ଦର୍ପଣ ରୋଗ
ଦର୍ପଣ ରୋଗ
ସୂର୍ଯ୍ୟ ଉଇଁଆସୁଥା’ନ୍ତି । ପଖାଳ ସାଙ୍ଗକୁ ଶାଗଭଜା ଟିକେ ଖାଇବା ଆଶାରେ ସକାଳୁ ସକାଳୁ ସଜନୀ ବୁଢୀ ବାଡି ପାଖ ପୋଖରୀ ହୁଡାରୁ ମୁଠାଏ ଲେଉଟିଆ ଶାଗ ତୋଳି ବାରଣ୍ଡାରେ ବସି ବାଛୁଥିବାବେଳେ, ତା ଗେହ୍ଲି ନାତୁଣୀ ବେବି ଦର୍ପଣରେ ମୁହଁଟାକୁ ମାଡିଦେଇଥିବାର ଦେଖି, ସେ ଥଟ୍ଟା କରି କହେ – “ଏଡେ ଟୋକୀଟା ହେଲାଣି, ଦେଖୁନ ରାତି ନାହିଁ ଦିନ ନାହିଁ, ସଦାବେଳେ କେମିତି ଦର୍ପଣ ଭିତରେ ମୁହଁଟାକୁ ପୁରେଇଛି । ସେଥିରୁ କ’ଣ ପାଉଛି କେଜାଣି ? ପାଠଶାଠ ଛାଡି ମୁହଁକୁ ଦେଖିଲେ ସତେ ଯେମିତି ସରସ୍ୱତୀ ଆସି ଆ’ ପାଇଁ ନିଜେ ସବୁ ପଢିଦେବେ ଆଉ । ମୋତେ ଯାହା ଲାଗୁଛି ଏଇଟାକୁ ଦର୍ପଣ ରୋଗ ହେଲାଣି ଲୋ ମା’ ।”
ଅଷ୍ଟମରେ ପଢୁଛି ବେବି । ସବୁଦିନେ ପ୍ରତ୍ୟୁଷରୁ ଆଇନା ଧରି ଘଡିଏ ପହଡ ଯାଏ ମୁହଁ ଦେଖିବା ତା’ର ଗୋଟେ ବଦଭ୍ୟାସ । ଏଇଥିପାଇଁ ଦିବାକର ବାବୁ ତା ଉପରେ ବେଳେବେଳେ ଭିଷଣ ବିରକ୍ତ ହୋଇ କୁହନ୍ତି – “ଦର୍ପଣ ଧରି ସେମିତି ବସିଥା । ସିଆଡେ ପାଠ ସବୁ ଚୁଲିକୁ ଯାଉ । ଏ’ ଗାଁ’ରେ ତୋ’ରି ସାଙ୍ଗର କେଇଟା ଝିଅ ସଦାବେଳେ ଖାଲି ଦର୍ପଣ ଧରି ବସିରହୁଛନ୍ତି ? ତୋ ନେଇ କିଛି ହେବନି” । ବାପାଙ୍କ ମୁହଁରୁ ଏ କଥା ଶୁଣି ସେ କାନ୍ଦ କାନ୍ଦ ହୋଇ ଅଭିମାନରେ ମୁହଁକୁ ଆମ୍ବିଳା କରି, ବହି ଥାକରେ ଦର୍ପଣଟାକୁ ରଖିଦେଇ ଅନିଛାସତ୍ୱେ ସାହିତ୍ୟ ବହିର ପୃଷ୍ଠାଗୁଡିକୁ ବାରମ୍ବାର ଲେଉଟାଉଥିଲାବେଳେ, ଥିରିଥିରି ପାଦରେ ଜେଜେମା’ ତା ପାଖକୁ ଆସି କାନରେ ତା’ର ଚୁପି ଚୁପି କହେ – “ଏଇ ବୟସରୁ ତ ଏତେ ଥର ମୁହଁ ଦେଖୁଛୁ, ଆଉ ବାହା ହେଲେ କେତେ ନ ଦେଖିବୁ ବା” । ଏ କଥା ଶୁଣି ବେବି ତା ଉପରେ ରାଗିଯାଇ କହେ – “ଡଙ୍କୁଣୀ ବୁଢୀ । କେବଳ ତୋ’ରି ଯୋଗୁଁ ମୋ ଉପରେ ଆଜି ଗାଳି ହେଲା । ତୁ ତ ଜାଣିଛୁ, ମୋତେ ଦର୍ପଣ ରୋଗ ହେଇଛି । ଏତେ ଫଟେଇ ହେଉଛୁ କିଆଁ ? ଏଥର କହିଲେ ମୋତେ ଚିହ୍ନିବୁ ହଁ ।
ପିଲାଟିଦିନୁ ଦର୍ପଣକୁ ବେଶୀ ଭଲପାଏ ବେବି । ସତେ ଯେମିତି ସିଏ ତା’ର ବେଶୀ ଅନ୍ତରଙ୍ଗ । ସ୍କୁଲ ସମୟକୁ ବାଦ୍ ଦେଲେ ପ୍ରାୟ ଅଧିକାଂଶ ସମୟ କଟିଯାଏ କେବଳ ଏଇ ମୁହଁ ଦେଖିବାରେ । ଯିଏ ଯେତେ କହିଲେ ବି ସେ ଏହାକୁ ଯମା ଛାଡି ପାରେନି । ମାତ୍ର ଏଇ ଗୋଟିଏ କାରଣରୁ ସେ ଅନେକ ଥର ତା ବାପାଙ୍କଠାରୁ ମାଡ ଗାଳି ଖାଇଛି । ହେଲେ କ’ଣ ହେବ ? ପୁ’ଣି ଯେଉଁ କଥାକୁ ସେହି କଥା ।
ସେଦିନ ହୋଇଥାଏ ରବିବାର । ଘର ଅଗଣାରେ ବେବି ଓ ତା ସାଙ୍ଗମାନେ ମିଶି ବୋହୂଚୋରୀ ଖେଳୁଥାନ୍ତି । ଏହି ସମୟରେ ହଠାତ୍ ତାକୁ ଟିକେ ଚିଡେଇବା ପାଇଁ ସେମାନେ ମିଛି ମିଛିକା ଅଭିନୟ କରି କହିଲେ –
-ଆଲୋ ବେବି, ତୋ ମୁହଁରେ କ’ଣ ଲାଗିଛି ?
-ସତେ ନା କ’ଣ
-ବିଶ୍ୱାସ ହେଉନି
ସେମାନେ ଏତିକି କହୁକହୁ ସେ ସଙ୍ଗେ ସଙ୍ଗେ ତା ମୁହଁକୁ ଭଲ ଭାବେ ଫ୍ରକ୍ରେ ପୋଛିଦେଇ ସ୍ମିତ ହସି କହିଲା –
-ଦେଖିଲ, ଆଉ ଲାଗିଛି
-ହଁ ତ, ଯମା ଛାଡୁନି
-ମୋ ସଙ୍ଗେ ମଜା କରୁନ ତ
-ଆଦୈା ନୁହେଁ
ସେମାନଙ୍କ ଚାଲାଖିକୁ ବୁଝି ନପାରି ସେ ଆଖି ପିଛୁଳାକେ ଘର ଭିତରକୁ ଦୈାଡି ଯାଇ ତା’ର ପ୍ରିୟ ସାଥୀ ଦର୍ପଣରେ ନିଜର ମୁହଁ ଦେଖି, ମନକୁ ମନ ଫିକ୍କିନା ହସିଦେଇ କହିଲା – ତା ହେଲେ ଏମାନେ ମୋ ସାଙ୍ଗରେ ସେତେବେଳୁ ମଜା କରୁଛନ୍ତି, ଅଥଚ ମୁଁ କେଡେ ବୋକୀଟା, ଜାଣିପାରୁନି । ଏଥର ପାନେ ଚଖଉଛି ।
ସମୟ ବଡ ବିଚିତ୍ର । ରୋକିବାକୁ ଚାହିଁଲେ ବି ରୋକି ହୁଏନି । ପାହାଡି ଝରଣା ପରି ଗଡିଚାଲିଥାଏ ଅନବରତ । ଆସନ୍ତା ମାର୍ଗଶୀର ମାସଠାରୁ ବେବିକୁ ୧୭ ପୁରି ୧୮ ଚାଲିବ । ଯୈ÷ାବନର ଉତାଳ ଢେଉରେ ତା’ର ସର୍ବାଙ୍ଗ ଚମକୁଛି । ହଳଦି ରଙ୍ଗର ଦେହରୁ ପ୍ରେମର ବାସ୍ନା ମହକି ଉଠୁଛି । କାମନାର ରୋମାଂଚରେ ତା’ର ସାରା ଶରୀର ମତୁଆଲା ହେବା ସହ ଲାଜକୁଳୀ ଲତାଟିଏ ପରି ସତେ ଯେମିତି କାହାର ସ୍ପର୍ଶରେ ସେ ଆଖି ବୁଜି ରୋମାଂଚିତ ହୋଇଉଠୁଛି, ନିଜେ ଜାଣି ପାରୁନି ।
ଏ ଖିଆଲି ବୟସଟା ସତରେ ଏମିତି । କେତେବେଳେ ପାହାଡି ଝରଣାଟିଏ ହୋଇ କୁଳୁକୁଳୁ ଶବ୍ଦ କରି ଅଙ୍କାବଙ୍କା ପଥରେ କାହିଁ କେତେ ଦୂର ବହିଯାଇଥାଏ ତ ଆଉ କେତେବେଳେ ଅଳସୀ କନ୍ୟା ସାଜି ନୂପୁରର ଛମ୍ଛମ୍ ଶବ୍ଦରେ ପ୍ରେମିକ ମନରେ ଇନ୍ଦ୍ରଧନୁର ସପ୍ତରଙ୍ଗ ବୁଣିଦିଏ । ଏଇ କିଛି ଦିନ ହେବ ବେବି ସହ ବନୁର ଛାଇ ଆଲୁଅ ଖେଳ ଭିତରେ ଲୁଚାଛପା ସମ୍ପର୍କଟିଏ ଗଢି ଉଠିଛି । ଏକଥା ଅନ୍ୟ କେହି ଜାଣନ୍ତିନି । ଦୁହେଁ ଦୁହିଁଙ୍କୁ ନିବିଡ ଭାବରେ ଭଲ ପାଆନ୍ତି । କେହି କାହାକୁ ଦିନେ ନ ଦେଖିଲେ ରହିପାରନ୍ତିନି ।
ଦୁଇ ତିନି ଦିନ ହେବ ବେବିକୁ ଜ୍ୱର । ଦେହ ତାତିରେ ଖଇ ଫୁଟୁଛି । ଘରୁ ବାହାରୁନି । ଖଟରେ ସେମିତି ପଡିରହିଛି । ହେଲେ ଦର୍ପଣରେ ମୁହଁ ଦ
େଖିବା ଛାଡି ପାରୁନି । ମୁହଁ ଶୁଖିଲା ଦିଶୁଥିବାରୁ ତା’ର ଭାରି ମନ ଦୁଃଖ ହେଉଛି । କେଉଁ ଦିନ ଏ ଡଙ୍କୁଣୀ ଜ୍ୱରଟା ତା ଦେହରୁ ଓହ୍ଲେଇଯିବ, ସେଇ କଥା ଖାଲି ସେ ଭାବୁଛି ଆଉ ଭାବୁଛି ।
ଟଙ୍କାର ଦୁଇ ପାଶ୍ୱର୍ ପରି ଏଣେ ବେବିର ଘରୁ ନ ବାହାରିବାଟାକୁ ବନୁ ଆଦୈା ସହ୍ୟ କରି ପାରୁନି । ମନରେ ଭୟ ଥଲେ ବି କେମିତି ତା ସହ ଟିକେ ଦେଖା ହେବ, ସେହି କଥା ଭାବି ଭାବି ସେ ଅସ୍ତବ୍ୟସ୍ତ ହେବା ସହ ମନେ ମନେ ଉପାୟ ଖୋଜିବାରେ ଲାଗିଛି ।
ତହିଁ ଆରଦିନ ବନୁ ସାହସ ସଂଚୟ କରି ସକାଳୁ ସକାଳୁ ବେବିଙ୍କ ଘରେ ପହଂଚି ଦେଖେ ତ, ଜେଜେମା ତା’ର ବାରଣ୍ଡାରେ ବସି ଚା’ ପିଉଛନ୍ତି । ସେ ହସ ହସ ମୁଁହରେ ତାଙ୍କ ପାଖକୁ ଯାଇ ନମ୍ର ଭାବେ କହିଲା –
-ଆଜି ମୋ’ର ଛୁଟି ତ, ସେଥିପାଇଁ ଇଆଡେ ଟିକେ ଚାଲିଆସିଲି ।
-ହଉ, ଭଲ କଲୁ । ଆ’, ମୋ ପାଖରେ ବ’ସ ।
-ଆଛା ଜେଜେମା, ବେବି ତ କାହିଁ ଦିଶୁନି
-ତାକୁ ଜ୍ୱର । ସେ ଶୋଇଛି ।
ବନୁ ଅତି ଖୁସିରେ ନିଜକୁ ଆଉ ସମ୍ଭାଳି ନ ପାରି ଦର ଆଉଜା କବାଟ ପାଖକୁ ପାଦ ବଢାଇ ଦେଖେ ତ - ବେବି ଏକ୍ ଲୟରେ ଦର୍ପଣ ଧରି ମୁହଁ ଦେଖୁଛି ଯେ ଦେଖୁଛି । ହଠାତ୍ ଝଲ୍କାଏ ଦକ୍ଷିଣା ପବନରେ କବାଟ ମେଲିଯିବାରୁ ସେ ବନୁକୁ ଦେଖି, ତକିଆ ତଳେ ଦର୍ପଣ ରଖିଦେଇ, ପ୍ରେମର ଚାହାଣୀରେ ସ୍ମିତ ହସି କହିଲା-
-କୁଆଡେ ଆସିଥିଲ
-ତୋତେ ଟିକେ ଦେଖିବାକୁ
-ସତେ ନା କ’ଣ ହଉ, ତୁମ ଦେହ ଭଲ ଅଛି ତ
-ମୋ କଥା ଛାଡ । ତୁ ଏମିତି ସଦାବେଳେ ମୁହଁ ଦେଖୁଛୁ କାହିଁକି ରୋଗ ହେଇଯିବ ଯେ ।
-ରୋଗ ହେଲେ ତମେ ତ ଅଛ । ମୋ’ର ଆଉ ଡର କ’ଣ
-ତୋତେ ଆଉ ପାରି ହେବନି । ହଉ, ମୁଁ ଆସୁଛି । ପୁ’ଣି ସଂଧ୍ୟାରେ ଦେଖାହେବ ।
ଏବେ ବିବାହ ଋତୁ । ବାଜା, ବାଣ, ରୋଷଣୀରେ ଗାଁ ସବୁ ଫାଟିପଡୁଛି । ବେବି ହୃଦୟର ନିଭୃତ କୋଣରେ ସାହାନାଇର ସୁମଧୁର ସ୍ୱର ପ୍ରେମର ଛିଟା ହୋଇ ସଂଚରି ଯାଉଥିବାବେଳେ, କାମନାର ଜ୍ୱାଳାରେ ସେ ଅସ୍ତବ୍ୟସ୍ତ ହେବା ସାଙ୍ଗକୁ ନିସ୍ତବ୍ଧ ରାତ୍ରୀରେ ବନୁର ଅନୁପସ୍ଥିତିକୁ ବେଶ୍ ଅନୁଭବ କରୁଛି ।
ଦିନ ପରେ ରାତି ଆସେ, ରାତି ପରେ ଦିନ । ଏ ହେଉଛି ସୃଷ୍ଟିର ନୀୟମ । ବିଧିର ବିଧାନ । ଦୁଇ ପରିବାରଙ୍କ ସଦିତ୍ସା ତଥା ଉପସ୍ଥିତିରେ, ଶିବ ମନ୍ଦିର ପ୍ରାଙ୍ଗଣରେ, ବୈଦିକ ରୀତିରେ, ବେବି ସହ ବନୁର ବିବାହ କାର୍ଯ୍ୟ ସଂପନ୍ନ ହୁଏ । ବିବାହର ତିନି ମାସ ପରେ ବି ବେବି, ଦର୍ପଣରେ ବାରମ୍ବାର ମୁହଁ ଦେଖିବା ଛାଡି ପାରେନି । ପ୍ରତିଦିନ ବନୁ ଅଫିସ୍କୁ ବାହାରି ଗଲେ, ସେ ଘର କାମ ସବୁ ଯଲ୍ଦି ଯଲ୍ଦି ଶେଷ କରି ଦର୍ପଣ ଆଗରେ ବସିପଡେ । ବେଳେବେଳେ କାମ କରୁଥିବା ଭିତରେ ବି ଦର୍ପଣ କଥା ମନେ ପଡିଗଲେ, ସେ ବ୍ୟସ୍ତ ହୋଇ ମୁହଁ ଦେଖିବାକୁ ଚାଲିଆସେ । ତା’ର ଏଭଳି ବଦଭ୍ୟାସ ଦିନକୁ ଦିନ ବଢିଚାଲିବା ଫଳରେ ବନୁ ଦୁଃଖରେ ଭାଙ୍ଗିପଡେ ।
ଜହ୍ନର ଉଜ୍ଜ୍ୱଳ ଆଲୋକ ଚାରିଆଡେ ବିଛାଡି ହୋଇ ପଡିଲାଣି । ଯେମିତିକିି ଶୋରିଷ ଦାନାଟିଏ ଯେଉଁଠି ପଡିଥିଲେ ବି ଦେଖିହେବ । ବିଳମ୍ବିତ ରାତ୍ରୀରେ ଦୁହେଁ ଶୟନ କକ୍ଷରେ କିଛି ସମୟ ୟାଡୁ ସ୍ୟାଡୁ ନାନା ବିଷୟରେ ଆଲୋଚନା ଚାଲିଥିଲାବେଳେ ବନୁ ସ୍ମିତ ହସି ପ୍ରାଣପ୍ରିୟା ବେବିକୁ ତା ବଳିଷ୍ଠ ଛାତି ଉପରକୁ ଭିଡିଆଣି, ସଙ୍ଗେ ସଙ୍ଗେ ତା’ର ଲିପ୍ସ୍ଟିକ୍ ବୋଳା ସରୁ ଓଠରେ ପ୍ରେମର ଚୁମାଟିଏ ଆଙ୍କିଦେଇ କହିଲା –
-କାଲି ଆମେ ଡାକ୍ତରଙ୍କ ପାଖକୁ ଯିବା ।
-କାହିଁକି
-ତୋତେ ଦର୍ପଣ ରୋଗ ହୋଇଛି । ଆମ ଗାଁ ମଧୁ ମାଷ୍ଟ୍ରେ ପରା କହୁଥିଲେ । ଜାଣିଛୁ, ଏ ରୋଗ ବେଶୀ ଦିନ ଦେହରେ ରହିଲେ କୁଆଡେ ଭଲ ନୁହେଁ ।
-ସତେ ନା କ’ଣ ମୋତେ ଭାରି ଡର ଲାଗିଲାଣି
-ଡରିବାର କିଛି ନାହିଁ ଶୋଇପଡ
ସକାଳୁ ସକାଳୁ କ୍ଲିନିକ୍ ସାମାନ୍ୟ ଭିଡ ଥିଲା । ସେମାନେ କିଛି ସମୟ ଅପେକ୍ଷା ପରେ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର୍ ଡା. ଶ୍ରଦ୍ଧାଶ୍ରୀ ପଟ୍ଟନାୟକ୍ ବେବି ବିଷୟରେ ବନୁଠାରୁ ସବୁ ଶୁଣି ହସି ହସି କହିଲେ – “ଶୁଣ, ଏହା ଏକ ମାନସିକ ବିକାର । ଏ କୈାଣସି ରୋଗ ନୁହେଁ । ସଦାବେଳେ କର୍ମ ଜଞ୍ଜାଳ ମଧ୍ୟରେ ବ୍ୟସ୍ତ ରହିଲେ ତଥା ଏଭଳି କୁଅଭ୍ୟାସ ସମ୍ପର୍କରେ ବାରମ୍ବାର ଅବଗତ କଲେ, ଏହା ଆପେ ଆପେ ଦୂର ହୋଇ ଯିବ । ମୁଁ ଏତେ ବୁଝେଇବା ସତ୍ୱେ ସେ ଯଦି ମୋ କଥା ନ ମାନି ସଦାବେଳେ ଦୀର୍ଘ ସମୟ ଧରି ମୁହଁ ଦେଖିବେ, ବାଧ୍ୟ ହୋଇ ଶେଷରେ ତାଙ୍କର ମସ୍ତିଷ୍କ ପରୀକ୍ଷା କରାଯିବ । ତା’ପରେ ଯାହା ହେବ ମୋତେ ଆଉ କିଛି କହିବନି । ମ୍ୟାଡାମ୍ଙ୍କ ମୁହଁରୁ ଏ କଥା ଶୁଣି ସେ ଛାନିଆରେ ହଠାତ୍ ଡରି ଯାଇ, କାନ୍ଦି କାନ୍ଦି କହିଲା – ମୁଁ ଆଜି ଠାରୁ ଆଉ ବାରମ୍ବାର ମୁହଁ ଦେଖିବିନି କି ଏଭଳି ରୋଗକୁ ନିମନ୍ତ୍ରଣ କରିବିନି ।