Parameswar Ojha

Abstract Fantasy

4  

Parameswar Ojha

Abstract Fantasy

ଗାଁ ଘର ଆଉ ବାପା

ଗାଁ ଘର ଆଉ ବାପା

4 mins
526


ବୋହୂ ପୁଅ ସହ ମାସେ ହେଲାଣି ଲଗେଇଛି ।

--" ବାପା ଙ୍କୁ ମନା କରୁନ ସେ ଯାଗା ଛାଡି ଚାଲି ଆସନ୍ତୁ । କଣ ଅଛି ଯେ ସେ ଗାଁ ଘର ଟାରେ ? କଡରେ ଗୋଟେ ଆଜବେଷ୍ଟସ୍ ପକା ଘର ଆଉ ମାଟିକାନ୍ଥ ଚାଳ ଛପର ନୁଆଁଣିଆ ଘରଟେ ବାସ୍....। କି ପୁର ପଇଚି କେଜାଣି ସେଠି । ଦେଖ ତମକୁ ସଫା ସଫା ମୁଁ କହି ଦେଉଛି । ବାପା ବୋଉ ଙ୍କୁ ଯେତେ ଶିଘ୍ର ପାରୁଛ ବୁଝେଇ ମନେଇ ଏଠିକି ଡାକିଆଣ ଏଇଠି ଆମ ସହ ରହିବେ । ଦେଖ ତମେ ତାଙ୍କ ଭଳି ସେମିତି ମଝିରେ ମଝିରେ ମୋ ସହ ଝଗଡା କରନି । ମୁଁ କଣ ତାଙ୍କ ଦେହ ପା ସେବା ଭଲ ମନ୍ଦ ଯତ୍ନ ନେବାକୁ ମନା କରୁଛି । କିନ୍ତୁ ଗାଁ ପରିବେଶ ମତେ ଜମା ଆରଉନି ସତରେ ।

ଦେଖ ଏଠି କେତେ ସୁବିଧା ...ପକା ଘର ଟଏଲେଟ୍ ବାଥରୁମ୍ ଆଟାଜ୍ , ଗ୍ୟାସ୍ ଚୁଲା ରୋଷେଇ , ପରିଷ୍କାର ପରିବେଶ କିଚେନ୍ ରୁମ୍ , ବାସ୍ ରାନ୍ଧିଲ ବାଢିଲ ଖାଇଲ ପିଇଲ ଝାଡ଼ା ପରିଶ୍ରା ଗାଧୁଆ ଗୋଟେ ରୁମ୍ ରେ ,ଆଉ ମନ ଭଲ ନ ଲାଗିଲେ ଛାତ ଉପରେ ନହେଲେ କରିଡ଼ର୍ ରେ ବୁଲି ଆସିଲ ।  ନା ମାଟି କାଦୁଅ ହେବାର ଭୟ ନା ବର୍ଷକୁ ବର୍ଷ ଘର ଛା ହେବାର ଟେନସନ୍  । ପୁଣି ବର୍ଷା ହେଲେ କୋଉଠି ପାଣି ଗଳିଲାଣି ତ ଝଡ଼ ତୋଫାନ ହେଲେ ଛପର ଉଡିଲାଣି ... ତାପରେ ପୁଣି ଚୁଲି ଘସି ରେ ରୋଷେଇ । ଧୂଆଁ ରେ ଖଁ ଖଁ ହେଉଥିବ ଚୁଲି ଲାଗୁନଥିବ । ଏବେକୁ ସିନା ପାଇଖାନା ଟେ ପାଖକୁ ଗାଧୁଆ ଘରଟେ କରିଚ ବୋଲି ନହେଲେ ଝାଡ଼ା ପରିଶ୍ରା ଯିବାକୁ ଯୋଉ ଅସୁବିଧା ... କୁହନି କୁହନି ... । ଦେଖ ମୁଁ ଏତେ ଥର ତମକୁ ବୁଝେଇ ପାରିବିନି । ବାପା ଆସିଛନ୍ତି ତାଙ୍କୁ ଭଲକି ଏଇ କଥା ସବୁ ବୁଝେଇ କହିଦିଅ । ଯେମିତି ସେ ଏଇ ମାସ ଭିତରେ ବୋଉ ଙ୍କୁ ଧରି ଏଠି ରହିବାକୁ ରାଜି ହୋଇଯିବେ ।"

 

 ପୁଅ ରାତି ଖାଇବା ସାରି ବାପାଙ୍କ ପାଖକୁ ଗଲା । ବାପା ମୁଣ୍ଡ ରେ ମେନ୍ଥୋପ୍ଲସ୍ ମାରି ନାକ ରେ ସୁଁ କରି ଶୋଇବାକୁ ଉଦ୍ୟତ ହେଉଛନ୍ତି । ଠିକ୍ ସେତିକି ବେଳେ ପୁଅ ବେଡ୍ ପାଖରେ ଏପଟ ସେପଟ ହେଉଥିବାର ଦେଖି ପଚାରିଲେ --" କଣ କିଛି କହିବୁ ?"

ପୁଅ ଗଳାଚାପି ଉତ୍ତର ଦେଲା --" ହଁ ଟିକେ କଥା ଥିଲା "

--" କଣ କହୁନୁ "

ପୁଅ ଥରେ ଗଳା ଝାଡିଲା ତାପରେ ଉତ୍ତର ଦେଲା --" ବାପା ସେଠି ଗାଁ ରେ ଏକା ରହୁଛ ବୋଉ ସହିତ । ଆମକୁ ତମେ ଦୁହେଁ ମନେ ପକାଉଥିବ ତମେ ବି ଆମର ମନେ ପଡୁଛ । ଭଲ ମନ୍ଦ ଦେହ ପା ହେଲେ ପାଖରେ ନିଜର ବୋଲି କେହି ନାହାନ୍ତି , ମୋଡ଼ି ଘସି ଦେବାକୁ ହେଉ କି ମେଡିକାଲ ନେବା ଭଲ ମନ୍ଦ ପାଇଁ ..... । ମୁଁ କଣ କହୁଥିଲି କି ତମେ ଦୁହେଁ ଆମ ସହ ଏଇଠି ଆସି ରହିଗଲେ ହୁଅନ୍ତାନି ? ବହୁତ ଭଲ ହୁଅନ୍ତା .. ସିପୁନ୍ ବି ତମ ସହ ଖେଳନ୍ତା ପଢନ୍ତା ତା ସମୟ ବି କଟି ଯାଆନ୍ତା ଅଜା ନାତି ୪ ଟା ବେଳେ ବାହାର ପାର୍କ କୁ ବୁଲି ଯାଆନ୍ତ । ମୁଁ ଅଫିସ୍ ଗଲା ପରେ ମିତାଲୀ ବି ଖାଲି ଘରଟାରେ ପଡ଼ି ରହୁଛି , ତାକୁ ଖୁବ୍  ବୋରିଂ ଖାଁ ଖାଁ ଲାଗୁଛି । ବୋଉ ଆସିଲେ ଶାଶୁ ବୋହୂ ଙ୍କ ଗପ ସପ ରେ ସମୟ କୁଆଡେ ବିତି ଯାଆନ୍ତା ଜଣା ପଡନ୍ତାନି । ଖାଲି ମୋର ନୁହେଁ ମିତାଲି ର ଏଇ ଇଚ୍ଛା ତମେ ଦୁହେଁ ଏଠିକି ଯେତେ ଶିଘ୍ର ଆସିବ ଭଲ ଲାଗିବ ଆମକୁ । ଜାଣିଛି କିଛି ଦିନ ଟିକେ ଖାପଛଡା ଖାପଛଡା ଲାଗିବ , ତାପରେ ଧିରେ ଧିରେ ଭଲ ଲାଗିବ କିଛି ଦିନ ରହିବା ପରେ । ନା କ'ଣ କହୁଛ ? "

 

ବାପା ଟିକେ ଖୁଁ ଖୁଁ କାସିଲେ ତାପରେ କହିଲେ --" ମୁଁ ଆଉ କ'ଣ କହିବି ? ତୁ ଠିକ୍ କହୁଛୁ ଯେ .. ହେଲେ ଗାଁ ପରିବେଶ ଛାଡି ଏଠି ରହିବା ମୋ ଦେଇ ହେବନି । ହଁ ଏମିତି ମଝିରେ ମଝିରେ ଆସି ବୁଲି ଯିବୁ ତୋ ପାଖରୁ ସେ ବରଂ ଭଲ , କିନ୍ତୁ ରହିବା କଥା ବିଲକୁଲ କହନା ମୋତେ । ବୋଉ ତ ବିଲକୁଲ ରାଜି ହେବନି ଘର ଛାଡ଼ି ଆସିବାକୁ । ତା ଘର ବାଡ଼ି ଅଗଣା ଭଲ ତ ସେ ଭଲ । "


ପୁଅ ଏଥର ଅସଲ କଥା କହିଲା --" କାଇଁ ଅଯଥା ରେ ସେଠି ରହିବ କହିଲ । ଯିଏ ଦେଖୁଥିବ ତମକୁ ଯେତିକି କଥା କହୁଥିବ ଆମକୁ ବି ତିନି ସେତିକି ଶୁଣଉଥିବ । ପୁଅ ବୋହୂ ବୁଢ଼ା ବୁଢୀ କୁ ପଚାରୁ ନାହାଁନ୍ତି ସେଥିପାଇଁ ହତାଦର ପରି ପଡ଼ି ରହିଛନ୍ତି ଏଠି । ତା ଛଡା କ'ଣ ଟା ପା ଅଛି ସେ ଘର ଡିହ ଖଣ୍ଡିକ ରେ । ଆଉ ଚାଷ ଜମି କେଇ ଗୁଣ୍ଠ । ଗାଁ ରେ କାହାକୁ ଦେଖି ସେ ଜମି ଆଉ ଡିହ ତକ ବିକି ଦେଲେ ଭଲ ହୁଅନ୍ତା ......  "

ଏ ପର୍ଯ୍ୟନ୍ତ ଚୁପ୍ ରହିଥିବା ବାପା ହଠାତ୍ କହି ପକାଇଲେ --" କଣ କହିଲୁ ବିଜୁ ...? ବିଜୁ ତୁ କ'ଣ କହିଲୁ ..? ଗାଁ ଘର ଡିହ ଆଉ ଚାଷ ଜମି ତୁ ବିକିବାକୁ କହୁଛୁ ? କହୁଛୁ ପୁଣି କଣ ଅଛି ସେଥିରେ ? ଆରେ...କଣ ନାହିଁ ସେଥିରେ କହ ତ ? ସେ ପରା ଆମ ଜୀବନ । ସେ ପରା ଆମ ସାତ ଆଠ ପୁରୁଷ ର ଭିଟା ମାଟି ତାକୁ ତୁ କୋଉ ହିସାବରେ କହୁଛୁ ବିକିବାକୁ ? ଆଁରେ.......? ସେଇଟି ପା ତୋ ଷଠି ଘର ...ସେଇ ମାଟି ପାଣି ପବନ ରେ ଏଡିକି ରୁ ପା ଏଡୁଟେ ହେଇଛୁ ? କହିଲା ଭଳିଆ ତାରି ଛାତିରେ କେତେ ହଗିଛୁ କେତେ ମୁତିଛୁ କେତେ ମୁଣ୍ଡ ଥୋଇ ଶୋଇ ଯାଇଛୁ । ଆଉ ସେ ଜମି ... ସେ ଜମି ପରା ଆମ ଲକ୍ଷ୍ମୀ ତାରି ଧାନ ଚାଉଳ ମୁଗ ବିରି ପରା ତୋ ମୋ ଦେହରେ ରକ୍ତ ହୋଇ ବୋହୁଛି ... । ଏମିତି କଥା କେମିତି ତୁ କହି ପାରିଲୁ ? ଛାଡ୍.. ଛାଡ୍... ସେଗୁଡାକ ତୁ କିଛି ଏବେ ବୁଝି ପାରିବୁନି ତୋ ମୁଣ୍ଡ ଉପରକୁ ହାତ ପାଇ ଗଲାଣି ତ ସେଥିପାଇଁ ... । ତୁ ମୋତେ କାଲି ଗାଁ ବସ୍ ରେ ବସେଇ ଦେଇ ଆସିବୁ ଟି , ସ୍ୟାଡେ କଣ ସବୁ ହେଲାଣି ତୋ ମା ଏକୁଟିଆ ଘାଣ୍ଟି ହେଉଥିବ ଘରେ .... ସ୍ୟାଡେ ମୋର ଦୁନିଆଁ କାମ ପୁଣି ..... । "


 ବାପା ବିଜୁ ଆଡ଼କୁ ପିଠି କରି ଆହୁରି କେତେ କଣ କହୁଥିଲେ , ବିଜୁ କୁ କିନ୍ତୁ ଆଉ କିଛି ବୁଝା ପଡୁନଥିଲା । ତାକୁ ଖାଲି ବାପା ଙ୍କର ସେଇ ଗୋଟିଏ କଥା ବାରମ୍ବାର ଶୁଭୁଥିଲା "ତୋ ମୁଣ୍ଡ ଉପରକୁ ହାତ ପାଇ ଗଲାଣି ତ ସେଥିପାଇଁ ତୁ ଏମିତି କହୁଛୁ ...। "


Rate this content
Log in

Similar oriya story from Abstract