ଦୁଃଖ ଦେଇଗଲା ଦରଦୀ ପ୍ରେମ
ଦୁଃଖ ଦେଇଗଲା ଦରଦୀ ପ୍ରେମ
ମୁଁ କେବେବି କଳ୍ପନା କରିନଥିଲି କିଛି ଲେଖିବି। ଏମିତି ଏକ ପରିସ୍ଥିତିରେ ଜମାଟ ବାନ୍ଧିଥିବା ଚିନ୍ତା, ପାରିପାର୍ଶ୍ବିକ ପରିସ୍ଥିତି ମୋତେ ଲେଖିବାରେ ସହାୟକ ହେଲା। ବିଶେଷ କରି ମେଟ୍ରିକ ପରୀକ୍ଷା ସମୟରେ ଘୋଷିଥିବା ବିଜ୍ଞ ଲେଖକଙ୍କ ରଚନା, ମୋ ଲେଖାକୁ ରୁଦ୍ଧିମନ୍ତ କଲା ସତେ ଯେମିତି ଅଲଣା ତରକାରୀରେ ଲୁଣ।
କିଛି ଗଳ୍ପରେ କିଛି ପାଠକ ସନ୍ଦେହରେ ପଡ଼ିଲେ ସତରେ କ'ଣ ସେମିତି ହୁଏ ? ଆଜ୍ଞା , ପ୍ରାୟ ଗଳ୍ପରେ ମୋର ସତ୍ୟତା ହିଁ ଥାଏ। କଳ୍ପନାର ଜାଲ ମୁଁ କମ୍ ବୁଣେ ।ଏହା ବି ସତ୍ୟ ଘଟଣା।
ପ୍ରେମ ! ପ୍ରେମ ବିବାହ ! ପ୍ରାୟୋଜିତ ବିବାହ! ସହମତିଭିତ୍ତିକ ବିବାହ ! ସବୁଥିରେ ଅପକାରିତା ଉପକାରିତା ରହିଛି। ଆମେ ଆଧୁନିକତାର ଡିଣ୍ଡିମ ପିଟି ପାଶ୍ଚାତ୍ୟ ସଂସ୍କୃତିକୁ ହନୁକରଣ ( ଅନୁକରଣ) କରୁ ।
ଏଇ କିଛିଦିନ ପୂର୍ବରୁ ଭଉଣୀକୁ କଥା ହେଉଥିଲି, ସେ କହିଲା ଭାଇ ! ଆଗରୁ ପ୍ରେମ ବିବାହ ନାଆଁ ଶୁଣିଲେ ଗାଆଁ ସାରା ଚମକି ଉଠୁଥିଲା। କିନ୍ତୁ ଏହି ଆମ ବାଙ୍ଗାଲୁରୁରେ ଆମ ଘର ପାଖରେ ବହୁତ ଯୁବକ ଯୁବତୀ ଲିଭ୍ ଇନ୍ ସଂପର୍କରେ। କ'ଣ ହେବ ଏହି ସମ୍ପର୍କର ଭବିଷ୍ୟତ।
ହସୁଥିଲି ମୁଁ। ଏମିତି ହିଁ କିଛି କଥାବାର୍ତ୍ତା ଚଳଚଞ୍ଚଳ କରେ ଲେଖକର ଲେଖନୀ। ଅଶ୍ଳିଳତାର ସ୍ୟାହିକୁ ଶ୍ଳିଳତାର କଲମରେ ଢାଳି କଳିଯୁଗର ପ୍ରେମକାବ୍ୟକୁ ସାଧା କାଗଜରେ ଉତାରିବାକୁ ଭଲ ପାଏ ମୁଁ।
ଓଃ ! ଅସହ୍ୟ ଏ ଯନ୍ତ୍ରଣା ! ଫୁଟା ଡଙ୍ଗାରେ ପାଣି ପଶି ଅତନୁ ଘାଇଲା।
ଆଜି ବି ଠିକ୍ ସମୟରେ ସୂର୍ଯ୍ୟୋଦୟ ହେଉଛି, ତାର ସରକାରୀ ବାସଭବନ ପାଖରେ ମୟୂର ରାବୁଚି। କୋଇଲିର କୁହୁତାନ ମନ ମୋହୁଛି। ସାମ୍ନାରେ ଥିବା ଅସନା ପାଣି, ପଙ୍କରେ ଘୁଷୁରୀ ଲୋଟୁଛି। ସବୁକିଛି ସ୍ଵାଭାବିକ ଅଛି। ହେଲେ ତା ଜୀବନତରୀ ଏମିତି ଅସ୍ବାଭାବିକ କାହିଁକି ? ଦୁଇବର୍ଷ ତଳେ ପ୍ରେମର ଡଙ୍ଗାରେ ଆହୁଲା ମାରି ଆଗକୁ ବଢୁଥିବା ଅତନୁ ନିଜ ହାତରେ ପ୍ରେମର କବର ଦେଇ ଡଙ୍ଗାରେ ଛିଦ୍ର କଲା କାହିଁକି ?
ବୁଝିପାରିଲେନାହିଁ କି ସୁଧିଜନେ !
ଶୁଣନ୍ତୁ ତାହେଲେ ;
ଅତନୁ ଘଟଣାକ୍ରମରେ ଭଲ ପାଇ ବସିଥିଲା ବାଇଶବର୍ଷୀୟା ରୋଜାଲିନକୁ। ଅତନୁକୁ ଭଲ ପାଇବା ଆଗରୁ ରୋଜାଲିନର କୁମାରୀମନ ଚୋରି କରି ନେଇ ସାରିଥିଲା ସୁରେଶ ।
ଭଲ ପାଇବା ବାହାନାରେ ଶରୀର ସୁଖ ଚାହିଁବାରୁ ତାକୁ ପ୍ରତ୍ୟାଖ୍ୟାନ କଲା ରୋଜାଲିନ। କିନ୍ତୁ ଦୀର୍ଘ ଏକବର୍ଷ ସୁରେଶ ପ୍ରେମରେ ଉବୁଟୁବୁ ହୋଇ ପାଠ ପଢ଼ାରେ ଏକ ପ୍ରକାର ଡୋରି ବାନ୍ଧିଥିଲେ ରୋଜାଲିନ। ତେଣୁ ଏଇ ପ୍ରେମ ଫ୍ରେମ ଉପରୁ ତାଙ୍କରି ଧ୍ୟାନ ହଟିଯାଇଥିଲା।
କିନ୍ତୁ
କୌଣସି ଏକ ଉନ୍ମାଦନାରେ, ଉଦ୍ଦୀପନାରେ ଅତନୁର ଆଚାର ବ୍ୟବହାରରେ ପ୍ରଭାବିତ ହୋଇ ପଛ କଥା ଧିରେ ଧିରେ ଭୁଲିବାକୁ ଲାଗିଲା ରୋଜାଲିନ। ଅତନୁକୁ ବାରମ୍ୱାର ଆକଟ କରି ରୋଜାଲିନ କହୁଥିଲା, ଜାଣିଛ ଅତନୁ ! ତମର ଗୋଟିଏ ବଡ ବଦଭ୍ୟାସ ତମେ ଗୋଟିଏ କଥାକୁ ବାରମ୍ୱାର କୁହ ଯାହା ମୋତେ ବେଳେବେଳେ ଆଘାତ ଦିଏ ଓ ମୋ ଅତୀତ ମୋ କାନ୍ଧ ଉପରେ ବସି ମୋତେ ଚିଗୁଲାଏ।
ଅତନୁ ବାରମ୍ୱାର କୁହେ, ରୋଜା ! ମୋତେ ଅଣଚାଳିଶ, ତମକୁ ବାଇଶି। କିନ୍ତୁ ବୟସ ପ୍ରେମରେ ବାଧକ ନୁହଁ। ହସିଦେଇ ହଁ କହିଦିଏ ରୋଜାଲିନ। ଅତନୁ ଥିଲା ଏକୁଟିଆ ବାଆଁରାପକ୍ଷୀ। ବନ୍ଧୁ ପରିଜନ ଶୁନ୍ୟ। ରୋଜାଲିନର ବାର୍ତ୍ତାଳାପ ପାଇଁ ଅପେକ୍ଷା କରି ବସୁଥିଲା ସେ ଅହୋରାତ୍ର। ରୋଜାଲିନ ବି ସୁବିଧା ସୁଯୋଗ ଦେଖି ପରିବାରରୁ ବାହାରି ସମୟ ଦେଉଥିଲା। ଯଥେଷ୍ଟ ନଥିଲେ ବି ଶାନ୍ତି ପାଉଥିଲା ଅତନୁ।
ମନେ ମନେ କହୁଥିଲା, କେହି ତ ଅଛି ତା'ର। କିନ୍ତୁ ସବୁ ଗାଳ୍ପିକ ଭାଷାରେ ପ୍ରେମ କଣ୍ଟକିତ, ଦୁଃଖଦ। ତାର ଓ ରୋଜାଲିନର ପ୍ରେମ ତ ସ୍ବର୍ଗ ସୁଖ ଦେଉଛି ଆଉ ଦୁଃଖଦ କେମିତି ? ତାହେଲେ ବିଜ୍ଞ ଗାଳ୍ପିକ କ'ଣ ଭୁଲ ?
ପ୍ରେମ ଗଭୀର ହେଲା। ଅତନୁ ସାକ୍ଷାତର ଅନୁରୋଧ କଲା ଓ କହିଲା ଆମେ କୌଣସି ନିଭୃତ କୋଠରୀରେ ସାକ୍ଷାତକରି କାମ ଲାଳସା ଚରିତାର୍ଥ କରିବାର ମୋର ଅଭିପ୍ରାୟ ନାହିଁ। ମୋ ଠାରୁ ତମ ଦୂରତା ୫୦୦ କି .ମି। ଭୟ କରନାହିଁ ପ୍ରିୟା, କେବଳ ତିରିଶ ମିନଟର ସାକ୍ଷାତ ପାଇଁ ମୁଁ ସେତିକି ଦୂରତା ଅତିକ୍ରମ କରି ତମ ପାଖକୁ ଦୌଡ଼ି ଆସିବି। ଆମେ ଦେଖେଇଦେବା ଅନାବିଳ, ଅନାସକ୍ତ ପ୍ରେମର ଶକ୍ତି କେତେ ?
ରୋଜାଲିନ କେତେବେଳେ ହଁ ଭରୁଥିଲା ତ କେତେବେଳେ ମନା କରୁଥିଲା। ତା ମନରେ ଦ୍ଵନ୍ଦ। କାରଣ ଅତନୁ ସହ ତା ବିବାହ ଅସମ୍ଭବ। କାଲି ସକାଳୁ ସେ ବାହାହେଲେ ଏହି ସମ୍ପର୍କର ନାମକରଣକୁ ନେଇ ତା ମନରେ ପ୍ରଶ୍ନବାଚୀ।
ଅତନୁ ବୁଝାଉଥିଲା, ଭବିଷ୍ୟତ କିଏ ଦେଖିଛି। ତାଛଡା ଯଦି ତମେ ସେମିତି ଭାବୁଛ, ତମ ବିବାହ ପରେ ଦୁହେଁ ବନ୍ଧୁତ୍ବର ପ୍ରେମରେ ଛନ୍ଦି ହୋଇ ରହିବା । ହଁ ଭରୁଥିଲା ରୋଜାଲିନ କିନ୍ତୁ ମନରେ ପ୍ରଶ୍ନ।।
ରୋଜାଲିନ କହୁଥିଲା, ପ୍ରେମରେ ସାକ୍ଷାତ କ'ଣ ନିତାନ୍ତ ଆବଶ୍ୟକ ? ଅତନୁ ବୁଝାଉଥିଲା, ସେଇୟା ନୁହଁ କିନ୍ତୁ ପ୍ରେମକୁ ସୁଦୃଢ଼ କରିବାକୁ ଏସବୁ ନିତାନ୍ତ ଆବଶ୍ୟକ। ବିରକ୍ତ ହୋଇ ଅନିଶ୍ଚିତତା ଭିତରକୁ ଚାଲି ଯାଉଥିଲା ରୋଜାଲିନ।
ଧିରେ ଧିରେ ରୋଜାଲିନ ଦୂରେଇବାକୁ ଲାଗିଲା। ରକ୍ଷଣଶିଳ ଝିଅଟିର ମସ୍ତିସ୍କରେ ଘୁରି ବୁଲୁଥିଲା ପ୍ରଥମ ପ୍ରେମର ଅଶ୍ରୁଳ ଅନୁଭୁତି।
ହଠାତ ଦିନେ କଥାବାର୍ତ୍ତା ବନ୍ଦ କରିଦେଲା ରୋଜାଲିନ। ଅନ୍ୟମନସ୍କ ରହିବାକୁ ଲାଗିଲା ଅତନୁ। ନିଜକୁ ବୁଝେଇପାରୁ ନଥିଲା ସେ। ଯେତେ ଅନୁରୋଧ କଲେ ବି ରୋଜାଲିନ ଆଉ କିଛି ଶୁଣିବାକୁ ପ୍ରସ୍ତୁତ ନଥିଲା।
ଭାଙ୍ଗି ପଡ଼ିଥିଲା ଅତନୁ, କାରଣ ଏହା ଥିଲା ତାର ପ୍ରଥମପ୍ରେମ ଓ ସେ ସେଇ ସାଗରରେ ବୁଡ଼ି ଯାଇଥିଲା।
ସେଦିନ
ରାଜରାସ୍ତାରେ ଗାଇ ଗାଇ ଯାଉଥିଲା,
"ଦୁଃଖ ଦେଇଗଲା ଦରଦୀ ପ୍ରେମ"
ହଠାତ ସାମ୍ନାପଟୁ କାରଟିଏ ଧକ୍କାଦେଲା। ଡ଼ାକ୍ତରଖାନରେ ବି ସେଇ ଏକା କଥା ବିଳିବିଲୋଉ ଥିଲା ସେ।
କିଛି ଦିନପରେ ଠିକ୍ ହୋଇ ଫେରିଲା ଅତନୁ କିନ୍ତୁ ମସ୍ତିସ୍କ ବିକୃତି ଘଟିଥିଲା,
ଯାହାକୁ ଦେଖିଲେ କହୁଥିଲା,
ପ୍ରକୃତରେ ପ୍ରେମ କଣ୍ଟକିତ, ଦୁଃଖଦାୟୀ। ଗାଳ୍ପିକର ରଚନା ଠିକ।
ହେ ବନ୍ଧୁ, ପ୍ରେମ କେବେ କରିବ ନାହିଁ,
ନଚେତ " ଦୁଃଖ ଦେଇଯିବ ଦରଦୀ ପ୍ରେମ"
ପଞ୍ଝାଏ ଟୋକା ଦାନ୍ତ ନିକୁଟି କହୁଥିଲେ, ଶଳା, ପାଗଳ ! ପ୍ରେମ କ'ଣ ଜାଣିନି, କେଉଁଠି ମୁହଁମାରି ମାଡ଼ ଖାଇ ପାଗଳ ହୋଇ ପ୍ରେମକୁ ନିନ୍ଦୁଛି।
ଆଜି ଅତନୁ ଉପରେ ହସୁଛି ଦୁନିଆ, ହସୁଛି ସମାଜ, ହସୁଛନ୍ତି ଜନତା। କିନ୍ତୁ ପାଗଳ ଅତନୁ ମୁହଁରେ ଗୋଟିଏ କଥା," ଦୁଃଖ ଦେଇଗଲା ଦରଦୀ ପ୍ରେମ ! " ଆଜି ଆଉ ଅତନୁକୁ ଶୁଣିପାରୁ ନାହିଁ ପ୍ରେମିକା ରୋଜାଲିନ। ହୁଏତ କେଉଁଠି ସେ ତା ସଂସାରରେ ସୋନା, ବେବିରେ ବ୍ୟସ୍ତ।
ଏହି ତ ଦୁନିଆ, ଏହି ତ ସଂସାର।
ବିଚାର ସୁଧିଜନଙ୍କର।

