Panchanan Jena

Abstract

3  

Panchanan Jena

Abstract

ଏକାନ୍ତବାସ-କାହାଣୀ ଶେଷ

ଏକାନ୍ତବାସ-କାହାଣୀ ଶେଷ

10 mins
128


           ଚୁନା ଚୁନା ସକାଳୁଆ କିରଣରାଜି ହଳଦୀ ଗୁରୁ ଗୁରୁ ଝରା ଶରିଷା ଫୁଲ - ଧଳା କୁନି କୁନି ନିମ୍ବ ଫୁଲ--ଲାଲ ଟୁକୁ ଟୁକୁ ପଲାଶ ଫୁଲର ଗାଲିଚା ଉପରେ ଲୁଚକାଳି ଖେଳୁଛି | ନହଙ୍କିଆ ନଡିଆ ବାହୁଙ୍ଗା ସମୀରଣର ମୃଦୁ ହିଲ୍ଲୋଳରେ ଉପରକୁ ଉଠୁଛି ପୁଣି ପଡୁଛି ଯାତ୍ରା-ଅପେରା-ଗଣନାଟ୍ୟ-ସିନେମା ହଲର ରଙ୍ଗୀନ ପରଦା ପରି | “ଦୈତାରୀ ନିବାସ”ର ଅଗଣା ବେଶ ମାନୁଛି | ଏକ ଅବର୍ଣ୍ଣନୀୟ ଶୋକପାଶୋରା ଅପସରା ଭୂବନ ଭଳିଆ ଶୋଭାସମ୍ପଦରେ ଘର ଅଗଣାକୁ ଆଚ୍ଛାଦିତ କରିଛି |


ରୋଷେଇ ଘରର ସ୍ୱଳ୍ପ-ମୁଦ୍ରିତ ଝରକା | ମୁଁହ ଧୋଉ ଧୋଉ ଯେବେ ଅର୍ଦ୍ଧନିମିଳିତ ଆଖିରେ ଶୀମତୀ କାକଳି ଦେବୀ ଶରିଷା-ନିମ୍ବ-ପଲାଶ ଫୁଲର ପତିତ ଭୁଲୁଣ୍ଠିତ କୁସୁମିତ ଗାଲିଚାର ଝଲକ କିଞ୍ଚିତ ଦୃଶ୍ୟ କଲେ ବାତାୟନର ଆଢୁଆଳରେ ,ବାଁ ହାତଟା ଆପେ ଆପେ ଝରକାକୁ ପୁରା ଠିଆମେଲା କରିବାକୁ ପଛେଇନଥିଲା ସେଦିନ |


ମନ ମାନିଲାନି କାହିଁକି କେଜାଣି ?ବୋଧେ ଅଳ୍ପରେ ସନ୍ତୁଷ୍ଟି ଆମ ଉଡିଆଣୀଙ୍କ ଜନ୍ମ ଜାତକରେ ନାହିଁ |ପଣତ କାନିରେ ମୁଁହ ପୋଛୁ ପୋଛୁ ମୁଖ୍ୟ ଦ୍ଵାର ପାଖରେ ହାଜର |


ପୁରା ଅଗଣାର କୋଣ ଅନୁକୋଣରେ ନୈସର୍ଗିକ ନନ୍ଦନକାନନର ଛାପ-ଲେପ-ପ୍ରଲେପ | କାରୋନାର କରାଳ ତାଣ୍ଡବଲୀଳାରେ ସସାଗରା ଧରା ଲକଡାଉନ –ସଟଡାଉନରେ ଥିବାବେଳେ, କୋଭିଡ -୧୯ର ଲେଲିହାନ ଭୟରେ ସମସ୍ତେ ଗୃହବନ୍ଦି ଥିବାବେଳେ ,ଟିଭି ଦେଖି ଦେଖି ମୋବାଇଲ ଟିପି ଟିପି କ୍ଳାନ୍ତ- ଶ୍ରାନ୍ତ –ତ୍ରସ୍ତ- ବିବ୍ରତ ଥିବାବେଳେ , ୧୮ ଦିନଯାଏ ସପରିବାର ଗୋଟିଏ ଛାତତଳେ ଚବିଶ ଘଣ୍ଟିଆ ଏକତ୍ରିତ ହୋଇଥିବାବେଳେ, ଏମିତି ଏକ ଅକଳ୍ପନୀୟ ସହର୍ଷମୟ ଦୃଶ୍ୟରାଜି ମନକୁ-ତନୁକୁ-ହ୍ରୁଦୟକୁ-ମଗଜକୁ ଏକ ନୂତନ ନବୀନ ମାଦକତାରେ, ତନୁ-ବଲ୍ଲରୀରେ ଜିଇଁବାର ତିତିକ୍ଷ୍ୟାକୁ ସଞ୍ଜୀବନୀର ଭେଟ ବୋଲି ମନେହେଉଥିଲା କାକଳି ଦେବୀଙ୍କୁ |


ହସ ଖୁସି ସବୁ ଆପେ ଆପେ ଅଳସୁଆ ମୁଖମଣ୍ଡଳକୁ ସଜଫୁଲ ଭଳିଆ ସତେଜ କରିଦେଲା ସ୍ଵ-ଇଚ୍ଛାରେ |ମନେ ପଡିଲା ଶାଶୁମା ଦୈନିକ ବଡି ଭୋରରୁ କରୁଥିବା ଝାଟିବା-ଖରକିବା କାମକୁ କରିନାହାନ୍ତି ପ୍ରାୟ | କାରଣ ଏମିତି ଦୁଃଖପାଶୋରା ଅପୂର୍ବ ମନଲୋଭା ଦୃଶ୍ୟ ଦେଖି ଛାର ନଡିଆ କୁଇଞ୍ଚିରେ ନିର୍ମିତ ପହଂରାରେ କେମିତିବା ଉପସଂହାର କରିଥାନ୍ତେ | ସବୁ ବେଳେ ଜିରାରୁ ଶିରା ଛେନାରୁ ଚୋପା କାଢୁଥିବା ଶାଶୁମାଙ୍କର ପ୍ରକୃତି ପ୍ରୀତି ଦେଖି ଆଜି କାହିଁକି ମନେ ମନେ ସାଧୁବାଦ ଦେବାକୁ ବ୍ୟଗ୍ର ଲାଗୁଥିଲେ |


କାରୋନାର ସୁଖପ୍ରଦ ପ୍ରଭାବର ପରିଣତି ନୁହେଁ ତ ! ଯେତେ ଖରାପ ହେଲେବି କିଛି କିଛି ଭଲ ଗୁଣର ଭଣ୍ଡାର ସଂଭାର ଥିବାର ନଜିର ମିଳିଗଲା | ଖାଲି ଦ୍ରୁଷ୍ଟିର ଦିଗ ଆଉ ନଜରର ସଜାଗକୁ ମଙ୍ଗ ଧରିବାର ଅଛି ଦିଗବାରେଣୀ ଜନ୍ତ୍ର ପରିକା |


ପ୍ରକୃତିର ଖେଳ ନିଆରା | କେତେବେଳେ ଶୌମ୍ୟାକାନ୍ତ ଶୁଭାବନ୍ତ ତ କେତେବେଳେ ଭୀମକାନ୍ତ | କେତେବେଳେ ଭୂତାଣୁ ଆଣି ମୁଢ ମଣିଷକୁ ଗୃହବନ୍ଦି କରୁଛି ତ ପୁଣି କେତେବେଳେ ବିଦ୍ୟୁତଲୋଚନା ବିଜୁଳିର କ୍ଷଣିକ ଚମକ ସହିତ ସାତରଙ୍ଗି ଇନ୍ଦ୍ରଧନୁର ତଡିତ ଜମକ ସହିତ ପୁଷ୍ପକୋମଳ ଗାଲିଚା ବିଛେଇବା ଭଳି ପ୍ରକୃତିକ ଶୋଭାବୈଭବକୁ ଦେଖେଇ ଦେଇ ବଞ୍ଚିବାର ଦୁର୍ବାର ଇଚ୍ଛାକୁ ଜାଗ୍ରତ କରାଉଛି | ମଣିଷ ବିଜ୍ଞାନ ବଳରେ ଅର୍ଥନୀତି ଛଳରେ ପ୍ରକୃତିକୁ କବଳିତ କରିବାକୁ ବ୍ୟଗ୍ର ଛଳେ-ବଲେ-କୌଶଳେ | ମାତ୍ର ଆଜିର ଏହି ମହାମାରୀ କାରୋନାର ଲେଲିହାନ ଶିଖା କବଳରେ , ଏହି କାରୋନାର ଅଟ୍ଟହାସ୍ୟ ଆଗରେ ଚନ୍ଦ୍ର-ମଙ୍ଗଳ ଗ୍ରହରେ ପାଦ ଥାପିଥିବା ବିଜ୍ଞାନୀ ଅନୁସନ୍ଧାନୀ ମଣିଷ -ଉପାୟଶୂନ୍ୟ ପରାସ୍ତ ଲାଗୁଛି |ଜୟ ପ୍ରକୃତି ମାତା ! ଜୟ ଧରଣୀ ରାଣୀ !


ସବୁ କୁଆଡେ ଗଲେକି ? କାହାରି ଖୋଜ-ଖବର ଶୋର-ଶବଦ ନାହିଁ ?


ମନେ ପଡିଲା ଛାତ ଉପରେ ବଗିଚା କାମ ଚାଲିଛି ପ୍ରାୟ | ଲକଡାଉନ ହେବା ଦିନରୁ ଶ୍ରୀମତୀ ଆଉ ସକାଳୁ ସକାଳୁ ଛାତ ଉପରକୁ ଆସିବାକୁ ସମୟ ପାଇନାହାନ୍ତି ପାଣି ଦେବାକୁ | ଗହଳି ପରିବାର | ଶାଶୁ –ଶ୍ଵଶୁର , କଲେଜ ପଢୁଆ ଦୁଇ ନଣନ୍ଦ , ସ୍କୁଲ ପଢୁଆ ପୁଅ-ଝିଅ ସହିତ ସ୍ଵାମୀ ବାଲିଆପାଳ ବ୍ଲକରେ ବ୍ଲକ ଏଡୁକେଶନ ଅଫିସର ଶ୍ରୀଯୁକ୍ତ ଡମ୍ବରୁଧରଙ୍କୁ ମିଶେଇ ତାଙ୍କର ବଢିଲା ଶୁଖି ପରିବାର |ମାର୍ଚ ୨୧ ତାରିଖରୁ ଲକଡାଉନ ଆରମ୍ଭ |ସ୍କୁଲ –କଲେଜ-ଅଫିସ ସବୁ ବନ୍ଦ | ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତନାଘନା ଭିତରେ ସମସ୍ତେ ଘରେ ଭାଉଟକୁଟ |ତେଣୁ ଛାତ ଉପର ବଗିଚା କାମଟା ଏମାନେ ସମସ୍ତେ ସବୁ ପତିଦେବଙ୍କ ନିର୍ଦେଶରେ ସମ୍ଭାଳି ନେଇଛନ୍ତି |


ଆଜି ତ ନୀଳ ବାର | ଆରାଧ୍ୟ ଜଗତେଶ୍ଵର ଶିବମନ୍ଦିରରେ ପ୍ରସିଦ୍ଧ ଚଡକ ଯାତ୍ରାର ୧୨ ଦିନ |ତେର ଦିନରେ ପାଟ | ବାର୍ଷିକ ପଇତାପକା ସହିତ ଉଡ଼ା ପର୍ବ ବହୁତ ଜାକଜମକରେ ହୁଏ | ମାତ୍ର କାରୋନା ଯୋଗୁଁ ପର୍ବ ପର୍ବାଣି ସବୁ ବନ୍ଦ | କିନ୍ତୁ ପରଂପରାକୁ ଛୋଟକାଟିଆ ଆକାରରେ ପାଳିବାକୁ ହେବ | ଓଡିଶା ଆମର କଳା ସଙ୍କୃତିର ରାଜ୍ୟ |ବାର ମାସରେ ପଚିଶ ପର୍ବ |ତେଣୁ ଆଜି ସମସ୍ତଙ୍କର ନିର୍ଜଳା ଉପବାସ | ସକାଳୁ ଚା’ ଜଳଖିଆର ଝଂଝଟ ନାହିଁ |ବଞ୍ଚି ଗଲାରେ ମଣିଷ ଆଜି |


ବଡିଭୋରରୁ ଉଠିଥିଲେ |ନୀତିଦିନିଆ ଦେହସୁଆ ଅଭ୍ୟାସ ବାହାଘରର ବାସିଦିନରୁ |ଏସବୁ ଏକବାର ନୀଳବାର ଉପବାସ ମନେପକାଇ ପୁଣି ଯେ ଶେଯ ଶୁଙ୍ଘିଲେ ଟିକେ ଡେରି ହୋଇଯାଇଛି |ଆଖି ଲାଗିଯାଇଛି |ରୋଷେଇ କରି ବାସନ ମାଜି ମାଜି ପୁରା ଅବଶ ଲାଗୁଛି | ଚବିଶ ଘଣ୍ଟିଆ ସମସ୍ତେ ଘରେ ରହିଲେ ଖାଲି ଖାଇବା ,ଶୋଇବା ଓ ଡ୍ୟାସ କରିବା ଛଡା ଆଉ କିଛି ମୁଖ୍ୟ କାମ ଥିଲା ଭଳିଆ ଲାଗୁ ନାହିଁ ?


 ଦେହ ହାତ ପୁରା ରିଶ ରିଶ କଲାଣି |ସମସ୍ତଙ୍କର ଖାଇବାକୁ ନୂଆ ଫରମାଇଶ ପରେ ସରପ୍ରାଇଜ | ଆଉ ପାରୁନି | ସବୁ ବନ୍ଦ ହେଲା -କଳ କାରଖାନା ଅଫିସ |କାହିଁ ତ ବନ୍ଦ ହେଲାଣି ରୋଷେଇ |ଧନ୍ଦା ଲଗେଇଛନ୍ତି |ମୁଁ ବି ଜଣେ ମଣିଷ | ଜନ୍ତ୍ର ନୁହଁ |ଶୋଇଯାଇଛି ତ ଯାଇଛି | ଯିଏ ଭାବିଲେ ---ଭାବୁ ---ନ ଭାବିଲେ -----ଢୁ ----|


କ୍ଳାନ୍ତ ପାଦକୁ ଧୀରେ ଧୀରେ ସିଡ଼ିରେ ଥାପୁ ଥାପୁ ଲୁଗାକାନିକୁ ମଥା ଉପରକୁ ଟାଣୁ ଟାଣୁ ଚାଲିଲେ ଛାତ ଉପରକୁ କାକଳି ଦେବୀ | କେମିତି ବଗିଚାର କଳେବର --ଫୁଲ-ଫଳର ସଂଭାର --- ଶାଗ –ପବିବାର ଲହର ଦେଖିବେ | କାରୋନା ପୂର୍ବରୁ କେହି ଉପରକୁ ଆସିବା କଥା କହିଲେ –କେତେ ବାହାନା କରି ଖସି ଯାଉଥିଲେ |ସ୍କୁଲ ବସ ଧରିହେବନି | କଲେଜ ଲେଟ ହୋଇଯିବ | ମାର୍ଚ ମାସ |ଆର୍ଥିକ ବର୍ଷର ଶେଷ ମାସ | କେତେ କାମ ଜାଣିଛ |ପାହାଡ଼େ ପ୍ରମାଣ ଫାଇଲ |ତୁମେ ଆଉ ଦେଶୀ ବକର ବକର ହୁଅନି |


ଯାହାହେଉ କାରୋନା ଏହି ଠକ ପ୍ରଜାତିର କର୍ମକୋଢିଆ ଜାତିର ବର୍ଗଙ୍କୁ କିଛି କାମ ତ ଦେଇଛି !କେତେ ବାହାନା ପେଖାନା କରିବୁରେ ପାଗଳ କଳାମୁଣ୍ଡିଆ ମଣିଷ |ସୁଧାରି ଦେରେ କର୍ମ ଧର୍ମ |କର୍ମ କଷଣେ ନରହରି |ଧର୍ମ ଧାରଣେ ଧରିତ୍ରୀ |ମାଳିକା କଥା ପୁଣି ଗୁଞ୍ଜରିତ ହେଲା |


ଦୀର୍ଘ ୧୮ ଦିନ ହେଲା ତାଙ୍କ ହାତ ତିଆରି ବଗିଚାଟି ଏହି ତଥାକଥିତ ଠକଦଳ ମାନଙ୍କ ଦ୍ଵାରା କେମିତି ଅଛି | ମାଙ୍କଡ ହାତରେ ଶାଳଗ୍ରାମ ଭଳିଆ ହେଇନି ତ ! ସିଡି ପାହାଚ ଚଢୁଥାନ୍ତି ଆଉ ଆଶା ଆକାକ୍ଷା ଉତୁରି ଉଠୁଥାଏ |


ଦେଖିଲେ ତିନିଟା କୁଣ୍ଡରେ ମନ୍ଦାର-ଗଜରା-ଗେଣ୍ଡୁ ଫୁଟିଛି ଆଉ ହସ ହସ ମୁଁହରେ ତାଙ୍କୁ ସ୍ଵାଗତମ କରୁଛନ୍ତି |ତାଙ୍କରି ହାତରେ ଗଢା ବଢା ଚଢା ସଭିଏଁ ଟି | ଲେମ୍ବୁ ଗଛରୁ ୨ଟା ଛୋଟ ଛୋଟ କଷି ଊହଳି ପଡିଛି |କଲମୀ ବାଇଗଣପଳେଇ ଆମ୍ବ ଗଛରେ ଝଙ୍କେ ବଉଳ ହେଇଥିଲା |ନାହିଁ ଚଣା ଛାଡିଲେଣି |ଲେଉଟିଆ ଶାଗ ପଟାଳି ବେଶ ହରାଭରା ଲାଗୁଛି | ଶଲରା-କଲରା ଲତାରୁ ତିନି ଚାରିଟା ଉହଳି ପଡିଛି | ଛଚିନ୍ଦ୍ରା ଡ଼ର୍ଜନେ କୁନି ମାଙ୍କଡ ଛୁଆର ଲାଞ୍ଜ ପରିକା ଝୁଲି ରହିଛି |ଧାନୁଆ ଲଙ୍କା ଗଛରେ ପେନ୍ଥି ପଡିଛି ଧଳା ଟୁକୁ ଟୁକୁ ଚୂଡା ଧାନୁଆ |ଟମାଟୋ ପାଚି ଲାଲ ଟହ ଟହ ଲହ ଲହ |ଭେଣ୍ଡି ବାଇଗଣ ଗଛ ଫୁଲରେ ନେସି ପଡିଛି |ମନ ପୁରା ଖୁସିରେ ଗଦ ଗଦ |


“ମହାରାଣୀ ଆସିଗଲେ |ଦେଖିଲ ଆମେ ସବୁ ଠକ ଦଳ –ବଳ କେମିତି ସଜେଇଛେ | ନିରୀକ୍ଷଣ ପରୀକ୍ଷଣ କର | ପୁଙ୍ଖାନୁପୁଙ୍ଖ ଭାବରେ ପର୍ଜ୍ୟବେକ୍ଷଣ କର ଆଉ ଅଗତ୍ୟା ରିପୋର୍ଟ ପ୍ରଦାନ କର |”—ପତିଦେବଙ୍କ ଖୁଣ୍ଟା ମାରିବା ନିଆଁଖୁଣ୍ଟା ପତ୍ରିକା ଠାରୁବି ବଳିଗଲା |ଟିକିଏ କହୁଣିକୋଟ ମାରିବାଟା ପୁରୁଷ ଜାତିର ଜନ୍ମଜାତ ଅଭ୍ୟାସ ଓ ଅସ୍ତ୍ର କି ?


ସିମେଣ୍ଟ ବ୍ୟାଞ୍ଚରେ ବସୁ ବସୁ ଶୀମତୀ କହିଲେ – ପରିକ୍ଷକଙ୍କୁ ବସିବାକୁ ଦିଅ | ସମୟ ଦିଅ |ଏମିତି ଜବରଦସ୍ତିଆ ଉପରଠାଉରିଆ ନବୀନ ସରକାର ଭଳିଆ କଲେ ହେବନି | ସରସ-ସୁନ୍ଦର-ଅତିସୁନ୍ଦର-ଆଉ ଶେଷରେ ସୁନ୍ଦର ଠାରୁ ବି ଉପରେ |


କାମରେ ଲାଗିଥିବା ବ୍ୟାଟାଲିୟାନ ଟିକେ ମୁରୁକି ଦେଲେ |


କାକଳି ଦେବୀ ଦେଖିଲେ ସମସ୍ତେ ଗୋଟିଏ ବଡ କୁଣ୍ଡକୁ ଟାଣିବାରେ ଘୁଞ୍ଚେଇବାରେ ବ୍ୟସ୍ତ |ବହୁତ ଉଜନିଆ ସିମେଣ୍ଟ କୁଣ୍ଡଟା |ପୁଣି ମକ୍କା ଗଛଟି ଅଛି | ହେଉନି | ଶ୍ରୀମତୀ ବି ଟିକେ ହାତ ଲଗେଇଦେଲେ | କୁଣ୍ଡଟି ଈଷତ ଘୁଞ୍ଚି ଆସିଲା ଆଉ ଯଥୋଚିତ ସ୍ଥାନରେ ରହିଲା |


“ଦେଖିଲ ତ ! ମୋ ହାତ ନ ଲାଗିଲେ କିଛି ବି ହେବନି ? ତୁମେ ଯାହା ବି କର ଫାଇନାଲ ଟଚ ମୋ ହାତ ମୁଠାରେ | ମୁଁ ହିଁ ମୁଖଶାଳା ମାରିବି ଶେଷରେ |”- କହିବାକୁ ପଛେଇଲେ ନାହିଁ ଶୀମତୀ | କାରୋନା ଯୋଗୁଁ ନାରୀ ସଶକ୍ତିକରଣ ପରମ ଚରମ ସୀମାରେ |


ଝାଳରେ ସମସ୍ତେ ଭିଜି ଗଲେଣି ସେତେବେଳକୁ |ତାଙ୍କ କଥାକୁ କାହାର କର୍ଣଗୋଚର ହେଲାନି | ଅଦରକାରୀ ମଣିଷ ଭାବିଲେ |


ଶ୍ରୀମତୀ ବି ନାଛୋଡବନ୍ଧା | “ଭାରି କୁଣ୍ଡକୁ କାହିଁକି ଘୁଞ୍ଚଉଛ ? ବେଶୀ ଇଧର ଉଧର କଲେ ଭାଙ୍ଗି ଯିବ ଟି |ବେଶି ହୁକୁମାତି ଦେଖାଅ ନାହିଁ |ତୁମ ବ୍ଲକ ନୁହଁ |ଘରେ ବସି ବସି ହୁକୁମାତି ଶେଷରେ କଥା କହିପାରୁନଥିବା କୁଣ୍ଡ- ଗଛ-ଲତା –ଶାଗ –ପରିବା ଉପରେ ଦାଉ ସାଧୁଛ କି ?-“—ପଚାରିବସିଲେ ଶ୍ରୀମତୀ |ନିଜକୁ ଟିକିଏ ଓଜନିଆ ଦରକାରୀ ବନେଇବା ଆଦବ କାଇଦାରେ |


“ ମକ୍କା ଗଛଟି ଏକା ଏକା ରହି କେମିତି ଶୁଖି ଝାଉଂଳି ଗଲାଣି ଦେଖୁଛ ! ତା’କୁ ସୁଫଳାମ ଲେମ୍ବୁ ଆଉ ସୁପୁସ୍ପାମ ବାଇଗଣ କୁଣ୍ଡ ପାଖରେ ରଖିଦେଲେ ଦେଖିବ ଅଧା ଦରମରା ଗଛ ପୁଣି କେମିତି ହସି ଖେଳି ଉଠିବ , ପୁଣି କେମିତି ପତ୍ର-ଫୁଲ-ଫଳରେ ଲଦି ହୋଇଯିବ |” – ପତିଦେବ ଅତି ସହଜ ଭାବରେ ସାଧାସିଧା ଢଙ୍ଗରେ କହିଦେଲେ |


ମୁଁ ବି ଫିକ କରି ହସିଦେଲି |କହିଲି ଗଛ ସୁଖି ଗଲାଣି ମାନେ ଖତ-ସାର-କୀଟନାଶକ –ପାଣି ଦେବାର କଥା |ତୁମେତ ଉଲଟା କହୁଛ |


ପତିଦେବ ସ୍ମିତହାସର ଅନ୍ତରାଳେ କହିଲେ ---ମକ୍କା ଗଛଟି ଏକାନ୍ତରେ ଥିଲା | ଏକଘରକିଆ କୂଳ ପରିବାର ଆତ୍ମୀୟ ସ୍ଵଜନ ଠାରୁ ଦୂରରେ ବନବାସରେ ଥିଲା ଅଜ୍ଞାତକୁଳଶୀଳ ଅଛୁଆଁ ଭଳିଆ | ସୁଖ ଦୁଃଖରେ ହ୍ରୁଦୟକୁ ଖୋଲିଦେବାକୁ ସାଙ୍ଗ ସଂଗାତ ସାଥି ସହୋଦର ପାଉ ନଥିଲା | ସେ ପାଇଁ ଦେଖିଲ କେତେଟା ଦିନରେ ପୁରା ଝାଉଂଳି ଡାଙ୍ଗ-କଙ୍କାଳ ପରିକା ହୋଇଗଲା |


ତୁମେ ଯେଉଁ ସାର –ଖତ –ପାଣି କଥା କହୁଛ ତାହା ବିଜ୍ଞାନ ସମ୍ମତ ପୁସ୍ତକ ଲବ୍ଧ ଆଉ ଦେଖିବା ଶିଖିବା କଥା ମାତ୍ର |ସବୁଜ ବିପ୍ଲବର କଥା ହରିତ କ୍ରାନ୍ତିର କଥା  | କିନ୍ତୁ ଆଉ ଗୋଟିଏ ମନୋବୈଜ୍ଞାନିକ ଦୃଷ୍ଟିକୋଣ ବି ରହିଛି | ବାୟୋଟିକ ଏଙ୍ଗେଲ୍ ରୁ ଦେଖିଲେ ମଣିଷ ଭଳିଆ ଅନ୍ୟ ଜୀବଜନ୍ତୁ ଭଳିଆ ପାଦପ- ଲତା ଜଗତବି ସ୍ନେହ-ପ୍ରେମ-କାଙ୍ଗାଳି | ଫ୍ଲୋରା ଆଉ ଫଉନା ମଧ୍ୟରେ ଯେଉଁ ପାରସ୍ପରିକ ବନ୍ଧୁତା ଓ ସହନଶୀଳତା ଯୁଗ ଯୁଗରୁ ରହିଆସିଛି ,ତାକୁ ତ ହି କୁହନ୍ତି ପରିବେଶ ସନ୍ତୁଳନ |


ଦେଖିବ ! ତିନି ଚାରି ଦିନ ନ ଯାଉଁଣୁ ମକ୍କା ଗଛ ପୁଣି ଫେରିପାଇବ ତାର ବିଗତ ଯୌବନ | ପୁଣି ହସି ଉଠିବ ଖିଲି ଖିଲି ଝିଲି ମିଲି | ନୂଆ ପତ୍ର ସମ୍ଭାରରେ ଦେଖିବ ଖାଲି ଡ଼େଉଁଥିବ ପ୍ରଥମାଷ୍ଟମିରେ ଆମ ଝିଅ ମେଘା ପରିକା |


ତାକୁ ଏକଘରକିଆ କରି ଦେଇ ଥିଲେ | ଆମ କୁନି ଆଉ ଚଗଲା ସେପଟେ ରଖିଦେଇଥିଲେ |ମୋର ବି ନଜର ପଡି ନଥିଲା | ମଣିଷ ପରି ଗଛର ବି ଗୋଟେ ଜୀବନ ଅଛି | ବୁଝିଲ ହେଣ୍ଡି !


ବଡ ଆଶ୍ଚର୍ଯ୍ୟ କଥା ତ ! ବଡ ମନ ଗହନର ତଥ୍ୟ ତ !


ଆଖି ଆଗରେ ଗୋଟି ଗୋଟି କରି ଅନଗିନତ ଛବି –ଚିତ୍ର ଫୁଲ ପରିକା ଫୁଟି ଉଠିଲେ ମନ ଅଗଣାରେ | ମନ ଆଇନାରେ ମୁଁହ ଦେଖେଇ ଦେଇ ଅଳ୍ପ ଅଳ୍ପ ମୁରୁକି ଦେଲେ |


ମା’ ମରିଯିବା ପରେ ବାପା କେମିତି ଗୋଟିଏ ଦିନରେ ବୁଢା ହୋଇଗଲେ , କେମିତି ଥୁରୁ ଥୁରୁ ଋଗଣା ଦେଖାଗଲେ | ଆହୁରି ଦୀର୍ଘ ୨୨ଟି ବର୍ଷ ବଞ୍ଚିଥିଲେ ବାପା , ମାତ୍ର ଗୋଟିଏ ଶୁଖିଲା ଗଛ ପରିକା |ତାଙ୍କର ବିଶାଳ ୯୦ କେଜିର ଶରୀର କେଇଟା ଦିନରେ କଣ୍ଟା –କଙ୍କାଳ ସାର ଝଉଂଳା-ମଉଳା ଥୁଣ୍ଟା ପାଦପ ପରିକା ଲାଗୁଥିଲା |


ମା’ ଥିଲା ବେଳେ ବାପା କେବେ ଉଦାସୀନ ହେବାର କଥା କାହିଁ ମନେ ପଡି ନଥିଲା ଶ୍ରୀମତିଙ୍କର | ମାତ୍ର ମା’ଙ୍କ ସ୍ଵର୍ଗାରୋହଣ ପରେ ପରେ ,ଏଗାର ଦିନ କର୍ମ କାଣ୍ଡ ଶୁଦ୍ଧି-କ୍ରିୟା ସରିବା ପରେ ପରେ ତାଙ୍କ ଲଣ୍ଢା ମୁଣ୍ଡକୁ ଦେଖିଲେ ଲାଗୁଥିଲା ବାପା ପୁରା ଚୁପ ଚାପ ସ୍ଥାଣୁ ପଥର ମୂର୍ତ୍ତିବତ | କଥାରେ ବାଟୁଳି ବାଜୁନଥିବା ବାପା ଯେ ପୁଣି ତୁନି ହୋଇଯିବେ ,ତାଙ୍କ ତୁଣ୍ଡରେ ତାଲା ଝୁଲିବ ଭାବି ପାରୁ ନଥିଲି ସେଦିନ |ଛ’ମାସି ପରଦିନ ବାପଘରୁ ଶାଶୁଘରକୁ ଆସିବା ବେଳେ ତାଙ୍କ ଆଖିରେ ଯେଉଁ ଅସହାୟତାର ଏକାକିତ୍ଵର ନିସଙ୍ଗତାର ଝରା ଶ୍ରାବଣ କୂଳ ଲାଙ୍ଘିବ ଲାଙ୍ଘିବ ହେଉଥିଲା ସେ ସେଦିନ ଜାଣି ପାରି ନଥିଲେ |


ମୋତେ ପତିଦେବଙ୍କ କଥାରେ ଧୀରେ ଧୀରେ ବିଶ୍ଵାସ ଆସି ଯାଉଥିଲା | ସତରେ ଗଛ ଏକା ରହିଲେ ସୁଖି ଝାଉଂଳି ଯାଆଁନ୍ତି ମକ୍କା ଗଛ ପରିକା ମୋ ବାପା ସରିକା |


ପିଲାଦିନେ ରତାଇ ଦୁର୍ଗାପୂଜା ମେଳାରୁ ଗୋଟେ ରଙ୍ଗୀନ ମାଛ ୧୦ ଟଙ୍କାରେ ଆଣିଥିଲି ଆଇସକ୍ରିମ ନଖାଇ ଅନ୍ୟ ଭାଇ ଭଉଣୀଙ୍କ ପରି |ମନରେ ଅପୂର୍ବ ସରାଗ |ଲାଗୁଥିଲା ଅମୃତର ଆସର |ପାଦ ଭୁଇଁରେ ଲାଗୁନଥିଲା |ସମସ୍ତେ ରାଗିଥିଲେ ମୋ’ ଉପରେ |କେତେ କଟୁ କଥା ଶୁଣେଇ ନଥିଲେ ସେଦିନ ମେଳାରେ |କିନ୍ତୁ ବାପା ମୋତେ କୋଳେଇ ନେଇଥିଲେ ଆଉ ମଥାକୁ ଛୁଇଁ ସାବାସି ଦେଇଥିଲେ |


ତାକୁ ଆଚାର କାଚ ଜାର ସଫା କରି କଳ ପାଣିରେ ରଖିଲି |ଦିନ ସାରା ଖାଇବା ପିଇବା ଭୁଲି ତାହାରି ପଛରେ ଲାଗିଥାଏ |ମାଛଟି ଦିନ ସାରା ଗୁମସୁମ ରହିଲା | ଯେତେ ଖାଦ୍ୟ ଦେଲେବି ପୂରା ମୁଁହ ସୁଖେଇ ଖାଦ୍ୟକୁ ଆଡ ଆଖିରେ ଦେଖୁ ବି ନଥିଲା ଖାଇବା ତ ବହୁତ ଦୂରର କଥା | ଖଣ୍ଡ ଖଣ୍ଡ ଖାଦ୍ୟର ଟୁକୁଡା ସବୁ କାଚ ଜାରର ତଳେ ବସିଯାଉଥିଲା | ମୁଁ ଯେତେ ହଲେଇଲେବି ଚିଲେଇଲେବି ଗେଲ୍ଲେହୀଲେବି ମାଛଟି କିଛି ଖାଉ ନଥିଲା |ମୋତେ ରାତିରେ ବି ନିଦ ହେଉ ନଥିଲା |ମଝିରେ ଉଠିଆସି ଦେଖୁଥିଲି ମାଛଟି ଖାଇଥିବ ଆଉ ଖୁସିରେ ପହଂରୁଥିବ| ମାତ୍ର ଦୁଇ ଦିନ ପରେ ଦେଖିଲି ମୋର ପ୍ରିୟ ରଙ୍ଗୀନ ମାଛଟି ପେଟ ଉଲଟେଇ ପାଣି ଉପରେ ଭାସୁଛି |


ଆଜି ସେହି ରଙ୍ଗୀନ ମାଛ ବହୁତ ମନେ ପଡିଲା | ରାଗ ବି ଲାଗିଲା କି ମୋତେ ଏହି ଗୂଢ ତଥ୍ୟଟା କେହି ଜଣେ ହେଲେବି କହିଲେନି କାହିଁକି ? ସେତେବେଳେ ଜାଣିଥିଲେ ଶୁଣିଥିଲେ ଆଉ ଦୁଇ ଚାରିଟା ରଙ୍ଗୀନ ମାଛ କିଣି ଆଣି ସାଥିରେ ଛାଡିଦେଇ ପାରିଥାନ୍ତି | ମୋର ରଙ୍ଗୀନ ମାଛଟା ଏମିତି ଛଟ ପଟ ହୋଇ ଏକାନ୍ତବନ୍ଦି ହୋଇ ମରିନଥାନ୍ତା |ସତରେ ମହାପରାଧ ହୋଇ ଗଲା ସେଦିନ |


ପିଲାଦିନେ ମା’ ଠାରୁ ଶୁଣିଥିବା ଅନ୍ୟ କଥା ମନେପଡିଲା |ନୂଆ ଘର ନିର୍ମାଣ ବେଳେ ଜୁଳୁଙ୍ଗି ବା ସ୍କାଇଲାଇଟ ରଖୁଥିଲେ ଅବଶ୍ୟ | କାରଣ ସେହି ପଥ ଦେଇ ଘର ଭିତରକୁ କିରଣ ଆସିବ |ପବନ ଆସିବ ଓ ଯିବ ଘରର ନିଶ୍ଵାଷ ପ୍ରଶ୍ଵାଷ ପରି |ଦୀପର ଆଲୁଅକୁ ଅମ୍ଳଜାନ ମିଳିପାରିବ କବାଟ ଝରକା ବନ୍ଦ କରିଦେଲେବି |ଅର୍ଥାତ ଦୀପ ବି ଏକା ରହିବାକୁ ନାରାଜ |


ମୋତେ ଆଜି ପ୍ରତୀୟମାନ ହେଲା ହୃଦବୋଧହେଲା ଯେ ସାରା ସଂସାରରେ କେହି ଏକା ରହିବାକୁ ପସନ୍ଦ କରନ୍ତି ନାହିଁ | ସଜୀବ-ନିର୍ଜୀବ ହେଉ କି ପାଦପ-କୀଟ-ପତଙ୍ଗ-ତରୁ-ତୃଣ-ନର-ବାନର ହେଉ | ଏକାନ୍ତବାସ ନିର୍ବାସିତ କ୍ରୀତଦାସର ଜୀବନ ପରି |ସକଳ ଜୀବଜଗତ ଅଗୋଚରରେ ହେଉ କି ଅନଗୋଚରରେ ହେଉ ନିଃସଙ୍ଗ ଜୀବନ ଚାହାନ୍ତି ନାହିଁ |


ଏକାନ୍ତବାସ ସଂସାରର ସର୍ବୋତ୍ତମ ଦଣ୍ଡ |ଭଗବାନ କରନ୍ତୁ କାହାକୁ ଏଭଳି କଷ୍ଟ ନ ଦିଅନ୍ତୁ |


କୁଣ୍ଡର ଗଛ-ଲତାକୁ ତ ହାତରେ ଏପଟ ସେପଟ କରି ଅନ୍ୟ ଫୁଲ-ଫଳ ଗଛ ପାଖକୁ ନେଇ ସେମାନଙ୍କରଏକେଲାପଣ ଏକାନ୍ତବାସର ସମାଧାନ କରିହେଲା | କିନ୍ତୁ ପରନ୍ତୁ ଯେଉଁ ମଣିଷମାନେ ପଡୋଶୀ ସହୋଦର ଭାଇ-ଭଗିନୀମାନେ ଏକାନ୍ତରେ ମନମାରି ନିରିମାଖୀ ଜୀବନ ବିତାଉଥିବେ , ତାଙ୍କୁ ସ୍ନେହ-ପ୍ରେମ-ଶ୍ରଦ୍ଧା-ତ୍ୟାଗ-ସେବାର ପଞ୍ଚ ମହାତତ୍ଵର ରଙ୍ଗ-ରସର ସରବତ ପିଏଇବାର ଅଛି |ଅଧିକନ୍ତୁ କତିପୟ ସ୍ଵାଭିମାନି ସଖା-ସୋଦରମାନେ ଚୁପଚାପ ରହିଥିବେ ଏକାନ୍ତବାସର ଚାରିକାନ୍ଥର ଚଉହଦିର ଚକବନ୍ଦୀରେ ,କେଉଁଠି କେତେବେଳେ ବାକ୍ୟବାଣରେ ଆଘାତ ପାଇକି ଅଜାଗା ଘା’ ଭଳିଆ “ଏକାନ୍ତବାସ କାହାଣୀ ଶେଷ” ନ୍ୟାୟକୁ ଆଦରି ନେଇଥିବେ | ସେହି ଆମର ଅତି ଆପଣାର ଅଭିମାନି-ଅଭିମାନିନୀ ସଖା-ସାଙ୍ଗ-ଦୋସ୍ତ-ହୃଦୟର କଲିଜା ମାନଙ୍କୁ ପଞ୍ଚତତ୍ଵର ମହାପ୍ରସାଦ ଖୁଏଇ ଏକାକିତ୍ତ୍ଵର ଏକାନ୍ତବାସର ମେଘନାଦ ପାଚେରିକୁ ଲଙ୍ଘିବାକୁ ଭାଙ୍ଗିବାକୁ ପଡିବ |


ଗଛରେ ଯେତେ ପାଣି-ସାର-ଖତ ଦେଲେବି ବେଳେ ବେଳେ ଗଛ ବଢେନା | ସେହି ନ୍ୟାୟରେ ମଣିଷ ଖାଦ୍ୟ ଖାଇଲେ ବି ,ପାଣି ପିଇଲେ ବି ମଣିଷ ଝାଉଂଳି ପଡେ ସୁଖି କଣ୍ଟା-ଝଟା ପାଲଟିଯାଏ |କୌଣସି ଔଷଧ-ବଟି-ଟନିକ କାମ ଦିଏନା | ସେହି ସମୟରେ ଏକାନ୍ତବାସ- ଏକାକିତ୍ଵ-ଏକେଲାପଣ କାରୋନା -ଭୂତାଣୁ ଭଳିଆ ମହାମାରୀ ଠାରୁ ଆହୁରି ବଳି ପଡିଥିଲେବି , ତା’କୁ ଯୁଝିବାରେ ଦୂର କରିବାରେ ଏକ ଷୋହଳଅଣା ଶହେରୁ ଶହେ ଖାଣ୍ଟି ସମାଧାନର ପନ୍ଥା ପାଇଥିବାରୁ ପତିଦେବଙ୍କୁ ଖୁସିରେ କୁଣ୍ଢେଇ ପକେଇଲେ ଆଉ ଅତି ଖୁସିରେ ଆନନ୍ଦ ପାରାବାରରେ ଓବୁଟୁବୁ ହୋଇ ହିତାହିତ ଜ୍ଞାନ ଭୁଲି କୁରୁଳି ଉଠିଲେ |


ହଠାତ କେହି କିଛି ବୁଝିପାରିଲେନି |ପିଲାମାନେ ମୁରୁକି ଆଖି ଠରା ଠରି ହେଉଥିଲେ | ନଣନ୍ଦମାନେ ଆଖି ତରାଟି ପ୍ରତିକ୍ରିୟାହିନ ମୂର୍ତ୍ତିବତ ସ୍ଥାଣୁ ପାଲଟି ଯାଇଥିଲେ |ଶାଶୁ –ଶ୍ଵଶୁର ଦେଖି ନଦେଖିଲା ପରି ଏପଟ ସେପଟ ଆକାଶକୁ ବେଳେ ଆଉ ଯୁଗଳବନ୍ଦି ଦମ୍ପତ୍ତିଙ୍କୁ ବେଳେ ବେଳେ ---- ଅବଲେହନ ଅବଲୋକନ କରୁଥିଲେ ଚିଡଆଖାନାର ପ୍ରସ୍ତର ନିର୍ମିତ କାରିଗରୀ ଯାଦୁଗରୀ କୁଆଡେ ଛାତଉପରେ |


ପତିଦେବ ବି ହତବାକ ----- ବାକଶୂନ୍ୟ ----ବୁଝିପାରିଲେନି -----|


କାକଳି ଦେବୀଙ୍କ କୁରୁଳି ହସର ଉଲ୍ଲାସରେ ପାଖ ଆମ୍ବଗଛର ପେନ୍ଥା ପେନ୍ଥା ମଞ୍ଜରୀରେ ଆପ୍ଳୁତା ଆଚ୍ଛାଦିତା ପଲ୍ଲବିତା ଡାଳରେ ଗେଲ୍ଲେଇ କୋଇଲି ଗାଇ ଚାଲିଥିଲା ---କୁ---ହୁ    –କୁ----ହୁ--    -କୁ--ହୁ---|


Rate this content
Log in

Similar oriya story from Abstract