puspanjali das

Abstract Others

3  

puspanjali das

Abstract Others

ଘରଭଙ୍ଗା

ଘରଭଙ୍ଗା

5 mins
254



     ଦିନଯାକର କାମ ସାରି ବେଡ଼ରୁମରେ ଟିଭିଟିକୁ ଲଗାଇଦେଇ ବିଶ୍ରାମ ନେବାକୁ ଯାଉଥିଲା ଅଳକା।ଏତିକିବେଳେ ଶୁନଶାନ ଘରଟିକୁ ଚହଲାଇ ଦେଇ ଚିନୁ, ମିନୁ ପସିଆସିଥିଲେ।ଯାଆଁଳା ଝିଅ ଦୁହିଁଙ୍କର ଅନୁପସ୍ଥିତି ସେ ପୁରା ଦିନଟା ଅନୁଭବ କରିଥିଲା।ସବୁଥରକ ପରି ଦୁହେଁ ଏକ ସାଙ୍ଗରେ କହିଉଠିଥିଲେ, ଅବଶ୍ୟ ବେଳେ ବେଳେ ସେ ଉପରେ ଉପରେ ରାଗିଯାଏ ,ଅତି ଖୁସି ହୋଇଗଲେ ଏକାସାଙ୍ଗରେ କହିପକାନ୍ତି ବୋଲି!ହେଲେ ସେମାନଙ୍କର ଟିକିଏ ହେଲେ ବି ପରିବର୍ତ୍ତନ ନ ଥାଏ,ଆଉ ଅଳକାକୁ ମଧ୍ୟ ସେସବୁ ଖୁବ ଭଲ ଲାଗେ!ଗୋଟିଏ ମନ ନେଇ ଦୁହିଁଙ୍କୁ ବଢ଼ିବା ଦେଖି ସେ ମନେ ମନେ ଠାକୁରଙ୍କୁ ଡାକିପକାଏ।ସେମାନଙ୍କ ଭିତରେ ମନାନ୍ତର କେବେ ନ ହେଉ ବୋଲି ନିତି ପ୍ରାର୍ଥନା କରେ।ଗୋଟିଏ ଦିନର କେଇ ଘଣ୍ଟା ଦୁହେଁ ନ ଥିବାରୁ,ଘରଟା ଖାଁ ଖାଁ ଗୋଡାଉ ଥିଲା ଯେମିତି!

       ଅଳକା ପାଖରେ ଲଥ୍ କରି ବସିପଡି ଦୁହେଁ କହିପକେଇଲେ-ବୋଉ,ଜାଣିଛୁ ଆଜି ଦାଦା ଓ ଖୁଡି ଦିହେଁ ଆମ ଆଈ କଥା ପକାଇଥିଲେ।କେତେ ପ୍ରଶଂସା ତା'ର କରୁଥିଲେ!ସିଏ କେମିତି ସମସ୍ତଙ୍କୁ ଏତେ ଭଲ ପାଉଥିଲା। ତା' ବୋହୁ ମାନଙ୍କର ଢାଲ ଥିଲା ,ଆମ ସମସ୍ତଙ୍କର ବହୁତ କରିଛି..ଏମିତି କେତେ କଣ!ସବୁ ସତ କଥା,ହେଲେ ଦାଦାଙ୍କ ମୁହଁରୁ ଶୁଣି ଭାରି ଖୁସି ଲାଗିଲା!ଖୁଡି ବି ତାଙ୍କ ସାଙ୍ଗରେ ଯୋଡ ଦେଇକି କହୁଥିଲେ।ଆମର ବି ଆଜି ସେକଥା ସବୁ ଶୁଣି ଆଈ କଥା ବହୁତ ମନେ ପଡ଼ିଲା!ସେ ଦୁହିଁଙ୍କ ମୁହଁରୁ ଏତକ ଶୁଣି ଅଳକାର ଭାବନାର ଖିଅଟା ଚାଲିଯାଇଥିଲା ଅନେକ ବର୍ଷ ତଳକୁ...

      ନୂଆ ବୋହୁ ହୋଇ ଆସିବାର ଦିନ କେଇଟା ପରେ ପରେ ଅନନ୍ତ ଓ ଅନଙ୍ଗ ଦୁଇ ଭାଇଙ୍କର ଛୋଟ କଥାରେ ମାନମାଳିନ୍ୟ ଦେଖାଦେଇ ,ଅଭିମାନରେ ଅନଙ୍ଗ ସେମାନଙ୍କ ସାଙ୍ଗରେ ଆସିବାକୁ ଅମଙ୍ଗ ହୋଇ ଗାଁ ରେ ରହିବାର ନିଷ୍ପତ୍ତି ନେଇଥିଲେ।ହେଲେ ଅଳକାର ସ୍ନେହ ଆଦର ବୋଳା କଥା କେଇପଦରେ ସବୁ ଭୁଲି ସାଙ୍ଗରେ କଟକ ଆସିବାକୁ ପୁଣି ରାଜି ହୋଇଯାଇଥିଲେ।ଯଦିଓ ଅଳକାର ସ୍ନେହ,ଶ୍ରଦ୍ଧା ଓ କର୍ତ୍ତବ୍ୟ ବୋଧକୁ ସେଦିନ ଘରେ ଥିବା ବନ୍ଧୁ ବାନ୍ଧବ ଠାରୁ ଘର ଲୋକ ଖୁବ ପ୍ରଶଂସା କରିଥିଲେ,ହେଲେ ସେଇ ମାନେ ପୁଣି ପରେ ଛୋଟ ଛୋଟ କଥାକୁ ବିରାଟ ରୂପ ଦେବାକୁ ପଛେଇ ନ ଥିଲେ!ଅଳକା କିନ୍ତୁ ସେସବୁକୁ ଭ୍ରୁକ୍ଷେପ ନ କରି,ନିଜ ସ୍ନେହ,ଶ୍ରଦ୍ଧା ଓ କର୍ତ୍ତବ୍ୟରେ କେବେହେଲେ ହେଳା କରି ନ ଥିଲା।

      ପିଲାଟିବେଳୁ ଭାଇଭଉଣୀଙ୍କ ଭିତରେ ସବୁଠାରୁ ସାନ ଥିବାରୁ କେବଳ ବଡ଼ମାନଙ୍କ ଠାରୁ ଆକଟ ଶୁଣି ଆସିଥିଲା ଅବଶ୍ୟ ଭରପୁର ସ୍ନେହ ବି ପାଉଥିଲା।ହେଲେ,ତା'ଠାରୁ ସାନ କେହି ନ ଥିବାର ଦୁଃଖ ଟିକିଏ ରହିଯାଉଥିଲା!ଭାଗ୍ୟକୁ ଶାଶୁଘରକୁ ବଡ଼ ବୋହୁ ହୋଇ ଆସିବାରୁ ସେ ଅଭାବଟା ଯେ ପୁରଣ ହୋଇଯିବ ବୋଲି ଭାବି ମନେ ମନେ ଭାରି ଖୁସି ହୋଇଯାଇଥିଲା।ବଡ଼ ହେବାର ଦାୟିତ୍ୱ ଯେ ଏତେ କଷ୍ଟକର ବୋଲି ସେତେବେଳେ ଜମାରୁ ଭାବିପାରିନଥିଲା!ସେ ଯାହା ବି ହେଉ,ବୋଉର ପଦୁଟିଏ-'ସ୍ନେହ ଶ୍ରଦ୍ଧାରେ ସମସ୍ତଙ୍କୁ ନିଜର କରିହେବ'କୁ ମନ ଭିତରେ ଗଣ୍ଠି କରି ରଖିଦେଇଥିଲା!ହେଲେ ଜୀବନର ଚଲାପଥ ଯେ ଏତେ ସହଜ ନୁହେଁ ଏକଥା ମଧ୍ୟ ସମୟକ୍ରମେ ମର୍ମେ ମର୍ମେ ଅନୁଭବ କରିପାରିଥିଲା!ସାନ ଦୁଇ ଦିଅର ଓ ଦୁଇ ନଣନ୍ଦଙ୍କୁ ନେଇ ନୂଆ ନୂଆ ସଂସାର କରିଥିବା ଅଳକା ଜଞ୍ଜାଳ ଭିତରେ ଏମିତି ପୋତି ହୋଇ ପଡିବ ଜମାରୁ ଭାବିପାରିନଥିଲା!

     ଅତି ଗେଲବସରରେ ବଢିଥିବା ଅଳକା ଖୁବ କମ ଦିନରେ ଦାୟିତ୍ବ ସମ୍ପନ ଗୃହିଣୀଟିଏ ହୋଇ ସମସ୍ତଙ୍କର ମନ ଖୁସି କରିବାରେ ଲାଗିପଡିଥିଲା!ଯଦିଓ ଅନନ୍ତଙ୍କ ବାରମ୍ବାର ଚେତାଇଦେବା ସତ୍ତ୍ୱେ ମଧ୍ୟ,ଅଳକା ମରି ପଡିକି ନିଜ କର୍ତ୍ତବ୍ୟ କରିବାକୁ ଲାଗିପଡିଥିଲା।ଭାବୁଥିଲା-ହୁଏତ ଅନନ୍ତଙ୍କର ଯୋଉ ଧାରଣା ରହିଛି ଯେ-'ଯେତେ କରିଲେ ମଧ୍ୟ ସମସ୍ତଙ୍କୁ ଖୁସି କରି ହେବନି' ନିଶ୍ଚିତ ବଦଳାଇ ଦେବ!ହେଲେ ଧୀରେ ଧୀରେ ଭଲ ବୋହୁ,ଭଲ ଭାଉଜ ଓ ଭଲ ମା'ଟିଏ ହେବାକୁ ଚେଷ୍ଟା କରି କରି କେତେବେଳେ ଯେ ଭଲ ପତ୍ନୀଟିଏ ହେବାର ସୁଯୋଗକୁ ହାତଛଡା କରି ଦେଇଥିଲା ଓ ଅନନ୍ତଙ୍କ ଦୃଷ୍ଟିରେ ପତ୍ନୀର ଭୂମିକା ଠାରୁ ଦୁରେଇ ଯାଇଥିଲା, ଜାଣିପାରିନଥିଲା!ତାଙ୍କର ସାହାଯ୍ୟ ଓ ସହଯୋଗକୁ କାମନା କରି କେବଳ ତାଙ୍କ ଗୁରୁଗମ୍ଭୀର ନୀରବତାକୁ ପାଇ ପରିଥିଲା!ଆଉ ସେସବୁ ଯେ ସମୟକ୍ରମେ ଚାଲିଯିବ ଭାବି,ଧୈର୍ଯ୍ୟ ସହିତ ଅପେକ୍ଷା କରିବସିଥିଲା।ହେଲେ ଯେତେ ଚେଷ୍ଟା କରିଲେ ମଧ୍ୟ ସବୁ ଭୂମିକାରେ ଯେମିତି ହାରିଯାଉଥିଲା!

      ଗୋଟିଏ ପରେ ଗୋଟିଏ ହୋଇ ଦୁଇ ନଣନ୍ଦ ଓ ଦିଅରଙ୍କ ପଢା ସରି ଯାଇଥିଲା।ଦୁଇ ନଣନ୍ଦ ଓ ମଝିଆ ଦିଅରଙ୍କ ବାହାଘର ସାରିଦେଇ ଜଞ୍ଜାଳ କମିଯିବ ବୋଲି ଭାବିଥିଲା।ହେଲେ ତା'ଭିତରେ ଯେ ପିଲାମାନେ ତାର ବଢିଯାଇଥିଲେ ଜଞ୍ଜାଳ ସେମିତି ଲାଗିରହିଥିଲା!ତା'ଛଡା ସାନ ଯା' ଟିକୁ ଘରକୁ ଆଣି ସାନ ଭଉଣୀଟିଏ ପାଇଯାଇ ଜଞ୍ଜାଳ ବାଣ୍ଟି ହୋଇ ଯିବ ଭାବିବା ତାର ମୂର୍ଖାମୀ ଥିଲା ବୋଲି ପରେ ଅବଶ୍ୟ ବୁଝିଥିଲା!ନିଜ ପତ୍ନୀ ଭୂମିକାକୁ ସଜାଡ଼ିବାର ସୁଯୋଗ ସୁବିଧା ପାଇପାରିବାର ସ୍ୱପ୍ନ ହିଁ ସ୍ୱପ୍ନରେ ରହିଯାଇଥିଲା! ପାଂଚଆଙ୍ଗୁଠି ଯେ ସମାନନୁହଁ ଏକଥା ଅବଶ୍ୟ ଜାଣିଥିଲା ହେଲେ ନିଜ ସରଳତା ଯେ ତା'ଜୀବନର ଚଲାପଥକୁ କଣ୍ଟକିତ କରିଦେବ ଏକଥା ବୁଝିବାକୁ ଅନେକ ସମୟ ଲାଗିଯାଇଥିଲା!ସ୍ୱାଧୀନତା ପ୍ରିୟ ଯୁବଗୋଷ୍ଠିରେ ସମସ୍ତେ ନିଜ ସ୍ୱାଧୀନତା ଚାହାନ୍ତି ଏଥିରୁ ତା'ଘରକୁ ବୋହୁ ହୋଇ ଆସିବା ମଣିଷଟି ବି କେମିତି ଵାଦ ପଡ଼ିଥାନ୍ତା!ଅନନ୍ତଙ୍କର ଶାସନ କରିବା ଗୁଣକୁ ସହିବା ମଧ୍ୟ ଏତେ ସହଜ ନ ଥିଲା!ଧୀରେ ଧୀରେ ଭୁଲବୁଝାମଣାର ଚକ୍ରବ୍ୟୁହ ରଚିଯାଇଥିଲା ପୁରା ପରିବାର ଟି ଭିତରେ! ଯେତେ ଚେଷ୍ଟା କରିଲେ ମଧ୍ୟ ଅଳକା ହାରିଯାଉଥିଲା ସେସବୁର ସମାଧାନ ଖୋଜୁଖୋଜୁ ଥକି ପଡୁଥିଲା!

     ଶେଷରେ ପରିସ୍ଥିତିର ଦାସ ହୋଇ ସେ କଠୋର ହେବାକୁ ନିଷ୍ପତ୍ତି ନେଇଥିଲା।ନିଜ ସ୍ବାଧିନତାରେ ରହିବାକୁ ମଝିଆ ଦିଅର ଓ ଯାଙ୍କୁ ଛାଡ଼ିଦେଇଥିଲା!ଦୁଇ ଭାଇଙ୍କର ଅନିଚ୍ଛା ସତ୍ତ୍ୱେ ଯେମିତି ସମ୍ପର୍କରେ ଦୂରତ୍ୱ ଆସିଯାଇଥିଲା!ହେଲେ ସେ ଜାଣିଥିଲା ଦୁଇଟି ଘର ଭିତରେ ଧୀରେ ଧୀରେ ପୁଣି ପୁରୁଣା ସମ୍ପର୍କ ଫେରି ଆସିବ!ଅବଶ୍ୟ ସେଥିପାଇଁ ତାକୁ ନିଜ ପରିବାର ତଥା ବାହାର ଲୋକଙ୍କ ଠାରୁ ଅନେକ କଟୁକଥା ଓ କଷ୍ଟକର ମନ୍ତବ୍ୟ ଶୁଣିବାକୁ ପଡିଥିଲା।ବିନା ଦୋଷରେ ନିଜ ବୋଉକୁ ମଧ୍ୟ କୁମନ୍ତ୍ରଣାର ଉତ୍ସ ହିସାବରେ କଳଙ୍କିତ ହେବାକୁ ପଡିଥିଲା!ବାପଘର ପାଖରେ ରହୁଥିବା ଅଳକାର 'ବୋଉ' ହିଁ ଏକମାତ୍ର ଭରସା ଥିଲା।ଯଦିଓ ବାପାଙ୍କୁ ହରାଇବା ପରେ ଘର ପାଖରେ ଭଡା ରହିଥିବା ଅଳକାର ସବୁ ଭଲ ମନ୍ଦରେ ବୋଉର ସାହାଯ୍ୟ ଓ ସହଯୋଗ ସେ ପାଇପାରୁଥିଲା କିନ୍ତୁ ତାକୁ କୌଣସି ନିଜ ପାରିବାରିକ ଘଟଣାରେ ଜଡିତ କରାଉନଥିଲା।ହେଲେ ଅନନ୍ତଙ୍କର ଅଗାଧ ବିଶ୍ୱାସ ଓ ଶ୍ରଦ୍ଧା ହିଁ ବୋଉକୁ ଅଧିକାଂଶ ସମସ୍ୟାର ମୁକସାକ୍ଷୀ କରାଇ ଦେଉଥିଲା।ଅନନ୍ତଙ୍କ ମନକୁ ବୁଝାଇବା ପାଇଁ ବୋଉ ବେଳେ ବେଳେ ପଦେ ଦୁଇପଦ ବୁଝାଇ ଦେଉଥିଲା ମାତ୍ର ଝିଅ ଘର କଥାରେ ମୁଣ୍ଡ ନଖେଳାଇବାକୁ ପୁରା ଯତ୍ନଶୀଳ ଥିଲା!କେବଳ ଚିନୁ ମିନୁଙ୍କର ଆକର୍ଷଣ ହିଁ ତାକୁ ଅଳକା ପାଖକୁ ନିତି ଟାଣି ଆଣୁଥିଲା,ଯଦିଓ ବାପାଙ୍କୁ ହରାଇବାର ଦୁଃଖ ସମସ୍ତଙ୍କ ଗହଣରେ ଟିକିଏ କମି ଯାଉଥିଲା ତଥାପି ପରିଣତ ବୟସରେ ଏକାକୀ ଜୀବନ କଟାଇବା ଦୁର୍ବିସହ ହୋଇପଡୁଥିଲା!

    ସମୟ ଗାଡିଚାଲିଥିଲା ଧୀରେ ଧୀରେ ପିଲାମାନେ ବଡ଼ ହେବାକୁ ଲାଗିଥିଲେ । ଅନଙ୍ଗଙ୍କ ପରିବାର ମଧ୍ୟ ବଢିବାକୁ ଲାଗିଥିଲା ସମ୍ବନ୍ଧ ମଧ୍ୟ ସୁଧୁରି ବାକୁ ଲାଗିଥିଲା।ପ୍ରତ୍ୟେକ ପର୍ବ ପର୍ବାଣୀ ଓ ଭଲ ମନ୍ଦରେ ଏକାଠି ହେବା ଯେମିତି ଖୁବ ସ୍ୱାଭାବିକ ହୋଇ ଯାଇଥିଲା।ଘର ଦୁଇଟିର ଦୂରତ୍ୱ ସିନା ରହିଥିଲା ହେଲେ ସମ୍ପର୍କର ଦୂରତ୍ୱ କିଛି ରହି ନଥିଲା କହିଲେ ଚଳେ!ଯଦିଓ ଅଳକାର ଭାବିବା ଅନୁଯାଇ ସମ୍ପର୍କଟି ପୁଣି ଫେରି ଆସିଥିଲା ହେଲେ 'ଘରଭଙ୍ଗା' ର ଟ୍ୟାଗ୍ ଟା ମା ଝିଅ ଦୁହିଁଙ୍କ ମୁଣ୍ଡରୁ ଯେମିତି ଯାଇପାରୁନଥିଲା! ଅବଶ୍ୟ ସେ ନିଜ ପାଇଁ ନିନ୍ଦାକୁ ଭୟ କରୁ ନଥିଲା ହେଲେ ତା'ବୋଉ ମୁଣ୍ଡରୁ ସେ ଅଯଥା କଳଙ୍କଟିକୁ ନ କାଢ଼ିବା ପର୍ଯ୍ୟନ୍ତ ମନ ତାର ବୁଝୁ ନ ଥିଲା।ନିଜକୁ ଦୋଷୀଟିଏ ପରି ସବୁବେଳେ ଲାଗୁଥିଲା।ନିଜ ସୁବିଧା ପାଇଁ ପରିବାର ପାଇଁ ଭରପୁର ସାହାଯ୍ୟ ପାଇ ପାରୁଥିବା ଅନନ୍ତଙ୍କର ନିଷ୍ପତ୍ତି ଯୋଗୁଁ ଅବଶ୍ୟ ସେ ତା' ବାପଘର ସାହିରେ ରହିଥିଲା ଏକଥା ସମସ୍ତେ ଭଲକରି ଜାଣିଥିଲେ ତଥାପି ନିନ୍ଦା କରିବାକୁ ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତେ ଯେମିତି ଏକଯୁଟ ହୋଇ ଯାଇଥିଲେ।ଅବଶ୍ୟ ଅନନ୍ତ ସେସବୁକୁ ଭ୍ରୁକ୍ଷେପ କରୁନଥିଲେ ହେଲେ ଅଳକା ନିଜକୁ ସବୁବେଳେ ମନେ ମନେ ତା'ବୋଉ ପାଖରେ ଦୋଷୀଟିଏ ହୋଇ ଠିଆ ହୋଇ ଯାଉଥିଲା!

    ବୋଉର ଆରପାରିକୁ ଯିବା କିଛି ବର୍ଷ ହୋଇଯାଇଥିଲା । ଘରର ଶାଶୁ ଶଶୁରଙ୍କ ଠାରୁ ଆରମ୍ଭ କରି ସାନ ଦିଅର ନଣନ୍ଦ ସମସ୍ତଙ୍କ ମୁହଁରୁ ତା'ର ପ୍ରଶଂସା ଶୁଣୁଥିଲା ହେଲେ ମଝିଆଁ ଦିଅର ଓ ଯା' ଦୁହେଁ ଯେମିତି ପରୋକ୍ଷରେ ବୋଉକୁ ହିଁ ସେମାନଙ୍କର ଅଲଗା ହେବ ପାଇଁ ଦାୟୀ କରାଇବା ମନ ଭିତରୁ ପୋଛି ପାରୁନଥିଲେ! ଅଲଗା ରହିବାର ଛୋଟଛୋଟ ଅସୁବିଧାକୁ ସମ୍ମୁଖୀନ ହେଲା ବେଳକୁ ହୁଏତ ନିଜର ସ୍ୱାଧୀନତା ମନୋଭାବକୁ ଦାୟୀ କରାଇ ପାରୁନଥିଲେ।

      ହଠାତ୍ ଚିନୁର ଡାକରେ ଅଳକା ଭାବନା ରାଜ୍ୟରୁ ଓହ୍ଲାଇ ଆସିଥିଲା।କେତେବେଳେ ଯେ ଚିନୁ ଫ୍ରିଜ ପାଖକୁ ଉଠିଯାଇଥିଲା ଜାଣିପାରିନଥିଲା! ଫ୍ରିଜରେ ଥଣ୍ଡା ପାଣି ନ ଥିବାରୁ ଡାକ ଛାଡୁଥିଲା-ବୋଉ ଆଜି ଆମେ ନ ଥିଲୁ ବୋଲି ଫ୍ରିଜରେ ପାଣି ରଖିନୁ? ମୁଁ କ'ଣ ପିଇବି? ପ୍ରକୃତିସ୍ଥ ହୋଇ ଅଳକା ଉଠିଯାଉ ଯାଉ ମନେ ମନେ ଠାକୁରଙ୍କୁ ଧନ୍ୟବାଦ ଜଣାଉଥିଲା-ହେ ଠାକୁରେ ଏତେ ଦିନକେ ହେଉ ପଛକେ ଦୁହିଁଙ୍କ ମନରୁ ବୋଉ ପ୍ରତି ରାଗ ତ ଚାଲିଗଲାଣି! ସେମାନଙ୍କୁ କ୍ଷମା କରି ଖୁସିରେ ରଖ ପ୍ରଭୁ!ନିଜ ମନଭିତରୁ ଦୋଷୀ ଭାବଟା ଯେମିତି ପୋଛି ହୋଇ ଯାଉଥିଲା ବୋଉର ଆତ୍ମା ଏଥର ଶାନ୍ତିରେ ରହିପାରିବ ଭାବି ସରୁ ହସଟିଏ ତା'ମୁହଁରେ ଖେଳି ଯାଇଥିଲା!





Rate this content
Log in

Similar oriya story from Abstract