ଦୋ ଛକିରେ ଜୀବନ
ଦୋ ଛକିରେ ଜୀବନ
ଆଜି ପ୍ରଥମାଷ୍ଟମୀ। ଏଣ୍ଡୁରି ପିଠା, ଅଥାର ହାଣ୍ଡି ଆଉ ହଳଦୀ ପତ୍ରର ମହାମହ ବାସ୍ନାରେ ସୁରଭିତ ପୁର ପଲ୍ଲୀ। ତାସହିତ ମନେପଡେ ପିଲାଦିନର ଅନେକ ସ୍ମୁତି। ଆଉ ତା ସହିତ ବୋଉର ହାତ ତିଆରି ଘାଣ୍ଟ ତରକାରୀ ଏବଂ ଚାଉଳ ଖିରୀ।
କିନ୍ତୁ ଆଜି ଦିନଟି ବହୁତ କଷ୍ଟ ଦିଏ ସରିତାକୁ। ସମସ୍ତଙ୍କ ଘରେ ପିଠା ପଣା ହୁଏ, ତା ଘରେ ବି ହୁଏ କିନ୍ତୁ ସେଥିରେ ନ ଥାଏ ଆଗ୍ରହ କି ଆନନ୍ଦ। ସ୍ୱାମୀଙ୍କ ଠୁଁ ଆରମ୍ଭ କରି ସାହି ଭାଇ ବି ଦେଖେଇ ଦେଖେଇ କହି ଦିଅନ୍ତି କେତେ କଥା।
ଯୌବନର ପ୍ରଥମ ପାହାଚରେ ସେ ଭଲ ପାଇ ବସିଥିଲା ପାଖ ଗାଁର ସାନିଆକୁ। ସାନିଆ ଜାତିରେ ହରିଜନ କିନ୍ତୁ ପ୍ରେମ ତ ଅନ୍ଧ। ସନିଆ ପ୍ରେମରେ ଅନ୍ଧ ହୋଇ ଶେଷରେ ଘର ଛାଡିଲା ସରିତା। କିନ୍ତୁ ସବୁ ଦିନ ପାଇଁ ଛିଡିଗଲା ଭିଟାମାଟିର ମୋହ ଆଉ ରକ୍ତର ସମ୍ପର୍କ।
ପ୍ରଥମାଷ୍ଟମୀରେ ସମସ୍ତଙ୍କ ମାମୁଁ ଘରୁ ନୂଆ ଡ୍ରେସ ଆଉ ପିଠା ମିଠା ଆଉ କେତେ କଣ ଆସେ କିନ୍ତୁ ସାରିତାର....
ପୁଅ ବେଳେ ବେଳେ ପ୍ରଶ୍ନ କରେ ମାମା ମୋ ମାମୁଁ କାହିଁ ଆସୁ ନାହାଁନ୍ତି। ହେଲେ ସରିତା ପାଖରେ ନ ଥାଏ ତାର ଉତ୍ତର। କଣ ଗୋଟେ କହି ବୁଝାଇ ଦିଏ ପୁଅକୁ ହେଲେ ନିଜ ମନକୁ କିପରି ବୁଝାଇବ? ଉଦାସରେ ସେ ଚାହେଁ ସୁନୀଳ ଆକାଶର ଦୂର ଦିଗବଳୟକୁ। ଦୂର ଆକାଶର ଭସା ବାଦଲରେ ସେ ଦେଖେ ତାର ଅଭୁଲା ଶୈଶବ। କେତେ ସୁନ୍ଦର ଥିଲା ସେ ଦିନ ସବୁ। ସେ ଭାଇ ଭଉଣୀ କେତେ ହସୁଥିଲେ, କେତେ ଖେଳୁଥିଲେ, କେତେ ନାଚୁଥିଲେ। କେତେ ରାଗ ରୁଷା କେତେ ମାନ ଅଭିମାନ। କିନ୍ତୁ ଆଜି ସବୁ ଶେଷ। ତଥାପି ସେ ଅନେକ ଦିଅଁ ଦେବତା ପାଖରେ ଭାଇର ଶୁଭ ମନାସେ। ଆଉ ପ୍ରଭୁଙ୍କ ନିକଟରେ ଗୁହାରି କରେ ମୋ ଭାଇକୁ ଭଲରେ ରଖ। ତାର ବା ଭୁଲ କଣ? ମୁଁ ତ ଅଭାଗିନୀ ହତଭାଗିନୀ ଟା।
ଆଜି ଜୀବନର ଦୋ ଛକି ଛିଡା ହୋଇଛି ସରିତା। ନା ଅଛି ସ୍ୱାମୀଙ୍କ ଆଗ ଭଳି ଭଲ ପାଇବା ନା ପୁରୁଣା ଦିନର ଅନୁରାଗ। ନା ସେ ଯାଇ ପାରୁଛି ନିଜ ଲୋକଙ୍କ ପାଖକୁ ନା ନିଜ ଲୋକମାନେ ଆସୁଛନ୍ତି ତା ପାଖକୁ। ଖାଲି ଆଜି ନୁହେଁ, ବର୍ଷର ପ୍ରତେକ ପର୍ବ ପର୍ବାଣି ତା ପାଇଁ ଖୁସି ବଦଳରେ ଆଣେ ଅସରାଏ ଲୁହ। ଜୀବନ ସାରା ସେ ଏମିତି ଏକୁଟିଆ ଏକାକୀନି ଲୁହ ଝରାଉ ଥାଏ ନୀରବରେ। ତଥାପି ତାର ଆଶା ଜୀବନ୍ତ, ତାର ଅମାନିଆ ମନ କହୁଥାଏ ତାର ଆତ୍ମୀୟ ମାନେ ଆସିବେ, ନିଶ୍ଚୟ ଆସିବେ ମାତ୍ର କେବେ ଆସିବେ କିଏ ଜାଣେ?