ଏକ ଛବିର ଗଳ୍ପ
ଏକ ଛବିର ଗଳ୍ପ
ଆଜି ସକାଳେ, ବଗିଚା କାମରେ ଲାଗି ଥାଏ। ବଡ ଟଗର ଗଛଟି, ବହୁତ ଫୁଲରେ ଶୋଭିତ ଓ ପୁଲକିତ ଦିଶୁଥାଏ। ଯେମିତି କିଛି କହିବ। ମୁଁ ଧ୍ୟାନ ଦେଲି। ବେଶ୍ ବୋଧଗମ୍ୟ ତାର ବକ୍ତବ୍ୟ। କେବଳ କହିଲା, ଧନ୍ୟବାଦ।
ଆଶ୍ଚର୍ଯ୍ୟ କଥା, ଦାତା କାହିଁକି ଗ୍ରହିତାକୁ କୃତଜ୍ଞତା ଜଣାଇବ? ଏହି କେତେ ଦିନ ତଳେ, ମୁଁ ତା କଳେବରକୁ ନିଷ୍ଠୁର ଭାବେ ଅର୍ଦ୍ଧାଧିକ ହ୍ରାସ କରିଥଲି। ସେ କେମିତି ଜାଣିଲା, ବଂଶ ବିସ୍ତାର ପାଇଁ ତା ଅଙ୍ଗ ଅନେକ ସ୍ଥାନରେ ରୋପିତ, ଯେଉଁଥିପାଇଁ ସେ ଏତେ ଖୁସି! ଗଛଗୁଡା ପୋଷା କୁକୁର ଠାରୁ ବି ଅଧିକ ନିର୍ଲଜ ଭାବେ ବିଶ୍ବସ୍ତ। ହଣା ମରା ଖାଇବି ଦେଖ, କି ଖୁସି। ମୋତେ ଲାଗିଲା ମୋ ଭାବନାକୁ ସେ ବୁଝି ପାରି ଅଭିମାନ କଲା। କୌଣସି ଏକ ତଡିିତ୍ ପ୍ରାୟ ତରଙ୍ଗ, ମୋ ମଗଜକୁ ହଠାତ୍ ତା ଖୁସିର ଏକ ନୂଆ ସଂଭାବ୍ୟ କାରଣ ଚେତେଇ ଦେଲା। ତା ପଛକୁ ଯେଉଁ ଡେଙ୍ଗା କୁନ୍ଦୁରୀ ଲତା ମୃତ ପ୍ରାୟ ମଞ୍ଚା ବିଜଡିତ ହୋଇଛି ଏକ ଦର୍ଶନୀୟ ହରଡ଼ ଗଛର କଙ୍କାଳରେ। ଏହି ମାତ୍ର ଏକ ମାସ ତଳେ ସବୁଜିମାର ଏକ କୁମ୍ପି ବାଣ ପ୍ରାୟ, ଏହି କୁନ୍ଦୁରୀ ଲତା ଭୂମିରୁ ଆକାଶ ପର୍ଯ୍ୟନ୍ତ ଫୁଲ ଫଳରେ କମ୍ପୁଥିଲା, ମାତ୍ର ଆଜି ସଁବାଳୁଆ ମାନେ ସବୁ ପତ୍ର ଓ ଫଳ ଖାଇ ସଫା କରି ଦେଇଛନ୍ତି। ସେ ଦେଖା ଯାଉଛ ଡଟ୍ସ ଚିକିତ୍ସା ଆରମ୍ଭ ପୂର୍ବର କ୍ଷୟ ରୋଗୀ ପ୍ରାୟ। ଟଗର ଗଛ ମୂଳରେ ବିନା ଆବାହନରେ କିଭଳି କେଜାଣି କୁନ୍ଦୁରୀ ଲତା ଜନ୍ମି ଗଛଟିରେ ମାଡିଲା ତହା ବୁଝା ପଡେ ନାହିଁ। ଏମିତି ଅନେକ ବୁଦା ହୋଇଛି। ଧବଳ ଟଗର ଆସିଥିଲା କଟକ ନଗରରୁ, ସରିତା ଲଗାଇ ଥିବା କୁଣ୍ଡରେ। କୁଣ୍ଡଗଛ ସହଜରେ ବଞ୍ଚିଗଲା, ଏଠି ସମ୍ପୂର୍ଣ୍ଣ ଟାଙ୍ଗରା ଭୂମିରେ। ଆଉ ନାନା କିସମର, ସାଥି ସହଚରଙ୍କ ସହ।
ବିଗତ ପାଞ୍ଚ ବର୍ଷ ଧରି, କୁନ୍ଦୁରୀ ମାଡିଥିଲା, ଏହି ମଖମଲି ଫୁଲ ଫୁଟୁଥିବା ଟଗର ଗଛରେ। ଫୁଲ ଗଛଟିର ପତ୍ରକୁ, ସବୁବେଳେ ପୋକ, ସଁବାଳୁଆ ଖାଇ ସଫା କରନ୍ତି। ଫୁଲ ଫୁଟେ ଅଳ୍ପ। କିନ୍ତୁ କୁନ୍ଦୁରୀ ରୀତିମତ ଫଳେ। ଏଥର ଓଲଟା। ମୁଁ କୁନ୍ଦୁରୀକୁ ଟଗର ଗଛରୁ ଅଲଗା କରି ଛାତ ମୁହାଁ କରାଇଲି। ଟଗର ବେଶ୍ ଫୁଟୁଛି, ପୋକ ନାହାନ୍ତି। ପୋକ ସବୁ ଅବଳା ଲତା ଉପରେ ଆକ୍ରମଣ କଲେ। ଅବଳା ଆଉ କ'ଣ, ସାଆଁବାଳୁଆ ମାନେ ବଢ଼ି ଗଲେଣି, ଖୋସା କରି ବସା ବାନ୍ଧିବେ, ପ୍ରଜାପତି ହେବେ, ଫୁଲରୁ ଫୁଲ ଉଡି ବୁଲିବେ। କୁନ୍ଦୁରୀ ନବ ପଲ୍ଲବିତ ହୋଇ ପୁଣି ଫୁଲ ଫଳରେ ଲୋଟି ପଡିବ। ଓଃ, ସଭିଏଁ ଖୁସି। ଏଇଥିପାଇଁ ତାହେଲେ ଟଗର କହିଲା ଧନ୍ୟବାଦ। ମୋ ମନଟା ଏତେ ଖୁସି ହୋଇଗଲା ଯେ, ତା ସହ ସେଲ୍ଫିଟାଏ ନେବାକୁ ଭୁଲିଗଲି। ସଂଧ୍ୟା ବେଳେ ଦେଖିଲି, ଫୁଲ ଅପହୃତ। ମଣିଷ ଛିଡାଇଛି, ତଥାପି ଟଗର ହସୁଛି ଆସନ୍ତା କାଲିର ସଂଭାବନାକୁ ଅପେକ୍ଷା କରି। ମୁଁ ବି ଭଲ ଶିକ୍ଷା ପାଇଲି, ପ୍ରକୃତିର ଏକ ନିଜସ୍ୱ ସନ୍ତୁଳନ ଅଛି, ଭାବ ଓ ଆଦାନ ପ୍ରଦାନର ସମ୍ଭ୍ରାନ୍ତ ଶୈଳୀରେ। କୀଟନାଶକ ପକାଇ ତହିଁରେ ବ୍ୟାଘାତ ସୃଷ୍ଟି କରିବାର ଆବଶ୍ୟକତା ବା କଣ।