STORYMIRROR

Manorama Hati

Thriller

3  

Manorama Hati

Thriller

ଦୁର୍ଘଟଣା

ଦୁର୍ଘଟଣା

2 mins
389

ଆଜି ସିଡି ଓହ୍ଲଉ ଥିବା ବେଳେ ହଠାତ୍ ସୁଷମାଙ୍କର ପାଦ ଖସିଗଲା। ସେ ତଳେ ପଡିଗଲେ।ପାଦରେ ଶକ୍ତ ଆଘାତ ଲାଗିବାରୁ ସେ ପଡିବା ଜାଗାରୁ ଉଠି ପାରି ନ ଥିଲେ। ବହୁତ କଷ୍ଟ ହଉଥିଲା ତାଙ୍କୁ । ପୁଅ ରାକେଶ ତାଙ୍କୁ ସାଙ୍ଗେ ସାଙ୍ଗେ ମେଡିକାଲ ନେଇଗଲା। ଡକ୍ଟର ପ୍ରାଥମିକ ଚିକିତ୍ସା ପରେ କିଛି ମେଡିସିନ୍ ଲେଖି ଦେଇଥିଲେ। 

ରାକେଶ ମେଡିସିନ୍ ପାଇଁ ଚାଲି ଯାଇଥିଲା। ହେଲେ ଫୋନଟା ମାଙ୍କ ପାଖରେ ରହିଯାଇଥିଲା। ଏତିକିବେଳେ ବୋହୂ ରୋନାର ଫୋନ ଆସିଲା। ସୁଷମା ରିସିଭ୍ କଲେ।କିଛି କହିବା ପୂର୍ବରୁ ସେପଟୁ ରୋନା କହି ଚାଲିଲା। -ଦେଖ! ମାଙ୍କୁ ଘରକୁ ଆଣିବନି। ଗୋଡ ଭଲ ନ ହେବା ପର୍ଯ୍ୟନ୍ତ ତାଙ୍କର ହସପିଟାଲ ରେ ରହିବା ବନ୍ଦୋବସ୍ତ କରିଦିଅ। ତାଙ୍କର ଏବେ ଯୋଉ ଅବସ୍ଥା! ତାଙ୍କର ପ୍ରତିଟି କାମ ପାଇଁ ମୋତେ ଧରାଧରି କରି ନେବା ଆଣିବା କରିବାକୁ ପଡିବ। ତମେ ତ ଜାଣ। ବଡ ଘର ଆମର। କେତେ କାମ! ତାଙ୍କ କାମ କେତେବେଳେ କରିବି? 

ସୁଷମା ଆଉ ଶୁଣି ପାରି ନ ଥିଲେ ଆଗକୁ। ଆଖିରେ ଲୁହ ଭର୍ତ୍ତି ହେଇଯାଇଥିଲା। ରାକେଶ୍ ପହଞ୍ଚି ଯାଇଥିଲା। 

-ମା! ତୁ ଏଠି ଭଲ ହେବା ପର୍ଯ୍ୟନ୍ତ ରହ। ମୁଁ ସବୁ ବନ୍ଦୋବସ୍ତ କରିଦେଇଛି। ତୋର କିଛି ଅସୁବିଧା ହେବନି। ମୁଁ ଜାଣିଛି, ରୋନା ତୋର ସେବାଯତ୍ନ ଠିକସେ ନେଇ ପାରିବନି। ତୁ ମନ ଖରାପ କରନା। ମୁଁ ସବୁବେଳେ ତତେ ଦେଖା କରିବା ପାଇଁ ଆସିବି। 

କିଛି ଦିନ ପରେ। ରୋନା ସପିଂ କରି ସ୍କୁଟିରେ ଘରକୁ ଫେରୁଥିବା ବେଳେ ସଡକ ଦୁର୍ଘଟଣାରେ ଗଭୀର ଭାବେ କ୍ଷତାକ୍ତ ହେଲା। ଗୋଡ ଦିଟା ଯାକ ପ୍ରାୟ ଅଚଳ ଅବସ୍ଥା। ଡକ୍ଟର କହିଲେ-ଏବେ ଛମାସ ଯାଏଁ ସେ ବେଡ୍ ରୁ ଉଠିବା ଅସମ୍ଭବ। 

ଗୋଡର ଯନ୍ତ୍ରଣା ଠାରୁ ଛମାସ ଯାଏ ବେଡ୍ ରେ ପଡି ରହିବା କଥା ଟା ଆହୁରି ଅସହ୍ୟ ହେଲା। ରୋନା ଜୋରରେ କାନ୍ଦିବାକୁ ଆରମ୍ଭ କଲା। 

-ରାକେଶ ତମେ ଜାଣ! ମୁଁ ମେଡିକାଲ କୁ ଆସିବା ପାଇଁ କେତେ ଘୃଣାବୋଧ କରେ। ଚାରିଆଡେ ଏଠି ମେଡିସିନ୍ ର ଗନ୍ଧ। ଅଣନିଃଶ୍ୱାସୀ ଲାଗୁଛି। ୟା ଛଡା ତମକୁ, ପିଲାମାନଙ୍କୁ ନ ଦେଖି କଣ ଏ ଚାରି କାନ୍ଥର ଆବଦ୍ଧ ଭିତରେ ରହିପାରିବି!

-ୟା ବ୍ୟତୀତ ଅନ୍ୟ ଉପାୟ ନାହିଁ। ମୁଁ ଅଫିସ ଯିବି। ଚିକୁ, ମିକୁ ସ୍କୁଲ୍ ଯିବେ। ମା କଣ ଏ ବୟସରେ ତମର ସେବାଯତ୍ନ କରିପାରିବ ବୋଲି ଭାବୁଛ? 

ଠିକ୍ ଏଇ ସମୟରେ ସୁଷମା ପହଞ୍ଚି ଗଲେ। ସେ ଯଦି ଭାବୁଥାଏ ଠିକ୍ ଭାବିଛି। ମୁଁ କଣ ମରି ଯାଇଛି? ସେ ଘରଦ୍ୱାର ଛାଡି ଏଠି ଅନାଥ ଛୁଆଟେ ପରି ପଡି ରହିବ।କେତେବେଳେ ତୁ ଥରେ ଦେଖା କରିବାକୁ ଆସିବୁ ଘଣ୍ଟାକଣ୍ଟାର ପ୍ରତିଟି ଶବ୍ଦ ଗଣୁଥିବ।ତତେ କଣ ଜଣା ନାହିଁ ଅସୁସ୍ଥ ଥିବା ଲୋକ ଔଷଧ ଠାରୁ ସେବା ଯତ୍ନ ବେଶୀ ଆବଶ୍ୟକ କରେ। ଘରେ ରହିଲେ ସମସ୍ତ ଙ୍କୁ ଦେଖି ସେ ଆପେ ଆପେ ଠିକ୍ ହେଇଯିବ। 

ସୁଷମା ରୋନାର ମୁଣ୍ଡ ଆଉଁସି ଦେଇ କହିଲେ -ୟା ଛଡା ତୋ ବିନା ଘରଟା ଖାଲି ଖାଲି ଲାଗିବନି?

ରୋନା ଭାବୁଥିଲା ଏଇ କିଛି ମାସ ପୂର୍ବରୁ ମା ମାସେ କାଳ କେମିତି ଏଠି ସମୟ ବିତେଇଥିବେ। ଆପଣାର ଲୋକଙ୍କ ବିନା ଜୀଇଁବା ଶରୀର ଯନ୍ତ୍ରଣା ଠାରୁ ଯେ ବଳି ଏକଥା ଏବେ ବୁଝି ପାରୁଛି। କାନ୍ଦି କାନ୍ଦି ମା ଙ୍କୁ ଜାବୁଡି ଧରି କହିଲା-ମା ମୋତେ କ୍ଷମା କରିଦିଅ।ମୁଁ ତମ ପ୍ରତି ବହୁତ ଅନ୍ୟାୟ କରିଛି। 

ରାକେଶ ଫୋନ୍ କରି ତା ସାଙ୍ଗକୁ କହିଲା-ଶୁଣ୍! ଦି ପ୍ୟାକେଟ ମିଠା ନେଇ ଆସିବୁ। 

ସୁଷମା ବିରକ୍ତ ହେଲେ।ରୋନାର ଏଭଳି ଅବସ୍ଥା ରେ କୋଉ ଖୁସିରେ ତୁ ମିଠା ଖାଇବୁ? 

-ଆଜି ତୋ ବୋହୂ ଆଉ ଝିଅ ଏକା ସାଙ୍ଗରେ ପାଇଗଲୁ।ଖାସ୍ ଏଇ ଦୁର୍ଘଟଣା ପାଇଁ। ଇଏ କଣ କମ୍ ଖୁସି ର କଥା। 

ସୁଷମାଙ୍କ ମୁହଁ ରେ ଅସୁମାରି ଖୁସି ଝଲସୁଥିଲା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Thriller