ଦୂର ପାହାଡ଼
ଦୂର ପାହାଡ଼
ପାଟପୁର ଗାଁର ଗହୀରର ଦୃଶ୍ୟ। ପ୍ରାୟ ବିଲରୁ ଧାନ କଟା ସରିଲାଣି। କିଛି ଲୋକଙ୍କର ଧାନ କଟା ଚାଲିଛି। ମିଟୁଆ ଧାନ କଟାରେ ଲାଗିଛି, ପାଖାପାଖି ବିଲରେ କିଛି ଲୋକ ବି ନିଜ ନିଜର ଧାନ କାଟୁଛନ୍ତି। ମିଟୁଆ ମଝିରେ ମଝିରେ ଧାନ କଟାକୁ ବନ୍ଧ କରି ନିଜର ସ୍ମାର୍ଟ ଫୋନରେ ଫେସବୁକକୁ ଟିକେ ଦେଖି ନେଉଛି। ପାଖପାଖି ଲୋକମାନେ ଇସାରାରେ ଟାହି ଟାହିଟାପରା କରୁଛନ୍ତି, ମିଟୁଆର ଅଜଣାତରେ। ଜଣେ କହୁଛି "ତାର ଆଜି ସରିବନି ଏ ବିଲଟା, ଫୋନ ତାକୁ ବାଇଆ କରିଛି"। ଆର ଜଣଙ୍କ କହୁଛି "ନୂଆ ନୂଆ ଫୋନ କିଣିଛି ତ କାମରେ କଣ ମନ ଲାଗୁଛି ପୁଅର"। ମିଟୁଆ କିନ୍ତୁ ଭାବୁଛି ଗାୟତ୍ରୀ ଦେବୀଙ୍କ ବିଷୟରେ। କଣ କାରଣ ହୋଇପାରେ? କଣ ପାଇଁ ଗାୟତ୍ରୀ ଦେବୀଙ୍କ ମତାମତ ଆସିଲାନି? ବୋଧେ ଲେଖାଟି ସେତେ ଭଲ ହୋଇନି। ଆଜି ଆଉ ସରିବନି ବିଲଟା, ମୁହଁ ସଞ୍ଜ ତ ହେଲାଣି।
ମିଟୁଆ ୩୫ ବର୍ଷର ଯୁବକ। ଅଳ୍ପ ଶିକ୍ଷିତ, ଚାଷ ବାସ କାମ କରି ଗୁଜୁରାଣ ମେଣ୍ଟାଏ। ସହର ଠୁ କାହିଁ କେତେ ଦୂର ଏକ ନିପଟ ମଫସଲ ଗାଁ ପାଟପୁରର ବାସିନ୍ଦା। ପିଲା ଦିନରୁ କବିତା ଗପ ପ୍ରତି ବହୁତ ଆଗ୍ରହ। ବୟସ ୮, ୯ ବର୍ଷରୁ ମାଙ୍କ ପାଖରୁ କବିତା ଶୁଣିବା କୁ ବହୁତ ଭଲପାଏ। ମା ବି ତାଙ୍କ ପିଲାଦିନେଢ଼ ପଢିଥିବା ବହିର କିଛି ଧାଡି ଶୁଣାଇ ଦିଅନ୍ତି ପୁଅକୁ। ମିଟୁଆର ଏବେ ବି ମନେ ଅଛି, କବିତାର କେଇ ଧାଡି।
"ମୁଁ ଗୋଟିଏ ଦୁଷ୍ଟ ପିଲା ଠାପୁଆଙ୍କର ଗୁରୁ
ଗୁଣ୍ଡୁଚି ମୂଷା ନେଉଳ ଦେଖି ଗୋଡ଼ାଏ ତାକୁ ଦୂରୁ।
କୁମାର ପୂର୍ଣ୍ଣିମାରେ ସେ ସମୟରେ ଝିଅ ମାନେ ଗାଉଥିବା ଗୀତ "କେଉଁ ଦେଶେ ଥିଲୁ ଲୋ ତୁ ଶରତ ସୁନ୍ଦରୀ, ନ ପାଇଁ ବାରତା ହେଲୁ ଉପଗତ"
ଏମିତି ଅନେକ ଗୀତ ମା'ଙ୍କ ନିକଟରୁ ମିଟୁଆ ଶୁଣି ବଡ ହୋଇଛି। ମିଟୁଆକୁ ବହୁତ ଭଲ ଲାଗେ "କୋଇଲି ଲୋ କେଶବ ଯେ ମଥୁରାକୁ ଗଲା" । ଏସବୁ ଭିତରେ ପଢ଼ାରେ ସେତେ ମେଧାବୀ ହୋଇ ନ ଥିବାରୁ, ଅଧା ବାଟରୁ ବାଟ ବଣା ହୋଇ ଆଜି ସାମାନ୍ୟ ଗରିବ ଚାଷୀରେ ପରିଣତ ହୋଇଛି ମିଟୁଆ ଓରଫ ମିଟୁ। ତେଲ ଲୁଣର ସଂସାର ଭିତରେ ଭୁଲି ଯାଇଛି ତାର ଅତୀତକୁ। ସକାଳ ମୁହଁ ଅନ୍ଧାରୁ ଉଠି ପୁଣି ମୁହଁ ସଞ୍ଜ ଯାଏଁ ଲାଗିଥାଏ ତାର ବିଲ ବାଡ଼ିରେ। ଗାଁ ଗଣ୍ଡାରେ ସବୁ ଲୋକଙ୍କ ପରି ସନ୍ଧ୍ୟା ପରେ ବି ଗାଈ ଦୁହାଁ ପୁଣି କ୍ଷୀର ନେଇ ଷ୍ଟୋର ଦେବା ଠୁ ସଉଦା ପତ୍ର ସବୁ କାମ ସରିଲା ବେଳକୁ ରାତି ନଟା।
କିଛି ଦିନ ହେବ ମିଟୁ ବହୁ କଷ୍ଟରେ ଫୋନ ଖଣ୍ଡେ କିଣିଛି। ଫେସବୁକ ବ୍ୟବହାର କରିବା ପରେ ଧୀରେ ଧୀରେ ପୁଣି ଅନେକ କବିତା ଆଉ ଗଳ୍ପ। ହେଲେ ଚାଷୀ ଲୋକଙ୍କ ପାଇଁ ଏସବୁ "ଅଜାତି କି ବଣିଜ ଅଡ଼ୁଆ" ନ୍ୟାୟରେ ବହୁତ ଅସୁବିଧାରେ ପକାଇଛି। ବିଲ ବାଡ଼ିକୁ ଫୋନ ନେଇ ଗଲେ ନିଜ କାମରେ ବିଳମ୍ବ, ତା ସାଙ୍ଗକୁ ପାଣି କାଦୁଅ। ଏସବୁ ପରେ ବି ମିଟୁ ଫୋନଟିକୁ ପାଖରେ ରଖିଥାଏ। ଏବେ ଘରଣୀ ସହ ବି କଳି, ସ୍ତ୍ରୀ'ର ସଦାବେଳେ ଅଭିଯୋଗ "ଫୋନଟାକୁ କଣ ଦିନରାତି ଦେଖୁଛ? କଣ ଲାଭ ପାଉଛ ସେଥିରୁ"।
ଦିନେ ମିଟୁ ଫେସବୁକରେ ଏକ ସୁନ୍ଦର କବିତା ପଢିବାକୁ ପାଇଛି। କବିତାର ବିଷୟବସ୍ତୁ ମହା ପୁରୁଷଙ୍କ ଜୀବନ ଉପରେ ଆଲୋକପାତ। କବିତାର ଲେଖିକା ଗାୟତ୍ରୀ ଦେବୀ। ମିଟୁର ଗାୟତ୍ରୀ ଦେବୀଙ୍କ ସହ ବନ୍ଧୁତା ହୋଇଛି। ଗାୟତ୍ରୀ ଦେବୀଙ୍କ ବ୍ୟକ୍ତିତ୍ୱ, ପ୍ରତିଭା, ଜ୍ଞାନ ଓ ଆଦର୍ଶରେ ବହୁତ ପ୍ରଭାବିତ ହୋଇଛି ଗାଉଁଲି ମିଟୁ। ନିଜର ଅଜଣାତରେ ଗାୟତ୍ରୀ ଦେବୀଙ୍କ ଜଣେ ମହାନ ଅନୁଚର ବା ଶିଷ୍ୟ ହୋଇଯାଇଛି। ଗାୟତ୍ରୀ ଦେବୀଙ୍କ ମହତପୂର୍ଣ୍ଣ ଉପଦେଶ "ଲେଖକର ଆଗ୍ରହ ହେଉଛି ତା ଗୁରୁ "। ଏବେ ନିଜେ କିଛି ଲେଖିବା ପାଇଁ ସବୁବେଳେ ଚେଷ୍ଟା ଜାରି ରଖିଛି। ଏସବୁ ପରେ ବି ମିଟୁ ଦୁଇ ଧାଡିରୁ ବେଶି ଲେଖି ପାରେନି ଶତ ଚେଷ୍ଟା ସତ୍ତ୍ୱେ।
ଏବେ ମିଟୁ ଫେସବୁକରୁ ନିଜକୁ ଦୂରେଇ ପାରୁନି କ୍ଷଣେ ମାତ୍ର। ନିଜର ଆଦର୍ଶ, ନିଜର ମା ଗାୟତ୍ରୀ ଦେବୀଙ୍କ ଘର କ
ଟକରେ ଜାଣିବାକୁ ପାଇଛି। ମଳି ମୁଣ୍ଡିଆ ମିଟୁ କେବେ ସାହସ କରିନି ଗାୟତ୍ରୀ ମାଆଙ୍କ ସହ କଥା ହେବା ପାଇଁ, କି ମେସେଞ୍ଜରରେ ସମ୍ପର୍କ ସ୍ଥାପନ କରିବା ପାଇଁ। କେବଳ ଭଲ ପାଇଛି, ଭକ୍ତି କରିଛି, ଅନେକ ସମ୍ମାନ ଦେଇଛି ଅନ୍ତରରେ। କେବେ କେବେ କଟକ ଗଲେ ମାଙ୍କୁ ଖୋଜିବୁଲେ ରାସ୍ତା ଘାଟ,ଗଳି କନ୍ଦି ଓ ସମସ୍ତ ଜନବହୁଳ ସ୍ଥାନରେ, କିନ୍ତୁ ତାର ସବୁ ଚେଷ୍ଟା ବିଫଳ ହୁଏ। ଏତେ ବଡ ସହରରେ ଜଣେ ଲୋକକୁ ଖୋଜିବା ବି ବହୁତ ବଡ଼ ମୂର୍ଖାମୀ, ତା ସହିତ ଜଣେ ସାମାନ୍ୟ ଚାଷୀ କଟକ ବାରମ୍ବାର କଣ ପାଇଁ ବା ଆସିବ?
ବାସ୍ତବରେ ନ ହେଲେ ବି ସ୍ୱପ୍ନରେ ମିଟୁ ଅନେକ ଥର ଭେଟିଛି ନିଜର ଅତି ଆଦରଣୀୟ ମାଙ୍କୁ। ହେଲେ ସବୁ ସ୍ୱପ୍ନ ଥାଏ ଭିନ୍ନ ଭିନ୍ନ। କେଉଁ ସ୍ୱପ୍ନରେ ଗାୟତ୍ରୀ ଦେବୀ ଆଦରରେ ପାଛୋଟି ନିଅନ୍ତି ତ କେତବେଳେ ଅପମାନିତ କରି ଘରୁ ବିଦା କରିଦିଅନ୍ତି। ପାଛୋଟି ନେବା ସ୍ୱପ୍ନରେ ମିଟୁ ଖୁସି ହୁଏ ଏବଂ ଅପମାନିତ କରିଥିବା ସ୍ୱପ୍ନରେ, ସ୍ବପ୍ନ ଭାବି ଭୁଲିଯାଏ। ହେଲେ ମିଟୁର ଶ୍ରଦ୍ଧା ଭକ୍ତି କେବେ ବି କମ ହୁଏନି।
ଦିନେ କଟକର କୃଷି ଉନ୍ନୟନ କେନ୍ଦ୍ରରେ ମାଗଣା ବିହନ ମିଳିବା ଖବର ଶୁଣି ମିଟୁ ଆନନ୍ଦ ବିଭୋର ହୋଇଯାଇଛି। ପ୍ରଥମେ ମାଗଣାରେ ବିହନ ମିଳିବ, ଯଦି ଭାଗ୍ୟରେ ଥିବ ମା'ଙ୍କ ଦେଖା ବି ହୋଇଯିବ। ରାତିରେ ମିଟୁକୁ ନିଦ ନାହିଁ କେମିତି ସକାଳୁ କଟକ ଯିବ। ବିହନ ଗଣ୍ଡାଏ ପାଇଁ ଏତେ ବାଟ ନ ଯିବାକୁ ବାରଣ କରିଛି ତା ସ୍ତ୍ରୀ।ସବୁ କାମକୁ ପଛରେ ପକାଇ ସକାଳ ସାତଟା ବସରେ ମିଟୁ ଚାଲିଛି କଟକ ବିହନ କେନ୍ଦ୍ରକୁ। ବିହନ ନେବାକୁ ଅନେକ ଲୋକଙ୍କ ଧାଡ଼ି ଲମ୍ବିଛି। ମିଟୁର ପାଳି ପଡିଲା ବେଳକୁ ଦିନ ୨ଟା। ଭୋକରେ ଦିଗଭାଗ ଅନ୍ଧାର ଦେଖାଗଲାଣି। ବିହନ କେନ୍ଦ୍ରରେ ଥିବା କର୍ମଚାରୀ ମାଗଣା ବଦଳରେ ବସ୍ତା ପିଛା ଶହେ ଟଙ୍କା ନେଉଛନ୍ତି। କଣ କରିବ ମିଟୁ,ପାଖରେ ବେଶି ଟଙ୍କା ନାହିଁ। ବିହନ ନ ନେଲେ ଗୋଟେ ଦିନ ବେକାର ଯିବ। ଗୋଟେ ଦିନ ଭୋକରେ ରହିବ ସିନା ବିହନ ନେଇ ଯିବ ଘରକୁ ନ ହେଲେ କେମିତି ମୁହଁ ଦେଖାଇବ ଘରେ,ସ୍ତ୍ରୀ ତ ପ୍ରଥମରୁ ମନା କରିଥିଲା। ଶେଷରେ ଶହେ ଟଙ୍କା ଦେଇ ବିହନ ଆଣି ଫେରିଛି।
ଫେରିବା ବାଟରେ ରାସ୍ତା ପାଖ ଦୋକାନରେ ପାଣି ଗ୍ଲାସ ପିଇଛି। ସକାଳୁ କଣ ଗଣ୍ଡେ ଖାଇଥିଲା, ଭୋକରେ ଜ୍ଞାନ ହଜିଲାଣି। ପାଖରେ ପଇସାଟିଏ ନାହିଁ, ପକେଟରେ ତିରିଶଟି ଟଙ୍କା ପଡିଛି। ଯଦି କଣ ଟିକିଏ ଖାଇ ଦିଏ ବସ ଭଡା କେମିତି ଦେବ। ଏସବୁ ଭାବିବା ଭିତରେ କେତେବେଳେ ଆସି ରାସ୍ତା ପାଖ ଗଛ ମୂଳେ ପହଞ୍ଚିଲାଣି ନିଜେ ବି ଜାଣିନି। କିନ୍ତୁ ସେ ଅଚାନକ ଦେଖିବାକୁ ପାଇଛି ମା ଗାୟତ୍ରୀ ଦେବୀଙ୍କୁ। ନିଜକୁ ବିଶ୍ୱାସ କରିପାରି ନାହିଁ। ଗାୟତ୍ରୀ ଦେବୀ ଏକ ସୁନ୍ଦର କାରରେ ଅତିକ୍ରମ କରିଛନ୍ତି, ଏବଂ ପାଖରେ ଥିବା ସୁରମ୍ୟ ଅଟାଳିକାରେ ପ୍ରବେଶ କରିଛନ୍ତି।
କଣ ଠିକ କଣ ଭୁଲ ଚିନ୍ତା ନ କରି ମିଟୁ ଆଗେଇଛି ଅଟାଳିକା ଭିତରକୁ। ଏତିକି ଭାବି ନେଇଛି କିଛି ନ ହେଲେବି ଜଳଖିଆ ଗଣ୍ଡେ ନିଶ୍ଚିତ ମିଳିବ। ପେଟ ପାଇଁ ସବୁ ନାଟ, ଭୋକ ବିକଳରେ ସବୁ କିଛି ଭୁଲିଯାଇଛି। ଧାନ ବିହନ ଘରର ଫାଟକ ପାଖରେ ରଖିଦେଇ ଡୋର ବେଲକୁ ଦବାଇଛି ବଡ ସଙ୍କୋଚରେ। ମନରେ ବହୁତ ଭୟ?,କଣ ହେବ କଣ ନାଇଁ। କିଛି ସମୟ ପରେ ଗାୟତ୍ରୀ ଦେବୀ ଆସିଛନ୍ତି। ସେଇ ସୁନ୍ଦର ରୂପ, ମନରେ ଆତ୍ମା ବିଶ୍ୱାସ ଭରପୁର। ପାଖକୁ ଆସି ମିଟୁ କୁ ପଚାରିଛନ୍ତି "କାହାକୁ ଖୋଜୁଛ"। ଭୟ ମିଶା କଣ୍ଠରେ ମିଟୁ ନିଜର ପରିଚୟ ଦେଇଛି। ଗାୟତ୍ରୀ ଦେବୀ ଅଳ୍ପ ହସି ପୁଣି ପଚାରିଛନ୍ତି "କଣ କିଛି କାମ ଥିଲା"। ଭାଙ୍ଗି ଯାଇଛି ମିଟୁର ମନ , ଚୁରମାର ହୋଇଛି କଳ୍ପନାର ସୌଧ। ତା ସହିତ ଅସୁମାରୀ ଆଶା। ଭୟ ମିଶା କଣ୍ଠରେ କହିଛି "କଟକ ଆସିଥିଲି, ଆପଣଙ୍କୁ ଦେଖିବାରୁ ଏମିତି ଚାଲି ଆସିଲି"। ଗାୟତ୍ରୀ ଦେବୀ କହିଲେ "ମୁଁ ଏବେ ବହୁତ ବ୍ୟସ୍ତ, ପରେ କେବେ ଆସ"। ଏତିକି କହି ଘରକୁ ଫେରୁ ଫେରୁ ମିଟୁ ପ୍ରଣାମ କରିଛି ମାଙ୍କୁ। ଆଖିରୁ ଦୁଇଟୋପା ଲୁହ ଝରି ଯାଇଛି ଅଜଣାତରେ। ମା'ଙ୍କ ପାଦ ଧୂଳି ବଦଳରେ ମିଟୁ ଆଣିଛି ମା'ଙ୍କ ଜୋତାରୁ ଧୂଳି ଟିକେ।