KRUTIBAS NAYAK

Romance Inspirational

3.3  

KRUTIBAS NAYAK

Romance Inspirational

ଦଶହରା ଅନୁଭୂତି-ଭିଜିଟିଂ କାର୍ଡ଼

ଦଶହରା ଅନୁଭୂତି-ଭିଜିଟିଂ କାର୍ଡ଼

10 mins
246



ଢେଙ୍କାନାଳର ବିଖ୍ୟାତ ଦଶହରା ମେଢ଼ ଦେଖିବାର ମୋହ ଦେବଦାସର ଅନେକ ଦିନରୁ ଥିଲା । ଠିକ ସମୟରେ କେହି ସାଙ୍ଗ ମିଳିଲେ ନାହିଁ, ଗତବର୍ଷ ସେ ନିଜେ ଏକୁଟିଆ ବସରେ ବାହାରି ଯାଇଥିଲେ । ନବମୀ ଦିନରେ ବିଭିନ୍ନ ମେଢ ଦେଖି ଦେଖି ହାଲିଆ ହେଇ ପଡ଼ିଥିଲେ । ସେଦିନ ଜଣେ ପରିଚିତ ଲେଖକ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ତାଙ୍କ ଘରେ ରହିଗଲେ । ଆଗରୁ ତ ସେଇଠି ଅନେକ ଲୋକଙ୍କ ସହିତ ତାଙ୍କର ଚିହ୍ନା ପରିଚୟ ଥିଲା, ତେଣୁ ଅସୁବିଧା କିଛି ହେଲାନାହିଁ । ଦଶହରା ଦିନ ରାତିରେ ସେ ମନଭରି ମେଢ଼ ଦେଖିଲେ । ଖୁବମଜା ତ ହେଇଥିଲା, ତା'ପରଦିନ ପୁଣି ତାଙ୍କୁ କଟକ ଫେରି ଆସିବାକୁ ପଡ଼ିଲା । ଢେଙ୍କାନାଳ ବସଷ୍ଟାଣ୍ଡରୁ କଟକ ବସ ଷ୍ଟାର୍ଟରେ ଥିଲା । ଦେବଦାସ ବାବୁ ଦୌଡ଼ି ଦୌଡ଼ିଯାଇ ବସରେ ଚଢ଼ିଗଲେ । ଭିତରେ ପଶିଯାଇ ସିଟ ଖଣ୍ଡିକ ପାଇଁ ଏଣିକି ତେଣିକି ଚାହିଁଲେ । ଭାଗ୍ୟକୁ ଗୋଟିଏ ଦୁଇଜଣିଆ ସିଟ ଖାଲିଥିଲା । ସେଥିରେ ବସିପଡ଼ି ଗୋଟିଏ ଦୀର୍ଘଶ୍ୱାସ ପକେଇଲେ । ମନକୁ ମନ କହିଲେ-"ମଣିଷ ବଞ୍ଚିଗଲା । ନହେଲେ ଏ' ଦଶହରା ଗହଳି ସମୟରେ ଏବେ ବାଦୁଡ଼ି ଭଳି ଓହଳି ଓହଳି କଟକ ପର୍ଯ୍ୟନ୍ତ ଯିବାକୁ ପଡ଼ିଥା'ନ୍ତା । ବାଟରେ ପୁଣି ଆହୁରି କେତେ ଲୋକ ଉଠିବେ । ସେମାନେ ମଣିଷକୁ ଟିକେ ଭଲରେ ଠିଆ ହେବାକୁ ଦେବେନାହିଁ । ଏଣେ କଣ୍ଡକ୍ଟର କହୁଥିବ-ପଛକୁ ଚାଲନ୍ତୁ, ଜାକିଜୋକି ହେଇ ଠିଆ ହୁଅନ୍ତୁ । କିନ୍ତୁ ଏବେ ତ ବସ ଆଗକୁ ଗଡ଼ୁନାହିଁ ।

ଆଜିକାଲି ତେଲର ଦାମ ଯାହା ହେଲାଣି, ତାଙ୍କୁ ତ ପଇସା ଉଠେଇବାକୁ ହେବ । ତେଣୁ ସେ ବସ୍ତା ଲଦିଲା ଭଳି ଲୋକମାନଙ୍କୁ ବସରେ ଲଦିନେବ । କାହାରି କଥା ତା' କାନରେ ପଶିବ ନାହିଁ । ବସିଥିବା ଲୋକଙ୍କ ତୁଳନାରେ ଠିଆହେବା ଲୋକଙ୍କ ସଂଖ୍ୟା ବେଶି ହେବ । ଏଣେ ଗାଡ଼ି ଭିତରେ ଗରମ କଷ୍ଟ ସହି ହେଉନାହିଁ । ଗାଡ଼ିଟା ଗଡ଼ିଲେ,ପବନ ଟିକେ ଦେହରେ ବାଜିବ ।

ଏହା ଭିତରେ ବସଟା ଷ୍ଟାଣ୍ଡ ବାହାରକୁ ଚାଲିଯାଇ ପୁଣି ହଠାତ ଅଟକି ଗଲା । ଦେବଦାସ ବାବୁ ଝରକା ପାଖ ସିଟରେ ବସି ବାହାରକୁ ଚାହିଁଲେ । ଦୂରରୁ ଗୋଟୀଏ ଝିଅ ବସ ଆଡ଼କୁ ଆସୁଛି । ଓହୋ ! ତାକୁ ଉଠେଇବା ପାଇଁ ବସଟା ଅଟକି ରହିଛି, ଏ'କଥା ସହଜରେ ବୁଝି ହେଇଗଲା । ଝିଅଟା ଟିକେ ଶୀଘ୍ରଶୀଘ୍ର ପାଦ ପକେଇଲେ, ଗାଡ଼ିଟା ଶୀଘ୍ର ଛାଡ଼ନ୍ତା । ଗାଡ଼ିର ବିରକ୍ତିକର ଘରର ଘରର ଶବ୍ଦ ସାଙ୍ଗକୁ ଭୀଷଣ ଗରମ । ଆମ ଲୋକଙ୍କର ତ ଅଭ୍ୟାସ ହେଇଗଲାଣି, ଯେତେ ଅସୁବିଧା ହେଲେ ବି କେହି କେବେ ପ୍ରତିବାଦ କରିବେ ନାହିଁ । ସିଟ ନଥିଲେ ଚଳିବ । ଠିଆ ହେବାକୁ ଜାଗା ଥାଉ ବା ନଥାଉ, ସେଥିରେ ଜବରଦସ୍ତ ଗୁଞ୍ଜିହେଇ ପଶିବେ । ସତେ ଯେମିତି ଆଉ ଏଇଠୁ କେବେ କୌଣସି ଗାଡ଼ି କଟକ ଯିବନାହିଁ । ଏମିତି ତ ଲୋକଙ୍କୁ ଦେଖିଲେ, ଡ୍ରାଇଭର ଗାଡ଼ିକୁ ଯେଉଁଠି ଇଚ୍ଛା ସେଇଠି ରଖିଦେବ । ପୁଣି ଝିଅପିଲାଙ୍କୁ ଦେଖିଦେଲେ ଛାଡ଼, ରସିକିଆ ଡ୍ରାଇଭରର ବ୍ରେକ ତ ଆପେ ଆପେ ମାଡ଼ି ହେଇଯିବ ।

ଝିଅଟା ଗଜ ଗମନୀହେଇ ମନ୍ଥର ଗତିରେ ଆସି ଦେବଦାସ ବାବୁଙ୍କ ଝରକା ପାଖରେ ଠିଆହେଇ ପଚାରିଲା -'ଆଜ୍ଞା, ଏଇ ବସ କଟକ ଯିବ କି'?

-"ହଁ, କଟକ ଯିବ । ଶୀଘ୍ର ବସକୁ ଉଠ, ଭାରି ଗରମ ଲାଗୁଛି । ତମକୁ ତ ବସ ଅପେକ୍ଷା କରି ଠିଆହେଇଛି ।"

ଟିକେ ବିରକ୍ତି ଭରା କଣ୍ଠରେ ସିନା ଦେବଦାସ ବାବୁ ଝିଅଟାକୁ ଏମିତି କହି ପକେଇଲେ, କିନ୍ତୁ ସେ ଦେଖି ସାରିଥିଲେ, ଝିଅଟା ବେଶ ସୁନ୍ଦରୀ । ସ୍ମାର୍ଟ ଆଉ ଆଧୁନିକ । ତା'ର ନୀଳରଙ୍ଗର ଡ୍ରେସକୁ ଗୋଲାପୀ ରଙ୍ଗର ଓଢ଼ଣୀଟା ତାକୁ ବଢିଆ ମାନୁଛି । ଅଳ୍ପକଥା କହିଲା ସିନା, କିନ୍ତୁ ସେ କଥାରେ ସତରେ ମାଦକତା ଥିଲା । ଯେ କେହି ରସିକ ପୁରୁଷ ତାକୁ ଟିକେ ଚାହିଁ ରହିବାକୁ ଇଚ୍ଛା କରିବ । ଆଉ ତା' ସହିତ କଥା ହେବାକୁ ତା' ମନଟା ହାଇପାଇଁ ହେବ ।

ଗଜଗମନୀ ଗଲା କୁଆଡ଼େ ? ବସିଲା କେଉଁଠି ? କଣ୍ଡକ୍ଟର ତା' ସିଟରୁ ଉଠିପଡ଼ି ତାକୁ ସେଇଠି ବସେଇଦେଲା କି ? ଦେବଦାସ ବାବୁଙ୍କ ସନ୍ଧାନୀ ଆଖି ଦୁଇଟା ତାକୁ ଖୋଜି ବୁଲୁଥିଲା । ନା' ସେମିତି କିଛି ହେଲାନାହିଁ, କଣ୍ଡକ୍ଟରଟା ବେରସିକ । ସେ ଦେବଦାସ ବାବୁଙ୍କ ପାଖରେ ଖାଲିଥିବା ସିଟରେ ତାକୁ ବସିବାକୁ ଠାରିଦେଲା । ଝିଅଟା ଆସି ତାଙ୍କ ପାଖରେ ଠିଆହେବାରୁ କଣ୍ଡକ୍ଟର ଝରକା ପାଖ ସିଟରେ ବସିବାକୁ ତାକୁ ଇସାରା ଦେଲା । ଦେବଦାସ ବାବୁ ଆଗରୁ ଝରକା ପାଖରେ ବସି ଥିବାରୁ ଯାହାଟିକେ ପବନ ବାଜୁଥିଲା, ଏଥର ସେତିକ ବି ସେ ହରେଇଲେ । ତଥାପି ତାଙ୍କ ମନରେ କିଛି ଦୁଃଖ ନଥିଲା । ତା'ର କାରଣ, ଏମିତି ସୁନ୍ଦରୀ ଝିଅ ପାଖରେ ବସିବା କାହା ଭାଗ୍ୟରେ ସୁଯୋଗ ଜୁଟେ ? କିଛି ନ ହେଲେ ବି ତା' ସହିତ ଟିକେ ପରିଚୟ ତ ହେଇଯିବ ଆଉ ଯଦି ତା' ସହିତ ଭଲରେ ଦି'ପଦ କଥାହେଇ ପାରିଲେ ତ ଏଇ ଗରମର ବିରକ୍ତିକର ଯନ୍ତ୍ରଣା କିଛି ଜଣାପଡ଼ିବ ନାହିଁ । ତେଣୁ ସେ ତାକୁ ଖୁସିରେ ବସିବାକୁ ସୁଯୋଗ ଦେଲେ ।

ଝିଅଟା ଦେବଦାସଙ୍କ ନିକଟରେ କୃତଜ୍ଞତା ପୂର୍ବକ ଟିକେ ମୁରୁକି ହସିଦେଇ ଧନ୍ୟବାଦ ଦେବାକୁ ଭୁଲିଲା ନାହିଁ ।

ଦେବଦାସ ବାବୁ ଜାଣିଗଲେ- ଝିଅଟା ଭଦ୍ରାମୀ ଜାଣିଛି । ସେ ଯେମିତି ଗମ୍ଭୀର ଦେଖାଯାଉଥିଲା, ପ୍ରକୃତରେ ସେପରି ଅହଂକାରୀ ନୁହେଁ । ସେ ଧୀରେ ପଚାରିଦେଲେ-"ତମେ କ'ଣ କଟକରେ ରହୁଛ ?"

 -"ଆଜ୍ଞା ! ହଁ, ମୁଁ ରେଭେନସା ୟୁନିଭରସିଟିରେ ପଲଟିକାଲ ସାଇନସରେ ଏମ.ଫିଲ କରୁଛି । ସେଇଠି ହଷ୍ଟେଲରେ ରହେ ।" 

 -"ବାଃ ! ସେଇଠି ତ ମୋ ସାଙ୍ଗ ଦୁଇଜଣ ପ୍ରଫେସର ଅଛନ୍ତି । ନିରଞ୍ଜନ ବାବୁ ଖୁବ ଭଲଲୋକ । ଆଉ ଛୋଟରାୟ ବାବୁ ତ ଇତିହାସ ବିଭାଗର ମୁଖ୍ୟ, ସେ ମୋର ପିଲାଦିନର ସାଙ୍ଗ । କାହା ପାଖରେ ଏମ.ଫିଲ କରୁଛ ? ସେ ଯିଏ ହେଉନା କାହିଁକି, ତାଙ୍କୁ ଦେଖାହେଲେ କହିବ-ବସରେ ତମର ଜଣେ ଘନିଷ୍ଠ ବନ୍ଧୁ ଦେବଦାସ କାନୁନଗୋ ଦେଖା ହେଇଥିଲେ । ଦେଖିବ, ସେ ଭାରିଖୁସି ହେଇଯିବେ । ତମର ଘର କ'ଣ ଏଇ କଟକରେ ?"

 -"ନାଇଁ, ଆମଘର ଢେଙ୍କାନାଳରେ । ପୂଜା ଛୁଟିରେ ଘରକୁ ଆସିଥିଲି ତ, କିନ୍ତୁ ଗୋଟାଏ ଜରୁରୀ କାମ ପଡ଼ିବାରୁ ଆଜି ଫେରୁଛି ।"

 -"ଢେଙ୍କାନାଳରେ ତମଘର ? ବାପାଙ୍କ ନାଆଁ କ'ଣ କହିଲ ?"

 -"ଆପଣ ତାଙ୍କୁ ଚିହ୍ନି ନାହାନ୍ତି । ତାଙ୍କ ନାଆଁ ବଂଶୀଧର ପଟନାୟକ ।"

-"ଓହୋ ! ତମେ ନାଟ୍ୟକାର ବଂଶୀଧର ବାବୁଙ୍କ ଝିଅ ? ଭଲହେଲା, ତମର ନାଆଁ ନିଶ୍ଚୟ ସ୍ନେହପ୍ରଭା ହେଇଥିବ ?"

-ଆପଣ କେମିତି ଜାଣିଲେ ?"

-"ଜାଣିବି ନାହିଁ କେମିତି ? ବଂଶୀବାବୁ ପରା ଆମଘରକୁ ନିୟମିତ ଯିବା ଆସିବା କରନ୍ତି । ତାଙ୍କର ଦୁଇଟି ଝିଅ । ବଂଶୀବାବୁ ମୋତେ କହିଥିଲେ- ବଡ଼ଝିଅ ସ୍ନେହପ୍ରଭା କଲେଜରେ ପଢୁଛି । ସାନଟା ଭଲ ଗୀତ ଗାଉଛି, ତା'ନାଆଁ ବନପ୍ରଭା । ଗତମାସରେ ତ ବନପ୍ରଭା ସହିତ ମୋର ଗୋଟିଏ ଅଫିସରେ ଦେଖା ହେଇଥିଲା । କିନ୍ତୁ ମୁଁ ତମକୁ କେବେ ଭେଟିବାର ସୁଯୋଗ ପାଇ ନ ଥିଲି । ଯାହାହେଉ ଆଜି ତମ ସହିତ ଦେଖା ହେଇଗଲା । ମୁଁ ଆଜି ବଂଶୀବାବୁଙ୍କ ସହିତ କଥାହେଇ କହିବି, ତମର ବଡ଼ଝିଅ ସହିତ ବସରେ ଦେଖା ହେଇଗଲା । ତାକୁ ବସିବାକୁ ମୁଁ ଝରକା ପାଖ ସିଟଟା ଛାଡ଼ିଦେବାରୁ ସେ ମୋତେ ଧନ୍ୟବାଦ ଜଣାଇଲା । ସେ ଭାରିଖୁସି ହେଇଯିବେ ଆଉ ଏଇକଥା ପଦକ ଆମ ଦୁଇବନ୍ଧୁଙ୍କ ପାଇଁ ମଜା ବି ଲାଗିବ ।"

ଦେବଦାସଙ୍କ କଥାଶୁଣି ଝିଅଟା ମୋଟେ ଖୁସିହେଇ ପାରିଲା ନାହିଁ । ସେ ଜିଭ କାମୁଡ଼ି ପକାଇଲା ଆଉ ତା' ମୁହଁଟା ଝାଉଁଳି ପଡ଼ିବା ଭଳି ଲାଗିଲା । ପରିସ୍ଥିତିକୁ ସମ୍ଭାଳି ନେବାପାଇଁ ସେ ମୁଣ୍ଡ ତଳକୁ କରି କହିଲା -"ମଉସା ! ଏବେ ପର୍ଯ୍ୟନ୍ତ ମୁଁ ଆପଣଙ୍କୁ ଯାହା କହୁଥିଲି, ସେ ସବୁ ମିଛକଥା ।"

 ଚମକି ପଡ଼ିଲେ ଦେବଦାସ ବାବୁ । ତା'ହେଲେ, ଏ'ଝିଅଟା ପୂରା ମିଛେଇ ! ବଢିଆ ମିଛ ଅଭିନୟ କରି ପାରୁଛି ତ । ତେବେ ଏଭଳି ମିଛେଇ ଝିଅଟା ସହିତ କଥାହେବା ନିଶ୍ଚୟ ବିପଦ । ସେ ଟିକେ ଅନ୍ୟମନସ୍କ ହେଇ ପଡ଼ିଲେ ।

-"ମୋତେ ଖରାପ ଭାବିଲେ କି ମଉସା ? କଥା କ'ଣ କି, ମୁଁ ଏବେ ବାହାରକୁ ଗଲେ, କେବଳ ମିଛ କହୁଛି । କାହିଁକି ଜାଣିଛନ୍ତି ?"

ଆଶ୍ଚର୍ଯ୍ୟ ହେଇ ଦେବଦସ ବାବୁ ପଚାରିଲେ-"କାହିଁକି ? ସତ କହିଲେ କ'ଣ ଅସୁବିଧା ?"

-"ଆପଣ ତ ପୁଅପିଲା, ଏତେକଥା କେମିତି ଜାଣିବେ ? ସତ କହିବାକୁ ଗଲେ, ଆଜିକାଲି ଲୋକମାନଙ୍କର ଚରିତ୍ର ଏକଦମ ଖରାପ ହେଇଗଲାଣି । ମୁଁ ଝିଅପିଲାଟା ଏକୁଟିଆ ଯିବା ଆସିବା କରେ । ଏଇମିତି ବସରେ କିମ୍ବା ଟ୍ରେନରେ ଯାଉଥିବା ସମୟରେ ଅନେକ ଲୋକ ମୋତେ ଭେଟନ୍ତି । ସେମାନେ ଉପରେ ପଡ଼ି ମୋ ସହିତ କଥାବାର୍ତ୍ତା କରନ୍ତି, ମୋ ପରିଚୟ ମାଗନ୍ତି । ଘନିଷ୍ଠତା ବଢେଇବା ପାଇଁ ଚେଷ୍ଟା ବି କରନ୍ତି । ଫୋନ ନମ୍ବର ନେଇ ବାଜେକଥା ଫୋନରେ କହନ୍ତି । ଜଣେ ଜଣେ ଫୋନରେ ପ୍ରେମ ନିବେଦନ କରିବାକୁ ମଧ୍ୟ ପଛାନ୍ତି ନାହିଁ । ତାଙ୍କପାଇଁ ଯାହା ମଜା, ଆମପାଇଁ ସେ ସବୁ ସଜା । ସେଇଥିପାଇଁ ମୁଁ ଆଉ କାହାରିକୁ ମୋର ସତ ପରିଚୟ ଦିଏନାହିଁ, କିମ୍ବା ଠିକ ଫୋନ ନମ୍ବର ଦିଏନାହିଁ ।

ଏଇମିତି ଘଟଣା ଘଟୁଛି ନା' ନାହିଁ, ଆପଣ କହିଲେ ମଉସା ! କାଲି ଖବରକାଗଜରେ ଦେଖିଥିବେ, ଗୋଟାଏ ଝିଅ ଏଇମିତି ଫସିଯାଇ ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଇଗଲା । ଏବେ କୁହନ୍ତୁ, ମୁଁ ମିଛକହି ଠିକ କରୁଛି ନା' ନାହିଁ ?"

ଅଳ୍ପ ସମୟ ମଧ୍ୟରେ ଅନେକଗୁଡ଼ାଏ କଥା କହିପକେଇ ଝିଅଟା ଉତ୍ତର ଅପେକ୍ଷାରେ ଦେବଦାସଙ୍କ ମୁହଁକୁ ଚାହିଁ ରହିଲା । ଦେବଦାସ ବାବୁ ଉତ୍ତର ଦେବାକୁ ପ୍ରସ୍ତୁତ ହେଇ ନ ଥିଲେ । ମୁହଁରୁ ତାଙ୍କର ଗୋଟାଏ ଶ୍ରମଝାଳ ବହି ଯାଉଥିଲା । ଝିଅଟା ମିଛକହି ଠିକ କରୁଛି ବୋଲି କହିବାକୁ ତାଙ୍କର ମନବଳୁ ନଥିଲା । ତଥାପି ତାଙ୍କ ପାଟିରୁ ଧୀର ସ୍ୱରରେ ବାହାରିଲା-"ତମେ ଯାହା କହିଲ, ସେସବୁ ତ ସତ, କିନ୍ତୁ ମୋର ବୟସ ଆଉ ବେଶ-ପୋଷାକ ଦେଖି ସାରିବା ପରେ ମଧ୍ୟ ତମେ କ'ଣ ମୋତେ ସେଇମିତିକା ଲୋକ ହେଇଥିବି ବୋଲି ଭାବିନେଲ କି ?"

-"କହିହେବ ନାହିଁ ମଉସା ! ମୋର ଅଭିଜ୍ଞତା ଅଛି, ଆପଣଙ୍କଠାରୁ ଆହୁରି ଅଧିକ ବୟସର ଜଣେଲୋକ ଥରେ ମୋତେ ଅଶ୍ଳୀଳ ଇଙ୍ଗିତ କରିଥିଲା । ତାକୁ ନେଇ ମୁଁ ଥାନା ହାଜତରେ ପୂରେଇ ଦେଇଥିଲି ।"

-"ଆରେ ବାବା ! ତା'ପରେ କ'ଣ ହେଲା ?"

-ହେବ ଆଉ କ'ଣ ? ପୁଲିସଠୁଁ ଥୋଡ଼ାଏ ଲାଠି ପାହାର ଖାଇଲା, ମୋତେ କ୍ଷମା ମାଗିଲା । ପୁଳାଏ ଟଙ୍କା ପୁଲିସକୁ ଦେଇ ହାଜତରୁ ବାହାରିଲା । ଖବର କାଗଜରେ ତା' ନାଆଁ ବି ବାହାରିଲା ।"

-"ତମର ସାହସକୁ ତ ମାନିବାକୁ ହେବ ଝିଅ !"

-"ଏଇମିତି ଘଟଣା ମୋ ଜୀବନରେ କେତେଥର ଘଟିଛି । ସେଇଥିପାଇଁ ସମସ୍ତଙ୍କୁ ମୁଁ ଏବେ ମିଛ ଠିକଣା, ଭୁଲ ଫୋନ ନମ୍ବର ଦେଇ ଦଉଛି ।"

-"ଠିକ ଅଛି, ଏସବୁ ତ ତମର ସଂପୂର୍ଣ୍ଣ ବ୍ୟକ୍ତିଗତ କଥା । କିନ୍ତୁ ମୁଁ ଭାବେ, ସବୁବେଳେ ସତକଥା ଆଉ ଠିକ ପରିଚୟ ଦେବାଟା ଭଲ । ଏହାଦ୍ୱାରା ନିଜର ଆଚରଣ ଆଉ ବ୍ୟବହାର ମଧ୍ୟ ଠିକ ରହିବ । ଅସୁବିଧାରେ ପଡ଼ିବା ସମୟରେ କେହି ଜଣେ ତ ତମକୁ ସାହାଯ୍ୟ କରିପାରିବ ଆଉ ଠିକ ଜାଗାରେ ପହଞ୍ଚାଇ ଦେଇପାରିବ । ଯେଉଁ ଜାଗାରେ ତମର ସନ୍ଦେହ ହେବ, ସେଭଳି କ୍ଷେତ୍ରରେ ନିରବ ରହିବା ଏବଂ ଗମ୍ଭୀର ରହିବା ଉଚିତ । ଗମ୍ଭୀର ରହୁଥିବା ଝିଅ ସହିତ କୌଣସି ପୁରୁଷଲୋକ କେବେ ବି ଏଣୁତେଣୁ ଗପିବାକୁ ସାହସ କରିବ ନାହିଁ ।"

-"ସେ କଥା ଠିକ ଯେ, କିନ୍ତୁ ମୋର ମିଛ କହିବା ଗୋଟାଏ ଅଭ୍ୟାସ ହେଇଯାଇଛି ତ, ମୁଁ ଆପଣଙ୍କୁ ବି ସେଇମିତି ମିଛ କହି ଦେଇଥିଲି ।"

-"ଛାଡ଼ ସେକଥା, ଏବେ କୁହ, ତମର ଅସଲ ପରିଚୟଟା କ'ଣ ? ଆଉ ବଂଶୀବାବୁଙ୍କ ସହିତ ତମର ପ୍ରକୃତ ସଂପର୍କ କେମିତି କ'ଣ ?

-"ଏଇମିତି ଚିହ୍ନା ପରିଚୟ ଅଛି ତାଙ୍କ ସହିତ, ତାଙ୍କ ଲେଖା ନାଟକରେ ମୁଁ ହିରୋଇନ ହୁଏ । ଢେଙ୍କାନାଳ ଆସିଲେ, ତାଙ୍କ ଘରେ ଦୁଇ ଚାରିଦିନ ରହିଯାଏ । ତାଙ୍କୁ ମଉସା ବୋଲି ଡାକେ । ନିକଟରେ ସେ ଗୋଟାଏ ନୂଆ ନାଟକ ଲେଖିଛନ୍ତି । ମୋତେ ଡକେଇଥିଲେ, ମୁଁ ସ୍କିପ୍ଟ ଦେଖିବାକୁ ଆସିଥିଲି ।"

-ତା'ହେଲେ ତମେ ଏମ.ଫିଲ କରୁନା ? ରେଭେନସା କଲେଜ କଥା ସେତେବେଳେ କାହିଁକି କହିଥିଲ ?"

-"କଲେଜ, ପୁଣି ରେଭେନସା କଲେଜ ପିଲାଙ୍କ କଥା ଶୁଣିଲେ, ବାହାର ଲୋକେ ଭାରି ଡରନ୍ତି । ସେମାନେ ଜାଣିଛନ୍ତି, ରେଭେନସା କଲେଜ ପିଲାଙ୍କୁ କେହି ମିସ-ବିହେବ କଲେ, ସେମାନେ ମୋଟେ ଛାଡ଼ିବେ ନାହିଁ । ତାଙ୍କର ମାଡ଼ ଗୋଟାଏ ବି ତଳେ ପଡ଼େନାହିଁ ।"

ହୋ-ହୋ-ହେଇ ହସି ଉଠିଲେ ଦେବଦାସବାବୁ । ପାଖରେ ବସିଥିବା ସହଯାତ୍ରୀମାନେ ଏକସଙ୍ଗେ ତାଙ୍କ ଆଡ଼କୁ ଚାହିଁଦେଲେ ।

ନିଜକୁ ସମ୍ଭାଳି ନେଲେ ଦେବଦାସବାବୁ । ପୁଣି ଧୀର ଗଳାରେ ପଚାରିଲେ- "ତା'ହେଲେ ତମେ ଜଣେ ମଞ୍ଚ ଅଭିନେତ୍ରୀ ?"

-"ଆଜ୍ଞା, ହଁ- ମୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମଞ୍ଚଶିଳ୍ପୀଙ୍କ ସହିତ ମିଶି ଅଭିନୟ କରେ । ଏଇଟା ମୋର ଗୋଟାଏ ସଉକ । ତା' ସଙ୍ଗେ ସଙ୍ଗେ ଭଲ ପଇସା ବି ରୋଜଗାର କରେ । କିନ୍ତୁ ମୁଁ ଜଣେ ଅଭିନେତ୍ରୀ ବୋଲି ପରିଚୟ ପାଇଗଲେ, ଟୋକାଠାରୁ ବୁଢ଼ାଯାଏ, ମୋ ପିଛାରେ ପଡ଼ିଯାଆନ୍ତି । ସେମାନଙ୍କର ଧାରଣା ଯେ, ମୁଁ ତାଙ୍କ ପାଇଁ ସହଜଲବ୍ଧ । ମୋ ସହିତ ଯିଏ ଯେମିତି ଇଚ୍ଛା ସେମିତି ବ୍ୟବହାର କରି ପାରିବ । ସେଇଥିପାଇଁ ସମସ୍ତଙ୍କୁ କହିଦିଏ, ମୁଁ ରେଭେନସା କଲେଜର ଜଣେ ଛାତ୍ରୀ । ଏହି ପରିଚୟ ପାଇଗଲେ, ଆଉ କେହି ମୋ ଆଗକୁ ଆସିବାକୁ ସାହସ କରନ୍ତି ନାହିଁ ।

  ଏଥର ଦେବଦାସ ବାବୁ ଚୁପ ହେଇଯାଇ କେତେ କ'ଣ ଭାବି ଚାଲିଲେ । ଅବଶ୍ୟ, ଅବସ୍ଥା ଚକ୍ରରେ ପଡ଼ି ଝିଅଟା ନିଜକୁ ସୁରକ୍ଷିତ ରଖିବା ପାଇଁ ଏଭଳି ମିଥ୍ୟାର ଆଶ୍ରୟ ନେଉଛି । ଏଥିରେ କାହାରି କିଛି କହିବାର ନାହିଁ । ତା'ର ସୁନ୍ଦର ଆକର୍ଷଣୀୟ ଚେହେରା, ଛଳଛଳ କଥା; ଢଳଢଳ ଆଖି ଦୁଇଟାକୁ ଯିଏ ଦେଖିବ-ସିଏ ତ ନିଶ୍ଚୟ ତା' ସଂସ୍ପର୍ଶରେ ଆସିବାକୁ ଚାହିବ । ଏହି ମିଥ୍ୟା ପରିଚୟଟା କ'ଣ ତାକୁ ସବୁବେଳେ ସୁରକ୍ଷାଦେଇ ପାରୁଥିବ ? ଅଳ୍ପବୟସୀ ଏହି ଝିଅଟା ଏକାଏକା ଯାଇ ବିଭିନ୍ନ ଜାଗାରେ ଅଭିନୟ କରୁଛି । ସେ କ'ଣ ସତରେ ସବୁଥର ନିରାପଦରେ ଘରକୁ ଫେରି ପାରୁଥିବ ? ଆହୁରି କେତେ କ'ଣ ? ଛାଡ଼, ଏହା ତ ତା'ର ବ୍ୟକ୍ତିଗତ ସମସ୍ୟା । ଅଯଥାଟାରେ ତା'କଥା ଚିନ୍ତା କରି ଲାଭ କ'ଣ ? ଏବେ ସେ ଯାହା ସବୁ କହୁଛି, ସେଥିରେ ପୁଣି ସତ୍ୟତା କେତେ ଅଛି କେ ଜାଣେ ? କେତେ ସହଯାତ୍ରୀ ବସରେ ଯାଉଛନ୍ତି, ଇଏ ବି ସେମାନଙ୍କ ଭିତରୁ ଜଣେ ।

ତାଙ୍କର ନିରବତାକୁ ଭଙ୍ଗକରି ଝିଅଟା ପୁଣି କହିଲା- "ମଉସା ! ଆପଣ ତ ସମସ୍ତଙ୍କୁ ଜାଣିଛନ୍ତି । ଆପଣଙ୍କୁ କିଛି ମୋର ଲୁଚେଇବାର ନାହିଁ । ମୋର ଅସଲ ନାଆଁ ହେଲା-ପଦ୍ମାବତୀ ସାହୁ, ଆମଘର ଜଗତସିଂହପୁର ଜିଲ୍ଲାର କାଦୁଆପଡ଼ା ଅଞ୍ଚଳରେ ଗୋଟିଏ ଛୋଟିଆ ଗାଆଁରେ । କଟକରେ ରହି ପଢ଼ୁଥିଲି, କଲେଜର ବିଭିନ୍ନ ଫଙ୍କସନରେ ମୁଁ ଅଭିନୟ କରି ବେଶ ପ୍ରଶଂସା ପାଉଥିଲି । ମୋତେ ଅଭିନୟ କରିବାକୁ ଭାରି ଭଲଲାଗେ । ତା'ପରେ ମୋତେ କଟକରେ ଗୋଟାଏ ଅଡ଼ିଓ ଭିଡ଼ିଓ ମିଡିଆରେ ଟେମ୍ପରାରୀ ଚାକିରି ବି ମିଳିଗଲା । ସେଥିରେ ଦରମା ସେମିତି କିଛିନାହିଁ, ମୁଁ ଗୀତ ଗାଏ ନାଚ କରେ । ବିଭିନ୍ନ ଭୂମିକାରେ ଅଭିନୟ ବି କରେ । ଏଣେ ମଞ୍ଚ ଅଭିନୟ କଲ ପାଇଲେ ବାହାରକୁ ଯାଏ । ରୋଜଗାର କରି ମୋ ପରିବାରକୁ ସାହାଯ୍ୟ କରେ ।

ମଉସା ଆପଣ ଏମିତି ଗୁମମାରି ବସିଗଲେ ଯେ ? ମୁଁ ଆପଣଙ୍କୁ ଏବେ କିଛି ବି ମିଛ କହୁନାହିଁ । ମୋ ପ୍ରତି ଆପଣ ବ୍ୟାଡ଼ ଇମ୍ପ୍ରେସନ ନେଲେ କି ?"

ତଥାପି ନିରବ ରହିଥିଲେ-ଦେବଦାସ ବାବୁ, କିନ୍ତୁ ପ୍ରଗଳଭା ଝିଅଟା ଚୁପହେଇ ରହିପାରୁ ନ ଥିଲା । ସେ ପୁଣି କହିଲା-"ମଉସା, ଏତେବେଳଯାଏ ମୁଁ ତ ଆପଣଙ୍କର ପରିଚୟଟା ପାଇପାରିଲି ନାହିଁ । ଆପଣ ଏବେ କେଉଁଠି ରହନ୍ତି ? କ'ଣ କରନ୍ତି ?

-" ମୁଁ କହିଥିଲି ପରା ମୋ ନାଁ, ଦେବଦାସ କାନୁନଗୋ । ମୁଁ ବି ଜଣେ ଲେଖକ, ଗଳ୍ପ, ଉପନ୍ୟାସ ଓ ନାଟକ ଲେଖେ । ଏବେ ଆକାଶବାଣୀ କଟକ କେନ୍ଦ୍ରରେ ଜଣେ ଉଚ୍ଚପଦସ୍ଥ ଅଫିସର ଭାବରେ କାର୍ଯ୍ୟକରେ ।

-"ମୋତେ କ୍ଷମା କରିବେ ମଉସା ! ମୁଁ ଆପଣଙ୍କ ନାମକୁ ବହୁତ ଆଗରୁ ଶୁଣିଛି । ଆପଣଙ୍କ ଗଳ୍ପ କେତେଟା ମଧ୍ୟ ପଢ଼ିବାର ସୁଯୋଗ ପାଇଛି । ବଂଶୀ ମଉସା ମଧ୍ୟ ଆପଣଙ୍କ କଥା ମୋତେ ଥରେ କହୁଥିଲେ- ଆପଣଙ୍କର ବହୁତ ଗୁଡ଼ିଏ ବହି ପ୍ରକାଶ ପାଇଛି, କିନ୍ତୁ ମୁଁ ତାକୁ କିଣି ପାରିନାହିଁ । ଆଜି ଆପଣଙ୍କୁ ଅତି ନିକଟରେ ଦେଖି ବହୁତ ଖୁସି ଲାଗୁଛି । ଆପଣ ଦୟାକରି ଯଦି ଖଣ୍ଡିଏ ବହି ମୋତେ ଦିଅନ୍ତେ, ତେବେ ମୁଁ ଗଳ୍ପଗୁଡିକୁ ସୁବିଧା ଦେଖି ସିରିୟଲ କରି ଆମ ଚ୍ୟାନାଲରେ ପ୍ରସାରଣର ବ୍ୟବସ୍ଥା କରିପାରନ୍ତି ।"

ଦେବଦାସ ବାବୁ ମନେ ପକେଇଲେ- ତାଙ୍କ ହ୍ୟାଣ୍ଡବ୍ୟାଗରେ ଦୁଇଖଣ୍ଡ ବହିଅଛି । ପୁଣି ଭାବିଲେ,ଏମିତି କେତେ ଅପାଠୁଆ ଲୋକେ କେତେ ବହି ମାଗିନେଇ ପଢ଼ନ୍ତି ନାହିଁ । ଯଦି ଜଣେ ଏତେ ଆଗ୍ରହ ପ୍ରକାଶ କରୁଛି, ନେଉ ସେ ଦୁଇଖଣ୍ଡ । ସେ ବ୍ୟାଗରୁ ଗଳ୍ପ ସଂକଳନ ଦୁଇଖଣ୍ଡ ବାହାର କରି ପଦ୍ମାବତୀ ହାତକୁ ବଢ଼େଇ କହିଲେ-"ଏହି ବହି ଦୁଇଟିକୁ ଆଜି ନିଜେ ପଢିବ । ଶେଷରେ ମୋତେ ଖଣ୍ଡିଏ ପୋଷ୍ଟକାର୍ଡରେ ନିଜର ମନ୍ତବ୍ୟ ଲେଖି ପଠେଇବ । ସେତିକି ହେବ-ମୋ ପୁସ୍ତକର ମୂଲ୍ୟ ଦେୟ ।"

ବହି ଦୁଇଖଣ୍ଡକୁ ଧରି ସେ କୃତ୍ୟକୃତ୍ୟ ହେଲାପରି ଲାଗିଲା । ନିଜ ଭ୍ୟାନିଟି ବ୍ୟାଗରୁ ତା'ର ଭିଜିଟିଂ କାର୍ଡ଼ ଖଣ୍ଡେ ବାହାର କରି ସେ ତାଙ୍କ ହାତକୁ ବଢ଼େଇଦେଇ କହିଲା-"ମଉସା ! ଏଥିରେ ମୋର ଅସଲ ଫୋନ ନମ୍ବର ଅଛି । ଯେତେବେଳେ ଇଚ୍ଛା ଆପଣ ମୋତେ ଫୋନ କରିପାରିବେ । ଆପଣଙ୍କ ଫୋନ ନମ୍ବର ତ ବହିରେ ଅଛି । ମୁଁ ସିରିଏଲ ସମ୍ପର୍କରେ ପରେ କଥାହେବି ।"

ସେତେବେଳକୁ ବସ ବାଦାମବାଡ଼ିରେ ପହଞ୍ଚି ଯାଇଥିଲା । ପଦ୍ମାବତୀ ବିଦାୟ ନମସ୍କାର ଜଣାଇ ବସରୁ ଆଗ ଓହ୍ଲେଇ ପଡ଼ିଲା । ଗୋଟିଏ ଅଟୋରେ ବସିପଡ଼ି ସଂଗେ ସଂଗେ କୁଆଡ଼େ ଉଭାନ ହେଇଗଲା ।

ଦେବଦାସ ବାବୁ ବସରୁ ଓହ୍ଲେଇ ଚାରିଆଡ଼କୁ ଚାହିଁଲେ । ପଦ୍ମାବତୀର ଭିଜିଟିଂ କାର୍ଡ଼ଟାକୁ ଆଉଥରେ ଭଲକରି ଦେଖିଲେ । ବହୁରଙ୍ଗରେ ପ୍ରକାଶିତ କାର୍ଡ଼ରେ ଲେଖାଅଛି-"ପଦ୍ମାବତି ସାହୁ, ମିଡ଼ିଆ କୋର୍ଡିନେଟର, ତା'ପରେ ଚାରିଟା ଫୋନ ନମ୍ବର । ଇ-ମେଲ ନମ୍ବର ବି ଅଛି ।

 ଦେବଦାସ ବାବୁ କାର୍ଡଟିକୁ ଆଉଥରେ ଦେଖି କେମିତି ଅନ୍ୟମନସ୍କ ହେଇଗଲେ । ତାକୁ ସାର୍ଟ ପକେଟରେ ରଖିଦେଇ ଗୋଟାଏ ଅଟୋକୁ ଡାକି ବସିଲେ । କିଛିବାଟ ସେ ଯାଇଛନ୍ତି କି ନାହିଁ , ତାଙ୍କୁ ଲାଗିଲା-ପକେଟରେ ଯେମିତି ନିଆଁ ଲାଗିଯାଇଛି । ସେ କାର୍ଡ଼ଟା ଜଳୁଛି କି ? ତରବରହେଇ ସେ କାର୍ଡ଼ଟାକୁ ପକେଟରୁ କାଢି ଭଲକରି ନିରେଖିଲେ । କିଛି ତ ହେଇନାହିଁ । ଏମିତି ଲାଗିଲା କାହିଁକି ? ତାକୁ ଏଥର ନେଇ ପ୍ୟାଣ୍ଟ ପକେଟରେ ରଖିଦେଲେ । କିଛି ସମୟ ପରେ ସେ ପୁଣି ଅନୁଭବ କଲେ , ପକେଟ ଭିତରେ କଣ୍ଟାଟା ପଶି ଯାଇଛି କି ? ସେ କାର୍ଡରେ କିଛି କଣ୍ଟାଭଳି ଜିନିଷ ଲାଗି ଯାଇଛି କି ? ସେ ତାକୁ କାଢି ପୁଣି ଥରେ ପରୀକ୍ଷା କରିନେଇ ହାତ ପାପୁଲିରେ ପୋଛି ପକେଇଲେ । ଏଥର ତାକୁ ହ୍ୟାଣ୍ଡବ୍ୟାଗରେ ରଖିଦେଇ ଶାନ୍ତିରେ ଘରେ ପହଞ୍ଚି ଗଲେ । ଘରେ ପହଞ୍ଚି ସେ ଆଗ କାର୍ଡ଼ଟାକୁ କାଢି ଟେବୁଲ ପାଖରେ ଥୋଇ ଦେବାକୁ ଯାଉଛନ୍ତି, ତାଙ୍କୁ ଲାଗିଲା- କାର୍ଡ଼ଟା ଯେମିତି ତାଙ୍କ ହାତରୁ ତଳକୁ ଖସୁନାହିଁ । କି ଆଶ୍ଚର୍ଯ୍ୟ, ଏଥିରେ ପୁଣି ଅଠା ଲାଗିଗଲା ନା' କ'ଣ ? ନାଇଁ ତ ସେମିତି କିଛି ଲାଗିନାହିଁ । ଏହି କାର୍ଡ଼ରେ କିଛି ଯାଦୁ ରହିଛି ନା', ମୋ ମନରେ କିଛି ଗୋଟାଏ ଅଜଣା ଭୟ ପଶିଯାଇଛି ।

-ନାଇଁ ଏଇଟା ପାଖରେ ରହିଥିବାଯାଏ, ମୁଁ ଶାନ୍ତିରେ ରହିପାରିବି ନାହିଁ ।

 ସେ ଦିଆସିଲିରୁ କାଠିଖଣ୍ଡେ କାଢି ଜଳାଇଲେ । କାର୍ଡ଼ଟିକୁ ପୋଡ଼ିଦେଇ ସେ ଗୋଟାଏ ଦୀର୍ଘଶ୍ୱାସ ପକାଇଲେ ।



Rate this content
Log in

Similar oriya story from Romance