ଗଭୀର ସ୍ନେହ
ଗଭୀର ସ୍ନେହ
କୌଣସି ଏକ କାମରେ ମିତାଦେବୀ ଯାଇଥିଲେ ମଫସଲରେ ଥିବା ତାଙ୍କ ଗାଁ କୁ। ସେଠାରେ ରହିବା ଦିନମାନଙ୍କରେ ତାଙ୍କୁ ସାହାଯ୍ୟ କରୁଥିବା ଲୋକଟି ଥିଲା ଗୋପାଳ ସାହୁ । ମିତାଦେବୀ ଗାଁକୁ ଆସିଥିବା ଜାଣି, ଦେଖା କରିବା ପାଇଁ ଗୋପାଳ ଆସି ପହଞ୍ଚିଲା । ତାକୁ ଦେଖି ମିତା ଚମକି ପଡ଼ିଲେ, ତାର ଅବସ୍ଥା ଦେଖି ତାକୁ ଚିହ୍ନି ପାରିଲେନି । ନିରଳସ ଭାବରେ ବିଲ ବାଡିରେ କାମ କରୁଥିବା ଗୋପାଳ ରାଉତ ଏ କି ଅବସ୍ଥା ? ହାତ ଗୋଡ କାଠି ପରି ସରୁ ହୋଇ ଯାଇଛି, ଶୁଖିଲା ମୁହଁ,ହନୁହାଡ ବାହାରି ପଡିଛି । ତୋର ରୂପ ଏ କଣ ହୋଇଛି ? କାହିଁକି ଏପରି ଜୀର୍ଣ୍ଣ ଶୀର୍ଣ ଅବସ୍ଥା ହୋଇଛି ତୋର ? ଦେହ ଖରାପ ଥିଲା କି ? ପଚାରିଲେ ମିତାଦେବୀ । ମିତାଦେବୀ ଙ୍କ ମୁହଁକୁ ଚାହିଁ କଇଁ କଇଁ ହୋଇ କାନ୍ଦି ଲୁହ ବୁହାଇ ଚାଲିଲା ସେ । କିଛି ସମ୍ଭବ ପରେ ନିଜକୁ ସମ୍ଭାଳି ନେଇ, କହିଲା, ଝିଅ ଶ୍ରୀୟା ଘରୁ ଚାଲିଯାଇଛି ତା'ଉପର କ୍ଲାସ୍ ରେ ପଢୁଥିବା ପିଲାଟି ସାଙ୍ଗରେ । ପୁଅଟି ଘରର ଅବସ୍ଥା ସେତେ ଭଲ ନୁହେଁ। ଯାହାବି ପଢିଛି, ସେଥିରେ କିଛି କର୍ମ ସଂସ୍ଥାନ ପାଇବା ଆଶା କମ୍ । ଭାବନା ରାଇଜରେ ହଜିଗଲେ ମିତାଦେବୀ । ଅତୀତ ର ସେ ଦୃଶ୍ୟ ଗୁଡିକ ଆଖି ଆଗରେ ବିଛାଡି ହୋଇ ପଡିଲା । ଧାନ ଅମଳ ସମୟ ,ମାର୍ଗଶିର ମାସ, ଖଳାବାଡିରେ ଆଉ ଦୁଇଜଣ ଙ୍କ ସହ ମିଶି ଧାନ ଅମଳ କରୁଥାଏ, ସ୍ତ୍ରୀ ତାର ଆସନ୍ନ ପ୍ରସାଦ, ସ୍ତ୍ରୀ ଅସୁସ୍ଥ ଖବର ପାଇ, କାମସବୁ ଦୁଇ ସହଯୋଗୀ ଙ୍କୁ ଦାୟିତ୍ଵ ଦେଇ,ଅଟୋରିକ୍ସା ଭଡା କରି ନିକଟରେ ଥିବା ଡାକ୍ତରଖାନାକୁ ନେଇଗଲା । ଗୋଟିଏ ଦିନ କଷ୍ଟ ପାଇବା ପରେ ଝିଅଟିଏ ଜନ୍ମ ହେଲା । ମୂଲିଆ ଘରେ ପୁଅଟିଏ ପାଇଁ ଆଶା ଥାଏ, ସେଥିରେ ସମସ୍ତେ ଖୁସି ହୋଇଥାନ୍ତେ। ମନଦୁଃଖ ରେ ଆସି କହିଲା ଝିଅଟିଏ ହେଲା । ମିତାଦେବୀ ବୁଝାଇଦେଲେ ,ମାର୍ଗଶିର ମାସ ଗୁରୁବାର ରେ ଝିଅ ହୋଇଛି, ତୋ ଘରକୁ ଲକ୍ଷ୍ମୀ ଆସିଲେ ବୋଲି ଭାବେ । ମନଟାକ
ୁ ବୁଝାଇ କହିଲା ହଉ ଯାହା ହେଲା । ଝିଅଟି ଦେଖିବାକୁ ବହୁତ ସୁନ୍ଦର । ଟଣା ଟଣା ଆଖି, ଗୋରା ତକ୍ ତକ୍ କୋମଳ ଓ ମସୃଣ ମୁହଁ ଟିରେ ଗୋଟିଏ ଆକର୍ଷଣୀୟ ଛଟା ଥିବା ପରି ମନେ ହୁଏ । ନାମକରଣ କରିଲେ ଘରର ଗୁରୁଜନ ମାନେ ଶ୍ରୀୟା। ଗାଁ ସ୍କୁଲରେ ପାଠପଢା ଆରମ୍ଭ କଲା । ଭଲ ପଢୁଥାଏ ଝିଅଟି, ମୁଲ ଲାଗି ଚଳିଲେ ମଧ୍ୟ ଝିଅ ପାଠପଢା ପାଇଁ କେଉଁଥିରେ ଅଭାବ କରେନି । ମାଟ୍ରିକ ପରେ ନିକଟରେ ଥିବା କଲେଜରେ ନାମ ଲେଖାଇଲା। ଅନ୍ୟଝିଅ ମାନଙ୍କ ସହିତ କଲେଜ ଯାଇ ସନ୍ଧ୍ୟା ସୁଦ୍ଧା ଫେରିଆସେ । ସେଇ କଲେଜରେ ତାର ଉପରେ କ୍ଲାସ୍ ରେ ପଢୁଥିବା ଗୋଟିଏ ପୁଅ ସହିତ ତାର ପ୍ରେମ ସମ୍ପର୍କ ଗଢି ଉଠିଲା । ସେମାନେ ପ୍ରେମ ର ଅର୍ଥ କେତେ ପବିତ୍ର, ମହାନ୍, ଶାଶ୍ଵତ ପୂର୍ଣ୍ଣ ସେକଥା ବୁଝିପାରନ୍ତି ନାହିଁ। ଯୁବକ ଯୁବତୀ ବୟସରେ ପ୍ରେମ ର ଗୋଟିଏ ଅର୍ଥ ବୁଝିଥାନ୍ତି ,ସେ କେବଳ ବିବାହ ଏବଂ ଦେହର ମିଳନ। ସେଇଟା ସେ ପିଲାମାନଙ୍କର ଦୋଷ କି ବୟସର ଦୋଷ ସେକଥା ବିଚାର କରିବା ଉଚିତ୍ । ସେଇ ବୟସରେ ସେମାନେ ସ୍ୱପ୍ନ ର ରାଇଜରେ ବିଚରଣ କରୁଥାନ୍ତି । ସୁଖ,ସ୍ୱଚ୍ଛନ୍ଦ ଭରା ଦୁନିଆ କୁ ଦେଖନ୍ତି । ମାତ୍ର ଗୋଟିଏ ଘନଘଟା ପୂର୍ଣ୍ଣ ବାସ୍ତବ ଜୀବନ ତାଙ୍କ ପାଇଁ ଅପେକ୍ଷା କରିଛି ସେ କଥା ଭାବିପାରନ୍ତିନି। ତେବେ ଗୋପାଳ ର ଦୁଃଖ ହେଲା, ଝିଅ ସୁନ୍ଦର, ପାଠପଢିଛି ,ତା ପାଇଁ ସରକାରୀ ଚାକିରିଆ ପ୍ରସ୍ତାବ କୁ,ଝିଅ କୁ ଅଠର ବର୍ଷ ହୋଇଗଲେ ବିଭାଘର କରିବା କହି ଅଟକାଇ ରଖିଥିଲା। କିଛି ନ ଭାବି ଗୋଟିଏ ଅଧାପାଠୁଆ ବେକାର ସହିତ ଝିଅ ଗଲା, କଣ ହେବ ତା ଭବିଷ୍ୟତ ? ସେକଥା ଭାବି ଗୋପାଳ ,ତା ସ୍ତ୍ରୀ ଦୁଇ ଜଣ ଯାକ ଚିନ୍ତା ରେ ସଢିଗଲେଣି। ଆଜିର ପୁଅଝିଅ ମାନେ ବାପା ମା ଙ୍କର ସ୍ନେହ ର ଆନ୍ତରିକତା ର ଗଭୀରତା କୁ ମାପିପାରନ୍ତି ନାହିଁ। ଭାବନା ରାଇଜରୁ ଫେରି ମିତାଦେବୀ, ଗୋପାଳ କୁ ବୁଝାଇ ,ବୋଧଦେଇ ଘରକୁ ପଠାଇଦେଲେ ।