Debaki Behera

Abstract

4.2  

Debaki Behera

Abstract

ଦୃଢ଼ ବିଶ୍ୱାସ

ଦୃଢ଼ ବିଶ୍ୱାସ

6 mins
531


 

ରାମୁ ଜଣେ ଗରିବ ଚାଷୀଟିଏ l ସୁଦୂର ଗାଁ ଇଲାକା ରେ ତାର ଘର l ଘରେ ସ୍ତ୍ରୀ ସୁମତି ଆଉ ଝିଅ ହେନା l ତାଙ୍କର ତିନୋଟି ଗାଈ ଓ ଗୋଟିଏ ବାଛୁରୀ ମଧ୍ୟ l ହେନା ଓ ସୁମତି ଦିନ ରାତି ସେମାନଙ୍କର ସେବା କରନ୍ତି l ତିନୋଟି ଗାଈର ନା କମଳୀ, ଲବଙ୍ଗ, ମମତା ଓ କମଳୀ ର ଛୁଆ ଟି ହେଉଛି ସୁଧା l ଲବଙ୍ଗ ଓ ମମତା ର କୌଣସି ଛୁଆ ହେଇନାହିଁ l ରାମୁ ବିଲରେ ଦିନ ରାତି କାମ କରେ ଯାହା ଅମଳ ହୁଏ ମଣ୍ଡି ରେ ବିକି କିଛି ପଇସା ଆଣେ ଯାହା ତାଙ୍କ ଚଳିବାକୁ ନିଅଣ୍ଟ ହୁଏ l ବଜାରରେ ବେପାରୀ କମ ଦରରେ ଜିନିଷ ନେଇ ଅଧିକା ଦରରେ ବିକ୍ରି କରନ୍ତି l ବିଚରା ରାମୁ ତା ଭାଗ୍ୟ କୁ ଆଦରି ଯେତିକି ସେତିକି ଧରି ଘରକୁ ଆସେ l କମଳୀ ପାଖରି ଯେଉଁ କ୍ଷୀର ପାଏ କିଛି ବିକି ଦି ପଇସା ସେଥିରୁ ବି ରୋଜଗାର କରେ lଏହିପରି ବର୍ଷ ତମାମ ତାର ଗୁଜୁରାଣ ଚାଲିଥାଏ l

ଗୋଟିଏ ବର୍ଷ କିଛି ଦିନ ଧରି ଲଗାଣ ବର୍ଷା ଲାଗିରହିଲା l ଦିନେ, ଦୁଇଦିନ କି ଚାରିଦିନ ନୁହଁ ପୁରା ଦଶ ଦିନ l ରାଜ୍ୟ ରେ ପ୍ରାୟତଃ ସ୍ଥିତି ବେହାଲ ହୋଇଯାଇଥିଲା l ରାମୁ ପରିବାର ଧରି ଘରେ ରହୁଥାଏ l ସେମାନେ ତ ଯାହା ଯେମିତି ଖିଆପିଆ କରିକି ଚାଲିଯାଉଥିଲେ କିନ୍ତୁ ନିରୀହ ପଶୁଗୁଡିଙ୍କର ଅବସ୍ଥା ଖରାପ ହେବାକୁ ଲାଗିଥିଲା l ନା ବିଲରୁ ଘାସ କାଟିକି ଆଣି ଦେଇପାରୁଛି ନା ବଜାରରୁ କୁଣ୍ଡା, ଚୋକଡ l ରାମୁ ପଶୁ ଗୁଡିକ ପାଇଁ ବହୁତ ଚିନ୍ତିତ ଥିଲା l ତେଣୁ ବର୍ଷା ପବନ ସତ୍ୱେ ଘରୁ ପଦାକୁ ବାହାରିଲା l ପବନ ବର୍ଷା ଯୋଗୁ ଧାନ ବିଲ ଜଳମଗ୍ନ ହୋଇଯାଇଥିଲା l ବିଚରା ରାମୁ ବୁଲି ବୁଲି କେଉଁଠୁ କିଛି ପାଇଲା ନାହିଁ l କିଛି ଗଛର ପତ୍ର ଭାଙ୍ଗି ମେଞ୍ଚେ ନେଇ ଘରକୁ ଗଲା l ସେ ତ ଗରିବ ଟେ ଭଲ ଦିନ ଗୁଡିକରେ କିଛି କିଣି ଆଣିବାକୁ ସମ୍ବଳ ନଥିଲା ବର୍ତ୍ତମାନ ତ ସ୍ଥିତି ଆହୁରି ଖରାପ l କମଳୀ ଟା ଭୋକରେ ଆଉଟୁ ପାଉଟୁ ହୋଇଯାଉଛି l ତା କୁନି ବାଛୁରୀ ଟା କ୍ଷୀର ପନ୍ହା କୁ ଝୁଣି ପକାଉଛି ଭୋକରେ କ୍ଷୀର ଟୋପେ ପାଇଁ l

କଣ ଅବା କରି ପାରିବ ସେ l ଘରେ ଚୁଡା ଚାଉଳ ଯାହା ଥିଲା ସବୁ ସରିଲାଣି l ଖାଲି ଭଗବାନ ଙ୍କ ପ୍ରତି ମନରେ ଦୃଢ଼ ବିଶ୍ୱାସ ଧରି ସୁମତି ଓ ରାମୁ ପ୍ରତିଦିନ ପ୍ରାଥନା କରୁଥାନ୍ତି l ନା ନିଜ ପାଇଁ ନୁହେଁ ବରଂ ପଶୁ ଗୁଡିକ ପାଇଁ l ଭଗବାନ ନିଶ୍ଚୟ ଚମତ୍କାର କରିବେ ଏହି ବିଶ୍ୱାସ ମନରେ ରଖିଥାଏ ରାମୁ l ରାମୁ ଯୁଆଡ଼କୁ ଚାହୁଁଥାଏ ଖାଲି ପାଣି l ସେ କାହାକୁ ବା ସାହାର୍ଯ୍ୟ ମାଗିବ l ପ୍ରାୟତଃ ସମସ୍ତି ଙ୍କ ପରିବାର ରେ ସମାନ ଅବସ୍ଥା l ସେ ଯାହା ହେଉ ପତ୍ର କିଛି ଧରି ରାମୁ ଘରକୁ ଫେରିଲା ଆଉ ସେହି ପତ୍ର ଗୁଡିକୁ ଗାଈମାନଙ୍କ ପାଖରେ ଦେଇଦେଲା l କମଳୀ ଟି ଭୋକ ବିକଳରେ କିଛି ପତ୍ର ଗୁଡିକୁ ଦେଖୁ ଦେଖୁ ଚୋବେଇ ଚୋବେଇ ସଫା କରିଦେଲା l ହୁଏତ ତାର କିଛି ମାତ୍ର ରେ ଭୋକ ର ଜ୍ୱାଳା ଟିକେ ଶାନ୍ତ ପଡ଼ିଯାଇଥିବ l ପତ୍ର ଗୁଡିକ ତିନିଟା ପ୍ରାଣୀ ର ପେଟକୁ ସମୁଦ୍ର କୁ ଶଙ୍ଖେ ପରି l ରାମୁ ବିଚରା ସବୁ ଦେଖି ଘର ଭିତରକୁ ଗଲା l ହେନା ଟିକୁ ତାର ବହୁତ ଭୋକ l ସୁମତି ରାମୁ କୁ ଦେଖି ପାଖକୁ ଆସି ପଚାରିଲା, 'ହଇଓ କୁଆଡେ ସଖାଳ ପହରୁ ଯାଇଥିଲ? ସବୁ ଆଡେ ତ ଖାଲି ପାଣି ଆଉ ପାଣି l ଆଉ ଏ କଷ୍ଟ ସହି ହେଉନି l 'ରାମୁ ସୁମତି କଥା ଶୁଣି କହିଲା ନାହିଁ ଲୋ ହେନା ବୋଉ ମୁଁ ଟିକେ ବିଲ ଆଡେ ମାଡି ଯାଇଥିଲି l ଗାଈଗୁଡ଼ିକ ପାଇଁ କିଛି ଘାସ ପତ୍ର ଆଣିବାକୁ l ଆମେ ମଣିଷ ଯାହା ତାହା ଖାଇକି ଟିକେ ବଞ୍ଚିଯିବା l ହେଲେ ସେ ନିରୀହ ପଶୁଗୁଡିକ କେମିତି ବଞ୍ଚିବେ l' ସତ କହିଲ ହେନା ବାପା, ସୁମତି କହିଲା l ହଉ ଭଗବାନ ହିଁ ଭରସା l ହେନା କୁ କଣ ଖାଇବାକୁ ଦେବି ତାକୁ ବହୁତ ଭୋକ l

ସୁମତି ର କଥା ଶୁଣି ରାମୁ କହିଲା ଗୋଟେ କାମ କର ଭାତ ଦିଟା ହାଣ୍ଡିରେ ଫୁଟେଇ ଦେ ଲୁଣ ଲଙ୍କା ମଡ଼େଇ ଖାଇବାକୁ ଦେଇଦେ l ସୁମତି :-ହଁ ଯେ ହେନା ବାପା ହେଲେ ଜାଳେଣି ତ ସବୁ ଓଦା l ଯାହା ଯେତିକି ସାଇତି ରଖିଥିଲି ସେଥିରେ ଏତିକି ଦିନ ଚଳି ଆସିଲୁ l ଆଉ ଆଜି ପାଇଁ ଜାଳେଣି ଥିଲେ ମୁଁ କଣ ଏମିତି ହାତ କୁ ବାନ୍ଧି ବସିଥାନ୍ତି l

ରାମୁ :-ହଉ ରହ ମୁଁ କିଛି ବ୍ୟବସ୍ଥା କରୁଛି l

ରାମୁ ବାଡି ପଟକୁ ଯାଇ ତନତନ କରି ସବୁ ଆଡେ ଦେଖିଲା ହେଲେ ଶୁଖିଲା ଜାଳେଣି ର ନା ଗନ୍ଧ ନାହିଁ l ଖାଲି ଗଛରୁ ଦୁଇଟା ଅଧା ପାଚେଲ ପିଜୁଳି ଦିଓଟି ଧରି ଘରକୁ ଆସିଲା l ପିଜୁଳି ଦିଟା ହେନା କୁ ଖାଇବାକୁ ଦେବାକୁ କହି ସୁମତି ହାତକୁ ବଢ଼େଇଦେଲା l ହେନା ପିଜୁଳି ଦିଓଟି ଖାଇ ଟିକେ ଆଶ୍ବସ୍ତି ଅନୁଭବ କରି ଶୋଇପଡ଼ିଲା l ରାମୁ ଓ ସୁମତି ଦୁହେଁ ସେହିପରି ଭୋକ ଓପାସ ରେ ଭଗବାନ ଙ୍କୁ ଡାକି ଶୋଇ ପଡିଲେ l ପେଟରେ ଭୋକ କେଉଁଠୁ ନିଦ ଆସୁଛି l ଖାଲି କଡ ଲେଉଟେଇବାଟା ସାର l ସୁମତି ଉଠି ପଡି ବସିଲା l ରାମୁ ସୁମତି କୁ ଉଠି ବସିବାର ଦେଖି ସେ ମଧ୍ୟ ଉଠିଗଲା l

ରାମୁ :-କଣ ହେଲା କି ଗୋ ହେନା ବୋଉ? ଏମିତି ଭୁତ ଙ୍କ ପରି ଉଠିକି କିଆଁ ବସିଛ?

ସୁମତି :-ନାଇଁମ କିଛି ନାହିଁ l ନିଦ ଲାଗୁନାହିଁ l

ରା଼ମୁ :-ହଁ, ନିଦ କୁଆଡୁ ଆସିବ l ପେଟରେ ତ ଭୋକ ଡିଆଁ କୁଦା କରୁଛି l

ସୁମତି :-ହଁ, କେଜାଣି ଏ ନିଆଁଲଗା ସମୟ ଟା କେବେ ଯିବ କେଜାଣି l ବହୁତ ହଇରାଣ ହରକତ ହେଲୁଣି l

ରା଼ମୁ :-ଏ ସମୟ ବି ଚାଲିଯିବ l ଭଗବାନଙ୍କ ଉପରେ ଭରସା ରଖ l ତୋର ମହାଭାରତ ର ଶ୍ରୀକୃଷ୍ଣ ଙ୍କର ଦିବ୍ୟ ବାଣୀ ମନେ ନାହିଁ କିଲୋ l ସୁଖ ହେଉ ବା ଦୁଃଖ କିଛି ବି ସ୍ଥାୟୀ ନୁହେଁ l କିଛି କ୍ଷଣ ସୁଖରେ କଟାଇଥିଲୁ ଆଉ ଏବେ ଦୁଃଖ ପଡିଲା ବୋଲି ଅଧର୍ଯ୍ୟ ହେଉଛୁ l ଭଗବାନ ସମସ୍ତିଙ୍କର ଏମିତି ପରୀକ୍ଷା ନିଅନ୍ତି l ଛାଡେ ଶୋଇପଡ ରାତି ବହୁତ ହେଲାଣି l ଆଗାମୀ ସୂର୍ଯ୍ୟୋଦୟ କି ନୂଆ ବାର୍ତ୍ତା ଆଣୁଛି ଆମ ପାଇଁ l

ସୁମତି ଓ ରା଼ମୁ ଦୁହେଁ ହାତ ଯୋଡି ଭଗବାନଙ୍କ ଉଦେଶ୍ୟ ରେ ମୁଣ୍ଡିଆ ଟିଏ ମାରି ଶୋଇପଡିଲେ l

ତହିଁ ଆରଦିନ ର ସକାଳ l ରା଼ମୁ ନିଦରୁ ଉଠି ବାହାରକୁ ଆସିଲା l ଦେଖିଲା କମଳୀ ର ଛୁଆଟା ନିସ୍ତେଜ ହୋଇ ପଡ଼ିଅଛି l ସେ ସଙ୍ଗେ ସଙ୍ଗେ ତା ପାଖକୁ ଧାଇଁ ଗଲା l ଦେଖିଲା ବାଛୁରୀଟା କିଛିଦିନ ହେଲା ଠିକ ସେ କ୍ଷୀର ଟୋପେ ପାଉନଥିବାରୁ ଛିଡା ହେବାର ଶକ୍ତି ବି ହରେଇବସିଛି l ରା଼ମୁ କଣ କରିବ କିଛି ବୁଝିପାରିଲାନି l ସେ ଗୋଟେ ବି ମୁହୂର୍ତ ଡେରି ନକରି ଘର ଭିତରକୁ ଧାଇଁ ଗଲା l ଅମାର ରୁ କିଛି ଶୁଖିଲା ଧାନ କୁ ପାଣିରେ ବତୁରେଇଦେଲା l ଆଉ ତାକୁ ଆଣି କମଳୀ କୁ ଖାଇବାକୁ ଦେଲା l ବିଚାରି କମଳୀ ଟି ଯେମିତି ଚାହିଁ କି ବସିଥିଲା ସେଇ ଖାଦ୍ୟ ଟିକକ ପାଇଁ l କିଛି କ୍ଷଣ ପରେ ରା଼ମୁ ଏକ ବାଲ୍ଟି ଆଣି କମଳୀ ର ପହ୍ନା ରୁ କିଛି କ୍ଷୀର ଦୁହିଁ ସୁଧା ର ମୁହଁ ପାଖରେ ଥୋଇଲା l ମୁହଁ କୁ ତାର ଟେକି ଯେମିତି ବାଲ୍ଟି ରେ ବୁଡ଼େଇଦେଇଛି ସଙ୍ଗେ ସଙ୍ଗେ ସୁଧା ଖାଇ ଶିଖିନଥିଲେ ମଧ୍ୟ ସବୁ ତକ କ୍ଷୀର କିଛି କ୍ଷଣ ମଧ୍ୟରେ ପିଇ ଦେଲା l ଏବେ ସେ ଟିକେ ସୁସ୍ଥ l ନିଜେ ଛିଡା ହୋଇ ତା ମାର ପହ୍ନା କୁ ମୁହଁ ବଢ଼େଇ ଆଉ କିଛି ସମୟ ପହ୍ନା ରୁ କ୍ଷୀର ପିଇଲା l ଏତିକି ମଧ୍ୟରେ ସୁମତି ର ନିଦ ଭାଙ୍ଗିଯାଇଥିଲା l ଆଉ ସେ ଘର ଭିତରୁ ଡାକ ଛାଡିଲା l ହେଇଟି ଶୁଣୁଛ ହେନା ବାପା l ହେନାଟା କଣ ଅଚେତ ହୋଇଯାଇଛି l ଡ଼ାକିଲାରୁ ଜମା ଶୁଣୁନାହିଁ l ରା଼ମୁ ଶୀଘ୍ର ଯାଇ ସୁମତି ପାଖରେ ପହଁଚିଲା l ଲୋଟା ରେ କିଛି ପାଣି ନେଇ ହେନା ର ମୁହଁ କୁ ଛାଟିଲା ହେଲେ କିଛି ଲାଭ ନାହିଁ l ତାର ହୋସ ଆସିଲାନି l କଣ କରିବି ଲୋ, ମୋ ହେନା ର କଣ ହେଲା ସୁମତି ମୁଣ୍ଡ ବାଡେଇ କାନ୍ଦିବାକୁ ଲାଗିଲା l ଠିକ ଏହି ସମୟରେ କିଏ ଜଣେ କବାଟ ବାଡ଼େଇବାର ଶବ୍ଦ ଶୁଣା ଗଲା l ରା଼ମୁ ହେନା ପାଖରୁ ଆଖି ରେ ଲୁହ ପୋଛି କବାଟ ପାଖକୁ ଆସିଲା l ଜଣେ ବାବୁ ଛିଡା ହେଇଥିଲେ l ରା଼ମୁ ଆଶ୍ଚର୍ଯ୍ୟ ହୋଇ ପଚାରିଲା କିଏ ଆପଣ ବାବୁ?

ମୁଁ ଜଣେ ଡାକ୍ତର l ସରକାରଙ୍କ ତରଫରୁ ବନ୍ୟା ଅଞ୍ଚଳ ପରିଦର୍ଶନ ରେ ଆସିଛି l ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ l ଆପଣଙ୍କ ଘରେ କେହି ଅସୁସ୍ଥ ନାହାନ୍ତି ତ l ରା଼ମୁ ହତବାକ ହୋଇ ଖାଲି ଶୁଣୁଥିଲା l ଡାକ୍ତର ବାବୁଙ୍କ ଠାରୁ ଏତକ ଶୁଣି ସାରିବା ପରେ ସେ ଡାକ ପକେଇଲା, ହେଇଟି ଶୁଣୁଛ ହେନା ବୋଉ, ଡାକ୍ତର ବାବୁ ଆସିଛନ୍ତି l ସେ ଆମ ହେନାକୁ ଭଲ କରିଦେବେ l ସୁମତି ଏତକ ଶୁଣି ଧାଇଁ ଆସି ଓଳିକି ହେଲା ଆଉ କାନ୍ଦି କାନ୍ଦି କହିଲା ବାବୁ ମୋ ଝିଅ ଅଚେତ ହୋଇଯାଇଛି ଜମା ଉଠୁ ନାହିଁ ଟିକେ ଦେଖନ୍ତୁ ତ l ଡାକ୍ତର ବାବୁ ଘର ଭିତରକୁ ଯାଇ ହେନା କୁ ପରୀକ୍ଷା ନିରୀକ୍ଷା କଲେ l ଆଉ କହିଲେ, ହେନା ଭୋକରେ ଅତି ଦୁର୍ବଳ ହୋଇଯାଇ ଅଚେତ ହୋଇଯାଇଛି l ଚିନ୍ତା କର ନାହିଁ l ମୁଁ ବର୍ତ୍ତମାନ ଇଞ୍ଜେକେସନ ଦେଇଦେଉଛି ସେ ଠିକ ହେଇଯିବ l ହଁ କିଛି ତାକୁ ଖାଇବାକୁ ଦିଅ l ରା଼ମୁ ଓ ସୁମତି ପରସ୍ପର ମୁହଁକି ଚାହିଁଲେ l ଖାଇବାକୁ କେଉଁଠୁ ଆଣିବୁ ବାବୁ l ପନ୍ଦର ଦିନ ହେବ ପାଣି ଘେରରେ l ନା କାମ ଧନ୍ଦା ଅଛି ନା ରୋଜଗାର l ଘରେ ପାଣି ପଶି ସବୁ ଜାଳ ବି ଓଦା l କିଛି ଧାନ ଥିଲା ଯେ ତାକୁ ମଧ୍ୟ ଗାଈଗୋରୁ ଙ୍କୁ ଖାଇବାକୁ ଦେଇଦେଲୁ ସେମାନେ ବି ବଞ୍ଚିବା ଦରକାର ନା l ରା଼ମୁ ଠାରୁ ଡାକ୍ତର ବାବୁ ଏତକ ଶୁଣି କାହାରିକୁ ଗୋଟେ ଫୋନ କଲେ l ଆଉ ବାହାରକୁ ଉଠି ଆସିଲେ l କିଛି କ୍ଷଣ ପରେ ଏକ ଡଙ୍ଗାରେ କିଛି ଜିନିଷ ପତ୍ର ଓ ଦୁଇ ଜଣ ପିଲା ଆସି ପହଁଚିଲେ l ଆଉ କହିଲେ ଆମେ ସ୍ବେଛାସେବୀ ମାନେ l ଚିନ୍ତା କରନାହିଁ ଏତକ ଶୁଖିଲା ଖାଦ୍ୟ ସାମଗ୍ରୀ ଘରକୁ ନିଅ l ଗୋଖାଦ୍ୟ ଗୁଡିକୁ ମଧ୍ୟ l ଚିନ୍ତା କରନାହିଁ ଆମେ ଦୁଇ ଚାରିଦିନ ପରେ ଆଉ ଥରେ ଆସିବୁଲିଯିବୁ l ଏହି ସମୟରେ ହେନା ଉଠି ବସିଲା ଆଉ ବୋଉ ବୋଉ ବୋଲି ଡାକ ଛାଡିଲା l ସୁମତି, ରା଼ମୁ ଓ ଅନ୍ୟ ସମସ୍ତେ ଘର ଭିତରକୁ ଗଲେ l ସୁମତି ହେନା କୁ କୁଣ୍ଢେଇ ପକେଇଲା lରା଼ମୁ ହାତଯୋଡ଼ି ସମସ୍ତିଙ୍କୁ ଧନ୍ୟବାଦ ଦେଲା l ଡାକ୍ତର ବାବୁ ଓ ଅନ୍ୟ ସାଥି ବିଦାୟ ନେଇ ଡ଼ଙ୍ଗା ନିକଟକୁ ଆସିଲେ l ଡାକ୍ତର ବାବୁ ଟିକେ ରା଼ମୁ ଆଡକୁ ଚାହିଁଲେ ଆଉ କହିଲେ ଭଗବାନ ଙ୍କ ଉପରେ ଦୃଢ଼ ବିଶ୍ୱାସ ରଖ ସେ ତୁମର ଅଗ ଗୋଡ଼ରେ କଣ୍ଟା ବାଜିବାକୁ ମଧ୍ୟ ଦେବେ ନାହିଁ l ରା଼ମୁ କେବଳ ଦୁଆର ମୁହଁ ରେ ଛିଡା ହୋଇ ସେମାନଙ୍କ ଯିବା ବାଟକୁ ଚାହିଁ ରହିଥାଏ l

ଦେବକୀ ବେହେରା 


Rate this content
Log in

Similar oriya story from Abstract