁବ୍ ସହିଲି।ସେଥିପାଇଁ କହୁଛି ତୁ ବାହାରିଯାଆ।ମୋତେ ମୁକ୍ତି ମିଳିଯାଉ। " ଶରୀର ପୁଣି କହିଲା।
- " କାହିଁକି ?ଆଉ କିଛି ଦିନ ତୁ ରହୁନୁ!ଏମିତି ଛାନିଆ ହେଉଛୁ?ତୋ ସାଙ୍ଗରେ ରହିବାକୁ ପରା ମୋର ଇଚ୍ଛା। " ଆତ୍ମା କହିଲା।
- " ରହିବି ? କାହିଁକି ରହିବି ? କ'ଣ ଅଛି କି ଏଠି?କେଉଁ ସୁଖରେ ରହିବି?ଦେଖୁଛି ମୋ ପରି ଜଣେ ଦୁଃଖୀ ମଣିଷ ପାଖରେ ରହିବାକୁ ତୋର ଭାରି ଇଚ୍ଛା ? " ଶରୀର କହିଲା।
ଆତ୍ମା ପୁଣି ହେଁ ହେଁ ହୋଇ ହସିଲା।
- " ମୋତେ ଲାଗୁଛି ତୁ ବୋଧହୁଏ ମୋ ଜୀବନ ନାଟକର ସୂତ୍ରଧର।ସତେ କେଡ଼େ ଅଦ୍ଭୁତ ସୁନ୍ଦର ପକ୍ଷୀଟିଏ ପରି ତୁ!ପଞ୍ଜୁରି ଖୋଲିଦେଇ ଉଡିଯିବାକୁ କହିଲେ ବି,ଉଡି ଯାଉ ନ ଥିବା ପକ୍ଷୀ ପରି କାହିଁକି ହେଉଛୁ?କ'ଣ ତୋର ଇଚ୍ଛା ? " ଶରୀର ପୁଣି କହିଲା।
ଶରୀରର ଏଇ କଥା ଶୁଣି ଆତ୍ମା କେମିତି ଗୋଟେ ତେରେଛା ନଜରରେ ତାକୁ ଚାହିଁଲା।
ଶରୀର ଏଥର ରାଗିଗଲା।କହିଲା - " ଆଚ୍ଛା, ମୋ ଉପରେ କାହିଁକି ତୋର ଏମିତି ନଜର?ମୋ କଥା ଭାବିବାକୁ,ମୋ ଦୁଃଖ ଦେଖିବାକୁ ତୋ ପାଖରେ ତ ବେଳ ନ ଥାଏ।ମୋତେ ଏଭଳି ହଲାପଟା କରିବାକୁ ତୋତେ କ'ଣ ଭଲଲାଗୁଛି ? "
ମୁର୍କି ହସିଦେଇ ଆତ୍ମା କହିଲା - " କ'ଣ କହିବାକୁ ଚାହୁଁ ତୁ?କାହିଁକି ଏତେ ରାଗ?କିଛି ଅପରାଧ କରିଛି ? "
- " ମୋର କହିବାର କଥା, ମୋତେ ଛାଡିଦେବା ଭଲ ହେବ।ଯେତେ ଶୀଘ୍ର ପାରୁଛୁ ବାହାରିଯା'।ଅନ୍ୟ ଘରକୁ ଚାଲିଯା'। " ଶରୀର ରୋକଠୋକ୍ କହିଲା।
- " ଠିକ୍ ଅଛି।ମୁଁ ବାହାରିଯିବି।କାରଣ ଜାଣିପାରେ କି ?ତିନି, ପାଞ୍ଚ ନ ହେଲା ନାହିଁ, ଗୋଟିଏ ତ କହ। " ଆତ୍ମା ବୁଝାଇବା ଭଙ୍ଗୀରେ କହିଲା।
ଶରୀର ପୁଣି ରାଗିଗଲା।କହିଲା - " ଦେଖୁଛି ତୋ ମୁହଁକୁ ଲାଜ ନାହିଁ।ତୋର ଆଖି ଅଛିଟି?କିଛି ଦେଖିପାରୁଛୁ ତ ତୁ ? "
- " ମୋ ପାଇଁ ସବୁ ସମାନ।ସୁଖ, ଦୁଃଖର ଫରକ ମୁଁ ବୁଝେନି।ସୁଖରେ ଫୁଲିଉଠେନି କି ଦୁଃଖରେ ଭାଙ୍ଗିପଡେନି।ନିର୍ବିକାର ଭାବରେ ମୁଁ ଥାଏ ସଦାବେଳେ।ତେଣୁ ତୁ କହ।ତୁ ନ କହିଲେ ମୁଁ ଜାଣିବି କେମିତି ? " ଆତ୍ମା କହିଲା।
- " ତେବେ କହୁଛି।ମୋର ମନ ମରିଗଲାଣି।ମତେ ଏ ଦୁନିଆ ଆଉ ଭଲଲାଗୁନି।କାହିଁକି ଭଲଲାଗୁନି ତା'ର ଶହେ କି ହଜାର କାରଣ ମୁଁ କହିପାରିବି।ହେଲେ ସବୁତକ କହି କିଛି ଲାଭ ନାହିଁ।ଅଳ୍ପ କେତୋଟି କହୁଛି।ଶୁଣିନେ'। " ଶରୀର କହିଲା।
ଆତ୍ମାର ମୁହଁରେ ଏଥର ପ୍ରସନ୍ନତା ଶୋଭା ପାଇଲା।ଶରୀରର କଥା ଶୁଣିବାକୁ ସେ ଖୁବ୍ ଆଗ୍ରହୀ ଦିଶିଲା।
ଶରୀର କହିଲା - " ପୁଅ ହତାଦର କରୁଛି, ଏକ।ବୋହୂ ଅଣଦେଖା କରୁଛି, ଦୁଇ।ଶାଶୂଘରେ ଥିବା ଝିଅର ମନରେ ମାଳରେ ମୁଁ ଆଉ ନାହିଁ, ତିନି।ଆଉ ଗୋଟିଏ ପୁଅ ଭଲପାଇ ବାହା ହୋଇଥିଲା ଯେ ତା' ପ୍ରେମକୁ ଗୋଇଠା ମାରି ସେ ବୋହୂ ବାପଘରେ ରହି ମୋତେ ବେଖାତିର୍ କରୁଛି, ଚାରି।ସ୍ତ୍ରୀ ମୋତେ ଅଯୋଗ୍ୟ ଆଖ୍ୟା ଦେଇ ପରକୀୟା ପ୍ରେମରେ ମାତିଛି,ପାଞ୍ଚ।ମୋତେ ରାନ୍ଧିବାଢି ଖାଇବାକୁ ପଡୁଛି, ଛଅ।ଡାଇବେଟିସ, ବ୍ଲଡପ୍ରେସର୍ ମୋତେ କାବୁ କରି ରଖିଛନ୍ତି, ସାତ।ରୋଜଗାରକୁ ଔଷଧ ଖର୍ଚ୍ଚ ବଳିପଡୁଛି,ଆଠ।ଭାଇମାନେ ମୋତେ ବେଦଖଲ କରି ସଂପତ୍ତି ହଡପ କରିବାରେ ଲାଗିଛନ୍ତି, ନଅ।ମୋର ପ୍ରତିଭା,ସର୍ଜନା ଓ ଅବଦାନକୁ ସମାଜ ମୂଲ୍ୟାଙ୍କନ କରୁନାହିଁ, ଦଶ।ଏତିକି କହିଥିବି ନା ଆଉ କହିବି? "
ଶରୀରର ଏତେ ସବୁ କଥା ଶୁଣିବା ପରେ କୋଉଠି କିଛି ଜରୁରୀ କାମ ଛାଡି ଆସିବା ପରି ଆତ୍ମା ତରତର ଦିଶିଲା।ଦିନ ଅବସାନରେ ସନ୍ଧ୍ୟା ଘୋଟିଆସିଲେ ଆକାଶ ଯେପରି ଦିଶେ,ଶରୀରକୁ ଏବେ ଠିକ୍ ସେହିପରି ଦିଶିଲା।ସେ ଟିକିଏ ଶାନ୍ତି ଅନୁଭବ କଲା।ମନେକଲା ଯେମିତି ସବୁ ଦୁଃଖ, ଯନ୍ତ୍ରଣାରୁ ଏବେ ତାକୁ ମୁକ୍ତି ମିଳିଯିବ।
ସତକୁସତ ଆତ୍ମା ଆଉ କିଛି ବି ଓଲଟାଇ କହିଲା ନାହିଁ।ସୁନାପିଲାଟେ ପରି କଥା ମାନି ଶରୀରକୁ ଏକା ଛାଡିଦେଇ ନୀରବରେ ତା' ବାଟରେ ବାହାରିଗଲା।
ଏବେ ଯାହା ପଡି ରହିଥିଲା ତାହା ନିର୍ଜୀବ।ଲୋକେ ତାକୁ ଶବ କହିବାକୁ ଆରମ୍ଭ କରି ଦେଇଥିଲେ।
ଘଟ ଛୁଟିବାର ବେଳ !
