Gangadhar Nanda

Romance Inspirational

4  

Gangadhar Nanda

Romance Inspirational

ଏକ ତପସ୍ୟା ପୂର୍ଣ୍ଣ ପ୍ରତୀକ୍ଷା

ଏକ ତପସ୍ୟା ପୂର୍ଣ୍ଣ ପ୍ରତୀକ୍ଷା

6 mins
179



          'ହେଇଟି ଇଆଡେ ଚାହଁ ! ମୋ କଥା ଭଲ ଭାବେ ଶୁଣିରଖ ; ଆସନ୍ତା ମାଘ ଫଗୁଣ ସୁଦ୍ଧା ଯଦି ମୋ ଦି'ପୁଅଙ୍କର ବାହାଘର ନସରିବ , ତାହେଲେ ମତେ ଚିହ୍ନିବ ।' ପାନ ଖିଲ ମୋଡିବା ଅବସରରେ ଉମାକାନ୍ତ ବାବୁଙ୍କ ଉଦ୍ଦେଶ୍ୟରେ ପତ୍ନୀ ରମା କହୁଥିଲେ ।

'ଟିକିଏ ଧୈର୍ଯ୍ୟ ଧର ! ଆସନ୍ତା କାଲି ମଦନା ଗୋଟିଏ ଭଲ ପ୍ରସ୍ତାବ ନେଇ କି ଆସୁଛି । ଦେଖା ଚାହାଁ ସରୁ । ତା'ପରେ ଦେଖିବା ।' ଖବର କାଗଜ ଉପରୁ ସାମାନ୍ୟ ମୁହଁ ଉଠାଇ ଉମାକାନ୍ତ ବାବୁ ଉତ୍ତର ଦେଲେ ।

'ବଡକୁ ଆସି ତିରିଶ ଟପିଲାଣି । ସାନକୁ ସତେଇଶ ପୁରି ଅଠେଇଶ ପଶିବ । କେବେ ଆଉ ତୁମ ମୁଣ୍ଡରେ ଚେତା ପଶିବ ?' କହିସାରି ପାଟିରେ ଖଣ୍ଡିଏ ପାନ ଗୁଞ୍ଜିଦେଇ ବଳକା ଦୁଇଖଣ୍ଡକୁ କାନିରେ ଗଣ୍ଠି ପକାଇ ରମାମଣୀ ରୋଷେଇ ଘର ଆଡକୁ ମୁହାଁଇଲେ ।

        ପରଦିନ ଉମାକାନ୍ତ ବାବୁ ମଧ୍ୟସ୍ଥି ମଦନା ସାଙ୍ଗରେ ଯାଇ କନ୍ୟା ପସନ୍ଦ କରି ବିବାହ ସ୍ଥିର କରିଦେଇ ଆସିଲେ । ବଡପୁଅ ପାଇଁ ଚିନ୍ତା ଗଲା । 

'ହଇରେ ମଦନା !' ଫେରିବା ରାସ୍ତାରେ ଉମାକାନ୍ତ ବାବୁ କହୁଥିଲେ , 'ସାନ ଟୋକା ପାଇଁ କେଉଁଠୁ ଗୋଟାଏ ଦେଖେ ; ଦୁଇ ପର୍ସେଣ୍ଟ ଅଧିକ ଦେବି ।'

'ଆଜ୍ଞା ! ସାନ ପୁଅ ସୁରେଶ ପାଇଁ ? ମତେ ସେଥିରେ ପକାନ୍ତୁନି । କାହିଁକି ଗୋଟାଏ ଝିଅର ଜୀବନ ନଷ୍ଟ କରିବି ? ସେ କ'ଣ ଆଉ ମଣିଷ ହେଇ କି ଅଛି ?' ମଦନା ରୋକଠୋକ୍ ମନା କରିଦେଲା ।

'ହୁଁ... ; ସେଇଟା ଅବଶ୍ୟ ସତ ।' ଗମ୍ଭୀର ସ୍ଵରରେ ଉମାକାନ୍ତ ବାବୁ କହୁଥିଲେ , ' କନ୍ୟାକୁ ସାଙ୍ଗରେ ଆଣି ଯେଉଁ ଝିଅଟି ଆମ ପାଖକୁ ଆସିଥିଲା ସେ କାହା ଝିଅ ?'

'ସେ ଝିଅ କଥା ମନକୁ ଆଣନ୍ତୁନି ଆଜ୍ଞା । ବାପା ମା'ଙ୍କର ଗୋଟିଏ ସନ୍ତାନ ହୋଇଥିବାରୁ ତା' ବିବାହ ପରେ ସେମାନେ ଅବହେଳିତ ହେବା ଭୟରେ ସେ ବିବାହ କରିବନି ବୋଲି ସ୍ପଷ୍ଟ ମନା କରିଦେଇଛି । ବହୁତ ବଡ ବଡ ଘରୁ ତା' ପାଇଁ ମୁଁ ପ୍ରସ୍ତାବ ଆଣିଛି । କିନ୍ତୁ କିଛି ଲାଭ ହେଲାନି ।' କହିସାରି ମଦନା ଦୀର୍ଘନିଶ୍ଵାସ ଛାଡିଲା ।

'ତଥାପି ଥରୁଟେ ଚେଷ୍ଟା କଲେ କ୍ଷତି କଣ ?' ଉମାକାନ୍ତ ବାବୁ ଅନୁନୟ ସ୍ୱରରେ କହିଲେ ।

'ମୁଁ ଆପଣଙ୍କୁ ତା'ଙ୍କ ଘରକୁ ନେଇଯିବି । ତାପର ଦାୟିତ୍ଵ ଆପଣଙ୍କର ।'

'ହଉ ସେତିକି କର । ଏଡ଼େ ସୁଲକ୍ଷଣୀ ଝିଅ ଆଜି ପର୍ଯ୍ୟନ୍ତ ମୁଁ ଦେଖିନଥିଲି ।'ଉମାକାନ୍ତ ବାବୁ ଗୁଣୁ ଗୁଣୁ ସ୍ଵରରେ କହିଲେ ।

'ଆଖ ପାଖରୁ ମୁଁ ଶୁଣିଛି , ପିଲାଦିନୁ ସେ ଝିଅ କୃଷ୍ଣଭକ୍ତ । ସବୁବେଳେ ଶ୍ରୀକୃଷ୍ଣଙ୍କର ଫଟୋଟିଏ ଧରି ଖେଳୁଥିବ । ବଡ ହେବା ପରେ ଗୋଟିଏ ଜିଦ ଧରି ବସିଛି , ଶ୍ରୀକୃଷ୍ଣଙ୍କୁ ବାହାହବ । ମୁଁ ଏବେ ଏ କଳିଯୁଗରେ ଶ୍ରୀକୃଷ୍ଣଙ୍କୁ କୋଉଠୁ ପାଇବି ? ସଃ. . . . ; ଖାସା ମଧ୍ୟସ୍ଥି ମୁଁ ହେଲି ଯେ , ମୋ ମୁଣ୍ଡ ଖାଇଦେବେ ଏଗୁଡ଼ାକ : କିହୋ ! ରାଧା କଣ ତୋରି ପାଖରେ ଅବତରିଲେ ନା ମୀରାବାଇ ତୋରି ଭିତରେ ଆଉଥରେ ପୁନର୍ଜନ୍ମ ନେଲେ ! ଶେଷଆଡକୁ ମଦନାର ସ୍ଵର ତାତ୍ସଲ୍ୟପୂର୍ଣ୍ଣ ଶୁଭୁଥିଲା ।

'ସେ ଯାହା ବି ହେଉ , ତୁ କାଲି ଆଉଥରେ ଯାଇକି ଚେଷ୍ଟା କର ।' ଉମାକାନ୍ତ ବାବୁ ଶେଷ ଅନୁରୋଧ କଲେ ।

         ଦୁଇଦିନ ପରେ ମଦନା ଉମାକାନ୍ତ ବାବୁଙ୍କୁ ଦେଖା ହେଲା ।

'ବହୁତ ନାହିଁ ନାହିଁ ପରେ ବୁଢା ବୁଢୀ ଦୁଇଜଣଯାକ ଆତ୍ମହତ୍ୟାର ଧମକ ଦେବାରୁ ସେ ଝିଅ ରାଜି ହେଲା । ତା'ପରେ ତା' ସର୍ତ୍ତ ଶୁଣିଲେ ଆପଣ ତାଜୁବ ହୋଇଯିବେ ।' ଉମାକାନ୍ତଙ୍କ ଅପେକ୍ଷା ମଦନା ନିଜେ ଅଧିକ ତାଜୁବ ହୋଇଯାଇଥିବା ଭଙ୍ଗିରେ କହିଲା ।

'ହଉ ହଉ ! ଏତେ ଗୌରଚ଼ନ୍ଦ୍ରିକା ନକରି ସର୍ତ୍ତଟା ପ୍ରଥମେ କହ । ଆମେ ସବୁ ସର୍ତ୍ତରେ ରାଜି ।' ଉମାକାନ୍ତ ବାବୁ ସାମାନ୍ୟ ବିରକ୍ତ ହୋଇ କହିଲେ ।

'ପ୍ରଥମେ ପୁଅ ଯିବ । ସେମାନେ ପ୍ରଥମେ ପୁଅକୁ ଦେଖିବେ । ଏ କଥାଟି ନିଜେ ମିନୁ ମୋତେ କହିଲା । କହିବାକୁ ଭୁଲିଯାଇଛି , ସେ ଝିଅର ନାଁ ମିନୁ । ଦେଖୁଛନ୍ତି ତ ? ତା ଗର୍ବ କେତେ ? ସେଇଥିପାଇଁ ମୁଁ ଏଥିରେ ପଶିବାକୁ ମନା କରୁଥିଲି । ମଦନା ଏତକ କଥା ବଡ଼ କ୍ଷୋଭ ସହକାରେ କହୁଥିଲା । 

'ହଉ ଠିକ୍ ଅଛି । ଆଗ ପୁଅ ଯିବ । ତା'ପରେ ଆଉ କଣ ଅଛି କହିପକା ।'

'ସାରା ଜୀବନ ପିଆଜ ରସୁଣ ଓ ଆମିଷଠାରୁ ଦୂରରେ ରହିବ ବୋଲି ସେ ବ୍ରତ କରିଛି । ଆପଣମାନେ ଏତିକି କଥାରେ ରାଜି ହେଲେ , ବାହାଘର କଥା ଆଗକୁ ବଢିବ । ଏବେ ମୋ ବାଟ ଖର୍ଚ୍ଚ ଦିଅନ୍ତୁ । ମୁଁ ଯାଏଁ ।' ମଦନା ଯିବାପାଇଁ ଉଠି ଠିଆ ହେଲା ।

'କାଲି ଆସି ରାସ୍ତା ଖର୍ଚ୍ଚ ନେବା ସହିତ ସୁରେଶକୁ ସେଠାକୁ ନେଇକରି ଯିବୁ ।' 

'ହଉ ଆଜ୍ଞା ।'

           ସୁରେଶ ଯାଇ ମିନୁକୁ ଦେଖି ଆସିବା ପରେ କନ୍ୟାପକ୍ଷଙ୍କର ସହମତି ଅନୁଯାୟୀ ବିବାହ କାର୍ଯ୍ୟ ସଂପର୍ଣ୍ଣ ହେବାଲାଗି ଅନ୍ୟାନ୍ୟ ଆଲୋଚନା ପାଇଁ ଦିନେ ଉମାକାନ୍ତ ବାବୁ , ମଦନାକୁ ସାଙ୍ଗରେ ନେଇ କନ୍ୟାଘରେ ପହଞ୍ଚିଲେ । ସମସ୍ତ ବିଷୟ ଆଲୋଚ଼ନା ସରିବାପରେ ଉମାକାନ୍ତ ବାବୁ ମିନୁ ସଙ୍ଗରେ ଏକାନ୍ତରେ କଥା ହେବା ପାଇଁ ଇଚ୍ଛା ପ୍ରକାଶ କଲେ । ଭାବି ସମୁଦି ମୃଦୁ ହସି ମିନୁକୁ ଡକାଇଲେ । ଝିଅ ଆସିବାପରେ ଉମାକାନ୍ତ ବାବୁଙ୍କୁ ଛାଡ଼ି ଅନ୍ୟ ସମସ୍ତେ ସେ ଘରୁ ଅପସରି ଗଲେ ।

'ତୋ ଭଳି ଝିଅ ମୋର ବୋହୁ ହେବାକୁ ଯାଉଛି , ଏହା ମୋର ପରମ ସୌଭାଗ୍ୟ ।' 

'ମୋର ମଧ୍ୟ ।' ମିନୁ ନିମ୍ନମୁଖୀ ରହି ଯଥାସମ୍ଭବ ଧୀର ସ୍ୱରରେ କହିଲା ।

'ମୋ ପୁଅ ସୁରେଶ ବିଷୟରେ କିଛି କହିବାର ଅଛି । ଶୁଣିସାରିବା ପରେ ତୋର ନିଷ୍ପତ୍ତି ଚୁଡ଼ାନ୍ତ ହେବ ।'

'ଆଜ୍ଞା !'

'ତୋର ଗୌରବର୍ଣ୍ଣ ହୋଇଥିବା ସ୍ଥଳେ ତା' ବର୍ଣ୍ଣ କଳା ।' ଉମାକାନ୍ତ ବାବୁ ସାମାନ୍ୟ ଗଳାଝାଡି ଆରମ୍ଭ କଲେ ।

'ଶ୍ରୀକୃଷ୍ଣ ମଧ୍ୟ କଳା ଥିଲେ ।' ମିନୁ ନିର୍ଲିପ୍ତ ଭାବରେ ଉତ୍ତର ଦେଲା ।

'ସେ ଅତ୍ୟନ୍ତ ଦୁର୍ଦ୍ଦାନ୍ତ ପ୍ରକୃତିର ପିଲା । ଚାକୁ , ଭୂଜାଲି ଓ ପିସ୍ତଲ ଧରି ସବୁବେଳେ ବୁଲୁଥିବ । କଥା କଣ କି ମା ! କିଛି ଖଣି ମାଫିଆଙ୍କର କୁସଙ୍ଗରେ ପୁଅଟା ମୋର ପଡ଼ିଯାଇଛି ।'

'କୃଷ୍ଣଙ୍କ ପାଖରେ ତରବାରୀ ଓ ସୁଦର୍ଶନ ଚକ୍ର ସର୍ବଦା ଥାଏ । କେଉଁ କାର୍ଯ୍ୟ କାହା ଦ୍ଵାରା କରାଯିବା ଉଚିତ , ତାହା ବିଧାତାର ନିର୍ଣ୍ଣୟ । ଆପଣ ବା ମୁଁ ଏ ସଂପର୍କରେ ଭାବି କିଛି ଲାଭ ନାହିଁ ।' ମିନୁର ପୂର୍ବଭଳି ନିର୍ଲିପ୍ତ ସ୍ୱର ।

'ଏସବୁ ଜାଣିସାରିବା ପରେ , ତୁ ମୋ ପୁଅ ସୁରେଶ ସାଙ୍ଗରେ ଶାନ୍ତିରେ ଚଳିପାରିବୁ ତ ?' ଉମାକାନ୍ତ ବାବୁ ସାମାନ୍ୟ ବିସ୍ମିତ ହୋଇ ପଚାରିଲେ । 

'ମୁଁ ସର୍ବଦା ଶାନ୍ତିରେ ଥାଏ , ଆଗକୁ ମଧ୍ୟ ରହିବି । ନିଜେ ଶାନ୍ତିରେ ରହିବାର ମାର୍ଗ ଅନ୍ୟମାନଙ୍କ ଭିତରେ ଖୋଜିବା ଉଚିତ ନୁହେଁ । କୌଣସି ବାହ୍ୟ ଶକ୍ତି ବା ପରିବେଶ ଦ୍ଵାରା ପ୍ରଭାବିତ ହୋଇ ଅଶାନ୍ତି ଭୋଗୁଥିବା ବ୍ୟକ୍ତିମାନଙ୍କୁ ଶାନ୍ତିର ପ୍ରକୃତ ଅର୍ଥ ଜଣାନଥାଏ ।' ମୃଦୁ ହସି ମିନୁ ଉତ୍ତର ଦେଲା ।

'ତୋର କିଛି କଥା ଅବୁଝା ରହିଯାଉଛି । ତେବେ ତୁ ଏ ପ୍ରସ୍ତାବରେ ରାଜି ଅଛୁ , ମୋ ପାଇଁ ସେତିକି ଯଥେଷ୍ଟ । ଏବେ ମୁୁଁ ବିଦାୟ ନେଉଛି ।' ***

           ବାହାଘର ସରିଗଲା । ଦୁଇ ବୋହୁଙ୍କ ହାତରୁ ରୋଷେଇ ପରଷା ଖାଇ ରମାମଣୀ ଭାରି ଖୁସି । ହେଲେ ସେ ଖୁସି ବେଶୀଦିନ ରହିଲା ନାହିଁ । ଦିନ ପନ୍ଦରଟା ଯାଇନି , ଉମାକାନ୍ତ ବାବୁ ହୃଦରୋଗର ଶିକାର ହେଲେ । ଏ ବେମାରୀଟି ମଧ୍ୟବିତ୍ତ ପରିବାର ପାଇଁ ଏକ ବହୁତ ବଡ ଅର୍ଥନୈତିକ ବୋଝ । ହାତରେ ସମୟ କମ । **

         ଆମ୍ବୁଲାନ୍ସ ଦ୍ଵାରା ଉମାକାନ୍ତ ବାବୁ ଗୋଟିଏ ବଡ ପ୍ରାଇଭେଟ ଡାକ୍ତରଖାନାରେ ଆଡମିଶନ୍‌ ହେଲେ । ଜରୁରୀ ଅପରେସନ ପାଇଁ ପ୍ରସ୍ତୁତି ଆରମ୍ଭ ହେଲା । ଘରର ସଞ୍ଚିତ ଅଳ୍ପ କିଛି ପୁଞ୍ଜି ସହିତ ଆଖପାଖ ସାଇ ପଡ଼ିଶାରୁ ଓ ବନ୍ଧୁ ବାନ୍ଧବଙ୍କଠାରୁ ଆବଶ୍ୟକୀୟ ଅର୍ଥର କିଛି ଅଂଶ କରଜ ସୂତ୍ରରେ ସଂଗ୍ରହ ହୋଇଗଲା । ଏହା ପରେ ମଧ୍ୟ ମୋଟା ଅଙ୍କର ପ୍ରୟୋଜନ ରହିଛି । 

'ଟଙ୍କା ପାଇଁ ସମସ୍ତଙ୍କର ଚେଷ୍ଟା ଶେଷ ହୋଇ ସାରିଛି । ତୁମେ କିଛି ଚେଷ୍ଟା କର !' ସେପର୍ଯ୍ୟନ୍ତ ଜୀବନରେ ଟଙ୍କାର ଏତେ ବଡ ଭୂମିକା ବିଷୟରେ ଆଦୌ ସଚେତନ ନ ଥିବା ସୁରେଶ ଉଦ୍ଦେଶ୍ୟରେ ନବବିବାହିତା ପତ୍ନୀ ମିନୁ କହୁଥିଲା ।

' . . . . . .' ସୁରେଶ ନିରୁତ୍ତର ଥିଲା । ସେ ଏତେ ଟଙ୍କା ଆଣିବାର କୌଣସି ବାଟ ଖୋଜି ପାଉ ନଥିଲା । 

'ତୁମେ ଏଠାରେ ବାପାଙ୍କ ପାଖରେ ରୁହ । ମୁଁ ନିଜେ ଚେଷ୍ଟାକରି ଦେଖେ ।' ଏତକ କହିସାରି ମିନୁ ଡ଼ାକ୍ତରଖାନାରୁ ବାହାରକୁ ଆସି ଅଟୋରିକ୍ସାରେ ବସିଲା । ପ୍ରାୟ ଚାରି ଘଣ୍ଟା ପରେ ମିନୁ ଫେରିଲା । ଗୋଟିଏ କ୍ରେଡିଟ କାର୍ଡ଼ ଭ୍ୟାନିଟ ବ୍ୟାଗରୁ ବାହାର କରି ସୁରେଶ ହାତକୁ ବଢାଇଲା । 

'ଏ କାର୍ଡ଼ ନେଇ କାଉଣ୍ଟରରେ ପେମେଣ୍ଟ କର । ଅପରେସନ ପାଇଁ ଦରକାର ହେଉଥିବା ସମସ୍ତ ଟଙ୍କା ଏ ଆକାଉଣ୍ଟରେ ଅଛି ।'

       ଅପରେସନ ସଫଳ ହେଲା । ଡିସଚାର୍ଯ୍ ହେବାଦିନ ଡାକ୍ତର କହୁଥିଲେ , ' ଏ ଅପରେସନ ଆମ ପାଇଁ କୌଣସି ଏକ ମିରାକଲରୁ କମ ନଥିଲା । ଏଭଳି କେସରେ ପଏଣ୍ଟ ୱାନ୍‌ ପର୍ସେଣ୍ଟର ଆଶା ନଥାଏ । ବେଳେ ବେଳେ ଦୈବି କରୁଣାର ଆଶୀର୍ବାଦ ଦ୍ଵାରା ଅସମ୍ଭବ ମଧ୍ୟ ସମ୍ଭଵ ହୁଏ ।'

ରାତିରେ ଖାଇସାରି ସୁରେଶ ନିଜ ରୁମରେ ଚୁପ ଚାପ ବସି କଣ ଗୁଡ଼ାଏ ଭାବୁଥାଏ । 

'କଣ ବସିକି ଭାବୁଚ଼ ?' ମିନୁ ଓଦା ହାତ ପୋଛିବା ଭିତରେ ପଚାରିଲା ।

'ତୁମେ ଏତେ ଟଙ୍କା କେଉଁଠାରୁ ଆଣିଲ ମିନୁ ?'

'ଆମ ଘର ପାଖରେ ରୋଡକୁ ଲାଗି ଖଣ୍ଡିଏ ଜାଗା ଥିଲା । ବହୁତ ଲୋକ ତାକୁ କିଣିବାକୁ ଆଗ୍ରହୀ ଥିଲେ । ଜାଗାଟିକୁ ସେଇମାନଙ୍କ ଭିତରୁ ଜଣକୁ ବିକ୍ରି କରାଗଲା । ଟଙ୍କା ମୋ ଆକାଉଣ୍ଟକୁ ଅନ୍ ଲାଇନ ଟ୍ରାନ୍ସଫରରେ କ୍ରେଡିଟ ହେଲା ।' ମିନୁ ଅଳ୍ପ ହସି ଉତ୍ତର ଦେଲା ।

'ବିବାହ ପୂର୍ବରୁ ମୋ ବିଷୟରେ ଜାଣିଥିଲ ?'

'ହୁଁ ; ଜାଣିଥିଲି । ବାପା ସବୁ କହିଛନ୍ତି ।' ମିନୁର ନିର୍ଲିପ୍ତ ମୁହଁରେ ସ୍ମିତହାସ୍ୟ ଖେଳୁଥିଲା ।

'ମୁଁ ଗୋଟାଏ ପ୍ରଫେସନାଲ କ୍ରିମିନାଲ ମିନୁ ।' ସୁରେଶ ଅନୁତାପ ଭରା ସ୍ଵରରେ କହୁଥିଲା ।

'ସେକଥା ବି ଜାଣେ ।'

'ସବୁ ଜାଣିକରି ମଧ୍ୟ . . . . . ?' ସୁରେଶର ହତବାକ ଅବସ୍ଥା । ନିଜ ଆଙ୍ଗୁଳି ଦ୍ଵାରା ସୁରେଶର ଓଠକୁ ଚାପିଧରି ତାକୁ ଆଉ କିଛି କହିବାକୁ ନଦେଇ ମିନୁ କହିଲା , ' ଶ୍ରୀକୃଷ୍ଣ ହସ୍ତିନାପୁର ରାଜସଭାରେ ବିଶ୍ଵରୁପ ଦେଖାଇଥିଲେ । ଯୁଦ୍ଧରେ ରଥଚ଼କଟାଏ ଧରି ଭିଷ୍ମଙ୍କୁ ମାରିବାକୁ ଗୋଡ଼ାଇଥିଲେ । କ୍ରୋଧରେ କେବେ କେବେ ସୁଦର୍ଶନ ଚକ୍ରଙ୍କୁ ମଧ୍ୟ ସ୍ମରଣ କରିଛନ୍ତି । ତାଙ୍କର ସେସବୁ କାର୍ଯ୍ୟ କିଛି ଦୁଷ୍ଟମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ରାଧାଙ୍କ ପାଇଁ ନୁହେଁ ।'. . . . ଟିକିଏ ରହିଯାଇ ମିନୁ ସୁରେଶ ଆଖିକୁ ଗଭୀର ଭାବରେ ନିରେଖି ଦେଖିଲା ।

'କିଛି ଦୁଷ୍ଟ ମତଲବୀ ଲୋକ , ସେମାନଙ୍କର ସ୍ଵାର୍ଥ ପାଇଁ ତୁମର ଅପପ୍ରୟୋଗ କରୁଛନ୍ତି । ମୁଁ କିନ୍ତୁ ଜାଣେ , ଦିନେ ନା ଦିନେ ତୁମେ ସେ ରାସ୍ତା ଛାଡିଦେବ । ମୋ କାହ୍ନା ମୋ ପାଖକୁ ଫେରି ଆସିବ । ଯେତେ ବି ଡେରି ହେଉ , ମୁଁ ଅପେକ୍ଷା କରିଥିବି । ଏହା ମୋର ଅନୁମାନ ନୁହେଁ , ବିଶ୍ଵାସ ; ଗୋଟିଏ ନାରୀର ତପସ୍ୟା ପୂର୍ଣ୍ଣ ପ୍ରତୀକ୍ଷା ।'

'ମୁଁ ସେ ରାସ୍ତା ଏବେଠାରୁ ଛାଡିଦେବି ମିନୁ । ସେ ରାସ୍ତା ମୋ ବାପକୁ ବଞ୍ଚାଇବାରେ ସାହାଯ୍ୟ କରିପାରିଲା ନାହିଁ ।' ମିନୁ କୋଳରେ ମୁଣ୍ଡ ଦେଇ ସୁରେଶ କାନ୍ଦୁଥିଲା ।

'ମୁଁ ଜାଣିଥିଲି ଯେ ଦିନେ ତୁମେ ସେ ଅନ୍ୟାୟ କାର୍ଯ୍ୟ କରିବା ଛାଡିଦେବ । କିନ୍ତୁ ଏତେ ଶୀଘ୍ର ବୋଲି ଜାଣି ନଥିଲି ।' ସୁରେଶର ମୁଣ୍ଡକୁ ନିଜ କୋଳରେ ଧରି ଆଉଁସି ଦେଉ ଦେଉ ମିନୁ କହିଲା ।  

          


Rate this content
Log in

Similar oriya story from Romance